ଚାଲ, ଜୀବନର ଅର୍ଥ ଖୋଜିବା

ସରସ ରସ - ସୁଭାଷ ପଟ୍ଟନାୟକ

ଖାଲି ଥିଲେ ଭରି ଦିଅ, ଭରି ଯାଇଛି ଯଦି ଖାଲି କରିଦିଅ, ଯେଉଁଠି କୁଣ୍ଡେଇ ହେଉଛି, ସେ ଜାଗାକୁ ବସି କୁଣ୍ଡାଅ- ଇଏ ହେଉଛି ଜୀବନର ଅର୍ଥ। ଏ କଥା ପରିହାସରେ କହିଥିଲେ ବର୍ଣ୍ଣାର୍ଡ ସ’। ପ୍ରକୃତରେ ଜୀବନର କିଛି ଅର୍ଥ ଅଛି କି ନାହିଁ ତାକୁ ନେଇ ମୁଖ୍ୟତଃ ତିନିଟି ଯୁକ୍ତି କରାଯାଇପାରେ। ଗୋଟିଏ ଯୁକ୍ତି ହେଉଛି, ଜୀବନ ସଂପୂର୍ଣ୍ଣ ଅର୍ଥହୀନ। ଦ୍ବିତୀୟଟି ହେଲା, ଥରେ ଜୀବନର ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଗଲେ ଜୀବନ ଅର୍ଥପୂର୍ଣ୍ଣ ହୋଇଯାଏ। ଯେହେତୁ ଜୀବନର ଲକ୍ଷ୍ୟ ଅଛି, ତେଣୁ ଅର୍ଥ ବି ଅଛି। ତୃତୀୟ ଯୁକ୍ତିଟି ହେଲା ଜୀବନର ଅର୍ଥ କିଛି ଥାଉ ବା ନ ଥାଉ; ଜୀବନ ଯେହେତୁ ସତ୍ୟ, ତାକୁ ବିନା ପରୀକ୍ଷଣରେ ଜିଇବା ଅନୁଚିତ। ଆମେ ଏଇ ତିନିଟି ସିଦ୍ଧାନ୍ତକୁ ଏଠାରେ ଆଲୋଚନା କରିବା।

ପ୍ରାଚୀନ କାଳରେ ଜୀବନର ଅର୍ଥ ଓ ଲକ୍ଷ୍ୟ ଥିଲା ପ୍ରାରବ୍‌ଧ କର୍ମର ଆଧାରରେ ଜିଇବା। ପୂର୍ବ ଜନ୍ମର ଋଣ ପରିଶୋଧ କରିବାକୁ ମନୁଷ୍ୟ ଜନ୍ମ ନିଏ। ଧର୍ମ, ଅର୍ଥ ଓ କାମନାର ପରିପୂର୍ତ୍ତି ଆଧାରରେ ଯଦି ଋଣ ପରିଶୋଧ କରିପାରିଲା, ତେବେ ଚତୁର୍ଥ ଲକ୍ଷ୍ୟ ମୋକ୍ଷକୁ ପ୍ରାପ୍ତ ହୋଇଥାଏ। ଧର୍ମ ବିଶ୍ବାସର ଅବକ୍ଷୟ ହେବା ପରେ ଜୀବନର ଏ ଅର୍ଥ ଓ ଉଦ୍ଦେଶ୍ୟ ବଦଳିବାରେ ଲାଗିଲା ଓ ଯେହେତୁ ମନୁଷ୍ୟର ଅସ୍ତିତ୍ବ ସତ୍ୟ; ଜୀବନକୁ ମନୁଷ୍ୟ ଅର୍ଥପୂର୍ଣ୍ଣ ବୋଲି ଧରିନେଲା। କୁହାଗଲା ଯେ, ଜୀବନର ଲକ୍ଷ୍ୟ ହେଉଛି ଗୋଟିଏ ଉଦ୍ଦେଶ୍ୟପୂର୍ଣ୍ଣ ଜୀବନ ଜିଇବା। ଆଲବର୍ଟ କାମ୍ୟୁଙ୍କ କହିବା ପରି ଅନେକ ବିରୋଧାଭାସରେ ପରିପୂର୍ଣ୍ଣ ମନୁଷ୍ୟର ଜୀବନ ହେଉଛି ଅର୍ଥହୀନ। ଜୀବନକୁ ଠିକରେ ଜିଇବାକୁ ହେଲେ ଏ ବିରୋଧାଭାସଗୁଡ଼ିକ ଅତିକ୍ରମ କରିବାକୁ ହେବ। ଅସ୍ତିତ୍ବର କିଛି ଅର୍ଥ ନାହିଁ; ଏ କଥା ମାନିନେଲେ ତାହା ସମ୍ଭବ ହେବ। ଏଥି ଲାଗି ସେ ରାଜା ସିସିଫସଙ୍କ ଉଦାହରଣ ଦେଇଥିଲେ। ସିସିଫସଙ୍କୁ ଦଣ୍ଡ ଦିଆଯାଇଥିଲା ଯେ ଗୋଟିଏ ବିରାଟକାୟ ପଥରକୁ ଠେଲି ଠେଲି ପାହାଡ଼ର ଶିଖରକୁ ଉଠାଇବେ। ଶିଖରରେ ପହଞ୍ଚିବା ପୂର୍ବରୁ ପଥରଟି ତଳକୁ ଗଡ଼ିଆସୁଥିଲା ଓ ସିସିଫସ ପୁଣି ତାକୁ ଉପରକୁ ଉଠାଉଥିଲେ। ଜୀବନ ତାଙ୍କର ଏହି କାର୍ଯ୍ୟରେ ବିତି ଗଲା। ମନୁଷ୍ୟର ଜୀବନ ଠିକ୍ ସିସିଫସଙ୍କ କାର୍ଯ୍ୟ ପରି ଅର୍ଥହୀନ। ଦୁଇ ଖଣ୍ଡ କାଠିକୁ ଗୋଟିଏ ଉପରେ ଅନ୍ୟଟି ଛକି ପକାଇ ରଖି ଦିଅନ୍ତୁ। ଜଣେ ଖ୍ରୀଷ୍ଟିଆନ ଏହାକୁ କହିବେ ‘କ୍ରସ୍‌’ ଚିହ୍ନ। ଜଣେ ଚିକିତ୍ସକଙ୍କ ପାଇଁ ତାହା ରେଡ୍‌କ୍ରସ। ଜଣେ ଗଣିତଜ୍ଞଙ୍କ ଦୃଷ୍ଟିରେ ତାହା ହୋଇଯିବ ଯୋଗ ଚିହ୍ନ। ମନୁଷ୍ୟ ନିଜ ଦୃଷ୍ଟିକୋଣରୁ କାଠି ଦୁଇଖଣ୍ଡକୁ ଯେଉଁ ଅର୍ଥ ଦେଲା, ତାହା ସେହି ଅର୍ଥ ବହନ କଲା। ଜୀବନ ଠିକ୍ ସେହିପରି।

ଏବେ ଜୀବନଟା କିପରି ଅର୍ଥପୂର୍ଣ୍ଣ; ଏ ଦ୍ୱିତୀୟ ଯୁକ୍ତିଟି ବିଶ୍ଳେଷଣ କରିବା। ଏ ଯୁକ୍ତିର ସମର୍ଥକମାନେ କୁହନ୍ତି, ଲକ୍ଷ୍ୟ ସ୍ଥଳ ନ ଥିଲେ ଯାତ୍ରା ଯେପରି ନିଷ୍ଫଳ, ଲକ୍ଷ୍ୟ କିଛି ନ ଥିଲେ ଜୀବନ ଅକାରଣ। ଯେତେବେଳେ ଜଣେ ତା’ର ଜୀବନର ଉଦ୍ଦେଶ୍ୟ ନିର୍ଦ୍ଧାରଣ କରିପାରିବ, ସେତେବେଳେ ତା’ ପାଇଁ ଜୀବନ ଯାତ୍ରା ଅର୍ଥ ପୂର୍ଣ୍ଣ ହେବ। ଉଦ୍ଦେଶ୍ୟ ନିରୂପଣ ହୋଇଗଲେ ଜୀବନର ଗତି ସହଜ ହୋଇଥାଏ। ତେଣୁ ଜୀବନର ଏକ ନିର୍ଦ୍ଦିଷ୍ଟ ଅର୍ଥ ଅଛି। ଜୀବନର ଦିଗ ନିର୍ଣ୍ଣୟ ଅସ୍ତିତ୍ବର ସବୁଠାରୁ କଠିନ କାର୍ଯ୍ୟ ଓ ତାହା ହିଁ ତା’ର ଏକମାତ୍ର ଅର୍ଥ। ଅସ୍ତିତ୍ବର ଅର୍ଥ କେବଳ ବଞ୍ଚି ରହିବା ନୁହେଁ, ବରଂ ମନୁଷ୍ୟ କାହିଁକି ବଞ୍ଚିଛି, ତା’ର କାରଣ ଖୋଜିବା।

ତୃତୀୟ ଯୁକ୍ତିଟିର ପୁରୋଭାଗରେ ଅଛନ୍ତି ଦାର୍ଶନିକ ସକ୍ରେଟିସ୍। ତାଙ୍କର କହିବା କଥା ହେଉଛି, ଜୀବନର ଅର୍ଥ ଓ ଉଦ୍ଦେଶ୍ୟ ଥାଉ ବା ନ ଥାଉ, ପରୀକ୍ଷିତ ନ ହୋଇଥିବା ଜୀବନ ଜିଇବା ଅର୍ଥହୀନ। ତାଙ୍କ ଉକ୍ତିର ଅର୍ଥ ହେଉଛି, ଅସ୍ତିତ୍ବର ଅର୍ଥ ଓ ଉଦ୍ଦେଶ୍ୟ ନ ଜାଣି ଜିଇବାର ମାନେ କିଛି ନାହିଁ। କେବଳ ଦୈନନ୍ଦିନ ଜୀବନ ବିତାଇବାରେ ନିଜକୁ ସୀମିତ ରଖିଲେ ଜୀବନ ପଶୁତୁଲ୍ୟ ହେବ। ଜୀବନକୁ ଠିକରେ ବୁଝି ତା’ର ଏକ ଉଦ୍ଦେଶ୍ୟ ନିରୂପଣ କରିପାରିବାର କ୍ଷମତା ଅଛି ବୋଲି ଆମେ ପଶୁ ନୁହନ୍ତି, ମନୁଷ୍ୟ। ଆତ୍ମ ସମୀକ୍ଷା କରିବାର କ୍ଷମତା କେବଳ ମନୁଷ୍ୟର ହିଁ ଅଛି। ମହାଭାରତ ଯୁଦ୍ଧରେ ପାଣ୍ଡବ ଭାଇମାନେ ବିନା ବିଚାରରେ ଯୁଦ୍ଧ ଲଢ଼ିବା ପାଇଁ ପ୍ରସ୍ତୁତ ହୋଇଗଲେ। ମାତ୍ର ଅର୍ଜୁନ ପ୍ରଥମେ ଆତ୍ମ ସମୀକ୍ଷା କରି ପରିଶେଷରେ ଯୁଦ୍ଧ ପାଇଁ ରାଜି ହେଲେ। କାରଣ ସେ ଜାଣିଥିଲେ ଯେ ଅପରୀକ୍ଷିତ କାର୍ଯ୍ୟଗୁଡ଼ିଏ କରି ଜୀବନ ଜିଇବା ସହଜ ନୁହେଁ। ଆମେ ଜୀବନ ଠାରୁ କ’ଣ ଆଶା କରିବା ଉଚିତ, ସେ କଥା ଚିନ୍ତା ନ କରି ଜୀବନ ଆମ ଠାରୁ କ’ଣ ଆଶା କରେ, ତାହା ବୁଝି ପାରିଲେ ଜୀବନର ଅର୍ଥ ଆପେ ଆପେ ବୁଝି ହୋଇଯିବ।

