ସନ୍ଥ- ସଭ୍ୟତା

ଲୋକକ୍ଷେତ୍ର - ହରପ୍ରସାଦ ଦାସ

ବିଶ୍ବର ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ସମୟରେ ବିଭିନ୍ନ ସଭ୍ୟତା ବିକଶିତ ହେବାର ପ୍ରକ୍ରିୟାକୁ ନେଇ ବିଶ୍ବର ବିଜ୍ଞ ଜନ କୌଣସି ତୁଳନାତ୍ମକ ଅଧୢୟନରେ ବ୍ରତୀ ହୋଇନାହାନ୍ତି, କାରଣ ଶିଳ୍ପ ବିପ୍ଳବ ଓ ସାମ୍ରାଜ୍ୟବାଦୀ ବିଚାର ବିଶ୍ବର ଜ୍ଞାନତନ୍ତ୍ରକୁ ଷୋଡ଼ଶରୁ ଊନବି˚ଶ ଶତାବ୍ଦୀ ମଧୢରେ ପୂର୍ଣ୍ଣ କବଳିତ କରି ‘ସଭ୍ୟତା’କୁ ଅସାର ସିଦ୍ଧ କରି ଦେଇଚନ୍ତି। ଶିଳ୍ପ ବିପ୍ଳବ ଏ ବିଭ୍ରାନ୍ତକାରୀ ମାନ୍ୟତା ସୃଷ୍ଟି କରିଚି ଯେ ମଣିଷର ଶ୍ରମ ଠାରୁ ଯନ୍ତ୍ରର ପରାକ୍ରମ ଅଧିକ ଉତ୍ପାଦନ-କ୍ଷମ, ତେଣୁ ତାହା ବିକାଶର କାରକ। ସେହିଭଳି ସାମ୍ରାଜ୍ୟବାଦ, ଅନ୍ତତଃ ବି˚ଶ ଶତାବ୍ଦୀର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ବିଶ୍ବକୁ ଏ ବିଭ୍ରାନ୍ତକାରୀ ମାନ୍ୟତା ଦେଇ ଚାଲିଥିଲା ଯେ ବିଷୟବୁଦ୍ଧି, କୂଟବୁଦ୍ଧି ଓ ବାହୁବଳର ସାମର୍ଥ୍ୟ ହିଁ ଶ୍ରେଷ୍ଠତାର ପ୍ରମାଣ ଓ ଏହି ଶ୍ରେଷ୍ଠତାର ଆଧାରରେ ବିଶ୍ବର କ୍ଷେତ୍ରାଧିକାର ସ୍ବାଭାବିକ ଭାବରେ ସାମ୍ରାଜ୍ୟବାଦୀ ଶକ୍ତିର କରଗତ। ସତେ ଯେମିତି ଉପନିବେଶରେ ପରିଣତ ହେବା ବିଶ୍ବର ତିନି ଚତୁର୍ଥା˚ଶ କ୍ଷେତ୍ରର ଅଲ˚ଘ୍ୟ ଭାଗ୍ୟ। ଏକ ଚତୁର୍ଥା˚ଶରେ ବିରାଜମାନ ୟୁରୋ-ଆମେରିକାନ୍‌ ଦେଶ, ଉଭୟ ସାମ୍ରାଜ୍ୟବାଦ ଓ ଶିଳ୍ପ ବିପ୍ଳବର ବିଚାରଧାରାରୁ ଜନ୍ମିଥିବା ସଭ୍ୟତା-ବିରୋଧୀ ତତ୍ତ୍ବର ପ୍ରତିଷ୍ଠାତା ଓ ପ୍ରସାରକାରୀ। ଦୁର୍ଭାଗ୍ୟକୁ ବିଶ୍ବର ସମସ୍ତ ଜ୍ଞାନକେନ୍ଦ୍ର ଏଇମାନଙ୍କ ଦ୍ବାରା ନିର୍ମିତ ଓ ପରିଚାଳିତ, ତେଣୁ ‘ସଭ୍ୟତା’ର ମାନବୀୟ-ଦାର୍ଶନିକ ଧରାତଳ ସହିତ ଏ ଜ୍ଞାନକେନ୍ଦ୍ରଗୁଡ଼ିକ ବିଶେଷ ପରିଚିତ ନୁହନ୍ତି। ଗ୍ରେକୋରୋମାନ ସଭ୍ୟତାର ଦାର୍ଶନିକ ଅବଦାନକୁ ରେନାଁସାଁ ବା ଜ୍ଞାନୋଦୟ ବା ନବୋନ୍ମେଷ (ଷୋଡ଼ଶରୁ ଅଷ୍ଟାଦଶ ଶତାବ୍ଦୀ) କାଳରେ ୟୁରୋପୀୟମାନେ କିଭଳି ପୁନନିର୍ମାଣ କରିଚନ୍ତି, ସେ ବିଚାର ହୁଏ’ତ ଆଜି ଅନାବଶ୍ୟକ, କିନ୍ତୁ ଜାଣିବା ଜରୁରୀ ଯେ ଗ୍ରେକୋରୋମାନ ସଭ୍ୟତାର ଧ୍ବ˚ସାବଶେଷରୁ ସେ ସଭ୍ୟତାର ପୁରାକଳ୍ପ (ମାଇଥୋଲୋଜି) ଓ ଦର୍ଶନ ମିଳିନାହିଁ। ଷୋଡ଼ଶରୁ ଅଷ୍ଟାଦଶ ଶତାବ୍ଦୀ ଭିତରେ ପାଠ ଆକାରରେ ତାକୁ ଲେଖିଚନ୍ତି ୟୁରୋପୀୟମାନେ। ତେଣୁ ପ୍ଲାଟୋ, ଆରିଷ୍ଟୋଟଲ୍‌, ସକ୍ରେଟିସ୍‌ ବା ଇଉକ୍ଲିଡ୍‌ଙ୍କ ରଚନା, ତତ୍ତ୍ବ ଓ ଅବଦାନ ବିଷୟରେ ଆମେ ଯାହା ଜାଣୁ, ସେ ସବୁ ନବୋନ୍ମେଷର ‘ଜ୍ଞାନନିର୍ମାଣ’ ପରିଯୋଜନା ଅନ୍ତର୍ଭୁକ୍ତ।

ସେ ଦିନ ରୋମ୍‌ରେ ବିମାନ ବନ୍ଦରରେ ଜେନେଭା ଉଡ଼ାଣ ପାଇଁ ଅପେକ୍ଷା କରିଥିଲା ବେଳେ ମୋର ସହଯାତ୍ରୀ ଦୁଇଜଣ ଗଣିତ ପ୍ରଫେସରଙ୍କ ମଧୢରେ (ଜଣେ ଆଫ୍ରିକାନ୍‌, ଜଣେ ଇଟାଲିଆନ୍‌) ତୁମୁଳ ବିତର୍କ ଚାଲିଥିଲା ଇଉକ୍ଲିଡ୍‌ଙ୍କୁ ନେଇ। ଆଫ୍ରିକାନ୍‌ ପ୍ରଫେସର କହୁଥିଲେ ଇଉକ୍ଲିଡ୍‌ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ନୁହନ୍ତି, ତାଙ୍କର ଜୀବନୀଗ୍ରନ୍ଥ ଏକ କାଳ୍ପନିକ ଗ୍ରନ୍ଥ ଓ ଷୋଡ଼ଶ ଶତାବ୍ଦୀ ସୁଦ୍ଧା ବିକଶିତ ଜ୍ୟାମିତି ସୂତ୍ରକୁ ଗ୍ରେକୋରୋମାନ୍‌ ଅବଦାନ ଭାବରେ ଉପସ୍ଥାପିତ କରିବାର ପ୍ରୟାସ କରାଯାଇଚି। ଇଟାଲୀୟ ପ୍ରଫେସର ଖୁବ୍‌ ଉତ୍ତ୍ୟକ୍ତ ହେଇ ପଡୁଥିଲେ, କିନ୍ତୁ ତାଙ୍କ ପାଖରେ ତର୍କ ନ ଥିଲା। ମୁଁ ଗଣିତଜ୍ଞ ନୁହେଁ କି ଐତିହାସିକ ନୁହେଁ, କିନ୍ତୁ ଏତିକି ଚିନ୍ତା କରିବା ପାଇଁ ସମର୍ଥ ଯେ ୟୁରୋପୀୟଙ୍କ ‘ରେନାଁସାଁ’ ପ୍ରୋଜେକ୍ଟ ଥିଲା ମୁଖ୍ୟତଃ ଗ୍ରେକୋ-ରୋମାନ ସଭ୍ୟତାର ପୁନନିର୍ମାଣର ବା କହିପାରନ୍ତି ପାଠ୍ୟ ପ୍ରକରଣର। କିନ୍ତୁ ଏ ପ୍ରକ୍ରିୟାରେ ସେମାନେ ଗୋଟିଏ କଥା ଭୁଲିଗଲେ। ସେଇଟି ହେଉଚି ସଭ୍ୟତାର ମାନବୀୟ ଉପଲବ୍‌ଧ। ଗ୍ରେକୋରୋମାନ ଇତିହାସ ଭୟଙ୍କର, କ୍ରୂର, ଅମାନୁଷିକ। ଏପରି କି ଧର୍ମର କ୍ଷେତ୍ରରେ ମଧୢ ଓଲଡ୍‌ ଟେଷ୍ଟାମେଣ୍ଟ ଓ ନିଉ ଟେଷ୍ଟାମେଣ୍ଟ ମଧୢରେ ଥିବା ଚାରି ଶହ ବର୍ଷର ସମୟ ରକ୍ତରଞ୍ଜିତ। ଗ୍ରେକୋରୋମାନ ଇତିହାସରେ ସମସ୍ତ ପୁରାକଳ୍ପୀୟ ଦେବତା ଓ ଦେବୀ ଅଲୌକିକ ଓ ଅସୀମ ଶକ୍ତିର ଅଧିକାରୀ, କିନ୍ତୁ କରୁଣାର କଳ୍ପନାକୁ ନେଇ ସେମାନେ କେତେ ଦୁର୍ବଳ! ଯୀଶୁଖ୍ରୀଷ୍ଟଙ୍କ କରୁଣାମୂର୍ତ୍ତି, ଗ୍ରେକୋରୋମାନ୍‌ ସଭ୍ୟତାର ସମସ୍ତ ହି˚ସ୍ରତା, ରକ୍ତପାତ, କ୍ରୂରତା ଓ ଶକ୍ତିମୟତାକୁ ପ୍ରତ୍ୟାଖ୍ୟାନ କରି ମାନବୀୟତାର ପରମ ପ୍ରତିଷ୍ଠା। କିନ୍ତୁ ଠିକ୍‌ ଅର୍ଥରେ ଯୀଶୁଖ୍ରୀଷ୍ଟ ଗ୍ରେକୋରୋମାନ ସଭ୍ୟତାର ଉପଜ ନୁହନ୍ତି, ସବୁ ସଭ୍ୟତାର ସର୍ବୋଚ୍ଚ ଆସ୍ଥା ରୂପମାନଙ୍କ ଭଳି ସେ ମଧୢ ଆସ୍ଥାରୂପ, ଯାହାଙ୍କୁ ନେଇ ଏକ ବିଶାଳ ଧର୍ମର ପ୍ରତିଷ୍ଠା।

ସତ କହିଲେ ପାଶ୍ଚାତ୍ୟ ଜ୍ଞାନ କୈନ୍ଦ୍ରିକ ମଣିଷର ମହତ୍ତ୍ବାକା˚କ୍ଷା, ଅର୍ଜନ, ପରାକ୍ରମ ଓ ଅବଦମନକାରୀ ପ୍ରବୃତ୍ତିକୁ ଗୁରୁତ୍ବ ଦେଇ ଅଭିଯାନ, ଆବିଷ୍କାର ଓ ଉପଲବ୍‌ଧମାନଙ୍କୁ ତତ୍ତ୍ବାୟିତ କରିଚାଲିଚି, କିନ୍ତୁ ମାନବୀୟ କରୁଣା, ମାନବୀୟ ଭଙ୍ଗୁରତା, ମାନବୀୟ ସ୍ପର୍ଶକାତରତା, ମାନବୀୟ ସ˚ପର୍କ ଓ ମାନବୀୟ ସାମୂହିକ ଜୀବନର ସୌନ୍ଦର୍ଯ୍ୟ ତଥା ଅଭିଳାଷକୁ ନେଇ ସେମାନଙ୍କ ଜ୍ଞାନ ବିଚାରରେ ତତ୍ତ୍ବ ନାହିଁ, କାରଣ ସେମାନଙ୍କର ସଭ୍ୟତା ପ୍ରତି ଅନୁରାଗ ନାହିଁ। ସେମାନେ ଏବେ ‘ସଭ୍ୟତା-ଉତ୍ତର’ (ପୋଷ୍ଟ ସିଭିଲାଇଜେସନ୍‌) କଥା କହିଲେଣି! କି ବିସ୍ମୟର କଥା! ଆମେରିକାନଙ୍କର ସଭ୍ୟତା ନାହିଁ ଓ ୟୁରୋପୀୟମାନେ ତାଙ୍କ ସଭ୍ୟତାକୁ ମାରି ସାରିଚନ୍ତି। ତେଣୁ ସେମାନେ ସଭ୍ୟତା-ବିମୁଖ! କିନ୍ତୁ ଆମର ତ ଅଛି!
ଭାରତୀୟ ସଭ୍ୟତା, ବିଶ୍ବର ଏକମାତ୍ର ଜୀବିତ ସଭ୍ୟତା। ଇଏ ଜୀବିତ ଥିବାର ପ୍ରମାଣ ଆମର ଲୋକକଳ୍ପନାରେ, ଲୋକାସ୍ଥାରେ ଓ ଲୋକଧର୍ମରେ। ଆହୁରି ସରଳ କରି କହିଲେ ୟାର ପ୍ରମାଣ ଏବେ ମଧୢ ମାନ୍ୟ ଭାରତୀୟ ସଭ୍ୟତାର ମୂଲ୍ୟବୋଧରେ। ଏ ମୂଲ୍ୟବୋଧ ନୈତିକ, ବୌଦ୍ଧିକ ଓ ବୈଚାରିକ। ଆମ ପାଇଁ ସଭ୍ୟତା ଅସାର ନୁହେଁ। ଆମେମାନେ କହୁନାହିଁ ଯେ ଯନ୍ତ୍ର, ଯାନ୍ତ୍ରିକତା, ବିଜ୍ଞାନ ବା ବୈଜ୍ଞାନିକତା କୌଣସି ସ୍ଥିତିରେ ମଣିଷ ଠାରୁ ବଡ଼। ସମସ୍ତ ଜ୍ଞାନ ମାନବୀୟ ଅସ୍ତିତ୍ବବୋଧର ଅଧୀନ ଓ ସମସ୍ତ ପରାକାଷ୍ଠା ବ୍ରହ୍ମଲୀନ! ଈଶ୍ବରଙ୍କ କଳ୍ପନା ଓ ଐଶ୍ବର୍ଯ୍ୟର ବିଚାର ମଧୢ ମାନବୀୟ ଉତ୍କର୍ଷର ଅପରିମେୟ ସଦା-ଉନ୍ମୁକ୍ତ ସମ୍ଭାବନାକୁ ନେଇ। ବସ୍ତୁ ଉପାଦାନ ଓ ବସ୍ତୁଭୋଗ ଆମର ସଭ୍ୟତା ନୁହେଁ। ସେଇଥିଯୋଗେ ଭାରତୀୟ ଲୋକକ୍ଷେତ୍ର ବହୁକାଳ ପର୍ଯ୍ୟନ୍ତ ସନ୍ଥ-ପରିଚାଳିତ, ସନ୍ଥ-ପରିକଳ୍ପିତ ଓ ସନ୍ଥତ୍ବ-ଅଭିଳାଷୀ ତତ୍ତ୍ବମାନଙ୍କ ଦ୍ବାରା ପ୍ରଭାବିତ ହୋଇ ରହିଥିଲା। ଏବେ ମଧୢ ସନ୍ଥପୁରୁଷମାନେ ଭାରତୀୟ ଲୋକକ୍ଷେତ୍ରରେ ସମ୍ମାନିତ। ଏବେ ମଧୢ ସନ୍ଥଙ୍କ ସହିତ ସାଧାରଣ ଭାରତୀୟର ସ˚ପର୍କ ସ˚ଭ୍ରମ ଓ ଦୂରତ୍ବର। ସନ୍ଥଙ୍କୁ ଆମେ ଏକ ଉତ୍ତରିତ ଶ୍ରେଣୀର ମାନବ ଭାବରେ ଦେଖୁଁ। ଭାରତୀୟଙ୍କ ସଭ୍ୟତାର ସ˚ସ୍କାର ସବୁ ଭାରତୀୟଙ୍କ ଅନ୍ତଃକରଣରେ ସନ୍ଥତ୍ବର ଏକ ଭିତ୍ତିଚିତ୍ର ଛାଡ଼ି ଯାଇଚି। ୟାକୁ ନୃତତ୍ତ୍ବର ‘ଗଭୀର ସ˚ରଚନା’ (ଡିପ୍‌ ଷ୍ଟ୍ରକ୍‌ଚର/ଲେଭି ଷ୍ଟ୍ରାଉସ୍‌) ଆଲୋକରେ ଦେଖାଯାଇପାରେ ବା ମନସ୍ତତ୍ତ୍ବର ‘ଆର୍କିଟାଇପ୍‌’ (ଆଦିବିମ୍ବ ୟୁଙ୍ଗ୍‌)ର ଆଲୋକରେ ଦେଖାଯାଇପାରେ। ସନ୍ଥଙ୍କ ଆଶୀର୍ବାଦ, ସନ୍ଥଙ୍କ ବାଣୀ, ସନ୍ଥଙ୍କ ଉପଦେଶ ଓ ସନ୍ଥଙ୍କ ଆଦେଶ ଏବେ ମଧୢ ସାଧାରଣ ଜୀବନରେ ଅଲ˚ଘ୍ୟ, ଅକାଟ୍ୟ ଓ ତର୍କାତୀତ ହୋଇ ରହିବାର କାରଣ ଏହି ଶରୀର ସ˚ରଚନା ବା ଆଦି ବିମ୍ବ ଏବେ ମଧୢ କ୍ରିୟାଶୀଳ। କିନ୍ତୁ ଏସବୁ ଭିତରେ ସନ୍ଥ ଓ ସନ୍ଥତ୍ବ ପ୍ରତି ଆମର ଦୃଷ୍ଟିକୋଣରେ ଗୋଟିଏ ବଡ଼ ପରିବର୍ତ୍ତନ ଘଟିଚି। ସେ ପରିବର୍ତ୍ତନ ଏହି ଯେ ଆମେ ସନ୍ଥଙ୍କ ଠାରୁ ସନ୍ଥତ୍ବର ବାଣୀ ସହିତ ସନ୍ଥତ୍ବର କର୍ମ ଆଶା କରୁଚୁ। ଜଣେ ଯଦି ସନ୍ଥ, ତେବେ ସେ ଏହା ମଧୢ ପ୍ରମାଣ କରନ୍ତୁ ସେ ବିନା ପ୍ରବଚନରେ, ବିନା ବାଣୀରେ ଆମର ସାମୂହିକ ଜୀବନକୁ କି ଅବଦାନ ଦେଇପାରିବେ!

