କରୋନା ଯୁଦ୍ଧରେ ରାମ ବାଣ-ମାସ୍କ୍
ଡାକ୍ତର ନାରାୟଣ ପ୍ରସାଦ ମୋଦି
କୋଭିଡ୍-୧୯ର କରାଳ ରୂପରେ ପୃଥିବୀବାସୀ ସଂତ୍ରସ୍ତ। ବିଜ୍ଞାନ ଆଜି ଅଗ୍ନି ପରୀକ୍ଷାର ସମ୍ମୁଖୀନ। କିଛି ପାଶ୍ଚାତ୍ୟ ରାଷ୍ଟ୍ରଙ୍କର ଅବସ୍ଥା ଅତି ହୃଦୟବିଦାରକ। ସାରା ପୃ୍ଥିବୀର ପ୍ରଥମ ଏବଂ ଶେଷ ଚିନ୍ତା, କେବେ ଓ କିଭଳି କୋଭିଡ୍-୧୯ ଉପରେ ବିଜୟ ଲାଭ କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖ ରହୁ କି ‘କୋଭିଡ୍-୧୯’ର ସଂକ୍ରମଣ କ୍ଷମତା ଉଦ୍ବେଗଜନକ ଭାବେ ତୀବ୍ର। କୌଣସି ସୁରକ୍ଷାମୂଳକ ପଦକ୍ଷେପ ବା ସାବଧାନତା ଅବଲମ୍ବନ କରୁ ନ ଥିବା ଜଣେ କରୋନା ରୋଗୀ ଏକ ମାସ ଭିତରେ ପ୍ରାୟ ୪୨୦ ଜଣଙ୍କୁ ସଂକ୍ରମିତ କରିଦେଇପାରେ। ଏହି ଭୂତାଣୁ ଚାରିଟି ଉପାୟରେ ମନୁଷ୍ୟରୁ ମନୁଷ୍ୟକୁ ସଂକ୍ରମିତ ହୋଇଥାଏ। ସେଥିରୁ ଦୁଇଟି ମୁଖ୍ୟ। ପ୍ରଥମଟି ବାୟୁରେ ଭାସମାନ କଠିନ ବା ତରଳ କ୍ଷୁଦ୍ର ଜଳକଣିକା ଯାହା ସଂକ୍ରମିତ ବ୍ୟକ୍ତି କାଶିଲେ, ଛିଙ୍କିଲେ ବା ଜୋରରେ କଥା କହିଲେ ବାୟୁମଣ୍ଡଳକୁ ଆସିଥାଏ। କାଶ ବା ଛିଙ୍କର ତୀବ୍ରତା ଅନୁସାରେ ଏହା ପ୍ରାୟ ୪୦ କି.ମି. ପ୍ରତି ଘଣ୍ଟାରୁ ୧୬୦ କି.ମି. ପ୍ରତି ଘଣ୍ଟା ବେଗରେ ୨ ମିଟରରୁ ୬ ମିଟର ପର୍ଯ୍ୟନ୍ତ ବାୟୁମଣ୍ଡଳକୁ ନିର୍ଗତ ହୋଇଥାଏ। ଏହି କଣିକାଗୁଡ଼ିକ ୧୦ ମିନିଟ୍ରୁ କିଛି ଘଣ୍ଟା ପର୍ଯ୍ୟନ୍ତ ବାୟୁମଣ୍ଡଳରେ ଭାସମାନ ଅବସ୍ଥାରେ ରହିପାରେ ଏବଂ ଅନ୍ୟ ବ୍ୟକ୍ତିକୁ ସଂକ୍ରମିତ କରିପାରେ। ଦ୍ବିତୀୟଟି ହେଲା, ପ୍ରତ୍ୟକ୍ଷ ବା ପରୋକ୍ଷରେ ଭୂତାଣୁ ଲାଗିରହିଥିବା ଯେ କୌଣସି ପଦାର୍ଥ ବା ପୃଷ୍ଠର ସ୍ପର୍ଶ। କରୋନା ଭୂତାଣୁ ପ୍ଲାଷ୍ଟିକ ଉପରେ ୭୨ ଘଣ୍ଟା, ଷ୍ଟେନ୍ଲେସ ଷ୍ଟିଲ୍ ଉପରେ ୪୮ ଘଣ୍ଟା, କାର୍ଡବୋର୍ଡ ଉପରେ ୨୪ ଘଣ୍ଟା ଏବଂ ତମ୍ବା (କପର) ଉପରେ ୪ ଘଣ୍ଟା ଜୀବିତ ରହିବା କଥା କୁହାଯାଉଛି, ଯାହାକୁ ଅବଶ୍ୟ ଏବେ ପଶ୍ଚିମ ଜର୍ମାନିର ବନ୍ ବିଶ୍ବବିଦ୍ୟାଳୟର ଗବେଷକମାନେ ଖଣ୍ଡନ କରିଛନ୍ତି। ସେମାନଙ୍କ ନିଷ୍କର୍ଷ ହେଲା ସେ ସବୁ ପ୍ରକୃତରେ ମୃତ ଭୂତାଣୁଙ୍କ ‘ଆର୍.ଏନ୍.ଏ.’ର ଛାପ। କିନ୍ତୁ ତାହା ଅଦ୍ୟାବଧି ବ୍ୟାପକ ସ୍ବୀକୃତି ପାଇ ନ ଥିବାରୁ ଆମେ ମନେରଖିବା ଦରକାର ଯେ କୌଣସି ପୃଷ୍ଠକୁ ସ୍ପର୍ଶ କରି ତା’ପରେ ନିଜ ଆଖି, ପାଟି ବା ନାକକୁ ଛୁଇଁବାର ଅର୍ଥ ଭୂତାଣୁ ଦ୍ବାରା ସଂକ୍ରମିତ ହେବାର ଆଶଙ୍କାକୁ ବୃଦ୍ଧି କରିବା।
ଏହି ମହାମାରୀକୁ ପ୍ରତିହତ କରିବାକୁ ହେଲେ ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବା ହିଁ ଏକମାତ୍ର ଉପାୟ। ଏଥି ଲାଗି ସାମାଜିକ ଦୂରତା ରକ୍ଷା କରିବା (ଅତି କମ୍ରେ ୨ ମିଟର), ଘରେ ରହିବା, ସାବୁନ ପାଣିରେ ବାରମ୍ବାର ଅତି କମ୍ରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା ଏବଂ ମାସ୍କ୍ ବ୍ୟବହାର କରିବା ପ୍ରମୁଖ। ଏକ ଗବେଷଣାରୁ ଦେଖାଯାଇଛି ଯେ କେବଳ ହାତ ଧୋଇବା ଦ୍ବାରା କରୋନା ଭୂତାଣୁର ସଂକ୍ରମଣକୁ ୫୫ ପ୍ରତିିଶତ, ମାସ୍କ୍ ପିନ୍ଧିବା ଦ୍ବାରା ପ୍ରାୟ ୭୦ ପ୍ରତିଶତ ଏବଂ ହାତ ଧୋଇବା, ମାସ୍କ୍. ପିନ୍ଧିବା, ଗ୍ଲୋଭ୍ସ ଓ ସୁରକ୍ଷା ସାମଗ୍ରୀ ବ୍ୟବହାର କରିବା ଦ୍ବାରା ପ୍ରାୟ ୯୧ ପ୍ରତିଶତ ପ୍ରତିହତ କରାଯାଇପାରିଛି।
କହିବା ବାହୁଲ୍ୟ ଯେ ମାସ୍କ୍ର ବ୍ୟବହାର ସଂକ୍ରମଣ ରୋକିବାର ଏକ ପ୍ରଧାନ ଉପାୟ। କିନ୍ତୁ ମାସ୍କ୍ ବ୍ୟବହାର କରିବାର ନିୟମାବଳୀକୁ ମାନିବା ଦରକାର। ସମସ୍ତେ ମାସ୍କ୍ ବ୍ୟବହାର କଲେ ସଂକ୍ରମଣ ଶୃଙ୍ଖଳ ଶୀଘ୍ର ଭଙ୍ଗ ହେବା ସମ୍ଭବ ବୋଲି ଏବେ ପ୍ରମାଣିତ। ତେଣୁ ମାସ୍କ୍ର ବ୍ୟବହାର ଅପରିହାର୍ଯ୍ୟ ହୋଇପଡ଼ିଛି। କୌଣସି ଲକ୍ଷଣ େଦଖାଉ ନଥିବା ଜଣେ କରୋନା ସଂକ୍ରମିତ ଏହି ସଂକ୍ରମଣକୁ ତୀବ୍ର କରିପାରେ। ଏହି ପରିପ୍ରେକ୍ଷୀରେ ଆଦର୍ଶ ରଣନୀତି ହେଲା ପ୍ରତ୍ୟେକ ବ୍ୟକ୍ତି ନିଜକୁ ଜଣେ ସମ୍ଭାବ୍ୟ କରୋନା ସଂକ୍ରମଣକାରୀ ବୋଲି ମନେ କରିି ସର୍ବଦା ମାସ୍କ୍ର ବ୍ୟବହାର କରିବା। ଚୀନ ଏବଂ ସିଙ୍ଗାପୁର ସମତେ ଅନ୍ୟାନ୍ୟ ସ୍ଥାନର ଅନୁଭୂତି ଓ ଗବେଷଣାରୁ ଏହା ଜଣାଯାଇଛି। ତେଣୁ ନିକଟରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ‘ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ’ (ଆଇସିଏମଆର) ପକ୍ଷରୁ ମାସ୍କ୍ର ବହୁଳ ବ୍ୟବହାର ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି। ଏପ୍ରିଲ ୯ ତାରିଖ ଠାରୁ ଓଡ଼ିଶା ସରକାର ଘରୁ ବାହାରିବା ମାତ୍ରେ ମାସ୍କ୍ ବ୍ୟବହାରକୁ ବାଧ୍ୟତାମୂଳକ ଏବଂ ଏହାର ଖିଲାପକୁ ଦଣ୍ଡନୀୟ ବୋଲି ଘୋଷଣା କରିଛନ୍ତି। କାରଣ ମାସ୍କ୍ ବ୍ୟବହାର ଦ୍ବାରା କେବଳ ନିଜର ସୁରକ୍ଷା ନୁହେଁ, ଅନ୍ୟାନ୍ୟ ବ୍ୟକ୍ତିଙ୍କ ସୁରକ୍ଷାକୁ ମଧ୍ୟ ନିଶ୍ଚିତ କରାଯାଇଥାଏ।
ତେବେ, ମାସ୍କ୍ର ବ୍ୟବହାର ଏବଂ ଏହାକୁ କେନ୍ଦ୍ର କରି ପ୍ରକୃତ ଜ୍ଞାନର ଅଭାବ ଅେନକତ୍ର ପରିଲକ୍ଷିତ ହୁଏ। ଭୟାତୁର ଲୋେକ ଦାମିକା ‘ଏନ୍-୯୫’ ମାସ୍କ୍ କିଣି ପକାଉଥିବାରୁ ଏହି ରୋଗର କେନ୍ଦ୍ରସ୍ଥଳରେ ରହି ମୁକାବିଲା କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଏହି ମାସ୍କ୍ର ଘୋର ଅଭାବ ଦେଖା ଦେଉଛି। ତେଣୁ କିଭଳି ମାସ୍କ୍ ବ୍ୟବହାର କରାଯିବା ଉଚିତ ସେ ସମ୍ବନ୍ଧରେ କିଞ୍ଚିତ ସୂଚନା ଦିଆଯିବା ଆବଶ୍ୟକ।
ପ୍ରଥମ କଥା ହେଲା ଡଷ୍ଟ ମାସ୍କ୍ ବା ଧୂଳିରୁ ରକ୍ଷା ପାଇବା ଲାଗି ଉଦ୍ଦିଷ୍ଟ ମୁଖା କୋଭିଡ୍-୧୯ର ମୁକାବିଲା ଲାଗି ଆଦୌ ସମର୍ଥ ନୁହେଁ। ସେହିଭଳି ଏକକ ବା ସିଙ୍ଗଲ ଲେୟାର ମାସ୍କ୍ ଏ ପ୍ରସଙ୍ଗରେ କୌଣସି କାମରେ ଆସିବ ନାହିଁ। ସର୍ଜିକାଲ ମାସ୍କ୍ ବା ମେଡିକାଲ ମାସ୍କ୍ ଅଥବା ପ୍ରୋସିଡିଓର ମାସ୍କ୍ ତ୍ରିସ୍ତରୀୟ ହୋଇଥାଏ ଏବଂ କରୋନା ଭୂତାଣୁର ମୁକାବିଲା ଲାଗି ଏହା ସମର୍ଥ। ଗୋଟିଏ ସର୍ଜିକାଲ ମାସ୍କ୍କୁ ମାତ୍ର ୩ରୁ ୮ ଘଣ୍ଟା ବ୍ୟବହାର କରାଯାଇପାରିବ। କିନ୍ତୁ ମନେରଖିବା ଦରକାର ଯେ ଏହା ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଲାଗି ଉଦ୍ଦିିଷ୍ଟ ଏବଂ ଏହାର ବହୁଳ ବ୍ୟବହାର ଅନାବଶ୍ୟକ। ସେହିଭଳି ରେସପିରେଟର ମାସ୍କ୍ ଯାହା ଏନ୍-୯୫, ଏନ୍-୯୯, ଏନ୍-୧୦୦, ଏଫ୍ଏଫ୍ପି, ଏଫ୍ଏଫ୍ପି-୨, ଏଫ୍ଏଫ୍ପି-୩ ମାସ୍କ ଭାବେ ଜଣାଶୁଣା, େସଗୁଡ଼ିକ ମଧ୍ୟରୁ ଏଫ୍ଏଫ୍ପି-୧ ମାସ୍କ୍ କୋଭିଡ୍-୧୯ର ସଂକ୍ରମଣ ରୋକି ପାରିବ ନାହିଁ। ଅନ୍ୟ ସବୁ ପ୍ରକାରର ମାସ୍କ୍ କେବଳ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଉଦ୍ଦିଷ୍ଟ। ସାଧାରଣ ଲୋକ ଏହି ମାସ୍କ୍ ବ୍ୟବହାରରୁ କ୍ଷାନ୍ତ ରହିବା ଜରୁରୀ।
ଆମ ଭଳି ଏକ ଜନବହୁଳ ଦେଶରେ ଲୋଡ଼ା ଶସ୍ତା, ସହଜରେ ଉପଲବ୍ଧ, ଧୋଇ ହୋଇ ପାରୁଥିବା ଏବଂ ପୁନଃ ବ୍ୟବହାରକ୍ଷମ ଏକ ଫଳପ୍ରଦ ବିକଳ୍ପ ହେଉଛି କପଡ଼ା ମାସ୍କ୍। ଏହାକୁ ଗଂଜି କପଡ଼ା (ଶତକଡ଼ା ୧୦୦ ଭାଗ କପା)ରେ ତିଆରି କରାଯାଇପାରିବ। ଏହା ଫଳପ୍ରଦ ହେବା ପାଇଁ ଏହାକୁ ଦୁଇ ବା ତିନି ପରସ୍ତର କରାଯିବା ଆବଶ୍ୟକ।
ପ୍ରତିଦିନ ଏହାକୁ ଉଷୁମ ସାବୁନ ପାଣିରେ ଧୋଇ କରି ଶୁଖାଇବା ଆବଶ୍ୟକ। ତା’ ପରେ ଏହାର ପୁନଃ ବ୍ୟବହାର କରାଯାଇପାରିବ। ଯଦି କେହି କୋଭିଡ୍-୧୯ ଦ୍ବାରା ସଂକ୍ରମିତ ବା ସେଭଳି ଲକ୍ଷଣ ଦେଖାଉଥାଆନ୍ତି, ତେବେ ସେ ଦିନରାତି, ଏପରିକି ଶୋଇବା ସମୟରେ ମଧ୍ୟ ଏହି ମାସ୍କ୍ ବ୍ୟବହାର କରିବା ଦରକାର। ପରିବାରର ଅନ୍ୟମାନେ ମଧ୍ୟ ମାସ୍କ୍ ବ୍ୟବହାର କରିବା ନିତାନ୍ତ ଆବଶ୍ୟକ। ଯଦି କୌଣସି ବ୍ୟକ୍ତି କୋଭିଡ୍-୧୯ରୁ ସୁସ୍ଥ ହେଉଛନ୍ତି, ତେବେ ମଧ୍ୟ ସେ ମାସ୍କ୍ ବ୍ୟବହାର କରିବେ। କିନ୍ତୁ ସାଧାରଣ ସ୍ଥିତିରେ ଘର ଭିତରେ ମାସ୍କ୍ ବ୍ୟବହାର କରିବାର କୌଣସି ପ୍ରୟୋଜନ ନାହିଁ।
ସଂେକ୍ଷପରେ ଏତିକି କହିଲେ ଯେଥଷ୍ଟ ହେବ ଯେ ଚଳିତ ମହାମାରୀରେ ସମସ୍ତେ ମାସ୍କ୍ ବ୍ୟବହାର କରିବା ଅତ୍ୟନ୍ତ ଜରୁରୀ। ସଂକ୍ରମିତ କରିବା ଏବଂ ସଂକ୍ରମିତ ହେବାରୁ ରକ୍ଷା ପାଇବାକୁ ଏହା ହିଁ ଏକମାତ୍ର ରାମ ବାଣ। କିନ୍ତୁ ମାସ୍କ୍ ଲଗାଇଲା ବେଳେ ବା ଖୋଲିଲା ବେଳେ ସତର୍କତା ଅବଲମ୍ବନ କରାଯିବା ଜରୁରୀ, ଯେମିତି ହାତ ନାକରେ ବା ପାଟିରେ ନ ବାଜେ। ତା’ ଅର୍ଥ କାନ ପାଖରୁ ହିଁ ମାସ୍କ୍ର ଇଲାଷ୍ଟିକକୁ ସତର୍କତାର ସହିତ ସନ୍ତର୍ପଣରେ ଖୋଲି ଆଣିବା ଜରୁରୀ। ଟିକିଏ ସଚେତନତା ଓ ସତର୍କତା ଆମକୁ ଓ ଆମ ରାଜ୍ୟକୁ ବଞ୍ଚାଇ ପାରିବ।
ଶିଶୁରୋଗ ଚିକିତ୍ସା ବିଶେଷଜ୍ଞ,
ହାଇଟେକ ମେଡିକାଲ କଲେଜ, ଭୁବନେଶ୍ବର
ମୋ-୯୪୩୭୦୨୩୪୩୪