ତଟ ରକ୍ଷାକାରୀ ଲୁଣା ଜଙ୍ଗଲ

ଦେବବ୍ରତ ସ୍ବାଇଁ

ସାମୁଦ୍ରିକ ଘୂର୍ଣ୍ଣିବାତ୍ୟାର ପ୍ରଭାବ ଲାଘବ କରିବାରେ ଲୁଣା ଜଙ୍ଗଲର ଗୁରୁତ୍ବ ରହିଛି। ନିକଟରେ ସମ୍ବାଦ ପ୍ରକାଶ ପାଇଛି କି ଏଥି ଲାଗି ପଶ୍ଚିମବଙ୍ଗ ସରକାର ଚବିଶ ପ୍ରଗଣା ଏବ˚ ମେଦିନୀପୁର ଜିଲ୍ଲାରେ ୧୫ କୋଟି ଲୁଣା ପ୍ରଜାତିର ଚାରା ରୋପଣ କରିବେ। ଓଡ଼ିଶା ସରକାର ମଧୢ ବିସ୍ତୃତ ଅଞ୍ଚଳରେ ଲୁଣା ଜଙ୍ଗଲ ସୃଷ୍ଟି କରିବା ପାଇଁ ଯୋଜନା କରିଛନ୍ତି।

ସଂପ୍ରତି ସବୁଜ ଗୃହ ବାଷ୍ପ ନିର୍ଗମନରେ ବୃଦ୍ଧି ହେତୁ ପୃଥିବୀ ପୃଷ୍ଠର ଉତ୍ତାପରେ ବୃଦ୍ଧି ଘଟୁଛି, ଯାହା ଜଳବାୟୁରେ ଘୋର ଅନିୟମିତତାର କାରଣ ହେଉଛି। ଗଲା ମଇ ମାସରେ ଭାରତରେ ଦୁଇଟି ଭୟଙ୍କର ସାମୁଦ୍ରିକ ଝଡ଼ ପ୍ରବାହିତ ହୋଇଗଲା। ପ୍ରଥମଟି ଆରବ ସାଗର ଉପକୂଳରେ ‘ତୌବତୀ’ ଏବଂ ଅନ୍ୟଟି ‘ୟାସ୍‌’। ୨୦୧୯ରେ ‘ଫନି’ ଏବଂ ୨୦୨୦ରେ ‘ଅମ୍ଫାନ୍‌’ ମଧ୍ୟ ମଇ ମାସରେ ହିଁ ଆସିଥିଲା। ଏହିଭଳି ସାମୁଦ୍ରିକ ଝଡ଼ର ସଂଖ୍ୟା ବୃଦ୍ଧି ପାଉଥିବାରୁ ସମୁଦ୍ର ତଟରେ ଲୁଣା ଜଙ୍ଗଲର ଗୁରୁତ୍ବ ବୃଦ୍ଧି ପାଇଛି।

ଏକ ଅନୁଧ୍ୟାନରୁ ଜଣାପଡ଼େ ଯେ ଭିତରକନିକାରେ ଲୁଣା ଜଙ୍ଗଲ ହେତୁ ଏକ ବିସ୍ତୃତ ଅଞ୍ଚଳ ୧୯୯୯ ମହାବାତ୍ୟାର ପ୍ରକୋପରୁ କେତେକା˚ଶରେ ରକ୍ଷା ପାଇବାରେ ସମର୍ଥ ହୋଇଥିଲା। ଲୁଣା ଜଙ୍ଗଲ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ତହସିଲରେ କୌଣସି ଜୀବନହାନି ଘଟି ନ ଥିବା ବେଳେ ନିକଟବର୍ତ୍ତୀ ମହାକାଳପଡ଼ା ତହସିଲରେ ମାତ୍ର ୧୮୮ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ସେହିଭଳି ନିକଟବର୍ତ୍ତୀ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ବାସୁଦେବପୁର ତହସିଲରେ ମଧୢ ଭିତରକନିକାର ଘଞ୍ଚ ଲୁଣା ଜଙ୍ଗଲ ଯୋଗୁଁ କୌଣସି ଜୀବନହାନି ଘଟିନଥିଲା ଏବ˚ ଅନ୍ୟ ତହସିଲମାନଙ୍କ ତୁଳନାରେ ଧନ ସମ୍ପଦ ମଧୢ କମ୍‌ କ୍ଷତିଗ୍ରସ୍ତ ହୋଇଥିଲା। ଏକ ଗବେଷଣାରୁ ଜଣାପଡ଼େ ଯେ ମହାବାତ୍ୟା ସମୟରେ ଯେତିକି ଓସାରର ଲୁଣା ଜଙ୍ଗଲ ସମୁଦ୍ର ତଟରେ ଥିଲା, ଯଦି ତାହା ଠାରୁ ୧୦ ପ୍ରତିଶତ ଅଧିକ ଥାଆନ୍ତା, ତେବେ ମହାକାଳପଡ଼ା ତହସିଲରେ ଘଟିଥିବା ମୃତ୍ୟୁ ସଂଖ୍ୟାରେ ୧୨.୪୮ ପ୍ରତିଶତ ହ୍ରାସ ପାଇଥାଆନ୍ତା।

ସାମୁଦ୍ରିକ ଝଡ଼ରୁ ସୁରକ୍ଷା ଦେବା ସହିତ ଲୁଣା ଜଙ୍ଗଲର ଅନେକ ବିଶେଷତା ରହିଛି। ଏହା ଜୈବ ବିବିଧତାର ଗନ୍ତାଘର। ଏଠାରେ ବିଭିନ୍ନ ପ୍ରକାରର ଉଦ୍ଭିଦ, ଶୈବାଳ, ପ୍ଲାଙ୍କଟନ ଠାରୁ ଆରମ୍ଭ କରି ଅନେକ ପ୍ରଜାତିର ମତ୍ସ୍ୟ, ସରୀସୃପ, ସ୍ତନ୍ୟପାୟୀ ପ୍ରାଣୀ, ଜାତିଜାତିକା ପକ୍ଷୀ ବାସ କରନ୍ତି। ଏମିତିକି ସୁନ୍ଦରବନର ମହାବଳ ବାଘ ବିଶ୍ବ ପ୍ରସିଦ୍ଧ ଅଟେ। ଲୁଣା ଜଙ୍ଗଲ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ଆଦିର ଅନ୍ତୁଡ଼ିଶାଳ ରୂପେ ପରିଗଣିତ। ଲୁଣା ଜଙ୍ଗଲର ଚେରରେ ସାମୁଦ୍ରିକ ଜୀବର ଶାବକମାନେ ଲୁଚିରହି ତତ୍‌ସ˚ଲଗ୍ନ କାଦୁଆ ଭୂମିରୁ ସେମାନେ ଖାଦ୍ୟ ଗ୍ରହଣ କରିଥାନ୍ତି। ବଡ଼ ହେଲେ ଏହି ଜୀବଜନ୍ତୁମାନେ ସମୁଦ୍ର ଗର୍ଭକୁ ଚାଲିଯାଆନ୍ତି। ଏଥିପାଇଁ ଲୁଣା ଜଙ୍ଗଲର ଅବସ୍ଥିତି ସାମୁଦ୍ରିକ ପରିସ˚ସ୍ଥା ପାଇଁ ଅତ୍ୟନ୍ତ ଅନିବାର୍ଯ୍ୟ।

