ମଦ ସତ୍ୟାଗ୍ରହ

କହିବାର ଅଛି - ଦାଶ ବେନହୁର

ମଦ ସମ୍ପର୍କରେ ଅନେକଙ୍କର ଧାରଣା ଥାଇପାରେ ମାତ୍ର ସତ୍ୟାଗ୍ରହ ସମ୍ପର୍କରେ ଥିବ ବୋଲି ଆଶା କରିବା ବୃଥା। ଏପରି କି ଗାନ୍ଧୀଜୀଙ୍କୁ ଜାଣିଥିବା ଅନେକ ବ୍ୟକ୍ତି ସତ୍ୟାଗ୍ରହ ସମ୍ପର୍କରେ ନାନା ବିଭ୍ରାନ୍ତିକର ମନୋଭାବ ପୋଷଣ କରିଥାନ୍ତି। ସତ୍ୟାଗ୍ରହକୁ ଏ ଗାଲରେ ଚାପୁଡ଼ା ଖାଇଲେ ଆର ଗାଲ ଦେଖେଇବା କଥା ବୋଲି ଭାବନ୍ତି। ସତ୍ୟାଗ୍ରହ ବିଷୟକୁ ଯିବା ପୂର୍ବରୁ ଆମକୁ ମଦ ବିଷୟଟିକୁ ଟିକେ ଅଧିକ ତର୍ଜମା କରିବା ଆବଶ୍ୟକ।

ସାମ୍ପ୍ରତିକ କାଳରେ ମଦକୁ ନେଇ ଆମ ଦେଶ ଓ ରାଜ୍ୟରେ ଖୁବ୍ ଚର୍ଚ୍ଚା। ଆଶା କରାଯାଉଥିଲା ଯେ ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ସରକାରମାନେ ଉଭୟ କେନ୍ଦ୍ର ଓ ରାଜ୍ୟରେ ନିଶା ନିବାରଣ ଉପରେ ପ୍ରାଧାନ୍ୟ ଦେବେ। ଗାନ୍ଧୀ ମହାତ୍ମା ଯେଉଁ ସତ୍ୟ ଓ ଅହିଂସାର ପଥ ଗ୍ରହଣ କରିଥିଲେ ତାହା ଭାରତୀୟ ସଂସ୍କୃତିର ଏକ ପୁରାତନ ତଥା ମହାର୍ଘ ପରମ୍ପରା। ସ୍ବାଧୀନତା ଆନ୍ଦୋଳନ ଲାଗି ଗାନ୍ଧୀ ତାହ‌ାକୁ ଖୁବ୍ ସଫଳତାର ସହ ପ୍ରୟୋଗ କରିଥିଲେ କେବଳ। ସେ ପ୍ରୟୋଗରେ ନୂଆ କଥା ଥିଲା, ମାତ୍ର ତାହା ଏ ମାଟି ପାଇଁ ନୂଆ ନ ଥିଲା। ନିଜେ ଗାନ୍ଧୀ ଠାଏ କହିଛନ୍ତି ଯେ ଭାରତରେ ସତ୍ୟ ଓ ଅହିଂସା ନଦୀ, ପାହାଡ଼ ପରି ପୁରୁଣା। ତେବେ ଗାନ୍ଧୀପଣର ନୂଆ କଥାଟି କ’ଣ?

