ଦେଶଦ୍ରୋହୀମାନଙ୍କର ଦେଶ

କୁମାର ପ୍ରଶାନ୍ତ

ପେଗାସସ୍ ଗୁଇନ୍ଦାଗିରି ମାମଲାରେ କିଏ କେଉଁ ପକ୍ଷରେ ଅଛି, ତାହା କେବେ ଜଣାପଡ଼ିବ, ତାହା ଏଯାଏ ସ୍ପଷ୍ଟ ହୋଇନି। ମାତ୍ର ଏକଥା ନିଶ୍ଚିତ ଯେ ଦେଶର କୋଣ ଅନୁକୋଣରେ ଦେଶଦ୍ରୋହୀମାନେ ଜାଗା ମାଡ଼ି ରହିଛନ୍ତି। ଯଦି ସରକାର ଜାଣିନାହାନ୍ତି, ତେବେ କେହି ଜଣେ ବିଦେଶୀ ଶକ୍ତି ସହଯୋଗରେ ଦେଶଦ୍ରୋହୀମାନଙ୍କର ଗୁମର ଖୋଲିବାରେ ଲାଗିଛି, ମାତ୍ର ସରକାରଙ୍କ ଅଜ୍ଞାତସାରରେ ଯଦି କେହି ଏପରି କରିପାରୁଛି, ତେବେ ଦେଶର ସବୁ କାମ ଏହି ପରି ହୋଇପାରିବାର ବିପଦ ରହିଛି।

ଦୁଇଶହରୁ ଅଧିକ ବର୍ଷ କାଳ ଆମ ଉପରେ ବଳପୂର୍ବକ ଶାସନ ଚଳାଇଥିବା ଇଂରେଜମାନେ ଯେତିକି ଦେଶଦ୍ରୋହୀ ଖୋଜି ପାଇନଥିଲେ, କେବଳ ଏଇ ସାତ ବର୍ଷରେ ଆମେ ତା’ଠୁ ଅଧିକ ଦେଶଦ୍ରୋହୀ ସୃଷ୍ଟି କରି ପାରିଛନ୍ତି। ତେବେ ଆତଙ୍କିତ ହେବାର ବିଷୟ, ଏବେ ଦେଶରେ ଅଧିକ ଦେଶଦ୍ରୋହୀ ନା ଦେଶଭକ୍ତ ଅଛନ୍ତି! ଏଇ ମାଟି ଦେଶଦ୍ରୋହୀମାନଙ୍କର ଦେଶ ହୋଇଯାଇନି ତ? ପୁଣି ମନରେ ଏକଥା ବି ଉଠୁଛି, ଯେଉଁ ସରକାରକୁ ସମାଜ ସନ୍ଦେହ ଦୃଷ୍ଟିରେ ଦେଖୁଛି; ତା’କୁ ଯଦି ବଦଳେଇ ପାରୁଛି, ତେବେ ଯୋଉ ସମାଜକୁ ସରକାର ସନ୍ଦେହ କରୁଛନ୍ତି ତାହାର କ’ଣ କରିବେ? ତାହାର ସାଦାସିଧା ଉତ୍ତର ହେଉଛି ସରକାରଙ୍କୁ ମଧ୍ୟ ସେଭଳି ସମାଜକୁ ବଦଳେଇ ଦେବା ଦରକାର। ଜନସାଧାରଣ ଯେପରି ନୂଆ ସରକାର ବାଛିଥା’ନ୍ତି, ସରକାରଙ୍କୁ ମଧ୍ୟ ନୂଆ ଜନସମର୍ଥନ ପସନ୍ଦ କରିବା ଜରୁରୀ।

ଦେଶଦ୍ରୋହର ଏହି ପ୍ରଶ୍ନ ଆମ ସର୍ବୋଚ୍ଚ ନ୍ୟାୟାଳୟକୁ ମଧ୍ୟ ବିବ୍ରତ କରି ପକାଉଛି। ସରକାର ନୁହେଁ, ବରଂ ସାଧାରଣ ଜନତା ହିଁ ସବୁ କିଛି ବୋଲି ସମ୍ବିଧାନରେ ଆମେ ସ୍ବୀକାର କରିଛନ୍ତି। ଜନତା ଜନାର୍ଦ୍ଦନ ଦ୍ବାରା ଗଢ଼ା ଯାଇଥିବା ସରକାର ଅତି ବେଶିରେ ପାଞ୍ଚ ବର୍ଷ ଯାଏ ରହିପାରିବେ। ସେମାନଙ୍କୁ ଏପରି ସାମ୍ବିଧାନିକ ଦାୟିତ୍ବ ଅର୍ପଣ କରାଯାଇଛି, ଯଦ୍ଦ୍ବାରା ସେମାନେ ନିଜ କାମ ଏପରି କରିବେ ଯେଉଁଥିରେ ଜନତା ଜନାର୍ଦ୍ଦନର ସମୃଦ୍ଧି ଘଟିବା ସହ ନିଜେ ମଧ୍ୟ ଆଗକୁ ବଢ଼ିବେ। ଏଥି ସହିତ ଆମେ ନ୍ୟାୟପାଳିକା ମଧ୍ୟ ପ୍ରଣୟନ କରିଛନ୍ତି। ଯେଉଁଠି ଓ ଯେବେ ସରକାର ନିଜକୁ ଜନାର୍ଦ୍ଦନ ବୋଲି ବିଚାରିବେ, ସେଠି ନ୍ୟାୟପାଳିକା ଅମ୍ପାୟାର ଭାବେ ଛିଡ଼ା ହେବ। ନ୍ୟାୟପାଳିକାକୁ ମଧ୍ୟ ଏହି ଉତ୍ତରଦାୟିତ୍ବ ଦିଆଯାଇଛି, ସେ ଜନତା ଓ ସରକାର ମଧ୍ୟରେ ସଂଘଟିତ ପ୍ରତିଟି ଖେଳ, ନିୟମର ସହ ଚାଲିଛି ନା ନାହିଁ, ତାହା ତଦାରଖ କରିବ। ଖେଳର ନିୟମ କ’ଣ ରହିବ, ସେଥିପାଇଁ ସମ୍ବିଧାନ ନାମରେ ଏକ ପୁସ୍ତକ ମଧ୍ୟ ପ୍ରସ୍ତୁତ କରାଯାଇଛି। ସମ୍ବିଧାନର ପୃଷ୍ଠା ପରେ ପୃଷ୍ଠା ଓଲଟି ଚାଲିଛି ଏବଂ ନ୍ୟାୟପାଳିକା କେତେବେଳେ ଏ ପକ୍ଷରେ ତ କେତେବେଳେ ସେ ପକ୍ଷରେ ସିଟି ବଜାଇ ଚାଲିଛନ୍ତି। ମାତ୍ର ଏହି ଭୂମିକାରେ ସେ ଦୁର୍ବଳ ହୋଇଯାଇଛି। ତା’ ସାମନାରେ ଖେଳର ନିୟମକୁ କେବେ ସିନା ଉଲ୍ଲଂଘନ କରାଯାଉନି, ମାତ୍ର ସମୟ ସୁବିଧା ଦେଖି ସେଥିରେ ପରିବର୍ତ୍ତନ ଅଣାଯାଇପାରୁଛି। ଆଉ ଏଭଳି ପରିବର୍ତ୍ତନ ଦ୍ବାରା ଖେଳ ମଧ୍ୟ ବଦଳିଯାଉଛି। ଲୋକତନ୍ତ୍ର ଗଢ଼ିବାର ଥିଲା, ଏବେ ତାହା ‘ତନ୍ତ୍ରଲୋକ’ ପାଲଟିଗଲା।

ଆମ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍. ଭି. ରମଣ ନିକଟରେ ଏଭଳି ଏକ ପ୍ରଶ୍ନ ଛିଡ଼ା କରାଇଛନ୍ତି କି, ସ୍ବାଧୀନତାର ୭୦ ବର୍ଷ ପରେ ମଧ୍ୟ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୨୪(କ) ତଥାପି କାଏମ୍ ରହିବାର ଯଥାର୍ଥତା କ’ଣ? ୧୮୭୦ ମସିହାରେ ସେହି ଧାରାକୁ ଦଣ୍ଡବିଧି ଆଇନରେ ତତ୍କାଳୀନ ଔପନିବେଶିକ ଶକ୍ତି ସାମିଲ କରିଥିଲେ, ଯିଏ କି ଭାରତୀୟ ନ ଥିଲେ କି ଲୋକତାନ୍ତ୍ରିକ ନ ଥିଲେ। ଭାରତର ଲୋକତାନ୍ତ୍ରିକ ଆକାଂକ୍ଷାକୁ ପଦାନତ କରିବାର ଏକମାତ୍ର ଉଦ୍ଦେଶ୍ୟରେ ପ୍ରଣୀତ ଏହି ଧାରା ସମସ୍ତଙ୍କୁ ଦେଶଦ୍ରୋହୀ କରି ଆସିଛି। ଦେଶଭକ୍ତି ଓ ଲୋକତନ୍ତ୍ରର ମନ୍ତ୍ର ଶିଖିଛି ବୋଲି ଯିଏ କହିଲା, ତା’କୁ ବନ୍ଦୀଶାଳା କି କଳାପାଣି ଯିବାକୁ ପଡ଼ିଲା। ଅବଶ୍ୟ ଯେତେବେଳେ ଆମ ପାଖରେ ସ୍ବାଧୀନତା ନ ଥିଲା, ଲୋକତନ୍ତ୍ର ନ ଥିଲା କି ସମ୍ବିଧାନ ନ ଥିଲା, ସେତେବେଳେ ଏପରି ଘଟି ଚାଲିଥିଲା। ଏବେ ଆମ ପାଖରେ ଏ ସବୁ ଥାଇ ସୁଦ୍ଧା ନ୍ୟାୟପାଳିକାମାନେ କେତେକ ସମୟରେ ଠିକ୍‌ରେ ଅମ୍ପାୟାର ଭୂମିକା ନିର୍ବାହ ନ କରି ଶାସନ କ୍ଷମତାରେ ଥିବା ଦଳ ସପକ୍ଷରେ ଖେଳିବାରେ ଲାଗିଛନ୍ତି। ଧାରା ୧୨୪(କ)ର ଚରିତ୍ର କେବଳ ରାକ୍ଷସ ପରି ନୁହେଁ, ଏହାର ଅଧିକାର କ୍ଷେତ୍ର ମଧ୍ୟ ଏପରି ଦାନବୀୟ ଯେ ତାହା ଆଢୁଆଳରେ ପୁଲିସ୍‌ର ଅଧସ୍ତନ ଅଧିକାରୀଟିଏ ମଧ୍ୟ ଯଥେଚ୍ଛା‌ଚାର କରି ଆସିଛି। ଗୋରା ସାହେବମାନଙ୍କର ବରଦାନରେ ଖାକିଧାରୀ କଳା ସାହେବମାନେ ସ୍ବାଧୀନତା ସଂଗ୍ରାମୀମାନଙ୍କ ସହ ଅତି ଯଥେଚ୍ଛାଚାରୀ ଆଚରଣ ଦେଖାଇଥିଲେ।

୧୯୬୨ ମସିହାରେ ୧୨୪(କ) ବୈଧତା ସମ୍ପର୍କରେ ଅଦାଲତରେ ପ୍ରଶ୍ନ ଉଠିଥିଲା। ତେବେ ଅଦାଲତ ନା ତାହାର ପୃଷ୍ଠଭୂମି ତନଖି ଥିଲେ ନା ଲୋକତାନ୍ତ୍ରିକ ବୈଧାନିକତାର କଷଟି ପଥରରେ ତାହାକୁ ପରଖି ଥିଲେ, ବରଂ ବିଚାରପତିଙ୍କ ଖଣ୍ଡପୀଠ ରାୟ ଦେଲେ କି କେବଳ ସାମାଜିକ ଅସନ୍ତୋଷ ସୃଷ୍ଟିକାରୀ ଅପରାଧୀମାନଙ୍କ ବିରୋଧରେ ଏହି ଆଇନ ଲାଗୁ ହେବ। ପ୍ରକୃତରେ ବିଚାରପତିମାନଙ୍କର ବାସ୍ତବ ଚିତ୍ର ସମ୍ପର୍କରେ କେତେ କମ୍ ଧାରଣା ଥିଲା! ‘ସାମାଜିକ ଅସନ୍ତୋଷ ପ୍ରଜ୍ବଳିତ କରିବା’ ଏପରି ଏକ ପ୍ରସଙ୍ଗ ଯେଉଁଥିରେ ଯେ କୌଣସି ବ୍ୟକ୍ତି ଫସିବା ବା ଯେ କୌଣସି ବ୍ୟକ୍ତିକୁ ଫସାଇବା ଅତି ସହଜ। ଏ ପରିପ୍ରେକ୍ଷୀରେ କୌଣସି କୁଟିଳ ବ୍ୟକ୍ତି ଚାହିଲେ ଜଷ୍ଟିସ ରମଣଙ୍କୁ ମଧ୍ୟ ଅସନ୍ତୋଷ ପ୍ରଜ୍ବଳନକାରୀ ଭାବେ ପ୍ରମାଣିତ କରିଦେଇପାରେ।

ଜରୁରୀକାଳୀନ ପରିସ୍ଥିତି ବେଳର ସମଗ୍ର ସମୟ ନ୍ୟାୟପାଳିକା ପାଇଁ କାଳିମାମୟ ହୋଇ ରହିଯାଇଛି। ୧୯୭୬ ମସିହାର ହବିଅସ୍ କର୍ପସ୍ ମାମଲାରେ ନାଗରିକମାନଙ୍କ ଜିଇବାର ଅଧିକାର ଉପରେ ମଧ୍ୟ ରାଜ୍ୟ ହସ୍ତକ୍ଷେପ କରିପାରିବ ବୋଲି ଅଦାଲତ ଯେପରି ଆଖି ପିଛୁଳାକେ ରାୟ ଦେଇଥିଲେ, ତାହା କେବଳ ସମ୍ବିଧାନ ପ୍ରତି ଅପମାନ ନ ଥିଲା, ବୈଚାରିକ ଭୀରୁତାର ଚରମ ନିଦର୍ଶନ ମଧ୍ୟ ଥିଲା। ନାଗରିକମାନଙ୍କର କଣ୍ଠରୋଧ କରୁଥିବା ଏନ୍ଏସ୍ଏ ପରି ଭୟଙ୍କର ଆଇନ ୧୯୭୭ ମସିହାରେ ମିଳିଥିବା ଦ୍ବିତୀୟ ସ୍ବାଧୀନତା ପରେ ପରେ ୧୯୮୦ ମସିହାରେ ପାରିତ ହୋଇଥିଲା। ୧୯୯୪ ମସିହାରେ ଶାସନକଳ ଆଉ ପାଦେ ଆଗେଇ ଯାଇ ଟାଡା ଆଇନ ଖଞ୍ଜି ଦେଲା। ୧୯୯୬ ମସିହାରେ ଆହୁରି ଆଗକୁ ମାଡ଼ିଯାଇ ସଶସ୍ତ୍ର ସେନା ବିଶେଷ ଅଧିକାର ଆଇନ ଗଢ଼ା ହେଲା। ସେହିପରି ୨୦୦୪ରେ ଆଉ ପାଦେ ଆଗେଇ ପୋଟା ଆସିଲା। ଏଥିରେ ଏମିତି ରାସ୍ତା ସଫା ହେଲା ଯେଉଁଥିରେ ୟୁପିଏ ସରକାର ନାଗରିକମାନଙ୍କର ତଣ୍ଟି ଯାଏ ପହଞ୍ଚିଗଲା। ଏ ସମସ୍ତ ଆଇନ କ୍ଷମତାର ଭୀରୁ ଚରିତ୍ର ଓ ନ୍ୟାୟପାଳିକାଙ୍କ ଓଟପକ୍ଷୀ ସଦୃଶ ଆଚରଣର ଲଜ୍ଜାଜନକ ଉଦାହରଣ ପ୍ରଦାନ କରୁଛି।

ନ୍ୟାୟପାଳିକାର ଚରିତ୍ରକୁ ରେଖାଙ୍କିତ କରି ଗାନ୍ଧୀଜୀ କହିଥିଲେ, ଯେବେ ବି ରାଜ୍ୟରେ ଅନାଚାରକୁ ମୁକାବିଲା କରିବାର ସମୟ ଆସିବ, ସେତେବେଳେ ନ୍ୟାୟପାଳିକା ହିଁ ଯଥାସମ୍ଭବ ଦୃଢ଼ତାର ସହ ସାଥିରେ ଛିଡ଼ା ହୋଇଥିବ। ସେତେବେଳେ ଆମେ ସରଳ ମନରେ ବୁଝିଥିଲୁ କି ଗାନ୍ଧୀଜୀ ବିଦେଶୀ ନ୍ୟାୟପାଳିକା ସମ୍ପର୍କରେ କହୁଛନ୍ତି, ମାତ୍ର ତାହା ଦେଶୀ-ବିଦେଶୀ ନ ଥିଲା, ବରଂ ଶାସନ ଏବଂ ତାହାର କୃପା ଦୃଷ୍ଟିକୁ ଅପେକ୍ଷା କରୁଥିବା ସମସ୍ତ ସଂରଚନା ବିଷୟରେ ସେ କହିଥିଲେ। ରାଷ୍ଟ୍ରଦ୍ରୋହ ଓ ରାଜଦ୍ରୋହ ଭିତରେ ଭୀଷଣ ମୌଳିକ ଫରକ ରହିଛି। ମହାତ୍ମା ଗାନ୍ଧୀ ଖୋଲାଖୋଲି ଘୋଷଣା କରିଥିଲେ କି, ସେ ଶାସନ କଳର କଠୋର ଶତ୍ରୁ, କାରଣ ସେ ରାଷ୍ଟ୍ରର ଦମ୍ଭକୁ ଭାଙ୍ଗି ଭୀରୁ ଭିଡ଼ରେ ପରିଣତ ହେବାକୁ ଚାହାନ୍ତି ନାହିଁ।
ଶାସନକଳ ପାଇଁ ଅସହମତି ହିଁ ସବୁଠୁ ଅଧିକ ଭୟ ଆଣିଥାଏ। ସେହି କାରଣରୁ ଶାସକ ପାଇଁ ଅସହମତି ହିଁ ପ୍ରଥମେ ବିଦ୍ରୋହ ଘୋଷଣା କରିଥାଏ। ମାତ୍ର ବିଡ଼ମ୍ବନାର ବିଷୟ, ଲୋକତନ୍ତ୍ର ଅସହମତିର ଅମ୍ଳଜାନରେ ବଞ୍ଚି ରହିଛି। ଆଉ ଶାସନ କ୍ଷମତା ପାଇଁ ଅସହମତି ଅଙ୍ଗାରକାମ୍ଳ ବାଷ୍ପ ହୋଇଯାଉଛି। ଦୁଃଖର କଥା, ସମସ୍ତ ଆଇନ ହିଁ ନ୍ୟାୟପାଳିକାର ସହମତିରେ ଗଠିତ ଏବଂ ଚାଲୁ ରହିଛି ମଧ୍ୟ।

ପ୍ରଧାନ ବିଚାରପତି ଜଷ୍ଟିସ ରମଣଙ୍କର କଥାର ଜବାବରେ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ଅଦାଲତରେ ଠିକ୍ ଏ କଥା ମଧ୍ୟ କହିଥିଲେ କି, ଶାସକ ଓ ନ୍ୟାୟପାଳିକା ବର୍ତ୍ତମାନ ସୁଦ୍ଧା ନାଗରିକ ଅଧିକାରର ପକ୍ଷ ଛେଦନ କରୁଥିବା ସମସ୍ତ ଆଇନକୁ ଜନ୍ମ ଦେଲା ସମୟରେ ତାହାକୁ ସାବଧାନତାର ସହ ବ୍ୟବହାର କରିବାକୁ ସତର୍କ କରାଇଥିଲେ। ସତେ ଯେମିତି ଜଣେ ଶିଶୁ ହାତରେ ଆମେ ଛୁରିକାଟିଏ ଧରାଇ ଦେଇ ତାହାକୁ ସତର୍କତାର ସହ ଚଳାଇବୁ ବୋଲି ତା’କୁ ଯାହା କେବଳ ସାବଧାନ କରାଇଛନ୍ତି। ଅବୋଧ ଶିଶୁ ଏଥିରେ ନିଜ ତଣ୍ଟି ମଧ୍ୟ କାଟିଦେଇପାରେ। ମାତ୍ର ଧୂର୍ତ୍ତ ଶାସକ ନିଜକୁ ଛାଡ଼ି ସର୍ବଦା ଅସହମତ ନାଗରିକର ତଣ୍ଟି କାଟୁଛି। ଏହା ଇତିହାସସିଦ୍ଧ ସତ୍ୟ ଅଟେ। ତଥାପି ଶାସକ ହାତରେ ବଡ଼ରୁ ବଡ଼ ଛୁରୀ ଧରାଇବାକୁ ଅବୋଧ ନ୍ୟାୟପାଳିକା କିପରି ସ୍ବୀକୃତି ଦେଇଚାଲିଛି?

ଯାହା ହାତରେ ସମ୍ବିଧାନ ପ୍ରଦତ୍ତ କ୍ଷମତା ରହିଛି, ସେହି ନ୍ୟାୟପାଳିକା ପାଇଁ ନିର୍ବାଚନୀ ବହୁମତ ଓ ସାମ୍ବିଧାନିକ ବହୁମତ ମଧ୍ୟରେ ତଫାତ୍‌ ଆଣିବା ଏବଂ ତାହାକୁ ଅଦାଲତୀ ଫଇସଲାରେ ସାମିଲ କରିବା ସହଜ ହେବ। କାରଣ ସମ୍ବିଧାନର ଜନତା ଜନାର୍ଦ୍ଦନ ଏପରି ପ୍ରତିଟି ପ୍ରୟାସରେ ନ୍ୟାୟପାଳିକା ସାଥିରେ ଛିଡ଼ା ହୋଇଥିବ। ଆମେ ସମସ୍ତେ ଏ କଥା ଜାଣିଛନ୍ତି ଯେ ନିଜକୁ ତ ନିଜ ପାଦରେ ଛିଡ଼ା ହେବାକୁ ପଡ଼ିଥାଏ, ତେବେ ସାହାରା ଦେବା ଲାଗି ଛାଇଟିଏ ଆସିଥାଏ।

ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ
(ମତାମତ ଲେଖକଙ୍କ ନିଜସ୍ବ)

ସମ୍ବନ୍ଧିତ ଖବର