ଟିକାକରଣ, ଟିକା କୁଣ୍ଠା ଓ ଭାରତ

ଇତିହାସର ଗବାକ୍ଷ - ଦେବବ୍ରତ ମହାପାତ୍ର

ବସନ୍ତ ରୋଗର ଭୟାବହତାକୁ ଦୃଷ୍ଟିରେ ରଖି ତାର ନିରାକରଣ ଲାଗି ବିଶ୍ବରେ ପ୍ରଥମ ଟିକାକରଣର ପ୍ରୟାସ ଆରମ୍ଭ ହୋଇଥିଲା। ବସନ୍ତ ରୋଗରେ ମୃତ୍ୟୁ ହାର ଥିଲା ଚାଳିଶ ପ୍ରତିଶତରୁ ଅଧିକ। ଯେଉଁମାନେ ବଞ୍ଚି ଯାଉଥିଲେ ସେମାନଙ୍କ ମଧ୍ୟରୁ ଅନେକ ଦୃଷ୍ଟିହୀନ ହୋଇ ଯାଉଥିଲେ। ତା’ର ଆଉ ଗୋଟିଏ ମୃଦୁ ରୂପ ଗୋରୁମାନଙ୍କ ଠାରୁ ମଣିଷଙ୍କୁ ସଂକ୍ରମିତ ହେଉଥିଲା, ଯାହାର ନାମ ଥିଲା ଗୋ-ବସନ୍ତ। ପ୍ରଚଳିତ ବିଶ୍ବାସ ଅନୁସାରେ ଥରେ କାହାକୁ ଗୋ-ବସନ୍ତ ହେଲେ ତାକୁ ଆଉ ବସନ୍ତ ହେବାର ସମ୍ଭାବନା ରହୁନଥିଲା।

ଇଂଲଣ୍ଡର ଜଣେ ଡାକ୍ତର ଏଡ୍‌ୱାର୍ଡ ଜେନର ଏହି ଜନାଦୃତ ବିଶ୍ବାସକୁ ଆଧାର କରି ଗୋ-ବସନ୍ତ ସଂକ୍ରମିତ ସାରା ନେଲ୍‌ମସ ନାମକ ଜଣେ ମହିଳାଙ୍କ କ୍ଷତର ଲସିକା (ଲିମ୍‌ସ)ରୁ ପ୍ରସ୍ତୁତ କରିଥିଲେ ବସନ୍ତର ପ୍ରତିଷେଧକ ଟିକା ଓ ୧୭୯୬, ମେ ୧୪ରେ ତାକୁ ପ୍ରୟୋଗ କରିଥିଲେ ତାଙ୍କ ମାଳୀର ୮ ବର୍ଷର ପୁଅ ଜେମ୍‌ସ ଫିପ୍ ଉପରେ। ତା’ର କିଛି ଦିନ ପରେ କ୍ରମାଗତ ଭାବରେ ତା’ ଦେହରେ ବସନ୍ତ ଭୂତାଣୁ ପ୍ରୟୋଗ କଲା ପରେ ବି ସେ ପିଲାଟି ସୁସ୍ଥ ରହିଥିଲା। ୧୭୯୮ ମସିହାରେ ମାନବ ଜାତିର ଏହି ପ୍ରଥମ ଟିକାକୁ ରୟାଲ ସୋସାଇଟି ଓ ବ୍ରିଟିସ୍‌ ପାର୍ଲିଆମେଣ୍ଟ ସ୍ବୀକୃତି ଦେଲେ। ଏହା ପରେ ବାଛୁରୀ ଦେହରେ କୃତ୍ରିମ ଭାବେ ସୃଷ୍ଟି କରା ଯାଇଥିବା ଗୋ-ବସନ୍ତ ବା ଟିକାକରଣ ହେତୁ ମଣିଷ ଦେହରେ ଉତ୍ପନ୍ନ କ୍ଷତର ଲସିକାରୁ ଏହି ଟିକା ଜନସାଧାରଣଙ୍କ ପାଇଁ ପ୍ରସ୍ତୁତ କରାଗଲା। ଗାଈର ଲାଟିନ ନାମ ଭାକ୍କା ଓ ଗୋବସନ୍ତର ଭାକ୍‌ସିନିଆରୁ ଜେନର ଟିକାକରଣ ପ୍ରଣାଳୀର ନାମକରଣ କରିଥିଲେ ଭାକ୍‌ସିନେସନ।

ଭାରତରେ ପୁରାତନ ଆୟୁର୍ବେଦ ଗ୍ରନ୍ଥମାନଙ୍କରେ ବିଶେଷ ଭାବରେ ସପ୍ତମ ଶତାବ୍ଦୀର ମଧାବକରଙ୍କ ମାଧବ ନିଦାନରେ ବସନ୍ତ ରୋଗର ସବିଶେଷ ବର୍ଣ୍ଣନା ଅଛି। ଏକ ପକ୍ଷରେ ବସନ୍ତ ରୋଗ ମା’ ଶୀତଳାଙ୍କ କୋପରୁ ଜାତ ବୋଲି ତତ୍କାଳୀନ ଜନ ମାନସର ବିଶ୍ବାସ ଥିଲା। ଅପର ପକ୍ଷେ ଗୋବୀଜ ଟିକା ଉଦ୍ଭାବନର ଅନେକ କାଳ ପୂର୍ବରୁ ଭାରତରେ ବିଶେଷତଃ ଓଡ଼ିଶା, ବଙ୍ଗଳା, ମହାରାଷ୍ଟ୍ର ଓ ଉତ୍ତର ଭାରତର କିଛି ଅଂଶରେ ବସନ୍ତ ରୋଗ ପ୍ରତିରୋଧ ପାଇଁ ଦେଶୀୟ ପ୍ରତିଷେଧକ ପଦ୍ଧତି ଅନୁସୃତ ହେଉଥିଲା। ଏହି କାର୍ଯ୍ୟ ଏକ ବର୍ଗର ବ୍ରାହ୍ମଣଙ୍କ ଦ୍ବାରା ପ୍ରାୟତଃ ଦୁଇ ବର୍ଷ ବୟସର ଶିଶୁମାନଙ୍କ ଠାରେ ଚୈତ୍ର, ବୈଶାଖ ମାସ ଶୁକ୍ଳପକ୍ଷ ସପ୍ତମୀ ଠାରୁ ନବମୀ ପର୍ଯ୍ୟନ୍ତ ଶୀତଳା ମାତାଙ୍କ ପୂଜା ସହ ସଂପାଦିତ ହେଉଥିଲା।

ସେମାନେ ନହୁରୁଣୀରେ ବାହୁ ମୂଳରେ ବା କପାଳ ମଝିରେ ଏକ ଛୋଟ କ୍ଷତ କରି ତା’ ଦେହରେ ପୂର୍ବ ବର୍ଷରୁ ସଂରକ୍ଷିତ ବସନ୍ତ ବୀଜ ବା ସଦ୍ୟ ସୃଷ୍ଟ ବସନ୍ତ ଫୋଟକାର ପୂଯକୁ ରୋପଣ କରୁଥିଲେ। ଦୁଇ ତିନି ଦିନ ଭିତରେ ତାହା ନେଇଥିବା ଶିଶୁକୁ ଜ୍ବର ଆସୁଥିଲା ଓ ସେହି କ୍ଷତ ସ୍ଥାନରେ ମୃଦୁ ବସନ୍ତର ଲକ୍ଷଣ ଦେଖାଦେଉଥିଲା। ତା’ର ପ୍ରାୟ ଏକ ସପ୍ତାହ ଭିତରେ ସେ କ୍ଷତ ଶୁଖି ଯାଇଥିଲା ଓ ସେ ସୁସ୍ଥ ହୋଇଗଲା ପରେ ସାରା ଜୀବନ ଆଉ କେବେ ବସନ୍ତରେ ଆକ୍ରାନ୍ତ ହେଉ ନଥିଲା। କପାଳ ମଝିରେ ସୃଷ୍ଟି କରାଯାଉଥିବା କ୍ଷତ ତିଳକ ବା ଟିକା ଭଳି ପ୍ରତୀୟମାନ ହେଉଥିବାରୁ ଏହି ପ୍ରତିଷେଧକକୁ ଟିକା ବୋଲି କୁହାଯାଉଥିଲା। ଯଦିଓ ଏ ପଦ୍ଧତି ପ୍ରାୟତଃ ନିରାପଦ ଥିଲା, କେବେ କେବେ ଏହାର ଉପସର୍ଗ ଯୋଗୁଁ ଟିକା ଗ୍ରହୀତା ମୃତ୍ୟୁ ମୁଖରେ ପଡୁଥିଲା। ବହୁ ପୁରାତନ କାଳରୁ ଏହି ପଦ୍ଧତି ଓଡ଼ିଶାରେ ଅନୁସୃତ ହେଉଥିବା କଥା ଇଂରେଜ ଡାକ୍ତର ହ୍ବାଇଟ୍‌ଲ ଏନ୍‌ସ୍‌ଲିଙ୍କ ପ୍ରତ୍ୟକ୍ଷଦର୍ଶୀ ବିବରଣୀରୁ ଜଣାପଡ଼େ। ଅବଶ୍ୟ ଜେନର୍‌ଙ୍କ ଗୋବୀଜ ଏହି ଦେଶୀୟ ଟିକାଠାରୁ ଅଧିକ ନିରାପଦ ଓ ପ୍ରଭାବଶାଳୀ ଥଲା।

ଭାରତରେ ପ୍ରଥମ ଗୋବୀଜ ଟିକା ୧୮୦୨ ମସିହା ଜୁନ୍‌ ୧୪ ତାରିଖରେ ଡାକ୍ତର ହେଲେନସ୍ ସ୍କଟ୍‌ଙ୍କ ଦ୍ବାରା ବମ୍ବେ ଠାରେ ଆନା ଡଷ୍ଟ୍‌ହଲ ନାମ୍ନୀ ଏକ ତିନି ବର୍ଷର ଶିଶୁ ଦେହରେ ପ୍ରୟୋଗ କରାଯାଇଥିଲା। କିନ୍ତୁ ଗୋ-ଲସିକାରୁ ପ୍ରସ୍ତୁତ ଏହି ଟିକା ହିନ୍ଦୁ ସମାଜରେ ଗ୍ରହଣୀୟ ହୋଇନଥିଲା ଓ ସେଥିପାଇଁ ତତ୍କାଳୀନ ଇଂରେଜ ସରକାରଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହି ସମୟରେ ଆଶ୍ଚର୍ଯ୍ୟଜନକ ଭାବେ ଆତ୍ମପ୍ରକାଶ କରିଥିଲା ଏବଂ ବହୁଳ ଭାବେ ପ୍ରଚାରିତ ହୋଇଥିଲା ଏକ ସଂସ୍କୃତ ଶ୍ଳୋକ। ଏହି ଶ୍ଳୋକଟି ପ୍ରାୟ ତିନି ହଜାର ବର୍ଷ ତଳର ଧନ୍ବନ୍ତରିଙ୍କୁ ଉତ୍ସର୍ଗୀକୃତ ଏକ ପୋଥି ‘ଶାକ୍ତେୟ ଗ୍ରନ୍ଥମ’ରୁ ଉଦ୍ଧୃତ ବୋଲି ଧାରଣା ସୃଷ୍ଟି ହୋଇଥିଲା। ବସନ୍ତ ପ୍ରତିଷେଧକ ବିଧି ଉପରେ ପର୍ଯ୍ୟବସିତ ସେହି ଶ୍ଳୋକଟି ହେଲା:

‘ଧେନୁ ସ୍ତନ୍ୟ ମସୁରିକା ନରାଣାନଚ, ମସୁରିକା,
ତତ୍ ଜଳମ ବାହୁ ମୂଳାଶ୍ଚ ଶସ୍ତ୍ରାନ୍ତେନ ଗୃହୀତବାନ
ବାହୁ ମୂଳେ ଚ ଶସ୍ତ୍ରାଣି ରକ୍ତୋତ୍ପତି କରଣି ଚ
ତଜ୍ଜଳମ୍ ରକ୍ତ ମିଳିତମ ସ୍ଫୋଟକ ଜ୍ବର ସମ୍ଭବଃ।’

ଏହାର ଅର୍ଥ ଗ୍ରହୀତାର ବାହୁ ମୂଳରେ ଛୁରୀ ଦ୍ୱାରା ଏକ କ୍ଷତ ସୃଷ୍ଟି କରି ସେଥିରେ ଗାଈ କିମ୍ବା ମଣିଷ ଠାରୁ ଗୋ-ବସନ୍ତର ରସ ଆଣି ପ୍ରୟୋଗ କଲେ ସେଠାରେ ଫୋଟକା ସୃଷ୍ଟି ହୁଏ ଓ ଗ୍ରହୀତାକୁ ଜ୍ବର ହୁଏ। ପରବର୍ତ୍ତୀ ଶ୍ଳୋକ ଅନୁସାରେ ଦେହରେ ମୃଦୁ ବସନ୍ତର ଲକ୍ଷଣ ଦେଖାଦିଏ ଯାହା ଶୀଘ୍ର ଭଲ ହୋଇଯାଏ ଓ ପରେ ଜୀବନସାରା ବସନ୍ତ ହୁଏ ନାହିଁ। ଏହି ତଥାକଥିତ ପୁରାତନ ପ୍ରତିଷେଧଳ ବିଧି ଜେନରଙ୍କ ଟିକାକରଣ ବିଧି ଓ ଲକ୍ଷଣ ସହିତ ସଂପୂର୍ଣ୍ଣ ମେଳ ଖାଉଥିବାରୁ ହିନ୍ଦୁମାନଙ୍କର ବିରୋଧ ଅନେକ ପରିମାଣରେ ପ୍ରଶମିତ ହେଲା। ସେତେବେଳେ ଏହାକୁ ଆଧାର କରି ଅନେକ ବୈଜ୍ଞାନିକ ମଧ୍ୟ ଜେନର୍‌ଙ୍କ ଏହି ଟିକା ପଦ୍ଧତି ପୁରାତନ ଭାରତରେ ପ୍ରଚଳିତ ଥିଲା ବୋଲି ମତ ବ୍ୟକ୍ତ କଲେ। ଆଜି ସୁଦ୍ଧା ଅନେକ ଏହି ଶ୍ଳୋକ ଅନୁସାରେ ଗୋବୀଜ ଟିକା ବୈଦିକ ଯୁଗରେ ଭାରତରେ ପ୍ରଚଳିତ ଥିବାର ମତ ବ୍ୟକ୍ତ କରନ୍ତି। କିନ୍ତୁ ଅନ୍ୟ କିଛି ବିଶେଷଜ୍ଞଙ୍କ ମତରେ ହିନ୍ଦୁମାନଙ୍କର ଟିକା ବିରୋଧକୁ ପ୍ରଶମିତ କରିବା ଲାଗି ଏହି ଶ୍ଳୋକଟି ସୃଷ୍ଟି କରିଥିଲେ ଜଣେ ସଂସ୍କୃତ ଓ ତାମିଲ ଭାଷାରେ ବ୍ୟୁତ୍ପତ୍ତିଧାରୀ ଇଂରେଜ, ଯାହାଙ୍କ ନାମ ଥିଲା ଫ୍ରାନ୍‌ସିସ୍‌ ଏଲିସ୍। ଗୋବୀଜ ଟିକାକୁ ପ୍ରୋତ୍ସାହିତ କରିବା ପାଇଁ ଏଲିସ୍ ତାମିଲରେ ଆରାମାଭରଭିଲକ୍କମ୍ ନାମକ ଏକ ପୌରାଣିକ ଆଖ୍ୟାୟିକା ମଧ୍ୟ ରଚନା କରିଥିଲେ। ଏହି ଆଖ୍ୟାୟିକା କହିଥିଲା ଯେ ଧନ୍ବନ୍ତରିଙ୍କ ଠାରେ ସବୁ ରୋଗର ନିଦାନ ଥିଲା, କେବଳ ବସନ୍ତ ରୋଗ ଛଡ଼ା। ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ମାତା ଶକ୍ତି ପଞ୍ଚ ଗବ୍ୟ ସହ ଗୋମାତା ଠାରେ ଆଉ ଏକ ଗବ୍ୟର ବ୍ୟବସ୍ଥା କଲେ। ଶକ୍ତିଙ୍କ ବରାନୁସାରେ ଗୋମାତାର ପହ୍ନାରେ ଉଠୁଥିବା ଏକ ବ୍ରଣର ରସକୁ ମନୁଷ୍ୟ ଦେହରେ ପ୍ରତିରୋପଣ କଲେ ମନୁଷ୍ୟ ବସନ୍ତରୁ ରକ୍ଷା ପାଇପାରିବ। ସେଥିରେ ସତର୍କ କରାଇ ଦିଆଯାଇଥିଲା ଯେ ଯେଉଁମାନେ ଏ ପ୍ରକ୍ରିୟାକୁ ସନ୍ଦେହ କରିବେ ସେମାନେ ମହାପାପରେ ଭାଗୀ ହେବେ।

ହିନ୍ଦୁମାନଙ୍କର ବିରୋଧ କମିବା ପରେ ଟିକା ଦେବା ପାଇଁ ଟିକାଦାରମାନେ ନିଯୁକ୍ତ ହେଲେ। ଯେଉଁଠାରେ ସମ୍ଭବ ଥିଲା ସେଠାରେ ଦେଶୀୟ ପଦ୍ଧତିରେ ଟିକା ଦେଉଥିବା ବ୍ରାହ୍ମଣମାନଙ୍କୁ ସେହି ପଦରେ ଅବସ୍ଥାପନ କରା ହେଲା। ପ୍ରଥମେ ଟିକାଦାରଙ୍କୁ କୌଣସି ବେତନ ଦିଆଯାଉ ନଥିଲା। ସେମାନେ ଯେଉଁମାନଙ୍କୁ ଟିକା ଦେଉଥିଲେ, ସେମାନଙ୍କ ଠାରୁ ପାରିଶ୍ରମିକ ଗ୍ରହଣ କରୁଥିଲେ। କିନ୍ତୁ ଏହା ଲୋକମାନଙ୍କ ଦ୍ବାରା ଗ୍ରହଣୀୟ ହେଲା ନାହିଁ। ତେଣୁ ଊନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଏକ ସ୍ବତନ୍ତ୍ର ପରିମଳ ବିଭାଗ ସୃଷ୍ଟି କରା ଗଲା ଓ ଟିକାଦାରମାନଙ୍କୁ ସରକାରଙ୍କ ତରଫରୁ ବେତନ ଦିଆ ଯିବାର ବ୍ୟବସ୍ଥା ହେଲା। ସରକାରଙ୍କ ତରଫରୁ ପାରମ୍ପରିକ ଦେଶୀୟ ଟିକାକରଣକୁ ଊନବିଂଶ ଶତାବ୍ଦୀର ପ୍ରଥମାର୍ଧରେ ନିଷେଧ କରାଗଲା। ଲୋକମାନଙ୍କ ଭିତରେ ଥିବା ଟିକା କୁଣ୍ଠା ଦୂର କରିବା ପାଇଁ ଗ୍ରାମ୍ୟ ଓ ପୌରାଞ୍ଚଳୀୟ କମିଟିମାନ ଗଠନ କରା ଯାଇଥିଲା। ପ୍ରାଥମିକ ବିଦ୍ୟାଳୟରେ ଏହାର ଉପକାରିତା ବିଷୟରେ ଶିକ୍ଷା ଦିଆଯାଉଥିଲା। ୧୮୯୦ ମସିହାରେ ଭାରତରେ ଗୋବୀଜ ଟିକା ଉତ୍ପାଦନ ଆରମ୍ଭ ହେଲା। ୧୮୯୨ ମସିହାରେ ଏକ ଆଇନ ଅନୁସାରେ ଟିକାକରଣକୁ ବାଧ୍ୟତାମୂଳକ କରାଗଲା।

ସେହି ସମୟରେ ଭାରତରେ ମୃତ୍ୟୁର ତାଣ୍ଡବ ରଚୁଥିଲା ଆଉ ଏକ ମହାମାରୀ ହଇଜା। ଓଡ଼ିଶାରେ ହଇଜା ମୃତ୍ୟୁସଂଖ୍ୟା ବସନ୍ତ ଅପେକ୍ଷା ଅଧିକ ଥିଲା। ହଇଜା ଟିକାର ଉଦ୍ଭାବକ ୱାଲ୍‌ଦେମାର ହଫ୍‌କିନ୍‌ସ ୧୮୯୩ରେ ଆଗ୍ରାରେ ଟିକାର ମାନବୀୟ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ କରିଥିଲେ। ୧୮୯୬ରେ ଭାରତ ଆଉ ଗୋଟିଏ ମହାମାରୀ ବୁବନିକ ପ୍ଲେଗ୍‌ ଦ୍ବାରା କବଳିତ ହେଲା। ସେତେବେଳର ଇଂରେଜ ସରକାରଙ୍କ ଅନୁରୋଧ କ୍ରମେ ସେ ବମ୍ବେଠାରେ ଏକ ଛୋଟ ପରୀକ୍ଷାଗାର ପ୍ରତିଷ୍ଠା କରି ୧୮୯୭ ମସିହାରେ ପ୍ଲେଗ୍ ପ୍ରତିରୋଧକ ଟିକାର ବିକାଶ କଲେ। ତାହା ଥିଲା ଭାରତରେ ବିକଶିତ ପ୍ରଥମ ଟିକା ଏବଂ ସେହି ଛୋଟ ପରୀକ୍ଷାଗାରଟି ବର୍ତ୍ତମାନ ହଫ୍‌କିନ୍‌ସ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ନାମରେ ଖ୍ୟାତ।
ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଭାରତରେ ବସନ୍ତ, ହଇଜା, ଟାଇଫଏଡ୍ ଓ ପ୍ଲେଗ୍ ଆଦି ଚାରିଟି ଟିକା ଉପଲବ୍‌ଧ ଥିଲା। ୧୯୦୨ ମସିହାରେ ପଞ୍ଜାବରେ ପ୍ଲେଗ୍ ଟିକା ନେଲା ପରେ ଟିକାକରଣ ସ୍ଥାନର ଦୂଷିତ ପରିବେଶ ହେତୁ ୧୯ ଜଣ ଲୋକ ଧନୁଷ୍ଟଙ୍କାର ରୋଗରେ ମୃତ୍ୟୁବରଣ କଲେ। ଏହି ଘଟଣାରେ ହଫ୍‌କିନ୍‌ସଙ୍କୁ ଦାୟୀ କରି ରୋନାଲ୍‌ଡ ରସ୍‌ଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ କମିଟି ଗଠନ କରାଗଲା। ଏହି କମିଟି ହଫ୍‌କିନ୍‌ସ ଓ ତାଙ୍କ ଦ୍ୱାରା ପ୍ରସ୍ତୁତ ଟିକାକୁ ଦୋଷମୁକ୍ତ କରିଥିଲେ ମଧ୍ୟ ଏହି ଘଟଣା ପରେ ପ୍ଲେଗ୍ ଟିକାକୁ କ୍ରମେ ବନ୍ଦ କରିଦିଆଗଲା।

