‘ଲକ୍ଷ୍ମୀ-ନାରାୟଣ ବଚନିକା’

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

ଶ୍ରୀଗୁଣ୍ଡିଚା ଯାତ୍ରାକୁ ନେଇ ଶ୍ରୀଜଗନ୍ନାଥ ଓ ଦେବୀ ଲକ୍ଷ୍ମୀଙ୍କ ମଧ୍ୟରେ ଯେଉଁ ମାନ-ଅଭିମାନର ନାଟକ, ତାହା କେବଳ ‘ହେରାପଞ୍ଚମୀ’ ନୀତି ବା ‘ହେରାଯାତ୍ରା’ ଭିତରେ ସୀମିତ ରହିନାହିଁ। ତାହାର ଚରମ ପରିପ୍ରକାଶ ଘଟିଛି ‘ଲକ୍ଷ୍ମୀ-ନାରାୟଣ ବଚନିକା’ ବା ‘ଲକ୍ଷ୍ମୀ-ନାରାୟଣ କଳି’ରେ।

‘ବଚନିକା’ର ଅର୍ଥ- ଦୁଇଜଣଙ୍କ ମଧ୍ୟରେ କଥୋପକଥନ। ଇଂରେଜୀରେ ‘ଡାଏଲଗ୍‌’ ବା ‘କନ୍‌ଭରସେସନ୍‌’। ସଂସ୍କୃତରେ ‘ସଂବାଦ’। ବୈଦିକ କାଳରୁ ଏହା ପ୍ରଚଳିତ। ‘ପୁରୁରବା-ଉର୍ବଶୀ ସଂବାଦ’, ‘ଯମ-ଯମୀ ସଂବାଦ’, ‘ଯାଜ୍ଞବଳ୍‌କ୍ୟ-ମୈତ୍ରେୟୀ ସଂବାଦ’ ଆଦି ଏହାର ଦୃଷ୍ଟାନ୍ତ। ଏହାର ଅନ୍ୟ ଅର୍ଥ ‘ବାକ୍ୟାଳାପ’ ବା ‘ବାର୍ତ୍ତାଳାପ’। ‘ଉକ୍ତି-ପ୍ରତ୍ୟୁକ୍ତି’ ଅର୍ଥରେ ମଧ୍ୟ ଏହା ପ୍ରଯୁକ୍ତ ହୋଇଥାଏ। ଏଥିପାଇଁ ଓଡ଼ିଆରେ ‘ବୋଲାବୋଲି’, ‘ବରାବରି’, ‘ବକାବକି’ ଆଦି ଶବ୍ଦ ବି ଅଛି। ‘ପ୍ରଶ୍ନୋତ୍ତର’ ଓ ‘ଜବାବ-ସୁଆଲ’କୁ ମଧ୍ୟ ଏହାର ପ୍ରତିଶବ୍ଦ ଭାବରେ ଗ୍ରହଣ କରାଯାଏ। ଏହା ମଧ୍ୟ ସୂଚାଏ- ‘ଦ୍ୱନ୍ଦ୍ୱ’ ବା ‘କଳି’କୁ।

ଏହି ସ୍ତମ୍ଭର ଗତ ଅଧ୍ୟାୟ (୧୬ ଜୁଲାଇ, ‘ଠାକୁରଙ୍କ ଘରକଳି କଥା’)ରେ ‘ହେରାପଞ୍ଚମୀ’ ବା ‘ହେରାଯାତ୍ରା’ର ନୀତି ବିଷୟ ଆଲୋଚିତ ହୋଇଛି। କିନ୍ତୁ ସେହି ନୀତିକୁ ନେଇ ଅନେକ କାବ୍ୟକୃତି ବି ଅଛି। ‘ଠାକୁରଙ୍କ ଘରକଳି’ ବା ‘ଲକ୍ଷ୍ମୀ-ନାରାୟଣ ବଚନିକା’ ପ୍ରସଙ୍ଗରେ, ପ୍ରଥମେ ହେରାପଞ୍ଚମୀକୁ ନେଇ ରଚିତ କୃତି ଆମର ଆଲୋଚ୍ୟ।

ବିରହବିଧୁରା ଲକ୍ଷ୍ମୀ ତାଙ୍କର ପ୍ରାଣପ୍ରିୟଙ୍କୁ ହରାଇ ତାଙ୍କ ଅନ୍ୱେଷଣରେ ଗୁଣ୍ଡିଚା ମନ୍ଦିରକୁ ଯାଇଥିବାରୁ, କେହି କେହି ଏହାକୁ ‘ହାରାପଞ୍ଚମୀ’ କହିବା ବେଳେ, ଷୋଡ଼ଶ ଶତାବ୍ଦୀର ଶ୍ରୀଳ କବି କର୍ଣ୍ଣପୁର ତାଙ୍କ ‘ଚୈତନ୍ୟ ଚନ୍ଦ୍ରୋଦୟ ନାଟକ’ରେ ଏହାକୁ ‘ହୋରାପଞ୍ଚମୀ’ କହିଛନ୍ତି। କବି କର୍ଣ୍ଣପୁର ଓ ଅନ୍ୟ ଗୌଡ଼ୀୟ ବୈଷ୍ଣବଙ୍କ ମତରେ, ଶ୍ରୀଗୁଣ୍ଡିଚା ଯାତ୍ରା ବାସ୍ତବରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନୁହେଁ। ଶ୍ରୀଜଗନ୍ନାଥ ହେଉଛନ୍ତି ଶ୍ରୀକୃଷ୍ଣ ଏବଂ ତାଙ୍କର ଏହି ଯାତ୍ରା ‘ନୀଳାଚଳ’ ପରିତ୍ୟାଗ କରି ‘ସୁନ୍ଦରାଚଳ’କୁ ଯାତ୍ରା। ଏହା ଶ୍ରୀକୃଷ୍ଣଚନ୍ଦ୍ରଙ୍କର ବୃନ୍ଦାବନର ବନବିହାର। କେବଳ ସେତିକି ନୁହେଁ; ସେମାନଙ୍କର କଳ୍ପନାରେ ମହାଲକ୍ଷ୍ମୀ ମଧ୍ୟ ଶ୍ରୀରାଧା ସ୍ୱରୂପା। ତେଣୁ ତାଙ୍କୁ ନୀଳାଚଳରେ ଛାଡ଼ିଦେଇ, ଗୋପାଙ୍ଗନାମାନଙ୍କ ସହିତ ବନବିହାର ନିମନ୍ତେ ଶ୍ରୀଜଗନ୍ନାଥ ସୁନ୍ଦରାଚଳ ଚାଲିଯାଇଥିବାରୁ, ସେ କୁପିତା ହୋଇଛନ୍ତି। ଏଣୁ ଶ୍ରୀରାଧାଦେବୀଙ୍କର ‘କୋପ-ଉତ୍ସବ’ ହେଉଛି ‘ହୋରାପଞ୍ଚମୀ’। ସେଥିପାଇଁ ସେଠାକୁ ଯାଇ, ଶ୍ରୀଜଗନ୍ନାଥଙ୍କ ସେବକମାନଙ୍କୁ ମଧ୍ୟ ଭର୍ତ୍ସନା କରିବା ସହିତ, ଲକ୍ଷ୍ମୀ ନନ୍ଦିଘୋଷ ରଥର କାଠ ଭାଙ୍ଗିଛନ୍ତି। ଅଷ୍ଟାଦଶ ଶତାବ୍ଦୀର ସ୍ମୃତିକାର ବାଲୁଙ୍କି ପାଠୀଙ୍କର ‘ଯାତ୍ରାଭାଗବତ’ରେ ମଧ୍ୟ, ଶ୍ରୀଜଗନ୍ନାଥଙ୍କର ସେବକ ଓ ଶ୍ରୀମହାଲକ୍ଷ୍ମୀଙ୍କର ଦାସ-ଦାସୀଙ୍କ ମଧ୍ୟରେ ଉକ୍ତି-ପ୍ରତ୍ୟୁକ୍ତିର ବୃତ୍ତାନ୍ତ ଲିପିବଦ୍ଧ ଅଛି।

ଅଷ୍ଟାଦଶ ଶତାବ୍ଦୀର ଓଡ଼ିଆ ଓ ସଂସ୍କୃତ କବି ବକ୍ରବାକ୍ ଚକ୍ରପାଣିଙ୍କ ‘ଗୁଣ୍ଡିଚା ଚମ୍ପୂ’ ଏ ପ୍ରସଙ୍ଗରେ ଅନ୍ୟ ଏକ ପ୍ରସିଦ୍ଧ ରଚନା। ଗଜପତି ବୀରକେଶରୀ ଦେବଙ୍କ ୫୩ ଅଙ୍କ, କାର୍ତ୍ତିକ କୃଷ୍ଣ ଏକାଦଶୀ, ଶୁକ୍ରବାର, ଅର୍ଥାତ୍ ୧୭୭୮ ଖ୍ରୀଷ୍ଟାବ୍ଦ, ଅକ୍ଟୋବର ୧୬ ତାରିଖରେ ସେ ଏହି କାବ୍ୟରଚନା ସଂପୂର୍ଣ୍ଣ କରିଥିଲେ। ସେଥିରେ ଅନ୍ୟ ଏକ ରୋଚକ ବର୍ଣ୍ଣନା ଅଛି। ଦେବୀ ଲକ୍ଷ୍ମୀ, ବିମଳା ଦେବୀଙ୍କୁ ତାଙ୍କର ଦୂତୀ ରୂପେ ଗୁଣ୍ଡିଚା ମନ୍ଦିରକୁ ପଠାଇଛନ୍ତି। ବିମଳାଙ୍କୁ ଦେଖି ଶ୍ରୀଜଗନ୍ନାଥ ଆନନ୍ଦିତ ହେବା ସହିତ, ତାଙ୍କୁ ନିଜର ପ୍ରାଣପ୍ରିୟା ପତ୍ନୀ ଲକ୍ଷ୍ମୀଙ୍କ କଥା ପଚାରିଛନ୍ତି। ତାହାର ଉତ୍ତରରେ ବିମଳା, ବିରହିଣୀ ମହାଲକ୍ଷ୍ମୀଙ୍କ ଦୁର୍ଦଶା ବର୍ଣ୍ଣନା କରିଛନ୍ତି। କେବଳ ସେତିକି ନୁହେଁ; ସେହି ପ୍ରସଙ୍ଗରେ ବିମଳା ଜଗନ୍ନାଥଙ୍କର ବର୍ଣ୍ଣନା ମଧ୍ୟ କରି କହିଛନ୍ତି- ବିଜୁଳି ବିନା ମେଘ ଯେପରି ସୁନ୍ଦର ଦିଶେ ନାହିଁ, ଲକ୍ଷ୍ମୀଙ୍କ ବିନା ଜଗନ୍ନାଥ ମଧ୍ୟ ସେହିପରି ସୁନ୍ଦର ଦିଶୁ ନାହାନ୍ତି।
ତାଙ୍କଠାରୁ ଏହା ଶୁଣି, ଶ୍ରୀଜଗନ୍ନାଥ ଏକାଦଶୀ ତିଥି ମଧ୍ୟରେ ଶ୍ରୀମନ୍ଦିରକୁ ଫେରିଯିବେ ବୋଲି ପ୍ରତିଶ୍ରୁତି ଦେଇ ବିମଳାଙ୍କ ହାତରେ ଲକ୍ଷ୍ମୀଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି। ସେହି ପତ୍ର ପାଠ କରିବା ପରେ, ଲକ୍ଷ୍ମୀ ନିଜେ ଯାଇ ତାଙ୍କୁ ଦେଖିଆସିବା ନିମନ୍ତେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି ଏବଂ ସେଠାରେ ପରିଜନମାନଙ୍କ ସହିତ ଶ୍ରୀଜଗନ୍ନାଥ ମନ ଆନନ୍ଦରେ ଥିବା ଦେଖି, କୁପିତା ମଧ୍ୟ ହୋଇଛନ୍ତି।

