ଆଗକୁ ଆସୁଛି ଜନ୍ମାଷ୍ଟମୀ। ପୁନଶ୍ଚ ସେଇ ପୁରୁଣା ଦେବକୀ-ବସୁଦେବ କଥାର ଅବତାରଣା ହେବ, ଘରେ ଘରେ ବ୍ରତ, ଉପବାସ; ମନ୍ଦିରରେ ଲମ୍ବା ଧାଡ଼ି ଓ ରାତିରେ ବାଳକୃଷ୍ଣଙ୍କୁ ଦୋଳିରେ ବସାଇ ଝୁଲା ଝୁଲଣ। ସେତିକିରେ ଆମର କୃଷ୍ଣ ଚେତନା ସୀମିତ ରହିଯିବ। କିନ୍ତୁ କୃଷ୍ଣ ଯେ ସ୍ବୟଂ ପରଂବ୍ରହ୍ମ, ଅସୀମ, ଅନନ୍ତ ଓ ଆମ ଚିନ୍ତନର ଊର୍ଦ୍ଧ୍ବରେ, ସେ କଥା ଆମର ସ୍ମରଣ ହେବନି। ଆମର ଏ ଆଲେଖ୍ୟରେ ଆମେ ପରଂବ୍ରହ୍ମ କ’ଣ, ବିଜ୍ଞାନ ସହିତ ପରଂବ୍ରହ୍ମଙ୍କ ସଂପର୍କ ଅଛି କି ନାହିଁ ଏବଂ ଶ୍ରୀକୃଷ୍ଣ କିପରି ପରଂବ୍ରହ୍ମ ତା’ ଉପରେ ଆଲୋଚନା କରିବା।
ଯେତେବେଳେ କୌଣସି ଏକ କାର୍ଯ୍ୟ ଦ୍ବାରା ତା’ର ଏକ ପରିଣାମ ସୃଷ୍ଟି ହୁଏ, ଉଭୟଙ୍କୁ କାର୍ଯ୍ୟ କାରଣ ସଂବନ୍ଧ କୁହାଯାଏ। ଜଗତ୍ର ପ୍ରତ୍ୟେକ ଜଡ଼ ଓ ଜୀବ; କାରଣ ଓ ପରିଣାମ ଦ୍ବାରା ବାନ୍ଧି ହୋଇ ରହିଛନ୍ତି। ଉଦାହରଣ ସ୍ବରୂପ, ମୋର ସୃଷ୍ଟି ଯଦି ଏକ ପରିଣାମ ହୁଏ, ମୋର ପିତା ତା’ର କାରଣ। ପିତା ଯଦି ପରିଣାମ, ତାଙ୍କ ପିତା ତାହାର କାରଣ ଇତ୍ୟାଦି। ପଶ୍ଚାତ୍ ଗତିରେ ଯାଇ ଯଦି ପରିଣାମର କାରଣଗୁଡ଼ିକ ପଛକୁ ପଛ ଖୋଜିବା, ଶେଷରେ ଏପରି ଏକ ସତ୍ୟକୁ ସାମନା କରିବା, ଯାହାର ପଛକୁ ଆଉ କିଛି କାରଣ ନ ଥିବ। ସେ ହେଉଥିବ ସବୁ କାରଣ ଗୁଡ଼ିକର ସର୍ବଶେଷ କାରଣ।
ଭାରତୀୟ ଦର୍ଶନରେ ସିଏ ହିଁ ହେଉଛନ୍ତି ପରଂବ୍ରହ୍ମ। ପରଂବ୍ରହ୍ମ ପ୍ରତ୍ୟେକ ପରିଣାମର ଏକମାତ୍ର କାରଣ ଓ ସ୍ବୟଂ ପରିଣାମରହିତ। ପ୍ରତ୍ୟେକ ସର୍ଜନାର ସେ ମୂଳ, ନିର୍ବିକଳ୍ପ ଓ ନିରାକାର। ଈଶାବାସ୍ୟୋ ଉପନିଷଦରେ ‘ପୂର୍ଣ୍ଣମିଦଃ ପୂର୍ଣ୍ଣମିଦଂ’ ମନ୍ତ୍ରରେ ପରଂବ୍ରହ୍ମଙ୍କ ଉଦ୍ଦେଶ୍ୟରେ କୁହାଯାଇଛି, ‘ତୁମେ ଅନନ୍ତ, ବ୍ରହ୍ମାଣ୍ଡ ମଧ୍ୟ ଅନନ୍ତ। ଅନନ୍ତରୁ ଅନନ୍ତର ପରିପ୍ରକାଶ। ଅନନ୍ତରୁ ଅନନ୍ତକୁ ବିଯୁକ୍ତ କଲେ ଅବଶେଷ ମଧ୍ୟ ଅନନ୍ତ।’ ପରଂବ୍ରହ୍ମଙ୍କ ଠାରୁ ପରିବର୍ତ୍ତନ, ବିବର୍ତ୍ତନ, ଅଧ୍ୟାରୋପଣ ଓ ପ୍ରକ୍ଷେପଣ ନିୟମର ଆଧାରରେ ସମସ୍ତ ବିଶ୍ବ ବ୍ରହ୍ମାଣ୍ଡର ସୃଷ୍ଟି ହୋଇଛି। ଛନ୍ଦ୍ୟୋଗ ଉପନିଷଦର ତୃତୀୟ ଅଧ୍ୟାୟ ଚତୁର୍ଦ୍ଦଶ ମନ୍ତ୍ର, “ସର୍ବଂ ଖଳୁ ଇଦଂବ୍ରହ୍ମ”ରେ ମଧ୍ୟ ଏକଥା ସ୍ବୀକାର କରି କୁହାଯାଇଛି: ‘ସବୁ କିଛି ବ୍ରହ୍ମରୁ ଉତ୍ପତ୍ତି, ବ୍ରହ୍ମ ଦ୍ବାରା ସ୍ଥିତ ଓ ଶେଷରେ ବ୍ରହ୍ମରେ ଲୀନ ହୁଏ।’
ଏବେ ଆସିବା ବିଜ୍ଞାନକୁ। ୧୯୩୩ ମସିହାରେ ବୈଜ୍ଞାନିକ ଫ୍ରିଜ୍ ଜ୍ବିକିଙ୍କ ଦ୍ବାରା ଆବିଷ୍କୃତ ‘ଡାର୍କ୍ ମ୍ୟାଟର’ ବା କୃଷ୍ଣ ପଦାର୍ଥ ଏବଂ ୧୯୯୮ରେ ଆଦାମ ରିଶଙ୍କ ଆବିଷ୍କୃତ ‘ଡାର୍କ୍ ଏନର୍ଜି’ ବା କୃଷ୍ଣ ଶକ୍ତି ଓ ପରବର୍ତ୍ତୀ ବିଗ୍ ବ୍ୟାଙ୍ଗ ଏବଂ ବ୍ଲାକ୍ ହୋଲ୍ ବା କୃଷ୍ଣ ଗହ୍ବର ତତ୍ତ୍ବ ବୈଜ୍ଞାନିକ ଦୃଷ୍ଟିକୋଣରୁ ଆମ ପରଂବ୍ରହ୍ମ ସିଦ୍ଧାନ୍ତକୁ ପୁଷ୍ଟ କରେ। ସମଗ୍ର ବିଶ୍ବ ବ୍ରହ୍ମାଣ୍ଡର ମାତ୍ର ପାଞ୍ଚ ପ୍ରତିଶତ ହେଉଛି ଆମର ପରିଦୃଶ୍ୟମାନ ବ୍ରହ୍ମାଣ୍ଡ, ଯାହା ବିଷୟରେ ଆମେ ଜାଣୁ। ବାକି ସତୁରି ଭାଗ କୃଷ୍ଣ ଶକ୍ତି ଓ ପଚିଶ ଭାଗ କୃଷ୍ଣ ପଦାର୍ଥରେ ପୂର୍ଣ୍ଣ। କୃଷ୍ଣ ପଦାର୍ଥ ମହାକାଶର ଏପରି ଏକ ରହସ୍ୟମୟ ବାସ୍ତବତା, ଯାହା ଆଲୋକ ସମେତ ସବୁ କିଛି ନିଜ ଭିତରକୁ ଟାଣିନିଏ। ଏହା ଉପରେ ଆଲୋକ ପ୍ରତିଫଳନ ହେଉ ନ ଥିବାରୁ ଏହାର ସ୍ଥିତି ଅଦୃଶ୍ୟ। ଏହା ହୁଏ’ତ ଅସଂଖ୍ୟ କୃଷ୍ଣ ଗହ୍ବରରେ ପରିପୂର୍ଣ୍ଣ। ଆମ ସୌରମଣ୍ଡଳ ଏହି କୃଷ୍ଣ ପଦାର୍ଥରୁ ମୁଠା ଆକୃତିର ଏକ ପିଣ୍ଡ ବିସ୍ଫୋରିତ ହୋଇ ସୃଷ୍ଟି ହୋଇଛି। ଏହାର ଆକର୍ଷଣ ଶକ୍ତି ସବୁ କିଛିକୁ ଟାଣି ଧରିଛି। ଆମ ଭାଗବତରେ ବର୍ଣ୍ଣିତ “ବ୍ରହ୍ମାଣ୍ଡ ମାଳ ମାଳ ହୋଇ, ତୋ ଲୋମକୂପେ ଝୁଲୁଥାଇ” ବର୍ଣ୍ଣନା ପରି ବ୍ରହ୍ମାଣ୍ଡର ସବୁ କିଛି କୃଷ୍ଣ ପଦାର୍ଥର ଆକର୍ଷଣରେ ବୁଢ଼ିଆଣୀ ଜାଲ ପରି ଝୁଲୁଛି। ଆମ ଶାସ୍ତ୍ରରେ ବର୍ଣ୍ଣିତ ପରଂବ୍ରହ୍ମଙ୍କ ସ୍ବରୂପ, କାର୍ଯ୍ୟ ଓ ଜଗତ୍ର ସୃଷ୍ଟି, ବିଜ୍ଞାନର ଏ ନୂତନ ଆବିଷ୍କାର ସହିତ ମେଳ ଖାଉଛି। ଦିନେ ହୁଏ’ତ ସମଗ୍ର ବ୍ରହ୍ମାଣ୍ଡ ଆକର୍ଷିତ ହୋଇ କୃଷ୍ଣ ପଦାର୍ଥର କୃଷ୍ଣ ଗହ୍ବରରେ ଲୀନ ହୋଇଯିବ ଓ ପୁନଶ୍ଚ ବିଗ୍ ବ୍ୟାଙ୍ଗ ପଦ୍ଧତିରେ ନୂତନ ବ୍ରହ୍ମାଣ୍ଡର ସର୍ଜନା ହେବ। ଭାରତୀୟମାନେ ଯେଉଁ ତଥ୍ୟ ବହୁ ପୂର୍ବରୁ ଜାଣିଥିଲେ, ଏବେ ବୈଜ୍ଞାନିକମାନେ ତାହା ନିକଟରେ ପହଞ୍ଚିବାର ଚେଷ୍ଟା କରୁଛନ୍ତି।
ଏବେ ଆସିବା ଶ୍ରୀକୃଷ୍ଣଙ୍କ ପାଖକୁ। କୃଷ୍ଣର ଅର୍ଥ ହେଲା “କର୍ଷତି ଇତି କୃଷ୍ଣଃ”। ଯିଏ ଆକର୍ଷଣ କରେ। ତାଙ୍କର ରଙ୍ଗ ମଧ୍ୟ ଘନ ନୀଳ ମିଶ୍ରିତ କଳା। ଶ୍ରୀକୃଷ୍ଣଙ୍କ ପରି କୃଷ୍ଣ ପଦାର୍ଥ ମଧ୍ୟ ସବୁ କିଛିକୁ ଆକର୍ଷଣ କରେ ଓ ତାହା ସୃଷ୍ଟିର କାରଣ ମଧ୍ୟ। ପରଂବ୍ରହ୍ମ ମଧ୍ୟ ସବୁ ସର୍ଜନାର ମୂଳାଧାର। ‘ବ୍ରହ୍ମ ସଂହିତା’ରେ କୁହାଯାଇଛି, ‘ଈଶ୍ବର ପରମଃ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହଃ, ଅନାଦିଆର୍ଦି ଗୋବିନ୍ଦଃ ସର୍ବ କାରଣ କାରଣଂ”। ଶ୍ରୀକୃଷ୍ଣ ସବୁ କାରଣର ସର୍ବଶେଷ କାରଣ, ଅର୍ଥାତ୍ ସିଏ ହିଁ ପରଂବ୍ରହ୍ମ। ଭଗବତ୍ ଗୀତାରେ ଶ୍ରୀକୃଷ୍ଣ ନିଜେ କହିଛନ୍ତି, ‘ଅହଂ ସର୍ବଶ୍ୟ ପ୍ରଭବୋ ମତ୍ତଃ ସର୍ବଂ ପ୍ରବର୍ତ୍ତତେ’। ମୁଁ ସମସ୍ତ ଜଗତ୍ର ଉତ୍ପତ୍ତିର କାରଣ। ବିଶ୍ବରୂପ ଦର୍ଶନ କାଳରେ ସେ ଅର୍ଜୁନଙ୍କୁ ଯେଉଁ ରୂପ ଦେଖାଇଛନ୍ତି ସେସବୁ କୃଷ୍ଣ ପଦାର୍ଥର ତତ୍ତ୍ବ ସହିତ ସମାନ। ତୈତ୍ତିରୀୟ ଉପନିଷଦର ‘ଯତୋବା ଇମାନି ଭୂତାନି ଯାୟନ୍ତେ’ ମନ୍ତ୍ର ଅନୁସାରେ ତାଙ୍କ ଠାରୁ ସୃଷ୍ଟିର ଆରମ୍ଭ ଓ ତାଙ୍କରି ଠାରେ ବିଲୟ।
ଶ୍ରୀକୃଷ୍ଣଙ୍କ ତତ୍ତ୍ବ ଦୁର୍ବୋଧ୍ୟ। ଏକ ବିଶାଳ ବ୍ରହ୍ମାଣ୍ଡ ବିଜ୍ଞାନର ସେ ହେଉଛନ୍ତି ମାନବୀୟ ପରିପ୍ରକାଶ। ସିଏ ହିଁ ବ୍ରହ୍ମ, ସିଏ ହିଁ କୃଷ୍ଣ ପଦାର୍ଥ, ତାଙ୍କରି ଶକ୍ତି କୃଷ୍ଣ ଶକ୍ତି ଓ ତାଙ୍କ ଶରୀର ମଧ୍ୟରେ ରହିଛି କୃଷ୍ଣ ଗର୍ତ୍ତ, ଯାହା ଦିନେ ଦେଖିଥିଲେ ଯଶୋଦା। ସୃଷ୍ଟି ଓ ବିଲୟର ସିଏ ହିଁ କର୍ତ୍ତା। ହୁଏ’ତ ଆମର ମୁନିଋଷିମାନେ ଯେଉଁ ସିଦ୍ଧାନ୍ତସବୁ ଆବିଷ୍କାର କରିଥିଲେ, ତା’ର ସୁରକ୍ଷା ପାଇଁ ସେ ସବୁକୁ ସାଙ୍କେତିକ ଭାଷାରେ ଲିପିବଦ୍ଧ କରିଛନ୍ତି ଓ ଶ୍ରୀକୃଷ୍ଣଙ୍କର ମାନବୀୟ ଲୀଳା ତା’ ମଧ୍ୟରୁ ଅନ୍ୟତମ।
ଆମେ ସମସ୍ତେ ପେଚକ ଦର୍ଶନ ଦ୍ବାରା ପ୍ରଭାବିତ। ପେଚା ଯେମିତି ଦିନରେ ଶୋଇଥାଏ ଓ ସୂର୍ଯ୍ୟଙ୍କୁ ମିଛ ବୋଲି ଭାବେ, ଆମେ ସବୁ ସେମିତି ଆମ ପ୍ରାଚୀନ ଜ୍ଞାନ ଠାରୁ ଅଜ୍ଞ ରହି ଶ୍ରୀକୃଷ୍ଣଙ୍କୁ କେବଳ ଦେହଧାରୀ ଭଗବାନ ଆଖ୍ୟା ଦେଉଛେ। ଆମ ପିଲାମାନେ ଶିଖୁଛନ୍ତି ‘ବୁଝ ନବୁଝ ପଢ଼ ଗୀତା’। କିନ୍ତୁ ନ ବୁଝିଲେ ପଢ଼ି ଲାଭ କ’ଣ? ଶ୍ରୀକୃଷ୍ଣଙ୍କ ତତ୍ତ୍ବକୁ କେବଳ ପୁରାଣ କହି ଆଡ଼େଇ ନ ଦେଇ ତା’ର ଉପଯୁକ୍ତ ବୈଜ୍ଞାନିକ ତର୍ଜମା ହେବା ଉଚିତ, କାରଣ ପ୍ରକୃତ ଜ୍ଞାନ ହେଉଛି ଏଭଳି ଏକ ମହୋଦଧି, ଯାହାର ଯେତେ ଗଭୀରକୁ ଯିବ, ସେତେ ରତ୍ନ ଲାଭ କରିବ।
ମୋ- ୯୩୩୭୬୪୮୬୩୮