ସାମ୍ପ୍ରଦାୟିକ ସଦ୍‌ଭାବ, ନିଶା ନିବାରଣ, ଅସ୍ପୃଶ୍ୟତା ନିବାରଣ, ସତ୍ୟାଗ୍ରହ ଓ ସ୍ବାବଲମ୍ବନଶୀଳତା? ସେ ଜାଣିଥିଲେ ଯେ ହିନ୍ଦୁ-ମୁସଲମାନ ଭ୍ରାତୃଭାବ ହିଁ ଆଗାମୀ ନୂଆ ଭାରତର ମୂଳ ଭିତ୍ତି ହେବ। ସେଇଥିପାଇଁ ଭାରତରେ ନିଜେ ଗାନ୍ଧୀଗୋଳ ଆରମ୍ଭ ପୂର୍ବରୁ ସେ ଖିଲାଫତ୍ ଆନ୍ଦୋଳନକୁ ପ୍ରୋତ୍ସାହନ ଦେଇଥିଲେ, ଶତ ବିରୋଧ ସତ୍ତ୍ବେ। ଗାନ୍ଧୀଜୀଙ୍କର ଏ ଭାଇଭାବର ଡାକରା ବି ପୂରାପୂରି ମୌଳିକ ନୁହେଁ। ଗାନ୍ଧୀ ଏହାକୁ ବ୍ୟାପକ କରିବାରେ ଥିଲେ ପ୍ରଥମ ବ୍ୟକ୍ତି। ଅସ୍ପୃଶ୍ୟତା ନିବାରଣ କଥାଟି ବି ସେମିତି। ଗାନ୍ଧୀ ହିଁ ତାହାକୁ ପ୍ରଥମେ ସର୍ବଭାରତୀୟ କଲେ, ହେଲେ ସେ କଥା ଆଗରୁ ଅନେକ ସଂସ୍କାରବାଦୀ ଉଠାଇ ସାରିଥିଲେ। ଭିତରେଇ ଦେଖିଲେ ନିଶା ନିବାରଣ ଓ ସତ୍ୟାଗ୍ରହ ସଙ୍ଗକୁ ସ୍ବାବଲମ୍ବନଶୀଳତା ବା ସ୍ବଦେଶୀ ଡାକରାରେ ଅନେକ ମୌଳିକ ଗାନ୍ଧୀପଣ ଥିଲା ବୋଲି ସ୍ବୀକାର କରିବାକୁ ପଡ଼ିବ।

ସ୍ବାବଲମ୍ବନଶୀଳତା ତ କାଳେ କାଳେ ସମାଜରେ ଥିଲା। ସବୁପିଲାଙ୍କୁ ନିଜ ଗୋଡ଼ରେ ଠିଆ ହେବା ପାଇଁ ଉ‌ପଦେଶ ମିଳେ। ମାତ୍ର ସ୍ବାଧୀନତା ହାସଲ ପାଇଁ ଗାଆଁ ଗାଆଁକୁ ସ୍ବାବଲମ୍ବନଶୀଳ କରିବା ପାଇଁ ଗାନ୍ଧୀଜୀଙ୍କର ଯେ ଡୁହା, ତାହା ଥିଲା ମୌଳିକ।

ଗୋଟିଏ ପରେ ଗୋଟିଏ କଥାକୁ ଆଡ଼େଇ ଆସିବା ପରେ ଏବେ ଯେଉଁ ଦୁଇଟି ସମ୍ପୂର୍ଣ୍ଣ ମୌଳିକ ଗାନ୍ଧୀତତ୍ତ୍ବ ରହିଲା ତାହା ହେଉଛି ନିଶା ନିବାରଣ ଓ ସତ୍ୟାଗ୍ରହ। ଗାନ୍ଧୀ ମହାତ୍ମାଙ୍କ ପୂର୍ବରୁ ‘‘ସତ୍ୟାଗ୍ରହ’’ କଥା ହିଁ ନ ଥିଲା, ସେମିତି ବି ନ ଥିଲା ‘‘ନିଶା ନିବାରଣ ପାଇଁ ସମୂହ ଡାକରା’’। ଅନେକଙ୍କୁ ଏ କଥା ହୁଏ’ତ ଆଶ୍ଚର୍ଯ୍ୟ ଲାଗିପାରେ। ଭାରତ ଇତିହାସରେ ନିଶାମୁକ୍ତି ଆନ୍ଦୋଳନର ଜନକ ଥିଲେ ଗାନ୍ଧୀ। ୧୯୨୧ର ଅସହଯୋଗ ଆନ୍ଦୋଳନରେ ଏକ ବଡ଼ କଡ଼ି ଥିଲା ନିଶାରୁ ମୁକ୍ତି ପାଇଁ ଉଦ୍ୟମ। ତାଙ୍କର ଘୋଷଣା ଥିଲା ଯେ ବିଦେଶୀ ଶାସନ ଜାତୀୟ ନିଶା ନିବାରଣ କ୍ଷେତ୍ରରେ ଏକ ପ୍ରଧାନ ଅନ୍ତରାୟ।

ଏକଦା ଚୀନ୍ ଭଳି ଏକ ବିଶାଳ ଭୂଖଣ୍ଡକୁ ଅଫିମ ନିଶା ଖୁଆଇ ଅବଦମିତ କରି ରଖାଯାଇଥିଲା। ଭାରତ ବି ସେମିତି କେବଳ ବିଦେଶୀ ଶାସନ କବଳରେ ପଡ଼ିଥିଲା ସେ କଥା ନୁହେଁ, ସାରା ଭାରତର ଅଧିକାଂଶ ଶିକ୍ଷିତ ଲୋକ ବିଲାତି ମଦ କବଳରେ ପଡ଼ିଥିଲେ। ଆଜି ବି ଭାରତରେ ସବୁଠୁ ମହଙ୍ଗା, ମହାର୍ଘ ଓ ମର୍ଯ୍ୟାଦାବନ୍ତ ପାନୀୟ ହେଉଛି ବିଲାତ ତିଆରି ସ୍କଟ୍‌ଲ୍ୟାଣ୍ଡ୍‌ରେ ପ୍ରସ୍ତୁତ ନାମୀ ବ୍ରାଣ୍ଡ୍‌ର ସିଙ୍ଗଲ୍ ମାଲ୍‌ଟ ହ୍ବିସ୍କି। କି ପ୍ରଭାବ ସେ ପାନୀୟର? ବଡ଼ ହାକିମଙ୍କ ପାଖରେ କାମଟି ହେଉନାହିଁ ତ? ଲୁଚେଇ ଗୋଟିଏ ଦାମୀ ବ୍ରାଣ୍ଡ୍‌ର ହ୍ବିସ୍କି ଉପହାର ଦେଇଦିଅ, ଦେଖିବ ତୁମ କାମ କେମିତି ଦୌଡ଼ିବ।

ଭାରତ ବିଲାତି ଶାସନରୁ ମୁକ୍ତ ହେଲା। ମାତ୍ର ବିଲାତି ମଦ୍ୟରୁ ନୁହେଁ। ସାରା ଭାରତରେ ସନ୍ଧ୍ୟା ପରେ ଯଦି କେଉଁ ଦୋକାନଗୁଡ଼ିକରେ ସବୁଠାରୁ ଅଧିକ ଭିଡ଼ ହୁଏ ବୋଲି ପଚରାଯାଏ ତେବେ ତାହା ବିଦେଶୀ ମଦର ଦୋକାନ। ନିଖିଳ ଭାରତରେ ଅଧିକାଂଶ ରାଜନେତା ଓ ହାକିମଙ୍କର ଶ୍ରଦ୍ଧାଶୀଳ-ପ୍ରାଣସ୍ଫୂର୍ତ୍ତିକାରୀ ପାନୀୟ କ’ଣ ପଚାରିଲେ ତାହା ହେଉଛି ବିଲାତି ପାନୀୟ। ଓଡ଼ିଶାରେ ମହାପ୍ରସାଦ ଛୁଇଁ ଶପଥ କରିଥିବା କଥା ହୁଏ’ତ ହୁଗୁଳା ହୋଇଯାଇପାରେ ମାତ୍ର ମଦ ବୋତଲ ଧରି ନେଇଥିବା ଶପଥ ନିଘନ ଆଉ ନିବିଡ଼; ପଥରରେ ଗାର।

ଆଜି ସାରା ଭାରତ ବିଲାତି ମଦ୍ୟର ଅଧୀନ।

ଅଥଚ ଟେମ୍ପରାନ୍‌ସ୍ ମୁଭ୍‌ମେଣ୍ଟ୍ ବା ମଦ ବିରୋଧୀ ଯେଉଁ ଆନ୍ଦୋଳନ ଅତୀତ ଭାରତରେ ମୁଣ୍ଡଟେକିଥିଲା ତା’ର ସୁବଠାରୁ ବଡ଼ ସମର୍ଥକ ଥିଲେ ନିଜେ ଗାନ୍ଧୀ ମହାତ୍ମା। ମଦରୁ ମୁକ୍ତି ନ ମିଳିଲେ ସ୍ବାଧୀନତା ଯେ ଅସମ୍ଭବ ଏ କଥା ସେ ବୁଝିଥିଲେ ଠିକ୍।

