ଓଡ଼ିଶାର ଗାଁ ଗହଳରେ ଗୋଟିଏ କଥା ଶୁଣାଯାଏ। ‘‘ଦୁହିଁଲା ଗାଈ ମୁହଁରେ କ୍ଷୀର।’’ ଅର୍ଥାତ୍ ଦୁହାଁଳିଆ ଗାଈକୁ ଯେତେ ଉତ୍ତମ ଆହାର ଦେବ ସେ ସେତେ ଭଲ କ୍ଷୀର ଦେବ। କଥାଟି ଗାଈକୁ ନେଇ କୁହାଯାଇଛି ସିନା, ପ୍ରକୃତରେ ସବୁ ପ୍ରାଣୀଙ୍କୁ ପ୍ରଯୁଜ୍ୟ। ଭଲ ଖାଇଲେ ପିଇଲେ ପ୍ରତ୍ୟେକ ପ୍ରାଣୀ ସୁସ୍ଥ ରହନ୍ତି। ସ୍ବାସ୍ଥ୍ୟ ସବୁ ସଫଳତା ପଛର ଚାବିକାଠି! ତେଣୁ ଭଲ ବା ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଆବଶ୍ୟକ।
ପ୍ରଶ୍ନ ହେଉଛି- ଭଲ ଖାଇବା କ’ଣ? ଯେ କୌଣସି ଖାଦ୍ୟ କ’ଣ ଭଲ ଖାଦ୍ୟ? ପୁଣି ସବୁ ଖାଦ୍ୟ ସମସ୍ତେ ଖାଆନ୍ତି ନାହିଁ। ପାଣ୍ତା ଭଳି ପଶୁଟି ପ୍ରଧାନତଃ ବାଉଁଶ ପତର ଖାଇ ବଞ୍ଚେ। ପ୍ରତ୍ୟେକ ପ୍ରାଣୀଙ୍କର କିସମ କିସମର ଖାଦ୍ୟ। ବନ୍ଧନରେ ଥିବା ପ୍ରାଣୀଙ୍କ କଥା ଅଲଗା। କିନ୍ତୁ ପ୍ରାକୃତିକ ଜୀବନଯାପନ କରୁଥିବା ଜଗତ୍ର ସକଳ ପ୍ରାଣୀ ଅନାବଶ୍ୟକ ଭାବେ ପୃଥୁଳ ବା ପତଳା ହୁଅନ୍ତି ନାହିଁ। କାରଣ ଦରକାର ମୁତାବକ ସେମାନେ ଖାଦ୍ୟ ଗ୍ରହଣ କରନ୍ତି। ପରିଶ୍ରମ ନ କରି କେହି ଖାଦ୍ୟ ପାଆନ୍ତି ନାହିଁ।
ପ୍ରାଣୀ ଜଗତ୍ରେ ମଣିଷ କିନ୍ତୁ ଅଲଗା। ସେ ସର୍ବଭକ୍ଷୀ। ଖାଇବାକୁ ନ ପାଇ ଅତ୍ୟନ୍ତ କ୍ଷୁଧା ସହି ନ ପାରି ଗାଈଗୋରୁଙ୍କ ଭଳି ପଶୁ କାଗଜ, କନା, ପଲିଥିନ୍ ଖାଇଦିଅନ୍ତି ହେଲେ ଭୋକିଲା ନ ଥାଇ ବି ମଣିଷ ସବୁ ପ୍ରକାରର ଖାଦ୍ୟ ଖାଏ। ସ˚ସାରରେ ଆଉ ଗୋଟିଏ ସର୍ବଭକ୍ଷୀ ପ୍ରାଣୀ ଅଛି। ସେ ହେଉଛି ଅସରପା। ଅସରପା ଭଳି ମଣିଷ ଭକ୍ଷ ଅଭକ୍ଷ ସବୁ ଭକ୍ଷଣ କରେ। ରୋଷେଇ କରି ଖାଏ। ବେଳ ଅବେଳ ସବୁବେଳେ ଖାଏ। ନିଷିଦ୍ଧ ଖାଦ୍ୟ ଜାଣିଶୁଣି ଖାଏ। ପ୍ରାଣୀ ଜଗତ୍ରେ କେବଳ ମଣିଷ ଜାତି ହିଁ ଅପ୍ରାକୃତିକ ଖାଦ୍ୟ ପ୍ରସ୍ତୁତ କରେ, ନିଜେ ଖାଏ ଓ ବନ୍ଧନରେ ଥିବା ପ୍ରାଣୀମାନଙ୍କୁ ସେ ଖାଦ୍ୟ ଦିଏ।
ଜୀବନ ପାଇଁ ଅମ୍ଳଜାନ ଜରୁରି ମାତ୍ର ସେ ଅମ୍ଳଜାନର କାର୍ଯ୍ୟକାରିତା ଉତ୍ତମ ଖାଦ୍ୟ ଉପରେ ନିର୍ଭରଶୀଳ। ଖାଦ୍ୟ-ଅଭ୍ୟାସ ଅନୁସାରେ ଗୋଟାଏ ଗୋଟାଏ ଅଞ୍ଚଳର ମଣିଷ ଜାତିର ଆଚରଣରେ ମଧୢ ଭିନ୍ନତା ପ୍ରକାଶ ପାଏ। ଅସଲରେ ଖାଦ୍ୟ ହିଁ ପାଲଟି ଯାଏ ସେଇ ଏକା ପ୍ରଜାତିର ପ୍ରାଣୀଙ୍କ ପରିଚୟର ଭିନ୍ନ ନିୟାମକ। ଜାପାନୀ ଲୋକେ ଏମିତି, ଆରବୀ ଲୋକେ ସେମିତି।
ଖାଦ୍ୟ ଭେଦରେ ସାଧାରଣତଃ ଆମେ ଦୁଇପ୍ରକାରର ଖାଇବା ଦେଖୁ। ‘‘ଆମିଷ ଖାଦ୍ୟ’’ ଓ ‘‘ନିରାମିଷ ଖାଦ୍ୟ’’। ଏବେ ଏକ ତୃତୀୟ ଖାଦ୍ୟର ଚାହିଦା ବଢ଼ିବାରେ ଲାଗିଛି। ତାହା ହେଉଛି ‘ଭେଗାନ୍ ଖାଦ୍ୟ’’। ଭେଗାନ୍ ଶବ୍ଦଟି ଭେଜିଟେବଲ୍ ବା ପରିବାରୁ ଆସିଛି। ଆମେ ଯେ କ୍ଷୀର, ମହୁ, କ୍ଷୀରଜାତ ଦହି, ଛେନା, ଲହୁଣି ଓ ଛୁଆ ହେବାର ସମ୍ଭାବନା ନ ଥିବା ଅଣ୍ତାକୁ ନିରାମିଷ ବୋଲି ସାଧାରଣରେ ଗ୍ରହଣ କରୁ ତାହା ଭେଗାନ୍ମାନେ ସ୍ବୀକାର କରନ୍ତି ନାହିଁ। ସେମାନଙ୍କ ମତ ହେଲା କ୍ଷୀର, ମହୁ, ଅଣ୍ତା ଆଦି ପ୍ରାଣୀଜ, ନିରାମିଷ କେମିତି ହେବ?
ବିଦ୍ବାନ୍ମାନେ ଆମିଷକୁ ହି˚ସାର ଖାଦ୍ୟ ଓ ନିରାମିଷକୁ ଅହି˚ସାର ଖାଦ୍ୟ ରୂପେ ବିବେଚନା କରନ୍ତି। ପ୍ରତ୍ୟେକ ଆମିଷ ଖାଦ୍ୟ ପଛରେ ହି˚ସା ଯୋଡ଼ା। ଏ ହି˚ସା ବେଳେ ବେଳେ ଏତେ ବର୍ବର ଯେ ତା’କୁ ଶୁଣିଲେ ରୋମ ଟାଙ୍କୁରି ଉଠେ। କଙ୍କଡ଼ା ମରିଗଲେ ଅନେକଙ୍କ ପାଇଁ ଅଗ୍ରହଣୀୟ; ତେଣୁ କଙ୍କଡ଼ା ତରକାରି ପ୍ରସ୍ତୁତି ପୂର୍ବରୁ ଜିଅନ୍ତା କଙ୍କଡ଼ାଟିକୁ ଫୁଟିଲା ପାଣିରେ ବିସର୍ଜନ କରିବାକୁ ପଡ଼େ। କେତେକ ସ୍ଥାନରେ ବଞ୍ଚିଥିବା ପ୍ରାଣୀଟି ସେମିତି ଛଟପଟ ହେଉଥିବା ବେଳେ ତା’ର ଖଣ୍ତ ଖଣ୍ତ ମା˚ସକୁ ଏ ମଣିଷ ଖାଏ। ଜୀବନ୍ତ ପ୍ରାଣୀର ମା˚ସ ମୃତ ପ୍ରାଣୀର ମା˚ସ ଠାରୁ ଢେର୍ ଅଧିକ ସ୍ବାଦଯୁକ୍ତ ବୋଲି ପ୍ରତ୍ୟେକ ଆମିଷାସୀ ଜାଣିଥାନ୍ତି। ଗରାଖମାନେ ତ ଆଙ୍ଗୁଠି ଦେଖେଇ କହନ୍ତି ଏଇ କୁକୁଡ଼ାଟା କାଟି ମତେ ଦିଅ। ଖାସି ମା˚ସ ଲାଗି ବାଛି ବାଛି ଚିହ୍ନରା ଗରାଖ କହନ୍ତି, ‘‘ନାଇଁ ଏଟା ନୁହେଁ ସେଟା। ତା’ ଫଡ଼ିଆଟା ମୋର ଦରକାର।’’ ବିଚରା କୁକୁଡ଼ା ବା ଖାସି ବଲବଲ ହୋଇ ଚାହିଁଥାଆନ୍ତି ଗରାଖ ଈଶ୍ବରଙ୍କୁ।
ପ୍ରଶ୍ନ ହେଉଛି ଆମେ ଯେତେବେଳେ ‘‘ଏହାକୁ ମାରି ମତେ ମା˚ସ ଦିଅ’’ ବୋଲି କହିଥାଉ ସେତେବେଳେ ଆମ ଭିତରର ଭାବଟି କ’ଣ? ହି˚ସକ ନା ଅହି˚ସ। ସେଇ ସମୟରେ ମଣିଷର ଭିତରଟା ଅସୁର ପାଲଟି ଯାଏ। ତେଣେ ମା˚ସ କଟା ଚାଲିଥାଏ ଏଣେ ଗ୍ରାହକ ଆଖିରେ ମା˚ସ ତରକାରିର ଛବି ଓ ମନ ଭିତରେ ତରକାରିର ବାସ୍ନା ଚହକି ଯାଏ। ସେ ପାଟି କରି କହେ, ‘‘ନାଇଁ ନାଇଁ ଏଡ଼ିକି ଟିକେ କଲିଜା କ’ଣ ଦେଲ? ବଡ଼ ଖଣ୍ତେ ଦିଅ।’’
ଆମିଷ ଭକ୍ଷଣ ବାଟେ ଆମେ ପ୍ରତିଦିନ ଆପଣା ଭିତରକୁ କିଛି କିଛି ହି˚ସା ପଠାଉ। ଧୀରେ ଧୀରେ ତାହାର ପରିବୃଦ୍ଧି ସିନା ହୁଏ, କିଛି କମେ ନାହିଁ। ଆଜିର ପୃଥିବୀ ଅଧିକ ହି˚ସା ପ୍ରଣୋଦିତ। ତା’ ପଛରେ ରହିଛି ଏହି ଖାଦ୍ୟ ବାସନା। ହିଟଲର୍ଙ୍କ ଭଳି ନିରାମିଷଭକ୍ଷୀ ନରପିଶାଚ ଏକ ବ୍ୟତିକ୍ରମ। ନିଜ ଭିତରର ହି˚ସାକୁ ବଳବତ୍ତର ରଖିବା ପାଇଁ ଉଗଣ୍ତାର ରାଷ୍ଟ୍ରପତି ଇଦି ଅମିନ୍ ନରମା˚ସ ଭକ୍ଷଣ କରୁଥିବା କଥା କେହି କେହି ବିଶ୍ଳେଷଣ ବି କରିଛନ୍ତି। ଆମେ ଭାବୁ ଇଏ କ’ଣ ହି˚ସା? ସେ ତ ମାଛ ମାରି ଆଣି ବିକିଲା। ମୁଁ କିଣି ଖାଇଲି। ହି˚ସା କଥାଟା ମା˚ସ କାଟିଲାବାଲାର। ମୁଁ ହକ୍ ପଇସା ଦେଇ କିଣିଛି। ହି˚ସା କଲି କେତେବେଳେ?
