ଜୀବନ ଉତ୍ସବ

ଅରୁଣ କୁମାର ପଣ୍ତା

ଜୀବନରେ ଗୋଲାପ ଫୁଲର କ’ଣ ଆବଶ୍ୟକତା ଅଛି? ଧାନ, ଗହମର ଆବଶ୍ୟକତା ରହିଛି, କିନ୍ତୁ ଗୋଲାପ ନ ହେଲେ ନ ଚଳେ, ଏମିତି ନୁହେଁ। କିନ୍ତୁ ଯଦି ଜୀବନରେ କେବଳ ଧାନ, ଗହମ ଥିବ ଅଥଚ ଗୋଲାପ ନ ଥିବ, ତେବେ ସେ ଜୀବନ କ’ଣ ପ୍ରକୃତରେ ଜୀବନ ପଦବାଚ୍ୟ ହୋଇପାରିବ?
ଆମ ଜୀବନକୁ ଥରେ ଦେଖନ୍ତୁ। ପିଲା ବେଳେ ଏକ ବୃତ୍ତି ବା ପେସା ଲାଭ କରିବା ଲାଗି ପ୍ରସ୍ତୁତି ଓ ବଡ଼ ହେବା ପରେ ବୃତ୍ତିକୁ କେନ୍ଦ୍ର କରି ଆମ ଜୀବନ ଅନବରତ ଘୂର୍ଣ୍ଣାୟମାନ। କିନ୍ତୁ ଏଭଳି ଗତାନୁଗତିକ ଜୀବନରେ ସୋୖନ୍ଦର୍ଯ୍ୟ କାହିଁ? ସଂଗୀତର ମୂର୍ଚ୍ଛନା କାହିଁ? ବେଶ୍‌, ଏତିକି ଚିନ୍ତା କଲେ ଜୀବନରେ ଗୋଲାପର ଆବଶ୍ୟକତା ପ୍ରାଞ୍ଜଳ ହୋଇଉଠେ। ଗୋଲାପ ଲୋଡ଼ା ସୌନ୍ଦର୍ଯ୍ୟ ଲାଗି; ପ୍ରକୃତିକୁ ଉତ୍ସବମୁଖର କରିବା ଲାଗି।

ପାଦରେ ଘୁଙ୍ଗୁରୁ ବାନ୍ଧି ମୀରା ପାଗଳୀଙ୍କ ଭଳି ନାଚିଲେ। ଏହାର କ’ଣ ଆବଶ୍ୟକତା ଥିଲା? ମୀରା ନାଚି ନ ଥିଲେ କ’ଣ ଅସୁବିଧା ହୋଇଥା’ନ୍ତା? କୋଟି କୋଟି ଲୋକ ଅଛନ୍ତି, ଯେଉଁମାନେ କେବେ ନାଚନ୍ତି ନାହିଁ, ମନ ଫୁଲାଣିଆ ଗୀତ ଗାଆନ୍ତି ନାହିଁ; ତଥାପି ସେମାନେ ଆନନ୍ଦରେ ଜିଇଛନ୍ତି ବୋଲି କହନ୍ତି! ତାହା ହେଲେ ମୀରାଙ୍କ ଆନନ୍ଦ ଓ ଏମାନେ ଲାଭ କରୁଥିବା ଆନନ୍ଦ ମଧ୍ୟରେ ରହିଥିବା ପାର୍ଥକ୍ୟ କ’ଣ?

ଏଠାରେ ପଚରା ଯାଇପାରେ ଯେ ମୀରାବାଈଙ୍କ ନୃତ୍ୟ ଓ ଆନନ୍ଦରେ ଯେଉଁ ଅପରିମେୟ ଓ ଅନାହତ ଉଲ୍ଲାସ ଥିଲା, ତା’ର ଅନୁଭୂତିି ଆମେ ଲାଭ କରୁଥିବା ଆନନ୍ଦରେ ଅଛି କି? କେହି କେହି କହିପାରନ୍ତି- ଆମେ ବି ନାଚୁ! ଗାଉ! ସଫଳତାରେ ବିଭୋର ହେଉ। ଲଟେରି ଉଠିଲେ ଆନନ୍ଦରେ ନାଚି ଚତୁର୍ଦ୍ଦିଗ କଂପାଇ ଦେଉ। କିନ୍ତୁ ମୀରାବାଈଙ୍କ ନାଚର କାରଣ ସେଭଳି ଅତର୍କିତ ଭାବେ ଲାଭ କରିଥିବା କୌଣସି ସଫଳତା ନ ଥିଲା। ଏକ ଚିରସ୍ରୋତା ଆନନ୍ଦର ଉତ୍ସରୁ ଏହା ପ୍ରବାହିତ ହେଉଥିଲା। ସେଭଳି ଆନନ୍ଦ ଲାଭ କରିପାରିଥିବାରୁ ତାଙ୍କୁ ଭୟ ବା ବିଷାଦ ଗ୍ରାସ ହିଁ କରୁ ନ ଥିଲା। ତାହା ହୋଇ ନ ଥିଲେ ମୀରାବାଈଙ୍କ ଜୀବନରେ ଯେମିତି ଘଟଣା ସବୁ ଘଟି ଚାଲିଥିଲା, ଯେମିତି ଲଂଛନା ଓ ଅପବାଦର ସେ ସମ୍ମୁଖୀନ ହୋଇଥିଲେ ଏବଂ ତାଙ୍କୁ ମାରିବା ଲାଗି ଯେମିତି ଚକ୍ରାନ୍ତ ହୋଇଥିଲା, ସେଥିରେ ଏଭଳି ବିହ୍ବଳ ନୃତ୍ୟ ସମ୍ଭବ ହୁଅନ୍ତା କି?

ବୀଜଟିଏ ଯେତେବେଳେ ଏକ ପଲ୍ଲବିତ ବୃକ୍ଷରେ ପରିଣତ ହୁଏ ଏବଂ ସମୀରଣରେ ତା’ର ପତ୍ର ଓ ଫୁଲ ନାଚି ଉଠନ୍ତି, ସେତିକି ବେଳେ ଯେ କେହି ବୋଧ କରିପାରିବ ଯେ କିଭଳି ପ୍ରକୃତି ସହିତ ବୃକ୍ଷଟି ଏକାତ୍ମ ହୋଇ ସାରିଛି। ଯଦି କେହି ଜଣେ ଏଭଳି ସମୟରେ ବୃକ୍ଷର ଏକ ଶାଖାକୁ ଛେଦନ କରେ, ତେବେ ବୃକ୍ଷରେ ଫୁଟିଥିବା ଫୁଲ ସେମାନଙ୍କ ନୃତ୍ୟ ବନ୍ଦ କରି ଦିଅନ୍ତି ନାହିଁ। ସେହି ନୃତ୍ୟ ଜାରି ରହେ, ଯେ ପର୍ଯ୍ୟନ୍ତ ସମୀରଣ ପୁଲକ ଜଗାଉଥାଏ। ମୀରାବାଈ ସେହିଭଳି ପରମାତ୍ମାଙ୍କ ସହିତ ଏକାତ୍ମ ହୋଇଥିଲେ; ଯାହା ତାଙ୍କର ଅନ୍ତର୍ଗତ ଆତ୍ମାକୁ ମଥିତ କରୁଥିଲା। ତେଣୁ ମୀରାବାଈ ଆନନ୍ଦରେ ପାଗଳିନୀ ଭଳି ନାଚି ଉଠୁଥିଲେ।

ଏହା ଅବଶ୍ୟ ସତ ଯେ ମୀରାଙ୍କ ଭଳି ଚିରନ୍ତନ ଆନନ୍ଦର ଉଚ୍ଛ୍ବାସ ଲାଭ କରିବା ଆମ ଭଳି ସାଧାରଣ ବ୍ୟକ୍ତିମାନଙ୍କ ପକ୍ଷରେ ସମ୍ଭବ ନୁହେ। ମୀରାବାଈ ହୁଅନ୍ତୁ ବା ଶ୍ରୀଚୈତନ୍ୟ; ଏମାନେ ହେଉଛନ୍ତି ଗୋଟିଏ ଗୋଟିଏ ଅନନୁକରଣୀୟ ଦୃଷ୍ଟାନ୍ତ। କିନ୍ତୁ ଆମେ ଚାହିଁଲେ ଆମ ଜୀବନରେ ଏଭଳି ମହାନନ୍ଦର ଆଭାସ ପାଇପାରିବା, ଯାହା ଆମ ହୃଦୟତନ୍ତ୍ରୀରେ ବୀଣାର ଝଙ୍କାର ସୃଷ୍ଟି କରିବ। ଆମ ଭିତରୁ ଅଧିକାଂଶ କୃତ୍ରିମତା ଦ୍ବାରା ସୃଷ୍ଟ ସୁଖ ଭୋଗରେ ଏଭଳି ଆବିଷ୍ଟ ଯେ ପ୍ରକୃତିର ସୌନ୍ଦର୍ଯ୍ୟରୁ ଆନନ୍ଦ ଲାଭ କରିବା ବିଷୟ ପ୍ରାୟତଃ ବିସ୍ମରି ଗଲେଣି। ଉଦାହରଣ ସ୍ବରୂପ, ରାତିରେ ଆମ ଆଖି ନିରନ୍ତର ସ୍ମାର୍ଟ ଫୋନ୍‌ର ପରଦା ବା ଟେଲିଭିଜନର ପରଦା ଉପରେ ନିବଦ୍ଧ ଓ ଆମେ ସେହି ସୁଖରେ ଆତ୍ମବିସ୍ମୃତ। ଅଥଚ କୌଣସି ଏକ ରାତିରେ ପାୱାର କଟ୍‌ ସମୟରେ ଘରର ଛାତ ଉପରୁ ଏକ ତାରକା ଖଚିତ ନିର୍ମଳ ଆକାଶ ସହିତ ଅନେକ ବର୍ଷ ପରେ ହଠାତ୍‌ ମୁହାଁମୁହିଁ ହୋଇଗଲେ ଯେଉଁ ଅନିର୍ବଚନୀୟ ପୁଲକରେ ଛାତି ଭରିଯାଏ, ତାହାର କୌଣସି ବିକଳ୍ପ ଅଛି କି? ଏଭଳି ଏକ ଦୃଶ୍ୟ ଅବଲୋକନ କରୁଥିବା ବେଳେ ମନର ଆକାଶରେ ମଧ୍ୟ ତାରା ଫୁଟି ଉଠେ। ବାହ୍ୟ ପ୍ରକୃତି ସହିତ ଅନ୍ତର୍ଗତ ପ୍ରକୃତି ଏକାକାର ହେବାର ଏଭଳି କ୍ଷଣ କେବଳ ପରମାତ୍ମାଙ୍କ ସହିତ ଆତ୍ମାର ମିଳନ ସମୟର ମହାର୍ଘ ମୁହୂର୍ତ୍ତ ସହିତ ସମ୍ଭବତଃ ତୁଳନୀୟ। ଏଭଳି ବୈଦ୍ୟୁତିକ କ୍ଷଣ ହିଁ ଜୀବନକୁ ଉଦ୍‌ଭାସିତ କରିଥାଏ, ଉତ୍ସବାୟିତ କରିଥାଏ। ଏଠାରେ ନୋବେଲ ପୁରସ୍କାର ବିଜେତା ପ୍ରସିଦ୍ଧ ଚିନ୍ତକ ବର୍ଟ୍ରାଣ୍ଡ ରସେଲଙ୍କ ଏକ ଅନୁଭୂତି ପ୍ରାସଙ୍ଗିକ। ସେ ଥରେ ଏକ ଆଦିବାସୀ ଗାଁକୁ ବୁଲିବାକୁ ଯାଇ ଏକ ଜ୍ୟୋତ୍ସ୍ନା ବିଧୌତ ରଜନୀରେ ଜଙ୍ଗଲ ମଧ୍ୟରେ ଆଦିବାସୀଙ୍କ ପାରମ୍ପାରିକ ନୃତ୍ୟର ଉଛୁଳା ଆବେଗ ଦ୍ବାରା ଏଭଳି ବିମୋହିତ ହୋଇଯାଇଥିଲେ ଯେ ତାଙ୍କୁ ଲାଗିଥିଲା ସତେ ଯେମିତି ସେ ଅନ୍ୟ କୌଣସି ପୃଥିବୀରେ ଉପସ୍ଥିତ। ତାଙ୍କ ଆଖିରୁ ଧାର ଧାର ଲୁହ ବହିବାରେ ଲାଗିଥିଲା, ଯାହାର କାରଣ ଥିଲା ଏକ ନୈସର୍ଗିକ ଆନନ୍ଦ।

ତେବେ, ଆମେମାନେ ଆମ ଜୀବନକୁ ସେଭଳି ଉତ୍ସବାୟିତ କରିବା କିପରି? ଅଧିକରୁ ଅଧିକ ସମୟ ନାଚି ପାରିବା କିପରି? ଆନନ୍ଦ ଲାଭ ଲାଗି ସଫଳତାକୁ ଅପେକ୍ଷା ନ କରି ସାଧାରଣ ଜୀବନରେ ବି ମନ ଉଲ୍ଲସିତ ରଖି ପାରିବା କିପରି? ତା’ର ଉତ୍ତର ହେଲା, ଆମେ ନିଜ ପାଦରେ ବାନ୍ଧି ରଖିଥିବା ପଥରର ଓଜନରୁ ମୁକ୍ତ ହେବା ଜରୁରୀ। ତାହା ହେଲେ ନାଚ ଲାଗି ପାଦ ଉଠିବ। ସେହି ପଥରଗୁଡ଼ିକ ହେଲେ ଜ୍ଞାନ, ଅହଂକାର, ପ୍ରତିପତ୍ତି, ଯଶ, ତର୍କ ଇତ୍ୟାଦି; ଯାହା ଆମମାନଙ୍କୁ ସହଜ, ସାବଲୀଳ, ସ୍ବଚ୍ଛନ୍ଦ ଓ ନମନୀୟ କରିପାରୁନାହିଁ କି ମନର ବାତାୟନକୁ ଉନ୍ମୁକ୍ତ ରଖି ପରମା‌ତ୍ମାଙ୍କ ଏ ସୃଷ୍ଟିର ତରଙ୍ଗକୁ ଆମ ହୃଦୟରେ ପ୍ରବେଶ କରିବାକୁ ଦେଉନାହିଁ।

କେହି କେହି ପଚାରି ପାରନ୍ତି ଏହା ଦ୍ବାରା ଲାଭ କ’ଣ ମିଳିବ? ଏହାର ଉତ୍ତର ହେଲା ସର୍ବଦା ଲାଭାନ୍ବେଷୀ ବିଚାରର ଊର୍ଦ୍ଧ୍ବକୁ ଉଠି ଯଦି ଏଭଳି ନୈସର୍ଗିକ ଆନନ୍ଦର ଅନ୍ବେଷଣ କରାଯାଏ, ତେବେ ଜୀବନରେ ଏଭଳି ପରିବର୍ତ୍ତନ ଆସିବ, ଯାହା ଆନନ୍ଦ ଲାଗି ଉତ୍ସବର ସୁଯୋଗ ଲୋଡ଼ିବ ନାହିଁ; ବରଂ ଜୀବନଟା ହିଁ ଏକ ନିରନ୍ତର ଉତ୍ସବରେ ପରିଣତ ହୋଇଯିବ।

୧୩୪୮/୪- ସି, ସେକ୍ଟର-୬,
ମର୍କତନଗର, କଟକ-୧୪

ସମ୍ବନ୍ଧିତ ଖବର