ଟିକାକରଣ ବଢ଼ିବା ସଙ୍ଗେ ସଙ୍ଗେ ଟିକା ଅଭାବକୁ ଦୂର କରିବା ପାଇଁ ୧୯୦୩-୦୪ ମସିହା ବେଳକୁ ଭାରତରେ ସବୁ ପ୍ରକାର ଟିକାର ଉତ୍ପାଦନ ଆରମ୍ଭ ହେଲା। ୧୯୦୭ ମସିହାରେ ଜଳାତଙ୍କ ରୋଗର ଟିକା ଭାରତରେ ଉତ୍ପାଦିତ ହେଲା। ଏ ସବୁ ସତ୍ତ୍ବେ ପ୍ରଥମ ଓ ଦ୍ବିତୀୟ ବିଶ୍ୱ ଯୁଦ୍ଧ, ଭାରତ ସ୍ବାଧୀନତା ସଂଗ୍ରାମ ଓ ମହାତ୍ମା ଗାନ୍ଧୀ ତଥା ଅନେକ ବୁଦ୍ଧିଜୀବୀଙ୍କ ବିରୋଧ ହେତୁ ୧୯୧୫ରୁ ଭାରତର ସ୍ବାଧୀନତା ପର୍ଯ୍ୟନ୍ତ ଟିକାକରଣ ବେଶୀ ପ୍ରସାରିତ ହୋଇ ପାରିଲା ନାହିଁ। ସ୍ବାଧୀନତା ପରେ ଟିକାକରଣ ଭାରତର ଜନସ୍ବାସ୍ଥ୍ୟ ସେବାର ଏକ ଅଭିନ୍ନ ଅଂଶରେ ପରିଣତ ହେଲା। ୧୯୪୮ ମସିହାର ଶେଷ ଭାଗରେ ସେତେବେଳର ଟିକାକରଣ କାର୍ଯ୍ୟକ୍ରମରେ ଯକ୍ଷ୍ମା ରୋଗର ପ୍ରତିଷେଧକ ବିସିଜି ଟିକାକୁ ଅନ୍ତର୍ଭୁକ୍ତ କରାଗଲା।

୧୯୫୯ରେ ବିଶ୍ବ ସ୍ବାସ୍ଥ୍ୟ ସମ୍ମିଳନୀରେ ଗୃହୀତ ପ୍ରସ୍ତାବ ଅନୁସାରେ ଭାରତରୁ ବସନ୍ତ ରୋଗକୁ ଲୋପ କରିବା ହେତୁ ଟିକାକରଣକୁ ତ୍ବରାନ୍ବିତ କରିବା ପାଇଁ ୧୯୬୧ ମସିହାରେ ଜାତୀୟ ବସନ୍ତ ଉନ୍ମୂଳନ କାର୍ଯ୍ୟକ୍ରମ ହାତକୁ ନିଆଗଲା। ଏହା କିଛି ମାତ୍ରାରେ ସଫଳ ହେଲା ମାତ୍ର। ତା ପରେ ୧୯୭୩ ମସିହାରେ ଶୁଭାରମ୍ଭ ହେଲା ବସନ୍ତ ବିରୋଧରେ ତୀବ୍ର ଅଭିଯାନ। ଏଥିରେ ଟିକାକରଣ ସହ ଚିହ୍ନଟ, ନିରୀକ୍ଷଣ ଓ ସଙ୍ଗରୋଧ ଉପରେ ଗୁରୁତ୍ବ ଦିଆଗଲା। ଏହି କାର୍ଯ୍ୟକ୍ରମ ଏତେ ସଫଳ ହୋଇଥିଲା ଯେ ଠିକ୍ ଦୁଇ ବର୍ଷ ଭିତରେ ମେ ୨୪, ୧୯୭୫ ପର ଠାରୁ ବସନ୍ତର ଭାରତରୁ ସଂପୂର୍ଣ୍ଣ ଲୋପ ପାଇଗଲା। ୧୯୭୮ରେ ଯକ୍ଷ୍ମା, ପୋଲିଓ ଆଦି ଛଅଟି ଘାତକ ରୋଗର ପ୍ରତିଷେଧ ପାଇଁ ଆରମ୍ଭ ହେଲା ଜାତୀୟ ଟିକାକରଣ କାର୍ଯ୍ୟକ୍ରମ। ୧୯୮୫ ମସିହାରେ ପୋଲିଓ ରୋଗର ଉନ୍ମୂଳନ ଲକ୍ଷ୍ୟ ରଖି ଟିକାକରଣକୁ ଆହୁରି ବ୍ୟାପକ କରିବା ପାଇଁ ଏହା ପରିବର୍ତ୍ତିତ ହେଲା ୟୁନିଭର୍ସାଲ ଟିକାକରଣ କାର୍ଯ୍ୟକ୍ରମରେ ଏବଂ ତା’ ସହିତ ହାତକୁ ନିଆ ହେଲା ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ। ପରିଶେଷରେ ମାର୍ଚ୍ଚ ୨୭, ୨୦୧୪ରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଭାରତକୁ ପୋଲିଓ ମୁକ୍ତ ବୋଲି ସ୍ୱୀକୃତି ଦେଲା।

ବର୍ତ୍ତମାନ ପରିପ୍ରେକ୍ଷୀରେ ସମଗ୍ର ବିଶ୍ବ ଏକ ଅଭୂତପୂର୍ବ ସ୍ବାସ୍ଥ୍ୟ ସଙ୍କଟ ମଧ୍ୟ ଦେଇ ଗତି କରୁଛି। କରୋନା ଜୀବନ ଓ ଜୀବିକାକୁ ବିପର୍ଯ୍ୟସ୍ତ କରିଦେଇଛି। ପୂର୍ବର ଅନେକ ବିପର୍ଯ୍ୟୟ ଭଳି ଏହାକୁ ମଧ୍ୟ ଦୃଢ଼ତାର ସହିତ ମୁକାବିଲା କରୁଛି ମାନବ ଜାତି। ଏହି କ୍ରମରେ ଅତି ଅଳ୍ପ ସମୟ ଭିତରେ ପ୍ରସ୍ତୁତ ହୋଇପାରିଛି ଏହାର ପ୍ରତିଷେଧକ ଟିକା। କରୋନା ପ୍ରତିଷେଧ ପାଇଁ ଭାରତରେ ପୃଥିବୀର ଆଜି ପର୍ଯ୍ୟନ୍ତ ହୋଇଥିବା ସବୁଠାରୁ ବୃହତ୍ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ୧୬ ଜାନୁଆରିରୁ। ଅବଶ୍ୟ ଏହି ପ୍ରକ୍ରିୟା କିଛି ମାତ୍ରାରେ ପଥଚ୍ୟୁତ ହୋଇଛି। ଏହାର କାରଣ ମୁଖ୍ୟତଃ ସଚେତନତା ଓ ପର୍ଯ୍ୟାପ୍ତ ଟିକାର ଅଭାବ, ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଭୟ ହେତୁ ଟିକା ପ୍ରତି ବିମୁଖତା ଏବଂ ଆମର ବିଶାଳ ଜନସଂଖ୍ୟା। ତେବେ ସେ ଯାହା ହେଉ, ଗଲା କାଲି ଖବର ପ୍ରକାଶ ପାଇଛି ଯେ ଆମ ରାଜଧାନୀ ଭୁବନେଶ୍ବରରେ ଶତ ପ୍ରତିଶତ ଟିକାକରଣ ସଂପନ୍ନ ହୋଇପାରିଛି। ତେଣୁ ଆମର ବ୍ୟାପକ ଅଭିଜ୍ଞତା ଓ ଭିଭିଭୂମି ଆମ ଦେଶର ଟିକାକରଣ ଲକ୍ଷ୍ୟକୁ ଶୀଘ୍ର ପୂରଣ କରିବ ବୋଲି ଦୃଢ଼ ଆଶା।

ମୋ: ୯୪୩୭୦୨୬୪୪୯

ସମ୍ବନ୍ଧିତ ଖବର