ରାଜଧାନୀର ଘୋଡ଼ା

ଚିନ୍ମୟ ଚେତନା - ଚିନ୍ମୟ କୁମାର ହୋତା

କୁନି ଝିଅଟି ବାହାରିଥିଲା ବାପାଙ୍କ ସାଙ୍ଗରେ କୌଣସି ଏକ ମହାନଗର ବୁଲି। ବାପା ଦର୍ଶନୀୟ ସ୍ଥାନଗୁଡ଼ିକ ପାଖରେ ଗାଡ଼ି ରଖି ଝିଅଟିର କୌତୂହଳପୂର୍ଣ୍ଣ ପ୍ରଶ୍ନ ସବୁର ଉତ୍ତର ଦେଉଥିଲେ। ଯେତେବେଳେ ଜଣେ ଅଶ୍ବାରୋହୀ ମହାଯୋଦ୍ଧାଙ୍କ ପ୍ରତିମୂର୍ତ୍ତିଟି ପାଖରେ ଗାଡ଼ିଟି ଅଟକିଲା, ଝିଅର ପ୍ରଶ୍ନିଳ ଆଖି ଦେଖି ବାପା କହିଲେ, ‘ଇଏ ହେଲେ ବିଶ୍ୱ ବିଜୟୀ ଆଲେକ୍‌ଜାଣ୍ଡାର।’ ଝିଅଟି ସଙ୍ଗେ ସଙ୍ଗେ ଦାବି କଲା, ‘ଆଉ ଆଲେକ୍‌ଜାଣ୍ଡାର ଉପରେ ବସିଥିବା କୁନି ଲୋକଟି କିଏ?’ ପିତାଙ୍କୁ ଏ କଥା ବୁଝାଇବାକୁ କଷ୍ଟ କରିବାକୁ ପଡ଼ିଥିଲା ଯେ ସେହି ଆକର୍ଷଣୀୟ ଘୋଡ଼ାଟି ନୁହେଁ ବରଂ ସେହି ‘କୁନି’ ଅଶ୍ବାରୋହୀ ହେଉଛନ୍ତି ଆଲେକ୍‌ଜାଣ୍ଡାର। ପ୍ରତ୍ୟେକ ଅଶ୍ବାରୂଢ଼ ନରପତି ତାଙ୍କ ବାହନର ଉଦ୍ଦାମ ସୌନ୍ଦର୍ଯ୍ୟ ଓ ପ୍ରାଣଶକ୍ତି ଆଗରେ ଯେ ମଳିନ ଦିଶନ୍ତି ଏହା ଉପଲବ୍‌ଧି କରିବା ପାଇଁ ଗୋଟିଏ ଶିଶୁର ଅନାବିଳ ମନଟିଏ ଲୋଡ଼ା। ପ୍ରସଙ୍ଗଟି ଏଠି ଉତ୍‌ଥାପନ କରିବାର ଉଦ୍ଦେଶ୍ୟ ହେଲା ଏହା ଯେ ଅଶ୍ବ ଜାତିଟି ମଣିଷ ଆଖିରେ ସବୁବେଳେ ଶୋଷିତ ଆଉ ଉପେକ୍ଷିତ। ଦେଖୁ ନାହାନ୍ତି ରାଜଧାନୀର ଘୋଡ଼ାକୁ ନେଇ କେମିତି ବିତର୍କର ଅନ୍ତ ନାହିଁ। ଭୁବନେଶ୍ୱରର ଏକ ଗୁରୁତ୍ୱପୂର୍ଣ୍ଣ ଛକରେ ଏକ ବିଶାଳ ଗୋଲେଇର ପରିସୀମା ଭିତରେ ସ୍ଥାପିତ କୋଣାର୍କ ଅଶ୍ୱର ଏହି ପ୍ରତିମୂର୍ତ୍ତିଟି ତା’ର କଳାକୃତି ପାଇଁ ଯେତିକି ନୁହେଁ, ତା’ର ନିର୍ମାଣ, ପ୍ରତିଷ୍ଠା ଓ ସ୍ଥାନାନ୍ତରଣ ଇତ୍ୟାଦିକୁ ନେଇ ଏବେ ସେତିକି ବିବାଦାସ୍ପଦ।

ଘୋଡ଼ାଙ୍କ ଠାରୁ ଭଦ୍ର ଓ ସୁଧାର ପ୍ରାଣୀ ସମ୍ଭବତଃ ଏ ଦୁନିଆରେ ଦେଖା ଯାଆନ୍ତି ନାହିଁ। ଗଲିଭର୍‌ର ଭ୍ରମଣ କାହାଣୀରେ ଲେଖକ ସ୍ବିଫ୍‌ଟ ତ ଗଲିଭର୍‌କୁ ‘ହୁଇନାମ’ ନାମକ ଏମିତି ଗୋଟିଏ ଘୋଡ଼ା-ରାଜ୍ୟକୁ ନେଇଗଲେ, ଯେଉଁଠି ଅଧିବାସୀମାନଙ୍କର ଚିନ୍ତାଧାରା, ମୂଲ୍ୟବୋଧ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ମଣିଷ ଜାତିଠୁ କାହିଁ କେତେ ଅଧିକ ଉତ୍କୃଷ୍ଟ ମାନର। ଅବଶ୍ୟ ଘୋଡ଼ା ଜାତିକୁ ମଣିଷ ଠାରୁ ଉଚ୍ଚ ଆସନ ଦେବା ଯୁକ୍ତିରେ ଯଥାର୍ଥତା ରହିଛି, ହେଲେ ଖୁବ୍‌ କମ୍ ତାହା ବୁଝନ୍ତି।
ଘୋଡ଼ାଟି ବିଚରା ଅସ୍ତାବଲରେ ରହେ; ଆଉ ତା’ ପାଇଁ ପ୍ରଯୁଜ୍ୟ ସାଧାରଣ ଖାଦ୍ୟ ଖାଏ। ତା’ର ନା କିଛି ଅଳି ଥାଏ ନା କିଛି ପ୍ରତିବାଦ। ତଥାପି ମଣିଷ ଘୋଡ଼ା ମୁହଁରେ ଦାନାର ତୋବଡ଼ା କିମ୍ବା ଚକ୍ଷୁ ବନ୍ଧନୀ ବାନ୍ଧି ତା’ର ଚତୁର୍ଦ୍ଦିଗକୁ ଝପଟି ଯିବାର ଉଚ୍ଛ୍ୱାସକୁ ନିୟନ୍ତ୍ରଣ କରିବାକୁ ସର୍ବଦା ଚେଷ୍ଟିତ ଥାଏ। ଯେଉଁ ଘୋଡ଼ା ପିଠିରେ ବସି ମଣିଷ ଯୁଦ୍ଧ ଲଢ଼େ ଓ ରାଜ୍ୟ ଜୟ କରେ ତଥା ଯାହାର ବେଗକୁ ବାଜି ଲଗାଇ ସେ ରେସ୍‌ କୋର୍ସରେ ପ୍ରଚୁର ଟଙ୍କା ଜିତେ; ସେହି ଘୋଡ଼ାକୁ ଦରକାର ଅନୁସାରେ ଅବହେଳିତ ଓ ପରିତ୍ୟକ୍ତ କରିବାକୁ ପଛାଏ ନାହିଁ। ଅଶ୍ୱମେଧ ଯଜ୍ଞର ଘୋଡ଼ା କଥା ବିଚାର କରନ୍ତୁ। କେଉଁ ରାଜାର ପ୍ରତିପତ୍ତି ପ୍ରତିଷ୍ଠା କରିବା ପାଇଁ ବିଚରା ଘୋଡ଼ାଟି ଦୂର ଦୂରାନ୍ତର ଯାତ୍ରା ପଥ ଅତିକ୍ରମ କରିବ, ଆଉ ଯଦି ବିନା ବାଧାରେ ନିଜ ସାମ୍ରାଜ୍ୟକୁ ଫେରି ଆସିଲା ତେବେ ନୃପତିଙ୍କ ବିଜୟର ପ୍ରତୀକ ସ୍ୱରୂପ ଯଜ୍ଞବଳିରେ ବଧ୍ୟ ହେବ!

ଗ୍ରୀକ୍‌ ଇତିହାସର ଟ୍ରୋଜାନ ଅଶ୍ୱଟି ସେମିତି କାଳ କାଳକୁ ବିଶ୍ୱାସଘାତକତା ଓ ଷଡ୍‌ଯନ୍ତ୍ରର ପ୍ରତୀକ ହୋଇ ରହିଗଲା! ଏହି କାଷ୍ଠ ନିର୍ମିତ ଘୋଡ଼ାରେ ଲୁଚି ରହି ଗ୍ରୀକ୍‌ ସୈନ୍ୟମାନେ ଟ୍ରୟରେ ପ୍ରବେଶ କଲେ ଓ ଟ୍ରୟର ପତନ ହେଲା। ଏହି ଟ୍ରୋଜାନ ଅଶ୍ୱ କିମ୍ବଦନ୍ତି ପୃଷ୍ଠାରେ ସୀମିତ ହୋଇ ରହିଥା’ନ୍ତା ଭଲା! ଏହାକୁ ଗୋଟିଏ କମ୍ପ୍ୟୁଟର ଭାଇରସ୍‌ ନାମରେ ନାମିତ କରି ଆଧୁନିକ ଯୁଗରେ ମଧ୍ୟ ଘୋଡ଼ାର ନାମକୁ କଳୁଷିତ କରାଗଲା। ଆଉ ଏବେ ଗ୍ରୀକ୍‌ ପୁରାଣର ସ୍ୱର୍ଗୀୟ ଓ ପବିତ୍ର ଘୋଡ଼ା ‘ପିଗାସସ୍‌’ର ନାଁକୁ ଏକ ବିବାଦୀୟ ଗୋଇନ୍ଦା ସଫ୍‌ଟ‌‌େୱର ସହିତ ଯୋଡ଼ି ଦେଖନ୍ତୁ କେମିତି ରାଜନୈତିକ ଝଡ଼ ବହୁଛି। ରାଜନୀତିର ‘ଘୋଡ଼ା ବେପାର’, ଅବାସ୍ତବ ବସ୍ତୁ ଉଦ୍ଦେଶ୍ୟରେ ବ୍ୟଙ୍ଗାତ୍ମକ ଅଭିବ୍ୟକ୍ତି ‘ଘୋଡ଼ା ଡିମ୍ବ’, ଆହୁରି ତିରସ୍କାର ପାଇଁ ବ୍ୟବହୃତ ‘ଘୋଡ଼ାମୁହାଁ’, ‘ଘୋଡ଼ାମଦୁଆ’ ଇତ୍ୟାଦି ଭଳି ଶବ୍ଦଗୁଡ଼ିକ ପ୍ରାଣୀଟିକୁ ଆହୁରି ନୀଚା ଦେଖାଇ ଚାଲିଛନ୍ତି।

ଘୋଟକ ଜାତି ପ୍ରତି ଅବହେଳା ଓ ଲାଂଛନାର ଇତିହାସରେ ନୂଆ ଏକ ଅଧ୍ୟାୟ ଯୋଡ଼ିଛି ରାଜଧାନୀର ଘୋଡ଼ା। ପ୍ରଥମରୁ ରାଜଧାନୀର ଏକ ପ୍ରସିଦ୍ଧ ମାର୍ଗର ମଧ୍ୟ ଭାଗରେ ଏହାର ନିର୍ମାଣ ଆରମ୍ଭ ହେବା ଦିନରୁ ଘୋଡ଼ାଟି ଅବହେଳିତ। ଗଲା ଶତାବ୍ଦୀର ଅଷ୍ଟମ ଦଶକର ମଧ୍ୟ ଭାଗରେ ଆରମ୍ଭ ହୋଇଥିବା ଘୋଡ଼ାଟିର ନିର୍ମାଣ କାର୍ଯ୍ୟ ଅହେତୁକ ଭାବେ ମନ୍ଥର ଥିଲା। ଅନେକ ସମୟ ଧରି ତାରପୋଲିନ ଚାନ୍ଦୁଆ ତଳେ ଘୋଡ଼ା କାର୍ଯ୍ୟ ବନ୍ଦ ହୋଇ ପଡ଼ିଥିବା କଥା ଲୋକେ ଦେଖୁଥିଲେ ଓ ଏହାର କାରଣ ବିଷୟରେ କୌତୂହଳ ପ୍ରକାଶ କରୁଥିଲେ। ଯେଉଁ ଦିନ ଘୋଡ଼ା ତିଆରି କାମ ସରିବ, ସେହିଦିନ ମନ୍ତ୍ରୀମଣ୍ଡଳର ପତନ ହେବାର ଭବିଷ୍ୟବାଣୀ ହୋଇଥିବାରୁ କାମ ସରୁନାହିଁ ବୋଲି କିଛି ବଗୁଲିଆ ଗୁଜବ ମଧ୍ୟ ପ୍ରଚାର କରିଥିଲେ। ଏହି ଲେଖକ ମଧ୍ୟ ସେହି ସମୟରେ ସେ ଘୋଡ଼ାକୁ ନେଇ ଏହି ସମ୍ବାଦପତ୍ରରେ ଏକ ବ୍ୟଙ୍ଗାତ୍ମକ ନିବନ୍ଧ ଲେଖିଥିଲା।

ବିଳମ୍ବରେ ହେଉ ପଛେ ପ୍ରତିମୂର୍ତ୍ତିଟି ଦିନେ ସମ୍ପୂର୍ଣ୍ଣ ହୋଇ ମାଷ୍ଟର-କ୍ୟାଣ୍ଟିନ ଛକରେ ସ୍ଥାପିତ ହେଲା; ସତେ ଯେମିତି ରାଜଧାନୀରେ ଆଗନ୍ତୁକମାନଙ୍କୁ ସ୍ୱାଗତ ଜଣାଉଛି ଓଡ଼ିଶା ଭାସ୍କର୍ଯ୍ୟ କଳାର ଏହି ପ୍ରତୀକ। ଅବଶ୍ୟ ପ୍ରତିମୂର୍ତ୍ତିଟି ଲୋକଙ୍କୁ କେତେ ପ୍ରଭାବିତ କରିପାରିଛି ତାହା ଜାଣିବା କଷ୍ଟକର; କାରଣ ସେହି ଛକଟି ଆଜି ବି ତା’ର ପୁରୁଣା ନାଁରେ ପରିଚିତ। ସେ ଛକ ଅଞ୍ଚଳଟିରେ ଭିଡ଼ ଏତେ ଯେ ସେଠି ଦଣ୍ଡେ ଅଟକି ଭାସ୍କର୍ଯ୍ୟର ଶୋଭାକୁ ଉପଭୋଗ କରିବାକୁ ପଥଚାରୀକୁ ସମୟ ବା ସୁଯୋଗ ଜୁଟେନା।

ହେଲେ ସବୁ ପୁଣି ଗତାନୁଗତିକ ହୋଇଯିବା ପରେ ଏବେ ପୁଣି ଶୁଣାଯାଉଛି ଯେ ସ୍ମାର୍ଟ ନଗରର ଯୋଜନାକୁ ସଫଳ କରିବା ପାଇଁ ଏହି ଘୋଡ଼ାଟି କୁଆଡେ ବାଧକ; ତେଣୁ ମୂର୍ତ୍ତିଟିର ସ୍ଥାନାନ୍ତରଣ କରାଯିବା ଦରକାର। ହେଲେ, ବର୍ତ୍ତମାନ ସେହି ହତଭାଗା ଘୋଡ଼ାଟିର ଅନେକ ପୃଷ୍ଠପୋଷକ। ସ୍ଥାନାନ୍ତରଣ ବିରୋଧୀ କହୁଛନ୍ତି ଘୋଡ଼ାଟି ଓଡ଼ିଆ ଜାତି, ଐତିହ୍ୟ ଓ ସ୍ୱାଭିମାନର ପ୍ରତୀକ; ଆଉ ସ୍ଥାନାନ୍ତରଣ ସମର୍ଥକ କହୁଛନ୍ତି ଘୋଡ଼ାକୁ ଆହୁରି ସମ୍ମାନାସ୍ପଦ ସ୍ଥାନକୁ ନିଆ ଯାଇ ତା’ର ହୃତ ଗୌରବ ତାକୁ ଫେରାଇ ଦିଆଯିବ। ହେଲେ ପଥର ଘୋଡ଼ାଟି ସବୁଦିନ ଭଳି ଆଜି ବି ନିରବରେ ଛିଡ଼ା ହୋଇ ଦୁଇ ପକ୍ଷଙ୍କ ଆଗାମୀ ରଣନୀତିର ଫଳାଫଳକୁ ଅପେକ୍ଷା କରିଛି ଯେମିତି!

ମୋ: ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର