କରୋନାର ଛାଟ ଓ ଶାସ୍ତ୍ରର ବାଟ

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

କରୋନାର କଠୋର ଛାଟରେ ଏବେ ସାରା ବିଶ୍ୱ ସନ୍ତ୍ରସ୍ତ। ଏହି ଅତିମାରୀ (ପାନ୍‌ଡେମିକ୍‌)ର ବିଷାଣୁ ବିଶ୍ୱର ୨୧୦ଟି ଦେଶକୁ ସଂକ୍ରମିତ କରିସାରିଛି। ପଞ୍ଜିକୃତ ଭାବରେ ଏଯାଏ ଏଥିରେ ପ୍ରାୟ ୨୦ ଲକ୍ଷ ଆକ୍ରାନ୍ତ ହେଲେଣି ଏବଂ ପ୍ରାୟ ୧ ଲକ୍ଷ ୩୭ ହଜାର ମୃତ୍ୟୁମୁଖରେ ପଡ଼ିଲେଣି। କିନ୍ତୁ ପ୍ରକୃତ ସଂଖ୍ୟା ଏହାଠାରୁ ଅନେକ ବେଶୀ। ଆମ ଦେଶରେ କେବଳ ଏଯାଏ ୧୨ ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି ଏବଂ ୪୦୦ରୁ ଊର୍ଦ୍ଧ୍ବ ମୃତ୍ୟୁମୁଖରେ ପଡ଼ିଛନ୍ତି। କିନ୍ତୁ ଏହାର ଏକ ସକାରାତ୍ମକ ଦିଗ ହେଉଛି, ଏହା ଆମ ଜୀବନଚର୍ଯ୍ୟାରେ ଥିବା ଅସଙ୍ଗତିଗୁଡ଼ିକ ପ୍ରତି ଆମକୁ ସଚେତନ କରିଦେଇଛି। ଏହି ବିଷାଣୁଜନିତ ମୃତ୍ୟୁର ଭୟ ଆମକୁ ଅଧିକ ଜୀବନମୁଖୀ କରିଛି।

ଏ ପ୍ରସଙ୍ଗରେ ‘ମହାଭାରତ’ର ଏକ ନାଟକୀୟ ଉପାଖ୍ୟାନର ସ୍ମରଣ ଆମେ କରିପାରିବା। ପ୍ରସଙ୍ଗଟି ‘କିମାଶ୍ଚର୍ଯ୍ୟମ୍‌’ ଭାବରେ ବିଦିତ। ଯକ୍ଷ ଯୁଧିଷ୍ଠିରଙ୍କୁ ପ୍ରଶ୍ନ କରିଥିଲା, “ଆଶ୍ଚର୍ଯ୍ୟ କ’ଣ?” ଯୁଧିଷ୍ଠିର ଉତ୍ତର ଦେଇଥିଲେ, “ମୃତ୍ୟୁ ସୁନିଶ୍ଚିତ। ପ୍ରତିଦିନ, ପ୍ରତି ମୁହୂର୍ତ୍ତରେ ଲୋକେ ଯମମନ୍ଦିର ଯାଉଛନ୍ତି। କିନ୍ତୁ ଏହା ଜାଣି ମଧ୍ୟ, ମଣିଷ ଅମର ରହିବାକୁ ଇଚ୍ଛା କରେ। ଏହା ହିଁ ଆଶ୍ଚର୍ଯ୍ୟ।”

ସାରା ଦୁନିଆ ଏବେ କରୋନାର ବିଷାଣୁଜନିତ ମରଣଭୟରେ ମ୍ରିୟମାଣ। କିନ୍ତୁ ଏଥିରୁ ମୁକ୍ତିର ମାର୍ଗ କ’ଣ? ‘ସଙ୍ଗରୋଧ’ ବା ‘ଏକାନ୍ତବାସ’ ବା ‘ପୃଥକ୍‌ବାସ’ ଏଥିରୁ ବର୍ତ୍ତିବାର ଏକ ପ୍ରତିକାର ହୋଇପାରେ। କିନ୍ତୁ ଏହା ଏଥିରୁ ନିବୃତ୍ତିର ମାର୍ଗ ନୁହେଁ। ପ୍ରକୃତ ମାର୍ଗଟି କ’ଣ, ତାହାର ସଂକେତ ଆମକୁ ଦିଏ ‘ଭାଗବତ’ର ‘ପରିକ୍ଷିତ’ ଉପାଖ୍ୟାନ।

