ଅପହୃତ ତାରାର ଆକାଶ

ସରସ ରସ - ସୁଭାଷ ପଟ୍ଟନାୟକ

ଜିଇବା ପାଇଁ ମନୁଷ୍ୟ ସଂଘର୍ଷ କଲା ବେଳେ ଯେଉଁସବୁ ଅପ୍ରତ୍ୟାଶିତକୁ ସାମନା କରେ, ତାହା ହିଁ ହେଉଛି ଜୀବନ। ଏଇ କୋକିଶିଆଳ ଛୁଆଟିର ଥିଲା ସେହିପରି ଏକ ଜୀବନ। ଘଞ୍ଚ ଜଙ୍ଗଲର ଭୟଙ୍କର ପରିବେଶ ମଧ୍ୟରେ ମା’କୁ ହରାଇ ଏକାକୀ ରହୁଥିଲା ତା’ ଗୁମ୍ଫା ମଧ୍ୟରେ। ବର୍ଷାଦିନର ଆକାଶ ଥିଲା ଅନ୍ଧାର ଓ ଶିଆଳ ଛୁଆର ମନରେ ଥିଲା ଅତିଶୟ ଭୟ। ରାତିରେ ଜଙ୍ଗଲର ସବୁ ପ୍ରାଣୀ ଶୋଇପଡ଼ିଲେ ଡରିଡରି ବାହାରକୁ ଆସୁଥିଲା ସିଏ। ଆକାଶରେ ଗୋଟିଏ ଏକୁଟିଆ ତାରା ଥିଲା ତା’ର ପଥ ପ୍ରଦର୍ଶକ। ତାରାର ଆଲୁଅରେ ଗୁମ୍ଫାର ଆଖପାଖରୁ ଅନ୍ୟ ପଶୁମାନେ ଛାଡ଼ି ଯାଇଥିବା କିଛି ମାଂସଲଗା ପରିତ୍ୟକ୍ତ ହାଡ଼ ଓ ପୋକଯୋକ ଖାଇ ଫେରିଆସୁଥିଲା ତା’ର ବାସସ୍ଥାନକୁ। ତାରାଟି ଥିଲା ତାର ଏକାକୀତ୍ବର ଏକମାତ୍ର ସାଥୀ। ଦିନେ ହଠାତ୍ ମେଘ ଘୋଟି ଆସିବାରୁ ଅଦୃଶ୍ୟ ହୋଇଗଲା ତାରାଟି। ଅନ୍ଧାରକୁ ଡରି ଆଉ ବାହାରକୁ ବାହାରି ପାରିଲାନି ଶିଆଳ ଛୁଆ। ଦିନ ପରେ ଦିନ ତା’ର ଭୋକରେ ବିତିଲା। ଦିନେ ଭୋକର ଜ୍ବାଳାରେ ଅସ୍ଥିର ହୋଇ ମନକୁ ଦୃଢ଼ କରି ଅନ୍ଧାରରେ ଛପିଛପି ବାହାରକୁ ଆସିଲା। ଜୀବନ ଜିଇବାକୁ ତ ପଡ଼ିବ! ଆଗକୁ ବଢୁବଢୁ ଯାହାକୁ ଦେଖିଲା ତାରାଟି ବିଷୟରେ ପଚାରି ନିରାଶ ହେଲା। ତାରା ନ ଥିଲେ ଆଲୋକ ଦେଖାଇବ କିଏ? ସେ ଖାଦ୍ୟ ଖୋଜିବ କେମିତି? ଏବେ ସେ ତା’ର ଗୁମ୍ଫା ଠାରୁ ଅନେକ ଦୂରରେ। ହଠାତ୍‌ ଆରମ୍ଭ ହୋଇଗଲା ବର୍ଷା। କ୍ଷୁଧାର୍ତ୍ତ ଓ ଭୟଭୀତ ଶିଆଳ ଛୁଆଟି ଆତ୍ମରକ୍ଷା ପାଇଁ ଗୋଟିଏ ବୁଦା ମୂଳରେ ଜାକିଜୁକି ହୋଇ ଶୋଇପଡ଼ିଲା। ଲେଖିକା କୋରଲୀ ବିକଫୋର୍ଡ ସ୍ମିଥ୍‌ଙ୍କର ପ୍ରସିଦ୍ଧ ଶିଶୁଗଳ୍ପ ‘ଦ ଫକ୍‌ସ ଏଣ୍ଡ ଦ ଷ୍ଟାର୍’ର କାହାଣୀକୁ ଏଇଠି ରଖି ଚାଲନ୍ତୁ ଯିବା ରାଜଧାନୀର ରାଜରାସ୍ତା କଡ଼ର ସେଇ ଛୋଟ ଭୋଜନାଳୟକୁ।

ଭୋଜନାଳୟଟିରେ ମାଂସ ଖାଇବାକୁ ଖୁବ୍ ଭିଡ଼ ଜମେ। ଗାଡ଼ି ମଟର ଧରି ଆସନ୍ତି ବାବୁମାନେ। ନଜର ଥାଏ ମାଂସ ଝୋଳ ଉପରେ। ଭୋଜନାଳୟର ପଛପଟେ ଛଅ ବର୍ଷର ସେଇ ବାସନ ମାଜୁଥିବା ପିଲାଟି ଉପରେ କାହାରି ନଜର ପଡ଼େ ନାହିଁ। ପିଲାଟିର କାମ ଅଇଁଠା ବାସନ ମାଜିବା। ବଦଳରେ କେବଳ ଦୁଇଓଳି କିଛି ଖାଦ୍ୟ ମିଳେ। ଅଇଁଠା ବାସନରୁ ବାବୁମାନେ ଛାଡ଼ିଯାଇଥିବା ମାଂସ ଝୋଳ ଚାଟେ ଓ ହାଡ଼ ନିକୁଟେ। ସେ ରହୁଥିଲା ଏକ ବସ୍ତିରେ। ପ୍ରଥମେ ମା’ ତା’ର କରୋନାରେ ଆରପାରିକୁ ଚାଲିଗଲେ। ଚିନ୍ତା ନ ଥିଲା, ବାପା ତ ଅଛି! ଛଅମାସ ପରେ ବାପାକୁ ବି ସେମାନେ ନେଇଗଲେ କୋଭିଡ୍‌ ହସ୍‌ପିଟାଲ। ଏବେ ସଂପୂର୍ଣ୍ଣ ଏକୁଟିଆ ଓ ନିଃସହାୟ ପିଲାଟି ଦୁଆର ମୁହଁରେ ବସି ଅପେକ୍ଷା କରେ ବାପାର ଫେରନ୍ତି ରାସ୍ତାକୁ। ବାପା ତ ଆଉ ଫେରିଲାନି, ପାଖ ପଡ଼ୋଶୀ କହିଲେ, ସେ ମଧ୍ୟ ଚାଲିଯାଇଛି ମା’ ପାଖକୁ। ପିଲାଟିର ଆକାଶରୁ ଶେଷ ତାରାଟି ଲୁଚିଗଲା। ପେଟର ତାଡ଼ନାରେ ଏଥର ସେ ଘରୁ ଗୋଡ଼ କାଢ଼ିଲା ଓ ଏବେ ତା’ର ନୂତନ ବାସସ୍ଥାନ ଏଇ ଭୋଜନାଳୟ।

ପିଲାଟି ହେଉଛି ଆମ ଦେଶର ଅଗଣିତ ଅନାଥ ଶିଶୁଙ୍କର ଗୋଟିଏ ପ୍ରତିଭୂ, ଯେଉଁମାନେ ନିଜେ ଅନାଥ ହେବା ସହିତ ଅନାଥ ତାଙ୍କର ପାଠବହି, ଅନାଥ ତାଙ୍କର ହସଖୁସି, ଅନାଥ ତାଙ୍କର ଆଖି ଲୁହ, ଅନାଥ ତାଙ୍କର ବର୍ଷା ପାଣିରେ ଓଲଟି ପଡ଼ିଥିବା କାଗଜ ଡଙ୍ଗା ଓ ଅନାଥ ତାଙ୍କର ରାସ୍ତାକଡ଼ର ସାଥୀ ପ୍ରଜାପତି। ଦେଶ ଏମାନଙ୍କ ପାଇଁ କରିଛି କ’ଣ? ଯାହାର ପିତାମାତା ନ ଥା’ନ୍ତି ଦେଶ ସେମାନଙ୍କର ପିତାମାତା। କିନ୍ତୁ ଦେଶ ନିକଟରେ ନିଜକୁ ଦେଖିବାକୁ ବିବେକର ଦର୍ପଣଟି ଅଛି କି? ଯଦି ଥାଆନ୍ତା, ଏ ପିଲାଟି ପରି ଅନେକ ଅନାଥ ଶିଶୁ ଅନାଥାଳୟରେ ପାଠ ପଢ଼ିବା ପରିବର୍ତ୍ତେ ଭୋଜନାଳୟରେ ବସି ବାସନ ମାଜୁ ନଥା’ନ୍ତେ। କିଏ ଜାଣେ, ଏମାନଙ୍କ ଭିତରେ ଆଉ ଜଣେ ନେଲସନ୍ ମଣ୍ଡେଲା କିମ୍ବା ଏଡଗାର ଆଲାନ ପୋ ଅବେ। ଲିଓ ଟଲଷ୍ଟୟ ଛପି ରହିନଥିବେ!

ଏ ଦେଶର ଅନାଥାଳୟ ଗୁଡ଼ିକରେ ଜଣ ପିଛା ଦିନକୁ ସରକାରୀ ଅନୁଦାନ ରାଶିର ଭାଗ ପଡ଼େ ତିନିରୁ ଚାରି ଟଙ୍କା। ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ଦ୍ବାରା ସଂସ୍ଥା ଚାଲେ। ସବୁ ଅନାଥ ପିଲାଙ୍କ ପାଇଁ ଦେଶରେ ପର୍ଯ୍ୟାପ୍ତ ଅନାଥାଳୟର ମଧ୍ୟ ଅଭାବ। କୌଣସି ପ୍ରକାରେ ଚଉଦ ବର୍ଷ ହେବା ପର୍ଯ୍ୟନ୍ତ କିଛି ଅଧାପନ୍ତରା ପାଠ ପଢ଼ା ହୁଏ। ଅଠର ବର୍ଷ ହୋଇଗଲେ ପୁଣି ରାଜରାସ୍ତାକୁ ଠେଲିଦିଆଯାଏ। ଏଠି ସବୁ ସରକାରୀ ସୁବିଧା ହାତେଇବା ପାଇଁ ଦାବିଦାର ଅଛନ୍ତି, ମାତ୍ର ଅନାଥ ଶିଶୁଙ୍କ ପାଇଁ କେହି ନାହିଁ, କାରଣ ଏମାନେ ଭୋଟବ୍ୟାଙ୍କ୍‌ ନୁହନ୍ତି। ଏ ଦେଶରେ ଗରିବ ମା’ ବାପାଙ୍କ ପିଲା ପାଇଁ ସବୁ ସୁବିଧା ଓ ସରକାରୀ ବ୍ୟବସ୍ଥା ଖଞ୍ଜାଯାଇଛି। ମାଗଣାରେ ଶିକ୍ଷା, ଛାତ୍ରାବାସ, ଭୋଜନ, ସବୁକିଛି। କାରଣ ସେମାନଙ୍କ ପିତାମାତା ଭୋଟ ଦେବେ, କିନ୍ତୁ ଅନାଥ ଶିଶୁଟି ପାଇଁ କିଛି ନାହିଁ। ଏ ଦେଶ ବୁଡ଼ିଯାଉଥିବା ଉଡ଼ାଜାହାଜ ସଂସ୍ଥାକୁ ଚଳାଇବାକୁ ହଜାର ହଜାର କୋଟି ଟଙ୍କା ବ୍ୟୟ କରିପାରେ, ଋଣ ଖିଲାପକାରୀଙ୍କର କୋଟି କୋଟି ଟଙ୍କାର ଋଣ ଛାଡ଼ କରିପାରେ, ମାତ୍ର ଅନାଥ ଶିଶୁଟିଏ ପାଇଁ ଦେଶର ହୃଦୟ ତରଳେ ନାହିଁ। ଅସହାୟ ଓ ସଂରକ୍ଷିତ ବର୍ଗଙ୍କ ପାଇଁ ଅନେକ ଖର୍ଚ୍ଚ ହେଉଛି, ମାତ୍ର ଦେଶ ଭୁଲିଯାଉଛି ଯେ, ଏମାନେ ମଧ୍ୟ ସେଇ ସଂରକ୍ଷିତ ବର୍ଗର ହିଁ ଅନାଥ ସନ୍ତାନ, ଏବଂ ଗୋଟିଏ ଅନାଥ ଶିଶୁଠାରୁ ବଳି ଅଧିକ ଅସହାୟ ଆଉ କେହି ହୋଇନପାରେ।

ଯେଉଁ ପ୍ରକାରରେ ବି ସେ ଅନାଥ ହେଉ; ଅନାଥର ଶ୍ରେଣୀ ବିଭାଗ ହୁଏ ନାହିଁ। ଅନ୍ୟ ଅନାଥ ଶିଶୁଙ୍କ କଥା ଭୁଲିଯାଇ କେବଳ କରୋନାରେ ଅନାଥ ହୋଇଥିବା ଶିଶୁଙ୍କ ପାଇଁ ଦେଶ ଅନେକ କିଛି ସାହାଯ୍ୟର ନୀଳବତି ତ ଦେଖାଇଛି। ଇଚ୍ଛା ଶକ୍ତି ବିନା ତାହା କାର୍ଯ୍ୟତଃ ସମ୍ଭବ କି? ମାଗଣାରେ ରହିବା, ପାଠପଢ଼ିବା ଓ ତେଇଶ ବର୍ଷ ହେଲେ ଦଶ ଲକ୍ଷ ଟଙ୍କାର ଅନୁଦାନ। ମାତ୍ର ଏ ସବୁ ପାଇବା ପାଇଁ ଏଇ ପିଲାଟି ତା’ର ପିତାମାତାଙ୍କର କରୋନା ମୃତ୍ୟୁ ପ୍ରମାଣ ସହିତ ଅନ୍ୟାନ୍ୟ ପ୍ରମାଣପତ୍ର ଯୋଗାଡ଼ କରିପାରିବ କି? ଯେଉଁଠି ମୃତ୍ୟୁର ପରିସଂଖ୍ୟାନ ଲୁଚାଇ ଦିଆଯାଉଛି, ଗୋଟିଏ ଛଅ ବର୍ଷର ଅନାଥ ବାଳକ କେଉଁଠିକୁ ଯାଇ ତା’ ବାପମା’ଙ୍କର ମୃତ୍ୟୁ ପ୍ରମାଣପତ୍ର ଯୋଗାଡ଼ କରିବ? ତାକୁ ନେଇ ଉଦ୍ଦିଷ୍ଟ ସ୍ଥାନରେ ପହଞ୍ଚାଇବ ବା କିଏ? କିଏ ତା’ ପାଇଁ ତାରକା ପାଲଟିବ? ଏ କଥା ସତ ଯେ, ପିଲାଟି ପାଇଁ ତା’ ଆକାଶଟା ହିଁ ହଜିଯାଇଛି।

ଆମ ଗପର ଶିଆଳ ଛୁଆଟି କିନ୍ତୁ ଏ ପିଲାଟି ପରି ଏତେ ହତଭାଗ୍ୟ ନ ଥିଲା। ଭୋକର ଜ୍ବାଳାରେ ହଠାତ୍ ତା’ ନିଦ ଭାଙ୍ଗିଗଲା। ବର୍ଷା ଛାଡ଼ିଯାଇଛି। ଆକାଶ ସାରା ଅନେକ ତାରାର ରୋଷଣିରେ ବନଖଣ୍ଡ ଆଲୋକିତ। ଶିଆଳଛୁଆ ଆକାଶକୁ ଚାହିଁଲା। ହଜାର ହଜାର ତାରାଙ୍କ ମେଳରେ ତା’ର ସାଥୀ ତାରାଟି ନିଶ୍ଚୟ କେଉଁଠି ଅଛି। ଆନନ୍ଦରେ କୁଦା ମାରି ଶିଆଳଛୁଆ ତା’ ଗୁମ୍ଫା ଆଡ଼କୁ ଦୌଡ଼ିଲା। ଏଇ ପିଲାଟି ପରି ଅନେକ ପିଲାଙ୍କର ହଜି ଯାଇଥିବା ତାରା ଫୁଟା ଆକାଶ ନ ହେଲା ନାଇଁ, ଖାଲି ତାରାଟିଏ ଖୋଜିଆଣିବା କ’ଣ ଆମ ସମସ୍ତଙ୍କର ଦାୟିତ୍ୱ ନୁହେଁ?

ମୋ- ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର