ନୀତି ଓ ଦୁର୍ନୀତି

ଶ୍ୟାମସୁନ୍ଦର ଅଗ୍ରୱାଲା

ଗୃହ ମାଲିକର ଚାକରାଣୀ ସହିତ ଅନୈତିକ ସଂପର୍କ ଥିଲା। ପତ୍ନୀଙ୍କ ଅଗୋଚରରେ ପ୍ରତ୍ୟହ ରାତିରେ ଏହି ସଂପର୍କ ଦାନା ବାନ୍ଧୁଥିଲା। ଦିନକର କଥା। ପତ୍ନୀଙ୍କ ସନ୍ଦେହ ହେବାରୁ ସେ ଅତର୍କିତ ଯାଞ୍ଚ କଲେ ଓ ଅଧ ରାତିରେ ଚାକରାଣୀ କୋଠରି ଭିତରେ ମାଲିକକୁ ଅସଂଯତ ଅବସ୍ଥାରେ ଆବିଷ୍କାର କଲେ। ମାଲିକ ମୁଣ୍ଡ ପୋତି ସବୁ ଦୋଷ ସ୍ବୀକାର କରି ନେବା ବେଳେ ଅଲାଜୁକୀ ଚାକରାଣୀର ସଫେଇ ଅତ୍ୟନ୍ତ ହାସ୍ୟାସ୍ପଦ ଥିଲା। ‘ମାଡାମ୍‌, ସତ କହୁଛି ମୁଁ କିଛି ଜାଣିନାହିଁ। ଦିନ ଯାକ ଆପଣଙ୍କ ଘରେ ଖଟି ଖଟି ରାତିରେ ମୁଁ ମଲାଙ୍କ ଭଳିଆ ନିଘୋଡ଼ ନିଦରେ ଶୋଇ ପଡ଼ିଥାଏ। ଅଧ ରାତିରେ କିଏ ମୋ’ ପାଖକୁ ଆସିଲା, ଆଉ କ’ଣ ସବୁ କଲା, ବୋଉ ରାଣ, ସତ କହୁଛି, ମୁଁ କିଛି ଜାଣିନାହିଁ।’ ବର୍ତ୍ତମାନ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ଭିଜିଲାନ୍‌ସ ପଞ୍ଝାରେ ପଡ଼ିଥିବା ଓଡ଼ିଶା ଷ୍ଟାଫ ସିଲେକ୍‌ସନ କମିସନ୍‌ଙ୍କ ବ୍ୟକ୍ତିଗତ ସଚିବ ଧରାପଡ଼ିବା ପରେ କମିସନ୍‌ର ଉଚ୍ଚ ପଦସ୍ଥ ସଦସ୍ୟମାନେ ଠିକ୍ ଏହି ଚାକରାଣୀ ସଦୃଶ ସଫେଇ ଦେଉନାହାନ୍ତି କି? ସମସ୍ତେ କହୁଛନ୍ତି- ‘ଆଜ୍ଞା, ଆମେ କିଛି ଜାଣିନାହୁଁ। ଆମେ ଦିନ ଯାକ ଆମ କାର୍ଯ୍ୟରେ ବ୍ୟସ୍ତ ରହୁଥିଲୁ। ଟିକିନିଖି ସବୁ ତଥ୍ୟ କମ୍ପ୍ୟୁଟରରେ ରଖୁଥିଲୁ। ସେ କ’ଣ କରୁଥିଲେ, କ’ଣ କାହାଠୁ ନେଉଥିଲେ ଆଉ କେମିତି ଚାକିରି ଦେଉଥିଲେ, ଆମେ କିଛି ଜାଣିନାହୁଁ।’

ବନ୍ଧୁଗଣ, ଗୃହ ମାଲିକର ପରକୀୟା ପ୍ରୀତି ହେଉ କି ବ୍ୟକ୍ତିଗତ ସଚିବଙ୍କ ଦୁର୍ନୀତି ହେଉ; ଏହା ସହଯୋଗିତା ଓ ସହଭାଗିତା ବ୍ୟତିରେକ ସମ୍ଭବପର କି? ଯଦି ଚାକରାଣୀର ଯୁକ୍ତି ହାସ୍ୟାସ୍ପଦ ମନେ ହୁଏ, ତେବେ ଏହି ଉଚ୍ଚପଦସ୍ଥ ସଦସ୍ୟମାନଙ୍କ ଯୁକ୍ତି ଗ୍ରହଣୀୟ କି?

କଥାରେ ଅଛି ସ୍ବର୍ଗରେ କେତେ ଇନ୍ଦ୍ର ଗଲେଣି, କିନ୍ତୁ ଶଚ୍ଚୀ ଯେମିତି ଥିଲେ ସେମିତି ରହିଛନ୍ତି। ଏଇ କଥାକୁ ତାଳ ଦେଇ ମର୍ତ୍ତ୍ୟରେ ମଧ୍ୟ ଆଜିକୁ ଅଠେଇଶ ବର୍ଷ ହେଲା ଏହି ସଚିବ ଷ୍ଟାଫ ସିଲେକ୍‌ସନ ଅଫିସରେ ଚାକିରି କରୁଥିବା ବେଳେ ଦୀର୍ଘ ଷୋହଳ ବର୍ଷ ହେଲା ଏହାର ବିଭିନ୍ନ ଇନ୍ଦ୍ରମାନଙ୍କର ବ୍ୟକ୍ତିଗତ ସଚିବ ହୋଇ ରହି ଆସିଛନ୍ତି। ଏହା ଭିତରେ ଅଠର ଜଣ ଅଧ୍ୟକ୍ଷ ଓ ଆଠ ଜଣ ସଦସ୍ୟ ବିଦାୟ ନେଇଗଲେଣି କିନ୍ତୁ ସଚିବ ଆଜି ପର୍ଯ୍ୟନ୍ତ ସମସ୍ତଙ୍କର ଇନ୍ଦ୍ରାଣୀ ହୋଇ ଯେମିତି କି ସେମିତି ଅଛନ୍ତି। କାର୍ଯ୍ୟାଳୟରେ ଜଣେ ତୃତୀୟ ଶ୍ରେଣୀ ପାହ୍ୟାର ବ୍ୟକ୍ତିଗତ ସଚିବଙ୍କ କାର୍ଯ୍ୟ କ’ଣ? ଅଧ୍ୟକ୍ଷ କିମ୍ବା ସଦସ୍ୟମାନଙ୍କର ସରକାରୀ ବାର୍ତ୍ତାଳାପ ଠୁ ନେଇ ପତ୍ରାଳାପ ଓ ସେମାନଙ୍କର ଗସ୍ତ ଲାଗି ଯାନବାହାନର ବ୍ୟବସ୍ଥା ଠୁ ନେଇ ଅନ୍ୟାନ୍ୟ କାର୍ଯ୍ୟର ସୁପରିଚାଳନା ପର୍ଯ୍ୟନ୍ତ ହିଁ ଜଣେ ବ୍ୟକ୍ତିଗତ ସଚିବଙ୍କର ମୁଖ୍ୟ ଦାୟିତ୍ବ ହୋଇଥାଏ। ତେବେ ଏହି ସବୁ କାମ କରିବା ପାଇଁ କ’ଣ ପିଲାମାନେ ଲକ୍ଷ ଲକ୍ଷ ଟଙ୍କା ତାଙ୍କୁ ଦେଉଥିଲେ? ପିଲାମାନେ ଲାଞ୍ଚ ଦେଉଥିଲେ ସରକାରୀ ଚାକିରି ପାଇଁ! ଚାକିରି ଦେବା ଆଉ ନ ଦେବା ନିର୍ଣ୍ଣୟ କ’ଣ ତୃତୀୟ ଶ୍ରେଣୀ କର୍ମଚାରୀ ପାହ୍ୟାର ଜଣେ ବ୍ୟକ୍ତିଗତ ସଚିବ ନେଉଥିଲେ? ଯିଏ ନେଉଥିଲେ ସେମାନେ କୁଆଡ଼େ ଗଲେ?

ଏହି ଦୁର୍ନୀତିର ପ୍ରଭାବ ପର୍ଯ୍ୟାୟ କ୍ରମେ କିପରି ପଡ଼ିବ; ଥରେ ଚିନ୍ତା କରନ୍ତୁ। ଏହା ଏକ ସାମାନ୍ୟ ଦୁର୍ନୀତି ନୁହେଁ ଯେ ଥରେ ନେଇଗଲା, କାମ ହୋଇଗଲା ଓ କଥା ସରିଗଲା। ଏହା ଏକ ମାରାତ୍ମକ ଦୁର୍ନୀତି ଯାହା ଭବିଷ୍ୟତ୍‌ ପାଇଁ ଦୁର୍ନୀତିର ଏକ ଗନ୍ତାଘର ସୃଷ୍ଟି କରିବ। ଜଣେ ଏହାର ଭୁକ୍ତଭୋଗୀ ସାକ୍ଷାତକାର ଦେଇ କହିଥିଲେ ଯେ ସେ ତାଙ୍କ ଗାଁର ଜମିବାଡ଼ି ବିକ୍ରୟ କରି ଦଶ ଲକ୍ଷ ଟଙ୍କା ଯୋଗାଡ଼ କରି ତାଙ୍କୁ ଦେଇଛନ୍ତି। ଏହାର ବିନିମୟରେ ପ୍ରାପ୍ତ ଚାକିରିଟି ତାଙ୍କର ସମଗ୍ର ଜୀବନର ଏକ ଅର୍ଥ ବିନିଯୋଗ ସଂସ୍ଥା ରୂପେ କାର୍ଯ୍ୟ କରିବ ଓ ଏହିଥିରୁ ହିଁ ସେ ତା’ର ସମସ୍ତ ମୂଳଧନ ସୁଧ ସମେତ ଆମଦାନି କରିବାକୁ ଚେଷ୍ଟା କରିବେ। ପ୍ରତିବର୍ଷ ଏହି ସଂସ୍ଥା ମାଧ୍ୟମରେ ଅର୍ଥ ନିବେଶ କରି ପ୍ରବେଶ କରିଥିବା ଶହ ଶହ ସରକାରୀ କର୍ମଚାରୀ ଯଦି ଏହି ଆମଦାନି କାର୍ଯ୍ୟରେ ଲିପ୍ତ ରହନ୍ତି, ତେବେ ଏହା ସୁନିଶ୍ଚିତ ଯେ ଦୁର୍ନୀତିର ଚେର ଦିନକୁ ଦିନ ବଢ଼ିବାରେ ଲାଗିବ ଓ ଶେଷକୁ ଯେତେ ଚେଷ୍ଟା କଲେ ବି ଏହା ନିର୍ମୂଳ ହେବା ଅସମ୍ଭବ ହୋଇପଡ଼ିବ।

କଥାଟିଏ ମନେପଡ଼େ। ଥରେ ବିଭିନ୍ନ ଦେଶର ରାଷ୍ଟ୍ର ମୁଖ୍ୟମାନେ ଭଗବାନଙ୍କୁ ସାକ୍ଷାତ କରି ନିଜ ନିଜ ଦେଶର ଦୁର୍ନୀତି କେବେ ନିର୍ମୂଳ ହେବ ବୋଲି ପ୍ରଶ୍ନ କରିଥିଲେ। ଇଂଲଣ୍ଡର ମହାରାଣୀ ଭଗବାନଙ୍କୁ ପ୍ରଶ୍ନ କଲେ ‘ପ୍ରଭୁ, ଆମ ଦେଶରୁ ଦୁର୍ନୀତି କେବେ ଦୂର ହେବ?’ ଭଗବାନ ଉତ୍ତର ଦେଲେ‘‘ଆହୁରି ଦଶ ବର୍ଷ ଲାଗିବ।’ ବୃଦ୍ଧା ମହାରାଣୀ ଏ କଥା ଶୁଣି କାନ୍ଦିବାରେ ଲାଗିଲେ ଆଉ କହିଲେ, ‘ପ୍ରଭୁ, ମୁଁ କାନ୍ଦୁଛି ଯେ ମୋ’ ଜୀବଦ୍ଦଶାରେ ଆମ ଦେଶରେ ଦୁର୍ନୀତିର ଅନ୍ତ ଦେଖିପାରିବି ନାହିଁ।’ ଆମେରିକାର ରାଷ୍ଟ୍ରପତିଙ୍କ ସେହି ପ୍ରଶ୍ନର ଉତ୍ତର ଦେଇ ଭଗବାନ କହିଲେ, ‘ତୁମ ଦେଶରେ ଦୁର୍ନୀତି ନିର୍ମୂଳ ହେବା ନିମନ୍ତେ ଆହୁରି କୋଡ଼ିଏ ବର୍ଷ ଲାଗିଯିବ।’ ଆମେରିକାର ରାଷ୍ଟ୍ରପତି ମଧ୍ୟ ତାଙ୍କ ଜୀବନ କାଳରେ ଏହା ଘଟିବ ନାହିଁ ବୋଲି ଭାବି କାନ୍ଦିବାରେ ଲାଗିଲେ। ଯେତେବେଳେ ଭାରତବର୍ଷର ରାଷ୍ଟ୍ରପତି ଏହି ପ୍ରଶ୍ନ ଭଗବାନଙ୍କୁ ପଚାରିଲେ, ଭଗବାନ ଭୋ ଭୋ ହୋଇ କାନ୍ଦି ଉଠିଲେ। ‘ପ୍ରଭୁ ଆପଣ କାନ୍ଦୁଛନ୍ତି କାହିଁକି?’ ବୋଲି ରାଷ୍ଟ୍ରପତି ପ୍ରଶ୍ନ କରିବାରୁ ଭଗବାନ କହିଲେ, ‘ମୁଁ ଏଇଥିପାଇଁ କାନ୍ଦୁଛି ଯେ ମୋ ଜୀବନକାଳରେ ମଧ୍ୟ ତୁମ ଦେଶରୁ ଦୁର୍ନୀତି ନିର୍ମୂଳ ହୋଇପାରିବ ନାହିଁ।’

ବନ୍ଧୁଗଣ, ଭଗବାନ ସିନା ପାରିଲେ ନାହିଁ; କିନ୍ତୁ ଦୁର୍ନୀତି ଦୂର କରିବାର ଏକ ସରଳ ଓ ସହଜ ଉପାୟ ରହିଛି। ଗୋଟିଏ ଛୋଟ ପିଲାକୁ ଯେତେବେଳେ ପ୍ରଶ୍ନ କରାଗଲା ‘ପରୀକ୍ଷାରେ ଏତେ ପିଲା ଫେଲ୍‌ ହୋଇଯାଉଛନ୍ତି ଆଉ ଏହାକୁ କିପରି ବନ୍ଦ କରାଯାଇପାରିବ?’ ବୁଦ୍ଧିମାନ ପିଲାଟି ଉତ୍ତର ଦେଇ କହିଥିଲା ଯେ ଏହାର ଗୋଟିଏ ମାତ୍ର ଉପାୟ ଅଛି। ଆଉ ତାହା ହେଉଛି ସବୁ ପିଲାଙ୍କୁ ପାସ୍‌ କରେଇ ଦିଅ। ଠିକ୍ ଏହି ପରି ଉତ୍ତର ଦେଇ ଅନେକ ବର୍ଷ ତଳେ ଆମ ଓଡ଼ିଶାର ଜଣେ ବିଖ୍ୟାତ ରାଜନେତା କହିଥିଲେ, ‘ଦୁର୍ନୀତି ଦୂର କରିବାକୁ ଗୋଟିଏ ସହଜ ଓ ସରଳ ବାଟ ଅଛି, ଆଉ ସେଇଟି ହେଉଛି ଆଜିଠୁ ସବୁ ଦୁର୍ନୀତିକୁ ନୀତି କରି ଦିଅ।’

ମୋ- ୯୪୩୭୦୬୭୫୬୭

ସମ୍ବନ୍ଧିତ ଖବର