କୋଭିଡ୍‌-୧୯ ମହାମାରୀ ଦ୍ବାରା ସାରା ବିଶ୍ବର ମାନବ ସମାଜ ଅକଳ୍ପନୀୟ ଭାବେ ଚାପଗ୍ରସ୍ତ। ଏଭଳି ଏକ ପରିସ୍ଥିତିରୁ ଚାପମୁକ୍ତ ହେବା ଲାଗି ହାସ୍ୟକୁ ଏକ ସାଧନ ଭାବେ ବ୍ୟବହାର କରାଯାଇପାରେ। ଏହା ସାମାଜିକ ସ˚ପର୍କ ସ୍ଥାପନ ସହିତ ନିଜ ମନରେ ଶାନ୍ତି ପାଇଁ ଏକାନ୍ତ ଆବଶ୍ୟକ। ଏହାର ଅର୍ଥ ନୁହେଁ ଆମେ ସମସ୍ତେ ବିଦୂଷକ ଭଳି ବ୍ୟବହାର ପ୍ରଦର୍ଶନ କରିବା। ଏହାର ପ୍ରକୃତ ଉଦ୍ଦେଶ୍ୟ ନିଜ ଭିତରେ ହସିବା ଓ ହସାଇବାର ସାମର୍ଥ୍ୟ ବଢ଼ାଇବା।

Advertisment

ସ୍ବାଭାବିକ ଭାବେ ହସି ଜାଣିଲେ କେବଳ ଯେ କାର୍ଯ୍ୟ ଦକ୍ଷତା ବଢ଼େ, ତାହା ନୁହେଁ; ଏହା ଯେ କୌଣସି କଷ୍ଟକର କାର୍ଯ୍ୟକୁ ସହଜ କରିଥାଏ ଓ ଅପ୍ରୀତିକର ସମସ୍ୟାର ମୁକାବିଲା କରିବାରେ ସାହାଯ୍ୟ କରିଥାଏ। ଏଥି ସହିତ ଏହା ଆମର ମାନସିକ ଚାପକୁ ହ୍ରାସ କରେ ଏବ˚ ଦୁନିଆକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିବାର ସାମର୍ଥ୍ୟ ପ୍ରଦାନ କରିଥାଏ।

କିନ୍ତୁ ବିସ୍ମିତ ଲାଗେ ଯେ ପ୍ଲାଟୋଙ୍କ ଭଳି ଦାର୍ଶନିକ ହାସ୍ୟରସକୁ ସମାଲୋଚନା କରି କହିଥିଲେ ଯେ ତାହା ଆମର ଆତ୍ମ-ନିୟନ୍ତ୍ରଣକୁ କ୍ଷୁଣ୍ଣ କରୁଥିବା ଭଳି ଏକ ଆବେଗ। କିନ୍ତୁ ଉଦାରବାଦୀ ରୋମାନ୍‌ ଦାର୍ଶନିକ ସେନେକା ହସକୁ ଜୀବନର ଏକ ଅତ୍ୟାବଶ୍ୟକ ଉପାଦାନ ବୋଲି ଆଖ୍ୟା ଦେଇଥିଲେ। ଆଧୁନିକ ଯୁଗରେ କିନ୍ତୁ ସବୁ ଦୃଷ୍ଟିରୁ ହସର ମହତ୍ତ୍ବ ବଢ଼ିଛି। ହସ ଯେ ନିର୍ଦ୍ଦିଷ୍ଟ ଭାବେ ମାନସିକ ଚାପ ହ୍ରାସ କରେ; ଏ ନେଇ ସବୁ ଚିକିତ୍ସା ବିଜ୍ଞାନୀ ଓ ମନସ୍ତତ୍ତ୍ବବିତ୍‌ ଏକମତ। ତେଣୁ ଆମେ ଏହି କୋଭିଡ୍‌ ଘନଘଟା ଭିତରେ ହାସ୍ୟୋଦ୍ଦୀପକ ରଚନା ପଢ଼ିବା ବା ଚଳଚ୍ଚିତ୍ର ବା ନାଟକ ଦେଖିବାକୁ ଏକ ଅଭ୍ୟାସରେ ପକାଇବା ଉଚିତ। କୋଭିଡ୍‌-୧୯ ସ˚କଟ କାଳରେ ଗୃହାବଦ୍ଧ ଆମମାନଙ୍କ ଲାଗି ସାମାଜିକ ଗଣମାଧ୍ୟମ ମନୋରଂଜନର ଏକ ମାଧ୍ୟମ ହୋଇଛି। କିନ୍ତୁ ସାମାଜିକ ଗଣମାଧ୍ୟମରେ ଏଭଳି ତଥ୍ୟ ଓ ଦୃଶ୍ୟ ଆସିବାରେ ଲାଗିଛି ଯାହା କ୍ଷଣିକ ରୋମାଂଚ ତ ପ୍ରଦାନ କରିଥାଏ ବା ମନରେ ତାକୁ ଦେଖିବାର ଲୋଭ ଜାଗ୍ରତ କରିଥାଏ, ପ୍ରକୃତରେ କିନ୍ତୁ ତାହା ପରବର୍ତ୍ତୀ କାଳରେ ମନରେ ବିରସତା ଆଣେ। ତେଣୁ ଏହି ହତାଶାଜନକ ସମୟରେ ଆମେମାନେ ସୁସ୍ଥ ହାସ୍ୟରସ ଭରା ଦୃଶ୍ୟ ଦେଖିବା ଦରକାର।

ହସ ଏଭଳି ଏକ ଶାରୀରିକ ଓ ମାନସିକ ସ୍ଥିତି ସୃଷ୍ଟି କରେ ଯହିଁରେ ରକ୍ତ ସଂଚାଳନ ଅଧିକ ହୁଏ, ମୁଖମଣ୍ଡଳର ୧୨ଟି ମାଂସପେଶୀ ଚଳଚଞ୍ଚଳ ହୋଇଉଠେ, ଆଖିରେ ଜ୍ୟୋତି ଭରିଯାଏ ଏବଂ ମନ ହାଲୁକା ହୋଇଥାଏ। କେବଳ ସେତିକି ନୁହେଁ, ସେହି ହାସ୍ୟୋଦ୍ଦୀପକ କଥା ବା ଘଟଣା ବାରମ୍ବାର ସ୍ମରଣରେ ଆସି ଦିନରେ କେଇ ବାର ମନ ହାଲୁକା ହୋଇଯାଏ। ତେଣୁ ବର୍ତ୍ତମାନ ହାସ୍ୟ ସୃଷ୍ଟିକାରୀ ଲେଖା ବା ଦୃଶ୍ୟ ଖୁବ୍ ଗୁରୁତ୍ବପୂର୍ଣ୍ଣ ହୋଇ ପଡ଼ିଛି।

ଇଂରେଜୀରେ ଏକ ଅଭିବ୍ୟକ୍ତି ଅଛି ଯାହା ହେଲା ‘ସେନ୍‌ସ ଅଫ ହ୍ୟୁମର୍’। ଏହାର ଅର୍ଥ ହସକୁ ଚିହ୍ନିପାରୁଥିବା ବୋଧ ଶକ୍ତି। ଅନେକ ଲୋକ କୌଣସି ହସ କଥାର ବା ରସିକତାର ମଜା ନେଇ ପାରନ୍ତି ନାହିଁ। ସେମାନଙ୍କ ପାଖରେ ତା’ର ଅଭାବ ଥିବା କଥା କୁହାଯାଏ। କିନ୍ତୁ ସତ କହିଲେ ସମସ୍ତେ ନିଜ ଭିତରେ ଏହି ବୋଧର ବିକାଶ କରିପାରିବେ। ସେଥି ଲାଗି କିନ୍ତୁ ନିଜକୁ ଅହମିକା, ବିଭ୍ରାନ୍ତିରୁ ମୁକ୍ତ କରିବାକୁ ହେବ। ନିଜକୁ ହାଲୁକା ଓ ସରଳ କରିବାକୁ ହେବ। ଯୁକ୍ତିବାଦୀ ବ୍ୟକ୍ତି ପାଖରେ ଏହି ବୋଧର ଅଭାବ ଥାଏ। ତେଣୁ ଅଯଥା ପ୍ରଶ୍ନ ପଚାରିବା ବା ଯୁକ୍ତି କରିବାରୁ ଦୂରେଇ ରହିବାକୁ ହେବ।

‌ତେବେ, ଅନେକ ସମୟରେ ହସ ଗାମ୍ଭୀର୍ଯ୍ୟହୀନ ହୋଇପଡ଼େ। ଅନ୍ୟକୁ ତାଚ୍ଛଲ୍ୟ କରି ବା ଅନ୍ୟର କିଛି ପ୍ରାକୃତିକ ଦୁର୍ବଳତାକୁ ଅଯଥା ବ୍ୟଙ୍ଗ କରି ଏକ ପ୍ରକାର ହସର ଉଦ୍‌ଗୀରଣ କରିହୁଏ, ଯାହା ଏବେ ଅନେକ ‘ଷ୍ଟାଣ୍ଡ ଅପ୍‌ କମେଡିଆନ୍‌’ କରୁଥିବା ଦେଖାଯାଉଛି, ଯାହା ଅତ୍ୟନ୍ତ ଅରୁଚିକର ମଧ୍ୟ ହୋଇଥାଏ। କାରଣ ଏହା ଦ୍ବାରା ବ୍ୟଙ୍ଗର ଶିକାର ବ୍ୟକ୍ତି ମାନସିକ ଯନ୍ତ୍ରଣା ପାଇଥାଏ। ହସ ଅତ୍ୟନ୍ତ ସଂକ୍ରାମକ। ଗୋଟିଏ ସ୍ମିତ ହାସ୍ୟ ଦ୍ବାରା ଅସଂଖ୍ୟ ମୁହଁରେ ହସ ଫୁଟିପାରେ। ଗୋଟିଏ ମଜା କଥା ଗହଗହ ହାସ୍ୟ ନାଦ ସୃଷ୍ଟି କରିପାରେ।

ତେବେ ଯେଉଁମାନେ ହାସ୍ୟ ସୃଷ୍ଟିକାରୀ, ସେମାନେ ସଚେତନ ହେବା ଉଚିତ ଯେ ଅପାତ୍ରରେ ଦାନ ଭଳି ଅଜାଗାରେ ହାସ୍ୟରସ ସୃଷ୍ଟିର ଉଦ୍ୟମ ବିପଦ ସୃଷ୍ଟି କରିପାରେ। ପ୍ରସିଦ୍ଧ ପ୍ରାଚୀନ ଗ୍ରୀକ୍‌ ଫେବୁଲିଷ୍ଟ ଇଶପଙ୍କ ମୃତ୍ୟୁ ଏଭଳି କାରଣରୁ ହୋଇଥିଲା। ଦୁଇ ଦଳ ଲୋକ କଳହ କରୁଥିଲେ। ଇଶପ ସେମାନଙ୍କ କଳି ଭାଙ୍ଗିବା ଲାଗି ହସ କଥାଟିଏ କହିଲେ। ଉଭୟ ଦଳ ଭାବିଲେ ଯେ ଇଶପ ସେମାନଙ୍କୁ ପରିହାସ କରୁଛନ୍ତି। ସେମାନେ ଇଶପଙ୍କୁ ପଥର ଫିଙ୍ଗି ଜୀବନରୁ ମାରିଦେଲେ। ତେଣୁ ହସ ସୃଷ୍ଟି ଲାଗି ସ୍ଥାନ, କାଳ ଓ ପାତ୍ରର ଗୁରୁତ୍ବ ରହିଛି। ଏବେ କୋଭିଡ୍‌ ସମୟରେ ଯେତେବେଳେ ଆମ ଭିତରୁ ଅଧିକାଂଶ ମୁହ୍ୟମାନ ସ୍ଥିତିରେ, ସେତିକି ‌ବେଳେ ସୁସ୍ଥ ଏବଂ ନିରୀହ ହସ ସୃଷ୍ଟି ଲାଗି ବୋଧହୁଏ ସ୍ଥାନ, କାଳ ଓ ପାତ୍ର ଉପଯୁକ୍ତ ରହିଛି।

[email protected]