ବାଘଙ୍କ ଭାଗ୍ୟ ଓ ଭବିଷ୍ୟତ୍‌

ଜୟକୃଷ୍ଣ ପାଣିଗ୍ରାହୀ

ସିଂହ, ବାଘ, କଲରାପତରିଆ ଏବଂ ଚିତା ପରି ବିରାଡ଼ି ବଂଶର ଜନ୍ତୁମାନେ ଆଫ୍ରିକା ମହାଦେଶରେ ହିଁ ଉଦ୍ଭବ ହୋଇଥିଲେ ଏବଂ ପ୍ରାୟ କୋଡ଼ିଏ ଲକ୍ଷ ବର୍ଷ ପୂର୍ବେ ଏହି ବଂଶର ଏକ ଶାଖା ଏସିଆ ମହାଦେଶ ଦିଗରେ ଗତି କରି କମଳା-କଳା-ଧଳା ରଙ୍ଗଯୁକ୍ତ ଶରୀରରେ ବାଘ ରୂପରେ ବିକଶିତ ହୋଇଥିଲା। ବୈଜ୍ଞାନିକମାନେ ବାଘ ଜାତି (ସ୍ପେସିସ୍)କୁ ନଅଟି ଉପଜାତିରେ ବିଭକ୍ତ କରିଛନ୍ତି, ଯେଉଁଥିରୁ ବାଲି, କାସ୍ପିଅନ୍ ଏବଂ ଜାଭା ଉପଜାତି ଅଧୁନା ବିଲୁପ୍ତ ଏବଂ ଦକ୍ଷିଣ ଚୀନ୍, ଇଣ୍ଡୋଚୀନ୍, ବଙ୍ଗଳା, ମାଲାୟାନ୍, ସୁମାତ୍ରାନ୍ ଏବଂ ଆମୁର (ସାଇବେରିଆନ୍) ଉପଜାତି ଜୀବିତ ଅଛନ୍ତି। ବାଘ ହେଉଛି ପୃଥିବୀରେ ବର୍ତ୍ତମାନ ବିଦ୍ୟମାନ ସର୍ବ ବୃହତ୍‌ ବିରାଡ଼ି ବଂଶଜ ଏବଂ ସର୍ବାଧିକ ଶକ୍ତିଶାଳୀ ଶିକାରୀ ପ୍ରାଣୀ। ଏକ ନିର୍ଦ୍ଦିଷ୍ଟ ସୀମାଞ୍ଚଳ ମଧ୍ୟରେ ବାଘ ଏକାକୀ ଜୀବନଯାପନ କରେ।

