ବନ୍ଧୁ କିଏ, ବନ୍ଧୁତା କ’ଣ!

ସୂର୍ଯ୍ୟ ମିଶ୍ର

ସବୁ ମୂଳରେ ବନ୍ଧୁତା। ସ୍ନେହ, ସଂପ୍ରୀତି, ଆନୁଗତ୍ୟ, ଗଭୀର ସଂପର୍କ, ସମ୍ମାନବୋଧ ଓ ସଂଭ୍ରମତା, ମୁକ୍ତ ମତ ବିନିମୟ; ସର୍ବୋପରି ବିଶ୍ବାସ ହେଉଛି ବନ୍ଧୁତାର ଭିତ୍ତି। ବନ୍ଧୁତା ଉତ୍‌ପ୍ରେରକ। ସମାନ ଆଗ୍ରହ ଓ ରୁଚି, ପାରସ୍ପରିକ ସମ୍ମାନବୋଧ, ସଂପୃକ୍ତି, ନିବିଡ଼ତା ଓ ଭାବଗତ ନିରାପତ୍ତା ଉପରେ ବନ୍ଧୁତା ଆଧାରିତ। ସେଥିରେ ଥାଏ ନିଃସର୍ତ୍ତ ପ୍ରେମ, ପୁଣି ନିର୍ଭରଶୀଳତା। ସେଥିରେ ନିହିତ ଥାଏ ପୌରୁଷର ସହଭାଗିତା, ବ୍ୟକ୍ତିତ୍ବର ବିକାଶ ଓ ସଂବର୍ଦ୍ଧନ। ବନ୍ଧୁତା ସୁଖ ବଢ଼ାଏ, ଶକ୍ତି ପ୍ରଦାନ କରେ, ଆପଣା ମୂଲ୍ୟବୋଧରେ ଜୀବନକୁ ଋଦ୍ଧିମନ୍ତ କରେ।

ଆଜି ସାରା ପୃଥିବୀ ଦାରିଦ୍ର୍ୟ, ହିଂସା, ମାନବିକ ଅଧିକାର ଉଲ୍ଲଂଘନ ଇତ୍ୟାଦିରେ ହନ୍ତସନ୍ତ ହେଉଥିବା ବେଳେ ତୃଣମୂଳ ସ୍ତରରେ ସୁସଂହତ, ଶାନ୍ତିପୂର୍ଣ୍ଣ ଓ ସଂପ୍ରୀତିସମୃଦ୍ଧ ବନ୍ଧୁତାର ଭାବ ଯେ ଅପରିହାର୍ଯ୍ୟ, ତାହା କହିବା ଅନାବଶ୍ୟକ। ଲୋକ, ସମାଜ, ସମୁଦାୟ, ସଂପ୍ରଦାୟ, ଦେଶ ଓ ସଂସ୍କୃତି ମଧ୍ୟରେ ବନ୍ଧୁତାର ବାତାବରଣ ଅବ୍ୟାହତ ରହିଲେ ହିଁ ଏକ ଅର୍ଥପୂର୍ଣ୍ଣ ସାମଗ୍ରିକ ଭବିଷ୍ୟତ୍‌ ସମ୍ଭବ ହୋଇପାରିବ।

ଉଇଲିୟମ୍ କୁପରଙ୍କ ‘ଆଲେକ୍‌ଜାଣ୍ଡର ସେଲକାର୍କ’ କବିତାରେ କୁହାଯାଇଛି ଯେ ସମାଜ, ବନ୍ଧୁତା ଏବଂ ପ୍ରେମ ହେଉଛି ମାନବକୁ ପ୍ରାପ୍ତ ହୋଇଥିବା ତିନିଟି ନୈସର୍ଗିକ ଉପହାର। ୱାଲଟର ସ୍କଟ୍‌ ଠାଏ କହିଥିଲେ ଯେ ପୃଥିବୀର ସମସ୍ତେ ତୁମ ପାଖରୁ ବାଟ ଭାଙ୍ଗି ଚାଲିଯିବା ପରେ ପ୍ରକୃତ ବନ୍ଧୁ ହିଁ ତୁମ ପୃଥିବୀରେ ପ୍ରବେଶ କରିଥାଏ। ଆମେ ଯେପରି, ପ୍ରକୃତ ବନ୍ଧୁ ହିଁ ଆମକୁ ସେଇ ପରି ଗ୍ରହଣ କରିଥାଏ। ଏକ ସଂଘାତମୟ ପରିସ୍ଥିତିରେ ବନ୍ଧୁର ଉପସ୍ଥିତି ବଳ ପ୍ରଦାନ କରିଥାଏ।

