ଚଳିତ ବର୍ଷ ଯେତେବେଳେ ଭାରତୀୟ ପାଣିପାଗ ବିଭାଗ (ଆଇ.ଏମ୍.ଡି.) ଆକଳନ କଲା କି କେରଳରେ ମୌସୁମୀ ଠିକ୍ ସମୟରେ ଛୁଇଁବ ଏବ˚ ଦେଶେର ବର୍ଷା ସ୍ବାଭାବିକ ରହିବ, ସେତେବେଳେ ସବୁ ମହଲରେ ଆନନ୍ଦର ଲହରି ଖେଳିଗଲା। କୃଷକମାନେ ତଦନୁଯାୟୀ ଖରିଫ ଫସଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ। ତେବେ ମେ ୩୧ ସକାଳେ ଆଇ.ଏମ୍.ଡି. ଆକଳନକୁ ପରିବର୍ତ୍ତନ କରି କହିଲା, ମେ ୩୧ ନୁହେଁ, ଜୁନ୍ ୩ରେ ମୌସୁମୀ କେରଳ ଛୁଇଁବ। କିନ୍ତୁ କେରଳର ଅନେକ ସ୍ଥାନରେ ପୂର୍ବ ବର୍ଷମାନଙ୍କ ପରି ମୌସୁମୀ ବର୍ଷା ହେଲା ନାହିଁ ଏବ˚ ଆଇ.ଏମ୍.ଡି.ର ଆକଳନ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେଲା। ରାଜଧାନୀ ଦିଲ୍ଲୀ ପାଇଁ ମୌସୁମୀ ଛୁଇଁବାର ଆକଳନ କରାଗଲା, ପ୍ରଥମେ ଜୁନ୍ ୧୫, ପରେ ଜୁନ୍ ୨୦, ଜୁଲାଇ ୧୦, ଜୁଲାଇ ୧୧ ଏବ˚ ଜୁଲାଇ ୧୨। ସବୁ ଆକଳନ ଭୁଲ୍ ପ୍ରମାଣିତ ହୋଇ ସେଠି ଜୁଲାଇ ୧୩ରେ ମୌସୁମୀ ଛୁଇଁଥିଲା। ସେହିପରି ଓଡ଼ିଶା ସମେତ କେରଳ, ଗୁଜରାଟ, ପଞ୍ଜାବ, ହରିୟାନା, ଉତ୍ତର ରାଜସ୍ଥାନ, ପଶ୍ଚିମ ଉତ୍ତର ପ୍ରଦେଶରେ ପୂର୍ବାନୁମାନ ଭୁଲ୍ ହୋଇ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀମାନେ ଖୁବ୍ ଅସୁବିଧାର ସମ୍ମୁଖୀନ ହେଲେ। ଏହି ଲେଖାର ଉଦ୍ଦେଶ୍ୟ ହେଉଛି ପାଣିପାଗର ପୂର୍ବାନୁମାନରେ କିପରି ଅନିଶ୍ଚିତତା ରହିଥାଏ ଏବ˚ ଚଳିତ ବର୍ଷର ମୌସୁମୀ ଆକଳନରେ କ’ଣ ଊଣା ରହିଗଲା କି, ସେ ବିଷୟରେ ନିଜର ମତାମତ ରଖିବା।
କେରଳରେ ମୌସୁମୀ ଛୁଇଁବାର ଦିନ ଆକଳନ କରିବା ପାଇଁ ଆଇ.ଏମ୍.ଡି.ର ନିର୍ଦ୍ଦିଷ୍ଟ ମାନଦଣ୍ତ ରହିଛି। ସେଗୁଡ଼ିକ ହେଲା କେରଳ ଓ ସ˚ଲଗ୍ନ ଅଞ୍ଚଳର ୧୪ଟି ସ୍ଥାନରୁ ୬୦% ସ୍ଥାନେର ଦୁଇଦିନ ଧରି ୨.୫ ମି.ଲି.ରୁ ଅଧିକା ବର୍ଷା ହେବା, ପଶ୍ଚିମା ପବନ ବହିବା, ବାୟୁର ବେଗ ଘଣ୍ଟା ପ୍ରତି ଅତି କମ୍ରେ ୨୭ କି.