ଆସନ୍ତାକାଲି ଟୋକିଓ ଠାରେ ୩୨ତମ ଅଲିମ୍ପିକ୍‌ସ କ୍ରୀଡ଼ା ଆରମ୍ଭ ହେବାକୁ ଯାଉଛି। ଭାରତରୁ ୧୧୯ ଜଣ ଖେଳାଳିଙ୍କ ଏକ ଦଳ ୫ଟି ବିଭାଗରେ ଅଂଶ ଗ୍ରହଣ କରିବେ। ଗତ ତିନି ହଜାର ବର୍ଷ ଧରି ଏହି କ୍ରୀଡ଼ା ଶୃଙ୍ଖଳା ନାନା ଉତ୍‌ଥାନ ପତନ ଦେଇ ଗତି କରିଛି; ବିଭିନ୍ନ ରାଜନୈତିକ କାରଣ ଦ୍ବାରା ପ୍ରଭାବିତ ହୋଇଛି। କିନ୍ତୁ ଏଥିରେ ପଦକ ଜିଣିବା ସର୍ବ-ଶ୍ରେଷ୍ଠତାର ନିଦର୍ଶନ ଏବଂ ଏହା ଖେଳାଳିମାନଙ୍କ ବର୍ଷ ବର୍ଷର ସ୍ବପ୍ନ, ଶ୍ରମ ଓ ଶ୍ରେୟ ଚରିତାର୍ଥ କରିବାର ଏକ ମାଧ୍ୟମ ହୋଇ ରହିଛି।
କହିବା ବାହୁଲ୍ୟ ଯେ ଅଲିମ୍ପିକ୍‌ସ ଭଳି ଅତି ଉଚ୍ଚ ସ୍ତରୀୟ କ୍ରୀଡ଼ାରେ ସଫଳତା ହାସଲ ଲାଗି ଖେଳାଳିମାନେ ଯେଉଁଭଳି ଊର୍ଜା ଖର୍ଚ୍ଚ କରନ୍ତି ଏବଂ ‌ସେଥି ଲାଗି ଯେଉଁ ଭଳି ଖାଦ୍ୟ ଇତ୍ୟାଦି ଖାଆନ୍ତି, ତା’ ଉପରେ ଏକ ଆଲୋଚନା ପ୍ରାସଙ୍ଗିକ ଅଟେ।

Advertisment

ଖେଳାଳିମାନଙ୍କୁ ଏଥି ଲାଗି ଉପଯୁକ୍ତ ପରିମାଣର ଶ୍ବେତସାର, ସ୍ନେହସାର, ପୁଷ୍ଟିସାର, ଖଣିଜ ଲବଣ ଓ ବିଭିନ୍ନ ପ୍ରକାର ଭିଟାମିନ୍ ବା ଜୀବନୀକା ଇତ୍ୟାଦି ଦିଆଯାଏ। ଉଲ୍ଲେଖଯୋଗ୍ୟ ଯେ ଖାଦ୍ୟସାରର ସୁପରିଚାଳନା ଯୋଗୁ ଖେଳାଳିମାନଙ୍କର ପ୍ରଦର୍ଶନ ଦକ୍ଷତା ବୃଦ୍ଧି ପାଉଛି। ଉଦାହରଣ ସ୍ବରୂପ ଯୁକ୍ତରାଷ୍ଟ୍ର ଆମେରିକାର କିଂବଦନ୍ତୀୟ ସନ୍ତରଣକାରୀ ମାଇକେଲ ଫେଲପ୍‌ସ ଅବିଶ୍ବସନୀୟ ଭାବେ ୨୮ଟି ଅଲିମ୍ପିକ୍‌ସ ପଦକ ଜିଣିଛନ୍ତି, ଯାହା ଭିତରେ ରହିଛି ୨୩ଟି ସ୍ବର୍ଣ୍ଣ ଓ ୫ଟି ରୌପ୍ୟ ପଦକ। ତାଙ୍କର ଅଭ୍ୟାସ ପାଇଁ ସେ ଦୈନିକ ହାରାହାରି ୫ ଘଣ୍ଟା ସନ୍ତରଣ କରନ୍ତି, ସପ୍ତାହକୁ ଅତି କମ୍‌ରେ ୫୦ କିଲୋମିଟର ପହଁରନ୍ତି ଏବଂ ସେଥି ଲାଗି ଦୈନିକ ୧୨୦୦୦ କ୍ୟାଲୋରି ଶକ୍ତି ଖର୍ଚ୍ଚ କରନ୍ତି। ତେଣୁ ତାଙ୍କ ଖାଦ୍ୟକୁ ତିନି ଭାଗ କରି ପ୍ରତ୍ୟେକ କିସ୍ତିରେ ୪୦୦୦ କ୍ୟାଲୋରି ପାଇଲା ଭଳି ଖାଦ୍ୟ ତାଙ୍କୁ ଦିଆଯାଏ। ତାଙ୍କ ନ୍ୟୁଟ୍ରିସନିଷ୍ଟ୍‌ଙ୍କ ନିଷ୍ପତ୍ତି ଅନୁସାରେ ସେ ଜଳଖିଆରେ ତିନିଟି ଅଣ୍ଡା ଓ ଛେନା ପୁର ଦିଆ ସ୍ୟାଣ୍ଡଉଇଚ୍ ଖାଆନ୍ତି। ତା’ ସହିତ ଥାଏ ଟମା‌ଟୋ, ବନ୍ଧାକୋବି ଓ ଭଜା ପିଆଜ। କେବଳ ସେତିକି ନୁହେଁ, ତା’ ସହିତ ତିନିଟି ଚକୋଲେଟ୍ କେକ୍‌, ପାଞ୍ଚଟି ଅଣ୍ଡାର ଓମେଲେଟ, ଦୁଇ କପ୍ କଫି, ମକା ଷ୍ଟିଉ ବା ଝୋଳ ଓ ତିନିଟି ଫ୍ରେଞ୍ଚ୍‌ ଟୋଷ୍ଟ ତାଙ୍କ ଜଳଖିଆ ମେନୁରେ ରହେ। ମଧ୍ୟାହ୍ନ ଭୋଜନରେ ଅଧ କେଜି ପାସ୍ତା, ଦୁଇଟି ଧଳା ବଡ଼ ପାଉଁରୁଟିରେ ଛେନା ଓ ହାମ (ଘୁଷୁରି ଗୋଡ଼ ଫଡ଼ିଆ) ଦିଆ ସାଣ୍ଡଉଇଚ, ୧୦୦୦ କ୍ୟାଲୋରି ପ୍ରଦାନ କରୁଥିବା ଏନର୍ଜି ଡ୍ରିଙ୍କ୍‌। ତାଙ୍କ ରାତି ଭୋଜନରେ ରହେ ଅଧ କେଜି ପାସ୍ତା, ଗୋଟିଏ ବଡ଼ ପିଜା ଓ ଏନର୍ଜି ଡ୍ରିଙ୍କ୍‌ ବା ଶକ୍ତି ପ୍ରଦାନ କରୁଥିବା ପାନୀୟ।

ସେମିତି ଆଉ ଜଣେ କିଂବଦନ୍ତୀୟ ଖେଳାଳି ହେଲେ ପୃଥିବୀର ଦ୍ରୁତତମ ଧାବକର ରେକର୍ଡ ସୃଷ୍ଟି କରିଥିବା ଜାମାଇକାର ଇଉସେନ ବୋଲଟ୍‌। ଏବେ ତାଙ୍କ ଖାଦ୍ୟକୁ ଦେଖନ୍ତୁ। ସେ ସକାଳୁ ଉଠି ଗୋଟିଏ ଅଣ୍ଡାର ସାଣ୍ଡଉଇଚ୍‌ ଖାଇ ‌େଦୗଡ଼ଭ୍ୟାସ କରିଥା’ନ୍ତି। ମଧ୍ୟାହ୍ନରେ ପାସ୍ତା ସହିତ ମକା ମିଶା ବିଫ୍‌ (ଗୋରୁ ମାଂସ) ଖାଆନ୍ତି। ହାଲୁକା ଖାଦ୍ୟ ଖାଇବାର ଇଚ୍ଛା ହେଲେ ବିଫ୍‌ ବଦଳରେ ମେଣ୍ଢା ମାଂସ ବା ବତକ ମାଂସ ଖାଇଥା’ନ୍ତି। ରାତିରେ ସେ ଭୁରି ଭୋଜନ କରନ୍ତି। ‌େସଥିରେ ସେ ଖାଆନ୍ତି ଭାତ ବା ଜାମାଇକାନ୍ ବିରିୟାନୀ। ତା’ ସହିତ ରହେ ଚିକେନ ରୋଷ୍ଟ, ମାଛ, ବ୍ରକୋଲି, ୟାମ ବା ମାଟି ଆଳୁ ଇତ୍ୟାଦି। ତା’ ସହିତ ସେ ଦିନ ତମାମ ପାଚିଲା ଫଳ ଖାଇଥା’ନ୍ତି ଓ ପ୍ରଚୁର ପାଣି ପିଅନ୍ତି।

ପ୍ରାଚୀନ ଅଲିମ୍ପିକ୍‌ସରେ ମଧ୍ୟ ଖେଳାଳିମାନଙ୍କ ଲାଗି ଖାଦ୍ୟ ପ୍ରାଧାନ୍ୟ ଲାଭ କରୁଥିଲା। ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀ ବେଳକୁ କ୍ରୋଟନରେ ମିଲୋ ନାମକ ଜଣେ ମଲ୍ଲଯୋଦ୍ଧା ଥିଲେ, ଯିଏ ବାଳକ ବର୍ଗରେ ସର୍ବଶ୍ରେଷ୍ଠ ଭାବେ ମାନ୍ୟତା ପାଉଥି‌େଲ। ତାଙ୍କ ଖାଦ୍ୟର ପରିମାଣକୁ ମହାଭାରତର ଭୀମଙ୍କ ଖାଦ୍ୟ ସହିତ ତୁଳନୀୟ ବୋଲି କହି ହେବ। ଏକ ବର୍ଣ୍ଣନା ଅନୁସାରେ ସେ ନଅ କିଲୋ ମାଂସ, ନଅ କିଲୋ ରୁଟି ଓ ଆଠ ଲିଟର ମଦ ଭକ୍ଷଣ କରୁଥିଲେ। କଥିତ ଅଛି ଯେ ସେ ସର୍ବଦା ଗୋଟିଏ ପୂର୍ଣ୍ଣ ବୟସ୍କ ଷଣ୍ଢକୁ କାନ୍ଧେଇ ବୁଲୁଥିଲେ। ସେ କୁଆଡ଼େ ପ୍ରତିଯୋଗିତା ସ୍ଥଳକୁ ଷଣ୍ଢକୁ କାନ୍ଧେଇ ଆଣି ପ୍ରତିଦ୍ବନ୍ଦ୍ବୀ ସମ୍ମୁଖରେ ତାକୁ ବଧ କରି ତାର ମାଂସ ଖାଉଥିଲେ ଓ ରକ୍ତ ପିଉଥିଲେ। ମିଲୋଙ୍କର ଖାଦ୍ୟ ପରିଚାଳନା କରୁଥିଲେ ପିଥାଗୋରାସ୍‌ ନାମକ ଜଣେ ଚିକିତ୍ସକ (ଗଣିତଜ୍ଞ ପିଥାଗୋରାସ୍‌ ନୁହନ୍ତି)। ପ୍ରାଚୀନ କାଳରେ ରୁଟି ବା ମକାର ହାଲୁଆ ସହିତ ଅଲିଭ ଫଳ, ପନିପରିବା, ଛେନା, ଫିଗ୍‌ ଇତ୍ୟାଦି ଖିଆଯାଉଥିଲା। ମାଛ ମଧ୍ୟ ବହୁଳ ଆଦୃତ ଥିଲା। ଏହା ସହିତ ଖାଦ୍ୟକୁ ‌େନଇ କେତେକ ବିଚିତ୍ର ବିଶ୍ବାସ ମଧ୍ୟ ରହୁଥିଲା।

ମୁଷ୍ଟି ଯୋଦ୍ଧା ପ୍ରାଣୀର ଛାତି, ପିଠିର ମାଂସ ଓ ଧାବକ ଗୋଡ ଫଡ଼ିଆ ଇତ୍ୟାଦି ଖାଉଥିଲେ। ଏଥିରେ କେତେକ ବ୍ୟତିକ୍ରମ ମଧ୍ୟ ଥିଲା। ଉଦାହରଣ ସ୍ବରୂପ, ସ୍ପାର୍ଟାର ଚାର୍ମିସ ନାମକ ଜଣେ ଧାବକ କେବଳ ଫିଗ୍ ଫଳରେ ଜୀବନ ଯାପନ କରୁଥିଲେ, କିନ୍ତୁ ଦୁଇ ଶହ ମିଟର ଦୌଡ଼ରେ ବିଜୟ ଲାଭ କରିଥିଲେ।

ଜର୍ମାନ୍‌ର ବୈଜ୍ଞାନିକ ଫ୍ରେଡ୍ ହୋଲର ୧୮୨୮ରେ ଏକ ଗବେଷଣା କରି ସ୍ଥିର କଲେ ଯେ ଜଣେ ଖେଳାଳି ସାଧାରଣତଃ ଦୈନିକ ହାରାହାରି ୬୭୦୦ କ୍ୟାଲୋରିରୁ ୭୩୦୦୦ କ୍ୟାଲୋରି ଦେଲା ଭଳି ଖାଦ୍ୟ ଗ୍ରହଣ କରିବା ଦରକାର। ୧୯୩୫ ମସିହାରୁ ଭିଟାମିନ୍ ‘ବି’ ଓ ଭିଟାମିନ୍‌ ‘ସି’ର ସ୍ବତନ୍ତ୍ର ବଟିକାର ପ୍ରଚଳନ ହେଲା, ଯାହା ଖେଳାଳିମାନେ ସେବନ କଲେ। ୧୯୩୬ ବର୍ଲିନ ଅଲିମ୍ପିକ୍‌ଠାରୁ ଖେଳାଳି ଉପଯୋଗୀ ଖାଦ୍ୟ ଗବେଷଣାର ନବ ପର୍ବ ଆରମ୍ଭ ହୋଇଥିଲା। ୧୯୬୮ରେ ନୋବେଲ ପୁରସ୍କାର ପ୍ରାପ୍ତ ଭାରତୀୟ ମୂଳୋଦ୍ଭବର ବୈଜ୍ଞାନିକ ଡକ୍ଟର ହରଗୋବିନ୍ଦ ଖୁରାନା ପୁଷ୍ଟିସାରର ବିଭାଜନ ଓ ଆମିନୋ ଏସିଡ୍‌ କଥା ବାହାର କଲେ। ଏବେ ପ୍ରତି ଖେଳାଳିଙ୍କ ଖାଦ୍ୟରେ ସମସ୍ତ ୧୯ଟି ଯାକ ଆମିନୋ ଏସିଡ୍‌ ଯେମିତି ରହିବ ତା’ର ବ୍ୟବସ୍ଥା କରାଯାଉଛି। ଅନେକ ଖେଳାଳିଙ୍କ ଖାଦ୍ୟରେ ‘ହ୍ବେ’ ପ୍ରୋଟିନ୍‌ (ଛେନା ପାଣିରୁ ପ୍ରସ୍ତୁତ) ଏବଂ ବିସିଏଏ (ଜରୁରୀ ଆମିନୋ ଏସିଡ୍‌)ର ପ୍ରାବଧାନ କରାଯାଉଛି।

ମୋ: ୯୯୩୭୮୬୩୫୨୮