ଭାରତରେ ପଛୁଆ ଜାତି କିଏ?

ମହାମେଘବାହନ ଐର ଖାରବେଳ ସ୍ବାଇଁ

ଗତ ଲୋକସଭା ଅଧିବେଶନରେ ସମ୍ବିଧାନର ୧୨୭ ତମ ସଂଶୋଧନ ସର୍ବସମ୍ମତ କ୍ରମେ ଗୃହୀତ ହୋଇଯାଇଛି, ଯେତେବେଳେ କି ସାରା ଅଧିବେଶନ ପେଗାସସ୍‌ ପ୍ରସଙ୍ଗ ନେଇ ଏକ ପ୍ରକାର ଅଚଳ ହୋଇ ଯାଇଥିଲା। ସାମ୍ବାଦିକ, ରାଜନେତା, ଶିଳ୍ପପତି, ସାମାଜିକ କର୍ମୀଙ୍କ ଟେଲିଫୋନ୍‌କୁ ଟ୍ୟାପ୍ କରାଯାଉଛି ବୋଲି ଅଭିଯୋଗ କରି ବିରୋଧୀ ଦଳମାନେ ସଂସଦକୁ ଅଚଳ କରି ଦେଇଥିଲେ। କିନ୍ତୁ ଯେତେବେଳେ ୧୨୭ ତମ ସମ୍ବିଧାନ ସଂଶୋଧନ ବିଲ୍ ଆସିଲା, ସେତେବେଳେ ଗୃହରେ ଉପସ୍ଥିତ ଥିବା ୩୮୬ ଜଣ ଏହି ବିଲ୍‌କୁ ସମର୍ଥନ ଦେଲା ବେଳେ ଏହା ବିରୋଧରେ କେହି ଭୋଟ ଦେଇନଥିଲେ। ସଂସଦରେ ଉପସ୍ଥିତ ଥିବା କଂଗ୍ରେସ, ବି.ଜେ.ଡି., ଡି.ଏମ୍.କେ., ଶିବସେନା, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, ତେଲେଙ୍ଗାନା ରାଷ୍ଟ୍ର ସମିତି, ଏନ୍.ସି.ପି., ଜେ.ଡି.(ୟୁ), ଅପନା ଦଳ, ତେଲେଗୁ ଦେଶମ, ଏ.ଆଇ.ଏମ୍.ଆଇ.ଏମ୍. ଆଦି ଦଳମାନେ ଏହି ବିଲ୍‌କୁ ସମର୍ଥନ କରିଥିଲେ।

ସମ୍ବିଧାନ ସଂଶୋଧନ ବିଲ୍‌ଟିରେ ଦୁଇଟି ବ୍ୟବସ୍ଥା ଅଛି। ଗୋଟିଏ ହେଲା, ଏଣିକି ପଛୁଆ ବର୍ଗମାନଙ୍କୁ ଚିହ୍ନଟ କରିବାର ଦାୟିତ୍ବ ରାଜ୍ୟମାନଙ୍କୁ ଦିଆଯିବ। ପୂର୍ବରୁ ଏହି ଦାୟିତ୍ବ କେନ୍ଦ୍ର ସରକାରଙ୍କ ଠାରେ ରହିଥିଲା। ଦ୍ବିତୀୟଟି ହେଲା, ଗତ ମେ ୫ରେ ସୁପ୍ରିମ୍ କୋର୍ଟ ଯେଉଁ ରାୟ ଦେଇଛନ୍ତି ଯେ, ସବୁ ପ୍ରକାର ଆରକ୍ଷଣର ସୀମା ୫୦%ରୁ ଅଧିକ ହେବନାହିଁ, ତାହାକୁ ଖାରଜ କରିବ। ଅର୍ଥାତ୍‌, ଯେତେ ଅଧିକ ସଂଖ୍ୟକ ଆରକ୍ଷଣ ଜାତି ଭିତ୍ତିରେ ହେବା ସମ୍ଭବ, ସରକାରମାନେ ସେତିକି ସଂଖ୍ୟକ ଆରକ୍ଷଣ ଦେଇପାରିବେ। ଅର୍ଥାତ୍‌, ଆରକ୍ଷଣର ସୀମା ୫୦% ବୋଲି ଯାହା ସୁପ୍ରିମ୍ କୋର୍ଟଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଛି, ତାହାକୁ ଖାରଜ କରି ଆହୁରି ବଢ଼ାଇବା।

