ମୃତ୍ୟୁ ସଚେତନତାରେ ଜୀବନ

ଦିଗ୍‌ବଳୟର ଏ ପାଖରେ - ଜୟନ୍ତ କୁମାର ବିଶ୍ବାଳ

ଅତ୍ୟନ୍ତ ଅପ୍ରତ୍ୟାଶିତ ଭାବରେ ଗତ ୨ ବର୍ଷ ଭିତରେ କରୋନା ଆମମାନଙ୍କ ଜୀବନରେ ମୃତ୍ୟୁ-ସଚେତନତା ଭରି ଦେଇଛି। ଆମେ ସମସ୍ତେ ଆମ ଅନ୍ତରଙ୍ଗ ପରିସରରେ, ଚିହ୍ନା ଜଣାରେ କାହାକୁ ନା କାହାକୁ ହରେଇଲେ। ମୃତ୍ୟୁର ଦାରୁଣ ଆକସ୍ମିକତା ଏକ ପରିଚିତ ଅନୁଭବ ପରି ଲାଗିବାକୁ ଆରମ୍ଭ କଲା। ସ୍ବାଭାବିକ ଭାବେ ଏହି ମୃତ୍ୟୁଘନ ପରିବେଶରେ ଜୀବନରେ ଆଉ ପୂର୍ବପରି ଉତ୍ସାହ ରହିଲାନି; ସବୁବେଳେ ଏକ ଉଦାସ ଅନୁଭବ ବି ଲାଗିରହିଲା। କାଲି ମୁଁ ନିଜେ, ବା ମୁଁ ଭଲ ପାଉଥିବା ଓ ନିଜ ଜୀବନ ସହ ଜଡ଼େଇ ରଖିଥିବା ମଣିଷମାନେ ନ ଥାଇ ପାରୁ- ଏହି ଅନିଶ୍ଚିତତା ଭିତରେ କିଏ ଜୀବନ ପାଇଁ ସ୍ବପ୍ନ ଦେଖିବ, ଯୋଜନା କରିବ?

କେବଳ ବର୍ତ୍ତମାନର ଏହି କରୋନାକ୍ରାନ୍ତ ସମୟ ନୁହେଁ; ସାଧାରଣ ସମୟରେ ମଧୢ ମୃତ୍ୟୁ ଏବ˚ ସ˚ସାରର ସବୁ କିଛିର କ୍ଷଣସ୍ଥାୟିତ୍ବ କଥାଟି ମଣିଷକୁ ବିଚଳିତ କରୁଥାଏ। ଅନିଶ୍ଚିତତା ଭିତରେ ଆମକୁ ବଞ୍ଚିବାକୁ ଭଲ ଲାଗେ ନାହିଁ। କୌଣସି ସୁଖର ସେତିକି ଉଷ୍ଣତା, ସେତିକି ମାଦକତା ରହିବ ନାହିଁ, ଯଦି ଆମର ଅନୁଭବ ହେବ ଯେ ଏହା ହୁଏ’ତ ପର ମୁହୂର୍ତ୍ତରେ ନ ଥାଇପାରେ। ଆମର ସ୍ବାଭାବିକ ଜୀବନଧାରା, ସମସ୍ତ ସୁଖ ଯେତେବେଳେ ସ୍ଥାୟିତ୍ବର, ନିଶ୍ଚିତତାର ବୋଧ ଉପରେ ଆଧାରିତ, ସେତେବେଳେ ମୃତ୍ୟୁ, କ୍ଷଣଭଙ୍ଗୁରତାର ଅନୁଭବଗୁଡ଼ିକ ଆମକୁ ଅସ୍ଥିର, ଅସହାୟ କରିଦିଏ। ବେଳେବେଳେ ଜୀବନ ଦୁର୍ବିଷହ ମଧୢ ହୋଇଯାଏ।