ମି. ରହିବା ଏବ˚ ଭୂପୃଷ୍ଠରୁ ବିକିରିତ ଦୀର୍ଘ ତରଙ୍ଗ- ରଶ୍ମି (ଓ.ଏଲ୍.ଆର୍) ବର୍ଗମିଟର ପ୍ରତି ୨୦୦ ୱାଟ୍ରୁ ତଳକୁ ଖସିବା। ଅନେକ ଦଶନ୍ଧି ଧରି ଏହି ମାନଦଣ୍ତ ସଠିକ୍ ବୋଲି ଧରାଯାଇଛି। ଏହି ମାନଦଣ୍ତର କୌଣସି ଉପାଦାନ ଏତେ ଶୀଘ୍ର ପରିବର୍ତ୍ତନ ହୁଏ ନାହିଁ ଯେ ଶେଷ ମୁହୂର୍ତ୍ତରେ କେରଳ ଛୁଇଁବା ଦିନକୁ ପରିବର୍ତ୍ତନ କରାଗଲା। ଏଣୁ ଆଇ.ଏମ୍.ଡି.ର ଆକଳନର ନିପୂଣତାରେ ପ୍ରଶ୍ନବାଚୀ ହେବା ଅସ୍ବାଭାବିକ ନୁହେଁ।
ଦ୍ବିତୀୟ ପ୍ରସଙ୍ଗଟି ହେଲା ମୌସୁମୀ ବର୍ଷାର ପରିମାଣ ଓ ବିତରଣର ଆକଳନ। ଏପ୍ରିଲ ୧୬, ଜୁନ୍ ୧ ଏବ˚ ଜୁଲାଇ ୧ର ଆକଳନରେ କୁହାଗଲା ଚଳିତ ବର୍ଷ ଜୁନ୍ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମୌସୁମୀ ଚାରିମାସର ବର୍ଷା ଦେଶରେ ସ୍ବାଭାବିକ ରଖିବ ଏବ˚ ଏହାର ବିତରଣ ମଧୢ ପ୍ରାୟତଃ ସ୍ବାଭାବିକ ହେବ। ମୌସୁମୀର ଏହି ଆକଳନକୁ ଦୀର୍ଘ ଅବଧି ପାଣିପାଗ ପୂର୍ବାନୁମାନ (ଏଲ୍.ଆର୍.ଏଫ୍.) କୁହାଯାଏ। ଏହା ଦୁଇ ପ୍ରକାର ମଡେଲ ଉପରେ ଆଧାରିତ। ଗୋଟିଏ ହେଲା ପରିସ˚ଖ୍ୟାନ ସମାହାର (ଷ୍ଟାଟିଷ୍ଟିକାଲ୍ ଏନ୍ସେମ୍ବଲ) ମଡେଲ ଓ ଅନ୍ୟଟି ହେଉଛି ଗତିଶୀଳ ବହୁ-ମଡେଲ ସମାହାର (ଡାଇନାମିକ୍ ମଲ୍ଟି-ମଡେଲ୍ ଏନ୍ସେମ୍ବଲ)। ଉଭୟ ପ୍ରକାର ମଡେଲିଙ୍ଗ୍ ପାଇଁ ସୁପର-କମ୍ପ୍ୟୁଟର ବ୍ୟବହାର କରାଯାଏ।
ଆରମ୍ଭରେ ପରିସ˚ଖ୍ୟାନ ମଡେଲରେ ୧୬ଟି ଉପାଦାନ (ପାରାମିଟର) ରହିଥିଲା। ପରେ ସେଥିରୁ ୧୧ଟିର ବିଶେଷ ଉପଯୋଗିତା ନ ଥିବାରୁ ବାହାର କରାଗଲା। ବର୍ତ୍ତମାନ କେବଳ ପାଞ୍ଚଟି ଉପାଦାନ ରହିଛି। ପ୍ରାଥମିକ ପର୍ଯ୍ୟାୟ ମୌସୁମୀ ଆକଳନରେ ପରିସ˚ଖ୍ୟାନ ମଡେଲ ହେଉଛି ହୃତ୍ପିଣ୍ତ। ତେବେ ଗତ କିଛି ବର୍ଷ ହେଲା ଗତିଶୀଳ ମଡେଲ ମଧୢ ବ୍ୟବହାର କରାଯାଉଛି।
ଗତିଶୀଳ ମଡେଲଗୁଡ଼ିକ ବାୟୁମଣ୍ତଳରେ ଘଟୁଥିବା ବିଭିନ୍ନ ପ୍ରକ୍ରିୟା ଉପରେ ଆଧାରିତ। ଏଥିରେ ପଦାର୍ଥ ବିଜ୍ଞାନର ମୌଳିକ ନିୟମ ପ୍ରୟୋଗ କରାଯାଇଥାଏ। ଏହାଦ୍ବାରା ସ˚ଖ୍ୟାତ୍ମକ ପାଣିପାଗ ପୂର୍ବାନୁମାନ (ନ୍ୟୁମେରିକାଲ ୱେଦର ଫୋରକାଷ୍ଟିଙ୍ଗ୍, ଏନ୍.ଡବ୍ଲୁ.ପି) କରାଯାଇଥାଏ। ବାୟୁମଣ୍ତଳ ପରି ଜଳଭାଗର ମଧୢ ଗୁରୁତ୍ବ ହେତୁ ଉଭୟ ମଣ୍ତଳର ପ୍ରକ୍ରିୟା ଉପରେ ଆଜିକାଲିର ମଡେଲ ଆଧାରିତ। ତେଣୁ ଏଗୁଡ଼ିକୁ ଯୁଗ୍ମ ଗତିଶୀଳ ମଡେଲ (କପଲ୍ଡ ଡାଇନାମିକ୍ ମଡେଲ୍) କୁହାଯାଏ। ଜି.ଏଫ୍.ଏସ୍., ଜି.ଇ.ଏଫ୍.ଏସ୍., ଇ.ସି.ଏମ୍.ଡବ୍ଲୁ.ଏଫ୍ ଏହାର ଉଦାହରଣ। ଏସବୁ ଆନ୍ତର୍ଜାତିକ ମଡେଲ ସହିତ ଆଇ.ଏମ୍.ଡି. ନିଜସ୍ବ ଜି.ଏଫ୍.ଏସ୍. ମଡେଲ ବିକାଶ କରିଛି। ବିଭିନ୍ନ ମଡେଲର ଫଳାଫଳକୁ ନେଇ ଏକ ସମାହାର ପୂର୍ବାନୁମାନ କରାଯାଏ। ଆଶା କରାଯାଉଥିଲା ବହୁ-ମଡେଲ ସମାହାର (ମଲ୍ଟି-ମଡେଲ୍ ଏନ୍ସେମ୍ବଲ) ଯୋଗୁଁ ପୂର୍ବାନୁମାନର ଅନିଶ୍ଚିତତା କମିବ ଏବ˚ ସଠିକତା ଅଧିକ ହେବ। କିନ୍ତୁ ଏହା ବଦଳରେ ଉପୁଜିଲା ଅଧିକ ଦ୍ବନ୍ଦ୍ବ। ତେବେ ଏହି ଅସଫଳତାର କାରଣ କ’ଣ ହୋଇପାରେ?
ମଡେଲିଙ୍ଗର ଆରମ୍ଭରେ ସାଟେଲାଇଟ୍ ସହିତ ଅନ୍ୟାନ୍ୟ ପର୍ଯ୍ୟବେକ୍ଷଣରୁ ବର୍ତ୍ତମାନ ପାଣିପାଗ ସ୍ଥିତିର ତଥ୍ୟ ମଡେଲକୁ ଦିଆଯାଇ (ଇନିସିଆଲାଇଜେସନ) ସେହି ସ୍ଥିତିକୁ ହିଁ ପ୍ରଥମେ ଆକଳନ କରାଯାଏ। ଏହା ଠିକ୍ ହେଲା ପରେ ଆଗାମୀ ଦିନ ପାଇଁ ପୂର୍ବାନୁମାନ କରାଯାଏ। ବର୍ତ୍ତମାନର ସ୍ଥିତିର ତଥ୍ୟ ଯେତେ ପାଖାପାଖି ସ୍ଥାନରୁ ଓ କମ୍ ସମୟ ବ୍ୟବଧାନରେ ନିଆଯିବ, ମଡେଲ ପୂର୍ବାନୁମାନ ସେତେ ଅଧିକ ସଠିକ ରହିବ। କମ୍ ତଥ୍ୟ ଯୋଗୁଁ ଆରମ୍ଭରେ ଯଦି ସଠିକ ନ ହୁଏ, ପୂର୍ବାନୁମାନରେ ଅନିଶ୍ଚିତତା ବଢ଼ିଥାଏ। ତେବେ ଦେଖାଯାଇଛି ଆମ ଦେଶରେ ପର୍ଯ୍ୟବେକ୍ଷଣ ଖୁବ୍ ସୀମିତ। ସେଥି ମଧୢରୁ ବହୁତ କମ୍ ସ୍ବୟ˚ଚାଳିତ। ଯୁକ୍ତରାଷ୍ଟ୍ର ଆମେରିକାର ସ୍ବୟ˚ଚାଳିତ ପର୍ଯ୍ୟବେକ୍ଷଣ ନେଟ୍ୱର୍କ ବହୁତ ଶକ୍ତିଶାଳୀ ହେତୁ ପାଣିପାଗ ତଥ୍ୟ ସୁପର କମ୍ପ୍ୟୁଟରକୁ ସିଧାସଳଖ ଯାଇଥାଏ। ଅନ୍ୟ ପକ୍ଷରେ ଓଡ଼ିଶା ଭଳି ରାଜ୍ୟରେ ବ୍ଲକ୍ ସ୍ତରରେ ବର୍ଷା ମପା ଯାଇଥାଏ। ପର୍ଯ୍ୟବେକ୍ଷଣାଗାର ଖୁବ୍ ସୀମିତ। ସମ୍ଭବତଃ ଏହି ସୀମିତ ପାଣିପାଗ ତଥ୍ୟରୁ ବହୁତ ଅଧିକ ସଠିକ୍ ପୂର୍ବାନୁମାନ କରିବା କଷ୍ଟକର।
ପାଣିପାଗ ପୂର୍ବାନୁମାନରେ ଏନ୍ସୋ (ଏଲ୍ ନିନୋ ସଦର୍ନ ଓସିଲେସନ୍, ଇ.ଏନ୍.ଏସ୍.ଓ)ର ଭବିଷ୍ୟତ ସ୍ଥିତିକୁ ମଧୢ ବିଚାରକୁ ନିଆଯାଏ। ପ୍ରଶାନ୍ତ ମହାସାଗରର ଜଳପତନର ତାପମାତ୍ରା ଓ ବାୟୁର ଚାପର ସମଷ୍ଟିକୁ ଏନ୍ସୋ କୁହାଯାଏ। ଜଳପତନର ତାପମାତ୍ରା ଅନୁସାରେ ତିନିପ୍ରକାର ସ୍ଥିତି ଉପୁଜିଥାଏ- ଏଲ ନିନୋ, ନିଉଟ୍ରାଲ ବା ଲା ନିନା। ଅଧିକା˚ଶ ମଡେଲର ଆକଳନ ହେଉଛି ଚଳିତ ବର୍ଷ ମୌସୁମୀ ସମୟରେ ନିଉଟ୍ରାଲ ଅବସ୍ଥା ରହିବ। ପୂର୍ବ ବର୍ଷମାନଙ୍କରେ ଦେଖାଯାଇଛି ଯେ ଏନ୍ସୋର ନିଉଟ୍ରାଲ ଅବସ୍ଥାରେ ମୌସୁମୀ ବର୍ଷା ବେଶି ହୋଇନଥାଏ। ୧୯୯୭ରୁ ୨୦୧୭ ପର୍ଯ୍ୟନ୍ତ ୨୧ ବର୍ଷ ଭିତରୁ ୧୦ ବର୍ଷ ନିଉଟ୍ରାଲ ରହିଥିଲା ଏବ˚ ସେହି ବର୍ଷମାନଙ୍କରେ ହାରାହାରି ବର୍ଷା ଥିଲା ୯୭.୫%, ଯାହାକି ସ୍ବାଭାବିକ (୯୬-୧୦୪%)ର ତଳ ଆଡ଼କୁ। ଏପରିକି କିଛି ନିଉଟ୍ରାଲ ବର୍ଷରେ ୮୮% ବର୍ଷା ହେବାରୁ ମରୁଡ଼ି ହୋଇଥିଲା। ଏହା ସତ୍ତ୍ବେ ଚଳିତ ବର୍ଷର ମୌସୁମୀ ବର୍ଷା ସ୍ବାଭାବିକ ହେବ ବୋଲି ଆକଳନ କରାଯାଇଥିଲା; କିନ୍ତୁ ତାହା ଏ ପର୍ଯ୍ୟନ୍ତ ସଫଳ ପରି ମନେ ହେଉନାହିଁ।
ଭାରତ ମହାସାଗରୀୟ ଦ୍ବିଧ୍ରୁବ (ଇଣ୍ଡିଆନ୍ ଓସନ ଡାଇପୋଲ୍, ୧୦ଡି) ମଧୢ ମୌସୁମୀ ବର୍ଷାକୁ ପ୍ରଭାବିତ କରିଥାଏ। ଆଫ୍ରିକା ସ˚ଲଗ୍ନ ପଶ୍ଚିମ ଭାରତ ମହାସାଗର ଓ ଇଣ୍ତୋନେସିଆ ସ˚ଲଗ୍ନ ପୂର୍ବ ଭାରତ ମହାସାଗର ମଧୢରେ ଜଳପତନର ପ୍ରଭେଦକୁ ଆଇଓଡି କୁହାଯାଏ। ତାପମାତ୍ରାକୁ ନେଇ ତିନିପ୍ରକାର ସ୍ଥିତି ଉପୁଜିପାରେ- ଧନାତ୍ମକ (ପଜିଟିଭ୍), ନିଉଟ୍ରାଲ ବା ଋଣାତ୍ମକ (ନେଗେଟିଭ୍)। ବିଭିନ୍ନ ମଡେଲ କହୁଛି ଚଳିତ ମୌସୁମୀ ସମୟରେ ଆଇଓଡି ଋଣାତ୍ମକ ରହିବ।
ପୂର୍ବବର୍ଷମାନଙ୍କର ତଥ୍ୟ କହୁଛି ଋଣାତ୍ମକ ଆଇଓଡି ବର୍ଷରେ ମୌସୁମୀ ବାୟୁର ପ୍ରବାହ ପ୍ରଭାବିତ ହେବା ଯୋଗୁଁ, ମୌସୁମୀ ବର୍ଷା କମ୍ ହେବାର ସମ୍ଭାବନା ଥାଏ। କିନ୍ତୁ ନିଉଟ୍ରାଲ ଏନ୍ସୋ ସହିତ ଋଣାତ୍ମକ ଆଇଓଡିର ମିଳିତ ପ୍ରତିକୂଳ ପ୍ରଭାବର ସମ୍ଭାବନା ଆଇ.ଏମ୍.ଡି.ର ଆକଳନରେ ପ୍ରତିଫଳିତ ହୋଇନଥିଲା।
ଏମ୍ଜେଓ (ମ୍ୟାଡେନ-ଜୁଲିଆନ୍ ଓସିଲେସନ, ଏମ୍.ଜେ.ଓ) ଯୋଗୁଁ ଭାରତ ଭଳି ଗ୍ରୀଷ୍ମମଣ୍ତଳୀୟ ବାୟୁମଣ୍ତଳରେ ବାୟୁର ପ୍ରବାହ ପ୍ରଭାବିତ ହୋଇଥାଏ। ଏମ୍ଜେଓ ଅନୁକୂଳ ରହିଲେ ଭଲ ମେଘ ଗଠନ ହେବା ଯୋଗୁଁ ଅଧିକ ବର୍ଷା ହୋଇଥାଏ, ଯାହାକି ୟାସ ବାତ୍ୟା ସମୟରେ ହୋଇଥିଲା। କିନ୍ତୁ ଏହା ପରେ ପରେ ଏମ୍ଜେଓ ପୂର୍ବ ଆଡ଼କୁ ଚାଲିଯାଇଥିଲା। ତେବେ ଭାରତ ମହାସାଗରରେ ପ୍ରତିକୂଳ ଏମ୍ଜେଓ ପରିସ୍ଥିତିରେ ସ୍ବାଭାବିକ ପରିବର୍ତ୍ତେ ମଧୢମ ବର୍ଷା ହିଁ ଆଶା କରାଯାଇଥାଏ।
ଜଳବାୟୁ ପରିବର୍ତ୍ତନ ଯୋଗୁଁ ପାଣିପାଗର ପରିବର୍ତ୍ତନ ସହିତ ଅନିଶ୍ଚିତତା ବଢ଼ି ଚାଲିଛି। ଏଠାରେ ଦୁଇଟି ଉଦାହରଣ ଦେଖିବା। ସ୍ବାଭାବିକ ଭାବେ ଜୁନ୍ ଓ ଜୁଲାଇରେ ଉତ୍ତର ବଙ୍ଗୋପସାଗରରେ ଏକାଧିକ ଲଘୁଚାପ ସୃଷ୍ଟି ହେତୁ ମୌସୁମୀ ସକ୍ରିୟ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଏ ପର୍ଯ୍ୟନ୍ତ କେବଳ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଛି। ଅପରପକ୍ଷେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଜୁଲାଇ ଦ୍ବିତୀୟ ସପ୍ତାହରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି, ଯାହାକି ସ୍ବାଭାବିକ ଭାବେ ଜୁଲାଇ ପରେ ଆଶା କରିବା କଥା। ଦ୍ବିତୀୟ ଉଦାହରଣ ହେଲା ଜୁଲାଇ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ପାକିସ୍ତାନ ଆଡୁ ଶକ୍ତିଶାଳୀ ପଶ୍ଚିମା ପବନ ହେତୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେଲା ଏବ˚ ମୌସୁମୀ ଦୁର୍ବଳ ହେତୁ ଜୁନ୍ ୧୯ ପରେ ଆଗେଇ ପାରିଲା ନାହିଁ। ସମ୍ଭବତଃ ଗତିଶୀଳ ମଡେଲ ସମାହାର ଏହାକୁ ଧରିପାରିଲା ନାହିଁ। କିନ୍ତୁ ସବୁ ମଡେଲ କ’ଣ ଫେଲ ମାରିଲା? ଏବ˚ ତାହା ଯଦି ହୋଇଥାଏ, ଆଗାମୀ ଦିନରେ ଏଥିରେ ଉନ୍ନତି ଆଣିବାକୁ ପଡ଼ିବ। ଅବଶ୍ୟ ମଡେଲ ପୂର୍ବାନୁମାନରେ ଉନ୍ନତି ଆଣିବା ଏକ ନିରନ୍ତର ପ୍ରକ୍ରିୟା।
ଅନେକ ବିଚାର କରନ୍ତି ଯେ ଉନ୍ନତମାନର ଜ୍ଞାନ କୌଶଳ ହେତୁ ଆମେରିକାର ପାଣିପାଗ ପୂର୍ବାନୁମାନ ଆମ ଅପେକ୍ଷା ଅଧିକ ସଠିକ। କିନ୍ତୁ ଦୁଇ ଦେଶର ପାଣିପାଗର ଅସାମଞ୍ଜସ୍ୟତାକୁ ବିଚାର କଲେ ଏହି ତୁଳନା ଯଥାର୍ଥ ନୁହେଁ। ଆମେରିକାରେ ବର୍ଷ ତମାମ ଗୋଟିଏ ଦିଗରୁ ପବନ ବହିବା ବେଳେ, ଭାରତ ମହାଦେଶରେ ମୌସୁମୀ ସମୟରେ ଦିଗ ପରିବର୍ତ୍ତନ ହୁଏ। ଦ୍ବିତୀୟତଃ ମୌସୁମୀ ଖୁବ୍ ଜଟିଳ ଏବ˚ ଏକା ସମୟରେ ଅନେକ ଅନୁକୂଳ ଓ ପ୍ରତିକୂଳ ପ୍ରକ୍ରିୟା ଯୋଗୁଁ କେତେକ ସମୟରେ ମୌସୁମୀର ସ୍ପଷ୍ଟ ସଙ୍କେତ ମିଳିନଥାଏ। ଅପରପକ୍ଷେ ଆମେରିକାର ପାଣିପାଗ ପ୍ରକ୍ରିୟା ସୀମିତ ଓ ଅଧିକ ଶୃଙ୍ଖଳିତ ହେତୁ ପୂର୍ବାନୁମାନ ଅପେକ୍ଷାକୃତ ସହଜ। ଏ ସବୁ ସତ୍ତ୍ବେ ଆମେରିକାରେ ଆଗୁଆ ସପ୍ତାହର ପୂର୍ବାନୁମାନ ଯଦିବା ୮୦% ସଠିକ ହୋଇଥାଏ, ୧୦ ଦିନରୁ ଅଧିକା ଅବଧିର ପୂର୍ବାନୁମାନ କେବଳ ଅଧା ସମୟରେ ଠିକ୍ ହୋଇଥାଏ। ଯେହେତୁ ବାୟୁମଣ୍ତଳ ନିରନ୍ତର ପରିବର୍ତ୍ତନଶୀଳ, ଏହାର ପୂର୍ବାନୁମାନରେ ସବୁବେଳେ ଅନିଶ୍ଚିତତା ରହିଥାଏ। ତଥାପି ଆଗକୁ ଅନିଶ୍ଚିତତା କମ୍ ହେବା ସହିତ ପୂର୍ବାନୁମାନ ଅଧିକ ସଠିକ୍ ହେଲେ ଆଇ.ଏମ୍.ଡି.ର ପୂର୍ବାନୁମାନ ଅଧିକ ଫଳପ୍ରଦ ହେବ ବୋଲି ଆଶା କରାଯାଏ।