ୟୁଟ୍ୟୁବ୍‌ର ସଂପଦ

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ସଂଯୋଗବଶତଃ ଏକ ରାସ୍ତା ଦୁର୍ଘଟଣା ମୋତେ ୟୁଟ୍ୟୁବ୍‌ର ବିଭବ ସହିତ ପରିଚିତ କରାଇଥିଲା। ମୋର ଗୋଟେ ଗୋଇଠି ଭାଙ୍ଗିଯାଇଥିଲା, କାନ୍ଧର ଖଞ୍ଜା ଖସି ଯାଇଥିଲା, ଯେଉଁଥି ପାଇଁ ମୋତେ କେଇ ସପ୍ତାହ ଧରି ଶଯ୍ୟାଶାୟୀ ହେବାକୁ ପଡ଼ିଥିଲା। ମୁଁ ବହି ପଢ଼ି ପାରୁନଥିଲି, ମାତ୍ର ଲାପ୍‌ଟପ୍‌ ଖୋଲି ମୋର ଇ-ମେଲ୍ ଦେଖିପାରୁଥିଲି ଏବଂ ଦରକାର ଥିଲେ ଗୋଟେ ହାତର ଆଙ୍ଗୁଠି ବ୍ୟବହାର କରି ସଂକ୍ଷିପ୍ତ ଉତ୍ତର ମଧ୍ୟ ଦେଇ ପାରୁଥିଲି।

୨୦୧୨ ମସିହା ବସନ୍ତ ଋତୁରେ ଦୁର୍ଘଟଣାଟି ଘଟିଥିଲା। ତାହାର କିଛି ବର୍ଷ ପୂର୍ବରୁ ମାଲାୟାଲାମ୍ ଲେଖକ ଓ ସଂଗୀତ ବିଦ୍ବାନ ଏସ୍. ଗୋପାଳକୃଷ୍ଣନଙ୍କର ନିୟମିତ ପୋଷ୍ଟିଂ ସବୁର ଶହ ଶହ ଉପକୃତଙ୍କ ମଧ୍ୟରେ ମୁଁ ମଧ୍ୟ ଥିଲି। ସପ୍ତାହକୁ ଦୁଇ ତିନି ଥର ସେ ଶାସ୍ତ୍ରୀୟ ସଂଗୀତର କିଛି କିଛି ଅଂଶ ପଠାଉଥିଲେ। ତା’ ସହିତ ସେ ସବୁର ଅର୍ଥ ଓ ଗୁରୁତ୍ବକୁ ମଧ୍ୟ ଦୁଇ ତିନି ଧାଡ଼ିରେ ବୁଝାଇ ଦେଉଥିଲେ। ଭୋର୍ ବେଳେ ହିଁ ଏ ସବୁ ପହଞ୍ଚୁଥିଲା ଏବଂ ଆମେ ଦିନର କୌଣସି ସମୟରେ ସେ ସବୁ ଶୁଣି ଆନନ୍ଦ ଉଠାଇ ପାରୁଥିଲୁ।

ଦୁର୍ଘଟଣା ପୂର୍ବରୁ ମୋ ପାଇଁ ସକାଳଟା ଭାରି ବ୍ୟସ୍ତତାବହୁଳ ରହୁଥିଲା, ତେଣୁ ଗୋପାଳଙ୍କର ପୋଷ୍ଟିଂ ପହଞ୍ଚିବା ମାତ୍ରକେ ମୁଁ ତାହା ଶୁଣି ପାରୁନଥିଲି। ବେଳେ ବେଳେ ଏମିତି ହେଉଥିଲା ଯେ ଏକାଧିକ ସଂଗୀତର ଅଂଶକୁ ମୁଁ ଏକାଥରକେ ଶୁଣୁଥିଲି।
ଦୁର୍ଘଟଣା ପରେ ମୋର ଗୋଇଠିରେ ପ୍ଲାଷ୍ଟର ହେବା ସହ କାନ୍ଧକୁ ପଟିରେ ବନ୍ଧା ଯାଇଥିବାରୁ ମୁଁ ସକାଳେ ଉଠିଲା ବେଳେ ମୋ’ ମନ ଉଦାସରେ ଭରି ଯାଉଥିଲା। ତମାମ ଦିନ ମୋ’ ଆଗରେ ଅସରନ୍ତି ପରି ପଡ଼ି ରହୁଥିଲା ଏବଂ ବଗିଚାରେ ଟିକେ ବୁଲାବୁଲି କରି ମନ ଫୂର୍ତ୍ତି କରିବାର କୌଣସି ସମ୍ଭାବନା ନଥିଲା। ବରଂ ଏହି ସମୟରେ ସକାଳେ ସଂଗୀତ ଶୁଣିବାର ଗୋଟିଏ ଅଭ୍ୟାସ ହୋଇଗଲା। ପ୍ରଥମେ ମୁଁ ଗୋପାଳଙ୍କ ଠାରୁ ଆସିଥିବା ମେଲ୍ ଦେଖି ତାଙ୍କ ଦ୍ବାରା ପ୍ରଦତ୍ତ ଲିଙ୍କ୍‌କୁ ଯାଇ ସଂଗୀତ ଶୁଣୁଥିଲି। ଏମିତି କିଛି ଦିନ ନିୟମିତ କଲା ପରେ ମୁଁ ଏଭଳି କିଛି ନୂଆ ଆବିଷ୍କାର କଲି, ଯାହା ପୂର୍ବରୁ ମୋ’ ଠାରୁ ଖସି ଯାଇଥିଲା। ତାହା ହେଲା ଯେଉଁ ଗୀତ ବାଜୁଛି, ତାହା ସରିଗଲା ପରେ ମଧ୍ୟ ସତେ ଯେମିତି କଂପ୍ୟୁଟର ପରଦା ଅନ୍ୟ ସଂଗୀତମାନ ଶୁଣିବା ପାଇଁ ମୋତେ ଆମନ୍ତ୍ରଣ କରୁଥିଲା। ପୂର୍ବରୁ ମୁଁ ଗୋପାଳ ପଠାଉଥିବା ଲିଙ୍କ୍‌କୁ ଯାଇ ସଂଗୀତ ଶୁଣୁଥିଲି। କିନ୍ତୁ ସେତିକିବେଳେ ମୁଁ କେବଳ ଗୀତ ଶୁଣୁଥିଲି, କଂପ୍ୟୁଟର ପରଦା ଉପରେ ଧ୍ୟାନ ଦେଉ ନ ଥିଲି। ଏବେ କାନ୍ଧରେ ଦରଜ ଓ ଜଡ଼ବତ୍‌ ମୋର ଗୋଇଠି ସହ ଶଯ୍ୟାରେ ବସି ରହିଥିଲା ବେଳେ କଂପ୍ୟୁଟର ପରଦାରେ ୟୁଟ୍ୟୁବ୍‌ର ବିଭବରୁ ଆନନ୍ଦ ଗ୍ରହଣ କରିବାର ବାଟ ପାଇଗଲି, ଯାହା ମୋର ଯନ୍ତ୍ରଣା ଅଚିରେ ଲାଘବ କଲା।

ତେବେ ଗୋପାଳକୃଷ୍ଣନଙ୍କ ଏକ ନିର୍ଦ୍ଦିଷ୍ଟ ପରାମର୍ଶ ମୋତେ ମୋର ପ୍ରଥମ ୟୁଟ୍ୟୁବ୍‌ର ନିଶା ଦ୍ବାରା ଆଚ୍ଛନ୍ନ କରିଦେଲା। ସେ ଦିନ ସକାଳେ ସେ ଖ୍ୟାତନାମା କର୍ଣ୍ଣାଟକୀ କଣ୍ଠଶିଳ୍ପୀ ଏମ.ଏଲ. ବସନ୍ତକୁମାରୀ ଗାଇଥିବା ‘କୃଷ୍ଣ ନି ବେଗାନିବାରୋ’ ଗୀତର ଲିଙ୍କ୍‌କୁ ଯିବାକୁ ପରାମର୍ଶ ଦେଇଥିଲେ। ସେହି ଗୀତଟି ମୋର ଅତି ପ୍ରିୟ ଥିଲା; ତେଣୁ ବସନ୍ତକୁମାରୀ ତାହା ଗାଇଥିବା ଶୁଣିବା ପରେ ସମସାମୟିକ କଣ୍ଠଶିଳ୍ପୀ ବମ୍ବେ ଜୟଶ୍ରୀଙ୍କ କଣ୍ଠରୁ ମଧ୍ୟ ତାହା ଶୁଣିବା ଲାଗି ଲିଙ୍କ୍ ମିଳି ଯାଇଥିଲା। ତେଣୁ ଜୟଶ୍ରୀଙ୍କ କଣ୍ଠରୁ ଉକ୍ତ ଗୀତ ଉପଭୋଗ କଲି।

ତେବେ ତାହା ଶୁଣିଲା ବେଳେ ସଂପୃକ୍ତ ଗୀତ ସହ କର୍ଣ୍ଣାଟକୀ ପରମ୍ପରାର ଗାୟକ ଆମେରିକୀୟ ଗାୟକ ଜନ୍ ହିଗିନ୍‌ସଙ୍କ ସହ ଘଟିଥିବା ଏକ ଘଟଣା ସମ୍ପର୍କରେ ମଧ୍ୟ ଜାଣିବାକୁ ପାଇଥିଲି। ଉଡୁପି ସହରକୁ ପରିଦର୍ଶନରେ ଯାଇଥିବା ବେଳେ ଶ୍ବେତାଙ୍ଗ ହିଗିନ୍‌ସଙ୍କ ଚର୍ମର ବର୍ଣ୍ଣ ହେତୁ ତାଙ୍କୁ ସେଠାକାର କୃଷ୍ଣ ମନ୍ଦିରକୁ ପ୍ରବେଶ କରିବାର ଅନୁମତି ମିଳିଲା ନାହିଁ। ତେଣୁ ସେ ରାସ୍ତାରେ ଛିଡ଼ା ହୋଇ ‘କୃଷ୍ଣ ନି ବେଗାନିବାରୋ’ ଗାୟନ ଆରମ୍ଭ କରିଦେଲେ, ଯାହା ସେ ଦିନ ତାଙ୍କ ପ୍ରବେଶକୁ ବିରୋଧ କରିଥିବା ପୂଜକମାନଙ୍କୁ ଅପମାନିତ କରିଥିଲା। ହିଗିନ୍‌ସ ମଧ୍ୟ ସେ ଦିନ ତାଙ୍କ ଅଜାଣତରେ ମନ୍ଦିର ସହ ସଂଶ୍ଳିଷ୍ଟ ଏକ ପ୍ରାଚୀନ ଘଟଣାକୁ ଉଜ୍ଜୀବିତ କରିଥିଲେ ଯହିଁରେ ଷୋଡ଼ଶ ଶତାବ୍ଦୀର କନ୍ନଡ଼ କବି କନକଦାସଙ୍କୁ ନୀଚ ଜାତି ବୋଲି କହି ମନ୍ଦିର ପ୍ରବେଶ କରିବାକୁ ଦିଆଯାଇନଥିଲା। ସେତେବେଳେ ମଧ୍ୟ ସେହି ଭକ୍ତ ଜଣକ ପୂଜକଙ୍କ ଦ୍ବାରା ନିନ୍ଦିତ ହୋଇ କୃଷ୍ଣଙ୍କ ପ୍ରଶଂସାରେ ଭଜନ ଗାଇଥିଲେ। କିଂବଦନ୍ତି କହେ ଯେ ଏହାର ପ୍ରତିଦାନରେ ସ୍ବୟଂ କୃଷ୍ଣଙ୍କ ପ୍ରତିମୂର୍ତ୍ତି ମନ୍ଦିର କାନ୍ଥ ଭେଦ କରି ସେହି ପ୍ରକୃତ ସାଧକଙ୍କୁ ଦର୍ଶନ ଦେଇଥିଲେ।

ସେହି କାହାଣୀକୁ ମନେପକାଇ ମୁଁ ଏବେ ୟୁଟ୍ୟୁବ୍‌କୁ ହିଗିନ୍‌ସ ଗାଇଥିବା ସେହି ‘କୃଷ୍ଣ ନି ବେଗାନିବାରୋ’ ଗୀତ ଶୁଣିବାକୁ ଅନୁରୋଧ କଲି। ତା’ ପରେ ପରେ ଶୁଣିଲି ଖ୍ରୀଷ୍ଟିଆନ୍ କୁଳରେ ଜନ୍ମିତ କେ.ଜେ. ୟେସୁଦାସଙ୍କ ଦ୍ବାରା ପରିବେଷିତ ତାହାର ଆଉ ଏକ ସଂସ୍କରଣ। ଏହା ଦ୍ବାରା ମୁଁ ସମ୍ପୂର୍ଣ୍ଣ ଭାବେ ତଲ୍ଲୀନ ହୋଇ ମୋର ଶରୀରର ଯନ୍ତ୍ରଣାକୁ ଭୁଲି ସକାଳ ବିତାଇ ଦେଇଥିଲି।

ଯୁଟ୍ୟୁବ୍‌କୁ ଆବିଷ୍କାର କରିବା ପୂର୍ବରୁ ମୁଁ ବର୍ଷ ବର୍ଷ ଧରି ସଂଗ୍ରହ କରି ରଖିଥିବା ଜାତୀୟ କାର୍ଯ୍ୟକ୍ରମ ରେକର୍ଡିଂର କ୍ୟାସେଟ୍ ଓ ସିଡିରୁ ମୋର ସାଂଗୀତିକ ଜୀବନର ଆଧାର ପାଇ ପାରୁଥିଲି। ବିଶେଷ କରି ଅନ୍ତର୍ମହାଦେଶୀୟ ବିମାନ ଯାତ୍ରା ବେଳେ ଯନ୍ତ୍ର ସଂଗୀତ ଶୁଣିବା ଲାଗି ମନ ହେଲେ ଅଲି ଆକବର ଖାଁ, ନିଖିଲ ବାନାର୍ଜୀ, ରବି ଶଙ୍କର, ବିଲାୟତ ଖାଁ, ଏନ୍ ରାଜମ୍ ଓ ବିସମିଲ୍ଲା ଖାଁଙ୍କ ବାଦନ ଶୁଣୁଥିଲି ଏବଂ କଣ୍ଠ ସଂଗୀତ ଶୁଣିବା ପାଇଁ ଭୀମସେନ ଯୋଶୀ, କୁମାର ଗନ୍ଧର୍ବ, ମଲ୍ଲିକାର୍ଜୁନ ମନସୁର, ମାଳିନୀ ରାଜୁର୍କର, କିଶୋରୀ ଅମୋନକର ଓ ବାସବରାଜ ରାଜଗୁରୁଙ୍କ ଉପରେ ନିର୍ଭର କରୁଥିଲି। ଏବେ ଦୁର୍ଘଟଣା ପରେ ମୋ’ ପାଇଁ ଫିଟିଥିବା ନୂଆ ଦୁନିଆରେ ମୁଁ ସାର୍ବଜନୀନ ଭାବେ ଉପଲବ୍‌ଧ ବିଶାଳ ସଂପଦ ଭଣ୍ଡାର ଉପରେ ସାମୟିକ ଚଢ଼ଉ କରି ମୋର ବ୍ୟକ୍ତିଗତ ଆନନ୍ଦ ଚରିତାର୍ଥ କରି ପାରୁଛି।

ମୋର ଯାହା ମନେ ପଡୁଛି, ୨୦୧୮ ଜାନୁଆରିର ଦ୍ବିତୀୟାର୍ଦ୍ଧରେ ଏକ ନିର୍ଦ୍ଦିଷ୍ଟ ଘଟଣା ପରେ ୟୁଟ୍ୟୁବ୍ ସକାଶେ ଏକ ଅନୁରାଗ ସୃଷ୍ଟି ହୋଇଥିଲା। ଏହା ପ୍ରଖ୍ୟାତ ସରୋଦ ବାଦକ ବୁଦ୍ଧଦେବ ଦାସଗୁପ୍ତାଙ୍କ ପରଲୋକ ଖବର ସହିତ ସଂପୃକ୍ତ ଥିଲା। ଅଶୀ ଦଶକରେ କଲିକତାରେ ଛାତ୍ର ଥିବା ବେଳେ ଦାସଗୁପ୍ତାଙ୍କୁ ପ୍ରତ୍ୟକ୍ଷରେ ସରୋଦ ବଜାଉଥିବାର ଦେଖିଥିଲି। ସେ ଜଣେ ପୂର୍ଣ୍ଣକାଳୀନ ପେସାଦାର ଯନ୍ତ୍ରୀ ଥିବାରୁ କେବଳ ସେହି ସହରରେ ହିଁ ସେ ପରିବେଷଣ କରିବା ସମ୍ଭବ ଥିଲା। ତାଙ୍କ ସମସାମୟିକ ଅଲି ଆକବର ଖାଁ ଓ ଆମଜାଦ୍ ଅଲି ଖାଁଙ୍କ ଭଳି ସେ ସର୍ବଭାରତୀୟ କି ଅଖିଳ ପାଶ୍ଚାତ୍ୟ ସଂଗୀତ ସହବାଦନରେ ଭାଗ ନେଇ ନ ଥିଲେ। ମୋ’ ଯୁବାବସ୍ଥାର ସେହି ବାଦନର ରସୋତ୍ତୀର୍ଣ୍ଣ ସ୍ମୃତି ମୋର ମନେ ରହିଥାଏ। ତେଣୁ, ୨୦୧୦ ମସିହାରେ ବୁଦ୍ଧଦେବ ବାବୁ ଯେତେବେଳେ ବାଙ୍ଗାଲୋରରେ ସରୋଦ ବାଦନ କରିବାକୁ ଆସିଥିଲେ, ତାହା ଶୁଣିବା ଲାଗି ମୁଁ ମୋର ପୁଅକୁ ସାଙ୍ଗରେ ନେଇ ଯାଇଥିଲି। ସେହି ମହାନ୍ ସଂଗୀତଜ୍ଞ ସେତେବେଳକୁ ଉତ୍ତୀର୍ଣ୍ଣ ବୟସରେ। ସେ ବାଦନ ଆରମ୍ଭ ପୂର୍ବରୁ କହିଥିଲେ, ‘ଆପଣମାନେ ଏକଦା ଯେଉଁ ବୁଦ୍ଧଦେବ ଦାସଗୁପ୍ତାଙ୍କୁ ଜାଣିଥିଲେ, ୟେ ସେ ନୁହନ୍ତି। ତେବେ ବାଙ୍ଗାଲୋରରୁ ଯେବେ ନିମନ୍ତ୍ରଣ ଆସିଲା, ମୁଁ ମନା କରିପାରିଲିନି।’

ପଞ୍ଚାଅଶୀତମ ଜନ୍ମ ଦିନର କିଛି ସପ୍ତାହ ପୂର୍ବରୁ ୨୦୧୮ ଜାନୁଆରି ୧୫ରେ ତାଙ୍କର ପରଲୋକ ଘଟିଲା। ତାହା ଶୁଣିଲା ପରେ ସଙ୍ଗେ ସଙ୍ଗେ ମୁଁ ମୋର ଆଇପଡ୍‌ରେ ତାଙ୍କ ଦ୍ବାରା ପରିବେଷିତ ଗୋର୍କାଃ କଲ୍ୟାଣ ଓ ଜୟଜୟବନ୍ତି ଆଦି ରାଗ ଶୁଣିଲି। ପରେ ପରେ ମୋ’ କ୍ୟାସେଟ୍ ସବୁ ଅଣ୍ଡାଳୁ ଅଣ୍ଡାଳୁ ଅଶୀ ଦଶକରେ ଏକ ଜାତୀୟ କାର୍ଯ୍ୟକ୍ରମରେ ସେ କେଦାର ରାଗ ବଜାଇଥିବା ରେକର୍ଡିଂ ମିଳି ଯାଇଥିଲା। ତାଙ୍କ ମୃତ୍ୟୁର କିଛି ସପ୍ତାହ ଭିତରେ ତାଙ୍କ ପ୍ରଶଂସକଙ୍କ ଦ୍ବାରା ‘ଅପ୍‌ଲୋଡ୍‌’ ହୋଇଥିବା ସଂଗୀତ ଭିତରେ ସେହି ରେକର୍ଡିଂ ମଧ୍ୟ ଥିଲା। ସେ ସବୁ ଭିତରେ ପ୍ରାୟ ଘଣ୍ଟାଏ ଅବଧିର ଛାୟା ବିହଗ ରାଗର ମୂର୍ଚ୍ଛନା ମୋତେ ବାରମ୍ବାର ରସାପ୍ଳୁତ କରିଥିଲା।

ତେବେ ‘କୃଷ୍ଣ ନି ବେଗାନିବାରୋ’ ପରି ଭଜନ ମୋ’ ପ୍ରଥମ ୟୁଟ୍ୟୁବ୍ ଆକର୍ଷଣର କାରଣ ପାଲଟିଥିଲା ଏବଂ ବୁଦ୍ଧଦେବ ଦାସଗୁପ୍ତା ଥିଲେ ମୋର ଦ୍ବିତୀୟ ଆକର୍ଷଣ। ମହାମାରୀ କୋଭିଡ୍-୧୯ର ଆବିର୍ଭାବ ପର ଠାରୁ ୟୁଟ୍ୟବ୍‌ରୁ ସଂଖ୍ୟାଧିକ ଆକର୍ଷଣର କାରଣ ମୁଁ ପାଇଛି। ସେଥି ମଧ୍ୟରେ କ୍ରିକେଟ୍ ଖେଳ ବି ରହିଛି। ସେହି ପରିପ୍ରେକ୍ଷୀରେ ସେନ୍ ଵାର୍ଣ୍ଣ ଓ ମାଇକେଲ ଆର୍ଥରଟନ୍‌ଙ୍କ ଭିତରେ ହୋଇଥିବା ଚମତ୍କାର କଥୋପକଥନକୁ ମୁଁ ନିର୍ଦ୍ଦିଷ୍ଟ ଭାବେ ସୁପାରିସ କରିବି। ସେହିପରି କିଛି ସାହିତ୍ୟ ଆଲୋଚନା ରହିଛି, ଯେଉଁଥିରେ ସି.ଏଲ୍.ଆର୍ ଜେମ୍‌ସ ଓ ଷ୍ଟୁଆର୍ଟ‌୍ ହଲ୍‌ଙ୍କ ଭିତରେ ହୋଇଥିବା କଥାବାର୍ତ୍ତାକୁ ମୁଁ ଏକ ସ୍ବତନ୍ତ୍ର କାଟର ବୋଲି କହିବି। ତେବେ ସେହି ଆକର୍ଷଣଗୁଡ଼ିକ ଭିତରେ ସଂଖ୍ୟାଧିକ ହେଉଛନ୍ତି ସଂଗୀତଭିତ୍ତିକ। ଯୁଟ୍ୟୁବ୍ ମାଧ୍ୟମରେ ହିଁ ପାଶ୍ଚାତ୍ୟ ଶାସ୍ତ୍ରୀୟ ସଂଗୀତର ସ୍ବାଦକୁ ମୁଁ ଧୀରେ ଧୀରେ ଆସ୍ବାଦନ କରିପାରିଛି। ଏଥି ସହିତ ମୁଁ ଭେଙ୍କଟେଶ କୁମାର, କାଳାପିନି କୋଁକାଳି, ଅଶ୍ବିନୀ ଭିଦେ ଦେଶପାଣ୍ଡେ ଓ ପ୍ରିୟ ପୁରୁଷୋତ୍ତମଙ୍କ ଭଳି ସମସାମୟିକ କଣ୍ଠଶିଳ୍ପୀମାନଙ୍କ ସଂଗୀତ ଉପଭୋଗ କରିପାରୁଛି।

