ସରକାରଙ୍କ ଦୁଇଟି ଅସ୍ତ୍ର

ମହମ୍ମଦ ହିଫ୍‌ଜୁର ‌ରହେମାନ୍

ଏବେ ଜାତୀୟ ରାଜନୀତିରେ ଯେଉଁ ଦୁଇଟି କଥା ନିଆଁ ଲଗାଇ ଦେଇଛି, ତାହା ବ୍ରିଟିସ୍‌ ସରକାରଙ୍କ ଠାରୁ ଉତ୍ତରାଧିକାର ସୂତ୍ରରେ ଆମ ଶାସକ ବର୍ଗକୁ ମିଳିଛି। ତହିଁରୁ ଗୋଟିଏ ହେଉଛି ଦଳ ନିର୍ବିଶେଷରେ ବିରୋଧୀ ଲୋକଙ୍କ ଉପରେ ଗୁଇନ୍ଦା ନଜର ରଖିବା ଏବଂ ଅନ୍ୟଟି ଫୌଜଦାରୀ ମାମଲାର ଅପପ୍ରୟୋଗ କରିବା। ତେବେ ଗୁଇନ୍ଦା ନଜର ରଖିବାର ଧାରାରେ ସେ ଦିନ ଠାରୁ ଆଜି ଭିତରେ ଅନେକ ପରିବର୍ତ୍ତନ ଆସିଛି ଏବଂ ପ୍ରଯୁକ୍ତିଗତ ବିକାଶ ହେତୁ ବୈଷୟିକ ଜ୍ଞାନ କୌଶଳର ସହାୟତାରେ ଏବେ ଅତି ସନ୍ତର୍ପଣରେ ତାହା ସଂପାଦନ କରାଯାଉଛି। କିନ୍ତୁ ଫୌଜଦାରୀ ମାମଲାର ଅପପ୍ରୟୋଗ ପୂର୍ବବତ୍‌ ଚାଲିଛି।

ଏହି କ୍ରମରେ ପ୍ରଥମେ ‘ପେଗାସସ୍’ ବିବାଦକୁ ଯିବା ଯହିଁରେ ଅତ୍ୟନ୍ତ ବିକଶିତ ‘ସ୍ପାଏ‌େୱର୍’ ଜରିଆରେ ବିଭିନ୍ନ ବ୍ୟକ୍ତିଙ୍କ ଫୋନ୍ ଟ୍ୟାପିଂ କରାଯାଉଥିବାର ଅଭିଯୋଗ ହୋଇଛି। ଏବଂ ଦେଖିବାକୁ ମିଳିଛି ଯେ ଦଳ ନିର୍ବିଶେଷରେ ବିଭିନ୍ନ ବ୍ୟକ୍ତି ଏଭଳି ଗୁଇନ୍ଦା ସ୍କାନର୍‌ରେ ଅଛନ୍ତି। ସେମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିରୋଧୀ ଦଳର ନେତା, ପୂର୍ବତନ ବିଚାରପତି, ପୂର୍ବତନ ନିର୍ବାଚନ କମିସନର, ବ୍ୟବସାୟୀ, ଶିଳ୍ପପତି ଏବଂ ଅନେକ ସାମ୍ବାଦିକ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ। ତେବେ ଯାହା ଉଦ୍‌ବେଗଜନକ ତାହା ହେଲା ପେଗାସସ୍ ନାମଧାରୀ ଏହି ‘ସ୍ପାଏୱେର୍‌’ଟି ଗୋଟିଏ ଇସ୍ରାଏଲୀ ସଂସ୍ଥା ଦ୍ବାରା ବିକଶିତ।

ଯଦିଓ ଏଥିରେ ସରକାରଙ୍କ ସଂପୃକ୍ତି ନାହିଁ ବୋଲି ସଫେଇ ଦିଆଯାଉଛି, ଏହା ବିଶ୍ବାସଯୋଗ୍ୟ ହୋଇପାରୁନାହିଁ। କାରଣ, ପୂର୍ବରୁ କୁହାଯାଇଥିବା ଭଳି ଏଭଳି ଗୁଇନ୍ଦାଗିରି କିଛି ନୂଆ କଥା ନୁହେଁ। ସ୍ବାଧୀନତା ପରେ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ଏଚ୍‌ଡି ଦେବେଗୌଡ଼ା ଏବଂ ନରସିଂହ ରାଓ ଇତ୍ୟାଦିଙ୍କ ସରକାର ଅମଳରେ ଏଭଳି ହୋଇଛି ଓ ତଜ୍ଜନିତ ବିବାଦ ମଧ୍ୟ ସୃଷ୍ଟି ହୋଇଛି। କିନ୍ତୁ ପ୍ରଭେଦ ଏତିକି ‌େଯ ଏଥର ଏକ ବିଦେଶୀ ସଂସ୍ଥା ଏହି ପ୍ରକରଣରେ ଜଡ଼ିତ ହୋଇଯାଇଛି। ଏହା ଦ୍ବାରା ଆଉ ଯାହା ହେଉ ବା ନ ହେଉ ଏକ ସନ୍ଦେହର ବାତାବରଣ ସୃଷ୍ଟି ହୋଇଛି।

ସେହିଭଳି ବିରୋଧୀଙ୍କୁ ଚୁପ୍‌ କରିବା ଲାଗି ସରକାରଙ୍କ ହାତରେ ଥିବା ଅନ୍ୟ ଅସ୍ତ୍ରଟି ହେଉଛି ଦେଶଦ୍ରୋହ ଭଳି ଫୌଜଦାରୀ ଆଇନ। ଏହାର ଦୁରୁପଯୋଗ ଏତେ ବୃଦ୍ଧି ପାଇଛି ଯେ ଏ ନେଇ ଗଭୀର ଚିନ୍ତା ପ୍ରକଟ କରାଗଲାଣି। ସଂପ୍ରତି ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରୁଥିବା ବେଳେ ଦେଶ‌ର ସ‌ର୍ବେ‌ାଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି କି ଏକ ସ୍ବାଧୀନ ରାଷ୍ଟ୍ରରେ ଏକ ଉତ୍ପୀଡ଼କ ଔପନିବେଶିକ ଆଇନର ପ୍ରାସଙ୍ଗିକତା ରହିଛି କି? କାରଣ ଆମ ରାଷ୍ଟ୍ର ପରାଧୀନ ଥିବା ବେଳେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଜେଲ୍‌ରେ ପୂରାଇବା ଲାଗି ବ୍ରିଟିସ୍‌ ସରକାର ଏହି ଅସ୍ତ୍ରର ପ୍ରୟୋଗ କରୁଥିଲେ। କିନ୍ତୁ ଏବେ ମଧ୍ୟ କେନ୍ଦ୍ର ବା ରାଜ୍ୟ ସରକାରଗୁଡ଼ିକ ଏହି ଆଇନର ଦୁରୁପଯୋଗ କରୁଛନ୍ତି ଏବଂ ସରକାରଙ୍କୁ ସମାଲୋଚନା କରୁଥିବା ଲୋକଙ୍କୁ ଏହି ଆଇନ ବଳରେ ଦେଶଦ୍ରୋହୀ ବୋଲି ଚିତ୍ରଣ କରାଯାଇ ଜେଲ୍‌ରେ ଭର୍ତ୍ତି କରିଦିଆଯାଉଛି। ତେଣୁ ଏଭଳି ଏକ ଆଇନର ବୈଧତାର ସମୀକ୍ଷା କରିବା ବିଷୟ ମଧ୍ୟ ଅଦାଲତ ସ୍ପଷ୍ଟ କରିଛନ୍ତି।

କିନ୍ତୁ ଏହି ଆଇନର ଦୁରୁପଯୋଗ ମଧ୍ୟ କିଛି ନୂଆ କଥା ନୁହେଁ। ପ୍ରାୟ ସବୁ ସରକାର ଅମଳରେ ଏହାର ଅପପ୍ରୟୋଗ ହୋଇଛି। ତେବେ, ଏହି ସରକାର ଅମଳରେ ଏହାର ମାତ୍ରା ଖୁବ୍‌ ବୃଦ୍ଧି ପାଇଥିବା ବିଷୟ ଏକ ଆକଳନରୁ ଜଣାପଡ଼େ। ୨୦୧୦ରୁ ୨୦୨୦ ମଧ୍ୟରେ ୧୧,୦୦୦ ଲୋକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଏଥିରୁ ୭୧୩୬ ଅର୍ଥାତ୍‌ ପ୍ରାୟ ଦୁଇ ତୃତୀୟାଂଶଙ୍କ ବିରୋଧରେ ମାମଲା କେବଳ ୨୦୧୪ରୁ ୨୦୨୦ ମଧ୍ୟରେ ହୋଇଛି। କିନ୍ତୁ ଏ ପରିପ୍ରେକ୍ଷୀରେ ଯାହା ସର୍ବାଧିକ ଉଦ୍‌ବେଗର ବିଷୟ, ତାହା ହେଲା ଏହି ଅଭିଯୁକ୍ତମାନଙ୍କ ଭିତରୁ ଦୋଷୀ ସାବ୍ୟସ୍ତ ହେବାର ହାର ହେଉଛି ମାତ୍ର ୩ ଶତାଂଶରୁ ବି କମ୍।

ବିରୋଧୀଙ୍କୁ ଚୁପ୍‌ କରିବା ଲାଗି ବା ଭୟ ଉଦ୍ରେକ କରିବା ଲାଗି ଅଥବା ପ୍ରତିଶୋଧ ନେବା ଲାଗି ଏହାର ପ୍ରୟୋଗ କରାଯାଉଛି। ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆ, ଲକ୍ଷଦୀପର ଅଭିନେତ୍ରୀ ଆୟସା ସୁଲତାନା ଏବଂ ଆନ୍ଧ୍ର ପ୍ରଦେଶର ଦୁଇଟି ଟିଭି ଚାନେଲ, ‘ନାଗରିକତା ସଂଶୋଧନ ଆଇନ’ ବା ସିଏଏକୁ ବିରୋଧ କରୁଥିବା ୨୨ ଜଣ ଆନ୍ଦୋଳନକାରୀଙ୍କ ବିରୋଧରେ ଏହାର ଉପଯୋଗ କରାଯାଇଛି। ବର୍ତ୍ତମାନ ଏହା କିଭଳି ହାସ୍ୟାସ୍ପଦ ସ୍ତରକୁ ଚାଲିଯାଇଛି, ତାହା ଗୋଟିଏ ଉଦାହରଣରୁ ସ୍ପଷ୍ଟ ହେବ। ତାହା ହେଲା, ହରିଆଣାରେ ଜ‌େନୖକ ବିଜେପି ନେତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଶହେରୁ ଅଧିକ ଚାଷୀ ଆନ୍ଦୋଳନକାରୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି।

ଇତିମଧ୍ୟରେ ବିଶିଷ୍ଟ ସାମ୍ବାଦିକ ବିନୋଦ ଦୁଆଙ୍କ ବିରୋଧ‌େର ଦାୟର ହୋଇଥିବା ଦେଶଦ୍ରୋହ ମାମଲା ସଂଦର୍ଭରେ ସୁପ୍ରିମ କୋର୍ଟ କହିସାରିଲେଣି ଯେ ସରକାରଙ୍କ ଦୋଷ ଦୁର୍ବଳତାକୁ ସମାଲୋଚନା କରିବା ହେଉଛି ସାମ୍ବାଦିକମାନଙ୍କ ଦାୟିତ୍ବ। ତେଣୁ ସରକାରଙ୍କୁ ସମାଲୋଚନା କରୁଥିବା ସାମ୍ବାଦିକମା‌ନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଲାଗୁ କରାଯାଇପାରିବ ନାହିଁ।

ସୁତରାଂ, ଏ ପ୍ରସଙ୍ଗରେ ଯାହା ଆବଶ୍ୟକ, ତାହା ହେଲା ଦେଶଦ୍ରୋହ ଆଇନ କାହା ପ୍ରତି ଲାଗୁ ହେବ ସେ ନେଇ ସ୍ପଷ୍ଟତା ଆଣିବା। ଯେଉଁମାନେ ରାଷ୍ଟ୍ର ବିରୋଧରେ ଦ୍ରୋହ କରୁଛନ୍ତି, ସେମାନେ ଅଭିଯୁକ୍ତ ହେବାରେ ବା ଦଣ୍ଡ ପାଇବାରେ ବାଧା ନାହିଁ। କିନ୍ତୁ ସରକାରଙ୍କ ସହିତ ଭିନ୍ନ ମତ ପୋଷଣ କରୁଥିବା ଲୋକଙ୍କ ବିରୋଧରେ ଏହାର ଅପପ୍ରୟୋଗ ନ ହେଉ।
ଏମିତି ଦେଖିଲେ ଭିନ୍ନ ମତର କଣ୍ଠରୋଧ କରିବା ଲାଗି ସରକାରଙ୍କ ପାଖରେ ଭୟ ଉଦ୍ରେକକାରୀ ଆହୁରି ଅନୁଷ୍ଠାନ ଓ ବ୍ୟବସ୍ଥାମାନ ଅଛନ୍ତି। କିନ୍ତୁ ଏକ ସୁସ୍ଥ ଗଣତନ୍ତ୍ର ଲାଗି ସେସବୁର ଦୁରୁପଯୋଗରୁ ସରକାର କ୍ଷାନ୍ତ ରହିବା ଦରକାର।

ସମ୍ବନ୍ଧିତ ଖବର