ବିଷାଦକୁ ବିଦାୟ!

ମନ ପରିଭାଷା - ଫକୀର ମୋହନ ସାହୁ

ବିଶ୍ୱର ବହୁ ଦେଶ କରୋନା ସଂକ୍ରମଣ ଦ୍ବାରା କବଳିତ। ମୃତ୍ୟୁର ହାହାକାର ଠାରୁ ଆରମ୍ଭ କରି ଜୀବିକା ହରାଇବା, ଆୟ ସ୍ରୋତ ବନ୍ଦ ହୋଇଯିବା, ଡାକ୍ତରଖାନାର ବ୍ୟୟ ଭାରରେ ସର୍ବସ୍ବାନ୍ତ ହୋଇଯିବା, ଏକାକୀ ଘରେ ବନ୍ଦ ହୋଇ ରହି କାହା ସହିତ ମିଶି ନ ପାରିବା ଇତ୍ୟାଦି ପର୍ଯ୍ୟନ୍ତ ଅନେକ ମାନସିକ ଅବସାଦ, କଷଣ ଓ ଦୁଃଖ ଦ୍ବାରା ସମଗ୍ର ମାନବଜାତି ଏବେ ସନ୍ତପ୍ତ। ଏପରି ସ୍ଥିତିରେ ବିଷାଦ ବଳୟରୁ କିଭଳି ମୁକ୍ତ ହେବା, ତାହା ଏକ ବଡ଼ ଚିନ୍ତାର ବିଷୟ।

ପ୍ରଥମେ ମନେ ରଖିବାକୁ ହେବ ଯେ ଭୟ, କ୍ରୋଧ, ବିଷାଦ ଭଳି ନକାରାତ୍ମକ ଆବେଗ ସଂପୂର୍ଣ୍ଣ ଭାବେ କ୍ଷତିକାରକ ନୁହେଁ। ଜୀବନର ବିବର୍ତ୍ତନରେ ଏଗୁଡ଼ିକର ବିଶେଷ ଭୂମିକା ଏପରିକି କିଛିଟା ଉପଯୋଗିତା ମଧ୍ୟ ରହିଛି। ଉଦାହରଣ ସ୍ବରୂପ ଭୟ ଆମକୁ ଅଯଥା ବିପଦ ବରଣ କରିବାରୁ ନିବୃତ୍ତ କରେ। ସୁତରାଂ, ଏହା ଆମକୁ ସୁରକ୍ଷିତ ରଖିବାରେ ସହାୟକ ହୁଏ। କିନ୍ତୁ ସମସ୍ୟା ସେତିକି ‌େବଳେ ଉପୁଜେ ଯେତିକି ବେଳେ ନକାରାତ୍ମକ ଆବେଗର ଆତିଶଯ୍ୟ ଆମକୁ ଗ୍ରାସ କରି ପକାଏ। ପୁଣି ବିଷାଦର ମାତ୍ରା ଓ ଦୀର୍ଘତା ହିଁ ଆମ ଲାଗି ବିପଦର କାରଣ ହୋଇଥାଏ। ଏଠାରେ କହି ରଖିବା ଉଚିତ ହେବ ଯେ କରୋନା ପାନ୍‌ଡେମିକ୍‌ ପୂର୍ବରୁ ମଧ୍ୟ ବିଭିନ୍ନ କାରଣରୁ ସାରା ପୃଥିବୀରେ ଏବଂ ବିଶେଷ କରି ଆମ ଦେଶରେ ବିଷାଦଗ୍ରସ୍ତଙ୍କ ସଂଖ୍ୟାରେ ବୃଦ୍ଧି ପାଇବାରେ ଲାଗିଥିଲା। ତେଣୁ ବିଷାଦରୁ ମୁକ୍ତି ପାଇବାର ଉପାୟ ନିର୍ଦ୍ଧାରଣ କରିବା ଅତି ଜରୁରୀ।

ସେଥି ଲାଗି ପ୍ରଥମେ ଆମକୁ ନିଜ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ହେବ। ଚେଷ୍ଟା କରି ଯଦି ସବୁ ସମୟରେ ଜଣେ ହସହସ ରହିପାରନ୍ତି, ତେବେ ଦେଖାଯିବ ଯେ ତାଙ୍କ ମନରେ ରହିଥିବା ବିମର୍ଷ ଭାବ ମଧ୍ୟ ନିଷ୍ପ୍ରଭ ହେଉଛି। ଭଲ ମିଂଜାସର ବ୍ୟକ୍ତି ଅନ୍ୟମାନଙ୍କର ଅକୁଣ୍ଠ ସ୍ନେହ ଓ ସଦ୍ଦିଚ୍ଛା ଲାଭ କରିଥାଆନ୍ତି, ଯାହା ତାଙ୍କ ମନକୁ ଖୁସି ରଖିପାରେ।

ସେମିତି ଆଉ ‌ଗୋଟିଏ ମାର୍ଗ ହେଉଛି ବ୍ୟାୟାମ। ବର୍ତ୍ତମାନ ଏହା ବୈଜ୍ଞାନିକଭାବେ ସ୍ବୀକୃତ ଯେ ବ୍ୟାୟାମ ଶରୀରରେ ଏଭଳି ଅନେକ ଜୈବ-ରାସାୟନିକ (ଡୋପାମିନ୍‌ ଭଳି) କ୍ଷରଣ କରିଥାଏ, ଯାହା ମନକୁ ପ୍ରଫୁଲ୍ଲ ରଖିପାରେ। ସେହିଭଳି ଏ କ୍ଷେତ୍ରରେ ଯୋଗ, ଧ୍ୟାନ ଓ ପ୍ରାଣାୟାମର ମଧ୍ୟ ଯଥେଷ୍ଟ ମହତ୍ତ୍ବ ରହିଛି। ତେଣୁ ପ୍ରତ୍ୟହ ଅଧଘଣ୍ଟାକର ଏ ସବୁର ଅଭ୍ୟାସ ଅତ୍ୟନ୍ତ ଲାଭଦାୟକ ହୋଇପାରେ।

ସେମିତି ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ସାମାଜିକ ସଂପର୍କ ସୃଷ୍ଟି ଏବଂ ତା’ର ସୁରକ୍ଷା। ବନ୍ଧୁ ପରିଜନଙ୍କ ସହିତ କିଛି ଦିନ ଅନ୍ତରରେ ଦେଖାହେଲେ ମନ ପୁଲକିତ ହୋଇ ନ ଥାଏ କି? ତାହାର କାରଣ ମନୁଷ୍ୟ ଏକ ସାମାଜିକ ପ୍ରାଣୀ ଏବଂ ସୁସଂପର୍କ ସ୍ଥାପନ କରି ରହିବା ତା’ର ଏକ ପ୍ରାକୃତିକ ବିଭାବ। ଏବେ ବିଭିନ୍ନ କାରଣରୁ ଆମ ଜୀବନରେ ବିଭିନ୍ନ ସଂପର୍କ ଦୁର୍ବଳ ହୋଇଯାଉଛି। ଏହା ଆଉ ବୁଝାଇ କହିବା ଦରକାର ନାହିଁ ଯେ ଏହି କାରଣରୁ ଏକଲାପଣ, ଅସହାୟତା ଓ ତଜ୍ଜନିତ ବିଷାଦ ଆମକୁ ଘୋଟି ଆସୁଛି। ଚିକିତ୍ସା ବିଜ୍ଞାନୀମାନେ ଗବେଷଣା କରି ଦେଖିଛନ୍ତି ଯେ ପରସ୍ପରକୁ ଶ୍ରଦ୍ଧା ବ୍ୟକ୍ତ କରିବା ଏବଂ ପ୍ରଶଂସା କରିବା ସମୟରେ ‘ଅକ୍‌ସିଟୋସିନ୍‌’ ନାମକ ଏକ ହରମୋନ୍‌ର କ୍ଷରଣ ହୋଇଥାଏ, ଯାହା ମନୁଷ୍ୟକୁ ଆଶ୍ବସ୍ତ କରେ, ଶାନ୍ତି ଓ ସନ୍ତୋଷ ପ୍ରଦାନ କରିଥାଏ। ତେଣୁ ପାରସ୍ପରିକ ସଂପର୍କ ରକ୍ଷା ଅତ୍ୟନ୍ତ ମୂଲ୍ୟବାନ।

ସଂପ୍ରତି ଅଧିକାଂଶ ଲୋକ ଏକ ଯନ୍ତ୍ର ଭଳି ରୁଟିନ୍‌ବନ୍ଧା ଜୀବନ ଜିଉଛନ୍ତି। ଏହା ଜୀବନରୁ ସବୁ ରସ ଅପହରଣ କରି ନିଏ। ଚର୍ବିତ ଚର୍ବଣତାର ବିରକ୍ତିକର ଅସ୍ତିତ୍ବରୁ ମୁକ୍ତି ପାଇବା ଲାଗି ଜୀବନ ଯାତ୍ରାରେ କିଛି କିଛି ନୂତନତା ପ୍ରବେଶ କରାଇବା ଆବଶ୍ୟକ। ନୂଆ ସଉକ ସୃଷ୍ଟି କରିବା, ଜୀବନ ଚାରିପଟେ ଘଟୁଥିବା ଛୋଟ ଛୋଟ ଜିନିଷ ପ୍ରତି ଆଗ୍ରହ ପ୍ରକାଶ କରିବା ଦ୍ବାରା ମନ ଗତାନୁଗତିକତାଜନିତ ବିରସତାରୁ ମୁକ୍ତିି ପାଇଥାଏ, ଯାହା ଅବଲୀଳା କ୍ରମେ ମନରୁ ଅବସାଦ ଦୂର କରିଥାଏ।

ବର୍ଟ୍ରାଣ୍ଡ୍‌ ରସେଲ ଠାଏ କହିଥିଲେ ଯେ ଚରମ ବୃଦ୍ଧାବସ୍ଥାରେ ବି ଯାହା ତାଙ୍କୁ ଆନନ୍ଦ ଦେଉଛି ତାହା ହେଲା ‘ମେମୋରି’ ବା ସ୍ମୃତି। ଜୀବନରେ ଅନେକ ସୁଖଦ ସ୍ମୃତି ରହିଥାଏ। ଯଦି ଜଣେ ସ୍ମୃତିର ସରଣୀରେ ପଛକୁ ଫେରେ, ତେବେ ଅନେକ ସୁଖକର ସ୍ମୃତି କେବଳ ତାଙ୍କ ମୁହଁରେ ସ୍ମିତହାସ୍ୟ ଖେଳାଇବ ନାହିଁ, ମନକୁ ହାଲୁକା ଏବଂ ଆନନ୍ଦମୟ କରିବ ମଧ୍ୟ। କେବଳ ସେତିକି ନୁହେଁ ବେଳେ ବେଳେ ଆମେମା‌େନେ ଆମକୁ ଭଲ ଲାଗୁଥିବା ଭଳି ବସ୍ତୁ ବା ଦୃଶ୍ୟର ପରିକଳ୍ପନା କରିବା ଉଚିତ। ଯଦି ଆମେ ବେଳାଭୂମିକୁ ଭଲ ପାଉ ଥାଉ, ତେବେ ସେହି ଦୃଶ୍ୟକୁ ମନେ ପକାଇଲେ ତାହା ସାମୟିକ ଆନନ୍ଦାନୁଭୂତି ପ୍ରଦାନ କରିବା ସହିତ ମନକୁ ହାଲୁକା କରିଥାଏ। ଏହାର ଅଭ୍ୟାସ ବିଷାଦବୋଧରୁ ମୁକ୍ତିି ପ୍ରଦାନ କରିପାରେ।

ଅନେକ ସମୟରେ ବିଷାଦ ବା ଅବସାଦ ଉତ୍ପତ୍ତିର କାରଣ ହୋଇଥାଏ ବ୍ୟର୍ଥତା ବା ଅସହାୟତା ଓ ଅପରାଧବୋଧ। ପ୍ରତିଟି ମନୁଷ୍ୟ ବୁଝିବା ଦରକାର ଯେ ଏ ପୃଥିବୀରେ ଅନେକ କିଛି ଏଭଳି ଘଟିଥାଏ, ଯାହା ତା’ର ଆୟତ୍ତରେ ନ ଥାଏ। ଅନେକ ବାହ୍ୟ କାରଣ ଏ ସବୁ ଘଟଣା ବା ପରିସ୍ଥିତିର ନିୟନ୍ତ୍ରକ। ଗ୍ଳାନିବୋଧରେ ଜର୍ଜରିତ ହେଉଥିବା ପ୍ର‌େତ୍ୟକ ବ୍ୟକ୍ତି ସେଭଳି ଆଲୋକରେ ପ୍ରତି ଘଟଣାକୁ ଦେଖିଲେ ତହିଁରୁ ମୁକ୍ତିି ପାଇ ସେଥିରୁ ଜାତ ବିଷାଦକୁ ଦୂର କରିପାରନ୍ତି। ପ୍ରଖ୍ୟାତ ଲେଖକ ଅର୍ନେଷ୍ଟ ହେମିଂୱେ ଠାଏ ଲେଖିଥିଲେ ଯେ ‘ତୁମେ ମଣିଷକୁ ବିଧ୍ବସ୍ତ କରି ଦେଇପାର, କିନ୍ତୁ ପରାହତ କରିପାରିବ ନାହିଁ।’ ପ୍ରତିଟି ମଣିଷ ପାଖରେ ଏଭଳି ଏକ ଅପରାଜେୟ ବ୍ୟକ୍ତିତ୍ବ ରହିଥାଏ। ବିଫଳତାରେ ହାର ମାନୁ ନ ଥିବା ବ୍ୟକ୍ତି ତାହାକୁ ନିଜ ଭିତରେ ଆବିଷ୍କାର କରିଥା‌ଏ। କୌଣସି ବ୍ୟକ୍ତିର ଏହି ପ୍ରକଳ୍ପ ଯଦି ସଫଳ ହୁଏ, ତେବେ ତାକୁ ବିଷାଦ ଛୁଇଁ ପାରି ନ ଥାଏ।

ମୋ- ୯୪୩୭୧୨୧୨୭୯

ସମ୍ବନ୍ଧିତ ଖବର