ଆମ ରୁଗ୍‌ଣ ମାନସିକତା

ଆମରି କଥା - ନାରାୟଣ ମିଶ୍ର

ଆମ ମାନସିକତା ଆଉ ପ୍ରକୃତି ବଦଳିବାର ନାଁ ହିଁ ଧରୁନାହିଁ। ଆମେ କୁକୁର ପୋଷିବୁ ଅଥଚ ବୁଲେଇନେବା ଆଳରେ ଅନ୍ୟ ଘର ସାମ୍‌ନା ରାସ୍ତାରେ ତାକୁ ଝାଡ଼ା ଫେରେଇବୁ। ପଚାରିଲେ କହିବୁ- ‘‘ଏ ରାସ୍ତା କ’ଣ ତୁମ ବାପାଙ୍କର?’’ ଆମେ ଘରେ ଥିବୁ କିନ୍ତୁ ଋଣ ଦେବା ବାଲା ମାଗିବାକୁ ଆସିଲେ ନିଜ ପିଲାଙ୍କୁ କହିଦେବୁ- ‘‘କହି ଦେ, ବାପା ଘରେ ନାହାନ୍ତି।’’ ପାଞ୍ଚ ବର୍ଷରୁ ଅଧିକ ହେଲେ ଚିଡ଼ିଆଖାନାରେ ପୂରା ଟିକେଟ୍ ପଡୁଥିବାରୁ ଛଅ ବର୍ଷର ପିଲାକୁ ଆଗରୁ ଟ୍ରେନିଂ ଦେବୁ ଯଦି କେହି ପଚାରେ, କହିବୁ ‘ମୋତେ ଚାରିବର୍ଷ ଛଅ ମାସ।’ ପରିବାରରୁ ପିଲାଙ୍କ ସାମ୍‌ନାରେ ରାସ୍ତାରେ ଦୁର୍ଘଟଣା ଘଟି ଜଣେ ଛଟପଟ ହେଉଥିଲେ ବି ଅଯଥା ପୁଲିସ୍ କେସ୍‌ରେ ନ ପଶିବା ଲାଗି ଆମେ ସେଠାରୁ ପଳେଇଯାଉ। ଦରମରା ଲୋକକୁ ଡାକ୍ତରଖାନା ନେବା କଥା ଆମ ଚିନ୍ତା ଭିତରକୁ ଆସିଲା ନାହିଁ। ସରକାରୀ ଚାକିରିଆ ହୋଇ ଆମେ ଅଫିସ୍ ପାଇଁ କିଣାଯାଉଥିବା କାଗଜ, କଲମ ଲୁଚେଇ ଘରକୁ ନେଇ ଆସୁ, ଅଫିସ୍ ସମୟ ମଧ୍ୟରେ ନିଜ ବସ୍ ବା ଦୋକାନ କଥା ବୁଝିବାକୁ ଯାଉ। ପିଲାଦିନ ଠାରୁ ଆମ ଠାରୁ ମିଛ କହିବା ଶିଖୁଥିବା, ସମ୍ବେଦନଶୂନ୍ୟ କାମ ଓ ଚୋରି ଆଦି ଦେଖୁଥିବା ଆମ ପିଲାଏ ଯେତେ ଟଙ୍କା ରୋଜଗାର କଲେ ବି, ଯେଭଳି ପ୍ରତିଷ୍ଠିତ ହେଲେ ବି ‘ମାନବିକତା’ କ’ଣ ଜାଣିବେ ନାହିଁ। ଆଉ ଦେଶ ଏଭଳି ସମାଜକୁ ନେଇ କିପରି ତିଷ୍ଠିବ!

ଜର୍ଜ ବର୍ଣ୍ଣାଡ୍ ଶ’ଙ୍କ ଆତ୍ମଜୀବନୀରେ ‘ଚରିତ୍ର କ’ଣ’ ବୋଲି ଗୋଟିଏ ସୁନ୍ଦର କଥା ଅଛି। ଜଣେ ସୁନ୍ଦରୀ ଯୁବତୀକୁ ବର୍ଣ୍ଣାଡ ଶ’ କହିଲେ- ‘ତୁମ ସହ ମୁଁ ହଜାରେ ଡଲାର ବଦଳରେ ଗୋଟିଏ ମାତ୍ର ରାତ୍ରି ଯାପନ କରିବାକୁ ଇଚ୍ଛା କରୁଛି।’ ଏତକ ଶୁଣି ଯୁବତୀ ଜଣକ ଶ’ଙ୍କୁ ବହୁତ ଗାଳି ଦେଲେ। ଶ’ ତା’ପରେ ଦଶ ହଜାର ଡଲାର ଯାଚିଲେ। ଯୁବତୀ ଜଣକ ସିଧା ମନା କଲେ; କିନ୍ତୁ ପଚାଶ ହଜାର ଡଲାର ଅଫର୍‌ରେ ସେ ରାଜି ହେଲେ। ଏହା ଶୁଣିବା ପରେ ବର୍ଣ୍ଣାଡ ଶ’ କହିଲେ- ମୁଁ ରାତିଟିଏ ମାତ୍ର ଦଶ ଡଲାର ଦେବି। ଯୁବତୀ ଜଣକ ରାଗିଯାଇ କହିଲେ- ‘ମୋତେ କ’ଣ ବୋଲି ଭାବୁଛ?’ ବର୍ଣ୍ଣାଡ ଶ’ କହିଲେ- ‘ସେ କଥା ଜଣା ପଡ଼ିଗଲାଣି, କହିବା ଦରକାର ନାହିଁ; ଟଙ୍କାର ପରିମାଣରେ ହିଁ ଅସଲ ଚେହେରା (ଚରିତ୍ର) ସାମନାକୁ ଆସିଗଲା!’
ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ନକଲି ସୃଷ୍ଟି କରି ରାତାରାତି ଧନୀ ହୋଇଯିବାର ମାନସିକତା ଆମ ସମାଜରେ ଏବେ ବେଶ୍‌ ବ୍ୟାପକ। ଆମେ ପୋଟଳରେ ନୀଳ ବାର୍ନିସ୍ ଲଗାଉଛୁ, ଫୁଲକୋବିକୁ କ୍ଷତିକାରୀ ରାସାୟନିକ ଇଞ୍ଜେକ୍‌ସନ୍ ଦେଇ ସତେଜ ରଖୁଛୁ, ମାଛକୁ କ୍ଲୋରୋଫର୍ମ ଇଞ୍ଜେକ୍‌ସନ ଦେଇ ତଟକା ବୋଲି କହୁଛୁ; କାରଣ ଏଭଳି କରି ବାସି ଜିନିଷକୁ ଅଧିକ ଦରରେ ବିକ୍ରି କରି ହେବ। ଆଉ କ’ଣ କହିବା, କୋଭିଡ୍ ବେଳେ ବି ଔଷଧ ଓ ଇଞ୍ଜେକ୍‌ସନକୁ ଡୁପ୍ଲିକେଟ୍ କରି ବିକିଲୁ! କିନ୍ତୁ ଆମେ ବୁଝିପାରୁନା ଯେ ଆମର ଏ କାରବାର ଅନ୍ୟର କ୍ଷତି କରିବା ସହିତ ସେହି ବିଷ ଆମ ପରିବାରରେ ମଧ୍ୟ ପଶୁଛି। ସୁତରାଂ, ଆମେ ଭସ୍ମାସୁର ପାଲଟି ଯାଉ‌େଛ। ଆମ କାମ ଦ୍ବାରା ଆମ ସମାଜ ହିଁ ଦ୍ରୁତ ଗତିରେ ଧ୍ବଂସ ପାଇ ଚାଲିଛି।

କିନ୍ତୁ ଆମ ମାନସିକତା ତିଳେ ବି ବଦଳୁନାହିଁ। ଟ୍ରାଫିକ୍ ଛକରେ ଗାଡ଼ି ଅଟକିଥିବା ବେଳେ ରାସ୍ତାରେ ପାନଛେପ ପକାଇବା, ରାସ୍ତା କଡ଼ରେ ଯେଉଁଠି ମନ ସେଇଠି ପରିସ୍ରା କରିବା, ରାସ୍ତାରେ ପାଣି ଜମିଥିବା ଦେଖି ବି ଦ୍ରୁତ ଗତିରେ ଗାଡ଼ି ଚଳାଇ ଚାଲିଯାଉଥିବା ଲୋକକୁ କାଦୁଅ ପାଣି ଜରଜର କରିବା, ବଡ଼ ବଡ଼ ଦୋକାନରୁ ଛୋଟ ଛୋଟ ଜିନିଷ ଲୁଚେଇ ପକେଟ୍‌ରେ ପୂରାଇ ଆଣିବା, ଲାଇବ୍ରେରିରୁ ବହି ଆଣି ପୃଷ୍ଠା ଚିରି ରଖିଦେବା ଇତ୍ୟାଦି ଆମ ଭିତରୁ ବଦଳୁ ନାହିଁ। ଗୋଟିଏ ଗୋଟିଏ କାରଣ ପାଇଁ ପ୍ରତ୍ୟେକ ରାଜନୈତିକ ଦଳ ଥରେ ଲେଖାଁ ରାଜ୍ୟ ବା ଦେଶକୁ ବନ୍ଦ କରୁଛନ୍ତି- ଅର୍ଥନୀତି ଭୁଶୁଡ଼ି ପଡ଼ିଲେ ଚିନ୍ତା ନାହିଁ; ଟ୍ରେନ୍ ଓ ବସ୍ ଚଳାଚଳ ବନ୍ଦ ଯୋଗୁ ସର୍ବସାଧାରଣ ହଇରାଣ ହେଲେ ବି ପରୱା ନାହିଁ। ଆମ ଦେଶ ଗୋଟାଏ ଅଥଚ ରାଜ୍ୟ ରାଜ୍ୟ ଭିତରେ କନ୍ଦଳ। ଆମ ଭିତରେ ଫାଟ ଦେଖି ମୋଗଲଙ୍କ ଠାରୁ ଇଂରେଜ ପର୍ଯ୍ୟନ୍ତ ବିଦେଶୀ ଆମକୁ ପାଞ୍ଚ ଶହ ବର୍ଷ ଶାସନ କଲେ, କିନ୍ତୁ ଆମେ ଏ ଯାଏ ଚେତି ନାହୁଁ।

ଏ କି ପ୍ରକାର ମାନସିକତା? ଏହାର ଭବିଷ୍ୟତ୍‌ କ’ଣ? ଯେଉଁ ଦେଶର ସ୍ବାଧୀନତା ଲାଗି ଲକ୍ଷ ଲକ୍ଷ ଲୋକ ନିଜ ପ୍ରାଣଦାନ କରିଥିଲେ, ସେ ଦେଶରେ ଏ ପ୍ରକାର ରୁଗ୍‌ଣ ମାନସିକତା ଓ ପ୍ରକୃତି ଆଉ କେତେଦିନ ରହିବ, ତାହା କେବଳ ଜଗନ୍ନାଥଙ୍କୁ ହିଁ ଜଣା।

[email protected]

ସମ୍ବନ୍ଧିତ ଖବର