ଏହି ବିଲ୍ ଆଗତ କରାଗଲା ବେଳେ ସାମାଜିକ ନ୍ୟାୟ ବିଭାଗ ମନ୍ତ୍ରୀ ବୀରେନ୍ଦ୍ର କୁମାର କହିଛନ୍ତି ଯେ, ୫୦% ଆରକ୍ଷଣର ସୀମାକୁ ଭାଙ୍ଗି ବଢ଼ାଇବାକୁ ବିଭିନ୍ନ ରାଜ୍ୟ ସରକାର ଓ ସାଂସଦ, ବିଧାୟକମାନେ ଦାବି କରୁଛନ୍ତି, ତାହାକୁ କେନ୍ଦ୍ର ସରକାର ବୁଝିଛନ୍ତି। ସରକାର ତେଣୁ ଏହି ୫୦% ସୀମାକୁ ବଢ଼ାଇବା ପାଇଁ ଯାହା ଚାହୁଁଛନ୍ତି ତା’ର କାରଣ ହେଲା, ୩୦ ବର୍ଷ ତଳେ ଇନ୍ଦ୍ରା ସାଉନି ମାମଲାରେ ସୁପ୍ରିମ୍ କୋର୍ଟ ଏହି ଆଦେଶ ଦେଇଥିଲେ। ପରବର୍ତ୍ତୀ କାଳରେ ବିଭିନ୍ନ ରାଜ୍ୟ ସରକାର ଓ ବ୍ୟକ୍ତିମାନେ ଏହି ସଂଖ୍ୟାକୁ ବୃଦ୍ଧି କରିବା ପାଇଁ ଯେଉଁ ପ୍ରଚେଷ୍ଟା କରିଛନ୍ତି ସେମାନଙ୍କୁ ଶେଷକୁ ସୁପ୍ରିମ୍ କୋର୍ଟ ଖାରଜ କରି ଦେଇଛନ୍ତି। ତେଣୁ ଏହାକୁ ବଦଳାଇବା ଆବଶ୍ୟକ।

ଅନେକ ସମୟରେ ବର୍ତ୍ତମାନ ଦାବି ହୋଇ ଆସୁଛି ଯେ, ଦେଶରେ କେତେ ପଛୁଆ ବର୍ଗର ଲୋକ ଅଛନ୍ତି, ସେମାନଙ୍କର ଜନଗଣନା କରାଯାଉ। ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରିତ୍ବ ବେଳେ ୨୦୧୧ରେ ଏ ଧରଣର ଜନଗଣନା କରାଯାଇଥିଲା। କିନ୍ତୁ ଯେଉଁ ସରକାର ଏହି ଜନଗଣନା କରିଥିଲେ, ସେହି ସରକାର ଏହି ଜନଗଣନାର ଫଳାଫଳ ପ୍ରକାଶ କଲେ ନାହିଁ। ପରବର୍ତ୍ତୀ ବିଜେପି ସରକାର ମଧ୍ୟ ସେହି ଜନଗଣନାର ଫଳାଫଳ ପ୍ରକାଶ ଆଜି ଯାଏ କରିନାହାନ୍ତି। ବରଂ ପରବର୍ତ୍ତୀ ବିଜେପି ସରକାର ଆଉ ଥରେ ଦେଶରେ ସାମାଜିକ ଓ ଆର୍ଥିକ ପଛୁଆ ବର୍ଗମାନଙ୍କର ଜନଗଣନା କରିବେ ବୋଲି କହୁଛନ୍ତି, ଯାହା କେବେ ହେବ ଜଣା ନାହିଁ।

ପଛୁଆ ବର୍ଗ ଜନଗଣନା ପାଇଁ ଯେଉଁ ଯୁକ୍ତି ଜୋରଦାର ଭାବରେ ଏବେ ବଢ଼ାଯାଉଛି, ତା’ର ମୁଖ୍ୟ କାରଣ ହେଲା, ଏହି ଜନଗଣନା ହେଲେ, ସେହି ସଂଖ୍ୟା ଭିତ୍ତିରେ ଚା‌କିରିରେ ଓ ଶିକ୍ଷାନୁଷ୍ଠାନମାନଙ୍କରେ ଆରକ୍ଷଣ ଦିଆଯାଉ ବୋଲି ଦାବି ଉଠିବ। ସମସ୍ତେ ତାଙ୍କର ସଂଖ୍ୟା ଅନୁପାତରେ ଚାକିରି ଦିଆଯାଉ ବୋଲି ଦାବି କଲେ, ଯୋଗ୍ୟତାର କୌଣସି ମୂଲ୍ୟ ରହିବ ନାହିଁ। ଏହାକୁ ସୁପ୍ରିମ୍ କୋର୍ଟ ମଧ୍ୟ ଆଦୌ ଗ୍ରହଣ କରିବେ ନାହିଁ, କାରଣ ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ଉଚ୍ଚ ନ୍ୟାୟାଳୟମାନଙ୍କରେ (ହାଇକୋର୍ଟ ଓ ସୁପ୍ରିମ୍ କୋର୍ଟ) ଜାତି ଭିତ୍ତିରେ ଆରକ୍ଷଣ ବ୍ୟବସ୍ଥା ନାହିଁ। ଯଦି କେବଳ ଜାତି ଭିତ୍ତିରେ ଆରକ୍ଷଣ ଦିଆଯାଏ ତେବେ ସୁପ୍ରିମ୍ କୋର୍ଟ ଓ ହାଇକୋର୍ଟର ବିଚାରପତିମାନଙ୍କ କ୍ଷେତ୍ରରେ ମଧ୍ୟ ସେହି ନିୟମ ଲାଗୁ ହେବ। ମୁଖ୍ୟତଃ ଏହି ଅସୁବିଧା ଜାତିଭିତ୍ତିକ ଜନଗଣନା ଦ୍ବାରା ଭବିଷ୍ୟତ୍‌ରେ ଘଟିବାର ସମ୍ଭାବନା ଥିବାରୁ ଓ ତାହାକୁ ନେଇ ଦେଶରେ ମଣ୍ତଳ କମିସନ ପରି ବ୍ୟାପକ ପ୍ରତିବାଦ ଓ ହିଂସା ସୃଷ୍ଟି ହେବାର ଆଶଙ୍କା ଥିବାରୁ କୌଣସି ସରକାର ଏହି ଜନଗଣନା କରିବାକୁ ବାସ୍ତବରେ ଇଚ୍ଛୁକ ନୁହନ୍ତି। କାରଣ ତା’ ହେଲେ ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଆଦି ପଦମାନଙ୍କ ପାଇଁ ଆରକ୍ଷଣ ବ୍ୟବସ୍ଥା ଲାଗି ମଧ୍ୟ ଦାବି ହେବ।

ବାସ୍ତବରେ ଭାରତ ଏକମାତ୍ର ଦେଶ ଯେଉଁଠି ଜାତି ହେଉଛି ଏକ ବାସ୍ତବତା। ଏହି ଜାତି ବ୍ୟବସ୍ଥା କେବଳ ହିନ୍ଦୁମାନଙ୍କ ମଧ୍ୟରେ ସୀମିତ। ପୃଥିବୀର କୌଣସି ଦେଶ ଓ ଧର୍ମରେ ଜାତି ବ୍ୟବସ୍ଥା ନାହିଁ। ଭାରତରେ କିଏ ଅନୁସୂଚିତ ଜାତି (ହରିଜନ) ଓ କିଏ ଅନୁସୂଚିତ ଜନଜାତି (ଆଦିବାସୀ) ତାହା ସ୍ପଷ୍ଟ। କିନ୍ତୁ ପଛୁଆ ବର୍ଗ କିଏ ତାହା ନିର୍ଦ୍ଦିଷ୍ଟ ନୁହେଁ। ହିନ୍ଦୁ ବ୍ୟବସ୍ଥାରେ ଆରମ୍ଭରୁ ହିଁ ହରିଜନ ବ୍ୟବସ୍ଥା ରହିଛି ଓ ଏକ ସ୍ବତନ୍ତ୍ର ବର୍ଗର ଲୋକ ଆଦିବାସୀ ଭାବରେ ପରିଗଣିତ। ଭାରତରେ କିଏ ପଛୁଆ ବର୍ଗ ତା’ର କିଛି ନିଶ୍ଚିତତା ନାହିଁ। ହୁଏ’ତ ଜାତି ଭିତ୍ତିରେ ଗଉଡ଼, ଗୁଡ଼ିଆ, ତେଲି, କମାର, କୁମ୍ଭାର, ବାରିକ ଆଦି ପୂର୍ବର ସେବାକାରୀ ଜାତିମାନେ ପଛୁଆ ବର୍ଗ ଭାବରେ ପରିଗଣିତ। କିନ୍ତୁ ଆଶ୍ଚର୍ଯ୍ୟର କଥା, ପ୍ରତିଦିନ ଅଲଗା ଅଲଗା ଜାତିର ଲୋକମାନେ, ଯେଉଁମାନେ କି ପ୍ରଥମରୁ ଉଚ୍ଚ ବର୍ଣ୍ଣର ବୋଲି ସମାଜରେ ପରିଗଣିତ ହେଉଥିଲେ ଓ ସେମାନେ ନିଜେ ମଧ୍ୟ ନିଜକୁ ଉଚ୍ଚ ବର୍ଣ୍ଣର ବୋଲି ଘୋଷଣା କରୁଥିଲେ, ସେମାନେ ଏବେ ନିଜକୁ ପଛୁଆ ଜାତି ବୋଲି ଦାବି କରି ବସୁଛନ୍ତି। କାରଣ ସେମାନଙ୍କୁ ଅଧିକ ସରକାରୀ ସୁବିଧା ମିଳିବ। ଏପରିକି ଅନୁସୂଚିତ ଜାତି ଓ ଜନଜାତି ହୋଇନଥିବା ଜାତିମାନେ ଏବେ ସେମାନଙ୍କୁ ସେହି ଜାତିର ପାହ୍ୟା ଦିଆଯାଉ ବୋଲି ଦାବି କରୁଛନ୍ତି।

ଯେତେବେଳେ ସ୍ବାଧୀନତା ପରେ ୧୯୫୨ ମସିହାରେ ପଛୁଆ ଜାତି ଚିହ୍ନଟ କରାଗଲା, ସେତେବେଳେ କାଲେଲକର କମିସନ ୨୦୦୦ରୁ କିଛି ଅଧିକ ଜାତିମାନଙ୍କୁ ଏହି ବର୍ଗର ବୋଲି ଘୋଷିତ କରିଥିଲେ। ଆଜି ସେହି ତାଲିକା ବଢ଼ି ବଢ଼ି ୬,୦୦୦ରୁ ଊର୍ଦ୍ଧ୍ବକୁ ଗଲାଣି। ଅର୍ଥାତ୍‌, ହୁଏ’ତ ଭୁଲ୍‌ରେ ପ୍ରଥମରୁ ଏହି ତାଲିକାରେ ରଖାଯାଇନଥିବା କେତେକ ଉପଜାତି ଏବେ ସେହି ତାଲିକାଭୁକ୍ତ ହୋଇଛନ୍ତି। କିନ୍ତୁ ଆରମ୍ଭରେ ଅନେକ ଜାତି ସେମାନଙ୍କ ଅଧିକ ସଂଖ୍ୟା ଓ ରାଜନୈତିକ ପ୍ରଭାବ ଯୋଗୁଁ ନିଜକୁ ଜବରଦସ୍ତ ପଛୁଆ ବର୍ଗ ତାଲିକାରେ ଭର୍ତ୍ତି କରି ଦେଇଛନ୍ତି। କେବଳ ସରକାରୀ ସୁବିଧା ହାସଲ ପାଇଁ ଏପରି କରାଯାଇଛି।

କାହିଁକି ମରାଠା, ଜାଠ ଓ ଅନ୍ୟାନ୍ୟ ଆଗୁଆ ଜାତିର ଲୋକମାନେ ନିଜକୁ ପଛୁଆ ବୋଲି ପରିଗଣିତ ହେବାକୁ ଦାବି କରି ବସିଛନ୍ତି, ତା’ର ମୁଖ୍ୟ କାରଣ ହେଲା ସରକାରୀ ସୁବିଧା। ଅର୍ଥାତ୍‌, ସରକାରୀ ଚାକିରି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଘରୋଇ ଉଦ୍ୟୋଗରେ ଆରକ୍ଷଣର ବ୍ୟବସ୍ଥା ନାହିଁ। ସରକାରୀ ଚାକିରିରେ କେବଳ ଆରକ୍ଷଣର ବ୍ୟବସ୍ଥା ଅଛି। ସମସ୍ତେ ସରକାରୀ ଚାକିରି ପ୍ରତି ଆକର୍ଷିତ କାରଣ ଏଠାରେ କାମ ନ କଲେ ମଧ୍ୟ ଚାକିରି ଯାଏନା। ଏଠାରେ ଲୁଟି ଖାଇବା ପାଇଁ ଯଥେଷ୍ଟ ସୁବିଧା ଅଛି, ଯାହା ଘରୋଇ କ୍ଷେତ୍ରରେ ନାହିଁ। ତେଣୁ ସମସ୍ତେ ସରକାରୀ ଚାକିରି ଚାହାନ୍ତି। ସରକାରୀ ଚାକିରି ପାଇବା ପାଇଁ ପଛୁଆ ବର୍ଗରେ ସ୍ଥାନିତ ହେବା ଦରକାର। ସେଥିପାଇଁ ଏ କୃତ୍ରିମ ଲଢ଼େଇ।

ଏଥିରେ ଆଉ ଏକ ଜଟିଳ ପ୍ରସଙ୍ଗ ମଧ୍ୟ ଜଡ଼ିତ ଅଛି। ତାହା ହେଲା ପ୍ରତ୍ୟେକ ମୁଖ୍ୟ ଜାତି ଗୋଷ୍ଠୀରେ ଅନେକ ଉପଜାତି ଅଛନ୍ତି। ସେମାନଙ୍କ ମଧ୍ୟରେ ମଧ୍ୟ ଘୋର ସଂଘର୍ଷ ଏହି ଆରକ୍ଷଣକୁ ନେଇ ଚ‌ାଲିଛି। ଉଦାହରଣ ସ୍ବରୂପ ଉତ୍ତର ପ୍ରଦେଶ, ବିହାର ପରି ରାଜ୍ୟମାନଙ୍କରେ ପଛୁଆ ବର୍ଗ ଭାବରେ ଚିହ୍ନିତ ଜାତିମାନଙ୍କ ମଧ୍ୟରେ ଯାଦବମାନେ ସବୁଠୁଁ ଅଧିକ ସରକାରୀ ଚାକିରି ମାଡ଼ି ବସୁଛନ୍ତି ବୋଲି ଅନ୍ୟ ପଛୁଆ ବର୍ଗର ଜାତିମାନେ ଅଭିଯୋଗ ଆଣୁଛନ୍ତି। ତେଣୁ ବିହାରରେ ଅତି ପଛୁଆ ଜାତି ଭାବରେ ଗୋଟିଏ ଗୋଷ୍ଠୀକୁ ସେଠାକାର ଦୀର୍ଘ ଦିନର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବାଛିଛନ୍ତି।

ପଛୁଆ ବର୍ଗ ମଧ୍ୟରେ ଥିବା ସବୁ ଅଣଯାଦବମାନଙ୍କୁ ଏହି ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରାଯାଇଛି। ଯଦି ବର୍ତ୍ତମାନ ପଛୁଆ ଜାତିର ଲୋକମାନଙ୍କୁ ଜନଗଣନା କରି ଚିହ୍ନିତ କରାଯାଏ ଓ ସେମାନଙ୍କ ପାଇଁ ଅଧିକ ସରକାରୀ ଚାକିରି ତଥା ସୁବିଧାର ବ୍ୟବସ୍ଥା କରାଯାଏ, ତେବେ ସେହି ଅତି ପଛୁଆମାନେ ମଧ୍ୟ ସେମାନଙ୍କ ସଂଖ୍ୟା ଚିହ୍ନଟ କରାଯାଇ ସେମାନଙ୍କ ସଂଖ୍ୟା ଅନୁସାରେ ସେମାନଙ୍କୁ ଚାକିରି ଦିଆଯାଉ ବୋଲି ଦାବି କରି ବସିବେ। ଏହାଦ୍ବାରା ହଜାର ହଜାର ଉପଜାତିମାନଙ୍କୁ ଗଣିବାକୁ ହେବ ଓ ସେହି ଅନୁପାତରେ ସେମାନଙ୍କୁ ଚାକିରି ମଧ୍ୟ ଦେବାକୁ ହେବ। ଏହା ଏକ ବଡ଼ ସମସ୍ୟା ଅଟେ।

ଆଉ ଏକ ବିଚିତ୍ର ସମସ୍ୟା ଅଛି। ତାହା ହେଲା, ମଣ୍ତଳ କମିସନଙ୍କ ରିପୋର୍ଟ ପରେ ନବେ ଦଶକ ଆରମ୍ଭରେ ବିଭିନ୍ନ ରାଜ୍ୟମାନଙ୍କୁ ପଛୁଆ ବର୍ଗର ଜାତିକୁ ଚିହ୍ନଟ କରିବା ପାଇଁ ନିେର୍ଦ୍ଦଶ ଦିଆଯାଇଥିଲା। ଓଡ଼ିଶାରେ ବିଜୁ ପଟ୍ଟନାୟକ ସରକାର ବେଳେ ଏଥିପାଇଁ ଏକ ବି.ସି. ଦାସ କମିସନ ବସିଥିଲା। ସେହି କମିସନ୍‌ର ରିପୋର୍ଟ ଅନୁସାରେ ଚଷା, କୁଲତା, ଖଣ୍ତାୟତ, ବାଣାୟତ, ଓଡ଼ିଆ, ଅଘିରିଆ ଆଦି ସମଜାତୀୟ ଓ ସେମାନେ ପଛୁଆ ବର୍ଗରେ ଆସୁଛନ୍ତି ବୋଲି ସୁପାରିସ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ କାଳରେ ରାଷ୍ଟ୍ରୀୟ ପଛୁଆ ବର୍ଗ କମିସନ ଖଣ୍ତାୟତମାନଙ୍କୁ ପଛୁଆ ବର୍ଗ ତାଲିକାରୁ କାଟିଦେବାରୁ ସେମାନେ ଓଡ଼ିଶାରେ ପଛୁଆ ଓ ଦିଲ୍ଲୀରେ ଆଗୁଆ ଅଛନ୍ତି। ପଛୁଆ ବର୍ଗ ଜନଗଣନା ବେଳେ ସେମାନଙ୍କ ବର୍ଗ କ’ଣ ହେବ, ତାହା ଦ୍ବନ୍ଦ୍ବ‌ାତ୍ମକ। ଭାରତର ଅନେକ ରାଜ୍ୟରେ ସେମିତି ଦ୍ବନ୍ଦ୍ବ ରହିଛି। ମହାରାଷ୍ଟ୍ରରେ ମରାଠାମାନଙ୍କୁ ଓ ହରିଆଣା, ଉତ୍ତର ପ୍ରଦେଶରେ ଜାଠମାନଙ୍କୁ ମଧ୍ୟ ପଛୁଆ ବର୍ଗ ବୋଲି ଚିହ୍ନିତ କରାଯାଇଛି, ଯାହାକୁ ରାଷ୍ଟ୍ରୀୟ ପଛୁଆ ବର୍ଗ କମିସନ ଗ୍ରହଣ କରୁନାହାନ୍ତି। ଜନଗଣନା ବେଳେ ଏହାକୁ ନେଇ ମଧ୍ୟ ସମସ୍ୟା ସୃଷ୍ଟି ହେବ।

ତେଣୁ ଆଉ ଜାତି ଓ ଚାକିରି ଆରକ୍ଷଣ ସମ୍ପର୍କରେ ଅଧିକ ବାଟ କେହି ନଯାଆନ୍ତୁ। ସ୍ବାଧୀନତା ପରେ ଦିନକୁ ଦିନ ସରକାରୀ ଚାକିରିରେ ଆରକ୍ଷଣ ପାଇଁ ଯେମିତି ଦୌଡ଼ ଚାଲିଛି, ତାହା ଧାରଣା ଦେଉଛି ଯେ, ଭାରତରେ ଆର୍ଥିକ ଓ ସାମାଜିକ ବିକାଶ ଆଦୌ ହେଉନାହିଁ। ବରଂ ସ୍ବାଧୀନତା ବେଳେ ଯିଏ ଯେଉଁ ସ୍ତରରେ ଥିଲା, ଏବେ ସେ ଆହୁରି ତଳକୁ ଖସୁଛି।

ଏହା କ’ଣ ସତ୍ୟ? ଭାରତରେ ଯେଉଁ ଆର୍ଥିକ ବିକାଶ ଆମେ ଆମ ଆଖିରେ ଦେଖୁଛୁଁ, ତାହା କ’ଣ ମିଥ୍ୟା? ଏହି ବିକାଶର ସୁବିଧା କ’ଣ କେବଳ ଅଳ୍ପ କେଇଟି ଜାତି ପାଖକୁ ଯାଉଛି? ଅନେକ ରାଜ୍ୟମାନଙ୍କରେ ଓ କେନ୍ଦ୍ରରେ ପଛୁଆ ବର୍ଗର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଗାଦିରେ ବସୁଛନ୍ତି କିପରି, ଯଦି ସେମାନେ ତଳକୁ ତଳକୁ ଖସୁଛନ୍ତି?

ରାଜନୈତିକ ଦଳମାନେ ଏ କ୍ଷେତ୍ରରେ ସୁବିଧାବାଦୀ ଭୂମିକା ଗ୍ରହଣ କରି କେବଳ ଯାହାର ଭୋଟ ଅଧିକ ତାକୁ ଜାତି ନାମରେ ଅଧିକ ସୁବିଧା ଦେବାକୁ ଚ‌ାହୁଁଥିବାରୁ ଅଦାଲତ ଏ ସମ୍ପର୍କରେ ଦୃଢ଼ ରୁହନ୍ତୁ ଓ ଭାରତର ଜନସାଧାରଣଙ୍କୁ ନ୍ୟାୟ ଦିଅନ୍ତୁ।

ମୋ- ୯୪୩୭୦୨୦୨୯୦
[email protected]

ସମ୍ବନ୍ଧିତ ଖବର