ବର୍ତ୍ତମାନ ପୃଥିବୀର କେବଳ ତେରଟି ଦେଶରେ ବାଘମାନେ ସୀମାବଦ୍ଧ ହୋଇ ରହିଛନ୍ତି, ଯେଉଁଥିରେ ଅନ୍ତର୍ଭୁକ୍ତ ଅଛନ୍ତି ଦକ୍ଷିଣ-ପୂର୍ବ ଏସିଆର ଭାରତ, ବାଂଲାଦେଶ, ନେପାଳ, ଭୁଟାନ, ମିଆଁମାର, ଲାଓସ, କାମ୍ବୋଡିଆ, ଭିଏତନାମ୍, ଥାଇଲାଣ୍ଡ, ମାଲେସିଆ ଏବଂ ଇଣ୍ଡୋନେସିଆ ତଥା ରୁଷିଆର ପୂର୍ବାଞ୍ଚଳ ଏବଂ ଉତ୍ତର-ପୂର୍ବ ଚୀନ୍। ଗୋଟିଏ ଶତାବ୍ଦୀ ପୂର୍ବରୁ ଏମାନେ ଲକ୍ଷାଧିକ ସଂଖ୍ୟାରେ ବନାଞ୍ଚଳରେ ବିଚରଣ କରୁଥିଲେ। କ୍ରମେ ଏମାନେ ଦକ୍ଷିଣ-ପଶ୍ଚିମ ତଥା ମଧ୍ୟ ଏସିଆରୁ ଅଦୃଶ୍ୟ ହୋଇଯାଇଛନ୍ତି ଏବଂ ଏହାର ସଂଖ୍ୟା ୯୭% ହ୍ରାସ ପାଇ ଏବେ ମାତ୍ର ୩,୮୦୦ ମଧ୍ୟରେ ସୀମିତ ଥିବାର ଆକଳନ କରାଯାଉଛି I ଅନ୍ୟ ପକ୍ଷରେ, ପ୍ରାୟ ୭,୦୦୦ ରୁ ୮,୦୦୦ ବାଘ ଆଜି ବିଭିନ୍ନ ଫାର୍ମରେ ପ୍ରଜନନ ଉଦ୍ଦେଶ୍ୟରେ ବନ୍ଦୀ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି। କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ଆନୁମାନିକ ଭାବେ ଏହି ଭଳି ୫,୦୦୦ ବାଘ ଅଛନ୍ତି। ପୂର୍ବ କାଳର ରାଜା ମହାରାଜାମାନଙ୍କ ଠାରୁ ଆରମ୍ଭ କରି ବାଘ ଚମଡ଼ା ଓ ଅଙ୍ଗପ୍ରତ୍ୟଙ୍ଗ ବ୍ୟବସାୟରେ ଲିପ୍ତ ଶିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ବର୍ବରତାର ପରିଣାମ ହେଉଛି ବ୍ୟାଘ୍ର ବଂଶର ଅବକ୍ଷୟ। ବର୍ଷକୁ ପ୍ରାୟ ୨୦ ବିଲିଅନ୍ ଡଲାର୍‌ର ବେଆଇନ ବନ୍ୟଜନ୍ତୁ ବ୍ୟବସାୟରେ ଜଙ୍ଗଲର ରାଜା ବାଘ ଏକ ଅଂଶ ପାଲଟିଛି। ଅନ୍ୟ ଜୀବ ଜାତିଙ୍କର ଧାରାବାହିକ ସଂଖ୍ୟା ହ୍ରାସ ପରି ବାଘ ସଂଖ୍ୟାରେ ପତନ ଲାଗି ମଧ୍ୟ ଶିଳ୍ପ ବିପ୍ଳବ ପରବର୍ତ୍ତୀ କାଳୀନ ଜନସଂଖ୍ୟା ବିସ୍ଫୋରଣ ତଥା ଏହି ବର୍ଦ୍ଧମାନ ଜନସଂଖ୍ୟା ସକା‌େଶ ବସତି, ଉଦ୍ୟୋଗ ତଥା କୃଷିକ୍ଷେତ୍ର ଲାଗି ଜଙ୍ଗଲ କଟା ଓ ବନ୍ୟ ପ୍ରାଣୀ ଶିକାର ଦାୟୀ।

ବିଶ୍ୱ ବ୍ୟାଘ୍ର ଦିବସ ପାଳନ ଅବସରରେ ୨୦୧୯, ଜୁଲାଇ ମାସରେ ଭାରତ ସରକାର ସର୍ବଭାରତୀୟ ବ୍ୟାଘ୍ର ଆକଳନ ରିପୋର୍ଟ-୨୦୧୮ ପ୍ରକାଶ କରିଥିଲେ। ତାହା ଅନୁଯାୟୀ ଦେଶରେ ଜଙ୍ଗଲୀ ବାଘଙ୍କ ସଂଖ୍ୟା ହେଉଛି ୨,୯୬୭, ଯାହା ୧୯୭୨ରେ ରେକର୍ଡ କରାଯାଇଥିବା ୧,୮୭୨ ଏବଂ ୨୦୦୬ର ଗଣନା କରାଯାଇଥିବା ୧,୪୧୧ ତୁଳନାରେ ଏକ ବଡ଼ ବୃଦ୍ଧି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ୨୦୧୪ ମସିହାର ସଂଖ୍ୟା ୨,୨୨୬ ଠାରୁ ମଧ୍ୟ ଏହା ୩୦% ଅଧିକ। ୨୦୧୦ରେ ରୁଷିଆର ସେଣ୍ଟ ପିଟର୍ସବର୍ଗରେ ବ୍ୟାଘ୍ର ସଂରକ୍ଷଣ ଉପରେ ହୋଇଥିବା ଘୋଷଣାନାମାରେ ୧୩ଟି ବ୍ୟାଘ୍ର ଧାରଣକାରୀ ରାଷ୍ଟ୍ରର ମୁଖ୍ୟମାନେ ୨୦୨୨ ସୁଦ୍ଧା ସେମାନଙ୍କ ରାଷ୍ଟ୍ରରେ ବାଘ ସଂଖ୍ୟାକୁ ଦ୍ୱିଗୁଣିତ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଏହାକୁ ସାକାର କରିବାରେ ଭାରତ ଯଥେଷ୍ଟ ପୂର୍ବରୁ ସକ୍ଷମ ହୋଇଛି। ଏହି ଆକଳନରେ ଅଗ୍ରଣୀ ରାଜ୍ୟ ଭାବେ ସର୍ବାଗ୍ରେ ରହିଛନ୍ତି ମଧ୍ୟପ୍ରଦେଶ (୫୨୬)। ତା’ ପଛକୁ ରହିଛନ୍ତି କର୍ଣ୍ଣାଟକ (୫୨୪) ଏବଂ ଉତ୍ତରାଖଣ୍ଡ (୪୪୨)। ଆମ ରାଜ୍ୟ ଓଡ଼ିଶାରେ ବାଘ ସଂଖ୍ୟା ୨୮ରେ ରହିଛି ଯାହା ବିଗତ ଚାରି ବର୍ଷ ଧରି ସ୍ଥିର ଥିଲେ ମଧ୍ୟ ସ୍ଥିତି ଆଦୌ ଉତ୍ସାହଜନକ ନୁହେଁ। ବିଶ୍ୱ ବ୍ୟାଘ୍ର ସଂଖ୍ୟାର ୭୦%ରୁ ଅଧିକ ଧାରଣ କରିଥିବା ଭାରତରେ ବାଘ ବାସସ୍ଥଳୀମାନଙ୍କୁ ସଂଯୋଗ କରି ସେମାନଙ୍କର ଯାତାୟାତକୁ ସୁଗମ ଏବଂ ପ୍ରତିବନ୍ଧଶୂନ୍ୟ କରିବା ଏବଂ ପ୍ରଜନନ ମାଧ୍ୟମରେ ଜିନୀୟ ବିବିଧତାକୁ ବ୍ୟାପକ କରିବା ପାଇଁ ଦେଶର ୩୨ଟି ପ୍ରମୁଖ ବ୍ୟାଘ୍ର କରିଡରକୁ ସଂପୃକ୍ତ କରାଯିବା ଆବଶ୍ୟକ। ଓଡ଼ିଶାର ଶିମିଳିପାଳ, ସୁନାବେଡ଼ା, ସାତକୋଶିଆ, ଦେବ୍ରିଗଡ଼ ଏବଂ ବାଘ ବାସ କରିବା ଯୋଗ୍ୟ ଅନ୍ୟାନ୍ୟ ଅଞ୍ଚଳର ସୁରକ୍ଷା ଏବଂ ସଂରକ୍ଷଣ ନିମନ୍ତେ ସରକାର ଯତ୍ନଶୀଳ ହେବା ଏକାନ୍ତ ଅପରିହାର୍ଯ୍ୟ।

ଏହି ରିପୋର୍ଟ ଉନ୍ମୋଚନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତବ୍ୟ ପ୍ରଦାନ କରି କହିଥିଲେ, ବିକାଶ ଏବଂ ପରିବେଶ ମଧ୍ୟରେ ଏକ ସୁସ୍ଥ ସନ୍ତୁଳନ ସୃଷ୍ଟି କରିବା ଯେ ସମ୍ଭବପର ତାହା ଆମ ଦେଶର ବ୍ୟାଘ୍ର ପ୍ରକଳ୍ପର ସଫଳତା ହିଁ ପ୍ରମାଣ କରୁଛି। ଏହି ଅବସରରେ ଉନ୍ମୋଚିତ ଅନ୍ୟ ଏକ ରିପୋର୍ଟ ଦର୍ଶାଏ ଯେ ଭାରତର ୫୦ଟି ବ୍ୟାଘ୍ର ସକା‌େଶ ସଂରକ୍ଷିତ ଅଞ୍ଚଳ ମଧ୍ୟରୁ ଅତି କମ୍‌ରେ ଅର୍ଧେକ ବିଭିନ୍ନ ରାସ୍ତା, ରାଜପଥ ଏବଂ ରେଳ ଲାଇନ ଭଳି ଭିତ୍ତିଭୂମିର ବିକାଶ ଦ୍ୱାରା, ୨୦% ଆକ୍ରମଣକାରୀ ଉଦ୍ଭିଦ ଜାତି ଦ୍ୱାରା ଏବଂ ୨୦% ଏହି ଅଞ୍ଚଳଗୁଡ଼ିକରେ ଥିବା ବିଭିନ୍ନ ମନ୍ଦିର ପରିଦର୍ଶନ କରୁଥିବା ତୀର୍ଥଯାତ୍ରୀଙ୍କ ଅସହନୀୟ ଚାପ ଦ୍ୱାରା ଜର୍ଜରିତ ହେଉଛନ୍ତି। ବାଘ ସଂରକ୍ଷଣକୁ ଅଧିକ ଫଳପ୍ରସୂ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ୧୯୭୩ ମସିହାରେ ନଅଟି ବ୍ୟାଘ୍ର ପ୍ରକଳ୍ପ ବା ‘ପ୍ରୋଜେକ୍ଟ ଟାଇଗର୍‌’ର ଶୁଭାରମ୍ଭ କରିଥିଲେ। ଏହି ପ୍ରୟାସ କ୍ରମେ ସୁଦୃଢ଼ ହୋଇ ବର୍ତ୍ତମାନ ଦେଶର ୧୮ଟି ରାଜ୍ୟରେ ୫୦ଟି ଏହିଭଳି ବ୍ୟାଘ୍ର ଲାଗି ସଂରକ୍ଷିତ ଅଞ୍ଚଳ ସୃଷ୍ଟି କରାଯାଇଛି। ଏହା ଦେଶର ମୋଟ ଭୌଗୋଳିକ କ୍ଷେତ୍ରର ପ୍ରାୟ ୨.୨୧% ହେବ।

ପ୍ରକୃତି ସଂରକ୍ଷଣ ନିମନ୍ତେ କାର୍ଯ୍ୟରତ ଅନ୍ତର୍ଜାତୀୟ ସଂଘ (ଆଇୟୁସିଏନ୍) ଏହାର ଲାଲ ତଥ୍ୟ ପୁସ୍ତକର ସଙ୍କଟାପନ୍ନ ଜାତି ତାଲିକାରେ ବାଘକୁ ରଖିଥିଲା। ଭାରତର ବନ୍ୟଜୀବ ସୁରକ୍ଷା ଆଇନ ୧୯୭୨ ବାଘକୁ ସିଡ୍ୟୁଲ୍-୧ରେ ସ୍ଥାନ ଦେଇ ତା’ର ସମ୍ପୂର୍ଣ୍ଣ ସୁରକ୍ଷା ଲାଗି ତତ୍ପର। ଏବେ ଆମ ଦେଶରେ ବାଘର ସ୍ଥିତି ତୁଳନାତ୍ମକ ଭାବେ ଭଲ। ରାଜନୈତିକ ଇଚ୍ଛାଶକ୍ତି ଆହୁରି ଦୃଢ଼ ହେଲେ ଓ ଜଙ୍ଗଲ ପରିଚାଳନାରେ ଅଧିକ ଦକ୍ଷତା ପ୍ରକାଶ ପାଇଲେ ଏହି ଚମତ୍କାର ପ୍ରାଣୀଟି ଏହି ଭୂଖଣ୍ଡରେ ବିକାଶ ଲାଭ କରିବ।

(ବିଶ୍ବ ବ୍ୟାଘ୍ର ଦିବସ)
ମୋ- ୯୪୩୭୦୭୬୧୦୦
[email protected]

ସମ୍ବନ୍ଧିତ ଖବର