ରାଜନୀତି ଓ ରାଜନେତା

ଲୋକକ୍ଷେତ୍ର - ହରପ୍ରସାଦ ଦାସ

ରାଜନୀତିର ଉଦ୍ଧାର ପାଇଁ ଗଣତନ୍ତ୍ରର ପୁନର୍ବିଚାର ଦରକାର। ଏହି ସ୍ତମ୍ଭରେ ମୁଁ ବରାବର କହି ଆସୁଚି ଯେ ଭାରତୀୟ ରାଜନୀତି ବର୍ତ୍ତମାନ ପୌନଃପୁନିକତାରେ କ୍ଳାନ୍ତ। ରାଜନେତାମାନେ ନିର୍ବାଚନୀ-ରାଜନୀତି ଓ ଶକ୍ତି-ରାଜନୀତିର କ୍ରିୟାକଳାପଗୁଡ଼ିକୁ ଦେଖି ଦେଖି ଶିଖି ଶିଖି ଏଭଳି ଏକ ସ୍ଥିତିରେ ପହଞ୍ଚିଲେଣି ଯେ ରାଜନୀତି କରିବାର ଅର୍ଥ ଓ ରୂପରେଖ ଏକ ପ୍ରକାରର ସାରଣୀ ବା ଟେମ୍ପଲେଟ୍‌ରେ ଆବଦ୍ଧ ହୋଇଗଲାଣି। ରାଜନୈତିକ କର୍ମ ଓ ଚିନ୍ତନ ଉଭୟରେ ନବୀନତା ପ୍ରାୟ ଅସମ୍ଭବ ହୋଇଗଲାଣି। ଯଦି କେବେ କୋଉଠି ଜଣେ ନୂଆ ରାଜନେତା ସମାଜର କୌଣସି ଏକ ଭିନ୍ନ କ୍ଷେତ୍ରରୁ ଆସି ରାଜନୀତିକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିବାକୁ ଚାହେ, ତେବେ ସେ ଅତି ଆଗ୍ରହର ସହିତ ଆରମ୍ଭ କରିବ ସିନା, ଅଳ୍ପ କାଳ ମଧୢରେ ପୁଣିଥରେ ସେହି ସିଦ୍ଧ-ସାରଣୀରେ ପଡ଼ିଯିବ। ତା’ର କାରଣ ରାଜନେତାର ଗତାନୁଗତିକ ଚିନ୍ତନ ଓ ବ୍ୟବହାର ତା’ର ନିଜର ଏକ ଗତାନୁଗତିକ ପରିବେଶ ଓ ପରିମଣ୍ତଳ ନିର୍ମାଣ କରିସାରିଚି। ଆଗରୁ ଯେଭଳି ହେଉଥିଲା, ଏବେ ମଧୢ ତାହାହିଁ କରିବାର ଏକ ବାଧୢବାଧକତା ସୃଷ୍ଟି ହୋଇସାରିଚି, ତାକୁ ବଦଳାଇବା ରାଜନେତା ପାଇଁ ବିପଜ୍ଜନକ ବା ହାନିକାରକ। କହିପାରନ୍ତି ଏକ ପ୍ରକାର ବୌଦ୍ଧିକ-ଭୀରୁତା ରାଜନୀତିକୁ ସ୍ଥାଣୁ କରି ରଖିଚି। ଏ ସ୍ଥାଣୁତାର ବାର୍ତ୍ତା ହେଲା, ବଦଳାଇବାର ସାହସ କରନା। ଅର୍ଥାତ୍‌ ରାଜନୀତିର ଲକ୍ଷ୍ୟ, ଭୟ ଓ ବିଚାରଧାରା ତିନିଟି ଯାକ ସ୍ଥିର ହୋଇ ରହିବା ହିଁ ରାଜନେତା ପାଇଁ ମଙ୍ଗଳକାରକ। ରାଜନୀତିର ଲକ୍ଷ୍ୟ ଯଦି ହୁଏ ମତ ହାସଲ, ତେବେ ଯେଉଁ ଉପାୟରେ ମତ ହାସଲ କରାଚାଲିଚି ସେଇ ଉପାୟଟି ରହୁ, ତାକୁ ବଦଳାଅନା ବା ସେଥିରେ ନୂଆ କିଛି ଦୃଷ୍ଟିକୋଣ ଆଣି ପୂରାଅନା। ରାଜନୀତିର ଉତ୍ସ ଯଦି ହୋଇଥାଏ ‘ଲୋକକ୍ଷେତ୍ର’, ତେବେ ଇଏ ଆଗରୁ ଯାହା ଥିଲା,ତାହା ରହୁ; ଲୋକକ୍ଷେତ୍ରର ନୂଆ ଆକଳନ ବା ଅନୁମାନ କରନା। ରାଜନୀତିର ବିଚାରଧାରା ଯଦି ସମାଜବାଦ ବା ରାଷ୍ଟ୍ରବାଦ ବା ଉଦାରବାଦ; ତେବେ ୟାକୁ ପ୍ରୟୋଗ କରିବାର ସ୍ଥାନୀୟ ଉପାୟ ଆବିଷ୍କାର କରି ସମୟ ନଷ୍ଟ କରନା। ଉପରେ ଉପରେ ଯାହା କୁହାଚାଲିଚି, ତାକୁଇ କୁହ, ସେତିକି କୁହ, ଅଧିକ ଗଭୀରକୁ ଯାଅନା। ୟା’ର ପରିଣତି ଏଇଆ ଯେ ଭାରତୀୟ ରାଜନୀତିର ଲୋକ ଉପାଦାନ, ବୌଦ୍ଧିକ ଉପାଦାନ ଓ ବୈଚାରିକ ଉପାଦାନ ତିରିଶ ଚାଳିଶ ବର୍ଷ ତଳେ ଯାହା ଥିଲେ ଏବେ ମଧୢ ସେଇଆ।

ରାଷ୍ଟ୍ରୀୟ ରାଜନୀତିରେ ଭାରତୀୟତାର ପ୍ରକାଣ୍ତ ସ˚କଳ୍ପ ନେଇ ଯେଉଁ ନୂଆ ରାଜନୀତି ଆରମ୍ଭ ହେଲା, ଯାହାର ନୈତିକ ପୃଷ୍ଠଭୂମି ଓ ତୃଣମୂଳସ୍ତରୀୟ ଅଙ୍ଗୀକାର, ରାଜନୀତିର ଦୃଶ୍ୟପଟକୁ ବଦଳାଇ ଦେବ ବୋଲି ଆଶା କରାଯାଉଥିଲା, ରାଜନୈତିକ ଗତାନୁଗତିକତାକୁ ବଦଳାଇ ପାରିନାହିଁ। କିନ୍ତୁ, ଭାରତରେ ଗଣତନ୍ତ୍ରକୁ ଏକ ରାଜନୈତିକ ବିଷୟବସ୍ତୁ ଭାବରେ ପୁନର୍ଜାଗରିତ କରିଚି। ଏହା ଏକ ସୁଯୋଗ, କିନ୍ତୁ ଏହାର ବ୍ୟବହାର କାହିଁକି ହୋଇପାରୁନାହିଁ? ୟାର କାରଣ ହେଲା ରାଜନୀତିର ଲକ୍ଷ୍ୟ, ଉତ୍ସ ଓ ବିଚାରଧାରା ତିନିଟି ଯାକ ଏବେ, ପ୍ରତିଷ୍ଠିତ ପରିମଣ୍ତଳ ସହିତ ନିଜର ପ୍ରଭାବ କ୍ଷେତ୍ର ପାଇଁ ଯୁଦ୍ଧରତ। ଲୋକଙ୍କର ମତ ହାସଲ ପାଇଁ କ’ଣ କରିବାକୁ ହେବ? ଏବର ଚିନ୍ତନ କ’ଣ? ସଦ୍ୟତମ ଚିନ୍ତନ ବୋଧହୁଏ ଜାତିଭିତ୍ତିକ ଜନଗଣନାର ପ୍ରତ୍ୟାଖାନ। ଜାତିଭିତ୍ତିକ ରାଜନୀତି ଭାରତୀୟ ଗଣତନ୍ତ୍ରକୁ କିଭଳି ପଥଭ୍ରଷ୍ଟ ଓ କଳୁଷିତ କରିଚି, ତା’ର ଉଦାହରଣ ଭାରତର ଅନେକ ରାଜ୍ୟରେ ଦେଖିବାକୁ ମିଳିବ। ଜାତିଭିତ୍ତିକ ଜନଗଣନାର ପ୍ରତ୍ୟାଖ୍ୟାନ କଲେ ତୃଣମୂଳ ସ୍ତରରେ କି ପ୍ରକାରର ନୂଆ ସ˚ଯୋଗସୂତ୍ର କାମ କରିବ ସମୟ କ୍ରମେ ଦେଖାଯିବ, କିନ୍ତୁ ଏକ ସ୍ପଷ୍ଟ ଇଙ୍ଗିତ ମିଳିଲା ଯେ ଭାରତୀୟ ରାଷ୍ଟ୍ର ବା ରାଜନୀତି ପରିପକ୍ବ ହେବାର ପ୍ରକ୍ରିୟାରେ ‘ଜାତି’କୁ ରାଜନୀତିର ଏକ ଅବଶ୍ୟମ୍ଭାବୀ କ୍ରୀଡ଼ାକ୍ଷେତ୍ର ବୋଲି ଭାବିବା ବର୍ଜ୍ୟ। ଏ ଏକ ସାହସିକ ପଦକ୍ଷେପ। ଏ ପଦକ୍ଷେପ ଦ୍ବାରା ସମକାଳୀନ ରାଷ୍ଟ୍ରନୀତି ଓ ରାଜନୀତି ଉଭୟ ଅଚଳାୟତନ ଓ ଅସ୍ପୃହଣୀୟତାରୁ ମୁକ୍ତ ହୋଇଗଲେ। ଲୋକକ୍ଷେତ୍ରକୁ ଏ ସଙ୍କେତ ଗଲା ଯେ ଜାତି ବିଚାର ଆଧୁନିକ ଗଣତନ୍ତ୍ରରେ ଅପ୍ରାସଙ୍ଗିକ। କିନ୍ତୁ ଏ ସ˚କେତର ପୂର୍ଣ୍ଣ ରୂପ ବିକଶିତ ହେବ, ଯେତେବେଳେ ଆରକ୍ଷଣର ରାଜନୀତି ସହିତ ୟାର ଭାରସାମ୍ୟ ନିର୍ଗତ ହେବ। ମତ ହାସଲ ପାଇଁ ଲୋକଙ୍କୁ ‘ମାଗଣା-ସୁବିଧା’ ଉପଲବ୍‌ଧ କରାଇବାର ରାଜନୀତିରେ ଯେଉଁ ପରିବର୍ତ୍ତନ ଆସିବା କଥା, ତାହା ସମ୍ଭବ ହେଉନାହିଁ, କାରଣ ୟାର ପ୍ରତ୍ୟକ୍ଷ ସ˚ପର୍କ ତୃଣମୂଳ ସ୍ତରର ସେହି ଅସ˚ଖ୍ୟ ସାଧାରଣ ମଣିଷଙ୍କ ସହିତ, ଯେଉଁମାନେ ଶକ୍ତି ରାଜନୀତିର ଉପାଦାନ। ଲୋକକ୍ଷେତ୍ରକୁ ନେଇ ନୂଆ ଚିନ୍ତନ ବିକଶିତ କରାଇବାରେ ବର୍ତ୍ତମାନ ସମୟ ବୋଧହୁଏ ଭାରତୀୟ ଇତିହାସର ଶ୍ରେଷ୍ଠ ସମୟ। ଭୋଟଦାତା ନାଗରିକ ଜଣେ ଭାରତୀୟ ଓ ଭାରତୀୟତାରେ ଉଦ୍‌ବୁଦ୍ଧ ହେବା ତା’ଠାରୁ ଆଶା କରାଯାଏ। ସୁତରାଂ, ଲୋକକ୍ଷେତ୍ର ଭାରତୀୟଙ୍କର। ଏ ଗୋଟେ ବଡ଼ ପରିବର୍ତ୍ତନ।

ବିଚାରଧାରା ସ୍ତରରେ ଭାରତୀୟତା ସହିତ ରାଷ୍ଟ୍ରୀୟତା, ଦେଶପ୍ରେମ, ପର˚ପରାବୋଧ, ଅଗ୍ରଗାମୀ ବିଶ୍ବ ନେତୃତ୍ବ ଓ ଅନ୍ୟ ବହୁ ବିଚାରଧାରା ଏ ଭିତରେ ଲୋକକ୍ଷେତ୍ରରେ ଚର୍ଚ୍ଚିତ ହୋଇଚନ୍ତି; କିଛି କାଳ ପରେ ଏଗୁଡ଼ିକ ଭାରତୀୟ ଲୋକସ୍ମୃତିରେ ପ୍ରବେଶ କରିଯିବେ। କିନ୍ତୁ ଲୋକକ୍ଷେତ୍ରରେ ଏଗୁଡ଼ିକର ପ୍ରତିଷ୍ଠା ପାଇଁ ଉଚ୍ଚକୋଟୀର ବୌଦ୍ଧିକ ପ୍ରସଙ୍ଗ- ବିମର୍ଶ ଦରକାର। ଏହାର ଅର୍ଥ ନୁହେଁ ଜଟିଳ ବା ଅଭେଦ୍ୟ ଦାର୍ଶନିକତା। ସାଧାରଣ ଲୋକଙ୍କ ‘ବୋଧ’ରେ ବୌଦ୍ଧିକ ବିଚାର ପ୍ରବେଶ କରାଇବା ପାଇଁ ଚିନ୍ତନର ସ୍ପଷ୍ଟତା, ଭାଷାର ବୋଧଗମ୍ୟତା ଓ ବାର୍ତ୍ତା ବିନିମୟରେ ଆନ୍ତରିକତା ଆବଶ୍ୟକ। ଲୋକକ୍ଷେତ୍ରରେ ଉଚ୍ଚକୋଟୀର ବୌଦ୍ଧିକତାର ଅର୍ଥ ଏଇଆ। ବିଚାରଧାରା କ୍ଷେତ୍ରରେ ସବୁଠୁ ବଡ଼ ବିବଦମାନ ପ୍ରସଙ୍ଗ ହେଇ ଉଠିଚନ୍ତି ଭାରତୀୟତା ଓ ରାଷ୍ଟ୍ରବାଦ। ବର୍ତ୍ତମାନର ସତ୍ତାଧାରୀ ରାଜନୈତିକ ଦଳ ଏ ଦୁଇ ବିଚାରଧାରାକୁ କେତେ ଦୃଢ଼ତା ଓ ଆକ୍ରାମକତାର ସହିତ ଆଗକୁ ନେବେ, ତାହା ଆଗକୁ ଦିଶିବ, କିନ୍ତୁ କହିବାରେ ଦ୍ବିଧା ନାହିଁ ଯେ ଛଳ-ଉଦାରବାଦୀମାନଙ୍କ ଆକ୍ରାମକତା ଓ ଅପପ୍ରଚାର ଏ ଦୁଇ ବିଚାରଧାରାକୁ ସନ୍ଦିଗ୍‌ଧ କରି ରଖିଚନ୍ତି। ଭାରତୀୟ ରାଷ୍ଟ୍ରବାଦକୁ ସେମାନେ କାହିଁକି ଫାସିବାଦ ବୋଲି କହୁଚନ୍ତି ମୁଁ ବୁଝିପାରୁନାହିଁ। ସେମାନେ ତର୍କ ପାଇଁ ପ୍ରସ୍ତୁତ ନୁହନ୍ତି କି ତାଙ୍କ ପାଖରେ ତର୍କ ନାହିଁ; କିନ୍ତୁ ସେମାନଙ୍କର ପ୍ରଭାବରେ ଦେଶର ନୂଆ ପିଢ଼ିର ଅନେକ ସ˚କ୍ରମିତ ହେଲେଣି। ୟାକୁ ପ୍ରତିହତ କରିବା ପାଇଁ ସତ୍ତାଧାରୀ ଦଳର ତୃଣମୂଳ ସ୍ତରର ନେତା ବା ‘ପାର୍ଟି ଆଡିଲେଗ୍‌’ ମାନେ ପ୍ରସ୍ତୁତ କି? ହୁଏ’ତ ସମସ୍ତେ ପ୍ରସ୍ତୁତ, କିନ୍ତୁ ଲୋକକ୍ଷେତ୍ରରେ ଉପଯୁକ୍ତ ମଞ୍ଚ ନିର୍ମାଣ ହେଉନାହିଁ କାହିଁକି? ବିପୁଳ ବୈଚାରିକ ପରିବର୍ତ୍ତନ ନେଇ ଆସିଥିବା ସତ୍ତ୍ବେ ରାଜନେତାମାନେ ତୃଣମୂଳ ସ୍ତରରେ ବା ବୌଦ୍ଧିକ ଅନୁଷ୍ଠାନମାନଙ୍କରେ ବିଚାରଧାରାର ବ୍ୟାଖ୍ୟା ପାଇଁ ସୁଯୋଗ ନ ଖୋଜିବା ଏକ ପ୍ରକାରର ବୌଦ୍ଧିକ ଭୀରୁତା ନୁହେଁ କି? ବହୁ ସ˚ଖ୍ୟକତା ସହିତ ବିପୁଳ ଜନାଦେଶପ୍ରାପ୍ତ ରାଜନେତା ନିଜ ଦଳର ବିଚାରଧାରାକୁ ତୃଣମୂଳ, ମଧୢବର୍ଗୀ ଓ ବୌଦ୍ଧିକ (ଆନୁଷ୍ଠାନିକ) ସ୍ତରରେ ଲୋକଙ୍କୁ ବୁଝାଇ ନ ପାରିବା ବିସ୍ମୟକର ନୁହେଁ କି? ୟାର ମୂଳ କାରଣ ହେଉଚି ନେତାମାନେ ପାଠ ଜାଣିଛନ୍ତି, କିନ୍ତୁ ଲୋକଙ୍କୁ ବିଚାରଧାରା ବୁଝେଇବାର ବାଗ ପାଇନାହାନ୍ତି। ସେମାନେ ଲୋକଙ୍କୁ ତାଙ୍କ ଭାଷାରେ ବୁଝାଇବା ପାଇଁ ପ୍ରସ୍ତୁତ ହୋଇନାହାନ୍ତିି।

ଏ ପ୍ରସ୍ତୁତି ପାଇଁ ସା˚ସ୍କୃତିକ ଉପାଦାନ ଲୋଡ଼ା। ପାଠ, ଭାଷା, ଅଭିବ୍ୟକ୍ତି ଓ ମୁକ୍ତ ଆଳାପ ମାଧୢମରେ ଚିନ୍ତନର ଉନ୍ମୀଳନ, ବିକାଶ ଓ ପ୍ରସାର ହୁଏ। ଆମ ରାଜନେତାମାନେ କାହିଁକି ଭାବନ୍ତି ଯେ ମାନବୀୟ ଅଭିବ୍ୟକ୍ତି ଗୁଡ଼ିକ ମନୋର˚ଜନ ବା ସାହିତ୍ୟର ବିଷୟ? କାହିଁକି ଏ ଧାରଣା ବଳବତ୍ତର ହୋଇଚାଲିଚି ଯେ ରାଜନୀତିର ଅର୍ଥ ମିଥ୍ୟାଚାର, ଭ୍ରଷ୍ଟାଚାର, ଅସତ୍ୟ ଓ ଅସାଧୁତା? ରାଜନେତାମାନେ କ’ଣ ଭାବନ୍ତି ଯେ ଲୋକେ ସେମାନଙ୍କର ଛଳ ଗାମ୍ଭୀର୍ଯ୍ୟ, ଛଳ ଆନ୍ତରିକତା, ମିଛ ପ୍ରତିଶ୍ରୁତି ଓ ସୁଯୋଗ ଉଣ୍ତା ଏବଂ ସୁବିଧା ଖୋଜାକୁ ବୁଝନ୍ତି ନାହିଁ। ଲୋକେ ଠିକ୍‌ ବୁଝନ୍ତି, କିନ୍ତୁ କହନ୍ତି ନାହିଁ। ମତଦାନ କରୁଥିବା ଲୋକଙ୍କର ଗୋଟେ ବଡ଼ ଭାଗ ଏହିଭଳି ଲୋକଙ୍କୁ ନେଇ ତିଆରି ହୁଏ, ୟାକୁ କୌଣସି ଉପାୟରେ ସନ୍ତୁଷ୍ଟ କରି ନିର୍ବାଚନ-ବୈତରଣୀ ପାରି ହେଲା ପରେ ଦେଖାଯିବ। ହୁଏ’ତ ଆଉ ପାଞ୍ଚ ବର୍ଷ ପରେ, ଏ ଲୋକଙ୍କ ସ˚ଖ୍ୟା ବଢ଼ିଥିବ, ବିବେକୀ ଓ ସଚେତ ହେବା ସ୍ଥାନରେ ସେମାନେ ଅଧିକ ଅବିବେକିତା, ସ୍ବାର୍ଥ ସନ୍ଧାନ ଓ ବକ୍ତବ୍ୟହୀନ ପୁତ୍ତଳିକାରେ ପରିଣତ ହୋଇଥିବେ। ୟାର କାରଣ ଉଭୟ ରାଜନେତା ଓ ଅଭିବ୍ୟକ୍ତିହୀନ ଜନତା ସବୁ ଜାଣି ମଧୢ ଅଜ୍ଞ ହୋଇ ରହିବାରେ ଦୁଇପଟକୁ ଲାଭ। ଅଜ୍ଞତାର ରାଜନୀତି ଗଣତନ୍ତ୍ରର ସ୍ବାଭାବିକ ପରିଣତି ନା ଗଣତନ୍ତ୍ରକୁ କେବଳ ଗଣତନ୍ତ୍ର ନାଁରେ କବଳିତ କରିବାର ଏକ କଳ୍ପନା ଶକ୍ତିହୀନ ସହଜ ପନ୍ଥା?

ଗଣତନ୍ତ୍ରର ‘ଗଣ’ ଏବେ ରାଜନୀତିର ସମସ୍ତ ଶକ୍ତିର ଉତ୍ସ, କିନ୍ତୁ ଶକ୍ତିତନ୍ତ୍ରର ସୁମାରି ବାହାରେ। ରାଜନୀତି ବିଜ୍ଞାନର ଜଣେ ଆଗ୍ରହୀ ଛାତ୍ର ଭାବରେ ‘ଡିମୋକ୍ରାସି’ର ‘ଡିମୋସ୍‌’ ବା ଗଣକୁ ନେଇ ମୋର ବହୁ ଦିନରୁ ଅବଦମିତ ଗୋଟିଏ ସନ୍ଦିଗ୍‌ଧତା ଦୂର ହେଲା ୧୯୯୯ରେ ପ୍ରକାଶିତ ଫରାସୀ ଦାର୍ଶନିକ ଓ ରାଜନୀତି ଶାସ୍ତ୍ରର ପ୍ରଫେସର ଜାକ୍‌ ରାନ୍‌ସିଏରଙ୍କ ଚର୍ଚ୍ଚିତ ଗ୍ରନ୍ଥ ‘ଡିସ୍‌ଏଗ୍ରିମେଣ୍ଟ: ପଲିଟିକ୍‌ସ ଆଣ୍ତ ଫିଲୋସୋଫି’ ପଢ଼ିଲା ପରେ। ପ୍ରକୃତରେ ଏ ‘ଡିମୋସ୍‌’ କିଏ? ରାନ୍‌ସିଏର ସ୍ପଷ୍ଟ କଲେ ଯେ ଏ ‘ଡିମୋସ୍‌’ ସାଧାରଣ ଲୋକ ବା ଜନସାଧାରଣ ନୁହନ୍ତି। ଗ୍ରୀକ୍‌ ଇତିହାସରେ ଏମାନଙ୍କର କରୁଣ ଗାଥ‌ା ରହିଚି। ସୋଲୋନ୍‌ଙ୍କ ସ˚ସ୍କାର ଫଳରେ ଖ୍ରୀଷ୍ଟପୂର୍ବ ୫୯୪ରେ ଗ୍ରୀସ୍‌ରେ ଋଣ ଶୁଝି ନ ପାରି କ୍ରୀତଦାସ ହୋଇ ଜୀବନ ବିତାଉଥିବା ଲୋକେ ଦାସତ୍ବରୁ ମୁକ୍ତ ହେଲେ। ଏମାନେ ନାଗରିକ ଜୀବନରେ ପ୍ରବେଶ କଲେ ଓ ପାଇଲେ ଯେ ସ˚ଖ୍ୟାର ଗୁରୁତ୍ବ ସତ୍ତ୍ବେ ଏମାନେ ଶକ୍ତିହୀନ। ଶାସନ ଉଚ୍ଚ ବ˚ଶଜ, ଶିକ୍ଷିତ ଓ ଧନୀଙ୍କ ହାତରେ; ଏମାନେ ଶାସନରେ ଭୂମିକାହୀନ ଅପଦାର୍ଥ। ରାନ୍‌ସିଏର କହୁଚନ୍ତି ଯେ ଏଇ ଅପଦାର୍ଥତା ଓ ଅପା˚କ୍ତେୟତାର ତୀବ୍ର ଅନୁଭବ ଏମାନଙ୍କୁ ଗଣଶକ୍ତିର ପ୍ରଥମ ପରିଚୟ ଦେଲା। କହିପାରନ୍ତି ଏଥେନ୍‌ସର ଦରିଦ୍ର, ରୋମ୍‌ର ପ୍ଲେବିଆନ୍‌, ପ୍ରାକ୍‌-ଫରାସୀ ବିପ୍ଳବ କାଳରେ ‘ଥର୍ଡ‌୍‌ ଇଷ୍ଟେଟ୍‌’ ଓ ରୁଷୀୟକ୍ରାନ୍ତିର ପ୍ରୋଲେଟାରିଏଟ୍‌ ସମସ୍ତେ ଅବଦମିତ, ପ୍ରତ୍ୟାଖ୍ୟାତ, ସୀମାନ୍ତରିତ, ବହିର୍ଭୂତ, ସର୍ବହରା ଶ୍ରେଣୀର। ଏଇମାନଙ୍କ ଅଧିକାରର ପୁଞ୍ଜୀଭୂତ ରାଜନୈତିକ ଇଚ୍ଛାଶକ୍ତିର ସ˚କଳ୍ପ ‘ଗଣତନ୍ତ୍ର’। ବିଶ୍ବର ଗଣତନ୍ତ୍ରମାନଙ୍କର ଇତିହାସରେ ଏ ‘ମହାପାଠ’ କିଭଳି ତା’ର ତାତ୍ପର୍ଯ୍ୟ ହରାଉଚି ତା’ର ପ୍ରମାଣ ଆଧୁନିକ ଗଣତନ୍ତ୍ର। ପ୍ରତିନିଧିମୂଳକ ଗଣତନ୍ତ୍ରରେ ସର୍ବହରାଙ୍କ ଭାଗୀଦାରି କାହିଁକି ନାହିଁ ତା’ର ସୂତ୍ର ନିର୍ବାଚନୀ ଗଣତନ୍ତ୍ରର ବ୍ୟବସ୍ଥାରେ। ମାର୍କସ୍‌ ଠିକ୍‌ ଅନୁମାନ କରିଥିଲେ ଯେ ‘ସର୍ବହରା’ର କେହି ନାହାନ୍ତି କି ସେ କାହାରି ନୁହେଁ; ସେ ଜଣେ ଏକାକୀ ଲୋକ, କିନ୍ତୁ ସବୁ ସର୍ବହରାଙ୍କୁ ଏକାଠି କରିବା ପାଇଁ ବିଚାରଧାରା ସହିତ ନେତୃତ୍ବ ମିଳିଲେ ହିଁ ସେମାନଙ୍କର ବହୁ ସ˚ଖ୍ୟକତାର ଅଗ୍ରାଧିକାର ସ୍ଥାପିତ ହେବ। କିନ୍ତୁ ସେ ନେତା କିଏ? ସେ ନିଶ୍ଚିତ ଭାବରେ ଆଉ ଜଣେ ସର୍ବହରା ନୁହନ୍ତି। ଅନ୍ୟ ଭାବରେ କହିଲେ ‘ଡିମୋସ୍‌’ର ଦାସତ୍ବ ମୁକ୍ତି ପରେ ଯେଉଁ ନୂଆ ଶ୍ରେଣୀର ଉଦୟ ହେଲା, ତାଙ୍କୁ ଅଧିକାର ଓ ଅଭିବ୍ୟକ୍ତି ଦୁଇଟାଯାକ ଦେବାର ରାଜନୈତିକ ପ୍ରକ୍ରିୟା ଗଣତନ୍ତ୍ର; କିନ୍ତୁ ସେ ପ୍ରକ୍ରିୟାକୁ କାର୍ଯ୍ୟକ୍ଷମ କରାଇବା ଲୋକେ ରାଜନେତା, ଯେଉଁମାନେ ସେ ଶ୍ରେଣୀର ଅ˚ଶ ନୁହନ୍ତି। ଆମ ଗଣତନ୍ତ୍ରରେ ରାଜନେତାମାନେ ନିଜକୁ ଗଣର ଅ˚ଶ ବୋଲି ଭାବନ୍ତି କି? ଉପରେ ଦିଶନ୍ତି ସେହିଭଳି, କିନ୍ତୁ ଭିତରେ ଦୂରତ୍ବ ରକ୍ଷା କରିବାର ଗୋଟେ ପ୍ରବୃତ୍ତି ଥାଇପାରେ। ଏ ପ୍ରବୃତ୍ତି ଖ୍ରୀଷ୍ଟଜନ୍ମର ଛ’ଶହ ବର୍ଷ ପୂର୍ବରୁ ଏଥେନ୍‌ସରେ ଥିଲା, ଅଢ଼େଇ ହଜାର ବର୍ଷ ପରେ ଏବେ ମଧୢ ଅଛି। ମାକ୍‌ସ େଵବର ଓ ମାକିଆଭେଲି ରାଜନୀତିର ତତ୍ତ୍ବ ବିଚାର କରି ଏ କଥା ବି କହିଦେଲେ ଯେ ରାଜନେତାର ହାତ ମସୀଲିପ୍ତ ହେବ ହିଁ ହେବ; ୟାର ଏକମାତ୍ର ପ୍ରତିକାର ହେଉଚି ରାଜନେତାର ଉତ୍ତରଦାୟିତ୍ବ। ପ୍ରତି ରାଜନେତା ଯଦି ତା’ର ପ୍ରତି ରାଜନୈତିକ କର୍ମର ପରିଣତି ପାଇଁ ଦାୟୀ ହୁଏ, ତେବେ କଳଙ୍କ ଆଖି ସାମ୍ନାରେ ଧୋଇ ହୋଇଯିବ। ଜିଉ-ଆମେରିକାନ୍‌ ରାଜନୀତି ବିଜ୍ଞାନୀ ହାନ୍ନା ଆରେଣ୍ଟଙ୍କ ଅବଦାନର ଆକଳନ କରି ଏବେ ଜଣେ ସମୀକ୍ଷକ ଏ ମତ ଦେଇଚନ୍ତି ଯେ ଆରେଣ୍ଟଙ୍କ ଅବଦାନ ଆମର ସମକାଳୀନ ରାଜନୀତି ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ, କାରଣ ସେ ରାଜନୈତିକ ଉତ୍ତରଦାୟିତ୍ବର ଏକ ଅତି ଗୂଢ଼ ରହସ୍ୟ ଉଦ୍‌ଘାଟନ କରିଚନ୍ତି। ସେ ରହସ୍ୟଟି ଏଇ ଯେ ସମକାଳୀନ ବିଶ୍ବରେ ଗଣତନ୍ତ୍ରର ରକ୍ଷା ପାଇଁ ଗଣତନ୍ତ୍ର ଚାଲିଚି, ଅର୍ଥାତ୍‌ ଗଣତନ୍ତ୍ର ହେଉଛି ଗଣତନ୍ତ୍ରର କାରଣ ବା ଗଣତନ୍ତ୍ରର ପ୍ରତିଷ୍ଠା ପାଇଁ ଗଣତନ୍ତ୍ରର ପ୍ରୟୋଗ।

ତା’ହେଲେ କ’ଣ ଗଣତନ୍ତ୍ର କେବେ ବି ତା’ର ପରିଣତିରେ ପହଞ୍ଚିବ ନାହିଁ? ହେଇପାରେ। ୟା ବି ହୋଇପାରେ ଯେ ଗଣତନ୍ତ୍ର ଏକ ଚିର ଅସମାପ୍ୟ ପରିଯୋଜନା। ଇଏ ଉତ୍ତମରୁ ଉତ୍ତମ ହେବା ପାଇଁ ପ୍ରୟାସ କରିଚାଲିବ ଓ ୟାର ରାଜନୀତି ହେବ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବଞ୍ଚେଇ ରଖିବାର କର୍ମକାଣ୍ତ। ୟାର ରାଜନେତାମାନେ ହୁଏ’ତ ଚାହିଁବେ ଯେ ଏ ପ୍ରକ୍ରିୟା ଚିରନ୍ତନ ଅସମାପ୍ୟତା ଭିତରେ ରହିଯାଉ। ରାନ୍‌ସିଏର ‘ରାଜନୀତି’ର ସ˚ଜ୍ଞା ଦେଇ ଠାଏ କହିଲେ: ରାଜନୀତି ହେଉଛି ଗଣତନ୍ତ୍ରର ସେହି ପ୍ରକ୍ରିୟା ଯାହା ନ୍ୟୂନତମ ଅଧିକାର ସାବ୍ୟସ୍ତ କରି ଜାଣୁନଥିବା ନାଗରିକକୁ ଶୁଣିବାର ଓ ଦେଖିବାର ମାଧୢମ ନିର୍ମାଣ କରିବ।

ଯେଉଁ ଦୁଇ ଚିନ୍ତକ (ରାନ୍‌ସିଏର ଓ ଆରେଣ୍ଟ)ଙ୍କ ବିଚାର ସହିତ ମୁଁ ଆପଣଙ୍କୁ ପରିଚିତ କରେଇଲି ସେମାନେ ୟୁରୋ-ଆମେରିକାନ୍‌ ଛଳକୁ ଉଦ୍‌ଘାଟିତ କରିଚନ୍ତି ଓ ତାଙ୍କର ଲକ୍ଷ୍ୟ ସବୁବେଳେ ଗୋଟିଏ ସଭ୍ୟତା-ଭିତ୍ତିକ ସମାଜରେ ଗଣତାନ୍ତ୍ରିକ ଆଧାରର ପୁନର୍ନିମାଣରେ। ମୁଁ ମଧ୍ୟ ବିଶ୍ବାସ କରେ ଯେ ଭାରତୀୟ ଗଣତନ୍ତ୍ରରେ ରାଜନେତା ଓ ରାଜନୀତି ଉଭୟେ ବଦଳିବେ। ଅନ୍ତର୍ଭୁକ୍ତୀ ବିକାଶ ଓ ରାଜନୀତି ଉଭୟେ ଗଣତନ୍ତ୍ରର ଜନାରଣ୍ୟରେ ଦିଶୁନଥିବା ଓ କଥା କହୁନଥିବା ଅସ˚ଖ୍ୟ ମଣିଷଙ୍କୁ ଦେଖାଇବ ଓ ତାଙ୍କର କଥା ଶୁଣାଇବ। ରାନ୍‌ସିଏର ୟାକୁ ରାଜନୀତିର ସୌନ୍ଦର୍ଯ୍ୟବୋଧ (ଏସ୍‌ଥେଟିକ୍‌ସ ଅଫ୍‌ ପଲିଟିକ୍‌ସ) ବୋଲି କହୁଚନ୍ତି। ଇନ୍‌କ୍ଲୁସିଭ୍‌ ଡିମୋକ୍ରାସିର ପ୍ରକୃତ ରୂପାୟନ ଭାରତରେ ୟା ଠାରୁ ଆଉ ଟିକିଏ ଆଗକୁ। ଯଜୁର୍ବେଦରେ ବାଜୟସ୍‍ନୟୀ ସ˚ହିତାରେ ଯେତେବେଳେ କୁହାଗଲା ଯେ ବୈଦିକ ଜ୍ଞାନ ଉପରେ ବ୍ରାହ୍ମଣ, ରାଜନ୍ୟ, ବୈଶ୍ୟ, ଶୂଦ୍ର ଓ ଚାରଣ ତଥା ଅନ୍ୟ ସମସ୍ତ ‘ଜନ’ଙ୍କର ଅଧିକାର, ସେତେବେଳେ ହିଁ ସ୍ପଷ୍ଟ ହୋଇଯାଇଥିଲା ଯେ ଭାରତୀୟ ସମାଜରେ ଏକମାତ୍ର ରାଜନୀତି ଜ୍ଞାନ ଉପରେ ‘ଜନ’ର ଅଧିକାରକୁ ନେଇ। ପରବର୍ତ୍ତୀ କାଳରେ ବେଦ ଉପରେ ବ୍ରାହ୍ମଣ୍ୟ ଅଧିକାରକୁ ନେଇ ଜ୍ଞାନର ରାଜନୀତି କିଭଳି ଖେଳାଗଲା ତା’ର ଇତିହାସ ସହିତ ଆମେ ଊଣା ଅଧିକେ ପରିଚିତ। କହିବା ଅନାବଶ୍ୟକ ଯେ ମୂକ କଥା କହିବେ ଓ ଲୁଚି ଯାଉଥିବା ଲୋକେ ଦିଶିବେ‌; ଯଦି ଉଭୟ ରାଜନୀତି ଓ ରାଜନେତା ଭାରତୀୟ ରାଜନୈତିକ ବାସ୍ତବତାକୁ ଜ୍ଞାନର ଆଲୋକରେ ଦେଖନ୍ତି ଓ ପଢ଼ନ୍ତି। କ୍ଷେତ୍ର ଜ୍ଞାନ, ଲୋକ ଜ୍ଞାନ, ସମାଜ ଜ୍ଞାନ, ସ˚ସ୍କୃତି ଜ୍ଞାନ, ବ୍ୟାବହାରିକ ଜ୍ଞାନ, ଅଭିବ୍ୟକ୍ତି ଜ୍ଞାନ ଓ ସ˚ପୃକ୍ତି ଜ୍ଞାନ ଚଳନ୍ତି ସମୟରେ ଅଜ୍ଞାନତାର ରାଜନୀତିକୁ ବଦଳାଇ ଦେବ ଓ ରାଜନେତାକୁ ଲୋକକ୍ଷେତ୍ରର ବୁନିଆଦି ଆବଶ୍ୟକତା ସହିତ ଯୋଡ଼ିବ। ଲୋକଙ୍କୁ ପ୍ରତିଶ୍ରୁତି ଓ ଉତ୍କୋଚ ଦେଇ ପ୍ରଭାବିତ କରିବା ଅସମ୍ଭବ। କ୍ଳାନ୍ତ ରାଜନୀତିର ବୌଦ୍ଧିକ ବିରାମ ଦରକାର, ଗଣତନ୍ତ୍ରର ପୁନର୍ବିଚାର ଦରକାର।

ମୋ: ୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର