ଭାରତ ଯେତେବେଳେ ସ୍ବାଧୀନତା ପାଇଲା, ସେତେବେଳେ ଅର୍ଥ ଉପାର୍ଜନ କରିବାର ମୁଖ୍ୟ ରାସ୍ତା ଥିଲା ବାପା, ଗୋସ ବାପାମାନଙ୍କଠାରୁ ଉତ୍ତରାଧିକାର ସୂତ୍ରେ ସମ୍ପତ୍ତି ପାଇବା ଓ ତା’ର ବ୍ୟବହାର କରିବା। ସେଥିପାଇଁ ଟାଟା କମ୍ପାନିର ପୁଅ, ବିରଳା, ଅମ୍ବାନୀ ଆଦି କମ୍ପାନିର ମାଲିକମାନଙ୍କ ପିଲାମାନେ ସମ୍ପତ୍ତି ସୃଷ୍ଟି କଲେ। ସେଇମାନଙ୍କ ହାତରେ ଦେଶର ଅଧିକା˚ଶ ସମ୍ପତ୍ତି ରହିଲା। ନୂଆ ନୂଆ ଯୁବ ପିଢ଼ି ନିକଟରେ ଅର୍ଥ ନ ଥିଲା। ସେମାନେ ଶିଳ୍ପ, ବାଣିଜ୍ୟ କ୍ଷେତ୍ରକୁ ପଶିପାରିଲେ ନାହିଁ। ସେତେବେଳର ‘ଲାଇସେନ୍‌ସ ପରମିଟ୍‌ ରାଜ’ରେ ଶିଳ୍ପ ବ୍ୟବସାୟ ପ୍ରତିଷ୍ଠା ପାଇଁ ଅନୁମତି ଆଣିବା କେବଳ ସେହି ଧରଣର ଲୋକମାନଙ୍କ ପାଇଁ ସମ୍ଭବ ଥିଲା। ନୂଆ ଶିଳ୍ପଦ୍ୟୋଗୀମାନଙ୍କୁ କେହି ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁମତି ଦେଉ ନ ଥିଲେ। ବ୍ୟାଙ୍କ୍‌ମାନେ ସେତେବେଳେ ନୂଆ ଶିଳ୍ପଦ୍ୟୋଗୀମାନଙ୍କୁ ଋଣ ଦେବାକୁ କୁଣ୍ଠିତ ଥିଲେ। କେବଳ ବ୍ୟାଙ୍କ୍‌ମାନେ ସେଇ ଲୋକଙ୍କୁ ଋଣ ଦେଉଥିଲେ, ଯୋଉମାନଙ୍କ ପାଇଁ କେନ୍ଦ୍ରର ବିତ୍ତ ମନ୍ତ୍ରାଳୟ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌ ଆସୁଥିଲା। ଏହି ବ୍ୟାଙ୍କ୍‌ ଋଣ ମଧ୍ୟ ଅନେକ ସମୟରେ ଠିକ୍‌ ଭାବେ ପରିଶୋଧ ହେଉ ନ ଥିବାରୁ ବ୍ୟାଙ୍କ୍‌ମାନେ ସେହି ଭୟରେ ନୂଆମାନଙ୍କୁ ଋଣ ଦେବାକୁ ସମ୍ପୂର୍ଣ୍ଣ କୁଣ୍ଠିତ ଥିଲେ।

Advertisment

ଏତିକିବେଳେ ଭାରତରେ ଏକ ନୂଆ ବିଚାରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ‘ମେକ୍‌ ଇନ୍‌ ଇଣ୍ତିଆ’, ‘ଷ୍ଟାର୍ଟ ଅପ୍‌ ଇଣ୍ତିଆ’ ବୋଲି ଯେଉଁ ଯୋଜନାମାନ ଘୋଷଣା କଲେ ତାହା ଅଧିକା˚ଶ ଲୋକଙ୍କ ବିଶ୍ବାସକୁ ଆସିଲା ନାହିଁ। ଏହା କିପରି ସମ୍ଭବ ହେବ ବୋଲି ସେମାନେ ପ୍ରଶ୍ନ କଲେ। ଅବଶ୍ୟ ନବେ ଦଶକରେ ଭାରତରେ ଓ ବିଶ୍ବର ଅନ୍ୟତ୍ର ଡଟ୍‌କମ୍‌ କମ୍ପାନି ଅର୍ଥାତ୍‌ ନୂଆ ଆଇ.ଟି. କମ୍ପାନିମାନେ ସୃଷ୍ଟି ହୋଇସାରିଥିଲେ। ସେତେବେଳେ ଏହି କମ୍ପାନିମାନଙ୍କରେ ଅନେକ ଲୋକ ଅର୍ଥ ଲଗାଣ କଲେ, ସେମାନଙ୍କର ଅ˚ଶଧନ କିଣି। ଏହି ସମୟର ସୃଷ୍ଟି ହେଉଛନ୍ତି ବେ˚ଗାଲୁରୁର ‘ଇନ୍‌ଫୋସିସ୍‌’, ଟାଟାଙ୍କର ‘ଟି.ସି.ଏସ୍‌.’, ଅଜିମ ପ୍ରେମଜୀଙ୍କର ‘ଉଇପ୍ରୋ’ ଇତ୍ୟାଦି। କିନ୍ତୁ ୨୦୦୧ ବେଳକୁ ସେମାନଙ୍କ ମଧ୍ୟରୁ ଅନେକ ଡୁବିଗଲେ। ତେଣୁ ସେ ସମ୍ପର୍କିତ ଆଶା ମଧ୍ୟ ଡୁବିଗଲା। ସେତେବେଳେ ବ୍ୟାଙ୍କ‌୍ମାନେ କେବଳ ବଡ଼ ବଡ଼ ପୁରୁଣା କମ୍ପାନିମାନଙ୍କୁ ଋଣ ଦେଉଥିଲେ। ଷ୍ଟକ୍‌ ମାର୍କେଟ୍‌ରେ ଅ˚ଶଧନ ଗୋଟିଏ କମ୍ପାନି ବିକିଲାବେଳେ କେବଳ ଯେଉଁ କମ୍ପାନିମାନେ ପ୍ରଚୁର ଲାଭ କରୁଛନ୍ତି, କେବଳ ସେହିମାନଙ୍କ ଅ˚ଶଧନ (ସେୟାର)କୁ ଲୋକେ କିଣୁଥିଲେ। କେହି ନୂଆ ଶିଳ୍ପଦ୍ୟୋଗୀ ଯଦି ଏକ ନୂଆ କମ୍ପାନି ଖୋଲି ତା’ର ଅ˚ଶଧନ ବିକିବାକୁ ଚେଷ୍ଟା କରୁଥିଲା, ତାହାକୁ କେହି କିଣୁନଥିଲେ।

କିନ୍ତୁ ଅତି ନିକଟ ଅତୀତରେ ‘ଜାମାଟୋ’ ବୋଲି ଖାଦ୍ୟ ପଦାର୍ଥକୁ ଘରକୁ ପଠାଉଥିବା ଯେଉଁ କମ୍ପାନି ତା’ର ପ୍ରାରମ୍ଭିକ ଅ˚ଶଧନ ବିକିବା ଆରମ୍ଭ କଲା ଓ ଏହି କମ୍ପାନିକୁ ଷ୍ଟକ୍‌ ମାର୍କେଟ୍‌ରେ ତାଲିକାଭୁକ୍ତ କରି ଅ˚ଶଧନ ବିକିଲା, ସେତେବେଳେ ସାରା ଭାରତବର୍ଷର ଧାରଣା ପରିବର୍ତ୍ତିତ ହୋଇଛି ବୋଲି ମନେହେଉଛି। ଏହି ଜାମାଟୋ ପରି ଘରୋଇ କମ୍ପାନିମାନଙ୍କୁ କୁହାଯାଉଛି ‘ୟୁନିକର୍ନ’; ଅର୍ଥାତ‌୍, ଯେଉଁ ନୂଆ କମ୍ପାନିମାନେ ଷ୍ଟକ୍‌ ମାର୍କେଟ୍‌ରେ ସେମାନଙ୍କ ନାମକୁ ତାଲିକାଭୁକ୍ତ କରିନାହାନ୍ତି, କିନ୍ତୁ ବଜାରରେ ସେମାନଙ୍କ କମ୍ପାନିର ମୂଲ୍ୟ ୧୦୦ କୋଟି ଡଲାର ଅର୍ଥାତ୍‌ ପ୍ରାୟ ଟ.୭,୫୦୦ କୋଟି ହେବ ବୋଲି ଧାରଣା ସୃଷ୍ଟି ହୋଇଛି। ସେମାନେ ଯେତେବେଳେ ତାଙ୍କର ଆଇ.ପି.ଓ. ଅର୍ଥାତ୍‌ ପ୍ରାରମ୍ଭିକ ସର୍ବସାଧାରଣ ଅ˚ଶଧନ ବଜାରରେ ବିକ୍ରି କରିବା ଆରମ୍ଭ କରନ୍ତି, ସେଥିରେ ଅନେକ ମୂଳଧନ ଆସିଯାଇଥାଏ। ଜାମାଟୋ କମ୍ପାନି କ୍ଷେତ୍ରରେ ସେତେବେଳେ ଧାରଣା ସୃଷ୍ଟି ହୋଇଥିଲା ଯେ, ଏହି କମ୍ପାନିର ମୋଟ ମୂଳଧନର ପରିମାଣ ୮୦୦ କୋଟି ଡଲାର ଅର୍ଥାତ୍‌ ପ୍ରାୟ ଟ.୬୦,୦୦୦ କୋଟି ହେବ। ଯେତେବେଳେ ଷ୍ଟକ୍‌ ମାର୍କେଟ୍‌ ଖୋଲିଲା, ସେତେବେଳେ ଜାମାଟୋର ଆଇ.ପି.ଓ.ମାନଙ୍କର ମୂଲ୍ୟ ୭୬-୭୯ ଟଙ୍କାରେ ବିକ୍ରି ହେବାର ଥିଲା। କିନ୍ତୁ ସେହି ଦିନ ମଧ୍ୟରେ ଏହି ଅ˚ଶଧନ (ସେୟାର)ମାନଙ୍କ ମୂଲ୍ୟ ସର୍ବୋଚ୍ଚ ଟ.୧୪୭କୁ ବୃଦ୍ଧି ପାଇ ଶେଷକୁ ଟ.୧୩୭ରେ ସ୍ଥିର ରହିଲା; ଅର୍ଥାତ୍‌, ଯେତେ ଟଙ୍କାରେ ଏହାକୁ ସମସ୍ତେ କିଣିବେ ବୋଲି ଆଶା କରୁଥିଲେ, ବାସ୍ତବରେ ତା’ର ପ୍ରାୟ ଦୁଇ ଗୁଣ ମୂଲ୍ୟରେ ତାହା ବିକ୍ରି ହେଲା। ଏହା ଭାରତରେ ଏକ ବହୁତ ବଡ଼ ଆର୍ଥିକ ସଫଳତା ବୋଲି କୁହାଯାଇପାରେ। ଏହି ନୂଆ କମ୍ପାନିଟି ଆରମ୍ଭରୁ ହିଁ ବଜାରରୁ ୧ ଲକ୍ଷ ୨୦ ହଜାର କୋଟି ଟଙ୍କା ନିବେଶକମାନଙ୍କ ପାଖରୁ ଉଠାଇବା ଆଦୌ ଏକ ଛୋଟ କଥା ନୁହେଁ। କେବଳ ଯେ, ଗୋଟିଏ ନୂଆ କମ୍ପାନି ପ୍ରଥମରୁ ହିଁ ଏତେ ଅର୍ଥ ବଜାରରୁ ଉଠାଇପାରିଲା, ତାହା ନୁହେଁ, ଭବିଷ୍ୟତ୍‌ରେ ଅନ୍ୟ କମ୍ପାନିମାନଙ୍କ ପାଇଁ ମଧ୍ୟ ଏକ ନୂଆ ଆଶାର ସର୍ଜନା କରିପାରିଲା।

ଏବେ ପେଟିଏମ୍‌ ବୋଲି ଯେଉଁ ଡିଜିଟାଲ୍‌ ଟଙ୍କା କାରବାର କରୁଥିବା ନୂଆ କମ୍ପାନି ଯିଏ କି ମୂଳରୁ ହିଁ ୟୁନିକର୍ନ ବୋଲି ପରିଗଣିତ ହେଲାଣି, ସେ ମଧ୍ୟ ତା’ର ସେୟାର (ଅ˚ଶଧନ) ବିକିବା ଆରମ୍ଭ କରିବ। ଏହାର ବିକ୍ରି ଆହୁରି ଅଧିକ ହେବ ବୋଲି ଅର୍ଥ ବଜାରର ଧାରଣା। ଏହି କମ୍ପାନିର ପ୍ରାରମ୍ଭିକ ଅ˚ଶଧନମାନଙ୍କ ବିକ୍ରି ମୂଲ୍ୟ ୨,୫୦୦ କୋଟି ଡଲାର ଅର୍ଥାତ୍‌ ୧ ଲକ୍ଷ ୮୭ ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି ଆଶା କରାଯାଉଛି। ଏହା ପରେ ଆହୁରି ଆହୁରି ନୂଆ କମ୍ପାନିମାନେ ବାହାରିବେ ବୋଲି ଆଶା କରାଯାଉଛି। ଏବେ ବିଶ୍ବରେ ଅନେକ ଭେ˚ଚର କ୍ୟାପିଟାଲ ଇତ୍ୟାଦି ଅଛନ୍ତି, ଯେଉଁମାନେ ପୁରୁଣା କମ୍ପାନିମାନଙ୍କରେ ଅର୍ଥ ଲଗାଣ ନ କରି ସମ୍ପୂର୍ଣ୍ଣ ନୂଆ କମ୍ପାନିମାନଙ୍କରେ ଅର୍ଥ ଲଗାଣ କରୁଛନ୍ତି। କାରଣ ଅତୀତରେ ଫେସ୍‌ବୁକ୍‌, ଗୁଗୁଲ୍‌ ଆଦି କମ୍ପାନିମାନେ ଦିନେ ନୂଆ ଥିଲେ। ସେମାନେ ମଧ୍ୟ ନୂଆ କରି ‘ୟୁନିକର୍ନ’ ହେଲେ। ପରେ ସେମାନେ ବିଶ୍ବ ବିଖ୍ୟାତ କମ୍ପାନି ହୋଇଗଲେ; ଯେଉଁମାନେ ସାରା ବିଶ୍ବର ଅର୍ଥନୀତିକୁ ଏବେ ନିୟନ୍ତ୍ରଣ କରୁଛନ୍ତି। ଅବଶ୍ୟ ଏପରି ନୁହେଁ ଯେ, ଏହି ନୂଆ କମ୍ପାନିମାନଙ୍କରେ ଅର୍ଥ ଲଗାଣ କଲେ ତାହା ନିଶ୍ଚିତ ଭାବରେ ଭବିଷ୍ୟତ୍‌ରେ ଫଳପ୍ରଦ ହେବ। ସେମାନଙ୍କ ମଧ୍ୟରୁ ଅନେକ ଡୁବି ଯାଇଛନ୍ତି ଓ ଭବିଷ୍ୟତ୍‌ରେ ଡୁବିଯିବେ ମଧ୍ୟ। ତେଣୁ ସେଥିରେ ଅର୍ଥ ଲଗାଣ କରିଥିବା ନିବେଶକମାନେ ନିଶ୍ଚିତ ଭାବରେ ଅଶେଷ କ୍ଷତିର ସମ୍ମୁଖୀନ ହେବେ। କିନ୍ତୁ ଏହି ଆଶଙ୍କାର ଦୂରୀକରଣ ପାଇଁ ସେମାନେ ନୂଆ ନୂଆ ବୁଦ୍ଧି ଓ ଉପାୟମାନ ବାହାର କରୁଛନ୍ତି। ଏହା ହେଲା, ଗୋଟିଏ ଗୋଟିଏ ନୂଆ କମ୍ପାନିରେ ପୁଞ୍ଜି ଲଗାଣ ନ କରି ଡଜନ୍‌ ଡଜନ୍‌ ଓ ଏପରି କି ଶହ ଶହ କମ୍ପାନିମାନଙ୍କରେ ଅର୍ଥ ଲଗାଣ କରୁଛନ୍ତି। ସେମାନଙ୍କ ଧାରଣା କିଛି କମ୍ପାନିରେ ସେମାନଙ୍କ ଅର୍ଥ ଡୁବି ଯାଇପାରେ; କିନ୍ତୁ ସେମାନଙ୍କ ମଧ୍ୟରୁ ଯଦି ଅଳ୍ପ କେତେକ କମ୍ପାନି ସଫଳ ହୁଅନ୍ତି ତେବେ ସେମାନେ ହରାଇଥିବା ଅର୍ଥର ଭରଣା ହୋଇ ଆହୁରି ଅଧିକ ଲାଭ ସେମାନଙ୍କୁ ଭବିଷ୍ୟତ୍‌ରେ ମିଳିଯିବ। ଡଟ୍‌ କମ୍‌ କମ୍ପାନିମାନେ ଗତ ଶତାବ୍ଦୀର ଶେଷ ଭାଗ ଓ ଚଳିତ ଶତାବ୍ଦୀର ପ୍ରାରମ୍ଭରେ ଅନେକ ସ˚ଖ୍ୟାରେ ଡୁବି ଯାଇଥିଲେ ମଧ୍ୟ ଫେସ୍‌ବୁକ୍‌, ଗୁଗୁଲ୍‌ ପରି ଯେଉଁ କମ୍ପାନିମାନେ ତିଷ୍ଠି ରହିଲେ, ସେଥିରେ ଅର୍ଥ ଲଗାଣ କରିଥିବା ଅନେକ ନିବେଶକମାନେ ଏବେ ଯଥେଷ୍ଟ ଲାଭ ପାଉଛନ୍ତି ଓ ଅନ୍ୟ କ୍ଷେତ୍ରରେ ଡୁବି ଯାଇଥିବା ଅର୍ଥ ବହୁଗୁଣରେ ସେମାନଙ୍କ ପାଖକୁ ଫେରିଆସିଛି। ଭାରତରେ ମଧ୍ୟ ଭବିଷ୍ୟତ୍‌ରେ ସେଇଆ ଘଟିବ, ଏଥିରେ କୌଣସି ସନ୍ଦେହ ନାହିଁ। ଜର୍ମାନିର ବିଖ୍ୟାତ ବ୍ୟାଙ୍କ୍‌ କ୍ରେଡିଟ୍‌ ସୁଇସ୍‌ର ଆକଳନ ଅନୁସାରେ ଭାରତରେ ଏବେ ୧୦୦ ୟୁନିକର୍ନ ଅଛନ୍ତି। ୨୦୧୧ରେ ଷ୍ଟାର୍ଟ ଅପ୍‌ ଅର୍ଥାତ‌୍ ନୂଆ କମ୍ପାନି ୟୁନିକର୍ନରେ ପରିଣତ ହୋଇଛନ୍ତି। ୨୦୧୯ରେ ୧୦ଟି ଷ୍ଟାର୍ଟ ଅପ୍‌ କମ୍ପାନି ୟୁନିକର୍ନରେ ପରିଣତ ହୋଇଥିଲେ। କୋଭିଡ୍‌-୧୯ ମହାମାରୀର ଭୟାବହତା ସତ୍ତ୍ବେ ୨୦୨୦ରେ ୧୩ଟି ୟୁନିକର୍ନ ସୃଷ୍ଟି ହୋଇଛନ୍ତି। ୨୦୨୧ରେ ହାରାହାରି ଦେଖାଯାଉଛି ଯେ, ପ୍ରତି ମାସରେ ୩ଟି ୟୁନିକର୍ନ ସୃଷ୍ଟି ହେଉଛନ୍ତି।