ଆଜି ନା ନିଶା ନିବାରଣ ପାଇଁ ଜନ ଆନ୍ଦୋଳନ ଅଛି, ନା ଅନ୍ୟାୟ ବି‌େରାଧରେ ଲଢ଼ିବା ପାଇଁ କିଏ ସତ୍ୟାଗ୍ରହ କରୁଛି। ଗାନ୍ଧୀଙ୍କର ଏ ଦୁଇ ମୌଳିକ ଚିନ୍ତାଧାରା ସମ୍ପ୍ରତି ବ୍ୟାଧିଗ୍ରସ୍ତ। ଗାନ୍ଧୀ ଅପ୍ରାସଙ୍ଗିକ। ଶହେପଚାଶତମ ଜନ୍ମ-ଜୟନ୍ତୀ ପାଳନ ଏକ ପ୍ରହସନ। ସ୍ବାଧୀନତା ପରେ ଆମେ ଯେଉଁ ସମ୍ବିଧାନ ଗଢ଼ିଲେ ସେଥିରେ ନିଶା ନିବାରଣ କଥା ଅବଶ୍ୟ ରହିଲା ମାତ୍ର ସେ ସାମ୍ବିଧାନିକ ଧାରା ପ୍ରଭାବହୀନ ଉପଦେଶ ଭଳି ରହିଲା। ରାଜ୍ୟ ପାଇଁ ନିର୍ଦ୍ଦେଶାବଳୀ ଭାବରେ ଧାରା ୪୭ରେ ତାହା କେବଳ ଆଖି ଠାର ପାଲଟିଲା। ଏବେ ସରକାରମାନେ କହୁଛନ୍ତି ଯେ ମଦ ଉପରୁ ଯେଉଁ ଟିକସ ମିଳୁଛି, ତା’କୁ ଛାଡ଼ିଦେଲେ ଆମେ ଶାସନ ଚଳାଇ ପାରିବୁ ନାହିଁ। ପ୍ରଶ୍ନ ହେଉଛି ସେତେବେଳେ ବି କ’ଣ ସେଇଆ ଥିଲା? କେତେ ଥିଲା ମଦ ଦୋକାନ? କେତେ ଉପଭୋକ୍ତା? କେତେ ମଦୁଆ? ଆମ ପିଲାମାନେ ତ ସମ୍ବିଧାନକୁ ଓ ୪୭ ଧାରାକୁ ଦେଖି ଭାବୁଥିବେ ସେତେବେଳେ ଦଳେ ମଦୁଆ ବୋଧେ ସମ୍ବିଧାନ କଲେ, ନ ହେଲେ ଗାନ୍ଧୀ, ଗାନ୍ଧୀ ହେଉଥିବା ଭାରତ ସାମ୍ବିଧାନିକ ଭାବେ ମଦକୁ ନିଷିଦ୍ଧ କଲା ନାହିଁ କାହିଁକି? ସମ୍ବିଧାନର ୪୭ ଧାରାଟି କହୁଛି- ‘‘ରାଜ୍ୟମାନେ ଲୋକଙ୍କ ଆହାର ପୁଷ୍ଟିର ସ୍ତର, ଜୀବନଯାତ୍ରାରେ ବିକାଶ ଓ ସର୍ବସାଧାରଣ ସ୍ବାସ୍ଥ୍ୟର ଉନ୍ନତି ନିଜର ପ୍ରାଥମିକ କର୍ତ୍ତବ୍ୟ ବୋଲି ମନେ କରିବେ ଏବ˚ ବିଶେଷ କରି ଔଷଧ ସମ୍ବନ୍ଧୀୟ ବ୍ୟବହାର ଛଡ଼ା ମଦ, ମାଦକ ଦ୍ରବ୍ୟ ଓ ସେ ସମ୍ପର୍କିତ ସମସ୍ତ ବ୍ୟବହାରକୁ ନିଷିଦ୍ଧ କରିବା ଲାଗି ପ୍ରୟାସ କରିବେ।’’ ମଜା କଥା ହେଲା ‘‘ରାଜ୍ୟନୀତି ନିର୍ଦ୍ଦେଶାବଳୀ’’ର ଅ˚ଶ ହୋଇଥିବାରୁ ଏହା କୌଣସି ନ୍ୟାୟାଳୟର ବିଚାର ସାପେକ୍ଷ ବି ନୁହେଁ।

ବାଃରେ ଦେଶ! ‘‘ତୁମ ସୁରକ୍ଷା ଦାୟିତ୍ବ ଆମର, ମାତ୍ର ତୁମକୁ ସୁରକ୍ଷା ଦେବାକୁ ଆମେ ବାଧୢ ନୋହୁଁ।’’ ‘‘ମଦ, ମାଦକ ଦ୍ରବ୍ୟ ନିଷିଦ୍ଧ କରାଯିବ ହେଲେ ଆମେ ତାହା କରିବାକୁ ଆଇନ କରିବୁ ନାହିଁ।’’

ଏଇଠି ଆସୁଛି ସତ୍ୟାଗ୍ରହର କଥା। ରାଷ୍ଟ୍ର ଯେତେବେଳେ ଜନକଲ୍ୟାଣ-ବିରୋଧୀ ହୁଏ ସେତେବେଳେ ଜନତାର କର୍ତ୍ତବ୍ୟ କ’ଣ? ହାତମଳି ବସି ରହିବା ନା ନ୍ୟାୟତଃ ତା’ର ବିରୋଧ କରିବା! ସତ୍ୟାଗ୍ରହ କରିବା!

ରାଷ୍ଟ୍ର ବା ସରକାର ରାଜସ୍ବ ବା କର ଆଦାୟ ମାଧୢମରେ ବଞ୍ଚେ। ସେଥିପାଇଁ ଅତୀତରେ ଲଜ୍ଜାଜନକ ତଥା ହାସ୍ୟୋଦ୍ଦୀପକ ନାନା ପ୍ରକାରର କର ସାରା ବିଶ୍ବରେ ସରକାରମାନେ ବସାଇଛନ୍ତି। ଦେଶମାନେ ପର୍ଯ୍ୟଟନ ଶିଳ୍ପ ନାମରେ କର ଆଦାୟ କରିବା ପାଇଁ କେତେକ ସ୍ଥଳରେ ବେଶ୍ୟାଳୟ ବି ଖୋଲିଛନ୍ତି। ୟା’ ବୋଲି ଆମେ କ’ଣ ଜନବିରୋଧୀ, ସ୍ବାସ୍ଥ୍ୟ ବିରୋଧୀ କାର୍ଯ୍ୟଗୁଡ଼ିକୁ ପ୍ରୋତ୍ସାହନ ଦେଇ ପଇସା ଆଦାୟ କରିବା?

ଆମ ଦେଶର ଜଳବାୟୁ, ସ˚ସ୍କୃତି, ସାମାଜିକ ପରମ୍ପରା ଓ ସାମ୍ବିଧାନିକ ମର୍ଯ୍ୟାଦା ଦିଗରୁ ମଦ ଜନସାଧାରଣରେ ନିଷିଦ୍ଧ ହେବା ଉଚିତ। ମଦର ଉପକାର ପଥର ଖଣ୍ତେ ହେଲେ ଅପକାର ପର୍ବତ ସଦୃଶ। ମଦ୍ୟପାନ ଜନିତ ମୃତ୍ୟୁର ଅନୁପାତ ଓ ତଦ୍‌ଜନିତ ଦୁର୍ଘଟଣା ସ˚ଖ୍ୟା କରୋନାକାଳୀନ ମୃତ୍ୟୁଠାରୁ କାହିଁ କେତେଗୁଣରେ ଅଧିକ। ଘରୋଇ ହି˚ସାଠାରୁ ଆରମ୍ଭ କରି ସାମାଜିକ ଜୀବନରେ ଏ ବିଲାତି-ଉଦକର ନରକୀୟ କାଣ୍ତ ସମ୍ପର୍କରେ ସମସ୍ତେ ପ୍ରାୟ ଅବହିତ। ତଥାପି ସିନେମାଗୁଡ଼ିକରେ ମଦକୁ ଅମୃତ ତୁଲ୍ୟ ବୋଲି ସୂଚାଇ ନାୟକମାନେ ଗୀତ ବୋଲନ୍ତି- ‘‘ତୁ ଧରାର ସବୁଠାରୁ ଲୋଭନୀୟ ବସ୍ତୁ। ତୁ ସ୍ବର୍ଗୀୟ ଲୋ ସ୍ବପ୍ନମୟୀ।’’

ସରକାର ନୂଆ ଶିକ୍ଷାନୀତି ପାଇଁ ଦେଶ ତମାମ ମତ ସ˚ଗ୍ରହ କରୁଛନ୍ତି। କଥା ରହୁ କି ନ ରହୁ ତା’ଉପରେ ତର୍କ ହେଉଛି। ଅଥଚ ସମାଜ ଓ ସ୍ବାସ୍ଥ୍ୟର ଅକଳନ୍ତି କ୍ଷତି ସାଧନ କରୁଥିବା ମଦ ନାମକ ଏ ପଦାର୍ଥଟିକୁ ମୋଟେ ଆଲୋଚନା ସ୍ତରକୁ ଆଣନ୍ତି ନାହିଁ। ବିଦେଶରେ ଗାନ୍ଧୀଙ୍କ ଅହି˚ସା ନୀତିରେ ଆମେ ସ୍ବାଧୀନତା ପାଇଛୁ ବୋଲି ଛାତି ଫୁଲାଇ କହୁ ମାତ୍ର ଗାନ୍ଧୀଙ୍କର ଯେ ମୌଳିକ ନୀତି ନିଶା ନିବାରଣ ସେ କଥାକୁ ନିତିପ୍ରତି କେମିତି ଆମେ ଗୋଇଠା ମାରି ଚାଲିଛୁ ତାହା କହୁନା। ଭାଗ୍ୟର କଥା ଯେ ବିହାର, ଗୁଜୁରାଟ, ମିଜୋରାମ୍‌ ଓ ନାଗାଲାଣ୍ତ୍‌ ଆଦି ନିଜ ରାଜ୍ୟମାନଙ୍କରେ ନିଶା ନିବାରଣ ଆଇନ ଲାଗୁ କରିଛନ୍ତି।

ଗୋଟାଏ ସଭ୍ୟତାର ପ୍ରଗତି କେବଳ ତା’ର କୋଠା ବାଡ଼ିରେ କି ବୈଷୟିକ ପ୍ରଗତିରେ ନ ଥାଏ। ଥାଏ ତା’ର ବିଚାରଗତ ଉତ୍କର୍ଷରେ। ସମସାମୟିକ କାଳରେ କେଉଁ ବିଚାରଗତ ଉତ୍କର୍ଷର ଅଧିକାରୀ ଭାରତ? ଗାନ୍ଧୀଜୀଙ୍କ ପରଶମଣି କଥା ଆଲୋଚନା ହେଉଛି। ଅସଲ ପରଶମଣି ତ ଅହି˚ସା। ମଦ ହିଁ ଅହି˚ସାର ପରମ ଶତ୍ରୁ। କାନ୍ଥବାଡ଼ରେ ଶୁଖିଲା ପରଶମଣି କଥା ଲେଖି ନିତି ସ˚ଜେ ମଦରେ ତଣ୍ଟି ଓଦା କରୁଥିବା ଲୋକଙ୍କ ସ˚ଖ୍ୟା ବଢ଼ାଇବାରେ ସରକାର ଏବେ ଆଗଭର।

ସରକାର ଅବାଟରେ ଗଲେ ଜନତା ତାଙ୍କୁ ବାଟକୁ ଆଣେ। ଏଇ ବାଟକୁ ଆଣିବା ଲାଗି ଗାନ୍ଧୀଜୀ ହିଁ ଆମକୁ ଦେଇଯାଇଛନ୍ତି ଏକ ଚମତ୍କାର ଅସ୍ତ୍ର- ‘‘ସତ୍ୟାଗ୍ରହ’’। ଏହା ଏଭଳି ଏକ ଅସ୍ତ୍ର ଯାହା ପକ୍ଷ ଓ ପ୍ରତିପକ୍ଷର କଲ୍ୟାଣ ସାଧନ କରେ। ସତ୍ୟାଗ୍ରହରେ ଗୋଟିଏ ବଡ଼ କଥା ଯେ ଲକ୍ଷ୍ୟଟି ଉଚିତ ହୋଇଥିବା ଆବଶ୍ୟକ। କେହି କ’ଣ କହିପାରିବେ, ଦେଶ ଓ ଦଶର କଲ୍ୟାଣ ପାଇଁ ନିଶା ନିବାରଣ ଏକ ଉଚିତ ଲକ୍ଷ୍ୟ ନୁହେଁ? ମଦ ଅଭ୍ୟାସରେ ଥିବା ଉପଭୋକ୍ତା ଓ ସରକାରଙ୍କର ଯୁକ୍ତି ଯେ ଆମେ ଏହା ଫଳରେ କଷ୍ଟ ଭୋଗିବୁ, କ୍ଷତି ସହିବୁ। କଷ୍ଟ ଭୋଗିବା ତ ସତ୍ୟାଗ୍ରହର ପ୍ରଥମ ଆବଶ୍ୟକତା! ଯିଏ ଏ ଅସ୍ତ୍ର ପ୍ରୟୋଗ କରିବେ ସେ ଯେମିତି କଷ୍ଟ ସହିବେ, ଯାହା ବିରୋଧରେ ଏହା କରାଯିବ ସେ ମଧୢ ସହିବେ। ଉଭୟ କଷ୍ଟ ହିଁ ଆତ୍ମାକୁ ପବିତ୍ର କରିବ। ବ୍ୟକ୍ତି ପବିତ୍ର ହେବ, ସରକାର ପବିତ୍ର ହେବେ। ମନେ ରଖିବା ଦରକାର ଯେ ବିଲାତି ଚଳଣି ଭିତରକୁ ଆସିବାର ଅନେକ ଆଗରୁ ଭାରତୀୟମାନେ ସମସ୍ତେ ଏ ପ୍ରଣାଳୀଟିକୁ ବୁଝିଥିଲେ ଓ ସେଇ ଅନୁସାରେ ଅଭ୍ୟାସ ଜାରି ରଖିଥିଲେ।

କହିବାର ଅଛି, ମଦ-ଅଭ୍ୟାସରେ ଥିବା ଜଣେ ମଦୁଆ ବି କ’ଣ ଅସ୍ବୀକାର କରିବେ ଯେ ଏହା ଏକ କୁ-ଅଭ୍ୟାସ। ସରକାର ବି କ’ଣ କହିବେ ଯେ ଏହା ଏକ ସୁ-ଅଭ୍ୟାସ। ଏଥିପାଇଁ ସତ୍ୟାଗ୍ରହ ଲୋଡ଼ା। କୁ-ଅଭ୍ୟାସ ବିରୋଧରେ ନିଷ୍କ୍ରିୟ ପ୍ରତିରୋଧ ନ ହେଲେ ଏହା ସମାଜରୁ ମୋଟେ ଯିବ ନାହିଁ। ବଞ୍ଚିବା ପାଇଁ ଏବେ ଆମେ ନିତି ତୁଣ୍ତିବାନ୍ଧି ବୁଲୁଛେ। ସମାଜକୁ ବଞ୍ଚେଇବା ଓ ନିଜେ ବଞ୍ଚିବା ପାଇଁ ମଦ ତୁଣ୍ତି ଭିଡ଼ିପାରିବା, ନାହିଁ କାହିଁକି? ଥରେ ଜନତା ମଦ ଖାଇବ ନାହିଁ ବୋଲି ସତ୍ୟାଗ୍ରହ କଲେ ଦେଖିବା କେଉଁ ଶକ୍ତି, କେଉଁ ସରକାର ତା’ଙ୍କ ମୁହଁରେ ଆଣି ମଦ ପୂରେଇଦେବ?

[email protected]

ସମ୍ବନ୍ଧିତ ଖବର