ଦେବୀ ଲକ୍ଷ୍ମୀଙ୍କର ଏହି କୋପର ଏକ କାବ୍ୟରୂପ ଆମେ ଦେଖୁ ରାଜକବି ଗୋପୀନାଥ ସିଂହଙ୍କ ୧୮୨୦ ଖ୍ରୀଷ୍ଟାବ୍ଦର ‘ନୀଳାଦ୍ରିବିହାର’ କାବ୍ୟରେ। ୨୩ଟି ଛାନ୍ଦ ସମ୍ବଳିତ ସେହି ଅପ୍ରକାଶିତ କାବ୍ୟର ବର୍ଣ୍ଣନା ଅନୁସାରେ, ଗୁଣ୍ଡିଚା ମନ୍ଦିରରେ ଯାଇ ପହଞ୍ଚିବା ପରେ, ଦେବୀ ଲକ୍ଷ୍ମୀଙ୍କର ମନେହୋଇଛି, ଶ୍ରୀଜଗନ୍ନାଥ ତାଙ୍କୁ ପରିହାସପୂର୍ଣ୍ଣ ବକ୍ର ଚାହାଣିରେ ଚାହିଁଛନ୍ତି। ଫଳରେ ସେ କୋପାନ୍ୱିତା ହୋଇଉଠିଛନ୍ତି। ନନ୍ଦିଘୋଷ ରଥ ଭାଙ୍ଗିବା ପାଇଁ ଏବଂ ଶ୍ରୀଜଗନ୍ନାଥଙ୍କ ସେବକମାନଙ୍କୁ ରଥରେ ବାନ୍ଧିଦେବା ପାଇଁ ନିଜର ସେବକମାନଙ୍କୁ ସେ ଆଦେଶ ଦେଇଛନ୍ତି। ଏହାର ରୋଚକ ବର୍ଣ୍ଣନା ଦେଇ ରାଜକବି, ନୃପ ଗୋପୀନାଥ ସିଂହ ଲେଖିଛନ୍ତି-
ୟେହି ସମୟରେ ଜଗତ ଜନନୀ
ଅତ୍ୟନ୍ତ ହୋଇ କୋପିତ
ସେବକଗଣଙ୍କୁ ହକାରି ବୋଇଲେ,
ଭାଙ୍ଗ ନନ୍ଦିଘୋଷ ରଥ, ସେ ପଶି
ରଥୁ କିଛି ଭଗ୍ନ କଲେ ଆସି, ସେ।
ପୁଣି ଆଜ୍ଞା ଦେଲେ ବରୁଣ ନନ୍ଦିନୀ
ଜଗନ୍ନାଥ ମନୋହାରୀ
ପ୍ରଭୁ ସେବକଜନଙ୍କୁ ବେଗେ ବାନ୍ଧି
ଦଣ୍ଡ ଦିଅ ଯତ୍ନକରି; ସେ ପୁଣି
ନାନା ଜିଘାଂସ ବଚନ ଭଣି, ସେ।

କିନ୍ତୁ କବି ଗୋପୀନାଥ ସିଂହ, ଲକ୍ଷ୍ମୀଙ୍କର ଏହି କୋପ ମଧ୍ୟରେ ହେରାପଞ୍ଚମୀ ପ୍ରସଙ୍ଗକୁ ଶେଷ କରି ନାହାନ୍ତି। ତାଙ୍କର ବର୍ଣ୍ଣନା ଅନୁସାରେ- ନିଜର ସେବକମାନଙ୍କୁ ସେହି ଆଦେଶ ଦେବା ପରେ, ଲକ୍ଷ୍ମୀ ଗୁଣ୍ଡିଚାମନ୍ଦିରକୁ ଯାଇ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ଉଭା ହୋଇଛନ୍ତି ଏବଂ ତାଙ୍କୁ ଦେଖି ଶ୍ରୀଜଗନ୍ନାଥ ପ୍ରୀତ ମଧ୍ୟ ହୋଇଛନ୍ତି। ଲକ୍ଷ୍ମୀ ଓ ନାରାୟଣଙ୍କର ସେହି ମିଳନ ଦୃଶ୍ୟ ଦେଖି ଭକ୍ତବୃନ୍ଦ ବି ଆନନ୍ଦିତ ହୋଇଛନ୍ତି। ତାହା ପରେ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ଫେରିଆସିଛନ୍ତି।

କବି ଲୋକନାଥ ବିଦ୍ୟାଧର, ୧୬୯୯-୧୭୦୦ରେ ରଚନା କରିଥିବା ‘ନୀଳାଦ୍ରି ମହୋତ୍ସବ’ରେ ମଧ୍ୟ ରହିଛି ଏହାର ରସୋତ୍ତୀର୍ଣ୍ଣ ବର୍ଣ୍ଣନା। ଶ୍ରୀଜଗନ୍ନାଥ ଗୁଣ୍ଡିଚାଯାତ୍ରାରେ ଚାଲିଯିବା ପରେ, ବିରହବିଧୁରା ଲକ୍ଷ୍ମୀଙ୍କ ଅବସ୍ଥା ଦେଖି ତାଙ୍କ ପ୍ରତି ସମ୍ବେଦନଶୀଳା ହୋଇଉଠିଛନ୍ତି ବିମଳା। ଶ୍ରୀଜଗନ୍ନାଥଙ୍କୁ ଲକ୍ଷ୍ମୀଙ୍କର ସନ୍ଦେଶ ଦେବା ଉଦ୍ଦେଶ୍ୟରେ ସେ ଗୁଣ୍ଡିଚାମନ୍ଦିରକୁ ଯାତ୍ରା କରିଛନ୍ତି। ସେଠାରେ ବିମଳା ଓ ଜଗନ୍ନାଥଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଛି। ବିମଳାଙ୍କୁ ସନ୍ଦେଶ ଦେଇ ଜଗନ୍ନାଥ କହିଛନ୍ତି-
ଶୀଘ୍ରେ ଘେନିଣ ଆମ୍ଭ ସନ୍ଦେଶ
ଯାଇ ପ୍ରାଣବାନ୍ଧବୀର ପାଶ
ଏମନ୍ତ କହିବ ଯେମନ୍ତ ତା ଜୀବ
ନ ଗମେ କୃତାନ୍ତ ପାଶ,
ଗୋ ବିମଳା।

ଏହା କହି, ସେ ବିମଳାଙ୍କ ଦ୍ୱାରା ସନ୍ଦେଶ ପଠାଇଛନ୍ତି ଯେ ସେ ଶୀଘ୍ର ବାହୁଡ଼ାଯାତ୍ରାରେ ଶ୍ରୀମନ୍ଦିରକୁ ଫେରିଆସିବେ।
ତେବେ, ଏ ପ୍ରସଙ୍ଗରେ ଗୋଟିଏ କଥା ତାତ୍ପର୍ଯ୍ୟପୂର୍ଣ୍ଣ ଯେ ଲୋକନାଥ ବିଦ୍ୟାଧରଙ୍କ କାବ୍ୟରେ ଲକ୍ଷ୍ମୀଙ୍କ କୋପ ଆଦି ସମ୍ବଳିତ ‘ହେରାପଞ୍ଚମୀ’ର ବର୍ଣ୍ଣନା ନାହିଁ। କିନ୍ତୁ ‘ନୀଳାଦ୍ରିବିଜେ’ ନୀତି ପ୍ରସଙ୍ଗରେ, ‘ଲକ୍ଷ୍ମୀ-ନାରାୟଣ ବଚନିକା’ ବା ‘ଲକ୍ଷ୍ମୀ-ନାରାୟଣ କଳି’ର ସୁନ୍ଦର ବର୍ଣ୍ଣନା ସେ କରିଛନ୍ତି।

‘ନୀଳାଦ୍ରିବିଜେ’ ହେଉଛି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଅନ୍ତିମ ପର୍ବ। ବାହୁଡ଼ାଦଶମୀ ଦିନ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଫେରିବା ପରେ, ଠାକୁରମାନେ ଯେଉଁଦିନ ଶ୍ରୀମନ୍ଦିରର ରତ୍ନବେଦିକୁ ପ୍ରତ୍ୟାବର୍ତ୍ତନ କରନ୍ତି, ସେହିଦିନଟି ନୀଳାଦ୍ରିବିଜେ। ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ଏହାର ନୀତି ପ୍ରସଙ୍ଗରେ ‘ଲକ୍ଷ୍ମୀ ନାରାୟଣ ବଚନିକା’ର ଉଲ୍ଲେଖ ଅଛି।

