‘ଲକ୍ଷ୍ମୀ-ନାରାୟଣ ବଚନିକା’ ବା ‘ଠାକୁର-ଠାକୁରାଣୀଙ୍କ ଘରକଳି’ ଆମ ସାହିତ୍ୟରେ ଏତେ ରଙ୍ଗରେ ରୂପାୟିତ ହୋଇଛି ଯେ ତାହା ଜାଣିଲେ ବିସ୍ମିତ ହେବାକୁ ପଡ଼େ। କିନ୍ତୁ ଏ କଳିର ବିଶେଷତ୍ୱ ହେଉଛି- କଥା କଟାକଟିରେ ହିଁ ଏହା ଶେଷ ହୁଏ ନାହିଁ; ପରିଶେଷରେ ଏଥିରେ କୋଳାକୋଳି ବି ଅଛି। ଏଇଥିପାଇଁ ଏହା ଲୋକପ୍ରିୟ ହୋଇ ରହିଆସିଛି।

Advertisment

ସପ୍ତଦଶ ଶତାବ୍ଦୀରୁ ଆରମ୍ଭ କରି ଊନବିଂଶ ଓ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ, ବହୁ କବି ଏହାକୁ ନେଇ ରୋଚକ କାବ୍ୟରଚନା କରିଛନ୍ତି। ଏପରିକି, ବଳରାମ ଦାସ, କୃଷ୍ଣ ଦାସ ଓ ପୁରୁଷୋତ୍ତମ ଦାସଙ୍କ ଭଣିତା ଥାଇ ତିନିଟି ‘ଗୁଣ୍ଡିଚା ବିଜେ’ ମଧ୍ୟ ଆମ ସାହିତ୍ୟରେ ରହିଛି। ‘ସମ୍ବାଦ-ଆମ ଓଡ଼ିଶା’ ଦ୍ୱାରା ପ୍ରସ୍ତୁତ ‘ସାହିତ୍ୟ କୋଷ’ରେ ‘ଗୁଣ୍ଡିଚା ବସନ୍ତ’ ଶୀର୍ଷକ ଏକ ଲେଖାରେ ବିଶିଷ୍ଟ ଆଲୋଚକ ସଚ୍ଚିଦାନନ୍ଦ ମିଶ୍ର ଏ ସଂପର୍କରେ କହିଛନ୍ତି, “ବାହୁଡ଼ାଯାତ୍ରା ପରେ, ନୀଳାଦ୍ରିବିଜେ ବେଳେ ଲକ୍ଷ୍ମୀ ରୋଷରେ ଜଗନ୍ନାଥଙ୍କୁ ମନ୍ଦିରକୁ ନଛାଡ଼ି, ଜୟବିଜୟ ଦ୍ୱାର ବନ୍ଦ କରିଦେଲେ। ଜଗନ୍ନାଥ-ଲକ୍ଷ୍ମୀଙ୍କ ମଧ୍ୟରେ କଥା କଟାକଟି (ବଚନିକା) ହେବା ପରେ ଲକ୍ଷ୍ମୀ ଦ୍ୱାର ଖୋଲିଲେ ଓ ପତି-ପତ୍ନୀ ମିଳିତ ହେଲେ। ପ୍ରତିବର୍ଷ ଶ୍ରୀମନ୍ଦିରରେ ଏହି ଦାମ୍ପତ୍ୟ କଳହର ଅଭିନୟ ହୁଏ। ... ଏହାକୁ ‘ଗୁଣ୍ଡିଚା-ବସନ୍ତ’ କୁହାଯାଏ। (ବସନ୍ତ ଏକ ରାଗର ନାମ)। ଆଷାଢ଼ଶୁକ୍ଳ ବାଣୀ (ନାମାନ୍ତର- ଗୁଣ୍ଡିଚା ବସନ୍ତ ବାଣୀ)ରେ ଶ୍ରୀମନ୍ଦିରରେ ବୋଲାଯାଉଥିବା ଗୀତଟି ବିପ୍ର କାଶୀ ଦାସ ପ୍ରଣୀତ। ବହୁ ସଂଖ୍ୟକ କବି ଏହି ରୋଚକ ଆଖ୍ୟାନକୁ ପଦ୍ୟରୂପ ଦେଇଛନ୍ତି।”