ଅନେକ ଭାରତୀୟ ୟୁନିକର୍ନମାନେ ଏବେ ସର୍ବସାଧାରଣରେ ଅତି ପରିଚିତ। ସେମାନେ କିପରି ଅଲଗା ଅଲଗା କ୍ଷେତ୍ରରେ ବ୍ୟବସାୟ ଆରମ୍ଭ କରି ଏତେ ସଫଳ ହୋଇଛନ୍ତି, ତାହା ସମସ୍ତେ ଜାଣିବା ଦରକାର ଓ ଏପରି ବ୍ୟବସାୟରେ ଏତେ ଲାଭ ହୋଇପାରେ, ସେ କଥା ମଧ୍ୟ ଚିନ୍ତା କରି ନିଜସ୍ବ ଉଦ୍ୟମରେ ଭରସା ରଖିବା ଦରକାର। ସେମାନେ ହେଲେ ଫ୍ଲିପ୍‌ କାର୍ଟ (ଯାହାକୁ ୱାଲମାର୍ଟ ରିଟେଲ ଚେନ୍‌ କିଣି ନେଇଛି), ଓଲା କାର‌୍‌ସ୍‌ (ଭଡ଼ା ଗାଡ଼ି), ବାଇଜୁ (ଶିକ୍ଷା) ଇତ୍ୟାଦି। ଏମାନଙ୍କ ବ୍ୟତୀତ ସେୟାର ଚାଟ୍‌ (ଆଂଚଳିକ ଭାଷାରେ ସାମାଜିକ ଗଣମାଧ୍ୟମ), ଡିଜିଟ (ବୀମା), ଗ୍ରୋ (ସମ୍ପତ୍ତି ପରିଚାଳନା), ଗପ୍‌ସପ୍‌ (ସାମାଜିକ ଗଣମାଧ୍ୟମରେ ବାର୍ତ୍ତା ପ୍ରେରଣ), ମେସୋ (ସାମାଜିକ ବାଣିଜ୍ୟ), ଫାର୍ମାଇଜି (ଇ-ଫାର୍ମାସି), ଇନୋଭେସିର (ସ୍ବାସ୍ଥ୍ୟସେବା), ଇନଫ୍ରା ମାର୍କେଟ୍‌ (ରିଏଲ ଇଷ୍ଟେଟ ବା ସମ୍ପତ୍ତି କାରବାର ପାଇଁ ବିଭିନ୍ନ ଦ୍ରବ୍ୟ ଯୋଗାଣ), ଚାର୍ଜ ବି (ଆପେ ଆପେ ଅର୍ଥ ଦାନ ଓ ବିଲ୍‌ ତିଆରି), ଅର୍ବାନ କମ୍ପାନି (ଗୃହ ରକ୍ଷଣାବେକ୍ଷଣ ଓ ପରିବର୍ତ୍ତନ), ମୋଗଫିକ୍‌ସ (ଶିଳ୍ପ ଯନ୍ତ୍ରପାତି ଯୋଗାଣ), ଫାଷ୍ଟକ୍ରାଏ (ଇ-କମର୍ସ), ଜେଟା (ଫିନ୍‌ଟେକ୍‌) ଓ କ୍ରାଇଜର ଷ୍ଟାକ (ସେବା ହିସାବରେ ସଫ୍‌ଟୱେର)। ଏଠାରେ ସମସ୍ତେ ବୁଝିପାରୁଥିବେ ଯେ, ଖାଦ୍ୟ ଯୋଗାଣ, ସଫ୍‌ଟୱେର ଯୋଗୁଁ ବିଭିନ୍ନ ଲୋକମାନଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ସେମାନଙ୍କ ଅସୁବିଧା ଦୂର କରିବା, ଆଂଚଳିକ ଭାଷାରେ ସାମାଜିକ ଗଣମାଧ୍ୟମର ପରିଚାଳନା, ଭଡ଼ା ଗାଡ଼ି ଯୋଗାଣ, ଘରର ରକ୍ଷଣାବେକ୍ଷଣ ଓ ପରିବର୍ତ୍ତନ ଆଦି କାର୍ଯ୍ୟକୁ ହାତକୁ ନେଇ କେହି ଜଣେ ହଜାର ହଜାର କୋଟି ଟଙ୍କାର ବ୍ୟବସାୟ କରିପାରେ। ପୂର୍ବରୁ ଶିଳ୍ପ ଓ ବ୍ୟବସାୟ କହିଲେ ମୁଖ୍ୟତଃ ଧାତୁ ଦ୍ରବ୍ୟ, ଖାଉଟି ଦ୍ରବ୍ୟ ଉତ୍ପାଦନ ଆଦି କଥାକୁ ବୁଝାଉଥିଲା। ଧୂଅାଁ ବାହାରୁଥିବା ଓ ବ୍ୟାପକ ଅଂଚଳ ମାଡ଼ି ବସିଥିବା କାରଖାନାମାନଙ୍କୁ ବୁଝାଉଥିଲା। ଏବେ ବି ସେମାନେ ଯେ ଲୋପ ପାଇଗଲେଣି ସେମିତି ନୁହେଁ, କିନ୍ତୁ ନୂଆ ପିଢ଼ି ମୁଣ୍ତକୁ ନୂଆ ନୂଆ କଥା ଜୁଟୁଛି, ଯାହାକୁ ନେଇ ଅର୍ଥ ଉପାର୍ଜନ ହେଉଛି। ହୁଏ’ତ ମାତ୍ର ଦୁଇ ଦଶନ୍ଧି ତଳେ ଜଣେ ଲୋକ ତା’ ହାତମୁଠାରେ ଯନ୍ତ୍ରଟିଏ ଧରି ଫୋନ୍‌ ପରି କଥାବାର୍ତ୍ତା ହେବା, କାହା ପାଖକୁ ବାର୍ତ୍ତା ପଠାଇବା, କାହାର ବାର୍ତ୍ତାକୁ ଶୁଣିବା, ସିନେମା, ଥିଏଟର, ନାଚଗୀତ ଦେଖିବା ଓ ଶୁଣିବା ସବୁ ଏକା ଥରକେ ହୋଇପାରିବ, ସେ କଥା କେହି ଭାବିପାରୁନଥିଲେ। କିନ୍ତୁ ଏହା ଏବେ ସମ୍ଭବ ହୋଇପାରିଛି।

ସେହିପରି ବର୍ତ୍ତମାନର ସମାଜକୁ ଚାହିଁ ଅନେକ ନୂଆ ସମାଧାନର ରାସ୍ତା ବାହାରୁଛି ଯାହାକୁ ନେଇ ବଡ଼ ବଡ଼ ବ୍ୟବସାୟ କରିହେବ। ତେଣୁ ସାରା ପୃଥିବୀ ପରି ଭାରତରେ ମଧ୍ୟ ଆଗାମୀ ଦିନରେ ଶିଳ୍ପ ବ୍ୟବସାୟର ରୂପରେଖ ବଦଳିବାକୁ ଆରମ୍ଭ କରିଛି। ଭାରତର ନୂଆ ପିଢ଼ି ଏହାର ସୁଯୋଗ ନେବା ଓ ବିପୁଳ ଅର୍ଥ ଉପାର୍ଜନ କରିବା ଉଚିତ। ଏବେ ବିଚାର ହେଉଛି ମୂଳ କଥା। ନୂଆ ସର୍ଜନା ଓ ନୂଆ ବୁଦ୍ଧି ହେଉଛି ହେଉଛି ଅସଲ କଥା। ଏହା ପୁଞ୍ଜିବାଦର ରୂପରେଖକୁ ମଧ୍ୟ ବଦଳାଇ ଦେଉଛି। ପାରମ୍ପରିକ ଦୃଷ୍ଟିରୁ ସମାଜରେ ନୂଆ ନୂଆ କାମ ମଧ୍ୟ ସୃଷ୍ଟି ହେଉଛି। ଭାରତ ଓ ଓଡ଼ିଶା ଏ ଦିଗରେ ଅଗ୍ରଗାମୀ ହେବା ଦରକାର।

ମୋ- ୯୪୩୭୦୨୦୨୯୦
[email protected]