ବିଶ୍ବର ବିଭିନ୍ନ ଭାଷା ସାହିତ୍ୟର ବ୍ୟାଖ୍ୟାନ ମାଧ୍ୟମରେ ବନ୍ଧୁତାର ଜୟ-ଜୟକାର କରାଯାଇଛି। ଗ୍ରୀକ୍ ପୁରାଣରେ ଡେମନ୍ ଓ ପିଥିଆସ୍‌ଙ୍କ ବନ୍ଧୁତା ଯେପରି ସ୍ମରଣୀୟ, ଭାରତୀୟ ସାହିତ୍ୟରେ ବିଷ୍ଣୁଶର୍ମାଙ୍କ ରଚିତ ‘ପଞ୍ଚତନ୍ତ୍ର’ କାହାଣୀମାଳାରେ ବନ୍ଧୁତା-ମହିମାର ପ୍ରଶସ୍ତ ବ୍ୟାଖ୍ୟା ରହିଛି। ଭାରତୀୟ ପୁରାଣ ଆଖ୍ୟାନଗୁଡ଼ିକରେ ଶ୍ରୀକୃଷ୍ଣ-ସୁଦାମା, କୃଷ୍ଣ-ଅର୍ଜୁନ, ଦ୍ରୌପଦୀ-କୃଷ୍ଣ, ତ୍ରିଜଟା-ସୀତା, କର୍ଣ୍ଣ-ଦୁର୍ଯ୍ୟୋଧନ ଇତ୍ୟାଦିଙ୍କ ବନ୍ଧୁତାର ଦୃଷ୍ଟାନ୍ତ ପ୍ରେରଣାଦାୟୀ ହୋଇ ରହିଛନ୍ତି।

ବନ୍ଧୁତା ସଂପର୍କରେ ସମାଜତତ୍ତ୍ୱବିତ୍ ଏବଂ ମନସ୍ତତ୍ତ୍ୱବିତ୍‌ମାନଙ୍କ ଆଲୋଚନା କହିଥାଏ ଯେ ଜଣେ ବ୍ୟକ୍ତିର ବିବର୍ତ୍ତନ ଓ ଉତ୍ତରଣ ବନ୍ଧୁତା ଉପରେ ନିର୍ଭରଶୀଳ। ସୁସଙ୍ଗ ମନୁ‌ଷ୍ୟର ଜୀବନକୁ ମହିମାନ୍ବିତ କରିଥାଏ। ବନ୍ଧୁ ମଧ୍ୟ ସର୍ବଶ୍ରେଷ୍ଠ ସମାଲୋଚକ ହୋଇପାରେ; କାରଣ ତା’ର ସମାଲୋଚନା ଓ ପରାମର୍ଶ ଜଣକୁ ପଥଭ୍ରଷ୍ଟ ହେବାରୁ ରକ୍ଷା କରିପାରେ।
ବନ୍ଧୁତାର ଅୟମାରମ୍ଭ ଘଟେ ଆଳାପରୁ। ବାର୍ତ୍ତାଳାପ ଜରିଆରେ ଭିତରେ ଥିବା ଆବେଗ ପ୍ରକାଶ୍ୟ ହୋଇ ଦୁଇ ମନୁଷ୍ୟଙ୍କ ପ୍ରାଣକୁ ପଲ୍ଲବିତ କରି ପକାଏ। ପ୍ରକୃତ ବନ୍ଧୁତା ଉପକାର କରିବାରେ ଓ କଲ୍ୟାଣ କାମନାରେ ନିହିତ ଥାଏ।

ବନ୍ଧୁତାରେ ଅର୍ଥାଗମ ବା ଲାଭ ଅର୍ଜନର ଉଦ୍ଦେଶ୍ୟ ନ ଥାଏ। ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଥାଇ ବନ୍ଧୁତା ଆରମ୍ଭ ହେଲେ ପରବର୍ତ୍ତୀ ସମୟରେ ତାହା ମଧ୍ୟ କଳୁଷିତ ହୋଇଯାଏ। ବିଶ୍ବାସ ଓ ସତ୍ୟଶୀଳତା ହେଉଛି ପ୍ରକୃତ ବନ୍ଧୁତାର ମୂଳ ନୀତି। ପ୍ରକୃତ ବନ୍ଧୁ ସୁଖ ପ୍ରଦାନ କରେ, ସେଥିପାଇଁ ସେ ସଖା ଭାବେ ସଂବୋଧିତ ହେବା ଯୋଗ୍ୟ। କୁହାଯାଏ ଯେ ବନ୍ଧୁତାର ଦୃଷ୍ଟି ନେଇ ଅନୁଶୀଳନ କଲେ ବୈରୀ ଭାବ ଦୂର ହୁଏ। ସେଭଳି ଦୃଷ୍ଟି ଧାରଣ କଲେ ଅନ୍ୟମାନଙ୍କୁ ଭଲ ଭାବେ ବୁଝି ହୋଇଥାଏ। ସତ୍‌ ମନୁଷ୍ୟ ହେଉଛି ବନ୍ଧୁତାର ଉତ୍ସ। ସେ ବନ୍ଧୁତାର ଅନୁପାଳକ, ପ୍ରେରକ ଓ ସଂରକ୍ଷକ। ଯେତେବେଳେ ଜଣେ ମନୁଷ୍ୟ ବିପଦ ବେଳେ ଆଉ କାହାକୁ ନ ପାଇ ଅସହାୟତାର ହାତ ପ୍ରସାରି ଦିଏ, ସେତିକି ବେଳେ ସେହି ହାତକୁ ଧରିବାକୁ ଆଗେଇ ଆସେ ଜଣେ ବନ୍ଧୁ। ବର୍ତ୍ତମାନ କୋଭିଡ୍‌ ମହାମାରୀ ସମୟରେ ଏକାନ୍ତବାସ ଓ ଶାରୀରିକ ଦୂରତା ରକ୍ଷା ଏକ ଅଲିଖିତ ନିୟମରେ ପରିଣତ ହୋଇଛି। ସେତିକି ବେଳେ ଅନେକ କୋଭିଡ୍‌ ଆକ୍ରାନ୍ତ ନିଜ ପରିବାରର ସଦସ୍ୟ ଓ ପରିଜନଙ୍କ ସାହାଯ୍ୟ ପାଉ ନାହାନ୍ତି। କିନ୍ତୁ ଏଭଳି ସ୍ଥଳେ ବନ୍ଧୁମାନଙ୍କ ସାହାଯ୍ୟ, ସହଯୋଗ ଓ ଉପସ୍ଥିତି ସେମାନଙ୍କୁ ସାହସ ଓ ଆଶ୍ବାସନା ପ୍ରଦାନ କରିଛି। କରୋନା ସମୟରେ ବନ୍ଧୁତାର ନିଦର୍ଶନ ଆହୁରି ଉଜ୍ଜ୍ବଳ ହୋଇଛି ଏବଂ ବନ୍ଧୁତାର ପରାକା‌ଷ୍ଠା ଅନତିକ୍ରମ୍ୟ ହୋଇଛି।

(ଆନ୍ତର୍ଜାତିକ ବନ୍ଧୁତା ଦିବସ )

ମୋ- ୬୩୭୧୪୩୫୨୮୮

ସମ୍ବନ୍ଧିତ ଖବର