ଏବେ ଜାତି ପୁନର୍ମିଳନର ସମୟ

ରାଜେନ୍ଦ୍ର ପ୍ରସାଦ ସାମଲ

ପ୍ରତ୍ୟେକ ହିନ୍ଦୁ ନିଜ ଜାତିର ପଞ୍ଜୁରିରେ ଛନ୍ଦି ହୋଇ ପରସ୍ପର ଠାରୁ ପୃଥକ୍‌ ହୋଇ ରହିଛି। ହିନ୍ଦୁ ସମାଜ ମଧ୍ୟ କୁଣ୍ଡ ଭିତରେ ବଢୁଥିବା ଗଛମାନଙ୍କର ଅରଣ୍ୟ ପରି ପରସ୍ପର ଠାରୁ ଅସଂଲଗ୍ନ ହୋଇପଡ଼ିଛି। ଏବେ କିନ୍ତୁ ‘ରେଡ୍ଉଡ୍‌’ ବୃକ୍ଷ ଠାରୁ ଭ୍ରାତୃତ୍ବର ବିଶାଳତା ଶିକ୍ଷା କରିବା ଉଚିତ। ବିଶ୍ବର ସବୁଠାରୁ ଦୀର୍ଘ ଓ ଶକ୍ତ ବୃକ୍ଷର ମାନ୍ୟତା ରଖିଥିବା ଏହି ‘ରେଡ୍ଉଡ୍‌’ ବୃକ୍ଷ କେବେ ଏକାକୀ ବଢ଼ିନଥାଏ। ସେମାନେ ଅକଳ୍ପନୀୟ ଶକ୍ତି ଆହରଣ କରି ନିଜର କୁଞ୍ଜକୁ ଘୂର୍ଣ୍ଣିଝଡ଼ ଓ ପ୍ରବଳ ବନ୍ୟା ଦାଉରୁ ରକ୍ଷା କରିବା ଲାଗି ଅପରାଜେୟ ପ୍ରହରୀ ପରି ଛିଡ଼ା ହୋଇଥା’ନ୍ତି। ଏଥିପାଇଁ ସେମାନେ ନିଜର ଚେରକୁ ପଚାଶ ଫୁଟରୁ ଅଧିକ ଦୀର୍ଘ ଯାଏ ବିସ୍ତାରି ଅନ୍ୟ ‘ରେଡ୍ଉଡ୍‌’ ବୃକ୍ଷର ଚେର ସହ ମିଶି ଅଭଙ୍ଗ ଏକତାର ଦୃଢ଼ତା ଲାଭ କରିଥା’ନ୍ତି। ଜାତିପ୍ରଥା ସବର୍ଣ୍ଣମାନଙ୍କ ପାଇଁ ଅନ୍ୟତମ ସମ୍ପତ୍ତି ହୋଇପାରେ, ମାତ୍ର ଶୂଦ୍ରମାନଙ୍କ ପାଇଁ ଏହା ବୋଝ ସଦୃଶ; ଏପରି କି ସମାଜ ପାଇଁ ଏହା ଏକ ବିଭାଜକ ଉତ୍‌ପ୍ରେରକର ଭୂମିକା ନିର୍ବାହ କରୁଛି। ସେଥିପାଇଁ ହିଁ ହିନ୍ଦୁମାନେ ସେମାନଙ୍କ ନିଃସଙ୍ଗ ଜାତି ପରିସରରେ ବାସ କରି ଭ୍ରାତୃତ୍ବର ମହାନତାକୁ ହରାଇ ବସିଛନ୍ତି। ଫଳରେ ସେମାନେ ବାହ୍ୟ ବିପଦ ପ୍ରତି ମଧ୍ୟ ପ୍ରତିଘାତଶୀଳ ହୋଇପଡ଼ିଛନ୍ତି। ଜାତିପ୍ରଥା ଦ୍ବାରା କ୍ଷତିଗ୍ରସ୍ତ ସମ୍ପର୍କରେ ଦ୍ରୁତ ସୁଧାର ଆଣିବା ପାଇଁ କେହି ଚେଷ୍ଟିତ ନୁହନ୍ତି। ଏଭଳି ଅପ୍ରୀତିକର ପ୍ରଥାକୁ ଗ୍ରହଣ କରିଥିବା ସତ୍ତ୍ବେ ହିନ୍ଦୁତ୍ବ ଅତି ଚମତ୍କାର ଢଙ୍ଗରେ ହଜାର ହଜାର ବର୍ଷ ଧରି ଆପଣା ଛାଏଁ ତିଷ୍ଠି ରହି ଆସିଛି। ମାତ୍ର ସାମ୍ପ୍ରତିକ ସ୍ଥିତିର ପ୍ରତିକୂଳ ପରିବେଶ ତାହାର ଅସ୍ତିତ୍ବକୁ ବିଲୋପ କରିବା ପାଇଁ ଚରମ ସୋପାନରେ ପହଞ୍ଚିଛି। ହିନ୍ଦୁମାନେ ଯଦି ଏପରି ବିଭାଜିତ ହୋଇ ରହିବେ, ତେବେ ଅଚିରେ ହିନ୍ଦୁତ୍ବର ସତ୍ତା ବିସ୍ମୃତି ହୋଇଯିବାର ଆଶଙ୍କା ରହିଛି।

ଜୀବନର ମଞ୍ଜିକୁ ଈଶ୍ବର ବୁଣିଛନ୍ତି ଯାହା ପୂର୍ଣ୍ଣ ମାତ୍ରାରେ ବିକଶିତ ହେବା ଦରକାର। ମାତ୍ର ତାହାର ସର୍ବାଙ୍ଗୀନ ପରିସ୍ଫୁଟନରେ ଜାତିପ୍ରଥା ହିଁ ପ୍ରତିକୂଳ ପରିବେଶ ସୃଷ୍ଟି କରୁଛି। ଏହା ଜଣକୁ ନିଜ ପ୍ରେମ ଓ କରୁଣାର ସୁନ୍ଦରତା ପ୍ରଦର୍ଶନ କରିବାର ପୂର୍ଣ୍ଣ ଦକ୍ଷତା ଅନୁଭବ କରିବା ଲାଗି ଅସମର୍ଥ କରି ପକାଉଛି। ପରିତାପର ବିଷୟ, ଏହା ପ୍ରତ୍ୟେକ ହିନ୍ଦୁର ଜୀବନ ପାଇଁ ପ୍ରଯୁଜ୍ୟ।

ଅନେକ ବ୍ରାହ୍ମଣ ସମ୍ପ୍ରଦାୟର ବ୍ୟକ୍ତି ପ୍ରତିରକ୍ଷା ବିଭାଗରେ ସାମିଲ ହୋଇ ଯୁଦ୍ଧ କ୍ଷେତ୍ରରେ ଉଚ୍ଚକୋଟୀର ବୀରତ୍ବ ପ୍ରଦର୍ଶନ ପୂର୍ବକ କ୍ଷତ୍ରିୟମାନଙ୍କ ଗୁଣସୁଲଭ ପରାକାଷ୍ଠା ପ୍ରଦର୍ଶନ କରୁଥିଲେ ହେଁ ବ୍ରାହ୍ମଣ ହୋଇ ରହିଛନ୍ତି। କେତେକ ସହରରେ କିଛି ଉଚ୍ଚମନା ସବର୍ଣ୍ଣ ମଧ୍ୟ ବର୍ଷ ବର୍ଷ ଧରି ରଜକର କାର୍ଯ୍ୟ କରି ବିପୁଳ ସଫଳତା ଲାଭ କରିବା ସହିତ ସବର୍ଣ୍ଣ ହୋଇ ରହିଛନ୍ତି। ଉଚ୍ଚ ଠାକୁର ଜାତିର ଅନେକ ବାଳକ ମଧ୍ୟ ପଞ୍ଚତାରକା ହୋଟେଲ୍‌ମାନଙ୍କରେ ଅତି ନ୍ୟୂନ କାର୍ଯ୍ୟ କରି ସୁଦ୍ଧା ନିଜକୁ ଠାକୁର ବୋଲି ଅଭିହିତ କରୁଛନ୍ତି। ମନୁସ୍ମୃତିର ଚତୁର୍ଥ ଅଧ୍ୟାୟର ୨୪୫ ଟୀକା ଅନୁଯାୟୀ, ସଂଗଦୋଷରୁ ଜଣେ ସବର୍ଣ୍ଣ ମଧ୍ୟ ଶୂଦ୍ର ଭାବେ ବିବେଚିତ ହୋଇପାରିବ। ମାତ୍ର ଅନେକ ସବର୍ଣ୍ଣ ହତ୍ୟା ଓ ଦୁଷ୍କର୍ମ ପାଇଁ ଦୋଷୀ ସାବ୍ୟସ୍ତ ହୋଇ କାରାବାସ ଭୋଗୁଥିଲେ ହେଁ ସେମାନଙ୍କ ଜାତି ବା ବର୍ଣ୍ଣରେ କୌଣସି ପରିବର୍ତ୍ତନ ହେଉନାହିଁ। ଏପରି ଅନେକ ଉଦାହରଣ ରହିଛି। କାରଣ ମନୁସ୍ମୃତିକୁ କ୍ବଚିତ୍ ଅନୁସରଣ କରାଯାଇଛି। ସେହିପରି ସବର୍ଣ୍ଣଙ୍କ ଦ୍ବାରା ପ୍ରଣୀତ ଏହି ଜାତିପ୍ରଥା ଆତ୍ମ ନିୟନ୍ତ୍ରିତ ଭାବେ ପ୍ରଚଳିତ ହୋଇ ଆସିଛି। ଥରେ ଜଣେ ଉଚ୍ଚ କୁଳରେ ଜନ୍ମ ନେଲେ ସେ ଓ ତା’ର ଭାବୀ ପିଢ଼ି ଅତି ସ୍ବାଭାବିକ ଭାବେ ଏକ ମହାନ ପରିଚିତି ଲାଭ କରନ୍ତି। ସେମାନଙ୍କ ଗୁଣ ଓ ବୃତ୍ତିରେ ଅବନତି ଘଟିଲେ ବି ସେମାନେ ସାମାଜିକ ସ୍ତରରେ‌ ସେମିତି ଉଚ୍ଚରେ ରହନ୍ତି; ଯଦିଓ ସେଥିରେ କୌଣସି କ୍ଷତି ନ ଥାଏ। କାରଣ ଜାତି କୌଣସି ନୈତିକ ଗୁଣର ଅଭିବ୍ୟକ୍ତି ନୁହେଁ।

ଏ ପରିପ୍ରେକ୍ଷୀରେ ଶୂଦ୍ରମାନେ ମନୁଷ୍ୟ ସମାଜର ଏକ ପଛୁଆ ଚିନ୍ତାଧାରାର ଅସ୍ପଷ୍ଟ ଓ ଭ୍ରାନ୍ତିି ଦ୍ବାରା ଶିକାର ଗୋଷ୍ଠୀ ହୋଇ ରହିଛନ୍ତି, ଯେଉଁମାନେ ନିର୍ବୋଧତାବଶତଃ ଏଭଳି ଜାତି ଭିତ୍ତିକ ଅନ୍ୟାୟୋଚିତ ସାମାଜିକ ଶୃଙ୍ଖଳାକୁ ବଞ୍ଚାଇ ରଖିବାକୁ ଆଗ୍ରହୀ। ସେମାନେ ଲଜ୍ଜାଜନକ ଭାବେ ଆରକ୍ଷଣ ଦାବି କରି ନିରନ୍ତର ଭାବେ ନିଜ ଭିତରେ ଥିବା ଯାବତୀୟ ପ୍ରତିଭା ଓ ସମ୍ଭାବନାକୁ ନଷ୍ଟ କରି ଚାଲିଛନ୍ତି। ଏହା ପରିବର୍ତ୍ତେ ସେମାନେ ଜାତିରେ ସମାନ ହେବା ପାଇଁ ସେହି ଅପ୍ରତିରୋଧ୍ୟ ଉତ୍ସାହ ଓ ଆବେଗ ପ୍ରଦର୍ଶନ କରିବା ଉଚିତ। ଜଣେ ଉତ୍ତମ ପ୍ରକୃତିର ଭଦ୍ର ଶୂଦ୍ର ଜ୍ଞାନୀଗୁଣୀଙ୍କ ସଂସ୍ପର୍ଶରେ ଆସୁଥିଲେ, ସବର୍ଣ୍ଣ ଭାବେ ବିବେଚିତ ହେବାର ପ୍ରାବଧାନ ମନୁସ୍ମୃତିର ନବମ ଅଧ୍ୟାୟ ଟୀକା ୩୩୫ରେ ଉଲ୍ଲେଖ ରହିଛି। ଏଥିରୁ ଉତ୍ସାହ ଆହରଣ କରି ପରିବର୍ତ୍ତନର ସ୍ରୋତକୁ ଲମ୍ଫ ଦେବାକୁ ପଡ଼ିବ। ତେବେ ସେମାନେ ନିଜକୁ ସେହି ସ୍ବୟଂ ଆରୋପିତ ଦୁଃଖଦାୟକ ପରିଚିତିରୁ ମୁକ୍ତ ନ କଲା ଯାଏ ସମାଜ ଆଖିରେ ସେମାନଙ୍କ ପ୍ରତି ରହିଥିବା ଘୃଣ୍ୟ ଧାରଣା କେବେ ହେଲେ ଲୋପ ପାଇବ ନାହିଁ।

କେବଳ ସେତିକି ନୁହେଁ, ସେମାନଙ୍କ ସୁଯୋଗ୍ୟ ଖ୍ୟାତି, ସୁରୁଚିପୂର୍ଣ୍ଣ ସମ୍ବେଦନଶୀଳତା ଓ ଉଚ୍ଚକୋଟୀର ବୌଦ୍ଧିକ କାର୍ଯ୍ୟକଳାପଗୁଡ଼ିକ ନ୍ୟୂନ ଦୃଷ୍ଟିର ଶିକାର ହୋଇ ଚାଲିଥିବ। ବାବା ସାହେବ ଆମ୍ବେଦକରଙ୍କ କ୍ଷେତ୍ରରେ ତାହା ହିଁ ଘଟିଥିଲା।
ସମଗ୍ର ସମାଜକୁ ବିଷାକ୍ତ କରିବା ଲାଗି ଜାତିପ୍ରଥା ପ୍ରଭୂତ ଘୃଣା ସୃଷ୍ଟି କରିଛି। କିଛି ବର୍ଷ ତଳେ ଶିରିଡ଼ିରେ ଜଣେ ଦଳିତ ଯୁବକଙ୍କୁ ହତ୍ୟା କରାଗଲା; କାରଣ ନିଜ ମୋବାଇଲ୍ ଫୋନ୍‌ରେ ସେ ଡ. ଆମ୍ବେଦକରଙ୍କୁ ପ୍ରଶଂସା କରି ଏକ ଗୀତ ବଜାଇଥିଲେ। ଜାତି ଭେଦଭାବର ତୀବ୍ରତା ହିନ୍ଦୁମାନଙ୍କ ଭାବନାରୁ ଆଦୌ ଲିଭି ନ ଥିବା କଥା ଏହି ଘଟଣାରୁ ସ୍ପଷ୍ଟ ବୁଝି ହୁଏ। ସେମାନଙ୍କର ଉଚ୍ଚକୋଟୀର ଜ୍ଞାନଗରିମା ସତ୍ତ୍ବେ ଦଳିତମାନେ ଆଜି ସବର୍ଣ୍ଣମାନଙ୍କ ମନରେ ସେମାନଙ୍କ ପୂର୍ବଜଙ୍କ ଭଳି ତୀବ୍ର ଘୃଣାଭାବ ସୃଷ୍ଟି କରିଚାଲିଛନ୍ତି।

ଜାତିପ୍ରଥା ଏକ ଭାବନା ମାତ୍ର। ଏହା ଏକ ଚିନ୍ତାଧାରା, ଯାହା ହିନ୍ଦୁମାନଙ୍କର କ୍ରିୟା-ପ୍ରତିକ୍ରିୟା, ରୁଚି-ଅରୁଚି ଓ ଆଚରଣ-ଚରିତ୍ର ସମେତ ସହଜାତ ପ୍ରବୃତ୍ତିକୁ ନିର୍ଦ୍ଧାରଣ କରି ଆସୁଥିବା ଅବଚେତନ ଦ୍ବାରା ଏକ ଅପରିବର୍ତ୍ତନୀୟ ଢଙ୍ଗରେ ପର୍ଯ୍ୟବସିତ। ସେଭଳି ଚିନ୍ତାଧାରା ନଷ୍ଟ ନ ହେଲା ଯାଏ ହିନ୍ଦୁମାନେ କେବେ ବି ପବିତ୍ର ଭାବରେ ରହି ପାରିବେନି। ଅପର ପକ୍ଷେ, ଶୂଦ୍ରମାନେ ରହିଥିବାରୁ ହିଁ ସେଭଳି ଚିନ୍ତାଧାରା ସୃଷ୍ଟି ହୋଇଛି। ସୁତରାଂ, ଥରେ ସେମାନେ ସବର୍ଣ୍ଣ ହୋଇଗଲେ, ଜାତିପ୍ରଥା ଆପଣା ଛାଏଁ ଲୋପ ପାଇବ ଏବଂ ତାହା ଦ୍ବାରା ହିନ୍ଦୁମାନେ ଏକ ନୂତନ ଦିବ୍ୟତା ଲାଭ କରିବେ।

କୁମ୍ଭାର ଗୋରା, ତନ୍ତୀ କବୀର ଓ ମୋଚି ରାଇଦାସ ପରି ସନ୍ଥ ଏତେ ସୁନ୍ଦର ଭାବରେ ଭକ୍ତିଗୀତ ରଚନା କରିପାରିଥିଲେ, କାରଣ ସେମାନଙ୍କ ସୃଷ୍ଟି ବିଶୁଦ୍ଧ ସରଳତାରୁ ହିଁ ଆତ୍ମପ୍ରକାଶ କରିପାରିଥିଲା। ମାନବ ସଭ୍ୟତା ପାଇଁ ଯାହା ଅଦୃଶ୍ୟ ହୋଇ ରହିଥିଲା, ତାହା ସେମାନଙ୍କର ସ୍ବାଭାବିକ ଦୃଶ୍ୟପଟର ଅଂଶ ପାଲଟିଥିଲା। ସେମାନେ ଶିକ୍ଷିତ ନ ଥିଲେ କି କୌଣସି ଗ୍ରନ୍ଥ ପଢ଼ିନଥିଲେ। ମାତ୍ର ଧର୍ମଯାଜକ ଓ ପଣ୍ଡିତମାନେ ଈର୍ଷଣୀୟ ପ୍ରଶଂସା କଲା ଭଳି ଐଶ୍ବରିକତା ସେମାନଙ୍କ ଠାରେ ରହିଥିଲା। ସେମାନଙ୍କ ହୃଦୟରେ ଈଶ୍ବର ଆବିର୍ଭାବ ହେଲା ବେଳେ ସେ କେବେ ସେମାନଙ୍କର ଜାତି ପରଖି ନଥିଲେ। ଯେଉଁମାନଙ୍କ ହୃଦୟରେ ସ୍ବୟଂ ଈଶ୍ବର ବିରାଜମାନ, ସେମାନଙ୍କର ଗୁଣର ସମକକ୍ଷ ହେଲା ଭଳି କୌଣସି ଜାତି ନାହିଁ।

ବାବା ସାହେବ ଆମ୍ବେଦକରଙ୍କ ଜ୍ଞାନ ଓ ବୁଦ୍ଧିର କେହି ସମକକ୍ଷ ନ ଥିଲେ। କଲମ୍ବିଆ ବିଶ୍ବବିଦ୍ୟାଳୟର ୨୭୦ ବର୍ଷର ଇତିହାସରେ ଶ୍ରେଷ୍ଠ ଛାତ୍ର ଭାବରେ ତାଙ୍କର ପ୍ରତିମୂର୍ତ୍ତି ଶୋଭା ପାଇବା ହେଉଛି ତାଙ୍କ ଗରିମାର ପ୍ରାମାଣିକତା। ସେହିଭଳି ମେଘନାଦ ଶାହ ଜଣେ ବିଚକ୍ଷଣ ମହାକାଶବିଜ୍ଞାନୀ ଥିଲେ ଏବଂ ୧୯୩୦ରୁ ୧୯୫୫ ମସିହା ମଧ୍ୟରେ ତାଙ୍କର ନାମକୁ ନୋବେଲ ପୁରସ୍କାର ପାଇଁ ପାଞ୍ଚ ଥର ସୁପାରିସ କରାଯାଇଥିଲା। ଏପରି କି ଆମେରିକୀୟ ନୋବେଲ ବିଜେତା ପଦାର୍ଥବିଜ୍ଞାନୀ ଆର୍ଥର ଏଚ୍. କମ୍ପ୍‌ଟନ୍ ମଧ୍ୟ ସ୍ବର୍ଗତ ଶାହଙ୍କ ନାମକୁ ୧୯୩୭ ଓ ୧୯୪୦ରେ ନୋବେଲ ପୁରସ୍କାର ପାଇଁ ସୁପାରିସ କରିଥିଲେ। ମାତ୍ର ଭାଗ୍ୟ ତାଙ୍କ ସପକ୍ଷରେ ଯାଇନଥିଲା। ସମ୍ପ୍ରତି ସଂଗୀତଜ୍ଞ ଇଲାଇରାଜା ନିଜ ସଂଗୀତର ଯାଦୁରେ କୋଟି କୋଟି ଶ୍ରୋତାଙ୍କୁ ମନ୍ତ୍ରମୁଗ୍‌ଧ କରିଦେଉଛନ୍ତି। ଜାତି ନକଲି ପରିଚୟ ଦିଏ ବୋଲି ପ୍ରମାଣ ଏଭଳି ବହୁମୁଖୀ ଓ ଯୋଗଜନ୍ମାମାନେ ଛାଡ଼ିଯାଇଛନ୍ତି। ଭାରତର ସଂଗୀତ ଚିତ୍ରପଟରେ ଅନେକ ଶୂଦ୍ରଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ୨୦୧୬ ଓ ୨୦୧୯ ମସିହାର ଆଇଏଏସ୍‌ ଟପର ଟିନା ଦବି ଓ କାନିଷକ କଟାରିଆ ପ୍ରମାଣ କରିଛନ୍ତି। ସୁତରାଂ, ଶୂଦ୍ରମାନେ ଜାଣିବା ଦରକାର ଯେ ଉଚ୍ଚ ପଦପଦବି ନୁହେଁ, ବରଂ ଉଚ୍ଚ ଜାତିରେ ପ୍ରବେଶ ହିଁ ସେମାନଙ୍କୁ ଏ ଦୁଃଖରୁ ମୁକ୍ତି ଦେବ ଓ ଦେବତାଙ୍କ ସବୁଠୁ ମୂଲ୍ୟବାନ ସୃଷ୍ଟି ଭାବେ ଜୀବନ ଉତ୍ସବକୁ ପାଳନ କରିବାର ସୁଯୋଗ ଦେବ। ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ‘ହେ ଅର୍ଜୁନ, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ପରି ଜାତିଗୁଡ଼ିକ କେବେ ଜନ୍ମରୁ ପୂର୍ବ ନିର୍ଦ୍ଧାରିତ ହୋଇନଥାଏ, ବରଂ ସେମାନଙ୍କ ସହଜାତ ସାଧନ ଓ କାର୍ଯ୍ୟଶୈଳୀ ଦ୍ବାରା ହିଁ ସ୍ଥିରୀକୃତ ହୋଇଥାଏ।’ ଏହି ଦୈବୀ ବାଣୀ ପ୍ରତ୍ୟେକ ଗୁଣୀ ଶୂଦ୍ର ପାଇଁ ସବର୍ଣ୍ଣ ହେବାର ଏକ ଅତୁଟ ଆଧାର। ଜାତି, ଧର୍ମ ନିର୍ବିଶେଷରେ ଈଶ୍ବରଙ୍କ ଦ୍ବାରା ପ୍ରତିଭାଗୁଡ଼ିକୁ ପ୍ରଦତ୍ତ କରାଯାଇଛି। ଜୋତା ଗଢ଼ୁଥିବା ଆବ୍ରାହାମ୍ ଲିଙ୍କନ୍ ଆମେରିକାର ସର୍ବକାଳୀନ ଶ୍ରେଷ୍ଠ ରାଷ୍ଟ୍ରପତି ହୋଇପାରିଥିଲେ। ଶତାଧିକ ଏପରି ଉଦାହରଣରୁ ଏହା ଗୋଟିଏ ମାତ୍ର। ଜଣେ ଗୋରୁ ଚରାଳି ନିଜ ପ୍ରଜ୍ଞା ବଳରେ ଆପେ ଆପେ ସବର୍ଣ୍ଣକୁ ରୂପାନ୍ତରିତ ହୋଇ କାଳିଦାସ ନାମରେ ବିକ୍ରମାଦିତ୍ୟଙ୍କ ରାଜସଭାର ଶ୍ରେଷ୍ଠ ପଣ୍ଡିତ ପାଲଟିଥିଲେ। ଦଳିତମାନଙ୍କର ଆଉ କି ପ୍ରକାର ଉତ୍ତରାଧିକାର ଲୋଡ଼ା! ମନୁଷ୍ୟକୁ ଯାହା ଉପଲବ୍‌ଧ ତାହା ଜୀବନ ନୁହେଁ, ଯାହା ସେ କରିପାରେ, ତାହା ହିଁ ଜୀବନ। କୌଣସି ଅଲୌକିକତା ସେମାନଙ୍କୁ ଜାତିବାଦ ଦୁଃଖରୁ ମୁକ୍ତି ଆଣିଦେବ ବୋଲି ଶୂଦ୍ରମାନେ ଭାବିବା ଭୁଲ୍‌। ଏହି ପ୍ରଥାରେ ଯାହା ବଳକା ରହିଯାଇଛି, ତାହା ସେମାନଙ୍କୁ ଅର୍ପଣ କରାଯାଇଛି। ଏବେ ସେମାନଙ୍କୁ ଜାତି ତାଲିକାରୁ ନିଜ ପସନ୍ଦ ବାଛିବାର ସମୟ ଆସିଛି।

ବିଗତ ସତୁରି ବର୍ଷର ଆରକ୍ଷଣ ସୁବିଧା କେବଳ ଭେଦଭାବକୁ ତୀବ୍ର କରିଛି ବୋଲି ସରକାର ମଧ୍ୟ ଅନୁଭବ କରନ୍ତୁ। ଆରକ୍ଷଣ ବ୍ୟତିରେକ ସରକାର ଯଦି ଜାତିର ଉତ୍‌ଥାନ କରିଥାଆନ୍ତେ, ଏହି ଭେଦଭାବ ଫିକା ପଡ଼ିଯାଇଥା’ନ୍ତା ଏବଂ ମିଳେଇ ଯାଇଥା’ନ୍ତା ମଧ୍ୟ। ଜଣେ ବ୍ରାହ୍ମଣ ମଧ୍ୟ ଶୂଦ୍ର ହୋଇପାରିବ ଓ ଶୂଦ୍ରଟିଏ ମଧ୍ୟ ବ୍ରାହ୍ମଣ ହୋଇପାରିବ ବୋଲି ମନୁସ୍ମୃତିର ଦଶମ ଅଧ୍ୟାୟ ଟୀକା ୬୫ରେ ବର୍ଣ୍ଣିତ ହୋଇଛି। ଅନୁରୂପ ଭାବେ କ୍ଷତ୍ରିୟ ଓ ବୈଶ୍ୟମାନେ ମଧ୍ୟ ନିଜର ଗୁଣ ଅନୁଯାୟୀ ସେମାନଙ୍କ ବର୍ଣ୍ଣ ବା ଜାତି ବଦଳାଇପାରିବେ। ସୁତରାଂ, ଶୂଦ୍ରମାନଙ୍କୁ ଜାତିବାଦରୁ ମୁକ୍ତ କରି ସମାଜକୁ ଯୋଡ଼ିବା ହିଁ ସରକାରଙ୍କ ପକ୍ଷରେ ଶ୍ରେଷ୍ଠ ପ୍ରକ୍ରିୟା ହେବା ଉଚିତ। ଆଉ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେବ, ଅନ୍ୟ ଧର୍ମାବଲମ୍ବୀମାନେ ଆଉ ଧର୍ମାନ୍ତରୀକରଣ ପାଇଁ ଶୂଦ୍ରମାନଙ୍କୁ ପ୍ରଲୋଭିତ କରିବାର ସୁଯୋଗ ପାଇବେନି।

ଉଚ୍ଚ ଜାତିର ବିକଳ୍ପ ନାହିଁ ବୋଲି ଶୂଦ୍ରମାନେ ଜାଣନ୍ତୁ। ସେମାନଙ୍କ ଜାତିକୁ କେହି ପସନ୍ଦ କରୁନାହାନ୍ତି ବୋଲି ସେମାନଙ୍କୁ ମଧ୍ୟ କେହି ଶ୍ରଦ୍ଧା କରୁନାହାନ୍ତି। ସୁତରାଂ ସେମାନଙ୍କ ଉତ୍ତମ କର୍ମକୁ କେହି ପ୍ରଶଂସା କରିବାକୁ ନାହାନ୍ତି। ଯଦ୍ଦ୍ବାରା ସେମାନଙ୍କ ମୂଲ୍ୟବାନ ଜୀବନ ଅଦରକାରୀ ହୋଇଯାଇଛି। ସମାଜ କେବେ ଏଭଳି ପକ୍ଷପାତ ବଦଳାଇଦେବ ବୋଲି ସେମାନେ ଆଶା କରିବା ଉଚିତ ନୁହେଁ। ଜାତିର ଭଲ ପାଇଁ ତଥା ସମାଜର ମଙ୍ଗଳ ପାଇଁ ସେମାନଙ୍କୁ ନିଜ ଭିତରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଶୂଦ୍ରମାନଙ୍କର ସବର୍ଣ୍ଣୀକରଣ ଦ୍ବାରା କାହାର କିଛି କ୍ଷତି ହେବ ନାହିଁ। ବରଂ ଦୂର ଅତୀତର ପୂର୍ବପୁରୁଷଙ୍କ ପରି ସାଙ୍ଗିଆହୀନ ହୋଇ ରହିବାର ଏକ ପ୍ରଗତିଶୀଳ ଛବି ହିନ୍ଦୁ ଚରିତ୍ରକୁ ମିଳିଯିବ। ଏ ଭଳି ଐତିହାସିକ ପଦକ୍ଷେପ ଦ୍ବାରା ପ୍ରତ୍ୟେକ ହିନ୍ଦୁ ଏକ ଏକୀକୃତ ସମାଜର ସମସ୍ତ ପ୍ରତିବନ୍ଧକୁ ହଟାଇ ଭ୍ରାତୃତ୍ବର ଏକ ନୂତନ ଚମତ୍କାରିତା ପ୍ରଦର୍ଶନ କରି ପାରିବେ।

ମୋ: ୯୦୨୯୯୭୦୧୪୪

ସମ୍ବନ୍ଧିତ ଖବର