ପୁଣି ଏକ ଅଲିମ୍ପିକ୍‌ସ ଖେଳ ଶେଷ ହୋଇଛି। ସବୁ ଥର ଅପେକ୍ଷା ଏଥରର ଖେଳଟିରେ ଭାରତ ଅଧିକ ପଦକ ହାସଲ କରିଛି, ପ୍ରଥମ ଥର ପାଇଁ ଆଥେଲେଟିକ୍‌ସରେ ସ୍ବର୍ଣ୍ଣ ଜିତିଛି ଓ ହକି ଖେଳରେ ଆମର ହୃତ ଗୌରବକୁ ଫେରି ପାଇଛି। ହେଲେ, ଏଥର ମଧ୍ୟ ଆମର ଅନେକ ଲଢୁଆ ଖେଳାଳି ଆଶାନୁରୂପ ପ୍ରଦର୍ଶନ କରି ପାରିନାହାନ୍ତି। ଏତେ ଜନସଂଖ୍ୟାର ଦେଶ ହୋଇ ସୁଦ୍ଧା ପଦକ ତାଲିକାରେ ଆମେ ନିମ୍ନ ଭାଗରେ ସ୍ଥାନ ପାଇଛୁ। ସବୁ ଥର ଭଳି ଏଥର ମଧ୍ୟ ଆସନ୍ତା ଥରକୁ ବାଜିମାତ କରିବାର ଆଶ୍ୱାସନା। ଏସବୁ ଘଟଣା ଏତେ ଦେହସୁହା ହେଇଗଲାଣି ଯେ ଆମେ ଆମ ଜାତିର ଅସଲ ଶକ୍ତି ଓ ପରାକ୍ରମ କେଉଁ କ୍ଷେତ୍ରରେ ରହିଛି, ତାହାକୁ ଭୁଲି, ଏଇ ଗତାନୁଗତିକ ଶରୀର-ଭିତ୍ତିକ ଓ ମାଂସପେଶୀ ଆଧାରିତ ପ୍ରତିଯୋଗିତା ଗୁଡ଼ିକରେ ଜିତିବାର ଚେଷ୍ଟା କରୁଛୁ। ଯେହେତୁ ଆମର ଶକ୍ତି ନିମ୍ନ ପ୍ରଦତ୍ତ କ୍ଷେତ୍ରଗୁଡ଼ିକରେ ଭରି ରହିଛି, ଆମ ଦେଶର କର୍ତ୍ତୃପକ୍ଷ ଅଲିମ୍ପିକ୍‌ସରେ ସେହି ଖେଳଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିବା ବିଧେୟ। ତା’ ହେଲେ ଯାଇ ଭାରତ ବିପୁଳ ସ୍ୱର୍ଣ୍ଣ ବିଜୟ ଅଭିଯାନରେ ସଫଳକାମ ହେବ।

Advertisment

ଆତ୍ମାର ଦୌଡ଼ ହେଉଛି ସେଥିରୁ ଗୋଟିଏ। ସବୁ ଦୌଡ଼ ପ୍ରତିଯୋଗିତାର ଗୋଟିଏ ଲକ୍ଷ୍ୟ ଏହି ନଶ୍ୱର ଶରୀରକୁ କେମିତି ଅନ୍ୟମାନଙ୍କ ଠାରୁ ଆଗରେ ରଖି ଲକ୍ଷ୍ୟସ୍ଥଳରେ ପ୍ରଥମେ ପହଞ୍ଚିବା। କ’ଣ ବଡ଼ କଥା ଅଛି ଏମିତି ପ୍ରାଣ ବିକଳ ହୋଇ ଅତର୍ଚ୍ଛା ଧାଇଁବାରେ? ଆମେ ଭାରତୀୟମାନେ କିନ୍ତୁ ଏମିତି ଧପଡ଼ାରେ ବିଶ୍ୱାସ ରଖୁନା। ଯଦି ପାରୁଛ ତ ଆମକୁ ଆତ୍ମାର ରେସ୍‌ରେ ଜିତି ଦେଖାଅ। ଆତ୍ମା ଦୌଡ଼ରେ ଆମେ ଭାରତୀୟ ସବୁଠୁଁ ଆଗରେ; କାରଣ ଆମେ ଭୂମିଷ୍ଠ ହେବା ଦିନ ଠୁଁ ଆମର ଆତ୍ମା ଧାଉଁଛି ପରମାତ୍ମାରେ ମିଶିବା ପାଇଁ। ସାଧୁ, ସନ୍ଥ ଓ ବାବାଜିମାନେ ଆମକୁ ଏଇ ଆତ୍ମା-ପରମାତ୍ମା ମହାମିଳନ ପାଇଁ ଉତ୍ସାହିତ କରି ଚାଲନ୍ତି। ଏହି ଦୌଡ଼ ଅଲିମ୍ପିକ୍‌ସରେ ଅନ୍ତର୍ଭୁକ୍ତ ହେଲେ କେହି ଆମର ସ୍ୱର୍ଣ୍ଣ ପଦକରେ ହାତ ଦେଇ ପାରିବେ ନାହିଁ।

ଦ୍ବିତୀୟ ପ୍ରତିଯୋଗିତା ହେଉ ଗୋଡ଼ ଟଣାଟଣି। ଏହି ପ୍ରତିଯୋଗିତାଟି କୁସ୍ତି ଶ୍ରେଣୀୟ, ହେଲେ କେତେକ ବିଶେଷ ଗୁଣବତ୍ତାର ପରିଚାୟକ। କୁସ୍ତିରେ ଉତ୍ତମ ପ୍ରଦର୍ଶନ ପ୍ରତିଯୋଗୀର ଦେହର ବଳ ଓ କିଛି ଶୈଳୀ ଉପରେ ନିର୍ଭରଶୀଳ ହୋଇଥିବା ବେଳେ ଗୋଡ଼ ଟଣା ଖେଳ ଜିତିବା ପାଇଁ ଦରକାର ଏକ ସ୍ୱତନ୍ତ୍ର ମନୋଭାବ, ଯାହା ସୌଭାଗ୍ୟବଶତଃ ଆମକୁ ଜନ୍ମରୁ ମିଳିଯାଇଥାଏ। ସମସ୍ତ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ନିଜ ସ୍ତରରେ ବା ତଳେ ରଖିବାର ମନୋବୃତ୍ତି ହିଁ ଏହି ଖେଳରେ ଜିତିବାର ଅସଲ ସହାୟକ ହୁଏ। ଏହି ଖେଳରେ ସିଦ୍ଧହସ୍ତ ହେବା ପାଇଁ ଆମେ କଙ୍କଡ଼ାମାନଙ୍କୁ ଆମର ପ୍ରଶିକ୍ଷକ ହିସାବରେ ଗ୍ରହଣ କରିଥାଉଁ। କବାଡ଼ି ଖେଳ ସିନା ଆଜିଯାଏଁ ଅଲିମ୍ପିକ୍‌ସର ମାନ୍ୟତା ପାଇ ପାରିଲା ନାହିଁ, ଯଦି ଏହି ଗୋଡ଼ ଟଣା ସେ ମାନ୍ୟତା ପାଏ ତେବେ ଜିତାପଟ ଆମର।

ଅଲିମ୍ପିକ୍‌ସରେ ଦୂରକୁ ଫୋପାଡ଼ିବା ସମ୍ବନ୍ଧୀୟ ଅନେକ ଖେଳ ଯେମିତିକି ଡିସ୍‌କସ୍‌ ଓ ଜାଭେଲିନ ଭଳି ଗୁଜବ ଫୋପଡ଼ା ସ୍ଥାନ ପାଇଲେ ଆମେ ଭାରତୀୟମାନେ କାହାକୁ ଜିଣିବାକୁ ଦେବୁ ନାହିଁ। କୌଣସି ବିଷୟ ଦିଅନ୍ତୁ ଆମେ ଭାରତୀୟମାନେ ଅବିଳମ୍ବେ ସୁଆଦିଆ ଗୁଜବମାନ ପ୍ରସ୍ତୁତ କରି ଦୂରକୁ ଫିଙ୍ଗିବା ଆରମ୍ଭ କରିଦେବୁ। ଏହି ବିଶେଷ ଦକ୍ଷତାକୁ ତ୍ୱରାନ୍ୱିତ କରିବା ପାଇଁ ଆଜିକାଲି ଆମେ ସାମାଜିକ ଗଣମାଧ୍ୟମର ସାହାଯ୍ୟ ମଧ୍ୟ ନେଉଛୁ। ଜନ୍ମଜାତ ପ୍ରତିଭା ଓ ଆଧୁନିକ ପ୍ରଯୁକ୍ତି-ବିଜ୍ଞାନର ସମ୍ମିଶ୍ରଣ ଫଳରେ ଏ କ୍ଷେତ୍ରରେ ଆମ ଦେଶର ପ୍ରତିଯୋଗୀ ଯେ ଅନାୟାସରେ ସୁନା ମେଡାଲ ଜିତିବେ, ଏଥିରେ ସନ୍ଦେହ ନାହିଁ।

ସେମିତି ଆଉ ଗୋଟିଏ ବିଭାଗ ହେଉଛି ଚଉକି ଫୋପଡ଼ା। ଏ ଖେଳରେ ବେଶ୍‌ ପାରଦର୍ଶିତା ଲାଭ କରିପାରିଛନ୍ତି ଆମର ନେତୃ ସ୍ଥାନୀୟ ବ୍ୟକ୍ତିମାନେ। ବିଭିନ୍ନ ପାରିଷଦ ଗୃହମାନଙ୍କରେ ସଦସ୍ୟମାନଙ୍କର ଚେୟାର ଭଙ୍ଗାରୁଜା ଓ ଫୋପଡ଼ା ଏକ ସାଧାରଣ ଦୃଶ୍ୟ ଓ ସେହି ଦୃଶ୍ୟର ସିଧା ପ୍ରସାରଣ ହେଉଥିବାରୁ ସର୍ବସାଧାରଣ ମଧ୍ୟ ଏଥିରେ ଯଥେଷ୍ଟ ଅଭିଜ୍ଞତା ଲାଭ କରି ପାରିଛନ୍ତି। ଅଲିମ୍ପିକ୍‌ସରେ ସ୍ୱୀକୃତି ପାଇଲେ ଏହି ଖେଳରେ ଯେ ସବୁଠୁ ଦୂରକୁ ଚେୟାର ନିକ୍ଷେପ କରି ଭାରତୀୟ ପ୍ରତିଯୋଗୀ ବିଜୟୀ ହେବେ, ଏଥିରେ ସନ୍ଦେହ ନାହିଁ। ଏହି ଖେଳର ପ୍ରବର୍ତ୍ତକ ଓ ପୃଷ୍ଠପୋଷକ ହିସାବରେ ରାଜନୀତିଜ୍ଞମାନେ ନିଜର ପ୍ରତିପତ୍ତି ଲଗାଇ ଖୁବ୍‌ ଶୀଘ୍ର ଖେଳଟି ପାଇଁ ମାନ୍ୟତା ହାସଲ କରିବା ଉଚିତ।

ଏହା ଏକ ନୂଆ ଖେଳ, ଯାହାର ଲକ୍ଷ୍ୟ ହେଉଛି କେତେ ଶୀଘ୍ର କ୍ୟାବିନ ପକାଇ ଏକ ନିର୍ଦ୍ଦିଷ୍ଟ ଖାଲି ସ୍ଥାନକୁ ପୂରଣ କରିପାରିବା। ସେ ଜାତୀୟ ରାଜମାର୍ଗ ହେଉ କି ପଥଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଛୋଟ ପଥ; ନୂଆ ରାସ୍ତାଟିଏ ଖୋଲିଲା ମାତ୍ରକେ ଆମେ ଭାରତୀୟ ତା’ର ଉଭୟ ପାର୍ଶ୍ୱରେ କ୍ୟାବିନ ପକାଇବାରେ ହେଳା କରୁନା; ଏହି ଖେଳଟିରେ ପ୍ରତ୍ୟୁତ୍ପନ୍ନମତିତା ଓ ମାନସିକ ଶକ୍ତି ତ ଦରକାର, କିନ୍ତୁ ତା’ଠୁ ବି ଅଧିକ ଦରକାର କର୍ତ୍ତୃପକ୍ଷଙ୍କ ଆଖି ଆଢୁଆଳରେ କେମିତି ନିଜର ଉଦ୍ଦେଶ୍ୟ ସାଧନ କରିବା ଓ ଆବଶ୍ୟକ କ୍ଷେତ୍ରରେ ରାଜନୀତିର ଫାଇଦା ଉଠାଇ ନିଜର ଅବସ୍ଥିତିକୁ ଦୀର୍ଘସ୍ଥାୟୀ କରିବା। ପୃଥିବୀର ଅନ୍ୟ ଦେଶର ନାଗରିକମାନଙ୍କର ଏହି କ୍ରୀଡ଼ାକ୍ଷେତ୍ରରେ ବିଶେଷ ଅଭିଜ୍ଞତା ନ ଥିବାରୁ ଭାରତର ସ୍ୱର୍ଣ୍ଣ ପଦକ ପାଇବା ନିଶ୍ଚିତ।

ଅଲିମ୍ପିକ୍‌ସର ପାରମ୍ପରିକ ଖେଳ ଗୁଡ଼ିକରେ ଆମେ ସିନା ପଛରେ ପଡ଼ିଗଲୁ, ହେଲେ ଏହି ସବୁ ନୂଆ ବିଭାଗ ଗୁଡ଼ିକରେ କିଏ ବା ଆମ ପାଖ ମାଡ଼ିବ?

ମୋ- ୯୪୩୭୦୮୯୬୫୫