ଜଣେ ଶ୍ରେଷ୍ଠ ଗାନ୍ଧୀବାଦୀ

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

୧୯୪୭ ଅଗଷ୍ଟ ୧୫ରେ ସ୍ବାଧୀନ ଭାରତର ପ୍ରଥମ ସରକାର କାର୍ଯ୍ୟଭାର ସମ୍ଭାଳିଥିଲେ ବୋଲି ଅନ୍ୟ ଭାରତୀୟଙ୍କ ଭଳି ମୁଁ ମଧ୍ୟ ପିଲାଦିନୁ ଭାବି ଆସିଛି। ତେବେ ଏବେ ମୋ’ ପାଇଁ ସେହି ଦିନର ଅର୍ଥ କିଛି ଭିନ୍ନ ଜଣାପଡୁଛି। ମୋ’ ଚେତନାରେ ୧୯୪୭ ଅଗଷ୍ଟ ୧୫କୁ ୧୯୪୨ ଅଗଷ୍ଟ ୧୫ ସହ ଯୋଡ଼ି ଦିଆଯାଇଛି, ଯେଉଁ ଦିନ ବନ୍ଦୀଶାଳାରେ ମହାଦେବ ଦେଶାଇ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ତାଙ୍କ ଅବଦାନ ବିନା ବ୍ରିଟିସ୍‌ ସରକାରଙ୍କ ଠାରୁ ଭାରତ କେବେ ମୁକ୍ତ ହୋଇ ପାରି ନଥାନ୍ତା। ତଥାପି ସେଭଳି ମହାନ୍‌ ସ୍ବାଧୀନତା ସଂଗ୍ରାମୀ ଓ ଦେଶଭକ୍ତ ଏବେ ସୁଦ୍ଧା ଉପେକ୍ଷିତ ହୋଇ ଆସିଛନ୍ତି।

୧୯୧୭ ମସିହାରେ ଅହମଦାବାଦ ଠାରେ ଗାନ୍ଧୀଙ୍କ ସହ ସେ ଯୋଗ ଦେବା ପର ଠାରୁ ଦୀର୍ଘ ୨୫ ବର୍ଷ ପରେ ଆଗା ଖାଁ ପ୍ୟାଲେସ୍‌ରେ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ମହାଦେବ ସମ୍ପୂର୍ଣ୍ଣ ଭାବରେ ନିଜକୁ ଗାନ୍ଧୀଙ୍କ ସେବାରେ ଉତ୍ସର୍ଗ କରିଥିଲେ। ସେ ଗାନ୍ଧୀଙ୍କର ସଚିବ ରହିବା ସହିତ ଟାଇପିଷ୍ଟ, ଅନୁବାଦକ, ପରାମର୍ଶଦାତା, ପତ୍ରବାହକ, ବାର୍ତ୍ତାକାର ଓ ସଂକଟମୋଚକ ଭଳି ବହୁତ କିଛି ଥିଲେ। ଏପରିକି ନିଜ ପ୍ରଭୁଙ୍କ ପାଇଁ ସେ ରୋଷେଇ ମଧ୍ୟ କରୁଥିଲେ। ବିଶେଷ କରି ତାଙ୍କ ଦ୍ବାରା ପ୍ରସ୍ତୁତ ଖେଚୁଡ଼ି ଗାନ୍ଧୀଙ୍କର ବେଶ୍‌ ପ୍ରଶଂସାଭାଜନ ହୋଇ ପାରିଥିଲା। ଗାନ୍ଧୀଙ୍କର କାର୍ଯ୍ୟ ଏବଂ ପ୍ରଚାରରେ ମହାଦେବ ଦେଶାଇଙ୍କ ଅପରିହାର୍ଯ୍ୟତାର ଶ୍ରେଷ୍ଠ ପ୍ରମାଣ ଖୋଦ ଗାନ୍ଧୀଜୀଙ୍କ ଠାରୁ ମିଳିଥିଲା। ମହାଦେବ ସାବରମତୀ ଆଶ୍ରମରେ ଯୋଗ ଦେବାର ବର୍ଷକ ପରେ ୧୯୧୮ ମସିହାରେ ଗାନ୍ଧୀ ତାଙ୍କ ପୁତୁରା ମଙ୍ଗନ ଲାଲଙ୍କୁ କହିଥିଲେ ଯେ ତାଙ୍କର ହାତଗୋଡ଼ ଓ ମୁଣ୍ଡ ହେବା ପାଇଁ ତାଙ୍କ ସଚିବ ଆସି ଯାଇଛନ୍ତି ଯାହାଙ୍କ ବିନା ସେ ନିଷ୍କ୍ରିୟ ଓ ବାକ୍‌ହୀନ ଭଳି ମନେ ହେବେ। ଗାନ୍ଧୀଜୀ କହିଥିଲେ, ‘ମୁଁ ତାଙ୍କୁ ଯେତିକି ଜାଣୁଛି, ତାଙ୍କର ସୁଗୁଣ ସବୁ ସେତିକି ପରିସ୍ଫୁଟିତ ହେଉଛି ଏବଂ ସେ ଯେପରି ଭଦ୍ର ସେପରି ଜ୍ଞାନୀ ମଧ୍ୟ।’ ତାହାର କୋଡ଼ିଏ ବର୍ଷ ପରେ ମହାଦେବ ଯେତେବେଳେ ମାତ୍ରାଧିକ ପରିଶ୍ରମ ଯୋଗୁଁ ଭାଙ୍ଗିପଡ଼ିଥିଲେ ସୁଦ୍ଧା ବିରାମ ନେବାକୁ ମନା କରିଥିଲେ, ଗାନ୍ଧୀ ତାଙ୍କୁ ସ୍ନେହଭରା ଭର୍ତ୍ସନା ପୂର୍ବକ କହିଥିଲେ, ‘ତୁମେ ଜଣେ କର୍ମ-ପାଗଳ ବୋଲି ଆମେ କହିବା ଠିକ୍‌ ହେବ କି? ତୁମେ କ’ଣ ଜାଣିନାହଁ କି, ତୁମେ ଅକର୍ମଣ୍ୟ ହୋଇଗଲେ ମୁଁ ଏକ ପକ୍ଷହୀନ ବିହଙ୍ଗ ପାଲଟିଯିବି? ତୁମେ ଯଦି ଶଯ୍ୟାଶାୟୀ ହୋଇ ପଡ଼ିରହ, ମୋତେ ମୋର ତିନି ଚତୁର୍ଥାଂଶ କାର୍ଯ୍ୟକଳାପକୁ ବନ୍ଦ କରିଦେବାକୁ ହେବ!’

ଗାନ୍ଧୀଙ୍କ ଇଂରେଜୀ ଶିଷ୍ୟା ମୀରା ବେନ୍‌ (ମ୍ୟାଡେଲିନ୍‌ ସ୍ଲେଡ୍‌) ହିଁ ମହାଦେବଙ୍କୁ ଅତି ନିବିଡ଼ ଭାବେ ଜାଣିଥିଲେ। ୧୯୨୫ ନଭେମ୍ବରରେ ତାଙ୍କୁ ଅହମଦାବାଦ ଷ୍ଟେସନରୁ ନେବା ଲାଗି ଆସିଥିଲା ବେଳେ ସେ ମହାଦେବଙ୍କୁ ପ୍ରଥମେ ଭେଟି ଥିଲେ। ଏହାର ସତର ବର୍ଷ ପରେ ସେ ଯେତେବେଳେ କାରାଗୃହରେ ଇହଲୀଳା ସମ୍ବରଣ କଲେ, ସେତେବେଳେ ଦୁହେଁ ମଧ୍ୟ ସହ-ବନ୍ଦୀ ଥିଲେ। ମୀରା ତାଙ୍କର ସ୍ମୃତି ଚରିତ ‘ଏ ସ୍ପିରିଟସ୍‌ ପିଲ୍‌ଗ୍ରିମେଜ୍‌’ରେ ମହାଦେବଙ୍କ ବିଷୟରେ ଲେଖିଛନ୍ତି ଯେ ସେ ଡେଙ୍ଗା, ଦେଖିବାକୁ ସୁନ୍ଦର ଥିଲେ। ତାଙ୍କର ନିଶ ଓ ପାଣ୍ଡିତ୍ୟପୂର୍ଣ୍ଣ ମସ୍ତକରେ ପତଳା କେଶ ରହିଥିଲା। ସ୍ବଭାବଗତ ଭାବେ ସେ ଖୁବ୍‌ ସମ୍ବେଦନଶୀଳ ଥିଲେ। କୌଣସି ଜଟିଳ ତଥା ପରିବର୍ତ୍ତନୀୟ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ ତାଙ୍କ ଠାରେ ଅସାଧାରଣ ଏବଂ ବୈଦ୍ୟୁତିକ ବୁଦ୍ଧିମାନୀ ରହିଥିଲା, ଯେଉଁଥି ପାଇଁ ସେ ବାପୁଙ୍କର ଡାହାଣ ହାତ ହୋଇ ରହିଥିଲେ। କୌଣସି ଆଲୋଚନା ପ‌େର ସେ ତାଙ୍କର ଉତ୍କୃଷ୍ଟ ଓ ପରିଷ୍କାର ହାତରେ ସବୁ ରୂପରେଖ ପ୍ରସ୍ତୁତ କରିବା ସହିତ ଲେଖି ରଖୁଥିଲେ। ତେବେ ବାପୁଙ୍କ ପ୍ରତି ରହିଥିବା ତାଙ୍କ ପ୍ରଗାଢ଼ ଭକ୍ତି ହିଁ ଥିଲା ତାଙ୍କର ସବୁଠୁ ମାର୍ମିକ ବିଭାବ ଏବଂ ଏହି କାରଣରୁ ହିଁ ଆମ ଭିତରେ ସବୁଠାରୁ ଅଧିକ ମଜଭୁତ ବନ୍ଧନ ରହିଥିଲା।

୧୯୪୨ ଅଗଷ୍ଟରେ ଗାନ୍ଧୀ ଯେତେବେଳେ ବ୍ରିଟିସ୍‌ଙ୍କ ବିରୋଧରେ ‘ଭାରତ ଛାଡ଼’ ଆହ୍ବାନ ଦେଇ ଗିରଫ ହେଲେ, ପୁଣେର ଆଗା ଖାଁ ପ୍ରାସାଦରେ ତାଙ୍କୁ କିଛି ସହଯୋଗୀଙ୍କ ସହ ବନ୍ଦୀ ଜୀବନ କାଟିବାକୁ ପଡ଼ିଲା। ଏହି କାରାବାସ ଦୀର୍ଘକାଳୀନ ହେବ ବୋଲି ଆଶଙ୍କା କରି ଅଗଷ୍ଟ ୧୪ ସନ୍ଧ୍ୟାରେ ମୀରା ବେନ୍‌ଙ୍କୁ ମହାଦେବ କହିଥିଲେ, ‘ଲେଖାଲେଖି ପାଇଁ କେଡ଼େ ଅପୂର୍ବ ସୁଯୋଗ ମିଳିଲା! ମୋ’ ମନରେ ଅନ୍ତତଃ ୬ଟି ବହି କଳ୍ପିତ ହୋଇ ରହିଛି।’ ପର ଦିନ ମାତ୍ର ୫୦ ବର୍ଷ ବୟସରେ ହୃଦ୍‌ଘାତରେ ସେ ଇହଧାମ ତ୍ୟାଗ କଲେ। ତାହା ପର ଦିନ ମହାଦେବ ନିଜ ସାଙ୍ଗରେ ଆଣିଥିବା ଲୁଗା ବାକ୍‌ସକୁ ଗାନ୍ଧୀ ଖୋଲିଥିଲେ। ତାଙ୍କ ପୋଷାକପତ୍ର ଭିତରେ ତାଙ୍କୁ ଇଂରେଜ ‘କ୍ବାକର୍‌’ ଆଗାଥା ହାରିସନ୍‌ ଉପହାର ଦେଇଥିବା ଏକ ବାଇବେଲ୍‌ର କପି ଓ କିଛି ଖବରକାଗଜର ଉଦ୍ଧୃତାଂଶ ସହିତ ଟାଗୋରଙ୍କ ନାଟକ ‘ମୁକ୍ତିଦ୍ବାର’ ଓ ‘ବ୍ୟାଟଲ୍‌ ଅଫ୍‌ ଏସିଆ’ ସମେତ ଅନ୍ୟାନ୍ୟ କିଛି ବହି ମଧ୍ୟ ଦେଖିବାକୁ ପାଇଥିଲେ।

ଇତିହାସ, ରାଜନୀତି ଓ ଆଇନ ଆଦିରେ ରୁଚି ରଖୁଥିବା ଗୁଜରାଟୀ ଓ ଇଂରେଜୀ ସାହିତ୍ୟର ବିଦ୍ବାନ୍‌ ମହାଦେବ ଦେଶାଇ ବୋଧହୁଏ ଗାନ୍ଧୀ ସହଯୋଗୀଙ୍କ ମଧ୍ୟରେ ସବୁଠୁ ଜ୍ଞାନୀ ଥିଲେ। କିଛି ବର୍ଷ ତଳେ ‘ଵିନ୍‌ସନ୍‌ କ୍ବାଟର୍ଲି’ରେ ପ୍ରକାଶିତ ଏକ ପ୍ରବନ୍ଧରେ ଆମେରିକୀୟ ଐତିହାସିକ ଇଆନ୍‌ ଦେଶାଇ ମନ୍ତବ୍ୟ ଦେଇଥିଲେ ଯେ ଏହି ବୁଦ୍ଧିମାନ ଅଭିଯାନ (ଭାରତ ଛାଡ଼ ଆନ୍ଦୋଳନ)ର ପିଣ୍ଡପ୍ରାଣ ଥିଲେ ମହାଦେବ। ସେ ଗାନ୍ଧୀଙ୍କ ଦର୍ଶନର ପରିଶୋଧନ କରିବାରେ ସହାୟକ ହେବା ସହିତ ବ୍ରିଟିସ୍‌ ସାମ୍ରାଜ୍ୟବାଦ ବିରୋଧରେ ବୈଚାରିକ ସଂଘର୍ଷ ଚାଲୁ ରଖିବା ପାଇଁ ପ୍ରୟାସୀ ଥିଲେ।

କୌଣସି କଥା ଶିଖିବା ଲାଗି ମହାଦେବଙ୍କ ମନରେ ରହିଥିବା ଆଗ୍ରହ ସମ୍ପର୍କରେ ବର୍ଣ୍ଣନା ‘ମାଞ୍ଚେଷ୍ଟର ଗାର୍ଡିଆନ୍‌’ରେ ପ୍ରକାଶିତ ଏକ ସ୍ମୃତି ତର୍ପଣରେ ଦେଖିବାକୁ ମିଳିଥିଲା। ୧୯୩୧ରେ ଇଂଲାଣ୍ଡରେ ଦ୍ବିତୀୟ ଗୋଲ ଟେବୁଲ୍‌ ବୈଠକରେ ଯୋଗ ଦେବା ଲାଗି ଗାନ୍ଧୀ ଓ ତାଙ୍କ ସଚିବ ସେଠାରେ ଏକାଧିକ ମାସ ବିତାଇଥିଲେ। ଏହି ଅବସରରେ ମହାଦେବ ଇଂରେଜମାନଙ୍କ ଘରକୁ ଯାଇ ସେମାନେ କିପରି ଚଳୁଛନ୍ତି ସେ ବିଷୟରେ ଜାଣିବାକୁ ଚେଷ୍ଟା କରୁଥିଲେ। ସେମାନଙ୍କ ଭିତରେ ସାମିଲ ହେଉ ହେଉ ସେ ସେମାନଙ୍କ ବହି ଥାକ ଉପରେ ନଜର ପକାଉଥିଲେ। ବେଳେ ବେଳେ ତାଙ୍କୁ ମଧ୍ୟ ବହି ଦୋକାନରେ ଦେଖିବାକୁ ମିଳୁଥିଲା। ଏଥିରୁ ତାଙ୍କର ପଢ଼ିବା ପ୍ରତି ଆଗ୍ରହ ବାବଦରେ ସ୍ପଷ୍ଟ ଜଣାପଡ଼େ। ପଢ଼ିବାର ନିଶା ଭିତରେ ସେ ତାଙ୍କର ମୁଖ୍ୟ କାମ ଗାନ୍ଧୀଙ୍କୁ ପରାମର୍ଶ ଦେବା ଓ ସହଯୋଗ କରିବାକୁ ଆଦୌ ଭୁଲୁନଥିଲେ। ପ୍ରତି ଘଟଣାକୁ ସେ ଡାଏରିରେ ଲିପିବଦ୍ଧ କରୁଥିଲେ। ଗୋପାଳକୃଷ୍ଣ ଗାନ୍ଧୀ ମଧ୍ୟ ମହାଦେବଙ୍କୁ ଗାନ୍ଧୀଙ୍କର ଅତ୍ୟନ୍ତ ଅନ୍ତରଙ୍ଗ ମିତ୍ର ବୋଲି ଅନୁଭବ କରିଥାଆନ୍ତି।

୧୯୪୨ ଅଗଷ୍ଟ ୧୫ରେ ମହାଦେବ ଦେଶାଇଙ୍କର ଦେହାନ୍ତ ହୋଇଥିଲା। ଗାନ୍ଧୀ ତାଙ୍କ ଠାରୁ ୨୩ ବର୍ଷ ବଡ଼ ଥିବା ସହ ମହାଦେବଙ୍କ ପରଲୋକ ପରେ ଆହୁରି ୭ ବର୍ଷ ବଞ୍ଚିଥିଲେ। ଶେଷ ପର୍ଯ୍ୟନ୍ତ ସେ ମହାଦେବଙ୍କ ପରି ପରାମର୍ଶଦାତା ପାଇ ନ ଥିଲେ। ଗାନ୍ଧୀ ତାଙ୍କ ଜୀବନର ଅନ୍ତିମ ସପ୍ତାହ ବେଳକୁ ଯେତେବେଳେ ଗୋଟିଏ ପଟେ ହିନ୍ଦୁ ଓ ମୁସଲମାନଙ୍କ ଭିତରେ ଶାନ୍ତି ବଜାୟ ରଖିବା ଲାଗି ଉଦ୍ୟମ ଜାରି ରଖିଥିଲେ ଏବଂ ଅନ୍ୟ ପଟେ ନେହରୁ ଓ ପଟେଲଙ୍କ ଭିତରେ ଦେଖାଦେଇଥିବା ମନାନ୍ତରକୁ ଦୂର କରିବା ଲାଗି ଚେଷ୍ଟିତ ଥିଲେ, ସେତିକି ବେଳେ ସେ ମନୁଙ୍କୁ କହିଥିଲେ, ‘ଆଜି ଆମେ ମହାଦେବଙ୍କ ଅନୁପସ୍ଥିତିକୁ ଯେମିତି ଅନୁଭବ କରୁଛନ୍ତି, ଆଗରୁ କେବେ ସେମିତି ହୋଇନଥିଲା। ସେ ବଞ୍ଚିଥିଲେ ସବୁ ସମସ୍ୟା ସହଜରେ ଅତିକ୍ରାନ୍ତ ହୋଇ ପାରିଥାନ୍ତା।’

ଗାନ୍ଧୀ ଓ ଭାରତ ପାଇଁ ମହାଦେବ ଦେଶାଇଙ୍କର ଅର୍ଥ କ’ଣ, ମୋତେ ୪୦ ବର୍ଷ ହେଲା ଯାଏ ମୁଁ ତାହା ବୁଝିପାରିନଥିଲି। ଗାନ୍ଧୀଙ୍କର ଏକ ଜୀବନୀ ଉପରେ କାମ କଲା ବେଳେ ଏବଂ ଗାନ୍ଧୀଙ୍କର କିଛି ବ୍ୟକ୍ତିଗତ ଲେଖା ଓ ଦସ୍ତାବିଜ ସହିତ ସମ୍ପର୍କରେ ଆସିଲା ବେଳେ ହିଁ ଆମ ଦେଶ ପ୍ରତି ମହାଦେବଙ୍କର ପ୍ରଚଣ୍ଡ ଅବଦାନ ସମ୍ପର୍କରେ ଜାଣିବାକୁ ପାଇଥିଲି। ମୋ’ ପୁସ୍ତକର ପ୍ରକାଶନ ପରେ ଆମେରିକାରେ ବଢ଼ିଥିବା ମୋ’ ସମ୍ପର୍କୀୟ ଭାଇ ଶୁବୁ ଲେଖିଥିଲା ଯେ ମୋ’ ଦ୍ବାରା ଲିଖିତ ପୁସ୍ତକ ପଢ଼ିବା ପୂର୍ବରୁ ମହାଦେବ ଦେଶାଇ କି ତାଙ୍କ ଗୁରୁତ୍ବ ସମ୍ପର୍କରେ ସେ ମଧ୍ୟ କିଛି ଜାଣିନଥିଲା। ମାତ୍ର ସେ ଏବେ ଦୃଢ଼ ନିଶ୍ଚିତ ଯେ ମହାଦେବ ଦେଶାଇଙ୍କ ବିନା ଗାନ୍ଧୀ ସମ୍ଭବ ହୋଇ ନଥାନ୍ତେ।

କିଛି ଉତ୍ସାହୀ ଗୁଜରାଟୀ ଓ ଇଂରେଜୀ ବିଦ୍ୟାର୍ଥୀ ସେହି ମନୀଷୀଙ୍କ ସମ୍ପର୍କରେ ଏକ ନୂଆ ଜୀବନୀ ଉପରେ କାମ କରିବା ଆବଶ୍ୟକ, ଯଦିଓ ଏଭଳି ପ୍ରଶଂସନୀୟ ଉଦ୍ୟମ ପାଇଁ ସମର୍ଥନ ଓ ଅର୍ଥ ଯୋଗାଡ଼ କରିବା କଷ୍ଟକର ହୋଇପାରେ। ମହାଦେବ ଦେଶାଇଙ୍କ ପୁଅ ନାରାୟଣ ନିଜ ପିତାଙ୍କ ଜୀବନୀ ଲେଖିଛନ୍ତି, ଯାହା ବେଶ୍‌ ମର୍ମସ୍ପର୍ଶୀ ଓ ତଥ୍ୟ ଭରା। ତେବେ କୌଣସି ପାରିବାରିକ ଶ୍ରଦ୍ଧା ଓ ସମ୍ମାନ ଦ୍ବାରା ଭାରାକ୍ରାନ୍ତ ହୋଇ ନଥିବା କେହି ବିଦ୍ୟାର୍ଥୀ ଉପଲବ୍‌ଧ ତଥ୍ୟ ଓ ଐତିହାସିକ ପୃଷ୍ଠଭୂମିକୁ ଭିତ୍ତି କରି ମହାଦେବଙ୍କ ସମ୍ପର୍କରେ ସେଭଳି ବହିଟିଏ ଲେଖିବା ଜରୁରୀ। ଗାନ୍ଧୀଙ୍କ ପରି ମହାଦେବ ମଧ୍ୟ ପ୍ରଶସ୍ତମନା ଥିଲେ। ସେ ମହିଳାମାନଙ୍କୁ ଶ୍ରଦ୍ଧା କରିବା ସହ ସେମାନଙ୍କ ସହ ବନ୍ଧୁତା ସ୍ଥାପନ କରୁଥିଲେ, ଭାରତର ବିଭିନ୍ନ ସ୍ଥାନ ସମ୍ପର୍କରେ ଗଭୀର ଜ୍ଞାନ ଧାରଣ କରିଥିବା ଜଣେ ଗୁଜରାଟୀ ଥିଲେ, ବହୁସଂଖ୍ୟକବାଦକୁ ଘୃଣା ଓ ବିରୋଧ କରୁଥିବା ଜଣେ ହିନ୍ଦୁ ଥିଲେ ଏବଂ ତମାମ ପୃଥିବୀ ସମ୍ପର୍କରେ ଜାଣିବାକୁ ଚାହୁଥିବା ଅନୁସନ୍ଧିତ୍ସୁ ଭାରତୀୟ ଥିଲେ। ସେ ମଧ୍ୟ ଜଣେ ଉଚ୍ଚକୋଟୀର ଲେଖକ ଥିଲେ। ଗାନ୍ଧୀଙ୍କ ପାଇଁ କାର୍ଯ୍ୟ କରିବା ଅବସରରେ ସେ ଦେଶ ଓ ବିଶ୍ବ ଇତିହାସ ପାଇଁ ପ୍ରଚୁର ପଦଚିହ୍ନ ଛାଡ଼ିଯାଇଛନ୍ତି।

ଗାନ୍ଧୀଙ୍କ ସହ ଜଡ଼ିତ ମହାଦେବଙ୍କ ସମ୍ପର୍କରେ ମୁଁ ମଧ୍ୟ ଲେଖିଥିଲି। ତେବେ ସେଥିପାଇଁ ମୋର ଗବେଷଣା ଅବସରରେ ମହାଦେବଙ୍କ ଅସାଧାରଣ ବନ୍ଧୁତ୍ବ ସମ୍ପର୍କରେ ଆବିଷ୍କାର କରିଥିଲି। ତାଙ୍କ ବାର୍ତ୍ତାଳାପ ଭିତରେ ଇଂରେଜୀକରଣର ପ୍ରଭାବରେ ଆସିଥିବା କାଶ୍ମୀରବାସୀ ଜବାହରଲାଲ ନେହରୁ, ଭାରତୀୟୀକରଣର ପ୍ରଭାବରେ ଥିବା ଇଂରେଜ ମହିଳା ମୀରା ବେନ୍‌, ତାମିଲ ସଂସ୍କୃତ ବିଦ୍ବାନ୍‌ ଭି. ଏସ୍‌. ଶ୍ରୀନିବାସ ଶାସ୍ତ୍ରୀ ଏବଂ ଭାଇସ୍‌ରାୟଙ୍କ ବ୍ୟକ୍ତିଗତ ସଚିବ ଗିଲବର୍ଟ ଲେଥ୍‌ୱେଟ୍‌ ଆଦିଙ୍କ ନାମ ଅନ୍ୟତମ। ସେହିପରି ମୁଁ ଆବିଷ୍କାର କରିଥିବା ବିରଳ ଫଟୋରେ ୧୯୩୬ ମସିହାରେ ସେବାଗ୍ରାମରେ ଗାନ୍ଧୀଙ୍କ ସହ ପ୍ରାତଃଭ୍ରମଣ ବେଳେ ଖାଁ ଅବଦୁଲ ଗଫର ଖାଁଙ୍କ ଦୀର୍ଘ ହାତ ଶ୍ରଦ୍ଧାରେ ମହାଦେବଙ୍କ କାନ୍ଧ ଉପରେ ପଡ଼ିଥିବାର ଦୃଶ୍ୟ ରହିଛି। ଗଲା ସ୍ବାଧୀନତା ଦିବସ ଅବସରରେ ଆମେ ଦେଶ ଗଠନରେ ଭାଗ ନେଇଥିବା ବି. ଆର୍‌. ଆମ୍ବେଦକର, ଅବଦୁଲ୍‌ କଲାମ ଆଜାଦ, ସୁଭାଷ ଚନ୍ଦ୍ର ବୋଷ, କମଳାଦେବୀ ଚଟୋପାଧ୍ୟାୟ, ବିର୍ସା ମୁଣ୍ଡା, ବଲ୍ଲଭଭାଇ ପଟେଲ, ଜବାହରଲାଲ ନେହରୁ, ଦାଦାଭାଇ ନାଓରୋଜି ଓ ଭଗତ ସିଂହଙ୍କ ଭଳି ଅନେକ ଦେଶପ୍ରେମୀଙ୍କୁ ମନେ ପକାଇଛନ୍ତି। ତେବେ ଏହି ତାଲିକାରେ ସମାନ ସମ୍ମାନ ଓ ପ୍ରଶଂସାର ଅଧିକାରୀ ହେଉଛନ୍ତି ମହାଦେଶ ଦେଶାଇ; ଯାହାଙ୍କ ମୃତ୍ୟୁର ଠିକ୍‌ ପାଞ୍ଚ ବର୍ଷ ପରେ ସେ ଯେଉଁ ସ୍ବାଧୀନତା ଲାଗି ଲଢ଼େଇ କରି ଆସୁଥିଲେ, ତାହା ଆମକୁ ମିଳିଥିଲା।

ସମ୍ବନ୍ଧିତ ଖବର