ଗୋଟିଏ ଉଦାହରଣ ମୋ ସମ୍ମୁଖରେ। ମୋ ସମ୍ମୁଖରେ ଦୁଇ ହଜାର ପୃଷ୍ଠାର ଦୁଇଟି ଗ୍ରନ୍ଥ (ପ୍ରତି ଖଣ୍ତ ଏକ ହଜାର ପୃଷ୍ଠା)। ୟାର ଶୀର୍ଷକ ‘କ୍ରମ ବିକଶିତ ଓଡ଼ିଆ ଶବ୍ଦ ସମ୍ଭାର’। ୟାର ପ୍ରକାଶକ ‘ଓଡ଼ିଶା ଭାଷା, ସ˚ସ୍କୃତି ଗବେଷଣା କେନ୍ଦ୍ର, ତିରୁବନ୍ନାମଲାଇ, ତାମିଲନାଡୁ। ଆପଣ ବିସ୍ମିତ? ଏ ବିରାଟ ମୌଳିକ ଗବେଷଣା କାର୍ଯ୍ୟ ତିରୁବନ୍ନାମଲାଇ, ତାମିଲନାଡୁରେ କିଭଳି ସମ୍ଭବ? ଓଡ଼ିଆ ଶବ୍ଦମାନଙ୍କର କ୍ରମ ବିକାଶ ଠାବ କରିବା ଗୋଟିଏ ସହଜ କାର୍ଯ୍ୟ ନୁହେଁ। ଏଥିପାଇଁ ଏକ ବିଶାଳ ଅନୁଷ୍ଠାନ ଓ ତତ୍‌ସହିତ ଏକ ଭାଷାରସିକ ଗବେଷକ-ଗୋଷ୍ଠୀ ଲୋଡ଼ା, ତତ୍‌ସହିତ ପ୍ରଚୁର ପୁଞ୍ଜିନିବେଶ! ଏ ମହତ୍‌ କାର୍ଯ୍ୟର ପରିକଳ୍ପନା କରିଥିଲେ ଜଣେ ଓଡ଼ିଆ ସନ୍ଥ ସ୍ବାମୀ ଶ୍ରୀ ଆତ୍ମାନନ୍ଦ ୨୦୦୪ରେ ଗୁରୁ ପୂର୍ଣ୍ଣିମା ଦିନ। ୨୦୨୧ର ଗୁରୁ ପୂର୍ଣ୍ଣିମା ଦିନ, ଅର୍ଥାତ୍‌ ଦୀର୍ଘ ସତର ବର୍ଷ ପରେ ତାଙ୍କର ଏହି ମହତ୍‌ ପରିକଳ୍ପନାର ଫଳଶ୍ରୁତିକୁ ଭାରତୀୟ ସନ୍ଥ ପର˚ପରାର ଏକ ଭବ୍ୟ ଅବଦାନ ଭାବରେ ମୁଁ ଉପସ୍ଥାପନ କରିବାର କଳ୍ପନା କରୁଚି ଓଡ଼ିଆ ଲୋକକ୍ଷେତ୍ରରେ। ସ୍ବାମୀ ଆତ୍ମାନନ୍ଦ ରେଭେନ୍‌ସା କଲେଜ, ଶାନ୍ତିନିକେତନ, ଦିଲ୍ଲୀ ସ୍କୁଲ ଅଫ୍‌ ଇକୋନୋମିକ୍‌ସ ଓ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର। ଦିଲ୍ଲୀ ସ୍କୁଲ୍‌ ଅଫ୍‌ ଇକୋନୋମିକ୍‌ସରୁ ସ୍ନାତକୋତ୍ତର ଓ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଏମ୍‌.ବି.ଏ। ସନ୍ନ୍ୟାସ ନେଇ ଅରୁଣାଚଳରେ ତପଃଲୀନ ହୋଇ ସିଦ୍ଧି ଲାଭ କରିଚନ୍ତି। ଏକଦା ମହର୍ଷି ମହେଶଯୋଗୀଙ୍କ ଶିଷ୍ୟ ଓ ଆନ୍ତର୍ଜାତିକ ଅନୁଷ୍ଠାନର ବିତ୍ତ ନିର୍ଦ୍ଦେଶକ, ସେ ଏବେ ନିଜର ମାର୍ଗ ବାଛି ନେଇଚନ୍ତି ଓ ତିରୁବନ୍ନାମଲାଇରେ ତାଙ୍କର ଆଶ୍ରମ ପ୍ରତିଷ୍ଠା କରିଚନ୍ତି। ସ୍ବାମୀ ଆତ୍ମାନନ୍ଦଙ୍କ ମାର୍ଗ ‘ସତ୍ୟବାର୍ତ୍ତା’। ସେ ସତ୍ୟଚେତନା ଆନ୍ତର୍ଜାତିକ ଆଧୢାତ୍ମିକ ଆନ୍ଦୋଳନର ପ୍ରତିଷ୍ଠାତା। ‘ଓଡ଼ିଆ ଭାଷା’ ତାଙ୍କର ଏକ କର୍ମକ୍ଷେତ୍ର। ଓଡ଼ିଆ ଭାଷାର ସୌନ୍ଦର୍ଯ୍ୟ, ଅଭିବ୍ୟକ୍ତି କ୍ଷମତା ଓ ବହୁମୁଖୀ ବୈଚିତ୍ର୍ୟ ତାଙ୍କୁ ଏଭଳି ମୁଗ୍‌ଧ କଲା ଯେ ସେ ଏ ଭାଷାର ପ୍ରୟୋଗ ଉପରେ ଅନୁସନ୍ଧାନ ପାଇଁ ଏକ କେନ୍ଦ୍ର ପ୍ରତିଷ୍ଠା କରି ନିରବରେ ଆମ ଅଜାଣତରେ ଏତେବଡ଼ କାର୍ଯ୍ୟ ସମ୍ଭବ କରାଇପାରିଚନ୍ତି। ଓଡ଼ିଆ ଭାଷାର ବିଦ୍ବାନ ପ୍ରଫେସର ଖଗେଶ୍ବର ମହାପାତ୍ରଙ୍କର ତତ୍ତ୍ବାବଧାନରେ ‘ଓଡ଼ିଆ ଶବ୍ଦ ସମ୍ଭାର’ର କ୍ରମବିକାଶ ଏହି ଦୁଇ ଖଣ୍ତ ଗ୍ରନ୍ଥରେ ଲିପିବଦ୍ଧ। ଏ କାର୍ଯ୍ୟର ତାତ୍ପର୍ଯ୍ୟ ଯେଉଁମାନେ ଅନୁମାନ କରିପାରୁନାହାନ୍ତି, ସେମାନେ ଏତିକି ତ କଳ୍ପନା କରିପାରିବେ ଯେ ଯେଉଁ ଓଡ଼ିଆ ଭାଷା ଆମେ ଆଜି ବ୍ୟବହାର କରୁଚେ, ସେ ଭାଷା ପଛରେ ଅନ୍ତତଃ ଦୁଇ ହଜାର ବର୍ଷର ସା˚ସ୍କୃତିକ ଜୀବନ ଓ ଗୋଟିଏ ଜାତିର ଅସ୍ତିତ୍ବ ଜଡ଼ିତ ହୋଇଅଛି! ତେଣୁ ଯେଉଁ ଶବ୍ଦ ଏବେ ଯେଉଁଭଳି ବ୍ୟବହୃତ ହେଉଚି ତା’ର ବିବର୍ତ୍ତନ ଦେଖିଲେ ଅର୍ଥମୟତାର ବିଭିନ୍ନ ସମ୍ଭାବନା ଦିଶିବ। ମନେ କରନ୍ତୁ ଆମ ଆଖିରେ ସାଧାରଣ ଦିଶୁଥିବା ଗୋଟିଏ ଦୃଶ୍ୟକୁ ଆମେ ବର୍ଣ୍ଣିବା। ଏବେ ଆମେ କହୁଚେ ‘ସାଧାରଣ ଦୃଷ୍ଟିରେ ଏଇଆ ଦିଶିଲା ବା ହେଲା’। ଆମେ ଭୁଲିଯାଇଚେ ଆମ ପୂର୍ବପୁରୁଷ ‘ସାଧାରଣ ଦୃଷ୍ଟିରେ’ ସ୍ଥାନରେ ଗୋଟିଏ ସୁନ୍ଦର ଶବ୍ଦ ପ୍ରୟୋଗ କରୁଥିଲେ ‘ଲୋକିତେ’। ‘ଲୋକିତେ ସେ ଯାହା ପ୍ରକୃତରେ ତାହା ନୁହଁ’। ଏଠି ‘ସାଧାରଣ ଦୃଷ୍ଟିରେ’ ଠାରୁ ଅଧିକ ସୁନ୍ଦର ‘ଲୋକିତେ’ ଶବ୍ଦର ପ୍ରୟୋଗ ହେଲା। ସେହିପରି ଆମେ ଭୁଲିଗଲେଣି ଯେ ‘ଲୋଡ଼ିବା’ ବା ‘ଲୋଡିବା’ ଭିତରେ ଏକ ପାର୍ଥକ୍ୟ ଅଛି। ଏମିତି ଅସ˚ଖ୍ୟ ଉଦାହରଣ। ସନ୍ଥଙ୍କର ସାମାଜିକ ଦାୟିତ୍ବ ଠିକ୍‌ କ’ଣ, ୟାର ଅନୁମାନ କରିବା ପାଇଁ ସ୍ବାମୀଜୀ ଆମ ପାଇଁ ଦ୍ବାର ଉନ୍ମୁକ୍ତ କରି ଦେଇଚନ୍ତି ଓ ସମସ୍ତ ସନ୍ଥଙ୍କ ପାଇଁ ଏକ ମାନଦଣ୍ତ ନିର୍ମାଣ କରିଚନ୍ତି।

ବିଶାଳ ଭାରତୀୟ ଲୋକକ୍ଷେତ୍ରର ନିବିଡ଼ ସଭ୍ୟତାଗତ ପ୍ରକୃତ ସ˚ହତି ସୂତ୍ର ସନ୍ଥତ୍ବ। ହିମାଚଳର ସନ୍ଥ ଓ କନ୍ୟାକୁମାରୀର ସନ୍ଥ ସେହି ଏକା ସତ୍ୟରେ କାଏମ୍‌। ଏପରି କି ତଥାକଥିତ ସହରୀ ସଭ୍ୟତା ଠାରୁ ଦୂରରେ ପ୍ରକୃତି ଠାରୁ ସନ୍ଥତ୍ବର ପାଠ ଶିଖିଥିବା ଜନଜାତୀୟ ଜୀବନଦର୍ଶନରେ ବି ସେହି ସନ୍ଥତ୍ବ। ସଭ୍ୟତାର ଅର୍ଥ ଶକ୍ତି ହାସଲ, ପ୍ରାଚୁର୍ଯ୍ୟ ହାସଲ ବା ସୁଯୋଗ ହାସଲ ନୁହେଁ। ସଭ୍ୟତାର ପ୍ରକୃତ ଅର୍ଥ ସାମୂହିକ ଜୀବନରେ ସନ୍ଥତ୍ବର ନିର୍ମାଣ। ସନ୍ଥତ୍ବ ଏକ ନିଷ୍କ୍ରିୟ ଓ ନିର୍ବେଦ ଧୢାନ ନୁହେଁ। ସନ୍ଥତ୍ବ ଏକ ଅସମାପ୍ୟ ନିର୍ମାଣ। ସେହି ଅର୍ଥରେ ଆଧୁନିକତାର ବ୍ୟାପକ ତର୍ଜମା ଭାରତୀୟ ସନ୍ଥ ପର˚ପରାରେ ଏ ଯାବତ୍‌ ସମ୍ଭବ ହୋଇଚି, କିନ୍ତୁ ଦୁଃଖର କଥା ଏହାର ମହାପାଠ (ଗ୍ରାଣ୍ତ ଟେକ୍‌ଷ୍ଟ) ଏ ଯାବତ୍‌ ନିର୍ମିତ ହୋଇନାହିଁ। ଭାରତୀୟ କବିତାର ଜଣେ ମୂର୍ଦ୍ଧନ୍ୟ କବି କେଦାରନାଥ ସି˚ହ ଯେତେବେଳେ ତାଙ୍କର ଗୋଟିଏ କବିତା ଗ୍ରନ୍ଥର ନାମକରଣ ‘ଉତ୍ତର କବୀର’ କଲେ ସେତେବେଳେ ମୁଁ ତାଙ୍କୁ ପଚାରିଥିଲି ଏଭଳି ନାମକରଣର ତାତ୍ପର୍ଯ୍ୟ କ’ଣ? ସେ ଉତ୍ତରରେ କହିଥିଲେ: କବୀରଙ୍କ ପରବର୍ତ୍ତୀ କାଳର କବିତାରେ ‘କବୀରୀୟତ୍‌’ ବା ସକ୍ରିୟ ସନ୍ଥତ୍ବର ଆବିଷ୍କାର ତାଙ୍କର କବିତ୍ବ! ଭାରତୀୟ ସନ୍ଥ ପର˚ପରାର ପ୍ରବାହମାନ କାଳରେ, ସମକାଳୀନ ସନ୍ଥତ୍ବର ଆବିଷ୍କାର କିଭଳି ସମ୍ଭବ, ତା’ର ଉତ୍ତର ଆମ ସମସ୍ତଙ୍କ ଭିତରେ ଉହ୍ୟ ଓ ଅନୁକ୍ତ ହୋଇ ରହିଚି। ତା’ର ଅଭିବ୍ୟକ୍ତି ଦରକାର। ସାଧାରଣ ମଣିଷଠାରୁ ପ୍ରାଜ୍ଞ ପଣ୍ତିତଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଭିତରେ ସନ୍ଥତ୍ବର ଜାଗରଣ ପାଞ୍ଚଟି ମାର୍ଗରେ ସମ୍ଭବ ହୋଇପାରେ: (୧) ସତ୍‌ଚିନ୍ତନ, (୨) ସତ୍‌ବାଣୀ, (୩) ସତ୍‌ କର୍ମ, (୪) ସତ୍‌ସଙ୍ଗ, (୫) ସତ୍‌ ବିଚାର! ବିଶ୍ବରେ ବହୁ ସଭ୍ୟତା ନଷ୍ଟ ହୋଇଯାଇଚନ୍ତି ସତ, କିନ୍ତୁ ସେ ସଭ୍ୟତାମାନେ ଏବେ ମଧୢ ସନ୍ଥମାନଙ୍କ ଭିତରେ ବ˚ଚିଚନ୍ତି। ଆମେ ପୁଞ୍ଜିବାଦ-ବିକଶିତ ଯେଉଁ ଉତ୍ତରାଧୁନିକ କାଳରେ ପ୍ରବେଶ କରିଚେ ବୋଲି କୁହାଯାଉଚି, ତହିଁରେ ବହୁଳତାକୁ ସ୍ବୀକାର କରିବା ସହିତ, ଗୋଟିଏ ଚିରସ୍ରୋତା ସନ୍ଥଧାରାର ପ୍ରଶ୍ନାକୁଳ କରୁଣା ଆବିଷ୍କୃତ ହୋଇପାରିବ କି? ସେ ବିଚାର କରିବା ପାଇଁ ଆମର ବୌଦ୍ଧିକ ପ୍ରସ୍ତୁତି ଅଛି କି? ଓଡ଼ିଆ ନିର୍ଗୁଣୀ ସନ୍ଥ ଭୀମଭୋଇଙ୍କର ସମୂହକୁ ନିବେଦିତ ବ୍ୟକ୍ତିସତ୍ତା ଏକ ଦିଗ-ନିର୍ଦ୍ଦେଶିକା ଥିଲା। ସବୁ ସନ୍ଥ ପରିଶେଷରେ ସେହି ଠାବରେ ଏକାଠି! କିନ୍ତୁ ସନ୍ଥମାନେ ସମାଜ ପାଇଁ କ’ଣ କରିପାରିବେ, ତା’ର ଅନୁମାନ ଏବେ ଅଧିକ ଜରୁରୀ।

ସ୍ବାମୀ ଆତ୍ମାନନ୍ଦଙ୍କ ଭଳି ଅସ˚ଖ୍ୟ ଭାରତୀୟ ସନ୍ଥ ବିବିଧ ଅବଦାନ ଦେଇ ଚାଲିଥିବେ, ଆମେ ହୁଏ’ତ ଜାଣୁନାହିଁ। କୌଣସି ଆଖିଦୃଶିଆ ପରିଯୋଜନା ନଥିଲେ ବି ଜଣେ ଭଲ ମଣିଷ ହେବାର ସନ୍ଥତା, ସ୍ବୟ˚ ଏକ ମୁକ୍ତ ପରିଯୋଜନା। ସଭ୍ୟତାର ପୁନରାବର୍ତ୍ତନ, ବିଶ୍ବନିର୍ମାଣର ଆଧୁନିକତମ ଆଜେଣ୍ତା। ଚନ୍ଦ୍ରପୃଷ୍ଠରେ ଉତ୍କଟ ଧନୀଙ୍କ ବିକଟ ଶୂନ୍ୟ କ୍ରୀଡ଼ା ଏକ ଆସୁରିକ ବ୍ୟତିକ୍ରମ। ସଭ୍ୟତା ଧନରେ ନୁହେଁ, ଧନର ଉପଯୋଗରେ। ସଭ୍ୟତା ବ୍ୟକ୍ତିର ଅଭିବୃଦ୍ଧିରେ ନୁହେଁ, ସମୂହର ଉଦୟରେ। ସମୂହର ଉଦୟ ପାଇଁ ଯେଉଁ ସନ୍ଥତ୍ବର ଦର୍ଶନ ଲୋଡ଼ା, ତା’ର ବସ୍ତୁପାଠ ଶିକ୍ଷାରେ। ବିଜ୍ଞାନର ଅନୁସନ୍ଧିତ୍ସା ସହିତ ସନ୍ଥତ୍ବର ସମୂହ ଦୃଷ୍ଟି କିଭଳି ମିଶି ପାରିବ ତାହା ଶିକ୍ଷା ହିଁ ଲୋକକ୍ଷେତ୍ରକୁ କହିବ। ସନ୍ଥତ୍ବର ଯେଉଁ ପାଞ୍ଚଟି ମାର୍ଗ କଥା କହିଲି, ସେ ଆମ ଭିତରେ; ତା’ର ଜାଗରଣର କ୍ଷେତ୍ର ଲୋକକ୍ଷେତ୍ରରେ ଆମର ସାମୂହିକ ଜୀବନ। ସ୍ମରଣରେ ରହୁ ଯେ ଭୋଗୀଙ୍କ ସମାଜରେ ନୂଆ ସନ୍ଥ ଆଉ ଜନ୍ମିବେ ନାହିଁ। ଯେଉଁ ସମାଜରେ କ୍ଳେଶ ଅଛି, ଦାରିଦ୍ର୍ୟ ଅଛି ଓ ରୋଗର ପ୍ରତ୍ୟାଖ୍ୟାନ ଅଛି, ସେହି ସମାଜରେ ହିଁ ସନ୍ଥ ଜନ୍ମ ନେବେ। ଭାରତର ସନ୍ଥ ଚିନ୍ତନ, ବାଣୀ, କର୍ମ, ସ˚ଗ ଓ ବିଚାରରେ ଏକ ବିଶ୍ବର ମହାପାଠ ସମ୍ଭବ କରାଇବେ। ତାହାହିଁ ହେବ ସଭ୍ୟତାର ପୁନରାବିଷ୍କାର ଓ ପୁନଃ ପ୍ରତିଷ୍ଠାର ଆଧୁନିକତମ ସ୍ବପ୍ନ!

ବାଗର୍ଥ, ଏନ୍ ୨/୨୬
ଆଇଆର୍‌ସି ଭିଲେଜ୍, ଭୁବନେଶ୍ବର-୧୫
ମୋ- ୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର