ଅନେକ ସମୟରେ କେତେକ ବ୍ୟକ୍ତିଙ୍କ ବିରୋଧରେ ପୁଲିସ୍ ପକ୍ଷରୁ ଯେଉଁ ରାଷ୍ଟ୍ରଦ୍ରୋହ ମାମଲା ରୁଜୁ ହୋଇଥାଏ, ତାହା ସାଧାରଣ ଲୋକମାନଙ୍କୁ ଚକିତ କରିଦେଇଥାଏ। ଅତୀତରେ ଦେଖାଯାଇଛି, ମହାରାଷ୍ଟ୍ରର ଦୁଇଟି ଝିଅ ତଦାନୀନ୍ତନ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଫେସ୍ବୁକ୍ରେ ମନ୍ତବ୍ୟ ଦେବାରୁ ସେମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଲାଗୁ ହୋଇଥିଲା। ଅନେକ ସମୟରେ ଏହି ଦେଶଦ୍ରୋହ ଆଇନ ଏତେ କଠୋର ଭାବରେ ଲାଗୁ ହେଉଛି ଯେ, ଅଦାଲତମାନେ ଅଭିଯୁକ୍ତମାନଙ୍କୁ ଦୀର୍ଘ ସମୟ ଧରି ଜାମିନ ମଧ୍ୟ ଦେଉନାହାନ୍ତି। ଗତ ସପ୍ତାହରେ ଯେତେବେଳେ ସୁପ୍ରିମ୍କୋର୍ଟରେ ଦୁଇ ଜଣ ସାମ୍ବାଦିକଙ୍କ ପକ୍ଷରୁ ଏ ସମ୍ପର୍କରେ ଏକ ଜନସ୍ୱାର୍ଥ ମାମଲା ଆଗତ ହୋଇଥିଲା, ସେତେବେଳେ ଏହାର ବିଚାର ସ୍ୱୟଂ ମୁଖ୍ୟ ବିଚାରପତି ଏନ୍.ଭି.ରମଣା ହାତକୁ ନେଇ ଏକ ତିନିଜଣିଆ ଖଣ୍ଡପୀଠରେ ଏହାର ଶୁଣାଣି କରିଥିଲେ। ଗତ କେତେ ବର୍ଷ ମଧ୍ୟରେ ରାଷ୍ଟ୍ରଦ୍ରୋହ ସଂଜ୍ଞା କ’ଣ ବା ଜଣେ ଲୋକ କ’ଣ କଲେ ତାକୁ ରାଷ୍ଟ୍ରଦ୍ରୋହୀ ବୋଲି ଅଭିଯୁକ୍ତ କରାଯିବ, ସେ ସମ୍ପର୍କରେ ଅନେକ ଥର ବିତର୍କ ହୋଇଥିଲେ ମଧ୍ୟ ଏହି ଅଭିଯୋଗର କୌଣସି ସ୍ପଷ୍ଟତା ଏ ଯାଏ ଆସିନାହିଁ । ପ୍ରାୟ ଷାଠିଏ ବର୍ଷ ତଳେ କେଦାରନାଥ ମାମଲାର ବିଚାର ଅଦାଲତରେ ଚାଲିଥିଲା ବେଳେ ଠିକ୍ ଏହି ପ୍ରସଙ୍ଗ ଉଠିଥିଲା। କିନ୍ତୁ ଇତିମଧ୍ୟରେ କୌଣସି ସରକାର ଏ ସମ୍ପର୍କରେ ସ୍ପଷ୍ଟତା ଆଣିବାକୁ ଚେଷ୍ଟା କରିନାହାନ୍ତି।
ଦେଶଦ୍ରୋହ ଅଭିଯୋଗ ଓ ଜାମିନ ସମ୍ପର୍କରେ ନିକଟ ଅତୀତରେ ଯେଉଁ ଯେଉଁ ବିତର୍କ ହୋଇଛି, ସେଥିରେ ଦେଶଦ୍ରୋହ ଅଭିଯୋଗରେ ଜେଲ୍ରେ ଥିବା ଦିଶା ରବିଙ୍କୁ ଏକ ସେସନସ୍ ଅଦାଲତ ଜାମିନ ଦେବା, ନାଗରିକତା ସଂଶୋଧନ ଆଇନ (ସି.ଏ.ଏ.) ବିରୋଧୀ ପ୍ରତିବାଦକାରୀମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ଦିଲ୍ଲୀ ହାଇକୋର୍ଟ ଦେଶଦ୍ରୋହ ମାମଲାରେ ଜାମିନ ଦେବା, ଦେଶଦ୍ରୋହ ଅପରାଧରେ ଗିରଫ ହୋଇଥିବା ବ୍ୟଙ୍ଗ ଅଭିନେତା (କମେଡିଆନ) ମୁନାୱାର ଫାରୁକିଙ୍କୁ ସୁପ୍ରିମ୍କୋର୍ଟ ଦେଶଦ୍ରୋହ ମାମଲାରେ ଜାମିନ ଦେବା ଆଦି ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟାନ୍ତ ଅଟନ୍ତି । ଏହାଛଡ଼ା ଆଦିବାସୀ ଅଧିକାର ପାଇଁ ଲଢୁଥିବା ଖ୍ରୀଷ୍ଟିଆନ ପାଦ୍ରି ଷ୍ଟାନ୍ ସ୍ୱାମୀ ହସ୍ପିଟାଲରେ ବନ୍ଦୀ ଥାଇ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିବା ମୁଖ୍ୟତଃ ଏହି ପ୍ରସଙ୍ଗକୁ ଉତ୍ଥାପନ କରୁଛି।
ଗତ ସପ୍ତାହରେ ଏ ସମ୍ପର୍କରେ ସୁପ୍ରିମ୍କୋର୍ଟରେ ଶୁଣାଣି ଚାଲିଥିଲା ବେଳେ ମୁଖ୍ୟ ବିଚାରପତି ଏନ୍.ଭି. ରମଣା କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ, ବ୍ରିଟିସ୍ ସରକାରଙ୍କ ବେଳେ ଭାରତର ପିଙ୍ଗଳ କୋଡ୍ (ଆଇପିସି)ର ଧାରା ୧୨୪(କ)ରେ ବ୍ୟବସ୍ଥା ଥିଲା, ଯିଏ ସରକାରଙ୍କ (ବ୍ରିଟିସ୍) ବିରୋଧରେ କିଛି କହିବ, ତାକୁ ଦେଶଦ୍ରୋହ ଅଭିଯୋଗରେ ଅଭିଯୁକ୍ତ କରାଯିବ। ଏହି ଧାରା ବଳରେ ଗାନ୍ଧୀ, ବାଳ ଗଙ୍ଗାଧର ତିଳକ ଆଦି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଗିରଫ କରାଯାଉଥିଲା। କିନ୍ତୁ ସ୍ୱାଧୀନତା ପରେ ଯେତେବେଳେ ଭାରତରେ ଗଣତନ୍ତ୍ର ପ୍ରତିଷ୍ଠା ହୋଇଛି ଓ ବାକ୍ ସ୍ୱାଧୀନତାକୁ ଏକ ମୌଳିକ ଅଧିକାର ହିସାବରେ ଗଣ୍ୟ କରାଯାଉଛି, ସେତେବେଳେ ସରକାର ବିରୋଧରେ ଯିଏ କିଛି କହିଲା, ତା’କୁ ଦେଶଦ୍ରୋହ ଅଭିଯୋଗରେ ଅଭିଯୁକ୍ତ କରାଯିବ କି? ପୁଣି ବିଚାର ବେଳେ ସେଠାରେ ଉପସ୍ଥିତ ଥିବା ଆଟର୍ଣ୍ଣି ଜେନେରାଲ୍ କେ. କେ. ବେଣୁଗୋପାଳ ଓ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟାଙ୍କୁ ଅଦାଲତ (ସୁପ୍ରିମ୍ କୋର୍ଟ) ପ୍ରଶ୍ନ କରିଥିଲେ ଯେ, ଏହି ଆଇନର ଦୁରୁପଯୋଗ କରାଯାଉଥିବାର ଅନେକ ପ୍ରମାଣ ରହିଥିବା ବେଳେ ଏହି ଆଇନର ଉପଯୋଗିତା କ’ଣ ଅଛି? ଗତ କେତେ ବର୍ଷ ମଧ୍ୟରେ ଏନ୍ଡିଏ ସରକାର ଅନେକ ବ୍ରିଟିସ୍କାଳୀନ ଅନାବଶ୍ୟକ ଆଇନଗୁଡ଼ିକ ରବ୍ଦ କରି ଦେଇଥିବା ବେଳେ, ଏହି ଆଇନକୁ ରବ୍ଦ କରାଯାଉନି କାହିଁକି? ସୁପ୍ରିମ୍କୋର୍ଟ ମଧ୍ୟ ପ୍ରଶ୍ନ କରିଥିଲେ ଯେ, ଯେଉଁ ପୁଲିସ୍ ଅଧିକାରୀମାନେ ଏପରି ଅଭିଯୋଗ ଆଣି ଲୋକଙ୍କୁ ଗିରଫ କରୁଛନ୍ତି, ସେମାନେ ଏପରି କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ଉତ୍ତରଦାୟୀ କରାଯାଇନାହିଁ କାହିଁକି! ପୁଣି ସେମାନେ ପ୍ରଶ୍ନ କରିଥିଲେ ଯେ, ଦେଶଦ୍ରୋହ ମାମଲାଗୁଡ଼ିକରେ ଅଭିଯୁକ୍ତମାନଙ୍କୁ ଅତି ଅଳ୍ପ କ୍ଷେତ୍ରରେ ଦଣ୍ଡ ମିଳୁଛି କାହିଁକି? ଅଧିକାଂଶ ଅଭିଯୁକ୍ତ, ଏ କ୍ଷେତ୍ରରେ ଅଦାଲତରୁ ଦଣ୍ଡମୁକ୍ତ ହୋଇ ଯାଉଛନ୍ତି କାହିଁକି? ଏହା ଏକ ଅତି ଗୁରୁତର ବ୍ୟାପାର ଓ ବ୍ୟକ୍ତି ତଥା ପକ୍ଷମାନଙ୍କ କାର୍ଯ୍ୟ କରିବା କ୍ଷେତ୍ରରେ ଏକ ବଡ଼ ବିପଦ।
ଏଭଳି ଶୁଣାଣି ଚାଲିଥିଲା ବେଳେ ଗୋଟିଏ ଭଲ କଥା ହେଲା, ସୁପ୍ରିମ୍କୋର୍ଟଙ୍କ ଏହି ମତାମତକୁ ମୋଟାମୋଟି ଭାବରେ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ଏ ସମ୍ପର୍କରେ ଭାରତ ସରକାର, ତାଙ୍କର ମତ ଅଦାଲତଙ୍କ ଆଗରେ ଏକ ସତ୍ୟପାଠ ମାଧ୍ୟମରେ ଆଗତ କରିବେ। କେଉଁ କେଉଁ ବ୍ୟାପାରମାନଙ୍କୁ ଦେଶଦ୍ରୋହ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରାଯିବ ସେ ସମ୍ପର୍କରେ ସୁପ୍ରିମ୍କୋର୍ଟ ଏକ ନିର୍ଦ୍ଦେଶାବଳୀ ଜାରି କରୁଛନ୍ତି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।
୨୦୧୦ ଠାରୁ ୧୦,୯୩୮ ଜଣ ୮୧୬ଟି ଦେଶଦ୍ରୋହ ମାମଲାରେ ଅଭିଯୁକ୍ତ ହୋଇଛନ୍ତି। ୨୦୧୪ରେ ଏନ୍ଡିଏ ସରକାର କ୍ଷମତାକୁ ଆସିବା ପରେ ଯେଉଁମାନଙ୍କୁ ଦେଶଦ୍ରୋହରେ ଅଭିଯୁକ୍ତ କରାଯାଇଥିଲା, ସେମାନଙ୍କ ମଧ୍ୟରୁ ୬୫ %ଙ୍କ ବିରୋଧରେ ଏହି ମୋକଦ୍ଦମା ଚାଲିଲା। ଏହି ସରକାର କ୍ଷମତାକୁ ଆସିବା ପରେ ପ୍ରତିବର୍ଷ ଅଧିକ ଲୋକ ଏହି ଅଭିଯୋଗରେ ଅଭିଯୁକ୍ତ ହେଲେ।
ତେବେ ସବୁଠାରୁ ଅଧିକ ଲୋକ ଦେଶଦ୍ରୋହ ଅଭିଯୋଗରେ ଅଭିଯୁକ୍ତ ହୋଇଥିଲେ ୨୦୧୧ରେ ଯେତେବେଳେ ତାମିଲନାଡୁର କୁଦାନକୁଲମ ଆଣବିକ ବିଦ୍ୟୁତ୍ କାରଖାନା ବିରୋଧରେ ଚାଲିଥିଲା ପ୍ରତିବାଦ; ସେହି ବର୍ଷ କେବଳ ୧୩୦ ଜଣଙ୍କ ବିରୋଧରେ ଏହି ଅଭିଯୋଗ ଆସିଥିଲା। ସେତେବେଳେ ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରିତ୍ୱରେ ୟୁପିଏ ସରକାର କେନ୍ଦ୍ରରେ ଶାସନ କରୁଥିଲା। ୨୦୧୫ରେ ୩୯ଟି ଦେଶଦ୍ରୋହ ମାମଲା ଆଗତ ହୋଇଥିଲା। ୨୦୧୫ ବେଳକୁ ଏହି ମାମଲାର ସଂଖ୍ୟା ୭୨କୁ ବୃଦ୍ଧି ପାଇଥିଲା। ସେହି ବର୍ଷ ଠାରୁ ପ୍ରତିବର୍ଷ ଦେଶଦ୍ରୋହ ମାମଲାମାନଙ୍କର ସଂଖ୍ୟା ବଢ଼ି ବଢ଼ି ଚାଲିଛି। ୨୦୨୦ ବେଳକୁ ଏହି ମାମଲାର ସଂଖ୍ୟା ୧୦୭କୁ ବୃଦ୍ଧି ପାଇଥିଲା। ରାଷ୍ଟ୍ରୀୟ ଅପରାଧ ପଞ୍ଜୀକରଣ ବ୍ୟୁରୋର ହିସାବ ଅନୁସାରେ ୨୦୧୪ ରୁ ୨୦୧୯ ମଧ୍ୟରେ ଦେଶଦ୍ରୋହ ମାମଲାର ସଂଖ୍ୟା ୫୫୯ ଧରିଥିଲା। ଏହି ଅଭିଯୁକ୍ତମାନେ ସେତେବେଳେ ଗିରଫ ହୋଇଥିଲେ। କିନ୍ତୁ ଅଦାଲତରେ ଦଣ୍ଡିତ ହୋଇଥିଲେ ମାତ୍ର ୧୦ ଜଣ। ୨୦୧୦ରୁ ଯେତିକି ଲୋକ ଏହି ଅଭିଯୋଗରେ ଗିରଫ ହୋଇଥିଲେ, ସେମାନଙ୍କ ମଧ୍ୟରୁ ୬୫% ପାଞ୍ଚଟି ରାଜ୍ୟରୁ ଗିରଫ ହୋଇଥିଲେ। ଏହି ପାଞ୍ଚଟି ରାଜ୍ୟ ହେଲେ ବିହାର, କର୍ଣ୍ଣାଟକ, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ ଓ ତାମିଲନାଡୁ। ବିହାରରୁ ୧୬୮ ଜଣ, ତାମିଲନାଡୁରୁ ୧୩୯ ଜଣ, ଉତ୍ତରପ୍ରଦେଶରୁ ୧୧୫ ଜଣ, ଝାଡ଼ଖଣ୍ଡରୁ ୬୨ ଜଣ ଓ କର୍ଣ୍ଣାଟକରୁ ୫୦ ଜଣ ଗିରଫ ହୋଇଥିଲେ। କେବଳ ସୁପ୍ରିମ୍କୋର୍ଟ ନୁହନ୍ତି, ନିମ୍ନ ଅଦାଲତମାନେ ମଧ୍ୟ ଏହି ଧରଣର ପୁରୁଣା ପ୍ରତିକ୍ରିୟାଶୀଳ ଆଇନମାନଙ୍କୁ ହଟାଇ ଦେବାକୁ ପରାମର୍ଶ ଦେଉଛନ୍ତି। ଏଠାରେ ବ୍ୟକ୍ତି ସ୍ୱାଧୀନତାର କଥା ଉଠୁଛି । ବାକ୍ ସ୍ୱାଧୀନତାର କଥା ଉଠୁଛି । ତେଣୁ ଆଶା କରାଯାଉଛି ଯେ, ବର୍ତ୍ତମାନ ଅଦାଲତମାନେ ଏହି କ୍ଷେତ୍ରରେ ପ୍ରମୁଖତା ଗ୍ରହଣ କରିବେ। ଗୋଟିଏ ଗଣତନ୍ତ୍ରକୁ କେମିତି ଉଚିତ ବାଟରେ ପୁନର୍ଗଠନ କରାଯିବ, ସେ ସମ୍ପର୍କରେ ଅଦାଲତମାନେ ମଧ୍ୟ ପରାମର୍ଶ ଦେବେ। ସମୟକୁ ନେଇ ଦେଶ ବଦଳିବା ଦରକାର ଓ ଦେଶର ଆଇନ ମଧ୍ୟ ବଦଳିବା ଦରକାର।
ସମ୍ବିଧାନ ପ୍ରଣୟନ ସଭାରେ ଯେତେବେଳେ ରାଷ୍ଟ୍ରଦ୍ରୋହ ଅପରାଧ ସମ୍ପର୍କରେ ବିତର୍କ ହୋଇଥିଲା, ସେତେବେଳେ କୁହାଯାଇଥିଲା ଯେ, ଏହା ଏକ ଅସାଧାରଣ ଘଟଣା ହେବା ଆବଶ୍ୟକ। ମତ ପ୍ରକାଶ କରିବାର ଅଧିକାରର ଏହା ବିରୋଧୀ। ଏହାକୁ ଏକ ସାଧାରଣ ଘଟଣା ପରି ବ୍ୟବହାର କରାଯିବା କଥା ନୁହେଁ ।
ଏଠାରେ ଆହୁରି ମଧ୍ୟ ଉଲ୍ଲେଖଯୋଗ୍ୟ ଯେ, ଭାରତର ଆଇ.ପି.ସି.ରେ ଆହୁରି କେତେକ ଧାରା ରହିଛି ଯାହା ବିଭିନ୍ନ ଲୋକମାନଙ୍କର ବାକ୍ ସ୍ୱାଧୀନତାର ପ୍ରତିବନ୍ଧ ହୋଇ ଠିଆ ହୋଇଥାଏ। ସେମାନେ ହେଲେ ଧାରା ୧୫୩ ଯାହାର ଅର୍ଥ ହେଲା ବିଭିନ୍ନ ସଂପ୍ରଦାୟମାନଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା। ଧାରା ୨୬୮ରେ ଜନସାଧାରଣଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି କରିବାର କଥା ଅଛି । ଧାରା ୫୦୫ରେ ଜନସାଧାରଣଙ୍କୁ ବିଦ୍ରୋହ କରିବା ପାଇଁ ଉସୁକାଇବା କଥା ରହିଛି । ଏବଂ ଧାରା ୧୨୪ରେ ଅଛି ରାଷ୍ଟ୍ର ବିରୋଧରେ ଜନସାଧାରଣଙ୍କ ମନରେ ଅଶ୍ରଦ୍ଧା ସୃଷ୍ଟି କରିବା। ଏହି ସବୁ ଆଇନଗୁଡ଼ିକ ଏତେ ଅସ୍ପଷ୍ଟ ଯେ, ସରକାର ଓ ପୁଲିସ୍ ଏମାନଙ୍କର ଦୁରୁପଯୋଗ କରିବାର ସମ୍ଭାବନା ଅଛି ଓ ତାହା ଅନେକ ଥର ଘଟିଛି ମଧ୍ୟ।
ଏମାନଙ୍କ ବ୍ୟତୀତ ରାଷ୍ଟ୍ରୀୟ ସୁରକ୍ଷା ଆଇନ (ଏନ୍.ଏସ୍.ଏ.) ମଧ୍ୟ ଅନେକ ପରିମାଣରେ ଅସ୍ପଷ୍ଟ। ବେଆଇନ କାର୍ଯ୍ୟକଳାପ (ନିରୋଧୀ) ଆଇନର ମଧ୍ୟ ଠିକ୍ ସେହିପରି ଦୁରୁପଯୋଗ କରାଯାଉଛି। ଏହା ଫଳରେ ଅନେକ କ୍ଷେତ୍ରରେ କୌଣସି ପ୍ରମାଣ ନ ଥାଇ ଯୁବପିଢ଼ି ଓ ଅନ୍ୟମାନଙ୍କୁ ଆତଙ୍କବାଦୀ ହିସାବରେ ଅଭିଯୁକ୍ତ କରାଯାଇଥାଏ। ଏହାଦ୍ୱାରା ସ୍ୱାଧୀନତା କ୍ଷୁଣ୍ଣ ହୋଇଥାଏ। ଦୀର୍ଘ କାଳ ଧରି ଜେଲ୍ରେ ରହିବାକୁ ପଡ଼େ । ବିଶେଷ କରି ଯୁବକମାନେ ସେମାନଙ୍କର ଜୀବନର ଶ୍ରେଷ୍ଠ ସମୟରେ ଜେଲ୍ରେ ବନ୍ଦୀ ହୋଇ ଅକାରଣରେ ରହିଥା’ନ୍ତି। ସେମାନେ ବେଳେବେଳେ ଜେଲ୍ରେ ରହି ମୃତ୍ୟୁବରଣ ମଧ୍ୟ କରିଥା’ନ୍ତି । ବର୍ତ୍ତମାନ ଆବଶ୍ୟକ ହେଉଛି, ଗଣତନ୍ତ୍ରର ମୂଲ୍ୟବୋଧକୁ ବଜାୟ ରଖି ଏହାକୁ ଉନ୍ନତ କରିବାକୁ ହେଲେ ରାଷ୍ଟ୍ରଦ୍ରୋହ ସମ୍ପର୍କରେ ସ୍ପଷ୍ଟତା ଅଣାଯିବା। ଯେଉଁ ପୁଲିସ୍ ଅଧିକାରୀମାନେ ରାଷ୍ଟ୍ରଦ୍ରୋହ ଅଭିଯୋଗରେ କାହାକୁ ଜେଲ୍କୁ ପଠାଉଛନ୍ତି, ସେହି ଅଭିଯୋଗ ପ୍ରମାଣିତ ନ ହେଲେ, ପୁଲିସ୍ ଅଧିକାରୀଙ୍କୁ ଜରିମାନା ଓ ଅନ୍ୟ ଦଣ୍ଡ ଦିଆଯିବା ଆବଶ୍ୟକ। ଏପରି କି କୌଣସି ନିମ୍ନ ଅଦାଲତର ବିଚାରପତି ଏଭଳି କ୍ଷେତ୍ରରେ ଆଇନର ଦୁରୁପଯୋଗ କରି ଅଭିଯୁକ୍ତକୁ ବିନା କାରଣରେ ଦଣ୍ଡ ଦେଲେ, ବିଚାରପତିଙ୍କୁ ମଧ୍ୟ ଦଣ୍ଡ ମିଳିବା ଉଚିତ।
ମୋ- ୯୪୩୭୦୨୦୨୯୦
[email protected]