ମୃତ୍ୟୁକୁ, କ୍ଷଣସ୍ଥାୟିତ୍ବକୁ ସ୍ବାଭାବିକ ଭାବରେ ଗ୍ରହଣ କରି ବଞ୍ଚିବା, ମଣିଷ ପାଇଁ ଏକ ଆହ୍ବାନ। ଏହି ଆହ୍ବାନଟିକୁ ଗ୍ରହଣ କରିପାରିଲେ ଆମେ ଜୀବନର ସମସ୍ତ ଅନିଶ୍ଚିତତା ସତ୍ତ୍ବେ ଏକ ସୁନ୍ଦର ଜୀବନ ବଞ୍ଚିପାରିବା। ପ୍ରଥମେ ମୃତ୍ୟୁ କଥା ଆଲୋଚନା କରାଯାଉ। ସାଧାରଣ ଭାବରେ ମୃତ୍ୟୁକୁ ସବୁବେଳେ ଆମେ ଆମ ଦୃଷ୍ଟି ଆଢୁଆଳରେ ରଖିବାକୁ ଚାହୁଁ, କାରଣ ଆମେ ଆମର ସମସ୍ତ ସ୍ବପ୍ନ ଏବ˚ ସ୍ବେଦ ଦେଇ ଜୀବନରେ ଯେଉଁସବୁ ପୁଞ୍ଜି ସ˚ଗ୍ରହ କରିଥାଉ, ମୃତ୍ୟୁ ଗୋଟିଏ ମୁହୂର୍ତ୍ତରେ ତାକୁ ନିଶ୍ଚିହ୍ନ କରିଦିଏ। କିନ୍ତୁ ମୃତ୍ୟୁକୁ ସବୁବେଳେ ଆମେ ଏପରି ଆଢୁଆଳରେ ରଖିଥିବାରୁ, ଆମର ଚେତନାର ବହିର୍ସ୍ଥ କରି ରଖିଥିବାରୁ, ଯେତେବେଳେ ନିଜର ମୃତ୍ୟୁ ଆସେ ବା କୌଣସି ଆତ୍ମୀୟଙ୍କର ମୃତ୍ୟୁ ଘଟେ, ସେତେବେଳେ ତାହା ଆମକୁ ଭୟଙ୍କର ଭାବେ ବିବ୍ରତ ଏବ˚ ବିଷାଦଗ୍ରସ୍ତ କରିଦିଏ। ବୟସ ବଢ଼ିଲା ସାଥିରେ ମୃତ୍ୟୁବୋଧ ସହ ପରିଚୟ ହେବାଟି ଅତ୍ୟନ୍ତ ଆବଶ୍ୟକ। ଅବଶ୍ୟ ସାଧାରଣ ଭାବରେ ଏହା ହୁଏ; କିନ୍ତୁ ଆମେ ଅନିଚ୍ଛା ଓ ଭୟର ସହ, ଏକ ପ୍ରକାର ବାଧୢବାଧକତାରେ ମୃତ୍ୟୁକୁ ଗ୍ରହଣ କରିଥାଉ। ସେଥିପାଇଁ ମୃତ୍ୟୁଦେବତା ଯମରାଜଙ୍କୁ ଆମେ ମହିଷ ପୃଷ୍ଠାସୀନ, ଖଡ୍‌ଗଧାରୀ, ଭୟଙ୍କର ଦେଖାଯାଉଥିବା ଦେବତା ରୂପେ କଳ୍ପନା କରିଥାଉ। କେତେ ସୁନ୍ଦର କଥା ହୋଇଥାଆନ୍ତା ଯଦି ମୃତ୍ୟୁଦେବତା ଏକ ଶାନ୍ତ, ସୌମ୍ୟ ରୂପଧାରୀ ଦେବତା ହୋଇଥାଆନ୍ତେ ଏବ˚ ମଣିଷକୁ ହାତ ପ୍ରସାରି କୋଳେଇ ନେବାର ଏକ ଭଙ୍ଗୀରେ ଥାଆନ୍ତେ! ମୃତ୍ୟୁକୁ ସହଜ ଭାବେ ଗ୍ରହଣ କରିବା ପାଇଁ ଆମକୁ ସଚେତନ ହୋଇ ପ୍ରସ୍ତୁତି କରିବାକୁ ପଡ଼ିବ। ଆମର ସମସ୍ତ ଧର୍ମଗ୍ରନ୍ଥରେ ମୃତ୍ୟୁ ଏବ˚ ସ˚ସାରର କ୍ଷଣଭଙ୍ଗୁରତା ଉପରେ ବାରମ୍ବାର ଗୁରୁତ୍ବ ଦିଆଯାଇଛି ଯେ ତାହା ମଣିଷ ଚେତନାର ଅନ୍ତର୍ସ୍ଥ ହେବ। ମୃତ୍ୟୁକୁ ଏକ ‘ଅସ୍ପୃଶ୍ୟ’ ବିଷୟ ରୂପେ ବିବେଚନା ନ କରି ଏହା ବିଷୟରେ ଚିନ୍ତନ, ମନନ କରିବାକୁ ପଡ଼ିବ। ଏହି ସତ୍ୟଟି ଯେମିତି ଆମ ମନ ଭିତରେ ସବୁବେଳେ ବସା ବାନ୍ଧିଥିବ। ମୃତ୍ୟୁ ସହ ମନ ଭିତରେ ଏକ ଘନିଷ୍ଠ ପରିଚୟ ହୋଇଯିବ, ଯେପରିକି ମୃତ୍ୟୁ ଆସିଲେ ଏତେ ଭୟଙ୍କର ଭାବେ ଅପ୍ରତ୍ୟାଶିତ, ଅପ୍ରୀତିକର ଲାଗିବନି। କ୍ରମାଗତ ମାନସିକ ପ୍ରୟାସ ଫଳରେ ଏହା ସମ୍ଭବ ହୋଇପାରେ। ମାତ୍ର ମୃତ୍ୟୁକୁ ଗ୍ରହଣ କରିବା ଆହୁରି ସହଜ ହୋଇପାରେ ଯେତେବେଳେ ଆମେ ଏହାକୁ ଆମ ଆତ୍ମାର ମହାଯାତ୍ରାର ଏକ ସୋପାନ ବୋଲି ଭାବିପାରିବା। କେତେ ଜନ୍ମ, କେତେ ମୃତ୍ୟୁକୁ ଅତିକ୍ରମ କରି, ପରାମାତ୍ମାରେ ମିଳନ ପାଇଁ ଏହି ଯେଉଁ ଯାତ୍ରା, ସେଥିରେ ମୃତ୍ୟୁ ଯେପରି ସାମାନ୍ୟ ଏକ ମାଇଲ ଖୁଣ୍ଟ। ଥରେ ଏହି ସତ୍ୟର ଉପଲବ୍‌ଧି ଆମ ଚେତନାର ମଞ୍ଜ ଭିତରକୁ ପ୍ରବେଶ କରିଗଲେ, ସେତେବେଳେ ମୃତ୍ୟୁ ଆଉ ଜୀବନର ବିପରୀତ ହୋଇ ରହିବନି।

ଏଣୁ ମୃତ୍ୟୁକୁ ଆଖି ସାମ୍‌ନାରେ ରଖି ବଞ୍ଚିଲେ ହିଁ ଜୀବନ ସୁନ୍ଦର ହୋଇପାରିବ। ଜୀବନର କୌଣସି ମୁହୂର୍ତ୍ତକୁ ନଷ୍ଟ କରିବାକୁ ଇଚ୍ଛା ହେବ ନାହିଁ। ଯେତେବେଳେ ଆମେ କିଶୋର ବା ତରୁଣ ଥାଉ, ସେତେବେଳେ ଜୀବନର ସୀମିତତ୍ବ ବିଷୟରେ ଆମେ ସଚେତନ ନ ଥାଉ; ଭାବୁ, ଜୀବନ ପର୍ଯ୍ୟାପ୍ତ ଅଛି; କିନ୍ତୁ ଯେତେବେଳେ ବୟସ ବଢ଼ିଚାଲେ, ଆମେ ବ୍ୟସ୍ତ ହୋଇପଡୁ ଯେ ‘‘ଆଃ, ଜୀବନଟା କେତେ ଶୀଘ୍ର ସରିଗଲା!’’ ଜୀବନ ଅତି ସୀମିତ, ସ˚କ୍ଷିପ୍ତ ବୋଲି ମୁଁ ଯେତେବେଳେ ଜାଣିବି, ସେତେବେଳେ ଗୁଡ଼ାଏ ସମ୍ପତ୍ତିବାଡ଼ି କରିବା, ବହୁତ କ୍ଷମତାର ଅଧିକାରୀ ହେବା, ପ୍ରଶ˚ସା ହାସଲ କରିବା ପରି ଅସାର କଥା ଗୁଡ଼ିକରେ ମୋର ସାରା ଜୀବନଟା ଧନ୍ଦି ହେବାକୁ ଉଚିତ ମଣିବି ନାହିଁ। ବର˚ ମୁଁ ଭାବିବି ଯେ ମୁଁ ସେହି କଥା କରିବି, ଯାହା ମୋର ହୃଦୟ ଚାହିଁବ; ମୋତେ ଲୋକ ଦେଖାଣିଆ ସୁଖ ନୁହେଁ, ପ୍ରକୃତ ନିରୋଳା ଆନନ୍ଦ ଦେବ। ଆମ ପାଇଁ ସମସ୍ୟାଟା ହେଲା ଯେ ଏ କ୍ଷଣସ୍ଥାୟୀ ସ˚ସାରରେ ଆମେ ଆମର ସବୁ କିଛିକୁ ସ୍ଥାୟୀ ଭାବେ ଦେଖିବାକୁ ଚାହୁଁଛୁ। ଜୀବନରେ ଆମର ସମସ୍ତ ସନ୍ତୋଷ ଆସିଥାଏ ଏହି ସ୍ଥାୟିତ୍ବର ବୋଧରୁ। ଆମର ସବୁ ସମ୍ପତ୍ତି, ସମ୍ପର୍କ, ପ୍ରତିପତ୍ତି ସବୁଦିନ ପାଇଁ ଏମିତି ଅକ୍ଷତ, ଅମ୍ଳାନ ରହିଥିବ; ବୃଦ୍ଧି ପାଇ ଚାଲିଥିବ- ଏହା ଅବାସ୍ତବ ବୋଲି ଜାଣିଥିଲେ ମଧୢ ଏପରି ଧାରଣା ଜୀବନର ଲମ୍ବା ସମୟ ପର୍ଯ୍ୟନ୍ତ ଆମକୁ ଆଚ୍ଛନ୍ନ କରି ରଖିଥାଏ। ସେଥିପାଇଁ ଜୀବନରେ ଆମେ ଲମ୍ବା ଯୋଜନା ମାନ କରୁଥାଉ; ପ୍ରଚୁର ଚେଷ୍ଟା ଏବ˚ ଅପଚେଷ୍ଟା ମଧୢ କରିଥାଉ; ପ୍ରଚୁର ଚିନ୍ତା ଏବ˚ ଦୁଶ୍ଚିନ୍ତାରେ ମଧୢ ଘାଣ୍ଟି ହେଉଥାଉ। ଯେଉଁ ଭବିଷ୍ୟତ୍‌ ନିଶ୍ଚିତ ନୁହେଁ, ସେହି ସ୍ଥିତିହୀନ ଭବିଷ୍ୟତ୍‌ ପାଇଁ ଆମେ ଆମର ବର୍ତ୍ତମାନକୁ ସମର୍ପି ଦେଉଥାଉ ଏବ˚ ସେହି ପ୍ରକ୍ରିୟାରେ ବର୍ତ୍ତମାନର ଆନନ୍ଦ ଗୁଡ଼ିକରୁ ବଞ୍ଚିତ ହୋଇଥାଉ। ଯଦି ଜୀବନ କ୍ଷଣସ୍ଥାୟୀ, ତେବେ କ୍ଷଣରେ କାହିଁକି ଆମେ ବଞ୍ଚିବା ଶିଖିବା ନାହିଁ? କ୍ଷଣରେ ବଞ୍ଚିବା ମାନେ, ବର୍ତ୍ତମାନରେ ବଞ୍ଚିବା। ଏହାର ଅର୍ଥ, ବର୍ତ୍ତମାନ ସହ ସବୁବେଳେ ସମ୍ବନ୍ଧିତ ହୋଇ ରହିଥିବା; ଏହାଠାରୁ କେବେ ବିଚ୍ଛିନ୍ନ ନ ହେବା। ମାତ୍ର ‘ବର୍ତ୍ତମାନ’ଟି କ’ଣ? ଟଲଷ୍ଟୟଙ୍କର ପ୍ରସିଦ୍ଧ ଗଳ୍ପ ‘ତିନିଟି ପ୍ରଶ୍ନ’ରେ ସନ୍ନ୍ୟାସୀ, ରାଜାଙ୍କୁ ତାଙ୍କ ତିନିଟି ପ୍ରଶ୍ନର ଏହିପରି ଉତ୍ତର ଦେଇଛନ୍ତି, ‘‘ସ୍ମରଣ ରଖ: କେବଳ ଗୋଟିଏ ସମୟ ଯାହା ଗୁରୁତ୍ବପୂର୍ଣ୍ଣ- ତାହା ହେଉଛି ବର୍ତ୍ତମାନ… ସେହି ଲୋକଟି ଯିଏ ତୁମ ସାଥିରେ ବର୍ତ୍ତମାନ ଅଛି, ସେ ହିଁ ତୁମ ପାଇଁ ସବୁଠାରୁ ମୂଲ୍ୟବାନ… ଏବ˚ ତୁମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହେଉଛି, ଅନ୍ୟର ମଙ୍ଗଳ କରିବା।’’

ବର୍ତ୍ତମାନ ଆମ ଚାରିପାଖରେ, ମୋ ସାଥିରେ ଯେଉଁମାନେ ଅଛନ୍ତି, ସେମାନଙ୍କ ସହ ଆମେ କିପରି ସମ୍ବଦ୍ଧିତ ହୋଇ ରହିଛୁ? ସେମାନେ ଆମର ଆତ୍ମୀୟ ନ ହୋଇପାରନ୍ତି; ଶିକ୍ଷା, ବୃତ୍ତି, ସମ୍ପଦ, ସବୁଥିରେ ସେମାନେ ହୁଏ’ତ ଆମ ଠାରୁ ଅନେକ ତଳସ୍ତରର ହୋଇପାରନ୍ତି; ମାତ୍ର ସେମାନଙ୍କ ସହ ଘନିଷ୍ଠ ଭାବେ ସମ୍ପର୍କିତ ହୋଇ ରହିବାଟା ଆମ ପାଇଁ ଅପରିହାର୍ଯ୍ୟ ଏବ˚ ଏହା ଉପରେ ଆମର ଜୀବନର ସୁଖ, ଶାନ୍ତି ନିର୍ଭର କରିଥାଏ। ଆମେ କିନ୍ତୁ, ଯେଉଁମାନେ ଆମ ପାଖରେ ନାହାନ୍ତି ସେମାନଙ୍କ ବିଷୟରେ ମୋହାସକ୍ତ ହୋଇ ଭାବି ଭାବି ଦିନ କଟେଇ ଦେଉ, କେତେବେଳେ ଆଶାରେ ତ ଆଉ କେତେବେଳେ ଆଶଙ୍କାରେ, କେତେବେଳେ ଅତୀତର ସ୍ମୃତିରେ ତ ଆଉ କେତେବେଳେ ଭବିଷ୍ୟତ୍‌ର ସ୍ବପ୍ନରେ। ଆଉ ସବୁବେଳେ ହୃଦୟ ଭିତରେ ଏକ ଅପୂର୍ଣ୍ଣତା ନେଇ ବଞ୍ଚୁ। ଏଣେ, ବର୍ତ୍ତମାନ ଯେଉଁମାନେ ଆମ ସାଥିରେ ଅଛନ୍ତି, ସେମାନଙ୍କ ପ୍ରତି ସମ୍ପୂର୍ଣ୍ଣ ଉଦାସୀନ ଥାଉ। କିନ୍ତୁ ଯଦି ଆମେ ବର୍ତ୍ତମାନରେ ବଞ୍ଚିବାକୁ ଶିଖିପାରନ୍ତୁ, ତେବେ ଆମେ ଆମର ଅନେକ ଦୁଃସ୍ଥିତି ସତ୍ତ୍ବେ ମଧୢ ଜୀବନକୁ ସୁନ୍ଦର, ଅର୍ଥପୂର୍ଣ୍ଣ କରେଇ ପାରନ୍ତୁ।

ଏହା ଉଦ୍ଭଟ ଲାଗିପାରେ; ମାତ୍ର ସକାଳେ ଉଠିଲା କ୍ଷଣି ମୁଁ ଯଦି ମୃତ୍ୟୁ ଏବ˚ ସ˚ସାରର ସବୁ ଜିନିଷର କ୍ଷଣସ୍ଥାୟିତ୍ବ କଥାକୁ ଚିନ୍ତନ କରିବି, ତେବେ ସେ ଦିନର ଜୀବନଟି ମୋ ପାଇଁ ଉନ୍ମୁକ୍ତତାର ଜୀବନ ହେବ। ଜିନିଷକୁ, ସମ୍ପର୍କକୁ ଜାବୁଡ଼ି ଧରିଥାଉ ବୋଲି ଆମେ ସର୍ବଦା ଉତ୍କଣ୍ଠା, ଉଦ୍‌ବେଗ ଭିତରେ ଥାଉ। ମାତ୍ର ଯେତେବେଳେ ମାନସିକ ସ୍ତରରେ ଆମେ ସବୁକିଛିକୁ କ୍ଷଣଭଙ୍ଗୁର, କ୍ଷଣସ୍ଥାୟୀ ବୋଲି ଗ୍ରହଣ କରିବା, ସେତେବେଳେ ଏହାକୁ ତ୍ୟାଗ କରିବାକୁ ମଧୢ ପ୍ରସ୍ତୁତ ହୋଇଯିବା। ଆଉ ସେତେବେଳେ ମନ ଆଉ ଭାରାକ୍ରାନ୍ତ ନ ହୋଇ, ସମସ୍ତ ବୈକଲ୍ୟ, ବିଷାଦରୁ ମୁକ୍ତ ହୋଇଯିବ; ଏକ ଦୁର୍ବାର ସାହସ ଏବ˚ ଅପୂର୍ବ ପ୍ରଶାନ୍ତି ମଧୢ ଆସିଯିବ। ଆମେ ଯଦି ଆମର ବର୍ତ୍ତମାନ ସହ ପରମ ଆତ୍ମୀୟତାରେ ନିମଗ୍ନ ଥିବା, ତେବେ ଜୀବନ କେବେ ନିଃସ୍ବ, ଅସହାୟ ହେବ ନାହିଁ।

ମୋ: ୯୪୩୭୨୯୨୧୧୩

ସମ୍ବନ୍ଧିତ ଖବର