ଭୁବନେଶ୍ୱରରେ ମଧ୍ୟବିତ୍ତଙ୍କ ପାଇଁ ବୃଦ୍ଧାଶ୍ରମ

ସମରେନ୍ଦ୍ର ମହାନ୍ତି

ଭାରତରେ ଷାଠିଏ ବର୍ଷ କିମ୍ବା ତାହାଠାରୁ ଅଧିକ ବୟସ୍କ ବ୍ୟକ୍ତିମାନଙ୍କୁ ‘ସିନିୟର ସିଟିଜନ’ ହିସାବରେ ଗଣନା କରାଯାଇଥାଏ। ଜାତିସ˚ଘ ମଧୢ ୬୦ ବର୍ଷ କିମ୍ବା ତାହା ଠାରୁ ଅଧିକ ବୟସର ଲୋକମାନଙ୍କୁ ବୟସ୍କ ହିସାବରେ ଗ୍ରହଣ କରିଛି। ଜନଗଣନାର ହିସାବକୁ ନେଲେ ଦେଖିବାକୁ ମିଳେ ଭାରତରେ ୧୯୬୧ରେ ସମୁଦାୟ ଜନସ˚ଖ୍ୟାର ୫.୬୩% ବୟସ୍କ ଲୋକ ବସବାସ କରୁଥିଲେ, ଯାହାକି ୨୦୧୧ ଜନଗଣନା ଅନୁଯାୟୀ ୭.୪୪%ରେ ପହଞ୍ଚିଛି। ଏହି ଶ୍ରେଣୀର ଜନସ˚ଖ୍ୟା ବୃଦ୍ଧି ସହିତ ସେମାନେ ବିଭିନ୍ନ ପ୍ରକାରର ବାର୍ଦ୍ଧକ୍ୟଜନିତ ରୋଗ ତଥା ବାର୍ଦ୍ଧକ୍ୟଜନିତ ସମସ୍ୟା ମଧୢ ଦେଇ ଗତି କରୁଥିବାରୁ ଏହା ସାଂପ୍ରତିକ ଭାରତରେ ଏକ ବଡ଼ ସାମାଜିକ ସମସ୍ୟା ହିସାବରେ ମୁଣ୍ତ ଟେକିଲାଣି।

ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ପଣ୍ତିତ ଜଵାହରଲାଲ ନେହରୁ ଥରେ କହିଥିଲେ ଯେ ଭାରତରେ ପାରମ୍ପରିକ ହିନ୍ଦୁ ଯୌଥ ପରିବାର ‘ଜୀବନ ବୀମା ନିଗମ’ ପରି କାର୍ଯ୍ୟ କରିଥାଏ। ଏହାର ଅର୍ଥ ଯୌଥ ପରିବାରରେ ବୟସ୍କ ଲୋକ, ବିଧବା ସ୍ତ୍ରୀ ଲୋକ, ମାନସିକ ତଥା ଶାରୀରିକ ଅକ୍ଷମମାନଙ୍କ ପାଇଁ ଖାଇବା, ପିଇବା, ରହିବା ତଥା ତାଙ୍କର ସେବା ଶୁଶ୍ରୂଷା କରାଯାଇଥାଏ। ଏହା ଛଡ଼ା କର୍ତ୍ତାଙ୍କର ତତ୍ତ୍ବାବଧାନରେ ସେମାନଙ୍କର ସୁରକ୍ଷା ଓ ଯତ୍ନ ପାଇଁ ସବୁ ପ୍ରକାରର ବନ୍ଦୋବସ୍ତ ତଥା ସୁବିଧା ରହିଥାଏ। ପରିବାରର ଲୋକମାନେ ଏମାନଙ୍କୁ କେବେ ହେଲେ ଏକ ସମସ୍ୟା କିମ୍ବା ବୋଝ ବୋଲି ଭାବନ୍ତି ନାହିଁ। କିନ୍ତୁ, ବର୍ତ୍ତମାନର ସହରୀ ସ˚ସ୍କୃତିରେ ଯୌଥ ପରିବାରଗୁଡ଼ିକ କ୍ରମେ ଅପସରି ଗଲେଣି। ଏବେ ଯୁବପିଢ଼ିର ମାନସିକତାରେ ଏକ ବିରାଟ ପରିବର୍ତ୍ତନ ଆସିଛି। ବୃଦ୍ଧ ବାପା, ମା’ଙ୍କର ସେବା ଶୁଶ୍ରୂଷା କରିବାର ମନୋଭାବ ଧୀରେ ଧୀରେ କମିବାରେ ଲାଗିଛି। ଆମର ପାରମ୍ପାରିକ ହିନ୍ଦୁ ଯୌଥ ପରିବାରରେ ଯେଉଁ ପ୍ରକାରର ସ୍ନେହ, ଶ୍ରଦ୍ଧା, ସୁରକ୍ଷା ଆଦି ଦେଖିବାକୁ ମିଳୁଥିଲା, ତାହା ଏବର ଏକକ ପରିବାରରେ ନାହିଁ। ଏକକ ପରିବାର କେବଳ ସ୍ବାମୀ, ସ୍ତ୍ରୀ ଏବ˚ ତାଙ୍କର ପିଲାମାନଙ୍କୁ ନେଇ ଗଠିତ, ଯହିଁରେ ବରିଷ୍ଠ ନାଗରିକଙ୍କ ଲାଗି ସ୍ଥାନ ଅତ୍ୟନ୍ତ ସଂକୁଚିତ ବା ନାହିଁ ବୋଲି କହିଲେ ଚଳେ। ସୁତରାଂ, ପରିବାରର ବୃଦ୍ଧମାନଙ୍କ ଯତ୍ନ ବା ତତ୍ତ୍ବ ଯୁବ ପିଢ଼ିଙ୍କ ଲାଗି ଏକ ମୁଣ୍ଡ ବିନ୍ଧାରେ ପରିଣତ ହେଲାଣି।

ଏଣେ, ଭାରତରେ ବୟସ୍କ ଲୋକମାନଙ୍କର ସ˚ଖ୍ୟା ବଢ଼ିବାରେ ଲାଗିଛି। ଭାରତୀୟଙ୍କ ହାରାହାରି ଆୟୁଷ ଯାହା ୧୯୫୧ରେ ୪୦ ବର୍ଷ ଥିଲା, ତାହା ବଢ଼ି ୨୦୨୧ରେ ୬୪ ବର୍ଷରେ ପହଞ୍ଚିଲାଣି। ‘ଲାନ୍‌ସେଟ ମେଡିକାଲ ଜର୍ନାଲ’ ଅନୁଯାୟୀ ୧୯୯୦ରେ ଏହା ୫୯.୬ ବର୍ଷ ଥିଲା ଏବ˚ ୨୦୧୯ରେ ଏହା ୭୦.୮ ବର୍ଷ ହୋଇଛି। ନୀତି ଆୟୋଗ ଅନୁଯାୟୀ ୨୦୧୦-୨୦୧୪ ମଧୢରେ ଓଡ଼ିଶାବାସୀଙ୍କ ହାରାହାରି ଆୟୁଷ ୬୫.୮ ବର୍ଷ ଥିଲା। ଏହି ସବୁଥିରୁ ଜଣାଯାଏ ବୟସ୍କ ଲୋକଙ୍କ ସ˚ଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥଳେ ପରିବାରର କନିଷ୍ଠ ସଦସ୍ୟମାନେ ସେମାନଙ୍କ ବୃଦ୍ଧ ପିତାମାତାଙ୍କୁ ଏକୁଟିଆ ଛାଡ଼ି ଦେଇ ନିଜ ନିଜ ସ୍ବପ୍ନ ଚରିତାର୍ଥ କରିବା ଲାଗି ବିଦେଶକୁ ଚାଲିଯାଇ ଆଉ ଫେରୁ ନ ଥିବା ବେଳେ ବୃଦ୍ଧାଶ୍ରମର ଆବଶ୍ୟକତା ବଢ଼ିବା ସ୍ବାଭାବିକ ହୋଇଛି। ଏହି ପରିପ୍ରେକ୍ଷୀରେ ବୃଦ୍ଧାଶ୍ରମ ସଂପର୍କରେ କିଛି କୁହାଯିବା ଉଚିତ ହେବ ଏବଂ ବୃଦ୍ଧାଶ୍ରମ ଖୋଜିବା ବେଳେ କେଉଁ କେଉଁ ଦିଗ ପ୍ରତି ଧୢାନ ଦେବାକୁ ହେବ ସେ ବିଷୟରେ କିଛିଟା ଆଲୋଚନା କରାଯିବା ମଧ୍ୟ ଆବଶ୍ୟକ ଭଳି ମନେ ହୁଏ।

ପ୍ରଥମତଃ, ଆମେ ଯେହେତୁ ମଧୢବିତ୍ତ ଲୋକଙ୍କ ବିଷୟରେ ଚିନ୍ତା କରୁଛେ, ତେଣୁ ଦାତବ୍ୟ ବୃଦ୍ଧାଶ୍ରମ ଅପେକ୍ଷା ଦେୟଯୁକ୍ତ ବୃଦ୍ଧାଶ୍ରମ ବିଷୟରେ ବିଚାର କରିବା ଅଧିକ ଶ୍ରେୟସ୍କର। ତେବେ ଏହି ବିଷୟରେ ଆଲୋଚନା କରିବା ପୂର୍ବରୁ କେତୋଟି ବିଷୟ ମନକୁ ଆସେ। ପ୍ରଥମ କଥା ହେଲା ଜଣେ ବୟସ୍କ ବ୍ୟକ୍ତି ଏହି ବୃଦ୍ଧାଶ୍ରମରେ ରହିବା ପାଇଁ ମନସ୍ଥ କଲେ ଭୁବନେଶ୍ବର କଥା ପ୍ରଥମେ ବିଚାରକୁ ଆସିବା ସ୍ବାଭାବିକ। କାରଣ ଏଠାରେ ଓଡ଼ିଶାର ବିଭିନ୍ନ ଜିଲ୍ଲା, ସଦର ମହକୁମା, ସହର ଏବଂ ଗ୍ରାମମାନଙ୍କୁ ତଥା ଅନ୍ୟ ରାଜ୍ୟକୁ ଗମନାଗମନ କରିବାର ସୁବିଧା ପାଇଁ ଅନେକ ବସ୍‌, ଟ୍ରେନ, ଟ୍ୟାକ୍‌ସି ଓ ଉଡ଼ାଜାହାଜର ବ୍ୟବସ୍ଥା ଅଛି। ଭୁବନେଶ୍ବରର ଆଉ ଗୋଟିଏ ଆକର୍ଷଣ ହେଲା ଏଠାରେ ଉପଲବ୍‌ଧ ଥିବା ଉଚ୍ଚ ସ୍ତରର ସ୍ବାସ୍ଥ୍ୟ ସେବା। ସେଥି ପାଇଁ ଏଠାରେ ଅନେକ ଉଚ୍ଚକୋଟୀର ସରକାରୀ ତଥା ବେସରକାରୀ ଡାକ୍ତରଖାନା ତଥା ମେଡିକାଲ କଲେଜ ଆଦି ରହିଛି। ତୃତୀୟ କାରଣ ହେଲା, ଆଖାପାଖରେ ନିଜର ବନ୍ଧୁବାନ୍ଧବ ତଥା ସଂପର୍କୀୟଙ୍କ ସହିତ ଦେଖା ସାକ୍ଷାତ କରିବାର ସୁବିଧା ସୁଯୋଗ ଏହି ସହରରେ ସବୁଠାରୁ ଅଧିକ ମିଳିପାରିବ। କାରଣ ଏବେ ସମସ୍ତେ ଭୁବନେଶ୍ବରରେ ଘର କରି ରହିବାକୁ ଚାହାନ୍ତି। ଚତୁର୍ଥ କାରଣ ହେଲା, ଏଠାରେ ରହିଲେ ବାହାରେ କାର୍ଯ୍ୟ କରୁଥିବା ପୁଅ-ଝିଅ ବା ପୁତୁରା-ଝିଆରୀ ବା ଅନ୍ୟ କୌଣସି ସଂପର୍କୀୟ ଅଳ୍ପ ଦିନ ଲାଗି ହେଲେ ମଧ୍ୟ ଉଡ଼ାଜାହାଜରେ ଆସି କିଛି ସମୟ କଟାଇ ପାରିବେ। ଏହା ଛଡ଼ା ବୃଦ୍ଧାବସ୍ଥାରେ ପ୍ରାୟ ସମସ୍ତ ହିନ୍ଦୁ ପୁରୀର ଜଗନ୍ନାଥ ମନ୍ଦିର ଦର୍ଶନ କରିବାକୁ ଆଗ୍ରହୀ ହୋଇ ଉଠନ୍ତି। ତା ସହିତ ଅନ୍ୟ ଦେବଦେବୀଙ୍କର ଦର୍ଶନ ଲାଗି ବ୍ୟାକୁଳତା ଦେଖା ଦିଏ। ଭୁବନେଶ୍ବର ହେଉଛି ‘ମନ୍ଦିର ନଗରୀ’। ଲିଙ୍ଗରାଜ ମନ୍ଦିର ସହିତ ଅନେକ ଛୋଟ, ବଡ଼ ପ୍ରାଚୀନ ଓ ଆଧୁନିକ ମନ୍ଦିରମାନ ଏଠାରେ ଅବସ୍ଥିତ। ଏତଦ୍‌ ବ୍ୟତୀତ ବୟସ୍କ ଲୋକେ ସମୟ କଟାଇବା ଲାଗି ସମୃଦ୍ଧ ପାଠାଗାରମାନ ଓ ଗବେଷଣାମନସ୍କଙ୍କ ଲାଗି ଅଭିଲେଖାଗାର ରହିଛି। ତା’ ଛଡ଼ା ଏଠାରେ ରହିଛି ଅନେକ ପାର୍କ ଓ ସପିଂ ମଲ ଯେଉଁଠାରେ ପହଞ୍ଚିବା ଲାଗି ବୟସ୍କମାନଙ୍କୁ ଅଧିକ ଦୂର ବାଟ ଯିବାକୁ ପଡ଼ିବ ନାହିଁ। ପୁଣି ଯିବା ଆସିବା ଲାଗି ଓଲା, ଉବେର ଟ୍ୟାକ୍‌ସି କିମ୍ବା ଅଟୋର ବ୍ୟବସ୍ଥା ରହିଛି।

‘ନିଉ ଇଣ୍ତିଆନ୍‌ ଏକ୍ସପ୍ରେସ ପତ୍ରିକାର ୩୧.୮.୨୦୧୮ରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାଯାଏ ଭୁବନେଶ୍ବରରେ ବୟସ୍କ ଲୋକମାନେ ‘ଉତ୍ପାଦନକ୍ଷମ’ ରହିବା ପାଇଁ ଆଗ୍ରହୀ। ‘ଷ୍ଟେଟ୍‌ ସୋସିଆଲ ସିକ୍ୟୁରିଟି ଆଣ୍ତ ଏମ୍‌ପାଵାରମେଣ୍ଟ ଅଫ୍‌ ଡିସାବିଲିଟି ଡିପାର୍ଟମେଣ୍ଟ’, ‘ଟାଟା ଟ୍ରଷ୍ଟ’ ଏବ˚ ‘ସିମ୍‌‍ବାୟୋସିସ୍‌ ଇନ୍‌ଷ୍ଟିଚ୍ୟୁଟ’ର ମିଳିତ ଉଦ୍ୟମରେ ହୋଇଥିବା ଏହି ଅନୁଧ୍ୟାନରୁ ଜଣାଯାଇଛି ଯେ ଏହି ସହରର ୭୦% ବୟସ୍କ ଲୋକଙ୍କର ରୋଜଗାର ରହିଛି ଓ ସେମାନେ ଉତ୍ପାଦନକ୍ଷମ କାର୍ଯ୍ୟରେ ଜଡ଼ିତ ରହିବା ପାଇଁ ଆଗ୍ରହୀ। ସୁତରାଂ, ବୃଦ୍ଧାଶ୍ରମରେ ରହୁଥିବା ଅନ୍ତେବାସୀ ଚାହିଁଲେ ନିଜ ସମୟ ବିତାଇବା ଲାଗି କୌଣସି କାର୍ଯ୍ୟ ବା ପେସା ଆପଣାଇବାର ସୁଯୋଗ ଭୁବନେଶ୍ବରରେ ‌େଯତିକି ରହିଛି, ତାହା ଅନ୍ୟ କେଉଁଠାରେ ନାହିଁ।

ଭୁବନେଶ୍ବରରେ ବର୍ତ୍ତମାନ ସୁଦ୍ଧା ୫୩ଟି ଦାତବ୍ୟ ବୃଦ୍ଧାଶ୍ରମ ଏବ˚ ୧୭ଟି ଦେୟଯୁକ୍ତ ବୃଦ୍ଧାଶ୍ରମ ରହିଛି। ଏହି ପ୍ରବନ୍ଧରେ କେବଳ ଦେୟଯୁକ୍ତ ବୃଦ୍ଧାଶ୍ରମ ବିଷୟରେ ଚର୍ଚ୍ଚା କରାଯାଇଛି, ଯେଉଁଥିରେ ମଧୢବିତ୍ତ ବୟସ୍କ ଲୋକେ ରହିପାରିବେ। ଜଣାଯାଏ ଯେ ଜଣେ ବ୍ୟକ୍ତି ଏକୁଟିଆ ଗୋଟିଏ ବଖରା ନେଇ ବୃଦ୍ଧାଶ୍ରମରେ ରହିବାକୁ ଚାହିଁଲେ ତାଙ୍କୁ ଖାଇବା, ପିଇବା ତଥା ସେବା ଆଦି ସୁବିଧା ସହିତ ମାସିକ ୧୦,୦୦୦ରୁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିଥାଏ। ସେହିପରି ପତ୍ନୀଙ୍କ ସହିତ ରହିଲେ ୧୫,୦୦୦ରୁ ୩୦,୦୦୦ ଟଙ୍କା ଦେବାକୁ ପଡ଼େ। ତାହାଛଡ଼ା ଜଣେ ଶଯ୍ୟାଶାୟୀ କିମ୍ବା ଜଟିଳ ରୋଗରେ ପୀଡ଼ିତ ଥିଲେ ସ୍ବତନ୍ତ୍ର ସେବା ପାଇବା ପାଇଁ ଅଧିକା ଖର୍ଚ୍ଚ କରିବାକୁ ପଡ଼େ; ଯାହା ଦ୍ବାରା ଏକ ସ୍ବତନ୍ତ୍ର ସହାୟକ ସେବା ପାଇଁ ନିଯୁକ୍ତ ହୋଇପାରିବ।

ଭୁବନେଶ୍ବରରେ କିଛି ଭଲ ଦେୟଯୁକ୍ତ ବୃଦ୍ଧାଶ୍ରମ ସହରଠାରୁ ଅଳ୍ପ କିଛି ଦୂରରେ ରହିଛି। ଏହାର କର୍ତ୍ତାମାନେ ଜମି କିଣି ସେଥିରେ ପକ୍‌କା ଘର ତିଆରି କରି ଭଲ ବୃଦ୍ଧାଶ୍ରମାନ ନିର୍ମାଣ କରିଛନ୍ତି। ଏ ସବୁର ଚାରି ପାଖରେ ‘କିଚେନ ଗାର୍ଡନ’ ତଥା ଚଲାବୁଲା କରିବା ପାଇଁ ଛୋଟ ପାର୍କର ବ୍ୟବସ୍ଥା ମଧୢ ରଖିଛନ୍ତି। ଡାକ୍ତରମାନଙ୍କୁ ଡକା ଯାଇ ଅନ୍ତେବାସୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଏଭଳି ବୃଦ୍ଧାଶ୍ରମରେ ଗାଡ଼ିର ବନ୍ଦୋବସ୍ତ ରହିଛି, ଜରୁରୀକାଳୀନ ପରିସ୍ଥିତିରେ ଏହାକୁ ବ୍ୟବହାର କରି ନିକଟସ୍ଥ ଡାକ୍ତରଖାନାକୁ ରୋଗୀଙ୍କୁ ନିଆଯାଏ। ଏହାଛଡ଼ା ଡାକ୍ତରମାନେ ନିୟମିତ ବ୍ୟବଧାନରେ ଏଠାକୁ ଆସି ସମସ୍ତଙ୍କର ସ୍ବାସ୍ଥ୍ୟ ଅବସ୍ଥା ଅନୁଧୢାନ କରି ଉପଯୁକ୍ତ ଚିକିତ୍ସା ପ୍ରଦାନ କରନ୍ତି। ଗୋଟିଏ ବଡ଼ ସମସ୍ୟା ହେଉଛି, ଏହିସବୁ ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କ ସଂଖ୍ୟା ବହୁତ କମ୍‌, ଯେଉଁଥିପାଇଁ ଆର୍ଥିକ ସଙ୍କଟ ଦେଖାଦେଉଛି। ଯଦ୍ବାରା ପାରା ମେଡିକାଲ ଷ୍ଟାଫ୍‌, ନର୍ସ, ସଫେଇ କର୍ମୀ, ସହାୟକ, ସୁରକ୍ଷା ପ୍ରହରୀ, ପାକଶାଳରେ କାର୍ଯ୍ୟରତ ବ୍ୟକ୍ତି ଇତ୍ୟାଦିଙ୍କୁ ଅଧିକ ସ˚ଖ୍ୟାରେ ନିୟୋଜିତ କରାଯାଇ ପାରୁନାହିଁ। ଏହି ସ˚ସ୍ଥାମାନଙ୍କରେ କର୍ତ୍ତୃପକ୍ଷଙ୍କର ପ୍ରତିଶ୍ରୁତିବଦ୍ଧତା, ଉତ୍ସର୍ଗୀକୃତ ମନୋଭାବ, ମାନବୀୟ ବ୍ୟବହାର, ପ୍ରେମ, ସ୍ନେହ, ଶ୍ରଦ୍ଧା ଆଦି ପାଇଁ ଅନ୍ତେବାସୀମାନେ ଖୁସିରେ ଅଛନ୍ତି।

ବୃଦ୍ଧାଶ୍ରମରେ ରହିବାକୁ ହେଲେ ଏକ ମାନସିକ ପ୍ରସ୍ତୁତି ଦରକାର। ବୃଦ୍ଧାଶ୍ରମରେ ରହୁଥିବା ଲୋକେ ପରିବାର ସଦସ୍ୟଙ୍କ ସାନ୍ନିଧ୍ୟ ଲାଭ କରନ୍ତି ନାହିଁ ସିନା ‌େସଠାରେ ରହୁଥିବା ଅନ୍ୟ ଅନ୍ତେବାସୀଙ୍କ ସହିତ ମିଳିମିଶି ଏକ ନୂଆ ପରିବାର ଗଢ଼ି ପାରନ୍ତି। ଏହା ପ୍ରଥମେ ଅନେକଙ୍କ ଠାରେ ହତାଶା ସୃଷ୍ଟି କରିପାରେ, କିଛିଟା ଆହ୍ବାନମୂଳକ ହୋଇପାରେ; କିନ୍ତୁ କ୍ରମେ ତାହା ଏକ ଆନନ୍ଦମୟ ଜୀବନ ବଞ୍ଚିବାର ସୁଯୋଗ ସୃଷ୍ଟି କରିପାରେ। ଭବିଷ୍ୟତରେ ଭୁବନେଶ୍ବରରେ ଉଚ୍ଚ ମାନର ସରକାରୀ ତଥା ବେସରକାରୀ ବୃଦ୍ଧାଶ୍ରମମାନ ସ୍ଥାପନ କରିବାର ଆବଶ୍ୟକତା ଅଛି, ଯାହା ସ୍ବଚ୍ଛଳ ଅଥଚ ଏକୁଟିଆ ରହୁଥିବା ବୃଦ୍ଧବୃଦ୍ଧାମାନଙ୍କ ଲାଗି ଶେଷ ଆଶ୍ରୟ ସ୍ଥଳ ହେବ। ଏହା ଆଜିଭଳି ସମୟର ଏକ ବଡ଼ ଦାବି।

ଅବସରପ୍ରାପ୍ତ ପ୍ରଫେସର, ସମାଜବିଜ୍ଞାନ ବିଭାଗ
ସମ୍ବଲପୁର ବିଶ୍ବବିଦ୍ୟାଳୟ

ସମ୍ବନ୍ଧିତ ଖବର