ଆମେ ଯାହା ଖାଉ ତା’ ସହିତ ଆମ ଭିତରକୁ ଏକ ଭାବ ପ୍ରବେଶ କରେ। ଏଇ ଭାବ ଅନେକା˚ଶରେ ଆମ ଆଚରଣରେ ପ୍ରଦର୍ଶିତ ହୁଏ। ଆେଗ ମାରିବା ଥିଲା କ୍ଷେତ୍ର ରକ୍ଷଣର ପ୍ରଧାନ କଥା। ଯେତେ ଯିଏ ସ˚ହାର କଲା ସେ ସେତେ ବୀର। ସେଇଥିପାଇଁ ଶିକାର ବା ମୃଗୟା ଥିଲା ରାଜକୀୟ ପରମ୍ପରାର ଏକ ମହତ ଅ˚ଶ।
ଏ ସମ୍ପର୍କରେ ଗୋଟିଏ ଘଟଣାର ଅବତାରଣା କରିବା ଆବଶ୍ୟକ। ଗୋଟାଏ ସମୟରେ ଠଗମାନଙ୍କର ଆତଙ୍କ ସାରା ଉତ୍ତରଭାରତକୁ କବଳିତ କରି ରଖିଥିଲା। ଠଗ ଦମନ ଆଇନ ହେବା ପରେ ଠଗମାନଙ୍କ ଉପରେ ସରକାରୀ ଆକ୍ରମଣ ଚାଲିଲା। କେତେ ଧରା ହେଲେ, ମଲେ। ଏତେ କଠୋର ଆଇନ କରାଗଲା ଯେ ଠଗଙ୍କ ଠାରୁ ଯେ ବି ଜିନିଷ କିଣିଲା ତା’କୁ କଳାପାଣି ଦଣ୍ତ ମିଳିଲା। ସେତିକିବେଳେ ଜଣେ ଠଗ ଧରାହୋଇଥିଲା ଯେ କି ସେତେବେଳକୁ ୧୭୮୪ ଜଣଙ୍କୁ ମାରି ସାରିଥିଲା। ତା’ ଜୀବନ କାହାଣୀଟି ଏହିପରି- ‘‘ଥରେ ଠଗଦଳ ଗୋଟିଏ ତୀର୍ଥଯାତ୍ରୀ ଧନାଢ଼୍ୟ ପରିବାରକୁ ନିଶ୍ଚିହ୍ନ କରିଦେଲେ। ହେଲେ ବଲ ବଲ ଚାହୁଁଥିବା ବାଳୁତ ଶିଶୁପୁତ୍ରଟି ପ୍ରତି ସର୍ଦ୍ଦାରର ଦୟା ହେଲା। ସେ ତା’କୁ ପୁଅ ପରି ପାଳିଲା ଓ ଦଳରେ ସାମିଲ କଲା। ପିଲାଟି ସୁନ୍ଦର ଯେମିତି ମନ ଭିତରେ କୋମଳ ବି ସେମିତି। ସେ ହି˚ସା କରିବ କ’ଣ? କାହା ଦେହରେ ହାତ ଦେବାକୁ ଡରିଲା। ତେଣୁ ସର୍ଦ୍ଦାରର ନିର୍ଦ୍ଦେଶରେ ପ୍ରଥମେ ତା’ ଆଗରେ ଛୋଟ ଛୋଟ ଜୀବ, ପିମ୍ପୁଡ଼ି, ଜନ୍ଦା ଓ ଝିଣ୍ଟିକା ଆଦିକୁ ମରାଗଲା ଓ ମାରିବା ପାଇଁ ତା’କୁ ଉତ୍ସାହିତ କରାଗଲା। ତା’ ପରେ କୁକୁଡ଼ା, ଛେଳି, ମେଣ୍ଢା ଆଦିକୁ ତା’ ଆଗରେ ନିୟମିତ କଚ୍କାଚ୍ କଟାଗଲା। ଧୀରେ ଧୀରେ ସେ ବି ସେଥିରେ ସହଯୋଗ କଲା।
ଘୁଷୁରି ସହଜରେ ମରେନା। ମାତ୍ର ଧୀରେ ଧୀରେ ହି˚ସାର ପାହାଡ଼ ଚଢ଼ି ଆସିଥିବା ଏ ଯୁବକଟି ଘୁଷୁରି ଭଳି ଶକ୍ତ ଜୀବର ମୁଣ୍ତକୁ ଗୋଟିଏ ଚୋଟରେ ଶରୀରରୁ ଅଲଗା କରିଦେଇପାରିଲା। ‘‘ଲାଉ ଚୋର, କଖାରୁ ଚୋର; ଚୋରାଉ ଚୋରାଉ ବଡ଼ ଚୋର’’ ଭଳି ଜନ୍ଦା, ପିମ୍ପୁଡ଼ି ମରାରୁ ମଣିଷ ମରାକୁ ବଡ଼ ସହଜରେ ଉତ୍ତୀର୍ଣ୍ଣ ହୋଇଗଲା ସେ। ଭାରତବର୍ଷର ସବୁଠାରୁ ବଡ଼ ଠଗ ପାଲଟିଗଲା।’’
ହି˚ସାର ଉତ୍ତରଣ କେବଳ ଏଇ ହି˚ସାତ୍ମକ କର୍ମରୁ ଯେ ଆସେ ସେ କଥା ନୁହେଁ। ହି˚ସାତ୍ମକ ଖାଦ୍ୟ ବି ମଣିଷ ଭିତରେ ହି˚ସାର ମଞ୍ଜି ବୁଣେ। ନିଜ ସ୍ତ୍ରୀକୁ ଗଡ଼ ଗଡ଼ କରି କାଟି ୩୧୧ଖଣ୍ତ କରି ବିଭିନ୍ନ ଡବାରେ ପୂରାଇବା ପଛରେ ଯେଉଁ ମାନସିକତା ଅଛି ତାହା ବ୍ୟକ୍ତିଗତ ଯେତିକି, ସାମାଜିକ ବି ସେତିକି। ଏହା ତ ଏଇ ଆମ ସମୟର କଥା। ନରହତ୍ୟା ମହାପାପ ବୋଲି ଯେ ଧାରଣାଟି ଧାର୍ମିକ ଆଧାରରେ ଯୁଗ ଯୁଗ ଧରି ଗଢ଼ା ହୋଇଛି ତାହା ଏ ମଣିଷ ସମାଜକୁ ସୁରକ୍ଷିତ ରଖିବା ପାଇଁ।
ଆଚରଣ କେବଳ ବାହ୍ୟିକ ନୁହେଁ, ମାନସିକ। ଆପଣଙ୍କ ଆଗରେ ହି˚ସା ହେଉଛି ଅଥଚ ତାହା ଆପଣଙ୍କୁ ଛୁଉଁନାହିଁ ଅର୍ଥ ଆପଣ ପ୍ରତିଥର ମାଛ ମା˚ସ କିଣିଲା ବେଳେ ହି˚ସା ସହ ଅଭ୍ୟସ୍ତ ହୋଇସାରିଛନ୍ତି ଓ ଖାଦ୍ୟ ବାଟେ ତାହା ଆପଣଙ୍କୁ ଧୀରେ ଧୀରେ ହି˚ସାଗତ କରିସାରିଛି।
ଅନେକ ହୁଏ’ତ ପ୍ରାଚୀନ ଇରାନ୍ର ମହିଳା ସନ୍ଥ ରବୈୟାଙ୍କ ନାମ ଶୁଣିଥିବେ। ଅଷ୍ଟମ ଶତାବ୍ଦୀର ଆଦ୍ୟକାଳରେ ଜନ୍ମଗ୍ରହଣ କରିଥିବା ଏ ସନ୍ଥ, ଈଶ୍ବର ପ୍ରେମରେ ଥିଲେ ମୀରାଙ୍କ ଭଳି ପ୍ରମତ୍ତ। ସକଳ ଜୀବଙ୍କ ଭିତରେ ସେ ଈଶ୍ବରଙ୍କୁ ଦେଖୁଥିଲେ। ଅହି˚ସା ଥିଲା ଜୀବନର ବ୍ରତ। ତାଙ୍କ କୁଡ଼ିଆ ପାଖରେ ବଣୁଆ ଜୀବଜନ୍ତୁମାନେ ନିର୍ଭୟରେ ଯିବାଆସିବା କରୁଥିଲେ। ଥରେ ହାସାନ୍ ନାମକ ଜଣେ ଜ୍ଞାନୀ ସନ୍ଥ ତାଙ୍କୁ ଦେଖା କରିବାକୁ ଆସିଲେ। ଆଶ୍ଚର୍ଯ୍ୟ, ତାଙ୍କୁ ଦେଖି କୁଡ଼ିଆ ପାଖରେ ବୁଲୁଥିବା ସବୁ ପଶୁପକ୍ଷୀ ଉଡ଼ନ୍ ଛୁ ମାରିଲେ। କଥା କ’ଣ? ହାସାନ୍ ପଚାରିବସିଲେ। ଅଳ୍ପ ପଢ଼ିଥିବା ରବୈୟା ଜ୍ଞାନୀ-ପଣ୍ତିତ ହାସାନ୍ଙ୍କୁ ଓଲଟି ପଚାରିଲେ- ‘‘ଆପଣ କ’ଣ ଆମିଷ ଖାଆନ୍ତି?’’ ହାସାନ୍ ହଁ ଭରିବା ସହ କଥା ଯୋଡ଼ିଲେ- ମରୁଭୂମିରେ ସାଧାରଣତଃ ମା˚ସ ହିଁ ଖାଦ୍ୟ। ହସି ହସି ରବୈୟା କହିଲେ- ‘‘ତାହା ହି˚ସା-ଖାଦ୍ୟ। ପଶୁପକ୍ଷୀ, ମଣିଷ ଦେହର ବାସ୍ନାରୁ ସେ କଥା ଜାଣିନିଅନ୍ତି। ସେଇଥିପାଇଁ ଆପଣ କୁଡ଼ିଆ ନିକଟକୁ ଆସୁ ଆସୁ ସେମାନେ ପଳେଇଗଲେ।’’
ଓଡ଼ିଶା ଭୂଇଁରେ ଧାନ ହିଁ ଆବହମାନ କାଳରୁ ମୁଖ୍ୟ ଖାଦ୍ୟ-ଫସଲ। ତା’ ସଙ୍ଗକୁ ଡାଲି, ହରଡ଼, କାନ୍ଦୁଲ, ଚଣା ଆଦି ଥିଲା ଆନୁଷଙ୍ଗିକ ଖାଦ୍ୟ ଶସ୍ୟ। ପାଶ୍ଚାତ୍ୟ ଜଗତ୍ରେ ଯେମିତି ବ୍ରେଡ୍ ଆଉ ବଟର୍କୁ ମୌଳିକ ବୋଲି ଧରନ୍ତି, ଆମ ଏଠି ହେଉଛି ଭାତ ଡାଲି। ଚାଉଳ ହିଁ ମୌଳିକ। ସେଇଥିରୁ ତବତ, ପଖାଳ, ପଲଉ, ପିଠା, ମୁଢ଼ି, ଚୁଡ଼ା, ହୁଡ଼ୁମ, ଲିଆ, ଖଇ, ଖୁଦ ସବୁ କିଛି। ସେଇଥିପାଇଁ କହନ୍ତି ‘‘ଅନ୍ନମୋହୀ ପିଣ୍ତ’’, ‘‘ଅନ୍ନମୟ ପିଣ୍ତ’’। ବିଷ୍ଣୁଙ୍କ ଘରଣୀ ଲକ୍ଷ୍ମୀ ଠାକୁରାଣୀ ମା’ ଅନ୍ନପୂର୍ଣ୍ଣା। ଆଗରୁ କ୍ୟାଲେଣ୍ତର୍ ଚିତ୍ରମାନଙ୍କରେ ମାଆଙ୍କ ହାତରୁ ଧାନ ଖସୁଥିଲା। ଏବେ ମୁଦ୍ରା ଖସିବାର ଦେଖିବାକୁ ମିଳୁଛି। ମାଣବସା ଭଳି ଉତ୍ସବଟି ଧାନକୁ ନେଇ। ଧାନରୁ ଧନ। ଧାନ ହିଁ ଜୀବନ। ଭାତ ପ୍ରଧାନ ଖାଦ୍ୟ। ତା’ ସହିତ ଆମର ପୁରୁଣା ସୁଷମ ଖାଦ୍ୟର ଯେଉଁ ବେଦ୍ୟିକ ବିଧିବିଧାନ ଥିଲା ସେଥିରେ ମାଛ ମା˚ସ ନ ଥିଲା। ପୁରୁଣା ଦିନରେ ସାଧାରଣ ଲୋକେ ଯେଉଁ ଖାଦ୍ୟ ଖାଉଥିଲେ ସେଥିରେ ମୂଳତଃ ହି˚ସାର ଖାଦ୍ୟ ନ ଥିଲା। କେତେକ ଅଞ୍ଚଳସ୍ତରୀୟ ଲୋକ ଯେ ଆମିଷାସୀ ନ ଥିଲେ ସେ କଥା ନୁହେଁ, ମାତ୍ର ସମାଜରେ ମାନ୍ୟତା ଥିଲା ନିରାମିଷ ଖାଦ୍ୟର। ଓଡ଼ିଆଙ୍କ ମୂର୍ଦ୍ଧନ୍ୟ ଠାକୁର ଶ୍ରୀଜଗନ୍ନାଥଙ୍କର ନୀତିକାନ୍ତି ଓ ଖାଦ୍ୟପାନୀୟ ଏ ବାବଦରେ ଅନୁଧୢାନଯୋଗ୍ୟ।
ଆଜିର ସମାଜ କିନ୍ତୁ ଅଧିକ ଖାଦ୍ୟୋତ୍ସାହୀ ହୋଇପଡ଼ିଛି। ଭୋଜି କହିଲେ ଅଧିକ ତେଲ, ଅଧିକ ମସଲା। ମାଛମା˚ସର ପ୍ରାଧାନ୍ୟ। ସେଇ ଏକା ଖାଦ୍ୟ ତାଲିକାରେ ଛୋଟ ମାଛ, ବଡ଼ ମାଛ, ମାଛ ବେସର, ମାଛ ମସଲା, ମାଛ ଭଜା, ମାଛ ଛେଚା, ଚିଙ୍ଗୁଡ଼ି ବେସର, ଚିଙ୍ଗୁଡ଼ି ଝୋଳ, ମା˚ସ କାଲିଆ, ଚିଲ୍ଲି ମା˚ସ, ମଟନ୍ର ଜାତି ଜାତି, ଚିକେନ୍ର ଜାତି, ଛେନା ତରକାରି, ଛତୁର ପ୍ରକାର ପ୍ରକାର ତା’ ସଙ୍ଗକୁ ମିଠା ଓ ଆଇସ୍କ୍ରିମ୍। ସେଟା ପେଟ ନା ଆବର୍ଜନା ହାଣ୍ତି? କେତେ ସହିବ ଏ ଶରୀର? ସମସ୍ତେ ଜାଣନ୍ତି ମାଛ ମା˚ସ ଏକାଠି ଖାଇବା ମନା। ଏ ସବୁ ଖାଦ୍ୟ ଏକତ୍ର ଶରୀର ଲାଗି ଅହିତ ବୋଲି ଜାଣି ସୁଦ୍ଧା ଆମେ ତା’ ପାଲରେ ପଡ଼ୁ। ଦେହକୁ ବିଷମୟ କରୁ ଆଉ ଶେଷରେ ବଞ୍ଚିଗଲେ ଈଶ୍ବର ବଞ୍ଚେଇଲେ ଓ ମରିଗଲେ ଡାକ୍ତର ମାରିଦେଲା ବୋଲି କହୁ।
ଆମେ ଯାହା ଖାଉ, ତାହା ହେଉ। ଏ କଥା ଏକ ସାଧାରଣ ଉକ୍ତି। ସବୁ ଜାଣି ସୁଦ୍ଧା ଆମେ ଅଜଣା। ବିଶ୍ବସାରାର ସେଫ୍ ବା ତାରକାମାନ୍ୟତାପ୍ରାପ୍ତ ରୋଷେଇଆମାନେ ଖାଦ୍ୟର ପରଖ ଜିଭରେ ଥାଏ ବୋଲି ଭାବନ୍ତି। ପେଟ, ପାକସ୍ଥଳୀ ଓ ଶରୀର ପ୍ରତି ତାଙ୍କର ନିଘା ନ ଥାଏ। କିନ୍ତୁ ମନେ ରଖିବା କଥା ଯେ ଆମ ଜିଭ ଆମର ପେଟ ନୁହେଁ କି ମନ, ଶରୀର ନୁହେଁ। ଜିଭ ଲାଳେଇବ, ମନ ହାଇଁପାଇଁ ହେବ ହେଲେ ଭଲରେ ସୁସ୍ଥ ଜୀବନ ବଞ୍ଚିବାକୁ ହେଲେ ଆମକୁ ପେଟ ଓ ଶରୀର କଥା ଭାବିବାକୁ ପଡ଼ିବ।
ଏବେ ସାରା ପୃଥିବୀକୁ କରୋନା ଭୂତାଣୁ ଆକ୍ରାନ୍ତ କରି ରଖିଛି। କରୋନା ପାଇଁ ଔଷଧ ବାହାରି ନାହିଁ କି କୌଣସି ଟିକା ମଧ୍ୟ ଔଷଧ ନୁହେଁ। ଏ ସକାଶେ ବଡ଼ ଔଷଧ ହେଉଛି ଆପଣାର ରୋଗପ୍ରତିରୋଧକ ଶକ୍ତି। ସେଥିପାଇଁ ବିଶେଷଜ୍ଞମାନେ ତନ୍ତୁଯୁକ୍ତ, ଭିଟାମିନ୍ ଶକ୍ତିଥିବା ତଟକା ଓ ପ୍ରାକୃତିକ ଖାଦ୍ୟ ଖାଇବାକୁ ପରାମର୍ଶ ଦେଉଛନ୍ତି। ଭଲ ଖାଦ୍ୟ ମଣିଷର ଡି.ଏନ୍.ଏ.କୁ ପ୍ରଭାବିତ କରେନାହିଁ ମାତ୍ର ଜିନୋମ୍କୁ ଶକ୍ତ କରେ ଯାହା ବ˚ଶରକ୍ଷାରେ ସହାୟକ ହୁଏ।
ପରିମାଣଗତ ଭାବେ ବହୁତ ଖାଦ୍ୟ ଖାଇଲେ ମଧୢ ଶରୀର ଯଦି ଆଇରନ୍ ଓ ଜିଙ୍କ୍ ଭଳି ଅଣୁ-ପୁଷ୍ଟିସାର ନ ପାଏ ତେବେ ଅନ୍ତରୀଣ ଭାବେ ଭୋକିଲା ରହେ। ଯାହାକୁ ଇ˚ରେଜୀରେ କହନ୍ତି ‘‘ହିଡ୍ନ ହଙ୍ଗର୍’’। ଜାତିସ˚ଘର ଘୋଷଣା ଅନୁସାରେ ପୃଥିବୀର ଏକତୃତୀୟା˚ଶ ଲୋକ ଅଣୁ-ପୁଷ୍ଟିସାର ଅଭାବରୁ ଭୋକିଲା ଅଛନ୍ତି। ଏହି ଅଣୁ-ପୁଷ୍ଟିସାର ସମ୍ବଳିତ ଖାଦ୍ୟ ହିଁ ଆମର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ।
ପେଟ ପୂରିବା ବଡ଼ କଥା ନୁହେଁ। ପେଟର ଦରକାର ସୁଷମ ଖାଦ୍ୟ। ତେବେ ଯାଇ ଆମେ ନିଜକୁ ସୁସ୍ଥ ରଖି ପାରିବା। ଏବେ ସରକାରୀ ସ୍ତରରେ ବିିଭିନ୍ନ କାର୍ଯ୍ୟକ୍ରମ କରି ସୁସ୍ଥ ଶରୀର ନିମନ୍ତେ ପୁଷ୍ଟିସାର ସୁରକ୍ଷା ଲାଗି ନାନା ପଦକ୍ଷେପ ନିଆଯାଉଛି।
ଭାବିବା ଉଚିତ ଆମେ ଜିଭକୁ ସନ୍ତୁଷ୍ଟ କରିବା ନା ଶରୀରକୁ ଜଗିବା? ଯାହା ଖାଇବା ଆମେ ତାହା ହିଁ ହେବା। ନଚେତ୍ ଆଗକୁ ଧ୍ବ˚ସ ଅନିବାର୍ଯ୍ୟ। ଖାଦ୍ୟ ଯେତେ ଅହି˚ସ ଓ ଅଣୁ-ପୁଷ୍ଟିସାର-ସମୃଦ୍ଧ ହେବ ସେତେ ଭଲ। ଖାଦ୍ୟ ଯେ ସୁସ୍ଥ ଜୀବନର ନାଭିକେନ୍ଦ୍ର ଏ କଥା ଆମେ ମନେରଖିବା ଆବଶ୍ୟକ।