ଆଲୋଚକ ଶ୍ରୀ ମିଶ୍ରଙ୍କର ଏହି ସୂଚନା ଅନୁରୂପେ, ବିପ୍ର କାଶୀ ଦାସଙ୍କ ରଚିତ ‘ଗୁଣ୍ଡିଚାବିଜେ’ରେ ‘ଲକ୍ଷ୍ମୀ ନାରାୟଣ ଭେଟ ଓ ବଚନିକା’ ଅଛି; କିନ୍ତୁ ଏହା ଶ୍ରୀମନ୍ଦିରରେ ନୀଳାଦ୍ରିବିଜେର ବଚନିକା ଭାବରେ ବୋଲାହେଉଥିବା ଜଣାଯାଏ ନାହିଁ। ତେବେ, ଏହାର ରୋଚକ ବର୍ଣ୍ଣନା ପରବର୍ତ୍ତୀ ବହୁ କବିଙ୍କ ରଚନାକୁ ପ୍ରେରିତ ଓ ପ୍ରଭାବିତ କରିଥିବା ସମ୍ଭବ।

ଏ ପ୍ରସଙ୍ଗରେ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଆ ପ୍ରଫେସର, ଡକ୍ଟର ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଦ୍ୱାରା ସଂକଳିତ ‘କବି କଣ୍ଠେ ଲକ୍ଷ୍ମୀ ନାରାୟଣ ବଚନିକା’ ପୁସ୍ତକ (ତିଥି ବୁକ୍‌ସ, କଟକ, ୨୦୧୯) ବିଶେଷ ଉଲ୍ଲେଖନୀୟ। ସେଥିରେ ସପ୍ତଦଶ-ଅଷ୍ଟାଦଶ ଶତାବ୍ଦୀର ଦୀନକୃଷ୍ଣ ଦାସଙ୍କଠାରୁ ଆରମ୍ଭ କରି, ବିଂଶ ଶତାବ୍ଦୀର ବଂଶୀଧର ମହାନ୍ତି ଓ ଏକବିଂଶ ଶତାବ୍ଦୀର ଶୈଳବାଳା ମିଶ୍ର ଓ ମହାଦେବ ପାଣିଗ୍ରାହୀଙ୍କ ପର୍ଯ୍ୟନ୍ତ, ୧୬ଟି ବଚନିକା ସଂକଳିତ ହୋଇଛି। କିନ୍ତୁ ପଞ୍ଚଦଶ-ଷୋଡ଼ଶ ଶତାବ୍ଦୀର ବଳରାମ ଦାସଙ୍କ ‘ଗୁଣ୍ଡିଚା ବିଜେ’ ଓ ଅଷ୍ଟାଦଶ ଶତାବ୍ଦୀର ଶ୍ରୀଧର ଦାସଙ୍କ ‘ଗୁଣ୍ଡିଚାବିଜେ ଚଉତିଶା’ ପରି ଆହୁରି କେତୋଟି ରଚନା ତଥାପି ସଂକଳିତ ହୋଇପାରିନାହିଁ।

ଜଣାଯାଇଛି ଯେ ବଳରାମ ଦାସଙ୍କ ‘ଗୁଣ୍ଡିଚା ବିଜେ’ ସଂପ୍ରତି ଦୁଷ୍ପ୍ରାପ୍ୟ। ତେଣୁ ଦୀନକୃଷ୍ଣ ଦାସଙ୍କ ‘କବାଟ ଫିଟା ଓ ଲକ୍ଷ୍ମୀନାରାୟଣ ଭେଟ’କୁ ହିଁ ସ୍ୱ-ସଂକଳିତ ପୁସ୍ତକର ଆଦ୍ୟରେ ସ୍ଥାନିତ କରିଛନ୍ତି ପ୍ରଫେସର ମିଶ୍ର। ‘ରସକଲ୍ଲୋଳ’କାର ଭାବରେ ପ୍ରସିଦ୍ଧ ଦୀନକୃଷ୍ଣ ଦାସଙ୍କର ପ୍ରକୃତ ସମୟ ଜଣା ନଥିଲେ ମଧ୍ୟ, ସେ ଯେ ଗଜପତି ରାଜା ଦିବ୍ୟସିଂହ ଦେବ (୧୬୮୮-୧୭୧୫)ଙ୍କ ସମସାମୟିକ, ଏହା ସ୍ୱୀକୃତ। ‘ମାଳଶ୍ରୀ’ ରାଗରେ ତାଙ୍କର ଏହି ରଚନାଟି ରଚିତ ହୋଇଛି।

ଏଥିରେ କିନ୍ତୁ ରୋଷ ନାହିଁ; ଅଛି ଅନୁରାଗ ଏବଂ ଅନୁରାଗର ଅନୁରୂପେ ମାନ। ରଥ ଉପରେ ଶ୍ରୀଜଗନ୍ନାଥଙ୍କର ଏବଂ ଭେଟ ମଣ୍ଡପରେ ଦେବୀ ଲକ୍ଷ୍ମୀଙ୍କର ବନ୍ଦାପନା ବଢ଼ିବା ପରେ, ରଥରୁ ଓହ୍ଲାଇ, ସଧୀରେ ଶ୍ରୀମନ୍ଦିରର ଦ୍ୱାରରେ ବିଜେ କରିଛନ୍ତି ଶ୍ରୀଜଗନ୍ନାଥ। ଚତୁର୍ଦ୍ଦିଗ ଜୟ ଜୟ ଧ୍ୱନିରେ ପରିପୂରିତ। ଦୀନକୃଷ୍ଣ ଦାସ ନିଜର ବର୍ଣ୍ଣନାରେ କହିଛନ୍ତି- “ଦେଖିଲେ ଦ୍ୱାରେ ପଡ଼ିଛି କବାଟ/ହସିଲେ ମହାପ୍ରଭୁ ଦେବରାଟ/ଅନୁରାଗ ଅନୁରୂପରେ ମାନ/ସହଜେ ଭାବଗ୍ରାହୀ ଭଗବାନ/ବୋଲନ୍ତି ଗୋ ଦାସୀ, କି ନେଇ ପ୍ରବାସୀଠାରେ ଅନାଦର ଏତେ,/ ଏବେ ଜଣାଅ, ଠାକୁରାଣୀଙ୍କ ଅଗ୍ରତେ।’’
କିନ୍ତୁ ଦାସୀ କହିଛନ୍ତି, “ଠାକୁରାଣୀଙ୍କର ଶ୍ରୀଅଙ୍ଗ ଅଳସ ହୋଇଛି; ବିରହରେ ସେ ଅତି କୃଶ (କ୍ଷୀଣ) ହୋଇଯାଇଛନ୍ତି; ଚିନ୍ତାଜ୍ୱରରେ ତାଙ୍କର ମନ ବିମନ; ଏଠି କେହି ସୁଖରେ ନାହାନ୍ତି; ଏ ପୁରକୁ କାହଁକି ଦୁଃଖ ପାଇବାକୁ ଆସିଲ?” ଦୀନକୃଷ୍ଣ ଦାସଙ୍କ ବର୍ଣ୍ଣନାରେ, ଶ୍ରୀଜଗନ୍ନାଥ ଦେଇଥିବା ଏହାର ପ୍ରତ୍ୟୁତ୍ତର ଅତି ଚମତ୍କାର- “ପ୍ରଭୁ ବୋଲନ୍ତି ଏ କମ୍ବୁକଟକ/ଏଥି ମିଳଇ ଚଉବର୍ଗଯାକ/ରାଜା ଯହିଁରେ ବଇକୁଣ୍ଠବାସୀ/ କମଳା ଯାହାର ପାଟ ମହିଷୀ/ସେ ନଗ୍ରରେ ଆସି, ଆର୍ତ୍ତରେ ପ୍ରବାସୀ, ତେଜଇ ତ ଯେବେ ଆଶ/ ତେବେ ତାହାକୁ, ବୋଲିବା କର୍ମର ଦୋଷ।”

କବିଙ୍କର ବର୍ଣ୍ଣନା ଅନୁସାରେ, ଏତିକିରେ ହିଁ ଦେବୀ ଲକ୍ଷ୍ମୀ ତୁଷ୍ଟ ହୋଇଯାଇଛନ୍ତି। କବି କହିଛନ୍ତି- “ଶୁଣି କମଳା ହସ ହସ ହୋଇ/ ବୋଇଲେ ଦାସୀ ଦ୍ୱାର ଦିଅ ଫେଇ/ଝଟତି ତହୁଁ ଫେଡ଼ିଲେ କବାଟ/ହୋଇଲା ଲକ୍ଷ୍ମୀନାରାୟଣ ଭେଟ/ତେତେବେଳେ ଯାହା, ହୋଇଲା କେ ତାହା, କହିବ ଅବା ବଚନେ/କବି ଉପମା ନପାଇବେ ତ୍ରିଭୁବନେ।” କିନ୍ତୁ, ଏହା କହିବା ସତ୍ତ୍ୱେ, କବି ଏହାର ଉପମା ମଧ୍ୟ ଦେଇଛନ୍ତି। କହିଛନ୍ତି- “ଅପୁତ୍ରକ ପୁତ୍ର ପାଇବା ପରି, ଆଜନ୍ମ ଅନ୍ଧ ନେତ୍ର ପାଇବା ପରି, ଦରିଦ୍ର ହସ୍ତରେ ନିଧି ପଡ଼ିବା ପରି- ଏ ଆନନ୍ଦ କେତେ ତାହା ଲେଖିହେବ ବା କିପରି? ତେବେ, ସୂର୍ଯ୍ୟ ଉଦୟ ହେବା ଦେଖି ଚକ୍ରବାକ, ଚନ୍ଦ୍ରକୁ ଦେଖି ଚକୋର ଏବଂ ନେତ୍ରପ୍ରୀତି (ଚାରିଚକ୍ଷୁ) ହେଲେ ନାଗରୀ-ନାଗର ଯେପରି ଆନନ୍ଦିତ ହୁଅନ୍ତି, ଏ ଆନନ୍ଦ ହୁଏ’ତ ସେହିପରି।”

ଲୋକନାଥ ବିଦ୍ୟାଧର ମହାପାତ୍ର ଦୀନକୃଷ୍ଣ ଦାସଙ୍କର ସମସାମୟିକ କବି। ତାଙ୍କର ସମୟ ମଧ୍ୟ, ସପ୍ତଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ଓ ଅଷ୍ଟାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧ (୧୬୬୮-୧୭୨୦)। ତାଙ୍କର ପିତା ଜଗନ୍ନାଥ ବିଦ୍ୟାଧର ମହାପାତ୍ର ଥିଲେ ଗଜପତି ଦିବ୍ୟସିଂହ ଦେବଙ୍କର ପାତ୍ର। ତାଙ୍କ ରଚିତ ‘ନୀଳାଦ୍ରି ମହୋତ୍ସବ’ ପୁସ୍ତକ ‘ଉତ୍କଳୀୟ ପ୍ରାଚ୍ୟ ଗ୍ରନ୍ଥମାଳା’ (ଓଡ଼ିଆ) ଅନ୍ତର୍ଗତ ୩୭ତମ ପୁସ୍ତକ ଭାବରେ, ୧୯୯୧ ମସିହାରେ ଓଡ଼ିଶା ସରକାରଙ୍କ ସଂସ୍କୃତି ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ ପାଇଛି। ଏହାର ସଂପାଦିକା ଶ୍ରୀମତୀ ଶକୁନ୍ତଳା ପଣ୍ଡା। ଏହା ଗଜପତି ମୁକୁନ୍ଦଦେବଙ୍କ ପୁତ୍ର, ଗଜପତି ଦିବ୍ୟସିଂହ ଦେବଙ୍କ ଚତୁର୍ଦ୍ଦଶ ଅଙ୍କ (୧୬୯୯-୧୭୦୦)ର ରଚନା ବୋଲି ଜଣାଯାଏ। ଏହାର ମୋଟ ୨୬ଟି ଅଧ୍ୟାୟରେ ରହିଛି ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରାର ବର୍ଣ୍ଣନା। ଏଥିରୁ ସପ୍ତଦଶ ଅଧ୍ୟାୟର ବିଷୟ-ପ୍ରସଙ୍ଗ ଶ୍ରୀଜଗନ୍ନାଥଙ୍କ ‘ମନ୍ଦିର ପ୍ରବେଶ’ ଓ ‘ନୀଳାଦ୍ରି ବିଜେ’। ରାଗ ‘କେଦାର କାମୋଦୀ’ରେ ରଚିତ ଏହି ଅଧ୍ୟାୟରେ, ରଥରେ ଶ୍ରୀଜଗନ୍ନାଥ ଓ ଭେଟମଣ୍ଡପରେ ଲକ୍ଷ୍ମୀଙ୍କ ବନ୍ଦାପନା ସମୟର ପାରସ୍ପରିକ ଦୃଷ୍ଟି ବିନିମୟକୁ ‘ଚତୁରକ୍ଷ’ ବା ଚାରିଚକ୍ଷୁର ମିଳନ ରୂପେ ଚିତ୍ରିତ କରିଛନ୍ତି କବି। କହିଛନ୍ତି- “ଏମନ୍ତେ ଭଦ୍ରା ହଳି ଯାଆନ୍ତେ ଚଳି/ ସୁଦରଶନ ହିଂ ସହିତରେ ମିଳି ଯେ।।/ତଥି ଉତ୍ତାରୁ ଲକ୍ଷ୍ମୀ ଶ୍ରୀନାରାୟଣ/ସାକ୍ଷାତ ଚତୁରକ୍ଷ ହେଲେ ଲୋକନ ଯେ।।/ଆନନ୍ଦବୃନ୍ଦ ସିନ୍ଧୁ ଶୀଘ୍ରେ ଉଚ୍ଛୁଳି।/କମ୍ବୁ କଟକ ତଟ ଗଲା କି ବଳି ଯେ।।/ ଏଣୁ ସମସ୍ତେ ତହିଂ ମଗ୍ନ ହୋଇଲେ।/ ତିନି ପ୍ରକାରେ ତାପ ବିଧ୍ୱସ୍ତ କଲେ ଯେ।।” ଅର୍ଥାତ୍ “ଲକ୍ଷ୍ମୀ-ନାରାୟଣଙ୍କର ସେହି ଚାରିଚକ୍ଷୁର ମିଳନଜନିତ ଆନନ୍ଦର ସାଗର ସତେ ଯେମିତି ଉଚ୍ଛୁଳି ଉଠି ଶଙ୍ଖକ୍ଷେତ୍ରର ତଟକୁ ପ୍ଳାବିତ କରିଦେଲା। ସମସ୍ତେ ସେଥିରେ ନିମଗ୍ନ ହୋଇଗଲେ। ସେମାନଙ୍କର ‘ତ୍ରିତାପ’ ଅର୍ଥାତ୍ ଆଧ୍ୟାତ୍ମିକ-ଆଧିଦୈବିକ-ଆଧିଭୌତିକ ଦୁଃଖ ବିଧ୍ୱସ୍ତ ହୋଇଗଲା।” କେବଳ ଏତିକି ନୁହେଁ; କବି ଲୋକନାଥ ବିଦ୍ୟାଧର ରଥ ଉପରର ଓ ଭେଟମଣ୍ଡପର ଲକ୍ଷ୍ମୀ-ନାରାୟଣ ବନ୍ଦାପନାକୁ ମଧ୍ୟ “ଠାକୁର-ଠାକୁରାଣୀଙ୍କ ପ୍ରମୋଦପୂର୍ଣ୍ଣ ନିରାଜନା” ବୋଲି କହିଛନ୍ତି। ତାଙ୍କ ଭାଷାରେ, “ଠାକୁର ଠାକୁରାଣୀ ସେହି କାଳରେ।/ ନିରାଜନା ହୁଅନ୍ତି ପ୍ରମୋଦ ଭରେ।”

ଏହା ପରେ, ଶ୍ରୀଜଗନ୍ନାଥଙ୍କର ରଥାବତରଣ ଓ ନୀଳାଦ୍ରିବିଜେ। ଏବେ ଶ୍ରୀମନ୍ଦିରରେ ସଂପନ୍ନ ହେଉଥିବା ନୀଳାଦ୍ରିବିଜେ ନୀତିରେ, ରଥରୁ ଅବତରଣ କରି ଶ୍ରୀମନ୍ଦିରର ସିଂହଦ୍ୱାର ନିକଟକୁ ଶ୍ରୀଜଗନ୍ନାଥ ଆସିବା ପୂର୍ବରୁ, ମହାଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ଦାସୀମାନେ ସିଂହଦ୍ୱାରର ଦରଜା ବନ୍ଦ କରି ଦେଇଥାନ୍ତି ଏବଂ ସେ ସିଂହଦ୍ୱାର ନିକଟକୁ ଆସିବା ପରେ ତାହାକୁ ଖୋଲି ଦିଅନ୍ତି। କିନ୍ତୁ ‘ନୀଳାଦ୍ରି ମହୋତ୍ସବ’ରେ ଏ ପ୍ରସଙ୍ଗର ବର୍ଣ୍ଣନା ନାହିଁ। ଏଥିରୁ ସୂଚିତ, ଯେ ତାହାର ରଚନା ସମୟକୁ ହୁଏ’ତ ନୀଳାଦ୍ରିବିଜେ ନୀତିରେ ଶ୍ରୀମନ୍ଦିରର ସିଂହଦ୍ୱାର ରୁଦ୍ଧ କରାଯିବାର ପ୍ରଥା ନଥିଲା।

‘ନୀଳାଦ୍ରି ମହୋତ୍ସବ’ର ବର୍ଣ୍ଣନା ଅନୁସାରେ- “ନୀଳାଦ୍ରିସିଂହ (ଶ୍ରୀଜଗନ୍ନାଥ) ସିଂହଦ୍ୱାରରେ ପ୍ରବେଶ କରନ୍ତି। ରମାରମଣ (ଶ୍ରୀଜଗନ୍ନାଥ) ଦ୍ୱାବିଂଶ (ବାଇଶି ପାହାଚ) ଆରୋହଣ ଓ ସୁଆରୋହଣ କରି ଯାଆନ୍ତି। ସେହିପରି ଭାବରେ ଗମନ କରି ଯାଇ ଜଗମୋହନପୁର (ଶ୍ରୀମନ୍ଦିରର ଜଗମୋହନ)ରେ ଜଗମୋହନ (ଶ୍ରୀଜଗନ୍ନାଥ) ପ୍ରବେଶ କରନ୍ତି। ସେତେବେଳକୁ ଦାସୀମାନଙ୍କ ଅନୁରୋଧରେ ତଥା ଶ୍ରୀଜଗନ୍ନାଥଙ୍କ ‘ଚାଟୁ ପଟୁ ବାଣୀ’ ଶୁଣିବା ଅଭିଳାଷରେ, ଦେବୀ ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ, ଶ୍ରୀମନ୍ଦିର ଦ୍ୱାର (ଜୟବିଜୟ ଦ୍ୱାର) ରୁଦ୍ଧ କରିଦିଆଯାଇଥାଏ।” ଏ ପ୍ରସଙ୍ଗରେ କବି କହିଛନ୍ତି- “ଯାହାଙ୍କ ଆଜ୍ଞାରେ ବ୍ରହ୍ମା ବିଶ୍ୱ ପାଳନ କରନ୍ତି ଓ ବେଦପୁରାଣ ଗାୟନ କରନ୍ତି; ସେହି ଶ୍ରୀଜଗନ୍ନାଥ କବାଟ ଫିଟାଇ ଦେବାପାଇଁ ଦାସୀମାନଙ୍କୁ ‘ସବିନୟ ବାଣୀ’ କହନ୍ତି। ସେହି ବାଣୀ ଏପରି ଯେ ସ୍ୱୟଂ ଭାରତୀ (ସରସ୍ୱତୀ)ଙ୍କ ଭାରତୀ (ବାଣୀ) ମଧ୍ୟ ସେପରି କହିବାରେ ଅକ୍ଷମ ହେବ। ଏଣୁ କବି ବା କିପରି ତାହା କହିପାରିବ!”

କିନ୍ତୁ ଏହା କହିବା ସତ୍ତ୍ୱେ, କବି ଲୋକନାଥ ବିଦ୍ୟାଧର ତାହାର ବର୍ଣ୍ଣନା ତାଙ୍କ ‘ନୀଳାଦ୍ରି ମହୋତ୍ସବ’ କାବ୍ୟରେ କରିଛନ୍ତି। “କି ପାଇଁ କବାଟ ନଫେଡ଼ ଆମ୍ଭଙ୍କୁ” ବୋଲି ଶ୍ରୀଜଗନ୍ନାଥ ଦାସୀମାନଙ୍କୁ ପଚାରିଛନ୍ତି ଏବଂ ଦାସୀମାନେ କହିଛନ୍ତି, “ହେ ପ୍ରବାସୀ, ଶୁଣନ୍ତୁ! ଏ ଦେଶର ରୀତି ଭିନ୍ନ। ଆମ୍ଭର ପ୍ରଭୁ ପ୍ରବାସରେ ଯାଇଥିବାରୁ ଆମ୍ଭର ଠାକୁରାଣୀ ଏବେ ‘ବିରହ ଅଳସ’ରେ ଅଛନ୍ତି। ‘ଅଶନ ବେସନ’ (ଖାଦ୍ୟପେୟ ଓ ବିଳାସ ପ୍ରସାଧନ) ତ୍ୟାଗ କରି, ନାମକୁ ମାତ୍ର ତାଙ୍କର ଜୀବନ ରହିଛି। ଏଣୁ ତାଙ୍କ ଛାମୁରେ ଯାଇ ଏକଥା ଜଣାଇବାକୁ କେହି ସାହସ କରିପାରିବେ ନାହିଁ।” ଏହା ଶୁଣିବା ପରେ, ଗୋବିନ୍ଦ (ଶ୍ରୀଜଗନ୍ନାଥ) ଉପାୟ ଚତୁଷ୍ଟୟ (ସାମ, ଦାନ, ଦଣ୍ଡ, ଭେଦ) ମଧ୍ୟରୁ ଦଣ୍ଡ ବ୍ୟତୀତ ଅନ୍ୟ ତିନିଟିଯାକର ପ୍ରୟୋଗ ଦାସୀମାନଙ୍କ ପ୍ରତି କରିଛନ୍ତି। ତାହାର ଫଳ ସ୍ୱରୂପ, ଦାସୀମାନେ ଯାଇ ଦେବୀ ଲକ୍ଷ୍ମୀଙ୍କୁ ସବୁ କଥା ଜଣାଇଛନ୍ତି ଏବଂ ଛଦ୍ମ-କଠୋରତା ପରିହାର କରି, ଦେବୀ ଲକ୍ଷ୍ମୀ, ଆନନ୍ଦ ବିହ୍ୱଳ ଚିତ୍ତରେ, କବାଟ ଖୋଲିଦେବାକୁ ଦାସୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ରୋଚକ ବର୍ଣ୍ଣନା କରି କବି କହିଛନ୍ତି- “ତହୁଂ ସହଚରୀଚୟ ଯାଇ ବେଗେ।/ଲକ୍ଷ୍ମୀଙ୍କ ଛାମୁରେ ଜଣାନ୍ତି ସରାଗେ ଯେ।।/ଶୁଣିମା ଲୋକମାତା ଦୁଆରେ ଆସି।/ ପ୍ରବେଶ ହେଲେ ନବଦିନ ପ୍ରବାସୀ ଗୋ।।/ ଆମ୍ଭେମାନେ ତ ଦେଇଅଛୁ କପାଟ।/ବାହାରେ ରହି ପ୍ରଭୁ ଅମରରାଟ ଗୋ।।/ଆଉ ତୁମ୍ଭଙ୍କୁ ଆମ୍ଭମାନଙ୍କୁ ଯେତେ।/ ବିନୟ କରନ୍ତି ତା କହିବି କେତେ ଗୋ।।/ଏହୁ ଅମୃତବତ ବଚନ ଶୁଣି।/ ଆନନ୍ଦେ ବିହ୍ୱଳିତ ଶ୍ରୀଠାକୁରାଣୀ ଗୋ।/ସେ ତ ନୁହନ୍ତି କିଛି କଠୋରଚିତ୍ତା।/ସରଳ ହୃଦୟା ଧୀରା ପତିବ୍ରତା ଯେ।।/ତେଣୁ ମାନ ମାନସେ ଧରି ନପାରି।/ ଅନୁଜ୍ଞା ଦିଅନ୍ତି ଶୁଣ ସହଚରୀ ଗୋ।।/ ୟେବେ କବାଟ ଯାଇ ଫେଡ଼ ବହନ।/ପ୍ରଭୁ କରନ୍ତୁ ଭିତରକୁ ଗମନ ଗୋ।”

ଶ୍ରୀମନ୍ଦିରର ‘ନୀଳାଦ୍ରିବିଜେ’ ନୀତିର ପାରମ୍ପରିକ ପ୍ରଥା ଅନୁସାରେ, ଏହାପରେ ଦାସୀ ବା ସହଚରୀ ଭୂମିକାରେ ଥିବା ଶ୍ରୀମନ୍ଦିରର ସେବକ ବା ସେବିକାମାନେ, ଜୟବିଜୟ ଦ୍ୱାରର କବାଟ ଖୋଲି ଦିଅନ୍ତି ଏବଂ ପ୍ରଭୁ ଭିତରକୁ ବିଜେ କରନ୍ତି। ଏହାପରେ, ଭଣ୍ଡାରଘରର ଦ୍ୱାର ସମ୍ମୁଖରେ ଲକ୍ଷ୍ମୀ-ନାରାୟଣ ଭେଟ ଏବଂ ରୁକ୍ମିଣୀ ବିବାହ କାଳରେ ପଡ଼ିଥିବା ‘ବିବାହ ଗଇଣ୍ଠାଳ’ ଫିଟା ହେବା ସହିତ ରସଗୋଲା ଭୋଗ ହୁଏ।

ଏଣୁ ଏହି ‘ନୀଳାଦ୍ରିବିଜେ’ ନୀତିରେ ‘କଳି’ ବା କଥା କଟାକଟି କିଛି ନାହିଁ; ଯାହା ଅଛି, ତାହା ଶ୍ରୀଜଗନ୍ନାଥଙ୍କର ‘ଚାଟୁ ପଟୁ ବାଣୀ’ ଶୁଣିବା ପାଇଁ ଦେବୀ ଲକ୍ଷ୍ମୀଙ୍କର ଅଭିଳାଷ ଏବଂ କଉତୁକ ଓ କୋଳାକୋଳି। ଅଥଚ ପରବର୍ତ୍ତୀ କାଳର ବହୁ କବି, ରୀତିମତ ତାହାକୁ ଦାମ୍ପତ୍ୟ କଳହର ତୀବ୍ର ରୂପ ହିଁ ଦେଇଛନ୍ତି।

ମୋ: ୯୪୩୭୦ ୩୪୮୦୪
[email protected]