ମୂଳୁ ମାରିଲେ ଯିବ ସରି

ଦୀପାୟନ ପଟ୍ଟନାୟକ

ଦୁଇ ବର୍ଷ ଧରି ମରାମତି ଅପେକ୍ଷାରେ ରାସ୍ତାଘାଟ; ଜାଇକା କାର୍ଯ୍ୟରେ ବିପର୍ଯ୍ୟସ୍ତ ସହର; ପରିମଳକୁ ପାରୁ ନାହାନ୍ତି ନିଗମ କର୍ମଚାରୀ; ଡେଙ୍ଗୁ ଚିନ୍ତା ବଢ଼ାଇଲାଣି; କୋଭିଡ୍ ପରିଚାଳନାରେ ବ୍ୟସ୍ତ ପ୍ରଶାସନ; ମୃତ୍ୟୁ ତଥ୍ୟ ଲୁଚାଇବାର ଅଭିଯୋଗ; କଟକଣାକୁ ଜଗି ଜଗି ଥକି ଗଲେଣି ପୁଲିସ୍‌ କର୍ମଚାରୀ। ଏହି ସ୍ଥିତିରେ ପାର୍ବଣକୁ ଅନୁମତି ଦେଲେ କେବଳ ଚିନ୍ତା ବଢ଼ିବା କଥା। ତେଣୁ ସହଜ ବାଟ ହେଲା ମୂଳୁ ମାରିଲେ….।

କୋଭିଡ୍‌ ସମୟରେ କ’ଣ କରିବେ ଲୋକମାନେ? ସରକାରଙ୍କ ନିର୍ଦ୍ଦେଶ କ’ଣ ରହିବ? ପାର୍ବଣରେ ଅଙ୍କୁଶ ଲଗାଇବାର ସୁଯୋଗ ବି ଅଛି। ଗତ ବର୍ଷର କଡ଼ା ମେଡିସିନ୍ ଏଇଥର ମଧ୍ୟ ଦେଇ ଦେଲେ ଚଳିବ। ଡାକ୍ତର ତ ଭଗବାନ। ନୀତି ଓ ନିୟମ ମଧ୍ୟ ଅନୁମତି ଦେଇଛି ଯାହା କିଛି କରିବାକୁ କୋଭିଡ୍‌ ଆଳରେ। ସବୁ ତ ଜୀବନ ରକ୍ଷା ପାଇଁ!

କଟକଣା ବହୁ ଲୋକଙ୍କ ବେଉସା‌କୁ ଛିନ୍ନଭିନ୍ନ କରି ଦେଇଛି। ଏଭଳି ସ୍ଥଳେ ଏକ ମାତ୍ର ଆଧ୍ୟାତ୍ମିକ ସନ୍ତୋଷ ଓ ଅପାର ଆନନ୍ଦ ଦେଉଥିବା ପାର୍ବଣ ଋତୁ ବନ୍ଦ ହୋଇଯିବା ବିବ୍ରତ କରି ଦେଉଛି। କିନ୍ତୁ ଉପାୟ ନାହିଁ। କଟକଣା ଯେତେ ଅନ୍ୟାୟପୂର୍ଣ୍ଣ ହେବ, ଲୋକେ ସେତେ ଶୀଘ୍ର ବୁଝିଯିବେ। ଏହା ଉପଲବ୍‌ଧି କରିବେ ଯେ ସରକାର ତାଙ୍କ ପାଇଁ ଚିନ୍ତିତ।

ସବୁ ପାର୍ବଣ କଟକଣା ନିଶ୍ଚିତ ଭାବରେ ତର୍କସଂଗତ। ଗଣେଶ, ମା’ ଦୁର୍ଗା, ମା’ କାଳୀ ମୂର୍ତ୍ତିଗୁଡ଼ିକ ଚମତ୍କାର ସାଜସଜ୍ଜାରେ ସୃଷ୍ଟି କରୁଥିବା ଆକର୍ଷଣକୁ କମାଇବାକୁ ତ ପୂର୍ଣ୍ଣ ଅବୟବରୁ ବାମନ ଉଚ୍ଚତାକୁ ଆଣିବାକୁ ନିର୍ଦ୍ଦେଶ ଅଛି। ଚାରି ଫୁଟର ଛୋଟ ମୂର୍ତ୍ତି ଭକ୍ତର ଆକର୍ଷଣକୁ କମାଇ ଦେବ! ନ ହେଲେ ଘରେ ରହି ଅଣନିଶ୍ୱାସୀ ହୋଇ ପଡ଼ିଥିବା ଭକ୍ତମାନେ ମା’ ଦୁର୍ଗା, ମା’ କାଳୀଙ୍କୁ ତାଙ୍କର ପୂଜା ସମୟରେ ଦର୍ଶନ କରିବାକୁ ଭିଡ଼ ଜମେଇ ଦେବେ! ଡ୍ୟୁଟିରେ ଥିବା ପୁଲିସ୍ କର୍ମଚାରୀଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିବ। ଦୁଇ ଦୁଇଟା ଟିକା ନେଇଥିବା ଏହି କରୋନା ଯୋଦ୍ଧାମାନେ ପୁଣି ସଂକ୍ରମିତ ହୋଇଯିବେ। ଫାଇନ୍ ରସିଦ୍ କଟା କାର୍ଯ୍ୟ ବ୍ୟାହତ ହେବ। ତେଣୁ ମୂର୍ତ୍ତିକୁ ଛୋଟ କରିଦେଲେ ଭଲ! ଦର୍ଶନ ପାଇଁ ତ ମନ୍ଦିର ଖୋଲା ଅଛି। ସେଇ ଦେବଦେବୀଙ୍କୁ କରୋନା ସମୟରେ ପୁଣି ପୂଜା ମଣ୍ଡପରେ କି ଦର୍ଶନ!

ନାମକୁ ମାତ୍ର ପୂଜା ପାଇଁ, ସାତ ଜଣ ବହୁତ। ପୂଜା ସମୟରେ ଆବାହନ ତ କେହି ଦେଖିବେ ନାହିଁ। ବିସର୍ଜନ କି ଗୁରୁତ୍ୱ ବହନ କରୁଛି? ପରମ୍ପରା କହୁଛି, ସବୁ ଦେବୀ ପ୍ରତିମା ଦେବୀଗଡ଼ା ଠାରେ ବିସର୍ଜିତା ହୁଅନ୍ତି। କୋଭିଡ୍ ଭଳି ବିପଜ୍ଜନକ ରୋଗ ପରିଚାଳନା ସମୟରେ ଯଦି ଆମେ ପରମ୍ପରାକୁ ବଦଳାଇ ନ ପାରିବା, କେବେ ବଦଳାଇବା? ଆଗାମୀ ଦିନରେ ଟ୍ରାଫିକ୍ ସମସ୍ୟା ଗୁରୁତର ହେଲେ ବିସର୍ଜନର ଏହି ନୂଆ ପଦ୍ଧତି ନୂଆ ପରମ୍ପରାରେ ପରିଣତ ହେବ। କିଛି ନିୟମ ଦୂର ଦୃଷ୍ଟିରେ ମଧ୍ୟ କରାଯାଇଥାଏ।

ସମୟ ଥିଲା ଚୈତନ୍ୟ ମହାପ୍ରଭୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦୁର୍ଗା ପୂଜାର ଆୟୋଜକମାନଙ୍କ ମଧ୍ୟରେ ଥିଲେ। ବ୍ରିଟିସ ସରକାର ମଧ୍ୟ ପୂଜା ମୂର୍ତ୍ତି ଉପରେ କଟକଣା ଲଗାଇବା କଥା ଚିନ୍ତା କରିନଥିଲେ। ଏବେ ପରିସ୍ଥିତି ଭିନ୍ନ। ଏକ ସାମାଜିକ ବ୍ୟବସ୍ଥା ଭିତରେ ଭାଇଚାରା ମଧ୍ୟରେ ପୂଜା ହେଉଛି। ଶାନ୍ତି କମିଟି ନେତୃତ୍ବରେ ପୂଜା କମିଟିମାନଙ୍କ ମଧ୍ୟରେ ଅଭୂତ ବୁଝାମଣା ସୃଷ୍ଟି ହୋଇଛି। ପାର୍ବଣ ମଧ୍ୟରେ ଓ ପରେ ଗଣ୍ଡଗୋଳ ପୂରା କମି ଯାଇଛି। ସରକାରଙ୍କ ସାଙ୍ଗରେ ରହି ଶାନ୍ତି କମିଟି, ପୂଜା କମିଟି, କୋଭିଡ୍ ପରିଚାଳନା ଭଳି ଅନେକ ସାମାଜିକ କାର୍ଯ୍ୟରେ ସହଯୋଗ କରୁଛନ୍ତି; ସହଭାଗୀ ହେଉଛନ୍ତି। ଗତ ବର୍ଷ ପୂଜା ପର୍ବାଣୀର ନୀତି ନିୟମ ଏହାର ଏକ ଉଦାହରଣ। ମାନ୍ୟବର ହାଇକୋର୍ଟଙ୍କ ସତ୍ୟପାଠରେ ସରକାର ଦର୍ଶାଇଥିଲେ ଯେ କୋଭିଡ୍‌ର ଭୟାବହତାକୁ ଆଖିରେ ରଖି ସବୁ କିଛି ସହମତିରେ ହେଉଛି। ନିୟମ ମଧ୍ୟରେ ପୂଜା ହୋଇଥିଲା, ଫଳପ୍ରଦ ମଧ୍ୟ ହୋଇଥିଲା। ପରେ ଅବଶ୍ୟ ସଂକ୍ରମଣ ବଢ଼ି ଯାଇଥିଲେ ମଧ୍ୟ ଏହାର କାରଣ ଅନ୍ୟ କିଛି ହୋଇଥାଇ ପାରେ। କାରଣ ପାର୍ବଣକୁ ତ ବନ୍ଦ କରି ଦିଆଯାଇଥିଲା ମୂଳରୁ!
ଏ ବର୍ଷର ସ୍ଥିତି ଅଲଗା। ସେର ସର୍ଭେ କହୁଛି ୭୦ ଭାଗରୁ ଅଧିକ ଲୋକଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇ ଯାଇଛି। ଟିକାକରଣର ସୁଫଳ ବହୁତ ମିଳୁଛି। କରେନା ଯୋଦ୍ଧାମାନେ ବିପଦମୁକ୍ତ। କୋଭିଡ୍‌ ହସ୍‌ପିଟାଲ ଖାଲି ପଡୁଛି। ହଁ ଅବଶ୍ୟ ରାଜ୍ୟର ବିଭିନ୍ନ ସ୍ଥାନରୁ ରୋଗୀ ଆସୁଛନ୍ତି। ସେଥି ପାଇଁ କଟକର ସଂଖ୍ୟା ବଢୁଛି।

କିଛି ମୃତକ ଗଣତିରେ ଖସି ଯାଇଥିଲେ। ଏବେ ସେମାନଙ୍କୁ ଯୋଗ କରି ଦିଆଯାଉଛି। ଚିନ୍ତାର ବିଶେଷ କାରଣ ନାହିଁ। କିନ୍ତୁ ଆତଙ୍କିତ କରି ରଖିବାର ଆବଶ୍ୟକତା ଅଛି। ବୁଝି ପାରୁନାହାନ୍ତି ଲୋକେ। ମାସ୍କ୍‌ ପିନ୍ଧୁ ନାହାନ୍ତି। କିଏ କେତେ ଧରିବ ଓ ଜଗିବ। ତୃତୀୟ ଲହରର ଭୟ ହିଁ ସାବାଡ଼ କରିବ।
ପୌର ନିର୍ବାଚନ ପର୍ବ ତ ଆଗକୁ ଅଛି। ରାସ୍ତାଘାଟ, ଜାଇକା, ବିଦ୍ୟୁତ୍, ଜଳଯୋଗାଣ କ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ଲୋକ ନିନ୍ଦା ଦେବେ। ପାର୍ବଣ ହେଲେ ସବୁ ନଜରକୁ ଆସିବ। କେତେ କାହାକୁ ବୁଝାଇବ? ତେଣୁ। ମୂଳରୁ ମାରିଦେଲେ କଥା ଶେଷ।

ଏମିତି ବି ତ ନିର୍ବାଚନ ଏକ ଗଣପର୍ବ। ଲୋକେ ମିଶାମିଶି ହେବେ। ରାଲି ଜଲୁସ୍ ହେବ। ଭିଡ଼ ଭୋଜିଭାତ ଲାଗି ରହିବ। ଚାହିଁଲେ ମଧ୍ୟ କୌଣସି କଟକଣା ଲାଗୁ କରିହେବ ନାହିଁ। ସମସ୍ତେ ଆମର ଭୋଟର। ତାଙ୍କର ଭାବନାକୁ ସମ୍ମାନ ଦେବାକୁ ପଡ଼ିବ। ଏ ବର୍ଷ ମୁସଲମାନ ସମ୍ପ୍ରଦାୟର ପର୍ବ କଟକଣା ମଧ୍ୟରେ ହେଲା। ହିନ୍ଦୁ ପାର୍ବଣ ଉପରେ କଟକଣା ମଧ୍ୟ ଲାଗିଲା। ଡିସେମ୍ବର ଯାଏଁ ଖ୍ରୀଷ୍ଟ ଅବଲମ୍ବୀ ମଧ୍ୟ ସାମିଲ ହୋଇଯିବେ। ଏହାଠାରୁ ଅଧିକ ଧର୍ମ ନିରପେକ୍ଷତା କ’ଣ ହୋଇପାରେ! ଏଇ ତ ଅସଲ ଭାଇଚାରା! ଧାର୍ମିକ ବିଶ୍ବାସ ପାଇଁ ଧର୍ମାନୁଷ୍ଠାନଗୁଡ଼ିକ ଖୋଲା ଅଛି। ପରମ୍ପରା ଛୋଟବଡ଼ ମୂର୍ତ୍ତି ଏ ସବୁଥିରେ ସରକାରଙ୍କ କିଛି ଯାଏ ଆସେ ନାହିଁ। ଏଗୁଡ଼ିକ ଧାର୍ମିକ ବିଶ୍ୱାସ। ସରକାର ଏ ସବୁଠାରୁ ଦୂରରେ। କେବଳ କୋଭିଡ୍‌କୁ ଆଖିରେ ରଖି ଏ ସବୁ ନିୟମର ପରିସରଭୁକ୍ତ କରାଯାଉଛି। ମାନ୍ୟବର ହାଇକୋର୍ଟ ମଧ୍ୟ ଭାବୁଛନ୍ତି ଯେ କୋଭିଡ୍‌ ନିୟନ୍ତ୍ରଣର ଗୁରୁ ଦାୟିତ୍ବ ସରକାରଙ୍କ। ଆଶଙ୍କାକୁ ଆଖିରେ ରଖି ଯେ କୌଣସି ପଦକ୍ଷେପ ନେଇ ପାରିବେ ସରକାର। କେହି ଚ୍ୟାଲେଂଜ କରି ପାରିବେ ନାହିଁ। ଗତ ବର୍ଷ ପଶ୍ଚିମବଙ୍ଗ ପୂଜା କମିଟିକୁ ସେଠାକାର ସରକାର ପ୍ରୋତ୍ସାହନ ରାଶି ଦେଇଥିଲେ। ଏ ବର୍ଷ କୋଭିଡ୍ ଶୀର୍ଷରେ ଥିଲା ବେଳେ ଇଂଲଣ୍ଡର ସରକାର ମାସ୍କ ପିନ୍ଧିବା ଇଚ୍ଛାଧୀନ କରିଦେଲେ। ବିନା ମାସ୍କରେ ହଜାର ହଜାର ଲୋକ ଏକା ସାଙ୍ଗରେ କ୍ରିକେଟ୍ ମ୍ୟାଚ୍ ଦେଖିଲେ। କିନ୍ତୁ ଆମେ ଗ୍ରହଣ କରିବା ମୁମ୍ବାଇ ଠାରେ ଲାଗିଥିବା ପାର୍ବଣ କଟକଣା। ଏଇଟା ହିଁ ଆମକୁ ସୁହାଉଛି। ଅବଶ୍ୟ କୋଭିଡ୍ ରୋଗୀ ମୃତ୍ୟୁ ଅନୁପାତରେ ମୁମ୍ବାଇ ଆମର ୧୦୦ ଗୁଣ। କଟକଣା ହିଁ କେଭିଡ୍‌ ମୁକାବିଲାର ଶ୍ରେଷ୍ଠ ଅସ୍ତ୍ର। ଜୀବନ ବଞ୍ଚାଇବ। ଜୀବିକା ମରିଗଲେ ମଧ୍ୟ ଜୀବନ ତ ମୂଲ୍ୟବାନ।

ବିଶ୍ୱ ଏବେ କହୁଛି କୋଭିଡ୍ ସହ ବଂଚ। ଏଥି ପାଇଁ ନୀତି କରିବାକୁ ପଡ଼ିବ। ଏହି ଗାଇଡ୍‌ଲାଇନ୍ ତ ସେଥି ପାଇଁ ଉପଯୁକ୍ତ! ମୂଳରୁ ମାରିଲେ ଯିବ ସରି। ଦେବଙ୍କ ସଙ୍ଗେ କିମ୍ପା କଳି!

ସହ-ସମ୍ପାଦକ
କଟକ ମହାନଗର ଶାନ୍ତି କମିଟି

ସମ୍ବନ୍ଧିତ ଖବର