ଜଣେ ବ୍ୟକ୍ତି ନିଜ ପୁଅକୁ ଏକ ଦୂର ସ୍ଥାନର ଠିକଣା ଦେଇ କହିଲେ, ସେଠି ପହଞ୍ଚି ଏକ ବରଗଛ ମୂଳ ଖୋଳିଲେ ସୁନା ଭର୍ତ୍ତି ମାଠିଆଟିଏ ମିଳିବ। ତାକୁ ଯାଇ ନେଇ ଆସ। ନିର୍ଦ୍ଦେଶ ମୁତାବକ ପୁଅ ତତ୍ପର ହୋଇ ଯାତ୍ରା ଆରମ୍ଭ କଲା। ବିଳମ୍ବ ହେଲେ କାଳେ ସୁନା ଆଉ କିଏ ନେଇଯିବ, ସେଥିପାଇଁ ବାଟରେ ନ ଅଟକି ସିଧାଯାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଲା। ନିର୍ଦ୍ଦିଷ୍ଟ ସ୍ଥାନଟି ଅନେକ ଖୋଳାଖୋଳି କଲେ ମଧ୍ୟ ସୁନା ପାଇଲାନି। ନିରାଶ ହୋଇ ଫେରିବା ରାସ୍ତାରେ ଗାଁମାନଙ୍କରେ ଅଟକି ଲୋକଙ୍କ ସହ ମିଶିଲା। ନୃତ୍ୟ ଗୀତରେ ସାମିଲ ହେଲା, ନଦୀରେ ପଶି ମାଛ ଧରିଲା, ପିଲାମାନଙ୍କ ସହିତ ଖେଳିଲା, ରାତିରେ ଗାଁ ଦାଣ୍ଡରେ ତାମ୍‌ସା ଦେଖିଲା। ଘରେ ପହଞ୍ଚିବା ପରେ ବାପା କହିଲେ ସୁନା ନ ଥିବା କଥା ତ ମୁଁ ଜାଣେ; ତୋର ଯାତ୍ରା କିପରି ରହିଲା କହ। ପୁଅ କହିଲା, ସୁନା ମାଠିଆ ମୋର ଏକ ମାତ୍ର ଲକ୍ଷ୍ୟ ଥିଲା। ତେଣୁ ଯିବା ସମୟଟା କଠିନ ଓ ଉତ୍ତେଜନାପୂର୍ଣ୍ଣ ଲାଗିଲା। ଫେରିବା ସମୟଟିକୁ କିନ୍ତୁ ଖୁବ୍ ଉପଭୋଗ କଲି। ବାପା ହସି ଦେଇ କହିଲେ: ଜୀବନରେ କିଛି ଲକ୍ଷ୍ୟ ନ ରଖି ଜୀବନର ଅର୍ଥ ଓ ଉଦ୍ଦେଶ୍ୟ ନ ଖୋଜି ବଞ୍ଚିଲେ ପ୍ରକୃତ ସୁଖ ମିଳେ। ଯିବା ବେଳ ଓ ଫେରିବା ବେଳର ଯାତ୍ରା ଭିତରେ ସେତିକି ଫରକ।

ପ୍ରକୃତରେ ଜୀବନ ଆମର ଅର୍ଥହୀନ। କେବଳ ମନୁଷ୍ୟ ହୋଇଥିବାରୁ ଆମେ ତା’ ସହିତ ଗୋଟିଏ ଅର୍ଥ ଓ ଉଦ୍ଦେଶ୍ୟ ଯୋଡ଼ି ଦେଇଥାଉ; ଯାହା ଫଳରେ କି ନିଜ ଅସ୍ତିତ୍ବର ଆମେ ଔଚିତ୍ୟ ଦର୍ଶାଇ ପାରିବା। ସତ କଥା ହେଉଛି, ଜୀବନର ଅର୍ଥ ଖୋଜି ବସିଲେ ବଞ୍ଚିବା ଅସମ୍ଭବ। ଆମେ କିନ୍ତୁ କବି ଫନୀ ବଦାୟୁନିଙ୍କ ସହିତ ଏକ ମତ: ‘ହର୍ ନଫସ୍ ଉମର୍-ଇ-ଗୁଜିସ୍ତା କି’ ହୈ ମୟାତ ଫନୀ! ଜିନ୍ଦେଗୀ ନାମ ହୈ ମର୍ ମରକେ ଜିୟେ ଯାନେକା।’
ଅର୍ଥାତ୍‌ ପ୍ରତ୍ୟେକ ନିଃଶ୍ୱାସ ତୋର ଅତୀତର ଏକ ଏକ ମୁର୍ଦାରରେ ଫନୀ! ଜୀବନର ଅର୍ଥ ହେଉଛି ମରି ମରି ବଞ୍ଚି ରହିବା।

ମୋ: ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର