ଆଫଗାନିସ୍ତାନ-ଭାରତ ସମ୍ପର୍କର ଭବିଷ୍ୟତ

ଶରତ ଚନ୍ଦ୍ର ମିଶ୍ର

ଭାରତରେ ବ୍ରିଟିସ୍‌ ଶାସନ ସମୟରେ ଆଫଗାନିସ୍ତାନକୁ ରୁଷିଆ ଓ ଭାରତ ମଧୢରେ ଏକ ନିରପେକ୍ଷ ରାଜ୍ୟ ଭାବରେ ରଖାଯାଇଥିଲା। ବ୍ରିଟିସ୍‌ ସରକାର ଆଫଗାନିସ୍ତାନକୁ ନିଜ ସାମ୍ରାଜ୍ୟର ଅ˚ଶ ବିଶେଷ କରିବାକୁ ଉଦ୍ୟମ କରି ଅସଫଳ ହୋଇଥିଲେ ଓ ଭାରତର ତତ୍‌କାଳୀନ ବିଦେଶ ସଚିବ ସାର୍‌ ମୋରଟିମୋର ଡୁରାଣ୍ତ ଦୁଇ ଦେଶ ମଧୢରେ ସୀମାରେଖା (୧୮୯୩) ସ୍ଥିର କଲେ ଓ ଆଫଗାନିସ୍ତାନର ଅମୀର ତାହାକୁ ମାନି ନେଇଥିଲେ। ପାକିସ୍ତାନ ଗଠନ ପରେ ବଳଶାଳୀ ବ୍ରିଟିସ୍‌ ସରକାର ଏ ଡୁରାଣ୍ତ ସୀମାରେଖାକୁ ଏକ ଦୁର୍ବଳ ସରକାର ଉପରେ ଲଦି ଦେଇଥିଲେ ବୋଲି ଅଭିଯୋଗ କରି ଆଫଗାନିସ୍ତାନ ଏ ସୀମାରେଖାର ପରିବର୍ତ୍ତନ ଦାବି କରି ଆସୁଥିଲେ ମଧୢ, ପାକିସ୍ତାନ ସଙ୍ଗେ ଏ ସୀମାରେଖା ଏଯାବତ୍‌ ବଳବତ୍ତର ରହିଛି। ପୁସ୍ତୁନ ପାର୍ବତୀୟ ଅଞ୍ଚଳ ଲୋକମାନେ ଦୁଇ ଦେଶରେ ବାସ କରୁଥିବା ପୁସ୍ତୁନ ଅଞ୍ଚଳକୁ ମିଶାଇ ପାଖତୁନୀସ୍ତାନ ବା ପୁସ୍ତୁନିସ୍ତାନ ଗଠନ କରିବାକୁ ଚାହାନ୍ତି। ଆଫଗାନିସ୍ତାନରେ ପୁସ୍ତୁନ (ପଠାଣ)ମାନଙ୍କ ସ˚ଖ୍ୟା ଶତକଡ଼ା ୪୨ ଭାଗ ଓ ତା’ପରେ ତାଜିକମାନଙ୍କ ସ˚ଖ୍ୟା ଶତକଡ଼ା ୨୭ ଭାଗ। ଏ ଦୁଇ ମୁଖ୍ୟ ଉପଜାତି ମଧୢରେ କ୍ଷମତା ନିମନ୍ତେ ସ˚ଘର୍ଷ ସବୁବେଳେ ଲାଗି ରହିଛି ଓ ଆଫଗାନର ପୁସ୍ତୁନମାନେ ପାକିସ୍ତାନର ପୁସ୍ତୁନମାନଙ୍କ ପାଖରୁ ସାହାଯ୍ୟ ସମର୍ଥନ ପ୍ରାପ୍ତ ହୁଅନ୍ତି। ଦୁଇ ଦେଶର ପୁସ୍ତୁନ ଅଧ୍ୟୁଷିତ ଅଞ୍ଚଳ ଗୋଟିଏ ଦେଶର ଲୋକ ଭଳି ପରସ୍ପର ପ୍ରତି ବ୍ୟବହାର କରନ୍ତି। ଏହା ପାକିସ୍ତାନର ରାଜନୀତି ଓ ନିରାପତ୍ତାକୁ ଅନେକା˚ଶରେ ପ୍ରଭାବିତ କରେ।

ଭାରତୀୟ ଉପମହାଦେଶରୁ ବ୍ରିଟିସ୍‌ ଶକ୍ତିର ଅବସାନ ପର ଠାରୁ ଆଫଗାନିସ୍ତାନରେ ଅସ୍ଥିରତା ଲାଗି ରହିଛି। ତତ୍‌କାଳୀନ ସୋଭିଏତ୍‌ ରୁଷିଆ, ପାକିସ୍ତାନ ଓ ଇରାନ ଏ ଦେଶରେ ପ୍ରଭାବ ବିସ୍ତାର ନିମନ୍ତେ ପ୍ରତିଯୋଗିତା କରି ଆସିଛନ୍ତି। ଦୁର୍ଦ୍ଧର୍ଷ ଆଫଗାନିମାନେ କୌଣସି ବିଦେଶୀ ଶକ୍ତିର ଆନୁଗତ୍ୟ ସ୍ବୀକାର କରିନାହାନ୍ତି। ଇ˚ରେଜମାନଙ୍କ ଭଳି ରୁଷିଆନମାନେ ମଧୢ ସେଠାରୁ ପରାଭବ ପାଇ ୧୯୮୯ ମସିହାରେ ନିଜ ଦେଶକୁ ଫେରିଗଲେ। ବହୁ ରକ୍ତ କ୍ଷୟ ଓ ଅର୍ଥ ବ୍ୟୟ ପାଣିରେ ପଡ଼ିଲା। ସୋଭିଏତ୍‌ ରୁଷର ଆଧିପତ୍ୟ ସମୟରେ ଆମେରିକା ସରକାର ଅସ୍ତ୍ରଶସ୍ତ୍ର, ପ୍ରଶିକ୍ଷଣ ଦେଇ ତାଲିବାନ ସୃଷ୍ଟିରେ ସାହାଯ୍ୟ କରିଥିଲେ ଓ ଏ ସାହାଯ୍ୟରେ ପାକିସ୍ତାନ ପ୍ରଭୂତ ଲାଭବାନ ହୋଇଥିଲା। ତା’ ପରେ ତାଲିବାନ ଆଫଗାନିସ୍ତାନରେ ସରକାର ଗଠନ କରି କଠୋର ମୁସଲିମ ମୌଳବାଦୀ ଆଇନ ସବୁ ପ୍ରୟୋଗ କଲେ। ଏଥିରେ ମହିଳାମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିଲେ।

ଆମେରିକାର ବାଣିଜ୍ୟ କେନ୍ଦ୍ରରେ ସେପ୍‌ଟେମ୍ବର ୨୦୦୧ରେ ଆକ୍ରମଣ ତାଲିବାନମାନଙ୍କ ଦ୍ବାରା ସ˚ଗଠିତ ହୋଇଥିବା ବିଚାର କରି ରାଷ୍ଟ୍ରପତି ବୁସ୍‌ ଆଫଗାନିସ୍ତାନର ତାଲିବାନ ସରକାର ବିରୋଧରେ ଯୁଦ୍ଧ ଘୋଷଣା କଲେ। ଆମେରିକାର ସୈନ୍ୟବାହିନୀକୁ ପଶ୍ଚିମ ୟୁରୋପର ସେନା ମଧୢ ସାହାଯ୍ୟ କଲେ। ଆମେରିକୀୟ ସେନା ତାଲିବାନକୁ ପରାସ୍ତ କଲେ ଓ କାବୁଲ ଠାରେ ଏକ ମଧୢବର୍ତ୍ତୀକାଳୀନ ସରକାର ସ୍ଥାପନ କଲେ। ତାଲିବାନ ସରକାରକୁ ପୃଥିବୀର ପାକିସ୍ତାନ ସମେତ ମାତ୍ର ତିନିଟି ଦେଶ ସ୍ବୀକୃତି ପ୍ରଦାନ କରିଥିଲେ ଓ ତାଲିବାନମାନେ ପାକିସ୍ତାନକୁ ପଲାଇ ଯାଇ ସେଠାରୁ ଗରିଲା ଯୁଦ୍ଧ ଆରମ୍ଭ କଲେ। ଆମେରିକାର କୌଣସି ଦେଶ ବିରୋଧରେ ଏହା ଦୀର୍ଘତମ (୨୦ ବର୍ଷ) ଯୁଦ୍ଧ ଓ ଏଥିରେ ୬୩୮୪ ଜଣ ଆମେରିକୀୟ ଓ ୧୧୪୪ ଜଣ ୟୁରୋପୀୟ ସୈନ୍ୟ ପ୍ରାଣ ହରାଇଛନ୍ତି। ଆଫଗାନିସ୍ତାନର ପ୍ରାୟ ଦୁଇ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଆମେରିକାର ଏ ଦୀର୍ଘ ୨୦ ବର୍ଷର ପରୋକ୍ଷ ଶାସନ ସମୟରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଆର୍ଥିକ ଅଭିବୃଦ୍ଧି ଦିଗରେ ପ୍ରଭୂତ ଉନ୍ନତି ସାଧନ ହୋଇଛି। ଆମେରିକା ସରକାର କାବୁଲ ସରକାରର ନିରାପତ୍ତା ଓ ଦେଶର ଆର୍ଥିକ ଅଭିବୃଦ୍ଧି, ଭିତ୍ତିଭୂମି, ଦେଶରକ୍ଷା, ପୁଲିସର ପ୍ରଶିକ୍ଷଣ ଓ ଆଧୁନିକୀକରଣ ପାଇଁ ପ୍ରାୟ ୧୪୩ ବିଲିଅନ ଆମେରିକୀୟ ଡଲାର ଖର୍ଚ୍ଚ କରିଛନ୍ତି। ଭାରତ ସରକାର ମଧୢ ଆଫଗାନିସ୍ତାନର ଉନ୍ନତି କଳ୍ପେ ୩ ବିଲିଅନ ଡଲାର ବ୍ୟୟ କରିଛନ୍ତି।

କାଳକ୍ରମେ ଆମେରିକା ସରକାର ଅନୁଭବ କଲେ ଯେ ଆଫଗାନିସ୍ତାନରେ ସେମାନେ ସମ୍ପୂର୍ଣ୍ଣ ଜୟଲାଭ କରିପାରିବେନି ଓ ଆମେରିକୀୟ ରକ୍ତକ୍ଷୟ ଓ ଅର୍ଥବ୍ୟୟ ଆମେରିକୀୟ ଭୋଟରଙ୍କ ପାଖରେ ଗ୍ରହଣୀୟ ନୁହେଁ। ଓସାମା ବିନ୍‌ ଲାଦେନଙ୍କ ମୃତ୍ୟୁ ପରେ ଆମେରିକୀୟ ଭୋଟର ଆଫଗାନିସ୍ତାନ ବ୍ୟାପାରରେ ଆଉ ଆଗ୍ରହୀ ନୁହନ୍ତି। ରାଷ୍ଟ୍ରପତି ଓବାମା ୨୦୧୫ରେ ପ୍ରଥମ କରି ତାଲିବାନ ସହିତ ସ˚ପର୍କ ସ୍ଥାପନର ପ୍ରକ୍ରିୟା ଆରମ୍ଭ କଲେ ଓ ତାଙ୍କ ପରେ ରାଷ୍ଟ୍ରପତି ଟ୍ରମ୍ପ୍‌, ଜଲମୟ ଖଲିଲଜାଦ ନାମକ ଜଣେ ସ୍ବତନ୍ତ୍ର ପ୍ରତିନିଧି ନିଯୁକ୍ତ କରି ଦୋହା ଠାରେ ତାଲିବାନମାନଙ୍କ ସହିତ ଆଲୋଚନା ଜାରି ରଖିଲେ। ଫଳତଃ ଆମେରିକା ଆଫଗାନିସ୍ତାନରୁ ୨୦୨୧ ମଇ ପହିଲା ସୁଦ୍ଧା ସୈନ୍ୟ ଅପସାରଣ କରିନେବ ବୋଲି ଫେବ୍ରୁଆରି ୨୦୨୦ରେ ତାଲିବାନ ସହିତ ରାଜିନାମା ସ୍ବାକ୍ଷର ହେଲା। ନୂତନ ରାଷ୍ଟ୍ରପତି ବାଇଡେନ୍‌ ଏ ରାଜିନାମାକୁ ମାନିନେଲେ କିନ୍ତୁ ସୈନ୍ୟ ଅପସାରଣର ସମୟ ସୀମା ସେପ୍‌ଟେମ୍ବର ୧୧ ତାରିଖକୁ ପରିବର୍ତ୍ତନ କଲେ।

ଆଫଗାନିସ୍ତାନରୁ ଆମେରିକୀୟ ଓ ନାଟୋ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଜୁଲାଇ ମାସ ଦୁଇ ତାରିଖରେ ଆମେରିକୀୟ ସୈନ୍ୟ ଗଲା କୋଡ଼ିଏ ବର୍ଷ ଯୁଦ୍ଧକୁ ସ˚ଗଠିତ କରୁଥିବା ବାଗରାମ ବିମାନ ଘାଟୀ ପରିତ୍ୟାଗ କଲେ। ତା’ପରେ ତାଲିବାନମାନେ ସହର ପରେ ସହର ଦଖଲ କରି ଚାଲିଛନ୍ତି ଓ କାବୁଲ ସରକାରଙ୍କ ସେନା ସେମାନଙ୍କ ସହିତ ସଫଳ ମୁକାବିଲା କରିପାରୁନାହାନ୍ତି। ବର୍ତ୍ତମାନ ଗ୍ରାମାଞ୍ଚଳ ଉପରେ ଗୁରୁତ୍ବ ପ୍ରଦାନ ନ କରି କାବୁଲ ରକ୍ଷା ଦିଗରେ ସରକାର ଅଧିକ ଗୁରୁତ୍ବ ପ୍ରଦାନ କରୁଛନ୍ତି। ଅନେକ ସମର ବିଶାରଦଙ୍କ ମତରେ ବିଦେଶୀ ସୈନ୍ୟ ଅପସାରଣ ପରେ କାବୁଲ ସରକାର ବେଶି ଦିନ ତିଷ୍ଠିବା ସମ୍ଭବ ନୁହେଁ। ଆଫଗାନିସ୍ତାନର ଉତ୍ତରାଞ୍ଚଳର ତାଜିକମାନେ ଅବଶ୍ୟ ତାଲିବାନ ଶାସନ ସହଜରେ ଗ୍ରହଣ କରିବେ ନାହିଁ ଓ ସେମାନଙ୍କ Northern Alliance ସହିତ ଏକ ବହୁକାଳ ସ୍ଥାୟୀ ଗୃହଯୁଦ୍ଧ ହୋଇପାରେ। ବର୍ତ୍ତମାନର ସରକାର ତାଲିବାନମାନଙ୍କ ସହିତ ବୁଝାମଣା କରି ଏକ କ୍ଷମତା ଭାଗର ସୂତ୍ର ବାହାର କରିପାରିଲେ ହୁଏ’ତ ଶାନ୍ତି ପ୍ରତିଷ୍ଠାର ମାର୍ଗ ସ୍ଥାପନ ହୋଇପାରେ କିନ୍ତୁ ତାହା ଅବଶ୍ୟମ୍ଭାବୀ ପ୍ରତୀୟମାନ ହେଉନାହିଁ।

ଆଫଗାନିସ୍ତାନର ସାଧାରଣ ଜନତା, ତାଲିବାନର କଠୋର ଶାସନ ନିୟମାବଳୀ ନେଇ ଆତଙ୍କିତ ଓ ଅନେକ ଦେଶ ତ୍ୟାଗ ଆରମ୍ଭ କଲେଣି। ଅନେକ ଆଶା କରୁଛନ୍ତି ଯେ ତାଲିବାନମାନେ ତାଙ୍କର କଠୋର ନୀତିରେ ପରିବର୍ତ୍ତନ କରିବେ ଓ ଆଉ ପାକିସ୍ତାନର ଅନୁଗାମୀ ହେବେ ନାହିଁ। ଅପର ପକ୍ଷରେ ପାକିସ୍ତାନ ଆଇ.ଏସ୍‌.ଆଇ ମାଧୢମରେ ତାଲିବାନମାନଙ୍କ ଉପରେ ପ୍ରଭାବ ଅକ୍ଷୁଣ୍ଣ ରଖିବାକୁ ଚାହେଁ ଓ ସମ୍ଭାବ୍ୟ ତାଲିବାନ ସରକାର ମାଧୢମରେ ଆଫଗାନିସ୍ତାନରୁ ଭାରତର ପ୍ରଭାବ ଲୋପ କରିବାରେ ପ୍ରୟାସରତ। ଗତ କୋଡ଼ିଏ ବର୍ଷରେ ଭାରତ ସରକାର ୩ ବିଲିଅନ ଆମେରିକୀୟ ଡଲାର ବ୍ୟୟ କରି ଆଫଗାନିସ୍ତାନର ଭିତ୍ତିଭୂମି ନିର୍ମାଣ, ପୁଲିସ ବାହିନୀର ପ୍ରଶିକ୍ଷଣ ଓ ଆଉ କେତେକ ଜନହିତକର କାର୍ଯ୍ୟ କରି ଦେଶରେ ଜନପ୍ରିୟତା ହାସଲ କରିଛନ୍ତି। ତାଲିବାନ୍‌ ସରକାର ଗାଦିନସୀନ ହେଲେ କିପରି ଭାରତର ସ୍ବାର୍ଥ୍ୟରକ୍ଷା ହେବ ତାହା ଭାରତର କୂଟନୀତି ପ୍ରତି ଏକ ବିରାଟ ଆହ୍ବାନ।

ଭାରତ ସରକାର ବହୁ ଅର୍ଥ ବ୍ୟୟ କରି, ଆମେରିକୀୟ ଚାପ ସତ୍ତ୍ବେ ଇରାନର ଚାବାହାର ବନ୍ଦରର ସ˚ପ୍ରସାରଣ ଓ ଆଧୁନିକୀକରଣ କରିଛନ୍ତି। ଚାବାହାର ଇରାନର ପୂର୍ବାଞ୍ଚଳର ଶେଷ ବନ୍ଦର ଓ ଭାରତ ମହାଦେଶର ନିକଟତମ। ଆଫଗାନିସ୍ତାନ ଏକ ଭୂବେଷ୍ଟିତ ଦେଶ ଓ ବାଣିଜ୍ୟ ବ୍ୟବସାୟର ସି˚ହଭାଗ ପାକିସ୍ତାନ ମଧୢ ଦେଇ ଯାଏ। ଫଳତଃ ଆଫଗାନିସ୍ତାନକୁ ପାକିସ୍ତାନ ପରିବହନ କଟକଣା ଦ୍ବାରା ଚାପ ମଧୢରେ ରଖେ। ଚାଇନାର ସିକିୟାଙ୍ଗ ଅଞ୍ଚଳର କାମସାର ସହର ଠାରୁ ବେଲୁଚିସ୍ତାନର ଚୀନ୍‌ ଲିଜ୍‌ ପ୍ରାପ୍ତ ଗ୍ବାଜର ବନ୍ଦର ପର୍ଯ୍ୟନ୍ତ ଯେଉଁ ରାସ୍ତା ନିର୍ମାଣ ହୋଇଛି, ତା’ର ଏକ ଶାଖା ଆଫଗାନିସ୍ତାନ ସହିତ ସ˚ଯୋଗ ସ୍ଥାପନ କରୁଅଛି। ଆଫଗାନିସ୍ତାନକୁ ବାଣିଜ୍ୟିକ କ୍ଷେତ୍ରରେ ପାକିସ୍ତାନ ଓ ଚୀନ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ କରି ରଖିବାକୁ ପାକିସ୍ତାନର ଲକ୍ଷ୍ୟ। ଭାରତକୁ ପାକିସ୍ତାନ ମଧୢ ଦେଇ ସ୍ଥଳ ପଥରେ ଆଫଗାନିସ୍ତାନ ସଙ୍ଗରେ ବ୍ୟବସାୟ କରିବାକୁ ପାକିସ୍ତାନ ଅନୁମତି ଦେଉନାହିଁ। ଏ ଚାପରୁ ମୁକ୍ତ ହେବା ନିମନ୍ତେ ଆଫଗାନିସ୍ତାନ ଚାବାହାର ପ୍ରକଳ୍ପରେ ସାମିଲ ହେଲା ଓ ଭାରତ, ଇରାନ ଓ ଆଫଗାନିସ୍ତାନ ମଧୢରେ ଏ ଦିଗରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଛି। ଏ ବନ୍ଦର ଆଫଗାନିସ୍ତାନରେ ଭାରତ ତିଆରି ରାଜପଥ ସଙ୍ଗେ ଯୋଡ଼ା। ଆଫଗାନିସ୍ତାନର ହିରାଟ, କାନ୍ଦାହାର, କାବୁଲ ଓ ମଜାରସରିଫ ସହିତ ଏହା ସ˚ଯୋଗ ସ୍ଥାପନ କରେ। ଆଫଗାନିସ୍ତାନ ସୀମା ପର୍ଯ୍ୟନ୍ତ କାଜାକିସ୍ତାନର ରେଳପଥ ହୋଇଗଲାଣି। ଫଳତଃ ମଧୢ ଏସିଆ ସହିତ ସ˚ପର୍କ ସ୍ଥାପନ ଭାରତ ସହିତ ସହଜ ହେବ। ପରିବହନ ଖର୍ଚ୍ଚ ପାକିସ୍ତାନ ମଧୢ ଦେଇ ଯିବା ଖର୍ଚ୍ଚର ଏକ ତୃତୀୟା˚ଶ ହ୍ରାସ ଓ ପାକିସ୍ତାନ ଉପରେ ନିର୍ଭରଶୀଳତାର ଅନ୍ତ ଘଟିବ। ଭାରତ, ଉଜବେକିସ୍ତାନ, ଇରାନ ଓ ଆଫଗାନିସ୍ତାନ ଏ ପ୍ରକଳ୍ପର କାର୍ଯ୍ୟକାରିତା ନିମନ୍ତେ ଏକ ସ୍ବତନ୍ତ୍ର କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରିଛନ୍ତି। ଏ ଚାବାହାର ପ୍ରକଳ୍ପ ରାଜିନାମା ଓ ମଧୢ ଏସିଆର କାଜାକିସ୍ତାନ ଓ ଉଜବେକିସ୍ତାନ ସହିତ ଆମ ବାଣିଜ୍ୟ ସମ୍ପର୍କରେ ବାଧା ସୃଷ୍ଟି କରିବାକୁ ତାଲିବାନ ଉପରେ ପାକିସ୍ତାନ ଚାପ ପ୍ରୟୋଗ କରିବ।

ବର୍ତ୍ତମାନ ଆଫଗାନିସ୍ତାନରେ କାବୁଲ ଦୂତାବାସ ବ୍ୟତୀତ ଭାରତର ଅନ୍ୟ କନ୍‌ସୁଲେଟ୍‌ଗୁଡ଼ିକ ବନ୍ଦ ହୋଇଗଲାଣି। ଭାରତର ସ୍ବାର୍ଥ ଦୃଷ୍ଟିରୁ କାନ୍ଦାହାର କନ୍‌ସୁଲେଟ୍‌ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାନ୍ଦାହାର କନ୍‌ସୁଲେଟ୍‌ ଓ ଇରାନ ସ୍ଥିତ ଜହିଦାନ କନ୍‌ସୁଲେଟ୍‌ ମାଧୢମରେ ଭାରତ ପାକିସ୍ତାନର ବେଲୁଚିସ୍ତାନ ଓ ପୁସ୍ତୁନମାନଙ୍କ ଗତିବିଧି ଉପରେ ନଜର ରଖେ। ପାକିସ୍ତାନ ସବୁ ସମୟରେ ଏଇ ଦୁଇଟି କନ୍‌ସୁଲେଟ୍‌ ବିରୋଧରେ ଅଭିଯୋଗ କରେ। ଭାରତକୁ କାନ୍ଦାହାର କନ୍‌ସୁଲେଟ କାର୍ଯ୍ୟକ୍ଷମ ରଖିବା ଆବଶ୍ୟକ। ଏ ସମସ୍ତ ଆବଶ୍ୟକତାକୁ ବିଚାରକୁ ନେଇ ଭାରତ ସରକାର ତାଲିବାନ ସହିତ ପ୍ରଚ୍ଛଦ ପଟରେ ଯୋଗାଯୋଗ ସ୍ଥାପନ ଆରମ୍ଭ କଲେଣି। ଆଫଗାନମାନେ ସ୍ବାଧୀନ ଚେତା। ସେମାନେ ପାକିସ୍ତାନର ସବୁଦିନିଆ ବୋଲକରା ହୋଇ ରହିବାକୁ ପସନ୍ଦ କରିବେ ନାହିଁ। ସେମାନଙ୍କର ପାକିସ୍ତାନ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବା ନିମନ୍ତେ ଆମର କୂଟନୈତିକ ଓ ଗୋଇନ୍ଦା ସ୍ତରରେ ବିଶେଷ ଉଦ୍ୟମ ହେବା ଆବଶ୍ୟକ। ତା’ ନ ହେଲେ ଗତ କୋଡ଼ିଏ ବର୍ଷର ସମସ୍ତ ଉଦ୍ୟମ ଓ ଲାଭ ନିଷ୍ଫଳ ହୋଇଯିବ। ଭାରତ ସରକାର ଏ ଦିଗରେ ଦୃଷ୍ଟି ଦେବେ ବୋଲି ଆଶା। କାବୁଲର ବର୍ତ୍ତମାନ ସରକାର ତାଲିବାନ ବିରୋଧରେ ଭାରତ ଠାରୁ ସାମରିକ ସାହାଯ୍ୟ ଆଶା କରୁଛନ୍ତି। ବିଗତ ଶତାବ୍ଦୀର ଶେଷ ଭାଗରେ ଭାରତୀୟ ସୈନ୍ୟ ଶ୍ରୀଲଙ୍କା ଯାଇ ଯେପରି ଅପଦସ୍ଥ ହୋଇଥିଲେ, ତା’ର ପୁନରାବୃତ୍ତି ନ ଘଟୁ।

ମୋ: ୯୯୩୭୪୨୨୫୨୧

ସମ୍ବନ୍ଧିତ ଖବର