ୟୁଟ୍ୟୁବ୍‌ରେ ମୋର ସଦ୍ୟତମ ଆବିଷ୍କାର ହେଲା କିରାନା ଘରାନାର କଣ୍ଠଶିଳ୍ପୀ ରୋଶନ୍ ଆରା ବେଗମ୍‌ଙ୍କର ଗୋଟିଏ ରେକର୍ଡିଂ। ଉସ୍ତାଦ ଅବଦୁଲ କରମ୍ ଖାଁଙ୍କର ଜଣେ ପ୍ରତ୍ୟକ୍ଷ ଛାତ୍ରୀ ଥିବା ରୋଶନ୍ ଆରା ଦେଶ ବିଭାଜନ ପରେ ଲାହୋର ଚାଲି ଯାଇଥିଲେ। ସେଠାରେ ୧୯୮୨ ମସିହାରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେ ନିଜ ସଂଗୀତର ଯାଦୁ ପରିବେଷଣ କରୁଥିଲେ। ୨୦୦୯ ମସିହାରେ ଲାହୋର ଯାଇଥିଲା ବେଳେ ମୁଁ ସ୍ଥାନୀୟ ଅନାରକଲି ବଜାରରେ ରୋଶନ ଆରାଙ୍କ ସଂଗୀତ ଖୋଜି କିଛି କ୍ୟାସେଟ୍ ପାଇଥିଲି, ଯେଉଁଥିରେ ଶଙ୍କର ରାଗର ଅଭିଭୂତ କଲା ଭଳି ପରିବେଷଣ ରହିଥିଲା। ତାହାକୁ ମୁଁ ସେବେଠାରୁ ଅସଂଖ୍ୟ ଥର ଶୁଣି ସାରିଲିଣି। ଗତ ସପ୍ତାହରେ ଦିଲ୍ଲୀରେ ନୂରାନି ରାଗର ଏକ ରେକର୍ଡିଂ ପାଇଥିଲି ଯାହା ସମ୍ଭବତଃ ୧୯୫୦ ମସିହାରେ ପରିବେଷିତ ହୋଇଥିଲା। ତେବେ ଏହାକୁ ଶୁଣିବାରେ ଏକ ସ୍ବତନ୍ତ୍ର ଆନନ୍ଦ ଥିଲା, କାରଣ ତାହାର ପ୍ରାରମ୍ଭରେ ଉଦ୍‌ଘୋଷକ ସୁରଜିତ୍ ସେନଙ୍କ ଗୁରୁ ଗମ୍ଭୀର କଣ୍ଠରୁ ଶୁଣିବାକୁ ମିଳୁଥିଲା, ‘ଦିସ୍‌ ଇଜ୍‌ ଅଲ୍ ଇଣ୍ଡିଆ ରେଡିଓ।’ ତା’ ପରେ ସେ ଜାତୀୟ ସଂଗୀତ କାର୍ଯ୍ୟକ୍ରମରେ ପାକିସ୍ତାନର ରୋଶନ୍ ଆରା ବେଗମ୍‌ଙ୍କ ଦ୍ବାରା କଣ୍ଠସଂଗୀତ ପରିବେଷଣ ସମ୍ବନ୍ଧୀୟ ସୂଚନା ଦେଇଥିଲେ।

କିଛି ବର୍ଷ ଧରି ଯୁଟ୍ୟୁବ୍‌ରେ ସଂଗୀତ ଶୁଣି ଶୁଣି ମୁଁ ସେମାନଙ୍କୁ ଘୋର ପ୍ରଶଂସା କରୁଛି, ଯେଉଁମାନେ ନିଃସ୍ବାର୍ଥପର ଭାବେ ନିଜର ବିରଳ ସଂଗୀତ ସଂଗ୍ରହକୁ ଅନ୍ୟମାନଙ୍କ ଶ୍ରବଣ ପାଇଁ ବାଣ୍ଟି ପାରିଛନ୍ତି। ଘୃଣା ଓ ବିରୋଧ, ଈର୍ଷା ଓ ପ୍ରତିଦ୍ବନ୍ଦ୍ବିତା ଏବଂ ଅହଂକାର ଓ ପକ୍ଷପାତିତା ଦ୍ବାରା ବିଭାଜିତ ଏହି ପୃଥିବୀରେ ଅତ୍ୟନ୍ତ କଷ୍ଟଲବ୍‌ଧ ସଂଗୀତ ବିଭବକୁ ଯେଉଁମାନେ ଏକ ସର୍ବସାଧାରଣ ମଞ୍ଚରେ ଛାଡ଼ି ପାରୁଛନ୍ତି, ସେମାନେ ଯେ ମାନବଜାତିର ପ୍ରକୃତ ରତ୍ନ; ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ।

ସମ୍ବନ୍ଧିତ ଖବର