‘ପରିକ୍ଷିତ’ ଜଣେ ଚନ୍ଦ୍ରବଂଶୀ ରାଜା। ସେ ଅର୍ଜୁନଙ୍କର ନାତି ଓ ଅଭିମନ୍ୟୁଙ୍କର ପୁତ୍ର। ଥରେ ସେ ଅରଣ୍ୟକୁ ଶିକାର କରିବାକୁ ଯାଇଥିଲେ। ଗୋଟିଏ ମୃଗ ତାଙ୍କର ବାଣରେ ବିଦ୍ଧ ହୋଇ ଧାଇଁ ପଳାଇଗଲା। ସେହି ବାଣବିଦ୍ଧ ମୃଗର ଅନୁଧାବନ କରି, ଜଣେ ମୁନିଙ୍କ ଆଶ୍ରମରେ ସେ ଯାଇ ପହଞ୍ଚିଲେ। ମୁନି ସେତେବେଳକୁ ତପସ୍ୟାରତ ଥିଲେ। ତେଣୁ ମୃଗଟି କେଉଁ ଦିଗରେ ଗଲା ବୋଲି ରାଜା ତାଙ୍କୁ ପଚାରିଲେ ବି ମୁନି କୌଣସି ଉତ୍ତର ଦେଲେ ନାହିଁ। ମୁନି ନିରୁତ୍ତର ରହିବା ଦେଖି, ସେ ତାଙ୍କୁ ଅବମାନନା କରୁଛନ୍ତି ବୋଲି ପରିକ୍ଷିତ ଭାବିଲେ। ପାଖରେ ପଡ଼ିଥିବା ଗୋଟିଏ ମୃତସର୍ପକୁ ତାଙ୍କ ଧନୁର ହୁଳରେ ଟେକି ଆଣି, ମାଳା ପରି ତାହାକୁ ମୁନିଙ୍କ ଗଳାରେ ଲମ୍ବାଇ ଦେଲେ। ମୁନିଙ୍କର ଥିଲେ ଶୃଙ୍ଗି ନାମକ ଜଣେ ମହାତେଜା ପୁତ୍ର। ପିତାଙ୍କ ବେକରେ ସେହି ମୃତସର୍ପକୁ ଦେଖି ସେ କ୍ରୁଦ୍ଧ ହୋଇ ଅଭିଶାପ ଦେଲେ- ଯେଉଁ ପାପାତ୍ମା ମୋର ତପରତ ପିତାଙ୍କ ଗଳାରେ ମୃତସର୍ପର ମାଳା ପକାଇଛି, ସାତଦିନ ମଧ୍ୟରେ ‘ତକ୍ଷକ’ ଦଂଶନରେ ତା’ର ମୃତ୍ୟୁ ହେବ।

ଏହି ‘ତକ୍ଷକ’ ଅଷ୍ଟନାଗଙ୍କ ମଧ୍ୟରୁ ଅନ୍ୟତମ। ସେ ସର୍ପରାଜ ବାସୁକୀଙ୍କର ଭ୍ରାତା। ଏହା ମଧ୍ୟ ଆମ ଶରୀରର ଦଶବାୟୁଙ୍କ ମଧ୍ୟରୁ ଗୋଟିଏ। ଏହାର ଅନ୍ୟନାମ ‘କୁହକ’। ଏହି ସର୍ପର ବିଷାକ୍ତ ଦଂଶନ ହେଉଛି ସାକ୍ଷାତ୍ ମୃତ୍ୟୁ।

‘କୁହକ’ ପରି କରୋନାର ବିଷାଣୁ ଏବେ ବିଶ୍ୱରେ ମୂର୍ତ୍ତିମାନ ମୃତ୍ୟୁ ପାଲଟିଛି। ମରଣ ଓ ବିଷାକ୍ତ ସଂକ୍ରମଣରେ ବ୍ୟାପକ ବିଶ୍ୱ ଏବେ ମ୍ରିୟମାଣ। ଏହାର ଅବଶ୍ୟମ୍ଭାବୀ ପ୍ରତିକାର ରୂପେ ‘ଏକାନ୍ତବାସ’ ବା ‘ପୃଥକ୍‌ବାସ’ (ସଙ୍ଗରୋଧ)ର ଅବଲମ୍ବନ କରାଯାଉଛି।

ତୁଳନାତ୍ମକ ଭାବରେ ଗୋଟିଏ କାହାଣୀ ‘ଦେବୀ ଭାଗବତ’ରେ ମିଳେ। ତାହା ଅନୁସାରେ, ତକ୍ଷକର ଦଂଶନଜନିତ ମୃତ୍ୟୁଭୟରେ ମ୍ରିୟମାଣ ପରିକ୍ଷିତ, ପ୍ରତିକାର ସ୍ୱରୂପ ଗୋଟିଏ ସପ୍ତତଳ ପ୍ରାସାଦ ନିର୍ମାଣ କଲେ। ତାହାର ଚତୁର୍ଦ୍ଦିଗକୁ ଅଭିଜ୍ଞ ରକ୍ଷୀମାନଙ୍କ ଦ୍ୱାରା ଘେରାଇ ରଖିଲେ। ଛଅଦିନ ଏହିପରି ଭାବରେ ଏକାନ୍ତରେ ବିତିଗଲା।

ସପ୍ତମ ଦିନର କଥା। ତକ୍ଷକ କେତେକ ସର୍ପଙ୍କୁ ତପସ୍ୱୀ ଛଦ୍ମବେଶରେ ମିଠାଫଳ ଉପହାର ଦେଇ ସେଠାକୁ ପଠାଇଲେ। କିନ୍ତୁ ଜାଗ୍ରତ ପ୍ରାସାଦ ରକ୍ଷକମାନେ ସେମାନଙ୍କୁ ପରିିକ୍ଷିତଙ୍କର ଏକାନ୍ତବାସକୁ ଯିବାପାଇଁ ଅନୁମତି ଦେଲେ ନାହିଁ। କେବଳ ସେମାନେ ଆଣିଥିବା ଫଳଗୁଡ଼ିକୁ ପରିକ୍ଷିତଙ୍କ ନିକଟକୁ ପଠାଇଦେଲେ। ସେତେବେଳକୁ ଶେଷ ଦିନର ସଂଧ୍ୟା। ଶୃଙ୍ଗିଙ୍କ ଶାପ ବିଫଳ ହୋଇଛି ଭାବି ପରିକ୍ଷିତ ସେହି ଫଳଗୁଡ଼ିକ ମଧ୍ୟରୁ ଗୋଟିଏକୁ ଆଣି ଭାଙ୍ଗିଦେଲେ। ତା’ ଭିତରେ ଥିଲା ଗୋଟିଏ କ୍ଷୁଦ୍ର କୀଟ। ତକ୍ଷକ ହିଁ ସେହି କୀଟ ରୂପରେ, ଫଳ ସହିତ ସେଠାରେ ପ୍ରବେଶ କରିଥିଲେ। ତାଙ୍କର ବିଷାକ୍ତ ଦଂଶନରେ ପରିକ୍ଷିତଙ୍କର ମୃତ୍ୟୁ ହେଲା।

ପରିକ୍ଷିତଙ୍କର ଏହି ଏକାନ୍ତବାସକୁ ଆମେ ଆଜିର ‘କ୍ୱାରାଣ୍ଟିନ୍‌’ ସହ ତୁଳନା କରିପାରିବା। କରୋନା ବିଷାଣୁରେ ଆକ୍ରାନ୍ତ କୌଣସି ବ୍ୟକ୍ତି ବା ତାଙ୍କ ସଂସ୍ପର୍ଶର ବସ୍ତୁ ଦ୍ୱାରା ସଂକ୍ରମଣ ଘଟି, ସଂକ୍ରମିତଙ୍କର ମୃତ୍ୟୁ ହୋଇପାରେ। ଏହି ବାର୍ତ୍ତା ଏଥିରୁ ଆମେ ଆହରଣ କରିପାରିବା।

କିନ୍ତୁ ‘ଶ୍ରୀମଦ୍ଭାଗବତ’ ମହାପୁରାଣରେ ପରିକ୍ଷିତଙ୍କର ମୃତ୍ୟୁର କାହାଣୀ ଭିନ୍ନ ଭାବରେ ବର୍ଣ୍ଣିତ ହୋଇଛି। ସେଇଥିରେ ହିଁ ପ୍ରକୃତରେ ଅଛି, କରୋନାର ଛାଟରୁ ବର୍ତ୍ତିବାପାଇଁ ଶାସ୍ତ୍ର ଦ୍ୱାରା ନିର୍ଦ୍ଦେଶିତ ବାଟ।

‘ଶାସ୍ତ୍ର’ ଶବ୍ଦର ବ୍ୟୁତ୍ପତ୍ତି କହେ- ଯାହା ‘ଶାସ୍‌’ ବା ଶାସନ କରେ ଏବଂ ଶିକ୍ଷା ଦିଏ, ତାହା ଶାସ୍ତ୍ର। ସାହିତ୍ୟ ବି ଏହି ଦୃଷ୍ଟିରୁ ‘ଶାସ୍ତ୍ର’ର ଆଖ୍ୟା ପାଇପାରେ। ପ୍ରକୃତରେ ଦେଖିଲେ, ଶାସ୍ତ୍ରଗୁଡ଼ିକ ଆମର ଶାଶ୍ୱତ ସାହିତ୍ୟ। ତାହା କାଳେକାଳେ ଆମକୁ ଆତ୍ମ-ଅନୁଶାସନର ମାର୍ଗ ଦେଖାଇଛି। ଶିକ୍ଷା ଦେଇଛି।

‘ଭାଗବତ’କୁ କୁହାହୋଇ ଆସିଛି ‘ପରମଶାସ୍ତ୍ର’। ସେଥିରେ କୁହାଯାଇଛି- ପରିକ୍ଷିତ ଥିଲେ ‘ପରମ ଭାଗବତ’। ତେଣୁ ମୃତ୍ୟୁର ମହାଭୟ ତାଙ୍କୁ କବଳିତ କରି ପାରି ନଥିଲା। ଶୃଙ୍ଗିଙ୍କର ବ୍ରହ୍ମଶାପ ପରେ, ସେ ଗଙ୍ଗାତଟକୁ ଯାଇ ବ୍ୟାସଦେବଙ୍କ ପୁତ୍ର ଶୁକଦେବଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ। ଶୁକଦେବଙ୍କୁ ତାଙ୍କର ଜିଜ୍ଞାସା ଥିଲା- “ଏପରି ସମୟରେ ମୋ’ ପରି ମ୍ରିୟମାଣ ବ୍ୟକ୍ତିର କର୍ତ୍ତବ୍ୟ କ’ଣ?” ଶୁକଦେବ ତାଙ୍କୁ କହିଥିଲେ, “ସାଧାରଣତଃ, ଗୃହ ଜଞ୍ଜାଳରେ ବ୍ୟସ୍ତ ସଂସାରୀଟିଏ ତାହାର ଦିନକୁ ଅର୍ଥ ଉପାର୍ଜନ ଓ କୁଟୁମ୍ବ ପରିପୋଷଣରେ, ଏବଂ ରାତିକୁ ସ୍ତ୍ରୀ ସଂଭୋଗରେ ଓ ନିଦ୍ରାରେ ବିତାଏ। ଏହିପରି ଭାବରେ ତାହାର ସବୁ ସମୟ ଓ ବୟସ ସରିଯାଏ।” ଏଣୁ ଅନ୍ତିମ ଉପଦେଶ ରୂପେ ଶୁକଦେବ ପରିକ୍ଷିତଙ୍କୁ କହିଥିଲେ- “ବିଶୁଦ୍ଧ ବିବେକ ଓ ବୁଦ୍ଧିକୁ ପରମାତ୍ମାଙ୍କ ଚିନ୍ତାରେ ନିବେଶ କର ଏବଂ ତୁମର ଅନ୍ତରରେ ଅଧିଷ୍ଠିତ ପରମାତ୍ମାଙ୍କୁ ସାକ୍ଷାତ୍ କର। ତାହାହେଲେ, ତୁମେ ମୃତ୍ୟୁର ମୃତ୍ୟୁ ହୋଇପାରିବ। ଅର୍ଥାତ୍ ମୃତ୍ୟୁ ତୁମକୁ ଗ୍ରାସ କରିପାରିବ ନାହିଁ।” ପରିକ୍ଷିତ ତାହା ହିଁ କରିଥିଲେ। ଫଳରେ ତକ୍ଷକ ତାଙ୍କ ଶରୀରକୁ ଦଂଶନ କଲେ ମଧ୍ୟ, ସେତେବେଳକୁ ତାଙ୍କର ଆତ୍ମା ପରମାତ୍ମାଙ୍କ ଅମୃତର ଆସ୍ୱାଦନ କରି ସାରିଥିଲା।

କିନ୍ତୁ ଆମେ ସାଧାରଣ ମଣିଷମାନେ, ପରମାତ୍ମାଙ୍କୁ ନିଜର ଆତ୍ମାରେ ବା ନିଜର ଅନ୍ତରରେ ସାକ୍ଷାତ୍ ନ କରି, ତାଙ୍କୁ ମନ୍ଦିରରେ ବା ମୂର୍ତ୍ତିରେ ଖୋଜୁ। କିନ୍ତୁ ମୂର୍ତ୍ତି ତାଙ୍କର ଏକ ପ୍ରତୀକ ହେଲେ ମଧ୍ୟ, ପରମାତ୍ମା ଏ ସମଗ୍ର ସଂସାରରେ ପରିବ୍ୟାପ୍ତ। ଏ ସଂସାରର ସର୍ବତ୍ର ସେ କିପରି ପରିବ୍ୟାପ୍ତ ଅଛନ୍ତି, ତାହା ମଧ୍ୟ ସେହି ‘ଭାଗବତ’ରେ ଅତି ସୁନ୍ଦର ଭାବରେ ଆମକୁ କୁହାଯାଇଛି।

ସମସ୍ତଙ୍କ ଭିତରେ ଈଶ୍ୱର ବିଦ୍ୟମାନ, ଏହା କେବଳ ମନୁଷ୍ୟାଦି ପ୍ରାଣୀଙ୍କ ପାଇଁ ନୁହେଁ- ଗଛଲତା, ପାହାଡ଼ପର୍ବତ ଆଦି ସବୁ ସ୍ଥାବର ଓ ଜଙ୍ଗମଙ୍କ ପାଇଁ ସତ୍ୟ। ଏହାର ଅବବୋଧରେ ହିଁ ଏ ଚରାଚର ବିଶ୍ୱର ମଙ୍ଗଳ ନିହିତ। ସେଇଥିପାଇଁ ଜଗନ୍ନାଥ ଦାସଙ୍କ ନବାକ୍ଷରୀ ‘ଭାଗବତ’ରେ କୁହାଯାଇଛି-
ଗଗନ ସମୀରଣ ଜ୍ୟୋତି। ଯେ ଅବା ସଲିଳ ଧରିତ୍ରୀ।।
ନଦୀ ସାଗର ତରୁଗଣ। ପର୍ବତ ସ୍ଥାବର ଜଙ୍ଗମ।।
ଜନ୍ତୁଙ୍କ ବାହ୍ୟ ଅଭ୍ୟନ୍ତର। ଏ ସର୍ବ କୃଷ୍ଣର ଶରୀର।।
ନିଶ୍ଚୟ ଜାଣି ଏକ ଚିତ୍ତେ। ପ୍ରଣାମ କରୁଥିବ ନିତ୍ୟେ।।

ଏହା ସୂଚାଏ ଯେ ଏ ସଂସାର ହେଉଛି ଭଗବାନଙ୍କର ଶରୀର। ଅର୍ଥାତ୍ ସମଗ୍ର ସଂସାର‌େର ଈଶ୍ୱର ସର୍ବତ୍ର ବିରାଜିତ। ଏଣୁ ଏହାର ସମ୍ମାନ ଓ ସୁରକ୍ଷାରେ ହିଁ ଆମ ସମସ୍ତଙ୍କର ସୁରକ୍ଷା।

କିନ୍ତୁ ଏହାର ମହତ୍ତ୍ୱ ନବୁଝି, ପ୍ରତିନିୟତ ଆମେ ଆମର ପରିବେଶକୁ ଧ୍ୱଂସ କରି, ଆମର ବିନାଶକୁ ଆବାହନ କରିଆସୁଛୁ। କେବଳ ଆମର ଆଚାର ବ୍ୟବହାରରେ ନୁହେଁ, ଆମର ଖାଦ୍ୟପେୟରେ ମଧ୍ୟ ଏହା ପରିଲକ୍ଷିତ ହେଉଛି।

ଆଜି ଯେ ସାରା ବିଶ୍ୱରେ କରୋନାର ମହାବିପତ୍ତି ମାତିଛି- ତାହାର ଗୋଟିଏ କାରଣ ହେଉଛି ଆମର ଖାଦ୍ୟରୁଚି। ଚୀନ୍‌ର ଉହାନ୍ ନଗରୀରେ ଥିବା ପଶୁମାଂସର ବଜାର ହିଁ ଏହାର ଉତ୍ପତ୍ତିସ୍ଥଳ ବୋଲି ଜଣାଯାଇଛି। କିନ୍ତୁ ବିଶ୍ୱମାନବର ‘ଜୀବନଶାସ୍ତ୍ର’ ରୂପେ ବିବେଚିତ ‘ଶ୍ରୀମଦ୍‌ଭଗବଦ୍‌ଗୀତା’ର ସପ୍ତଦଶ ଅଧ୍ୟାୟରେ ଆମର ଖାଦ୍ୟ କିପରି ହେବା ଉଚିତ ସେ ବାବଦରେ ମାର୍ଗ ନିର୍ଦ୍ଦେଶିତ ହୋଇଛି।

ଶାସ୍ତ୍ର ଗ୍ରନ୍ଥମାନଙ୍କରେ ଆମର ଶରୀରକୁ କୁହାଯାଇଛି ‘ପଞ୍ଚକୋଷୀ’। ଏଥିରୁ ପ୍ରଥମ କୋଷ ହେଉଛି ‘ଅନ୍ନମୟ କୋଷ’। ଏହା ଆମର ସ୍ଥୂଳ ଶରୀର। ଅନ୍ନ ବା ଆହାର ଦ୍ୱାରା ଏହା ଗଠିତ ବା ପୁଷ୍ଟ ହୋଇଥାଏ। ଏହି ଅନ୍ନ ତ୍ରିବିଧ- ‘ସାତ୍ତ୍ୱିକ’, ‘ରାଜସିକ’ ଓ ‘ତାମସିକ’। ‘ଗୀତା’ର ସପ୍ତଦଶ ଅଧ୍ୟାୟରେ ଶ୍ରୀକୃଷ୍ଣ ଏହି ତିନି ପ୍ରକାରର ଅନ୍ନ ବା ଆହାରର କଥା କହିଛନ୍ତି। ‘ଦାଶରଥି’ଙ୍କ ସୁନ୍ଦର ନବାକ୍ଷରୀ ଅନୁବାଦରେ ତାହା ହେଉଛି-
ଆୟୁଷ ସତ୍ତ୍ୱ ସୁଖ ବଳ। ଆରୋଗ୍ୟ ପ୍ରୀତି ଏ ସକଳ।।
ଯେଉଁ ଆହାରେ ବୃଦ୍ଧିପାଏ। ଯା ଗୁଣ ଦୀର୍ଘକାଳ ଥାଏ।।
ଯା ସ୍ୱାଦୁ ସ୍ନିଗ୍‌ଧ ମନୋରମ। ସାତ୍ତ୍ୱିକ ମଣଇ ଉତ୍ତମ।।
କଟୁ ଲବଣ ଅମ୍ଳ ତୀକ୍ଷ୍‌ଣ। ରୁକ୍ଷ ବିଦାହୀ ଅତି ଉଷ୍ମ।।
ରାଜସର ଏ ପ୍ରିୟ ଭୋଗ। ଆଣେ ଯା ଦୁଃଖ ଶୋକ ରୋଗ।।
ବିଗତ ପ୍ରହରୁ ରନ୍ଧନ। ଅଇଁଠା ବାସି ରସହୀନ।।
ଦୁର୍ଗନ୍ଧ ଅମେଧ୍ୟ ଭୋଜନ। ତାମସ ମଣଇ ଉତ୍ତମ।।

ଏହାର ତାତ୍ପର୍ଯ୍ୟ ହେଉଛି- ‘ସାତ୍ତ୍ୱିକ’ ଆହାର ହେଉଛି ତାହା, ଯାହା ରସ୍ୟ ଅର୍ଥାତ୍ ରସଯୁକ୍ତ, ସ୍ଥିର ଅର୍ଥାତ୍ ସାରଯୁକ୍ତ ଏବଂ ହୃଦ୍ୟ ଅର୍ଥାତ୍ ହୃଦୟ ପ୍ରୀତିକର। ଏହାର ଭୋଜନରେ ବ୍ୟକ୍ତିଠାରେ ସତ୍ତ୍ୱଗୁଣର ବିକାଶ ଘଟେ।

ସେହିପରି ‘ରାଜସିକ’ ଖାଦ୍ୟ ମଧ୍ୟରେ ଅଛି ନିମ ଆଦି ପିତା ସହିତ ଖଟା, ଲୁଣିଆ ଓ ଲଙ୍କା ପରି ତୀକ୍ଷ୍‌ଣ ଏବଂ ଚିକଣତା ନଥିବା ରୁକ୍ଷ ଆହାର। ସୋରିଷ ପରି ପଦାର୍ଥ, ଯାହା ଖାଇଲେ ଜଳାପୋଡ଼ା ହୁଏ, ତାହା ମଧ୍ୟ ଏହି ପର୍ଯ୍ୟାୟର ବିଦାହୀ ଖାଦ୍ୟ। ଏସବୁର ଉପଯୋଗିତା ଶରୀର ପାଇଁ ଅବଶ୍ୟ ଅଛି। ସେଥିପାଇଁ ପ୍ରୟୋଜନୀୟ ମାତ୍ରାରେ ହିଁ ଏହା ଗ୍ରହଣୀୟ। କିନ୍ତୁ ଏ ସବୁର ‘ଅତି’ ଆହାର ଗର୍ହିତ। ଆହାର କାଳରେ ଏହା ସୁଖ ଦିଏ, କିନ୍ତୁ ପରବର୍ତ୍ତୀ କାଳରେ ଶୋକଦାୟକ, ଅର୍ଥାତ୍ ଆମୟ ବା ରୋଗ ସୃଷ୍ଟିକାରୀ ହୋଇଥାଏ।
‘ଗୀତା’ ବର୍ଣ୍ଣିତ ତୃତୀୟ ପ୍ରକାରର ଖାଦ୍ୟ ହେଉଛି ‘ତାମସିକ’। ଏଥି ମଧ୍ୟରେ ଅଛି- ବିଗତ ଯାମ ବା ପ୍ରହରକ ପୂର୍ବରୁ ରନ୍ଧନ ହୋଇ ଶୀତଳ ହୋଇଯାଇଥିବା ଖାଦ୍ୟ, ଶୁଷ୍କ ବା ରସହୀନ ଖାଦ୍ୟ ଏବଂ ପର୍ଯ୍ୟୁଷିତ ବା ବାସି ଏବଂ ପୂତି ବା ଦୁର୍ଗନ୍ଧ ହୋଇଯାଇଥିବା ଖାଦ୍ୟ। ଅନ୍ୟର ଉଚ୍ଛିଷ୍ଟ ବା ଭୋଜନର ଅବଶେଷ ଏବଂ ଅଶୁଚିପୂର୍ଣ୍ଣ ଓ ଅମେଧ୍ୟ- ଯଥା ମାଛ, ମାଂସ ଓ ଅଣ୍ଡା ଆଦି ଖାଦ୍ୟ ହେଉଛି ତାମସିକ।

ଏଇଥିପାଇଁ ଆମ ଲୋକୋକ୍ତିରେ କୁହାଯାଇଛି- ‘ଯେପରି ଅନ୍ନ ସେପରି ମନ।” ଏହି ଅନ୍ନମୟ କୋଷ ବା ସ୍ଥୂଳ ଶରୀର ହେଉଛି ଭିତ୍ତି- ଯାହା ଉପରେ ଅନ୍ୟ ଚାରି କୋଷ, ଯଥା- ପ୍ରାଣ, ମନ, ବିଜ୍ଞାନ ଓ ଆନନ୍ଦମୟ କୋଷର ସ୍ଥିତି। ଆଜି ବିଶ୍ୱବ୍ୟାପୀ କରୋନା ଯାତନାର ଗୋଟିଏ ମୁଖ୍ୟ କାରଣ ଯେ ଏହି ତାମସିକ ଆହାର, ଏହା ନିଃସନ୍ଦେହ।

ଏଣୁ ସାତ୍ତ୍ୱିକ ଆହାର ଦ୍ୱାରା ଆମର ଅନ୍ନମୟ କୋଷକୁ ଗଠିତ କରି, ଈଶ୍ୱରଙ୍କର ଶରୀରରୂପୀ ଆମର ପରିବେଶର ସୁରକ୍ଷା କରି ଏବଂ ଅନ୍ତରରେ ବିରାଜିତ ପରମାତ୍ମାଙ୍କ ଚିନ୍ତନରେ ନିଜକୁ ବ୍ୟାପୃତ କରି, କର୍ମମୟ ଜୀବନ ଅତିବାହିତ କଲେ ହିଁ ଆମେ ଆଗାମୀ ଦିନରେ କରୋନା ପରି ଅତିମାରୀର ବିଷାଣୁକୁ ପ୍ରତିହତ କରିପାରିବା।

ଏହାର ଗୋଟିଏ ତାତ୍ପର୍ଯ୍ୟପୂର୍ଣ୍ଣ ପରିପ୍ରକାଶ ଅଛି ଭର୍ତ୍ତୃହରିଙ୍କ ‘ବୈରାଗ୍ୟ ଶତକ’ର ବିଦାୟ ଶ୍ଳୋକରେ। ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପଦ୍ୟାନୁବାଦରେ ତାହା ଏହିପରି-
ଆଗୋ ମାତା ବସୁମତୀ, ହେ ବାୟୁ ଜନକ
ବନ୍ଧୁ ଜଳ, ଭ୍ରାତା ବ୍ୟୋମ, ହେ ସଖା ପାବକ,
ଅନ୍ତିମ ପ୍ରଣାମ ଘେନ, କହେ ଯୋଡ଼ି କର
ଅର୍ଜିଚି ସୁକୃତ ରହି ତୁମ ସଙ୍ଗତର,
ସେହି ପୁଣ୍ୟ ଫଳେ ଆଜି ଲଭି ଦିବ୍ୟଜ୍ଞାନ
ଅଜ୍ଞାନର ମୋହ କାଟି ବ୍ରହ୍ମେ ହୁଏ ଲୀନ।

ଏଣୁ ଏହି ବିଦାୟ-ମନ୍ତ୍ର ଗାଇ ଏ ପୃଥିବୀରୁ ବିଦାୟ ନେବା ପାଇଁ, ଆମେ ସମସ୍ତେ ନିଜକୁ ଯୋଗ୍ୟ କରିବା ଉଚିତ। କାରଣ, ଏଇଥିରେ ହିଁ ଅଛି କରୋନାମାନଙ୍କର ନିଦାନ। ଏ ନିଖିଳ ବିଶ୍ୱର କଲ୍ୟାଣ।

ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର