ସ୍ବାଧୀନତା ଆନ୍ଦୋଳନର ଦୁଇଟି ଫର୍ଦ୍ଦ

ବିଜୟ ନାୟକ

ଅଗଷ୍ଟ ନଅ କହିଲାମାତ୍ରେ ସାଧାରଣତଃ ଅଗଷ୍ଟ କ୍ରାନ୍ତିକୁ ବୁଝାଯାଏ, ଯାହା ୧୯୪୨ ମସିହାର କଥା। କ୍ରିପ୍‍ସ ମିସନ୍‌ର ବିଫଳତା, ଜାପାନର ଭାରତ ଆକ୍ରମଣ ବିଷୟରେ ଗୁଜବ ଏବଂ ଜାପାନ ବିରୋଧରେ ଯୁଦ୍ଧ ପାଇଁ ବ୍ରିଟିସ୍‌ ସରକାରଙ୍କର ପୂର୍ବଭାରତ ଉପକୂଳରେ ବ୍ୟାପକ ପ୍ରସ୍ତୁତି ଆଦି ଘଟଣା ଭାରତବର୍ଷରେ ନୈରାଶ୍ୟ ଓ ଅସ୍ଥିରତା ସୃଷ୍ଟି କରିଥିଲା। ଏପରି ପରିସ୍ଥିତି ଏକ ଗଣ ଆନ୍ଦୋଳନ ପାଇଁ ପ୍ରକୃଷ୍ଟ ସମୟ ବୋଲି ଗାନ୍ଧୀଜୀ ବିଚାରୁଥିଲେ। ଅଗଷ୍ଟ ୮ ତାରିଖ ଦିନ ବମ୍ବେର ଗୋଆଲିଆ ଟ୍ୟାଙ୍କ୍‌ ପଡ଼ିଆରେ ମୌଲାନା ଆବୁଲ କାଲାମ ଆଜାଦ୍‌ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କଂଗ୍ରେସର ଖୋଲା ଅଧିବେଶନରେ ଜନସାଧାରଣଙ୍କ ଅନୁମୋଦନ ନିମନ୍ତେ ଭାରତଛାଡ଼ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ଏହି ଅଧିବେଶନରେ ମହାତ୍ମା ଗାନ୍ଧୀ ଭାରତୀୟମାନଙ୍କୁ ‘କର ବା ମର’ ମନ୍ତ୍ର ଦେଇଥିଲେ।

ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତା ସାଙ୍ଗକୁ ଭାରତର ସମ୍ଭାବ୍ୟ ଗଣଆନ୍ଦୋଳନ ଇଂରେଜମାନଙ୍କ ନିଦ ହଜାଇ ଦେଇଥିଲା। ବିଚଳିତ ବ୍ରିଟିସ୍‌ ସରକାର ଅଗଷ୍ଟ ନଅ ତାରିଖ ବଡ଼ିଭୋରରୁ ଗାନ୍ଧୀଜୀଙ୍କ ସମେତ ଭାରତର ବଡ଼ ବଡ଼ ନେତାମାନଙ୍କୁ ବନ୍ଦୀ କରିଥିଲେ। ଓଡ଼ିଶା କଂଗ୍ରେସର ତୁଙ୍ଗ ନେତା ହରେକୃଷ୍ଣ ମହତାବଙ୍କୁ ଗିରଫ କରାଯାଇ ଅହମ୍ମଦ ନଗର ଦୁର୍ଗରେ ରଖାଯାଇଥିଲା। ବ୍ରିଟିସ୍‌ ସରକାର ଭାବିଥିଲା, ମୂଳୁ ମାରିଲେ ଯିବ ସରି, ଗାନ୍ଧୀଙ୍କ ସଙ୍ଗେ କିମ୍ପା କଳି। କଂଗ୍ରେସର ଛାମୁଆଁ ନେତାମାନଙ୍କୁ କାରାରୁଦ୍ଧ କରାଯିବା ପରେ ତଥାକଥିତ ଗଣଆନ୍ଦୋଳନ ବଳେ ଫସର ଫାଟିଯିବ। କିନ୍ତୁ ବିପରୀତ ଫଳ ଫଳିବ ବୋଲି ସରକାର ଜାଣି ନ ଥିଲା। ନେତା ଓ ନୀତି ବିହୁନେ କଂଗ୍ରେସ କର୍ମୀମାନେ ଯିଏ ଯାହା ବାଟରେ ଆନ୍ଦୋଳନକୁ ଓହ୍ଲାଇଲେ। ଘୋର ଜନ ଅସନ୍ତୋଷ ସହିଂସ ଆନ୍ଦୋଳନର ରୂପ ନେଲା। ସେହି ସମୟ ମଧ୍ୟରେ କିନ୍ତୁ କିଛିଦିନ ପରେ ଜୟପ୍ରକାଶ ନାରାୟଣ ହଜାରିବାଗ ଜେଲ୍‌ରୁ ପଳାୟନ କରି ବିପ୍ଳବକୁ ତୀବ୍ର କଲେ। ସାରା ଭାରତରେ ବିପ୍ଳବ ବନାଗ୍ନି ପରି ବ୍ୟାପିଲା। ବ୍ରିଟିସ୍‌ ସରକାରର ପ୍ରତୀକ ଥାନା, ଡାକଘର, ରେଳ ରାସ୍ତା, ଟେଲି ଯୋଗାଯୋଗ, ଖଜଣାଖାନା ଓ ଅସ୍ତ୍ରାଗାର ଆଦି ଉପରେ ଉତ୍‌କ୍ଷିପ୍ତ ଜନତା ଆକ୍ରମଣ କଲେ। କେଉଁଠି କେଉଁଠି ଅଗ୍ନି ସଂଯୋଗ ମଧ୍ୟ କଲେ। ଏହାଦ୍ୱାରା ବ୍ରିଟିସ୍‌ ସରକାର ଆହୁରି କଠୋର ପନ୍ଥା ଅବଲମ୍ବନ କରି ହଜାର ହଜାର ଭାରତୀୟଙ୍କୁ ବନ୍ଦୀ କଲା। ଏକ ପରିସଂଖ୍ୟାନ ଅନୁଯାୟୀ ୧୮ ହଜାର ଭାରତୀୟଙ୍କୁ ବିନା ବିଚାରରେ ସରକାର ଅଟକ ରଖିଥିଲା, ପୁଲିସ୍ ଓ ସେନାବାହିନୀ ସହିତ ସଂଘର୍ଷରେ ୯୪୨ ଲୋକ ମୃତ ଏବଂ ୧୯୩ ଜଣ ଆହତ ହୋଇଥିଲେ। ଭାରତଛାଡ଼ ଆନ୍ଦୋଳନ ଥିଲା ବ୍ରିଟିସ୍‌ ଶାସନ ବିରୋଧରେ ଭାରତର ଶେଷ ଗଣବିପ୍ଳବ।

୧୯୪୭ ମସିହା ଅଗଷ୍ଟ ମାସ ୯ ତାରିଖ ମଧ୍ୟ ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ। ସେତେବେଳକୁ ସ୍ୱାଧୀନତାର ସ୍ୱପ୍ନରେ ବିଭୋର ଭାରତବର୍ଷରେ ହର୍ଷ ଓ ଉଲ୍ଲାସର ଲହରି ଖେଳୁଥିଲା ବେଳେ ପଞ୍ଜାବ ଓ ବଙ୍ଗ ଆଦି କେତେକ ପ୍ରଦେଶରେ ଦେଶ ବିଭାଜନ ଜନିତ ରକ୍ତପାତର ଆଶଙ୍କା ଜମାଟ ବାନ୍ଧିଥିଲା। ଇତିମଧ୍ୟରେ କଂଗ୍ରେସ ଭିତରେ ଗାନ୍ଧୀଜୀ ଅଣପଚରା ହୋଇସାରିଥିଲେ ଏବଂ ତାଙ୍କର ତିନି ପ୍ରିୟ ସତୀର୍ଥ- ପଣ୍ଡିତଜୀ, ସର୍ଦ୍ଦାରଜୀ ଓ ମୌଲାନାଜୀ ତାଙ୍କୁ ଦେଶ ବିଭାଜନ ସଂପର୍କରେ ଅନ୍ଧାରରେ ରଖୁଥିଲେ। ସେତେବେଳେ ସେ ଅରଣ୍ୟରୋଦନ କରୁଥିଲେ ବୋଲି ଗାନ୍ଧୀଜୀ ଠାଏ ଲେଖିଛନ୍ତି। ନୂଆଦିଲ୍ଲୀରେ ନୁହେଁ ନୂଆଖାଲିରେ ସେ ଦେଶ ସ୍ୱାଧୀନ ହେବାବେଳେ ରହିବେ ବୋଲି ମନସ୍ଥିର କରିଥିଲେ। କାରଣ କଂଗ୍ରେସର ଅନ୍ୟ ଶୀର୍ଷ ନେତାମାନେ ଜାଣିପାରୁ ନ ଥିଲେ ବି ଗାନ୍ଧୀଜୀ ଜାଣିପାରୁଥିଲେ ଯେ ବିଭାଜନ ପୂର୍ବ ଦଙ୍ଗା ଅପେକ୍ଷା ବିଭାଜନ ପରର ଦଙ୍ଗା ଆହୁରି ଭୟାବହ ହୋଇପାରେ। ଅଗଷ୍ଟ ୯ ତାରିଖରେ କଲିକତାରେ ପହଞ୍ଚିଲା ପରେ ଗାନ୍ଧୀଜୀ ନୂଆଖାଲି ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଥିଲେ। ସେଦିନ ସଂଧ୍ୟାରେ ମୁସ୍‌ଲିମ୍ ଲିଗ୍‌ର ନେତା ସୟଦ ମହମ୍ମଦ ଉସ୍‌ମାନ୍ କଲିକତାରେ ରହିବା ପାଇଁ ଗାନ୍ଧୀଜୀଙ୍କୁ ଅନୁରୋଧ ଜଣାଇଲେ। ଉସ୍‌ମାନ୍ ଅତି ବିନୀତ ଭାବରେ କହିଥିଲେ, ମହାତ୍ମା ଆପଣଙ୍କ ଉପରେ ହିନ୍ଦୁମାନଙ୍କର ଯେତିକି ଅଧିକାର, ମୁସଲମାନମାନଙ୍କର ମଧ୍ୟ ସେତିକି ଅଧିକାର ଅଛି। ମାତ୍ର ଦୁଇତିନି ଦିନ ପାଇଁ ହେଲେ ଆପଣ କଲିକତାରେ ରହିଯାଆନ୍ତୁ। ମୁସ୍‌ଲିମ୍ ଲିଗ୍‌ର କୌଣସି ନେତା ଗାନ୍ଧୀଜୀଙ୍କୁ ଏପରି ଭାବରେ ଏମିତି କଥା ଆଗରୁ କେବେ କହି ନ ଥିଲେ। କହିଥିଲେ ହୁଏ’ତ ଜିନ୍ନାଙ୍କ ଦୁଇରାଷ୍ଟ୍ର ତତ୍ତ୍ୱ ଅକାମୀ ହୋଇପଡ଼ିଥା’ନ୍ତା ଏବଂ ଦେଶ ବିଭାଜନକୁ ଏଡ଼ାଇ ଦିଆଯାଇ ପାରିଥା’ନ୍ତା। ପୂର୍ବ ବର୍ଷ ଦଙ୍ଗାର ନାୟକ ସୁରାୱର୍ଦ୍ଦି କରାଚିରୁ କଲିକତା ଫେରିଆସି ଗାନ୍ଧୀଜୀଙ୍କୁ ସାକ୍ଷାତ କରି ସମାନ ଅନୁରୋଧ ଜଣାଇଲେ।

ଗାନ୍ଧୀଜୀ ଗୋଟିଏ ସର୍ତ୍ତରେ କଲିକତାରେ ରହିବା ପାଇଁ ରାଜି ହୋଇଥିଲେ- ସୁରାୱର୍ଦ୍ଦି ଫକିର ପରି ପୋଷାକ ପିନ୍ଧି ତାଙ୍କ ସହିତ ଏକା ଛାତ ତଳେ ରହିବେ। ତାହା ହିଁ ହେଲା। ହାଇଦର ମ୍ୟାନ୍‌ସନ ନାମକ ଏକ ମାମୁଲି କୋଠାରେ ଟିମ୍ ଗାନ୍ଧୀ ସହିତ ସୁରାୱର୍ଦ୍ଦି ବି ରହିଲେ। କଲିକତାରେ କୁହୁଳୁଥିବା ନିଆଁରେ ଜଳ ସିଞ୍ଚିବା ପାଇଁ ଗାନ୍ଧୀଜୀଙ୍କ ଉପସ୍ଥିତି ହିଁ ଯଥେଷ୍ଟ ଥିଲା। ପଞ୍ଜାବରେ ନର ରକ୍ତରେ ହୋଲି ଖେଳ ଚାଲିଥିବା ବେଳେ କଲିକତା ଅପେକ୍ଷାକୃତ ଭାବରେ ଶାନ୍ତ ରହିଥିଲା। ଧୀରେ ଧୀରେ ଗାନ୍ଧୀଜୀଙ୍କ ପ୍ରାର୍ଥନା ସଭାରେ ଉପସ୍ଥାନ ବଢ଼ି ମେଳାମଉଛବରେ ପରିଣତ ହେଲା। ଭୟରେ ଘର ଛାଡ଼ିଥିବା ଲୋକମାନେ ନିଜ ନିଜ ଘରକୁ ବାହୁଡ଼ି ଆସିଲେ। ଗମନାଗମନ ଓ ବାଣିଜ୍ୟ ବେପାର ସ୍ୱାଭାବିକ ହେଲା। ମହାନଗରୀର ବିଭିନ୍ନ ଅଞ୍ଚଳରେ ‘ହିନ୍ଦୁ-ମୁସଲିମ୍ ଏକ ହୁଅ’, ‘ବନ୍ଦେ ମାତରମ୍‌’ ଓ ‘ଜୟହିନ୍ଦ୍‌’ ଆଦି ସ୍ଲୋଗାନ୍ ଦିଆଯାଇ ଶୋଭାଯାତ୍ରାମାନ ଆୟୋଜିତ ହେଲା ମଧ୍ୟ।

କଲିକତାରେ ଗାନ୍ଧୀଜୀଙ୍କ ଶାନ୍ତିରକ୍ଷା ବିଷୟରେ ଲର୍ଡ ମାଉଣ୍ଟବ୍ୟାଟେନ୍ ଉଲ୍ଲେଖ କରିଛନ୍ତି ଯେ ପଞ୍ଜାବରେ ୫୫ ହଜାର ସୈନ୍ୟ ଥାଇ ବି ଦଙ୍ଗା ରୋକିହେଲା ନାହିଁ କିନ୍ତୁ ଜଣେ ସୈନ୍ୟ ଅର୍ଥାତ୍ ଗାନ୍ଧୀଙ୍କ ଯୋଗୁଁ କଲିକତାରେ ଦଙ୍ଗା ବନ୍ଦ ହୋଇଗଲା। ଏମିତି ଅନେକ ତିକ୍ତମଧୁର ସ୍ମୃତିର ସମାହାର ଅଗଷ୍ଟ ମାସ ଭାରତ ଇତିହାସରେ ଯଥେଷ୍ଟ ଗୁରୁତ୍ୱ ବହନ କରେ।

[email protected]

ସମ୍ବନ୍ଧିତ ଖବର