ସ୍ୱତ୍ୱଲିପି ଅନୁସାରେ- ଏହିଦିନ ସଂଧ୍ୟାଧୂପ ସରିବା ପରେ ବିଜେ କାହାଳୀ ବାଜି ଠାକୁରମାନଙ୍କର ପହଣ୍ଡି ହୁଏ। … ପହଣ୍ଡି ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧା ହୁଏ। ଅଖଣ୍ଡ ବଇଠା ବସାହୁଏ। ବଡ଼ଠାକୁର ଓ ସୁଭଦ୍ରା ପହଣ୍ଡି ହୋଇ ରତ୍ନସିଂହାସନକୁ ଆସନ୍ତି। ଦୁହେଁ ଶ୍ରୀମନ୍ଦିରରେ ପ୍ରବେଶ କରିବା ପରେ, ଦେବୀ ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ଦେବଦାସୀମାନେ ଯାଇ ସିଂହଦ୍ୱାରକୁ ବନ୍ଦ କରିଦିଅନ୍ତି। ଶ୍ରୀଜଗନ୍ନାଥ ସିଂହଦ୍ୱାରକୁ ଆସିଲେ ତାହାକୁ ଫିଟାଇ ଦିଅନ୍ତି।

ସ୍ୱତ୍ୱଲିପିର ଏହି ସୂଚନାରୁ ସ୍ପଷ୍ଟ, ଯେ ସେଠାରେ ଅର୍ଥାତ୍ ସିଂହଦ୍ୱାରଠାରେ, କୌଣସି ବଚନିକା ହୋଇ ନଥାଏ। ବଚନିକା ହୁଏ ଶ୍ରୀମନ୍ଦିର ଭିତରେ, ଜୟବିଜୟ ଦ୍ୱାରଠାରେ। ସ୍ୱତ୍ୱଲିପି ଅନୁସାରେ, “ଦଇତାମାନଙ୍କ ମଧ୍ୟରେ ଓ ଦେବଦାସୀମାନଙ୍କ ମଧ୍ୟରେ ବଚନିକା ଆରମ୍ଭ ହୁଏ ଓ ଦେବଦାସୀମାନେ ଦଇତାଙ୍କୁ ଲଣ୍ଡଭଣ୍ଡ କରନ୍ତି।”

ଏହି ବଚନିକାର ବିଶଦ ସୂଚନା ଶ୍ରୀମନ୍ଦିରର ସ୍ୱତ୍ୱଲିପିରେ ନାହିଁ। ତେବେ ସଂପୃକ୍ତ ସେବକଙ୍କ ସୂତ୍ରରୁ ଜଣାଯାଏ, ଯେ ଏହି ନୀତିରେ, ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ଜୟବିଜୟ ଦ୍ୱାରର ବାହାରପଟେ ଦଇତା ସେବକ ସ୍ୱାଇଁ ମହାପାତ୍ର ଏବଂ ଦେବୀ ଲକ୍ଷ୍ମୀଙ୍କ ପକ୍ଷରୁ ଦ୍ୱାରର ଭିତର ପଟେ ଭିତର ଗାଏଣୀ (ଦେବଦାସୀ) ରହୁଥିଲେ। ଶ୍ରୀମନ୍ଦିରରୁ ଦେବଦାସୀ ସେବା ବିଲୁପ୍ତ ହେବା ପରେ, ଭିତରପଟେ ଲକ୍ଷ୍ମୀଙ୍କ ପକ୍ଷରୁ ଆଉ କେହି ରହୁନାହାନ୍ତି। କେବଳ ସ୍ୱାଇଁ ମହାପାତ୍ର ସେବକ ଏପଟୁ ବଚନିକାର ପଦଟିଏ ଗୀତ ଗାଇବା ପରେ, ଦ୍ୱାର ଖୋଲିଦିଆଯାଇ, ରୁକ୍ମିଣୀ ବିବାହର ଗଇଣ୍ଠାଳ ଫିଟା ନୀତି ଓ ରସଗୋଲା ଭୋଗ ଆଦି ହେଉଛି। ଅର୍ଥାତ୍‌, ଶ୍ରୀମନ୍ଦିରରୁ ‘ଲକ୍ଷ୍ମୀ-ନାରାୟଣ ବଚନିକା’ର ଏହି ରସାଳ ଲୋକ-ପରମ୍ପରା ଏବେ ସଂପୂର୍ଣ୍ଣ ବିଲୁପ୍ତିର ପଥରେ।

କିନ୍ତୁ ଏକଦା ଯେ ଏହି ‘ଲକ୍ଷ୍ମୀ-ନାରାୟଣ ବଚନିକା’ ବା ‘ଲକ୍ଷ୍ମୀ-ନାରାୟଣ କଳି’ ଏକ କୌତୁକାବହ ବ୍ୟାପାର ଥିଲା, ଏହାର ପ୍ରଚୁର ନିଦର୍ଶନ ରହିଛି ‘ନିଳାଦ୍ରି ମହୋଦୟ’ ଓ ‘ବାମଦେବ ସଂହିତା’ ଆଦି ଗ୍ରନ୍ଥରେ।

‘ନୀଳାଦ୍ରି ମହୋଦୟ’ ଓ ‘ବାମଦେବ ସଂହିତା’ ଶ୍ରୀମନ୍ଦିରର ରୀତିନୀତି ସଂପର୍କିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ। ‘ନୀଳାଦ୍ରି ମହୋଦୟ’ର ଷୋଡ଼ଶ ଅଧ୍ୟାୟରେ ଥିବା ବର୍ଣ୍ଣନା ଅନୁସାରେ- ଶ୍ରୀମନ୍ଦିରର ଜୟବିଜୟ ଦ୍ୱାରଠାରେ ଏହି ଲୀଳା ଅନୁଷ୍ଠିତ ହୁଏ। ଦେବୀ ଲକ୍ଷ୍ମୀ କୌତୁକବଶତଃ ଏହି ଦ୍ୱାରକୁ ବନ୍ଦ କରିଦେଇ, ଦ୍ୱାରର ଆରପାର୍ଶ୍ବରେ ନିଜେ ଅବସ୍ଥାନ କରନ୍ତି। ଏଥିରେ ଉଭୟ ପକ୍ଷରୁ ଗୋଟିଏ ଗୋଟିଏ ପଦର ବଚନିକା ହୋଇଥାଏ।

ତେବେ, ‘ବାମଦେବ ସଂହିତା’ରେ ଏ ପ୍ରସଙ୍ଗ କିଂଚିତ୍ ଭିନ୍ନ ଭାବରେ ବର୍ଣ୍ଣିତ ହୋଇଛି। ଏହାର ସପ୍ତଦଶ ଅଧ୍ୟାୟରେ ଏ ସଂପର୍କରେ ବିଶଦ ବର୍ଣ୍ଣନା ଅଛି। ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ଦଇତାମାନେ ଏବଂ ଦେବୀ ଲକ୍ଷ୍ମୀଙ୍କ ପକ୍ଷରୁ ଦେବଦାସୀମାନେ ସେହି ବଚନିକାରେ ଅଂଶଗ୍ରହଣ କରୁଥିବା ବିଷୟ ସେଥିରେ ଅତ୍ୟନ୍ତ ରୋଚକ ଭାବରେ ବର୍ଣ୍ଣିତ ହୋଇଛି।

ସେହି ବର୍ଣ୍ଣନା ଅନୁସାରେ- ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଯାଇସାରିବା ପରେ, ଦେବୀ ଲକ୍ଷ୍ମୀ କବାଟର ଅର୍ଗଳିକୁ ଦୃଢ଼ ଭାବରେ ବନ୍ଦ କରାଇ ନିଜେ ଦ୍ୱାରଦେଶର ପୁରୋଭାଗରେ ରହିଲେ। ସେତେବେଳେ ରାଜା ମହାଲକ୍ଷ୍ମୀ ଓ ଶ୍ରୀଜଗନ୍ନାଥଙ୍କର ସେବକମାନଙ୍କୁ କହିଲେ, ପ୍ରଭୁ ଯେପରି ମୋର ମାନ୍ୟ, ମାତା ଲକ୍ଷ୍ମୀ ମଧ୍ୟ ସେହିପରି ମାନ୍ୟା ଅଟନ୍ତି। ତେଣୁ ଲକ୍ଷ୍ମୀ ଓ ନାରାୟଣଙ୍କୁ ମାତା ଓ ପିତା ଭାବରେ ବନ୍ଦାପନା କରି, ରଥରୁ ପ୍ରଭୁ ଜଗନ୍ନାଥଙ୍କୁ ଅବତରଣ କରାଇ, ରାଜା କବାଟର ଅର୍ଗଳି ପାଖକୁ ଆଣିଲେ। ତାହା ଜାଣି ମହାଲକ୍ଷ୍ମୀ ଦାସୀବର୍ଗଙ୍କୁ ଡାକି ଅଭିମାନ ଭରା ଆଦେଶ ଦେଇ କହିଲେ- ହେ ଦାସୀମାନେ! ତୁମ୍ଭେ ଯାଇ ଜଗନ୍ନାଥଙ୍କୁ କୁହ ଯେ ଏହି ସ୍ଥାନରେ ଚଣ୍ଡରୂପା ଦେବୀ ଅବସ୍ଥାନ କରୁଛନ୍ତି। ଆପଣଙ୍କୁ ସୁଖ ପ୍ରଦାନ କରିବା ପରି କେହି ପ୍ରିୟା ଏଠାରେ ନାହାନ୍ତି। ଏହା ହେଉଛି ବିରହିଣୀପୁର। ଚନ୍ଦନାଦି ସୁଗନ୍ଧ ପଦାର୍ଥ, ଆପଣଙ୍କ ମନଲାଖି ପାନ, ଭୋଜନ କିଛି ଏଠାରେ ନାହିଁ। ଏଣୁ ହେ ବିଭୁ! ଯେଉଁଠାରେ ଆପଣଙ୍କୁ ଏସବୁ ମିଳିବ, ଆପଣ ସେଠାକୁ ଯାଆନ୍ତୁ।” ‘ବାମଦେବ ସଂହିତା’ ଅନୁସାରେ- “ଦେବୀ ମହାଲକ୍ଷ୍ମୀଙ୍କର ସେହି ବାକ୍ୟ ଶୁଣି, ରାଜା ଅନେକ ପ୍ରକାରରେ ଦେବୀଙ୍କୁ ସାନ୍ତ୍ୱନା ପ୍ରଦାନ କଲେ। ତାହାପରେ ଦେବୀ ଲଜ୍ଜାବନତ ମୁଖରେ ଦ୍ୱାର ଖୋଲିଦେଲେ।”

ଏତିକି ହିଁ ହେଉଛି କଥା। ‘ନୀଳାଦ୍ରି ମହୋଦୟ’ ଅନୁସାରେ- ଏହା ଏକ ‘କୌତୁକାବହ’ ନୀତି। ‘ବାମଦେବ ସଂହିତା’ ଅନୁସାରେ- ଲକ୍ଷ୍ମୀ ଯାହା କହିଛନ୍ତି, ସେଥିପାଇଁ ସେ ‘ଲଜ୍ଜାବନତା’ ବି ହୋଇଛନ୍ତି।

କିନ୍ତୁ ଏତିକି ମାତ୍ର କଥାକୁ ଆମର କବିମାନେ ଦେଇଛନ୍ତି ଏକ ତୁମୂଳ ଗୃହଯୁଦ୍ଧର ରୂପ। ତାହା ହିଁ ‘ଲକ୍ଷ୍ମୀ-ନାରାୟଣ ବଚନିକା’ ବା ‘ଲକ୍ଷ୍ମୀ-ନାରାୟଣ କଳି’। ସମକାଳୀନ ସମାଜସ୍ଥିତି ଓ ଲୋକମାନସର ପ୍ରତିଫଳନ ଥିବାରୁ, ତାହା ଲୋକପ୍ରିୟ ହୋଇଛି। ସମୟକ୍ରମେ ତାହାର ବିସ୍ତାର ବି ଘଟିଛି।

ଠାକୁରଙ୍କ ଘରକଳିର ସେହି ବିଚିତ୍ର ରଙ୍ଗ ଓ ରୂପର ଆଲୋଚନା ଆରଥରକୁ।

ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର