ସୁପ୍ତ ଆଗ୍ନେୟଗିରି ଉପରେ ଆନ୍ତଃରାଜ୍ୟ ସୀମା ବିବାଦ

ସରଳ ବିଚାର - ସରଳ କୁମାର ଦାସ

ଗଲା ଜୁଲାଇ ୨୬ରେ, ମିଜୋରାମର ଭାରିଙ୍ଗତେ ଗାଁ ନିକଟରେ ଆସାମ ଓ ମିଜୋରାମ ରାଜ୍ୟ ଦୁଇଟିର ପୁଲିସ୍‌ଙ୍କ ମଧ୍ୟରେ ଏକ କଦର୍ଯ୍ୟ ରକ୍ତାକ୍ତ ସଂଘର୍ଷର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଲା। ଉଭୟ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦ ଏପରି ଭୟଙ୍କର ରୂପ ନେଲା ଯେ ପୁଲିସ୍‌ଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଆସାମର ୬ ଜଣ ପୁଲିସ୍‌ କର୍ମୀଙ୍କ ସମେତ ଜଣେ ସାଧାରଣ ନାଗରିକର ପ୍ରାଣହାନି ହେଲା। କିଛି ଦିନ ତଳେ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ କୋଟିଆ ଗ୍ରାମପୁଞ୍ଜକୁ ନେଇ ସୀମା ବିବାଦ ମଧ୍ୟ ଅଶୋଭନୀୟ ସ୍ତରକୁ ଯାଇଥିଲା। କେବଳ ଆସାମ-ମିଜୋରାମ ବା ଓଡ଼ିଶା-ଆନ୍ଧ୍ର ପ୍ରଦେଶ ମଧ୍ୟରେ ନୁହେଁ; ବରଂ ବିଭିନ୍ନ ରାଜ୍ୟ ମଧ୍ୟରେ ଏହି ସୀମା ବିବାଦ ବର୍ଷ ବର୍ଷ ଧରି ଅସମାହିତ ଅବସ୍ଥାରେ ଲାଗି ରହିଥିବାରୁ ସେଗୁଡ଼ିକର ତୁରନ୍ତ ସମାଧାନ ହେବା ବାଞ୍ଛନୀୟ।

ଇତି ମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ତରଫରୁ ଲୋକସଭାରେ ସୂଚିତ କରାଯାଇଛି ଯେ ଦେଶରେ ରାଜ୍ୟ-ରାଜ୍ୟ ମଧ୍ୟରେ କେବଳ ୭ଟି ସୀମା ବିବାଦ ରହିଛି। ସେଗୁଡ଼ିକ ହେଲା, ହରିଆଣା-ହିମାଚଳ ପ୍ରଦେଶ, ଲଦାଖ-ହିମାଚଳ ପ୍ରଦେଶ, ମହାରାଷ୍ଟ୍ର-କର୍ଣ୍ଣାଟକ, ଆସାମ-ଅରୁଣାଚଳ ପ୍ରଦେଶ, ଆସାମ-ନାଗାଲାଣ୍ଡ, ଆସାମ-ମିଜୋରାମ ଓ ଆସାମ-ମେଘାଳୟ। ଅର୍ଥାତ୍, ଉପରୋକ୍ତ ସୀମା ବିବାଦଗୁଡ଼ିକ ମଧ୍ୟରୁ ସର୍ବାଧିକ ୪ଟି ବିବାଦ ସହ ଆସାମ ରାଜ୍ୟ ସଂଶ୍ଳିଷ୍ଟ। ପାହାଡ଼ ପର୍ବତ ଘେରା ଉତ୍ତର-ପୂର୍ବର ରାଜ୍ୟଗୁଡ଼ିକରେ ଦଶକ-ଦଶକ ଧରି ବିବାଦ ଲାଗି ରହିବାର ଏକ ପ୍ରମୁଖ କାରଣ ହେଉଛି କେନ୍ଦ୍ରରେ ଥିବା ବିଭିନ୍ନ ଦଳର ସରକାର ସେହି ବିବାଦର ସମାଧାନ କରିବାକୁ ଆନ୍ତରିକତା ପ୍ରଦର୍ଶନ କରି ନାହାନ୍ତି। କେବଳ ତ୍ରିପୁରା ଓ ମଣିପୁରକୁ ବାଦ ଦେଲେ ସେଠାରେ ଅବଶିଷ୍ଟ ଚାରିଟି ରାଜ୍ୟ ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମିଜୋରାମ ଓ ମେଘାଳୟ, ସ୍ୱାଧୀନତା ପରେ ବିଭିନ୍ନ ସମୟରେ ଆସାମରୁ ଅଲଗା ହୋଇ ସୃଷ୍ଟି ହୋଇଥିଲେ ବି ସେଗୁଡ଼ିକ ସହ ଆସାମର ସୀମା ବିବାଦ ଲାଗି ରହିଛି। ଏହି ସୀମା ବିବାଦର ସମାଧାନ ପାଇଁ ଆସାମ ସରକାର ୧୯୮୮ରୁ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସଂସଦ ଦ୍ୱାରା ପାରିତ ଆଇନ ଅନୁଯାୟୀ ଏହି ରାଜ୍ୟଗୁଡ଼ିକର ସାମ୍ୱିଧାନିକ ସୀମା ଉପରେ ଆସାମ ଗୁରୁତ୍ୱ ଦେଉଥିଲା ବେଳେ ବିବାଦରେ ସଂଶ୍ଳିଷ୍ଟ ଅନ୍ୟ ରାଜ୍ୟଗୁଡ଼ିକ ସମ୍ୱିଧାନ ନିର୍ଦ୍ଧାରିତ ସୀମା ସହ ଐତିହାସିକ ପୃଷ୍ଠଭୂମିକୁ ଗୁରୁତ୍ୱ ଦେଇ ସୀମା ବିବାଦର ସମାଧାନ କରିବା ଉପରେ ଜୋର ଦେଉଛନ୍ତି। ଉଦାହରଣ ସ୍ୱରୂପ, ୧୯୩୩ର ସୀମାଙ୍କନକୁ ଆଧାର କରି ୧୯୭୨ରେ ମିଜୋରାମକୁ ଆସାମରୁ ଅଲଗା କରି ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଗଠନ କରାଯାଇଥିଲା, ଯାହା ୧୯୮୭ରେ ପୂର୍ଣ୍ଣ ରାଜ୍ୟର ମାନ୍ୟତା ପାଇଲା। ସୀମା ନିର୍ଦ୍ଧାରଣ ବେଳେ ମିଜୋରାମର ସମ୍ମତି ଗ୍ରହଣ କରାଯାଇ ନ ଥିବାରୁ ୧୯୭୨ର ବିଜ୍ଞପ୍ତିକୁ ଅସ୍ୱୀକାର କରି ମିଜୋରାମ ୧୮୭୫ର ବେଙ୍ଗଲ ଇଷ୍ଟର୍ଣ୍ଣ ଫ୍ରଣ୍ଟିଅର ରେଗୁଲେସନ (ବିଇଏଫଆର) ଆଇନରେ ଚିହ୍ନିତ ସୀମାକୁ ପ୍ରକୃତ ସୀମା ରୂପେ ଗ୍ରହଣ କରାଯାଉ ବୋଲି ଅଡି ବସିବା ହିଁ ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦର କାରଣ। ଉତ୍ତର-ପୂର୍ବାଞ୍ଚଳରେ ସୀମା ବିବାଦ ପାଇଁ ଦୁଇ ରାଜ୍ୟର ପୁଲିସ୍‌ ମୁହାଁମୁହିଁ ହେବା କିଛି ନୂଆ କଥା ନୁହେଁ। ଏଥି ପୂର୍ବରୁ ୧୯୮୫ରେ ନାଗାଲାଣ୍ଡ ଓ ଆସାମର ସଶସ୍ତ୍ର ପୁଲିସ୍‌ ବାହିନୀ ପରସ୍ପରର ମୁହାଁମୁହିଁ ହୋଇଥିଲେ ଓ ଦୀର୍ଘ ଦିନ ଧରି ଉତ୍ତେଜନା ଲାଗି ରହିଥିଲା।

ଲୋକସଭାରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ତରଫରୁ ଯେଉଁ ୭ଟି ଆନ୍ତଃରାଜ୍ୟ ସୀମା ବିବାଦ କଥା ସୂଚିତ କରାଗଲା ସେଥିରେ ଓଡ଼ିଶାର ପଡ଼ୋ‌ଶୀ ରାଜ୍ୟଗୁଡ଼ିକ ସହ ଥିବା ସୀମା ବିବାଦ ସମ୍ପର୍କରେ କୌଣସି ଉଲ୍ଲେଖ ନ ରହିବା ବାସ୍ତବିକ ଉଦ୍‌ବେଗର ବିଷୟ। ମାତ୍ର ଅଳ୍ପ କିଛି ଦିନ ତଳେକୋଟିଆ ଗ୍ରାମପୁଞ୍ଜ ବିବାଦକୁ ନେଇ ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳର ନେତାମାନେ ଯେଉଁପରି ଉଦ୍‌ବେଗ ପ୍ରକାଶ କରୁଥିବାର ଦେଖାଯାଇଥିଲା, କାହିଁ ତା’ର କାଣିଚାଏ ପ୍ରତିଫଳନ ତ ଲୋକସଭାରେ ଦେଖିବାକୁ ମିଳିଲା ନାହିଁ! ଓଡ଼ିଶାର ସୀମା ବିବାଦ କେବଳ କୋଟିଆ ଗ୍ରାମପୁଞ୍ଜ ପର୍ଯ୍ୟନ୍ତ ସୀମିତ ନ ରହି ଚାରିଟି ଯାକ ପଡ଼ୋଶୀ ରାଜ୍ୟ ସହ ସଂଲଗ୍ନ ୧୦ଟି ଜିଲ୍ଲାର ପ୍ରାୟ ୯୦ରୁ ଅଧିକ ଗ୍ରାମରେ ଦୀର୍ଘ ଦିନ ଧରି ଲାଗି ରହିଛି। ଏ ସମ୍ପର୍କରେ ରାଜ୍ୟ ବିଧାନସଭାରେ ଜଣକ ପରେ ଜଣେ ରାଜସ୍ୱ ମନ୍ତ୍ରୀ ଯେମିତିକି ବିଜୟଶ୍ରୀ ରାଉତରାୟ ଜୁଲାଇ ୨୮, ୨୦୧୪ରେ, ମହେଶ୍ୱର ମହାନ୍ତି ଅପ୍ରେଲ ୨୩, ୨୦୧୮ରେ, ସୁଦାମ ମାରାଣ୍ଡି ନଭେମ୍ୱର ୧୭, ୨୦୧୯ ଓ ନଭେମ୍ୱର ୨୫, ୨୦୨୦ରେ ସୂଚନା ପ୍ରଦାନ କରି ଆସିଛନ୍ତି। ତଦନୁସାରେ ଆନ୍ଧ୍ର ପ୍ରଦେଶ ସହ କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲା, ପଶ୍ଚିମବଙ୍ଗ ସହ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା, ଝାରଖଣ୍ଡ ସହ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲା ଏବଂ ଛତିଶଗଡ଼ ସହ ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାର କିଛି ନିର୍ଦ୍ଦିଷ୍ଟ ଗାଁରେ ଏହି ସୀମା ବିବାଦ ଲାଗି ରହିଥିବାର ସୂଚନା ମିଳେ। ସରକାରୀ ଅଫିସର ସ୍ତରରେ ଏହି ବିବାଦର ସମାଧାନ ପାଇଁ ଉଦ୍ୟମ ହେଉଥିଲେ ବି ସମାଧାନର ବାଟ ଫିଟିବାରେ ଅହେତୁକ ବିଳମ୍ୱ ହେଉଛି। ତେଣୁ ମନ୍ତ୍ରୀ ସ୍ତରୀୟ ବା ମୁଖ୍ୟମନ୍ତ୍ରୀ ସ୍ତରୀୟ ବାର୍ତ୍ତାଳାପର ଆବଶ୍ୟକତା ଅନୁଭୂତ ହେଉଥିଲେ ବି ସେ ନେଇ ଆନ୍ତରିକତା ପ୍ରଦର୍ଶିତ ହେଉନାହିଁ। ଫଳରେ ବର୍ଷ ବର୍ଷ ଧରି ସେହି ସମାନ ସଂଖ୍ୟକ ଗାଁ ଆନ୍ତଃରାଜ୍ୟ ସୀମା ବିବାଦଗ୍ରସ୍ତ ବୋଲି ବିଧାନସଭାରେ ତଥ୍ୟ ଉପସ୍ଥାପନ ହେବା ବ୍ୟତୀତ କୌଣସି ଗୋଟିଏ ଗାଁରେ ବିବାଦ ସମାଧାନ ହୋଇ ଥିବାର ଶୁଭ ଖବର ରାଜ୍ୟବାସୀ ଶୁଣିବାକୁ ପାଉନାହାନ୍ତି। ଓଡ଼ିଶାର ଚାରିଟି ରାଜ୍ୟ ସହ ସୀମା ବିବାଦ କିଛି ନୂଆ ହୋଇ ନ ଥିଲେ ବି ତାହା କେନ୍ଦ୍ର ସରକାରଙ୍କ ଆନ୍ତଃରାଜ୍ୟ ସୀମା ବିବାଦ ତାଲିକାରେ ସ୍ଥାନ ନ ପାଇବାର କାରଣ କ’ଣ ବୁଝି ହେଉନାହିଁ । ସେହିପରି ମଣିପୁର-ନାଗାଲାଣ୍ଡ ସମେତ ଆଉ କିଛି ରାଜ୍ୟରେ ବି ସୀମା ବିବାଦ ସମସ୍ୟା ଲାଗି ରହିଛି । ନାଗାଲାଣ୍ଡ-ଅରୁଣାଚଳ ପ୍ରଦେଶ ମଧ୍ୟରେ ଥିବା ସୀମା ବିବାଦ ଦୀର୍ଘ ଦିନ ଧରି ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଅଛି। ସ୍ୱାଧୀନତା ପୂର୍ବରୁ ରାଜ୍ୟଗୁଡିକ ମଧ୍ୟରେ ବିବାଦ ମୁଖ୍ୟତଃ ଭାଷା କୈନ୍ଦ୍ରିକ ଥିଲେ ବି ପରବର୍ତ୍ତୀ ସମୟରେ ତାହା ନଦୀ ଜଳ ବଣ୍ଟନ, ଜଳସେଚନ, ବିଦ୍ୟୁତ ଓ ପ୍ରାକୃତିକ ସମ୍ୱଳ ଉପରେ ଅଧିକାର ଆଦି ବିଭିନ୍ନ କାରଣରୁ ବଢ଼ି ବଢ଼ି ଚାଲିଛି ଓ ଏଥିରେ ସଂଖ୍ୟାଧିକ ରାଜ୍ୟ ଛନ୍ଦି ହୋଇ ପଡ଼ିଛନ୍ତି।

ଭାରତ ହେଉଛି ରାଜ୍ୟମାନଙ୍କର ଏକ ସମାହାର (ୟୁନିଅନ ଅଫ ଷ୍ଟେଟ୍‌ସ)। ହେଲେ ଭାରତୀୟ ସମ୍ୱିଧାନରେ ଅଖଣ୍ଡ ଭାରତର କଳ୍ପନା କରାଯାଇଥିଲେ ବି ସେଥିରେ ଥିବା ରାଜ୍ୟଗୁଡ଼ିକ ଅଖଣ୍ଡ ନୁହନ୍ତି। ସେହି କାରଣରୁ ଏକାଧିକ ଥର ଏକାଧିକ ରାଜ୍ୟକୁ ବିଭାଜିତ କରି ନୂତନ ରାଜ୍ୟ ସୃଷ୍ଟି କରାଯାଇଛି ଓ ସେଗୁଡ଼ିକର ସୀମା ପୁନର୍ନିଦ୍ଧାରଣ କରାଯାଇଛି। ବସ୍ତୁତଃ କୌଣସି ରାଜ୍ୟର ସୀମା ଅପରିବର୍ତ୍ତନୀୟ ନୁହେଁ। ସମ୍ୱିଧାନର ଧାରା ୩ ଅନୁଯାୟୀ ସଂସଦ ଦ୍ୱାରା ପାରିତ ଆଇନ ଅନୁସାରେ ନୂଆ ରାଜ୍ୟ ଗଠନ, ରାଜ୍ୟର କ୍ଷେତ୍ରଫଳ କମ୍‌ ବା ଅଧିକ, ସୀମା ପରିବର୍ତ୍ତନ, ଏପରି କି ରାଜ୍ୟର ନାମ ମଧ୍ୟ ପରିବର୍ତ୍ତନ କରା ଯାଇପାରିବ। ଏହି କ୍ଷମତାକୁ ପ୍ରୟୋଗ କରି ସଂସଦ ଆଇନ ପ୍ରଣୟନ କଲା ପରେ ଜାମ୍ମୁ ଓ କାଶ୍ମୀର ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜିତ କରାଯାଇ ପାରିଥିଲା। ବିବାଦରେ ଜଡ଼ିତ ରାଜ୍ୟଗୁଡ଼ିକ ଏହି ସାମ୍ୱିଧାନିକ ପ୍ରାବଧାନର ବାସ୍ତବତାକୁ ହୃଦୟଙ୍ଗମ କରି ପାରିଲେ ବିବାଦର ସମାଧାନ ପାଇଁ କିଛି କିଛି ତ୍ୟାଗ କରିବାକୁ ପ୍ରସ୍ତୁତ ହେବାରେ ହୁଏ’ତ ଅସୁବିଧା ହୁଅନ୍ତା ନାହିଁ। ତେବେ ରାଜ୍ୟର ସୀମା ପୁନର୍ନିଦ୍ଧାରଣ ପ୍ରକ୍ରିୟାଟି ଯେତିକି ସହଜ ମନେ ହେଉଛି, ତାହା ସେତେ ସହଜ ନୁହେଁ। କାରଣ ଏହା ଦ୍ୱାରା ପ୍ରଭାବିତ ରାଜ୍ୟଗୁଡ଼ିକୁ ବିଶ୍ୱାସକୁ ନ ନେଇ କେନ୍ଦ୍ର ଏକତରଫା ଭାବେ ଏହି କାର୍ଯ୍ୟଟି କରିବା ଅର୍ଥ ନୂଆ ସମସ୍ୟାକୁ ଜନ୍ମ ଦେବା। ତେଣୁ ପ୍ରଭାବିତ ରାଜ୍ୟଙ୍କ ସହ ବିଚାର ବିମର୍ଶ ପୂର୍ବକ ସେମାନଙ୍କୁ ପରିବର୍ତ୍ତିତ ସୀମାକୁ ଗ୍ରହଣ କରିବା ଲାଗି ରାଜି କରାଇବା କ୍ଷେତ୍ରରେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ପାରିବେ।

ଏ ପ୍ରସଙ୍ଗରେ ଭାରତ ଓ ବଙ୍ଗଳାଦେଶ ମଧ୍ୟରେ ଦୀର୍ଘ ଦିନରୁ ଚାଲି ଆସିଥିବା ଛିଟମହଲ (ଏନକ୍ଲେଭ) ସୀମା ବିବାଦର ସମାଧାନକୁ ଉଦାହରଣ ରୂପେ ଗ୍ରହଣ କରାଯାଇପାରେ। ଭାରତର କିଛି ଅଞ୍ଚଳ ବଙ୍ଗଳାଦେଶରେ ଓ ବଙ୍ଗଳାଦେଶର କିଛି ଅଞ୍ଚଳ ଭାରତ ସୀମା ଦ୍ୱାରା ପରିବେଷ୍ଟିତ ଥାଇ ସେଗୁଡ଼ିକୁ ଛିଟମହଲ କୁହାଯାଉଥିଲା। ଏହିପରି ଭାବେ ଭାରତର ୧୦୬ଟି ଛିଟମହଲ ବଙ୍ଗଳାଦେଶ ଭିତରେ ଥିଲା ବେଳେ ବଙ୍ଗଳାଦେଶର ୯୨ଟି ଛିଟମହଲ ଭାରତ ଭିତରେ ଥିଲା। ବସ୍ତୁତଃ, ସେହି ସବୁ ଛିଟମହଲର ଅଧିବାସୀମାନେ କୌଣସି ଦେଶର ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇ ଏକ ପ୍ରକାର ଦେଶହୀନ (ଷ୍ଟେଟ୍‌ଲେସ୍‌) ଭାବେ କାଳାତିପାତ କରୁଥିଲେ। ବଙ୍ଗଳାଦେଶରେ ଥିବା ଭାରତର ଛିଟମହଲଗୁଡ଼ିକୁ ବଙ୍ଗଳାଦେଶକୁ ଛାଡ଼ି ଦେଇ ଭାରତରେ ଥିବା ବଙ୍ଗଳାଦେଶର ଛିଟମହଲଗୁଡ଼ିକୁ ଗ୍ରହଣ କରିବା ପାଇଁ ରାଜି ହୋଇଗଲେ ସମସ୍ୟାର ସମାଧାନ ହେବାର ସମ୍ଭାବନା ଥିଲେ ବି ତଦ୍ଦ୍ୱାରା ଭାରତକୁ ପ୍ରାୟ ୪୦ ବର୍ଗ କିଲୋମିଟର ଭୂଭାଗ ହରାଇବାକୁ ପଡୁଥିଲା। ଏଥିପାଇଁ ନେହରୁ, ଇନ୍ଦିରା ଗାନ୍ଧୀ, ମନମୋହନ ସିଂହଙ୍କ ଦ୍ୱାରା ପ୍ରୟାସ ହୋଇ ଆସିଥିଲେ ବି ଦେଶର ଭୂମି ସହ ଦେଶବାସୀଙ୍କ ଆବେଗର ପ୍ରଶ୍ନ ଜଡ଼ିତ ଥିବାରୁ ତାହା ହୋଇପାରୁ ନ ଥିଲା। ଶେଷରେ ମୋଦୀ ୨୦୧୫ରେ ଭାରତର ପ୍ରାୟ ୪୦ ବର୍ଗ କିଲୋମିଟର ଭୂଭାଗ ବଙ୍ଗଳାଦେଶକୁ ଛାଡ଼ିବାକୁ ରାଜି ହୋଇ ଏହି ସମସ୍ୟାର ସମାଧାନ କରିବାକୁ ସକ୍ଷମ ହୋଇଥିଲେ ଓ ଉଭୟ ଦେଶ ମଧ୍ୟରେ ଏକ ପାରମ୍ପରିକ ସୀମା ନିର୍ଦ୍ଧାରିତ ହୋଇ ପାରିଥିଲା। ଅର୍ଥାତ୍, ଆବେଗର ବଶବର୍ତ୍ତୀ ନ ହୋଇ ବ୍ୟାବହାରିକ ଭାବେ ଆନ୍ତରିକତା ପ୍ରଦର୍ଶନ ପୂର୍ବକ ଉଦ୍ୟମ କରି ଦୀର୍ଘ ଦିନର ଏକ ଅନ୍ତର୍ଜାତୀୟ ସମସ୍ୟାର ସମାଧାନ କରାଯାଇ ପାରିଥିବାରୁ ସମାନ ଆଭିମୁଖ୍ୟ ସହ ଆନ୍ତଃରାଜ୍ୟ ସୀମା ବିବାଦଗୁଡ଼ିକର ସମାଧାନ କାହିଁକି ବା ହୋଇ ନ ପାରିବ? ବିବାଦର ସମାଧାନ କରିବା ଲାଗି ସମ୍ପୃକ୍ତ ରାଜ୍ୟଗୁଡ଼ିକ ମଧ୍ୟରେ ପାରସ୍ପରିକ ସହମତି ଓ ସହଯୋଗ ଆବଶ୍ୟକ ଓ ଏ କ୍ଷେତ୍ରରେ କେନ୍ଦ୍ର ସରକାର କେବଳ ସହାୟତା ପ୍ରଦାନକାରୀର ଭୂମିକା ନିର୍ବାହ କରି ପାରିବେ ବୋଲି କେନ୍ଦ୍ର ସରକାର କହିଥାଆନ୍ତି। ତେବେ ରାଜ୍ୟଗୁଡ଼ିକ ଉପରେ ବିବାଦ ସମାଧାନର ଦାୟିତ୍ୱ ଛାଡ଼ି ଦେଇ କେନ୍ଦ୍ର ସରକାର ନିଷ୍କ୍ରିୟ ରହିଲେ ଏଭଳି ବିବାଦଗୁଡ଼ିକର ସମାଧାନ ହେବା ତ ଦୂରର କଥା; ବରଂ ଭିତରେ ଭିତରେ କୁହୁଳି ଭୟଙ୍କର ରୂପ ଧାରଣ କରୁଥିବ। ତେଣୁ ବିବାଦ ସମାଧାନ ପାଇଁ କେନ୍ଦ୍ର ସରକାର ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ କରି ସକ୍ରିୟ ଭୂମିକା ନିର୍ବାହ କରିବା ଆବଶ୍ୟକ। ସମ୍ପୃକ୍ତ ରାଜ୍ୟଗୁଡ଼ିକ ସହ ନିୟମିତ ବାର୍ତ୍ତାଳାପ କରି ଉଭୟ ପକ୍ଷଙ୍କୁ ଏକା ଟେବୁଲରେ ବସାଇ ବିବାଦର ଗ୍ରହଣଯୋଗ୍ୟ ସମାଧାନର ବାଟ ଫିଟାଇବାକୁ ତତ୍ପରତା ପ୍ରକାଶ କରିବା ଉଚିତ।

ଆବଶ୍ୟକ ସ୍ଥଳେ ଉପଗ୍ରହର ଉପଯୋଗ କରି ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇପାରେ। ଆନ୍ତଃରାଜ୍ୟ ବିବାଦର ସଂଖ୍ୟାଧିକ ମାମଲା ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି। ଏହି ମାମଲାଗୁଡ଼ିକର ଆଶୁ ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ଏକ ସ୍ୱତନ୍ତ୍ର ବେଞ୍ଚ ପ୍ରତିଷ୍ଠା କରି ରାମ ମନ୍ଦିର ମାମଲା ଢାଞ୍ଚାରେ ଦୈନନ୍ଦିନ ଶୁଣାଣିର ବ୍ୟବସ୍ଥା କରାଯାଇପାରନ୍ତା। ୧୯୬୯ରେ ପ୍ରାଶାସନିକ ସଂସ୍କାର କମିସନଙ୍କ କେନ୍ଦ୍ର-ରାଜ୍ୟ ସମ୍ପର୍କ ଉପରେ ଗଠିତ ଷ୍ଟଡି ଟିମ୍‌ର ଅଧ୍ୟକ୍ଷ ଏମ୍‌ ସି ସିତଲବାଦ ସତର୍କ କରାଇ ଦେଇଥିଲେ, ‘ଆନ୍ତଃରାଜ୍ୟ ବିବାଦଗୁଡ଼ିକ ତୁରନ୍ତ ଓ ନିରପେକ୍ଷ ଭାବେ ସମାଧାନ ହେବା ଆବଶ୍ୟକ, ଅନ୍ୟଥା ସେଗୁଡ଼ିକ କ୍ଷତିକାରକ ଘାଆରେ ପରିଣତ ହୋଇ ସଂଘର୍ଷ ଉତ୍ପନ୍ନ କରିବେ, ବିକାଶକୁ ପ୍ରତିହତ କରିବେ, ଜନତା ଓ ସରକାରଙ୍କ ଶକ୍ତିକୁ ବିକୃତ ଦିଗରେ ନେଇଯିବେ ଓ ପ୍ରତି କ୍ଷେତ୍ରରେ ପ୍ରତିକୂଳ ଭାବନା ସୃଷ୍ଟି କରିବେ।’ ସିତଲବାଦଙ୍କ ସତର୍କ ବାଣୀ ଆଜି ମଧ୍ୟ କେତେ ପ୍ରାସଙ୍ଗିକ! ସମସ୍ୟାର ସମାଧାନରେ ଯେତେ ବିଳମ୍ୱ ହେଉଥିବ କ୍ଷତି ସେତେ ଅଧିକ ହେବ ଓ ଦେଶର ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଥିବ। ବସ୍ତୁତଃ ଆନ୍ତଃରାଜ୍ୟ ସୀମା ବିବାଦ ସୁପ୍ତ ଆଗ୍ନେୟଗିରି ସଦୃଶ ହଠାତ୍ ଜୀବନ୍ତ ହୋଇ ଭୟଙ୍କର ରୂପ ଧାରଣ କରି ଧନ ଜୀବନ ହାନି ହେବାର ଆଶଙ୍କା ଥିବାରୁ ସେଗୁଡ଼ିକର ସମାଧାନରେ ଦୀର୍ଘସୂତ୍ରୀ ଆଭିମୁଖ୍ୟ ସମ୍ପୃକ୍ତ ରାଜ୍ୟ ବା ଜାତୀୟ ସ୍ୱାର୍ଥର ଅନୁକୂଳ ନୁହେଁ ।

ମୋ- ୯୪୩୭୦୩୮୦୧୫
www.SaralJatil.com

ସମ୍ବନ୍ଧିତ ଖବର