ସଦ୍ଗୁରୁ ଠାକୁର ନିଗମାନନ୍ଦ ଏବଂ ବ୍ରହ୍ମାନନ୍ଦ ଗିରି
ବିଶ୍ବକୁ ପରିଚାଳନା କରିବା ପାଇଁ ସ୍ବୟଂ ଭଗବାନ ବିଭିନ୍ନ ସମୟରେ ଜଗଦ୍ଗୁରୁଙ୍କୁ ଏ ପୃଥିବୀକୁ ଅବତାର ରୂପରେ ପ୍ରେରଣ କରିଥା’ନ୍ତି। ଏହି ଜଗଦ୍ଗୁରୁମାନଙ୍କ ମଧ୍ୟରୁ ସ୍ବାମୀ ନିଗମାନନ୍ଦ ପରମହଂସ ଅନ୍ୟତମ। ତନ୍ତ୍ର, ମନ୍ତ୍ର ଜ୍ଞାନ ଓ ପ୍ରେମ ସାଧନାର ସିଦ୍ଧିଲାଭ କରିଥିବା ଶ୍ରୀ ଠାକୁର ନିଗମାନନ୍ଦଙ୍କ ପରି ଜଣେ ଗୁରୁ ଭାରତବର୍ଷରେ ବିରଳ। ଶ୍ରୀଶ୍ରୀ ଠାକୁର ସଦ୍ଗୁରୁ ଥିଲେ, ଅଛନ୍ତି ଓ ଭବିଷ୍ୟତରେ ମଧ୍ୟ ଭକ୍ତମାନଙ୍କ ଦିଗ୍ଦର୍ଶକ ହୋଇ ରହିବେ। ଶ୍ରୀଶ୍ରୀ ଠାକୁର ତାଙ୍କ ପୂର୍ବଜନ୍ମ ବୃତ୍ତାନ୍ତରେ କହିଛନ୍ତି, ପୂର୍ବଜନ୍ମର ସେ ପ୍ରସିଦ୍ଧ ତାନ୍ତ୍ରିକ ସାଧୁ ବ୍ରହ୍ମାନନ୍ଦ ଗିରି ରୂପେ ଜନ୍ମଗ୍ରହଣ କରିଥିଲେ।
ପ୍ରାୟ ୧୫୩୬-୪୦ ଖ୍ରୀଷ୍ଟାବ୍ଦରେ ପିତା ଶିବଶମ୍ଭୁ ଭଟ୍ଟାଚାର୍ଯ୍ୟ ଓ ମାତା ଦିଗମ୍ବରୀ ଦେବୀଙ୍କ ଔରସରୁ ବ୍ରହ୍ମାନନ୍ଦ ଗିରି ଜନ୍ମଗ୍ରହଣ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବାଲ୍ୟକାଳର ନାମ ଥିଲା ବ୍ରଜଗୋପାଳ ଭଟ୍ଟାଚାର୍ଯ୍ୟ। ମା’ ଦିଗମ୍ବରୀ ଅସାମାନ୍ୟ ରୂପବତୀ ଥିଲେ। ତାହା ହିଁ ତାଙ୍କ ପାଇଁ କାଳ ହେଲା। ଦସ୍ୟୁମାନେ ଦିଗମ୍ବରୀଙ୍କୁ ଅପହରଣ କରିନେଲେ। ବାଟରେ ଗୋଟିଏ ତଳି କିଆରିରେ ସେ ବ୍ରହ୍ମାନନ୍ଦଙ୍କୁ ଜନ୍ମ ଦେଇଥିଲେ। ତେବେ ବ୍ରହ୍ମାନନ୍ଦଙ୍କୁ ସେଇ କିଆରିରେ ଛାଡ଼ି ଦସ୍ୟୁମାନେ ଦିଗମ୍ବରୀକୁ ନେଇ ଯାଇଥିଲେ। କୌଣସିମତେ ବ୍ରହ୍ମାନନ୍ଦ ପିତାଗୃହକୁ ଫେରି ପ୍ରତିବେଶୀମାନଙ୍କ ଦ୍ବାରା ଲାଳନପାଳନ ହୋଇଥିଲେ।
ଯୁବାବସ୍ଥାରେ ବ୍ରହ୍ମାନନ୍ଦ ଶ୍ରୀମଦ୍ ମାଧବାନନ୍ଦ ଗିରିଙ୍କୁ ଗୁରୁବରଣ କରି ତାଙ୍କଠାରୁ ଶାସ୍ତ୍ରଜ୍ଞାନ ଓ ସାଧକ ମାର୍ଗରେ ସିଦ୍ଧ ହୋଇ ‘ବ୍ରହ୍ମାନନ୍ଦ ଗିରି’ ରୂପରେ ନାମିତ ହେଲେ। ପରେ ବ୍ରହ୍ମାନନ୍ଦ ମହାମାୟାଙ୍କ ଉଦ୍ଦେଶ୍ୟରେ ମନ୍ତ୍ର ଜପ କଲେ। ମହାମାୟା ବ୍ରହ୍ମାନନ୍ଦଙ୍କ ଧ୍ୟାନରେ ବିଘ୍ନ ଘଟାଇବା ପାଇଁ ବିଭିନ୍ନ ପ୍ରକାର ପରୀକ୍ଷା କଲେ ମଧ୍ୟ ସଫଳ ହୋଇପାରିଲେ ନାହିଁ। ପରବର୍ତୀ ସମୟରେ ମହାମାୟା ପାର୍ବତୀ କେଉଟୁଣୀ ନାମକ ଏକ ରମଣୀ ସାଜି ବ୍ରହ୍ମାନନ୍ଦଙ୍କୁ ବିବାହ କଲେ। ତେବେ ସଂସାର ଶକ୍ତିରେ ନିମଜ୍ଜିତ ହୋଇ ମହାମାୟାଙ୍କ ସହ ମାୟାବିମୋହିତ ହୋଇ ବ୍ରହ୍ମାନନ୍ଦ ନିଜର ସ୍ବରୂପ ଭୁଲିଗଲେ। ଦିନେ ଜଣେ ଅତିଥି ବେଶରେ ବ୍ରହ୍ମାନନ୍ଦଙ୍କ ଶିଷ୍ୟ ତାଙ୍କ କୁଟୀରକୁ ଆସି ବ୍ରହ୍ମାନନ୍ଦଙ୍କୁ ତାଙ୍କ ଅସଲ ସ୍ବରୂପ ସ୍ମରଣ କରାଇଦେଲେ। ନିଜର ସ୍ବରୂପ ଜାଣିବା ପରେ ବ୍ରହ୍ମାନନ୍ଦ ପାର୍ବତୀଙ୍କୁ ଅନାଦର କଲେ। ସେହି ସମୟରେ ପାର୍ବତୀ ଦେବୀ କହିଲେ, ତୁମର ପୂର୍ବ ପ୍ରତିଶ୍ରୁତି ରକ୍ଷା କରି ମୁଁ ଏହି ଦେହ ଧାରଣ କରିଥିଲି। ତୁମେ ପରବର୍ତ୍ତୀ ଜନ୍ମରେ ନଦିଆ ଜିଲ୍ଲାରେ ଜନ୍ମଗ୍ରହଣ କରିବ ଓ ମୋର ସାକ୍ଷାତ ହେବ। ସେହି ଜନ୍ମରେ ମୁଁ ତୁମର ସବୁ ଅପୂର୍ଣ୍ଣତାକୁ ଦୂର କରିଦେବି। ପରବର୍ତ୍ତୀ ଜନ୍ମରେ ତୁମେ ଜଗତର ସାର୍ବଭୌମ ଗୁରୁ ହେବ। ଜଗତ୍ଜନନୀଙ୍କ ଭବିଷ୍ୟବାଣୀ ଅନୁସାରେ ବ୍ରହ୍ମାନନ୍ଦ ଗିରି ପରବର୍ତ୍ତୀ ଜନ୍ମରେ ୧୮୮୦ ଖ୍ରୀଷ୍ଟାବ୍ଦ ଶ୍ରାବଣ ମାସ ଝୁଲଣ ପୂର୍ଣ୍ଣିମା ତିଥି ଗୁରୁବାର ନଦିଆ ଜିଲ୍ଲାର ମେହେରପୁର ସବ୍ଡିଭିଜନ୍ର କୁତବପୁର ଗ୍ରାମରେ ଭଟ୍ଟାଚାର୍ଯ୍ୟ ପରିବାରେ ଜନ୍ମଗ୍ରହଣ କରିଥିଲେ। ପିତାଙ୍କ ନାମ ଭୁବନମୋହନ ଭଟ୍ଟାଚାର୍ଯ୍ୟ ଓ ମାତାଙ୍କ ନାମ ମାଣିକ ସୁନ୍ଦରୀ ଦେବୀ ଏବଂ ଜଗତ୍ଜନନୀଙ୍କ ଆଦେଶ ଅନୁସାରେ ମା’ ସ୍ବୟଂ ସୁଧାଂଶୁବାଳାଙ୍କୁ ସ୍ତ୍ରୀ ରୂପରେ ମଧ୍ୟ ପାଇଥିଲେ।
ଶରତ କୁମାର ପାତ୍ର,
ନଚ୍ଛିପୁର, ଖଇରା, ବାଲେଶ୍ବର