ଏକ ପରିସ˚ଖ୍ୟାନରୁ ଜଣାପଡ଼େ ଯେ ବିଶ୍ବ‌େର ୧,୩୫,୮୮୨ ବର୍ଗ କି.ମି. ଲୁଣା ଜଙ୍ଗଲ ବିଦ୍ୟମାନ। ଯାହାର ସି˚ହଭାଗ (୪୨ ପ୍ରତିଶତ) କେବଳ ଇଣ୍ତୋନେସିଆ, ଅଷ୍ଟ୍ରେଲିଆ, ବ୍ରାଜିଲ, ମେକ୍‌ସିକୋ ଓ ନାଇଜେରିଆରେ ରହିଅଛି। ୧୯୯୬ରୁ ୨୦୧୬ ମଧୢରେ ୬,୦୫୭ ବର୍ଗ କି.ମିର ଲୁଣା ଜଙ୍ଗଲ ହ୍ରାସ ପାଇଛି, ଯାହାର ୬୨ ପ୍ରତିଶତ କୃଷି ଓ ମତ୍ସ୍ୟ ଚାଷ ପାଇଁ ବ୍ୟବହାର କରାଯାଇଛି। ଭାରତୀୟ ବନ ସର୍ବେକ୍ଷଣ ସ˚ସ୍ଥାର ୨୦୧୯ ବିବରଣୀ ଅନୁସାରେ ଭାରତରେ ମାତ୍ର ୪,୯୭୫ ବର୍ଗ କି.ମି ଲୁଣା ଜଙ୍ଗଲ ରହିଛି। ପଶ୍ଚିମବଙ୍ଗରେ ସର୍ବାଧିକ ୨,୧୧୨ ବର୍ଗ କି.ମି ଥିବାବେଳେ ଗୁଜୁରାଟରେ ୧,୧୧୭ ବର୍ଗ କି.ମି, ଆଣ୍ତାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୬୧୬ ବର୍ଗ କି.ମି। ଆନ୍ଧ୍ରପ୍ରଦେଶରେ ୪୦୪ ବର୍ଗ କି.ମି, ମହାରାଷ୍ଟ୍ରରେ ୩୨୦ ବର୍ଗ କି.ମି ଏବ˚ ଓଡ଼ିଶାରେ ୨୫୧ ବର୍ଗ କି.ମି ଲୁଣା ଜଙ୍ଗଲ ରହିଅଛି। ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ କେବଳ ୨୦୧ ବର୍ଗ କି.ମି ଲୁଣା ଜଙ୍ଗଲ ଅଛି। ବାକି ୫୦ ବର୍ଗ କି.ମି ଲୁଣା ଜଙ୍ଗଲ ମଧୢରୁ ଭଦ୍ରକ ଜିଲ୍ଲାରେ ୩୫ ବର୍ଗ କି.ମି, ଜଗତ୍‌ସି˚ହପୁରରେ ୮ ବର୍ଗ କି.ମି, ବାଲେଶ୍ବରରେ ୫ ବର୍ଗ କି.ମି ଏବ˚ ପୁରୀ ଜିଲ୍ଲାରେ ଏକ ବର୍ଗ କି.ମି ଲୁଣା ଜଙ୍ଗଲ ରହିଛି।

ଦିଲ୍ଲୀ ବିଶ୍ବବିଦ୍ୟାଳୟର ଏକ ଗବେଷଣାରୁ ଜଣାପଡ଼େ ଯେ ୧୯୪୪ ମସିହାରେ ଓଡ଼ିଶାରେ ୩୦୭.୬୬ ବର୍ଗ କି.ମି ଲୁଣା ଜଙ୍ଗଲ ଥିଲା, ୧୯୯୯ ମସିହାକୁ ଏହା ହ୍ରାସ ପାଇ ୧୭୯ ବର୍ଗ କି.ମି ହୋଇଗଲା। ୧୯୪୪ରେ ଲୁଣା ଜଙ୍ଗଲର ଓସାର ସମୁଦ୍ର କୂଳକୁ ଲାଗି ହାରାହାରି ୫.୧ କି.ମି ଥିଲା ବେଳେ ୧୯୯୯କୁ ଏହା ହାରାହାରି ୧.୨ ବର୍ଗ କି.ମି ହୋଇଅଛି। ଏହାର ମୂଳ କାରଣ ହେଲା ଲୁଣା ଜଙ୍ଗଲକୁ ସଫା କରି କୃଷି ଜମିରେ ବା ଚିଙ୍ଗୁଡ଼ି ଚାଷରେ ବ୍ୟବହାର କରିବା।

ସାମୁଦ୍ରିକ ଝଡ଼ର ପ୍ରଭାବ ଓ ପ୍ରକୋପକୁ ପ୍ରତିହତ କରିବା ପାଇଁ ଆମକୁ ବର୍ତ୍ତମାନର ୨୫୧ ବର୍ଗ କି.ମି ଲୁଣା ଜଙ୍ଗଲକୁ ଅନ୍ତତଃ ୩୦୦ ବର୍ଗ କି.ମି ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ହେବ। ଓଡ଼ିଶାର ସମସ୍ତ ନଦୀ ମୁହାଣରେ ଲୁଣା ଜଙ୍ଗଲ ସୃଷ୍ଟି ପାଇଁ ଉଦ୍ୟମ କରାଯିବା ମଧ୍ୟ ଦରକାର। ବ୍ରାହ୍ମଣୀ ଓ ବୈତରଣୀ ନଦୀ ମୁହାଣରେ ଓଡ଼ିଶାର ସର୍ବବୃହତ ଲୁଣା ଜଙ୍ଗଲ ଅବସ୍ଥିତ। ଯାହାକି ଭିତରକନିକା ଲୁଣା ଜଙ୍ଗଲ ନାମରେ ଅବିହିତ। ୧୯୭୧ ମସିହାର ପ୍ରଳୟଙ୍କରୀ ବାତ୍ୟା ପରେ ସରକାର ଲୁଣା ଜଙ୍ଗଲର ମହତ୍ତ୍ବକୁ ଉପଲବ୍‌ଧି କରି ଏହାର ସ˚ରକ୍ଷଣ ପାଇଁ ୧୯୭୫ ମସିହାରେ ଭିତରକନିକା ଅଭୟାରଣ୍ୟ ଘୋଷଣା କଲେ। ଏହା ବର୍ତ୍ତମାନ ୬୭୨ ବର୍ଗ କି.ମି ଅଞ୍ଚଳରେ ପରିବ୍ୟାପ୍ତ। ଏହାର ଅଭ୍ୟନ୍ତର ୧୪୫ ବର୍ଗ କି.ମିକୁ ଜାତୀୟ ଉଦ୍ୟାନର ମାନ୍ୟତା ପ୍ରଦାନ କରାଯାଇଛି। ଏଠାରେ ସୁନ୍ଦରୀ, ଗୁଆଁ, ରାଇ, ହାବେଳୀ, ଶିଶୁମାର, ବନ୍ଦରୀ ଏବ˚ ହେନ୍ତାଳ ଆଦି ୬୨ ପ୍ରଜାତିର ଲୁଣା ଉଦ୍ଭିଦ ରହିଛି। ଉଦ୍ଭିଦ ପ୍ରଜାତିର ସାନ୍ଦ୍ରତା ଦୃଷ୍ଟିରୁ ଏହ‌ା ସୁନ୍ଦରବନ ତୁଳନାରେ ଅଧିକ। ପୃଥିବୀରେ କେବଳ ପାପୁଆ ନିଉଗିନିରେ ଭିତରକନିକା ଠାରୁ ଅଧିକ ପ୍ରଜାତିର ଲୁଣା ଉଦ୍ଭିଦ ଦେଖାଯାଆନ୍ତି।

ଭିତରକନିକାରେ ୧୭୦୦ରୁ ଅଧିକ କୁମ୍ଭୀର ଅଛନ୍ତି। ଏଠାରେ ୨୮୦ ପ୍ରଜାତିର ପକ୍ଷୀ ଦେଖାଯାଆନ୍ତି। ଅନେକ ପ୍ରବାସୀ ପକ୍ଷୀ ମଧ୍ୟ ଏଠାକୁ ନିୟମିତ ଆସନ୍ତି। ଏହାଛଡ଼ା ଏଠାରେ ୨୦ ପ୍ରଜାତିର ମାଛ, ୫ ପ୍ରଜାତିର ବେଙ୍ଗ, ୪୨ ପ୍ରଜାତିର ସରୀସୃପ, ୨୮ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ଓ ଭଳିଭଳିକି କୀଟପତଙ୍ଗ ମଧ୍ୟ ବାସ କରନ୍ତି।

ଅଙ୍ଗାରକାମ୍ଳ ତଥା ଅନ୍ୟାନ୍ୟ ସବୁଜଗୃହ ବାଷ୍ପକୁ ଶୋଷିବାରେ ଅନ୍ୟ ଜଙ୍ଗଲ ତୁଳନାରେ ଲୁଣା ଜଙ୍ଗଲ ଅଧିକ ସମର୍ଥ। ଏହି ସବୁ କାରଣରୁ ଲୁଣା ଜଙ୍ଗଲର ସୃଷ୍ଟି, ସୁରକ୍ଷା ଏବ˚ ସମୃଦ୍ଧି ଏକାନ୍ତ କାମ୍ୟ।

(ବିଶ୍ବ ଲୁଣା ଜଙ୍ଗଲ ସ˚ରକ୍ଷଣ ଦିବସ)
ସଦସ୍ୟ, ଲୋକାୟୁକ୍ତ, ଓଡ଼ିଶା

ସମ୍ବନ୍ଧିତ ଖବର