ଭାରତରେ ବରିଷ୍ଠ ନାଗରିକ

ଦର୍ପଣ

କେନ୍ଦ୍ର ସରକାରଙ୍କ ଷ୍ଟାଟିଷ୍ଟିକ୍‍ସ ଆଣ୍ଡ ପ୍ରୋଗ୍ରାମ୍ ଇମ୍ପ୍ଲିମେଣ୍ଟେସନ୍ ମନ୍ତ୍ରାଳୟ ଦ୍ବାରା ‘ଏଲ୍‍ଡର୍‍ଲି ଇନ୍ ଇଣ୍ଡିଆ ୨୦୨୧’ ଶୀର୍ଷକ ରିପୋର୍ଟ ପ୍ରକାଶ ପାଇଛି। ଏହା ଅନୁଯାୟୀ କେରଳରେ ବୟସ୍କଙ୍କ ସଂଖ୍ୟା ହେଉଛି ରାଜ୍ୟ ଜନସଂଖ୍ୟାର ୧୬.୫ ପ୍ରତିଶତ। ଏମାନଙ୍କ ବୟସ ୬୦ ବର୍ଷରୁ ଅଧିକ। ବରିଷ୍ଠଙ୍କ ଜନସଂଖ୍ୟା ହାରରେ କେରଳ ରହିଛି ସର୍ବାଗ୍ରେ। ତା’ ପଛକୁ କ୍ରମାନ୍ବୟରେ ରହିଛନ୍ତି ତାମିଲନାଡୁ (୧୩.୬%), ହିମାଚଳ ପ୍ରଦେଶ (୧୩.୧%), ପଞ୍ଜାବ (୧୨.୬%) ଓ ଆନ୍ଧ୍ର ପ୍ରଦେଶ (୧୨.୪%)। ସେହିପରି ସର୍ବନିମ୍ନ ୭.୭% ହାରରେ ବରିଷ୍ଠମାନଙ୍କୁ ଧାରଣ କରିଥିବା ରାଜ୍ୟ ହେଉଛି ବିହାର। ତା’ ଉପରକୁ ଉତ୍ତର ପ୍ରଦେଶ (୮.୧%) ଓ ଆସାମ (୮.୨%) ରହି ସର୍ବନିମ୍ନ ବୟସ୍କଙ୍କ ହାର ଧାରଣ କରିଥିବା ରାଜ୍ୟ ତାଲିକାଭୁକ୍ତ ହୋଇଛନ୍ତି।

ଏହି ରିପୋର୍ଟରେ ୨୦୩୧ ମସିହା ପାଇଁ ପୂର୍ବାନୁମାନ କରି ଉଲ୍ଲେଖ କରାଯାଇଛି ଯେ ଦଶ ବର୍ଷ ପରେ ମଧ୍ୟ ୨୦.୯% ହାର ସହିତ କେରଳ ସବୁଠାରୁ ଉପରେ ରହିବ। ୨୦୧୧-୨୧ ମଧ୍ୟରେ ଦେଶର ସାମଗ୍ରିକ ଜନସଂଖ୍ୟା ୧୨.୪% ବୃଦ୍ଧି ପାଇଥିବା ବେଳେ ବିଗତ ଦୁଇ ଦଶନ୍ଧି ଭିତରେ ବୟସ୍କଙ୍କ ଜନସଂଖ୍ୟା ୩୬% ହାରରେ ବୃଦ୍ଧି ପାଉଛି। ଅର୍ଥନୈତିକ ସାମର୍ଥ୍ୟ ଓ ସ୍ବାସ୍ଥ୍ୟ ସେବାରେ ଉନ୍ନତି ସହିତ ମୃତ୍ୟୁ ହାର ହ୍ରାସ ବୟସ୍କଙ୍କ ଜନସଂଖ୍ୟା ବୃଦ୍ଧିର କାରଣ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ସେହିପରି ବାର୍ଦ୍ଧକ୍ୟ କାରଣରୁ ନିଜ ପିଲାମାନଙ୍କ ଉପରେ ନିର୍ଭରଶୀଳ ହେବାର ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ୧୯୬୧ରେ ନିର୍ଭଶୀଳତା ହାର ୧୦.୯% ଥିବା ବେଳେ ୨୦୧୧ରେ ଏହା ୧୪.୨% ହୋଇଥିଲା। ୨୦୨୧ ଓ ୨୦୩୧ରେ ଏହା ଯଥାକ୍ରମେ ୧୫.୭% ଓ ୨୦.୧%କୁ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି।

ସମ୍ବନ୍ଧିତ ଖବର