‘ଲକ୍‌ଡାଉନ୍‌’ ସମୟରେ ପିଲାଙ୍କ ଶିକ୍ଷା

ପ୍ରୀତୀଶ ଆଚାର୍ଯ୍ୟ

କରୋନା ମହାମାରୀର ଏହି ବିଷମ ପରିସ୍ଥିତିରେ ସ୍କୁଲ୍ ପିଲାଙ୍କର ସମସ୍ୟା ବି କମ୍ ଗୁରୁତର ନୁହେଁ। ସାଧାରଣତଃ ମାର୍ଚ୍ଚ ମାସରେ ପରୀକ୍ଷା ଶେଷ ହୁଏ। ଏପ୍ରିଲ୍‌ରେ ନୂଆ ଶିକ୍ଷା ବର୍ଷ ଆରମ୍ଭ ହୁଏ। ଏହା ପଛରେ ଯୁକ୍ତି ହେଲା ଯେ ଦୀର୍ଘ ଗ୍ରୀଷ୍ମ ଅବକାଶ ପରେ ଜୁନ୍ ଶେଷରେ ସ୍କୁଲ ଖୋଲିଲା ବେଳକୁ ପିଲାଏ ପାଠ ଭୁଲି ନ ଥିବେ। ସମୟ ନଷ୍ଟ ନ କରି ପୁଣି ଶୀଘ୍ର ପାଠକୁ ଆପଣେଇ ପାରିବେ! କିନ୍ତୁ ଏପ୍ରି‌ଲ୍‌ରେ ନୂଆ ପ‌ାଠ ଏଥର ଆରମ୍ଭ ହୋଇ ପାରିଲା ନାହିଁ। କରୋନାର ପ୍ରତିକାର ପାଇଁ ‘ଲକ୍‌ଡାଉନ୍‌’ ଆରମ୍ଭ ହେଲା ବେଳକୁ ଦଶମ ଓ ଦ୍ବାଦଶ ପରୀକ୍ଷା ପାଖାପାଖି ଶେଷ ହୋଇ ସାରିଥିଲା। ତଥାପି ସେ ନେଇ ଯେଉଁ ଅଳ୍ପ କିଛି ବାକି ଅଛି, ତା’ପାଇଁ ତାରିଖ ଘୋଷଣା ହେବ କେବେ? ପୁଣି ଉତ୍ତର ଖାତା ଯାଞ୍ଚ ହେବ କେବେ? ଫଳ ପ୍ରକାଶ ପାଇବ କେବେ? ଦ୍ବାଦଶ ଶ୍ରେଣୀ ପରର ପ୍ରବଶିକା ପରୀକ୍ଷା ସବୁର କ’ଣ ହେବ? ଏବେ ଏ ସବୁକୁ ନେଇ ଅନେକ ଅନିଶ୍ଚିତତା! ଆଧୁନିକ ଶିକ୍ଷା ବ୍ୟବସ୍ଥାର ବିଶେଷତ୍ବ ହେଲା ଯେ ସ୍କୁଲ୍‌ ଖୋଲିବା, ପ୍ରବେଶିକା ପରୀକ୍ଷା ହେବା କିଂବା ଦାଖିଲା ବା ନାମ ଲେଖା ହେବାର ମାନେ ଜନ ସମାଗମ; ଅନ୍ୟ ପକ୍ଷରେ କରୋନା ମହାମାରୀର ନିର୍ଭରଯୋଗ୍ୟ ପ୍ରତିକାର ହେଉଛି, ଶାରୀରିକ ଦୂରତା, ଯାହାକୁ ‘ସୋସିଆଲ୍ ଡିଷ୍ଟାନ୍‌ସିଂ’(ପ୍ରକୃତ ଶବ୍ଦ ହେବା କଥା Physical Distancing) ବୋଲି କୁହାଯାଉଛି। କିନ୍ତୁ ଏଥିରୁ କ’ଣ ଗତ୍ୟନ୍ତର ଅଛି?

ସ୍ଥିତିର ବିକଳ୍ପ ରୂପରେ ଏବେ ‘ଭର୍ଚୁଆଲ କ୍ଲାସ୍‌ରୁମ୍‌’ କଥା କୁହାଯାଉଛି। ଏହାର ଅର୍ଥ ହେଲା, ସୂଚନା ପ୍ରାଦ୍ୟୌଗିକୀର ଉପଯୋଗ କରି ପିଲା ଓ ଶିକ୍ଷକ ପରସ୍ପର ମଧ୍ୟରେ ଯୋଗାଯୋଗ ରଖିବେ, ମାତ୍ର ସାଂଗରେ ଆବଶ୍ୟକ ଶାରୀରିକ ଦୂରତା ବି ବଜାୟ ରହିବ। ଅନେକ ଶିକ୍ଷାନୁଷ୍ଠାନ ଏବଂ ଶିକ୍ଷା ବିଭାଗ ଏ ନେଇ ବିଶେଷ ଯୋଜନାମାନ କଲେଣି। ନିଶ୍ଚିତ ରୂପେ ଏହା ଏକ ସ୍ବାଗତଯୋଗ୍ୟ ଉଦ୍ୟମ। ଅନ୍ୟ ପକ୍ଷରେ, ଏହାର କାର୍ଯ୍ୟକାରିତାକୁ ନେଇ ଅ‌େନକ ପ୍ରଶ୍ନ ଉତ୍ତରିତ ନୁହନ୍ତି! ଯେଉଁ ଶିକ୍ଷାର୍ଥୀ ପାଖରେ ଆବଶ୍ୟକ ସୂଚନା ପ୍ରାଦ୍ୟୌଗିକୀର ଅଭାବ, କିଂବା ଯେଉଁ ଅଞ୍ଚଳରେ ‘କ୍ଲାସ୍‌’ ହେଉଥିବା ସମୟରେ ‘ଇଣ୍ଟରନେଟ୍‌ କଭରେଜ୍‌’ ନାହିଁ, ସେଠାରେ ପିଲା ‘ଭର୍ଚୁଆଲ କ୍ଲାସ୍‌ରୁମ୍‌’ର କ’ଣ ଲାଭ ନେଇ ପାରିବ? ଅବସୋସର କଥା ଯେ ଭାରତରେ ହେଉ ବା ଆମ ରାଜ୍ୟରେ ଏହାର ଲାଭ ନେଇ ନ ପାରିବା ପିଲା ହେଲେ ସଂଖ୍ୟାଗରିଷ୍ଠ; ସହରାଞ୍ଚଳର ସବୁ ପିଲା ମଧ୍ୟ ଏହାର ଲାଭ ନେଇ ପାରିବେ ନାହିଁ!

ଏଭଳି କଠୋର ସ୍ଥିତିରେ ପିଲାଙ୍କ ପାଇଁ ବିକଳ୍ପ କ’ଣ? ସଂଭବତଃ ପାରଂପାରିକତାରୁ ହିଁ ବିକଳ୍ପର ସନ୍ଧାନ କରିବାକୁ ପଡ଼ିବ! ପ୍ରଥମ ବିକଳ୍ପ ହେବ, ପିଲା ତା’ର ଆଗ୍ରହ ଅନୁସାରେ ବହି ପଢ଼ୁ। ଉଦାହରଣ ସ୍ବରୂପ, ଅଷ୍ଟମରୁ ନବମ ଶ୍ରେଣୀକୁ ଉନ୍ନୀତ ହୋଇଥିବା ପିଲା ଶିକ୍ଷକଙ୍କର ବିନା ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସାହିତ୍ୟ ଏବଂ ସାମାଜିକ ପାଠକୁ (ନବମ ଶ୍ରେଣୀର) ପଢ଼ି ପାରିବ। ଦ୍ବିତୀୟତଃ, ସାହିତ୍ୟ ଓ ସାମାଜିକ ବିଜ୍ଞାନର ପାଠ୍ୟ ପୁସ୍ତକକୁ ଉକ୍ତ ବିଷୟରେ ଜ୍ଞାନର ଅନ୍ତିମ ଉତ୍ସ ବୋଲି ମନେ କରାଯିବା କଥା ନୁ‌େହଁ। ପାଠ୍ୟକ୍ରମର ସୀମିତତାର ଊର୍ଦ୍ଧ୍ବକୁ ଯାଇ ପିଲା ବିଷୟର ଗଭୀରତାକୁ ଅନୁଶୀଳନ କରିପାରିବ। ମନେକରାଯାଉ, ଭାରତର ସ୍ବାଧୀନତା ସଂଗ୍ରାମ ବିଷୟ। ସେହି ଏକା ସମୟରେ ଚୀନ ଏବଂ କୋରିଆ ଆଦି ଦେଶରେ ମଧ୍ୟ ଜାତୀୟତାର ଉନ୍ମେଷ ଘଟିଥିଲା। ସେ ସବୁକୁ ଅଧ୍ୟୟନର ପରିସରକୁ ଅଣାଯାଇ ପାରିବ। ସେମିତି ଓଡ଼ିଆ ସାହିତ୍ୟ ଭଳି ତାମିଲ ବା ତେଲୁଗୁ ସାହିତ୍ୟର ବିକାଶକୁ ଅଧ୍ୟୟନ କରିହେବ। ଏଥିପାଇଁ ପାଖରେ ଯଦି ଲାଇବ୍ରେରି ନାହିଁ, ‘ଫୋର୍‌ ଜି ସ୍ମାର୍ଟ’ ଫୋନ୍‌ର ସାହାଯ୍ୟ ନେଇ ହେବ। ଯେଉଁ ଉପାୟରେ କରୋନାର ବିଶ୍ବବ୍ୟାପୀ ଖବର ସଂଗ୍ରହରେ ଆମେ ନିତିଦିନ ଉକ୍ତ ଫୋନ୍‌ର ଉପଯୋଗ କରୁଛେ, ସେହି ଏକା ଉତ୍ସାହରେ ଅନ୍ୟାନ୍ୟ ପ୍ରସଂଗର ଅଧ୍ୟୟନ କରିହେବ! କହିବାର ମୂଳ ତାତ୍ପର୍ଯ୍ୟ ହେଲା, ଆଗ୍ରହ ଥିବା ବିଷୟରେ ପିଲାଏ ପଢ଼ିବା ଆରମ୍ଭ କଲେ ପାଠରେ ମନ ଲାଗିବ; ଅଧ୍ୟୟନ ଗଭୀର ହେବ ଏବଂ ସମୟକ୍ରମେ ତାହା ଅନ୍ୟାନ୍ୟ ବିଷୟର ଅଧ୍ୟୟନକୁ ମଧ୍ୟ ସାହାଯ୍ୟ କରେ। ସ୍ବାଭାବିକ ଭାବେ ପିଲାର ସାହିତ୍ୟ ଏବଂ ସାମାଜିକ ବିଜ୍ଞାନରେ ରୁଚି ଥାଏ, ଯାହା ସ୍କୁଲ୍‌ ପାଠ୍ୟକ୍ରମର ଚାପ ଏବଂ ‘ଡାକ୍ତର-ଇଂଜିନିୟର’ ହେବାର ‘ଆପ୍ତବାଣୀ’ ଶୁଣି ଶୁଣି ଚାପି ହୋଇଯାଇଥାଏ। ଏବେ ସେହି ସମସ୍ତ ପିଲାଙ୍କ ପାଇଁ ସାହିତ୍ୟ ପଠନ (କିଛି ନହେଲେ ମନଛୁଆଁ ଗଳ୍ପ ବା ଉପନ୍ୟାସ ପଠନ) ଏକ ଅପୂର୍ବ ଅବସର ଯୋଗାଇଛି। ବିଷୟେତର ଅଧ୍ୟୟନକୁ ଇଂ‌ରେଜୀରେ Going beyond the text book କୁହାଯାଏ। ସାମାଜିକ ଶିକ୍ଷା ଦୃଷ୍ଟିରୁ ଏହି ବିଷୟେତର ଅଧ୍ୟୟନ ପିଲାର ମନ ଓ ମସ୍ତିଷ୍କକୁ ଖୋଲିଦିଏ; ଏହା ପିଲାଟିକୁ ବିଷୟ ଶିକ୍ଷାର ଗଭୀରତାକୁ ପ୍ର‌େବଶ କରିବାରେ ସାହାଯ୍ୟ କରେ। ସେହି ଦୃଷ୍ଟିରୁ ଏହା ବିଷୟ ଶିକ୍ଷାର ପରିପୂରକ; ଅନେକ ଅଭିଭାବକ ଭାବିଲା ଭଳି ତାର ପରିପନ୍ଥୀ ନୁହେଁ। ଏହା ମଧ୍ୟ ସତ ଯେ ଅନେକ ପିଲା ବିଜ୍ଞାନ ଏବଂ ଗଣିତ ଭଳି ପାଠରେ ଆଗ୍ରହୀ। ସେମାନେ ଚେଷ୍ଟା କଲେ ହୁଏ’ତ ଶିକ୍ଷକଙ୍କ ବିନା ସାହାଯ୍ୟରେ ସେ ସବୁ ପଢ଼ି ବୁଝିପାରିବେ। ଏହା ସେମାନଙ୍କ ଆତ୍ମପ୍ରତ୍ୟୟ ବୃଦ୍ଧି କରିବ। କେବଳ ସେତିକି ନୁହେ, ସେଭଳି ପିଲାଏ ତାହା ପଢ଼ିବା ସହିତ ସାମାଜିକ ବିଜ୍ଞାନ ବା ସାହିତ୍ୟ ପଢ଼ି ଉଭୟ ବିଷୟ କ୍ଷେତ୍ର ମଧ୍ୟରେ ରହିଥିବା ଅନୁପୂରକତାକୁ ଆବିଷ୍କାର କରିପାରିଲେ, ତାହା ସେମାନଙ୍କ ବୋଧ ଶକ୍ତିର ଦିଗନ୍ତକୁ ମଧ୍ୟ ବିସ୍ତାରିତ କରିବ, ଯାହା ଭବିଷ୍ୟତ୍‌ରେ ସେମାନଙ୍କ ବ୍ୟକ୍ତିତ୍ବ ଗଠନରେ ମଧ୍ୟ ସହାୟକ ହେବ।

ଅନେକ ସମୟରେ ଅଭିଭାବକମାନେ ପିଲାର ଏହି ଧରଣର ସ୍ବାଭାବିକ ଅଧ୍ୟୟନରେ ପ୍ରତିବନ୍ଧ ସାବ୍ୟସ୍ତ ହୁଅନ୍ତି। ବୟସ ଦୃଷ୍ଟିରୁ ପିଲା ଯେତେ ସାନ ହେଉ ପଛେ, ତା’ର ସ୍ବାତନ୍ତ୍ରୢ ଏବଂ ଅସ୍ମିତାକୁ ଅସ୍ବୀକାର କରାଗଲେ ତା’ର ବାଟ ହୁଡ଼ିବା ଆରମ୍ଭ ହୋଇଯାଏ। ତେଣୁ ହୁଏତ ପିଲାର ଚିତ୍ର ଆଙ୍କିବାରେ, ବଗିଚା କାମ କରିବାରେ କିଂବା କଣ୍ଢେଇ ତିଆରି କରିବାରେ ଆଗ୍ରହ ଥାଇପାରେ। ତାକୁ ଅନ୍ତତଃ ଏହି ସମୟରେ ତହିଁରୁ ନିବୃତ୍ତ କରାଯିବା କଥା ନୁହେଁ। ବର୍ତ୍ତମାନର ବିଷମ ସ୍ଥିତିରେ ଆଶାବାଦ ମଧ୍ୟରେ ରହି ଦିନ କାଟିବା ସବୁଠାରୁ ମହତ୍ତ୍ବପୂର୍ଣ୍ଣ କାମ। କରୋନା ଯୋଗୁଁ ଶିକ୍ଷା ସମସ୍ୟା ଗୁରୁତର ନିଶ୍ଚୟ। ଏବେ ଶିକ୍ଷକଙ୍କ ଅନୁପସ୍ଥିତିରେ ଅଭିଭାବକମାନେ ପରୋକ୍ଷରେ ଶିକ୍ଷକର ଦାୟିତ୍ବ ନିର୍ବାହ କରିବାକୁ ବାଧ୍ୟ ହେବେ! ସେତେବେଳେ ପିଲାକୁ ତା’ର ସାଙ୍ଗସାଥୀମାନଙ୍କ ତୁଳନାରେ ‘ଅଯୋଗ୍ୟ’ ବୋଲି ତାଚ୍ଛଲ୍ୟ କରିବା ଯେତେ ମାରାତ୍ମକ, ତାକୁ ଅନ୍ୟମାନଙ୍କ ତୁଳନାରେ ଅଧିକ ସମର୍ଥ, ‘ସୁପର୍‌ମ୍ୟାନ’ ବୋଲି ଆସ୍ଫାଳନ କରିବା ମଧ୍ୟ ସେତେ ମାରାତ୍ମକ! ‘ସାମାଜିକ ଦୂରତା’ କାରଣରୁ ପିଲା ପାଇଁ ଯେତେବେଳେ ଘର ବାହାରେ ଖେଳିବା ସୁଦ୍ଧା ବର୍ଜନୀୟ, ସେତେବେଳେ ତା ପ୍ରତି ଏଭଳି କୌଣସି ବ୍ୟବହାର ପ୍ରଦର୍ଶନ କରାଯିବା ଅନୁଚିତ, ଯାହା ଫଳରେ ସେ ନିଜକୁ ଅନ୍ତଃସାରଶୂନ୍ୟ ବୋଲି ମନେ କରିବ ବା ତା’ ମନରେ ହୀନମନ୍ୟତା ସୃଷ୍ଟି ହେବ। ଅନ୍ୟ ଶବ୍ଦରେ କହିଲେ ଅନ୍ତତଃ ପିଲାର ସ୍ବାଭାବିକ ଗତି ଏବଂ ପ୍ରଗତିରେ ବାଧକ ନ ହେବା ହେବ ଏକ ଆଦର୍ଶ ଅଭିଭାବକତ୍ବ! ଏବର ସମସ୍ୟା ଗୋଟାଏ ପ୍ରଦେଶ, ଅଥବା ଗୋଟାଏ ଦେଶ ଯାଏଁ ସୀମିତ ନୁ‌େହଁ। ବିଶ୍ବର ସମସ୍ତ ଦେଶ କରୋନା ମହାମାରୀରେ ସଂକ୍ରମିତ ଓ ପୀଡ଼ିତ। ସମସ୍ୟାର ଏଭଳି ସାଧାରଣୀକରଣ ଆମ ନୂତନ ପିଢ଼ିକୁ ହୁଏତ ନିରାଶାରୁ ନିବୃତ୍ତି ଦେବ; ଆଶାବାଦରେ ଜୀବନ ଜିଇବାକୁ ସୁଯୋଗ ଦେବ!

କରୋନା ଏକ ନୂଆ ସମସ୍ୟା; ନୂଆ ଅନୁଭବ! ଠିକ ଶହେ ବର୍ଷ ତଳେ ୧୯୧୮-୨୦ରେ ଏହି ଧରଣର ଏକ ମହାମାରୀ ସମସ୍ୟା ବିଶ୍ବକୁ ବ୍ୟାପିଥିଲା। ତାକୁ ‘ସ୍ପେନିସ୍‌ ଇନ୍‌ଫ୍ଲୁଏନ୍‌ଜା’ (Spanish Influenza) କୁହାଯାଏ। ପ୍ରଥମ ବିଶ୍ବଯୁଦ୍ଧରେ ଲଢ଼ୁଥିବା ଇଂଲଣ୍ଡ, ଫ୍ରାନ୍‌ସ, ଜର୍ମାନି ଏବଂ ଯକ୍ତରାଷ୍ଟ୍ର ଆମେରିକାରେ ଏହା ସଂକ୍ରମିତ ହୋଇଥିବା ସତ୍ତ୍ବେ କେବଳ ନିରପେକ୍ଷ ସ୍ପେନ୍‌ ଆରମ୍ଭ ପର୍ଯ୍ୟାୟରେ ମହାମାରୀର ଉତ୍କଟତାକୁ ସାମ୍ନାକୁ ଆଣିଥିଲା। ଅନ୍ୟ ଦେଶଗୁଡ଼ିକ ମହାମାରୀ ତାଙ୍କ ଦେଶର ଲୋକଙ୍କୁ ସ୍ପର୍ଶ କରିନାହିଁ ବୋଲି ମିଛ ପ୍ରଚାର କରୁଥିଲେ। ସ୍ପେନ୍‌କୁ ଏହି ମହାମାରୀର ଜନ୍ମଭୂମି ବୋଲି ଅନ୍ୟ ଦେଶଗୁଡ଼ିକ ତ‌ାକୁ ତାଚ୍ଛଲ୍ୟ କରୁଥିଲେ। କିନ୍ତୁ ସତ୍ୟକୁ ଘୋଡ଼ଣି ଦେଇଥିବା ଦେଶରେ ଲୋକ ଅଧିକ ପ୍ରାଣହାନିର ଶିକାର ହୋଇଥିଲେ। ସମଗ୍ର ବିଶ୍ବରେ ପାଂଚ କୋଟି ଲୋକ ଏଥିରେ ପ୍ରାଣ ହରାଇଥିଲେ ବୋଲି ଅନୁମାନ କରାଯାଏ। କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ମୃତକଙ୍କ ସଂଖ୍ୟା ଥିଲା ପାଖାପାଖି ସାଢ଼େ ଛଅ ଲକ୍ଷ।

ଏଠାରେ ଏହି ସଂଦର୍ଭ ଉଦ୍ଧାର କରାଯିବା ପଛରେ ଥିବା ଉଦ୍ଦେଶ୍ୟ ହେଲା ଯେ, ବର୍ତ୍ତମାନର ବୃଦ୍ଧରୁ ବୃଦ୍ଧତର ବ୍ୟକ୍ତି ମଧ୍ୟ ‘ସ୍ପେନିସ୍ ଇନ୍‌ଫ୍ଲୁଏନ୍‌ଜା’କୁ ଦେଖିନାହାନ୍ତି। ତା’ ସତ୍ତ୍ବେ ବରିଷ୍ଠ ନାଗରିକମାନଙ୍କ ଜୀବନାନୁଭୂତି ‌େହଉଛି ଏକ ସାମାଜିକ ସମ୍ପଦ। ‘ସାମାଜିକ ଦୂରତା’ର ‘ନିଉ ନର୍ମାଲ’ (New Normal) କାଳାଂଶରେ ବୟୋଜ୍ୟେଷ୍ଠମାନଙ୍କ ପାଖରୁ ସେମାନଙ୍କ ପ୍ରଶସ୍ତ ତଥା ଗଭୀର ଅନୁଭବର ରସ ଆସ୍ବାଦନ କରିବା ପିଲାଙ୍କ ପାଇଁ ଖୁବ୍ ଉପଯୋଗୀ ବିଷୟେତର ଶିକ୍ଷା ହୋଇପାରେ। ସେହି ଅନୁଭବର ଆହରଣ ମାଧ୍ୟମରେ ସେମାନେ ବୟୋଜ୍ୟେଷ୍ଠମାନଙ୍କର ସମ୍ମାନ କରିବେ; ପରିବାରରେ ସେମାନଙ୍କୁ ଅଣଦେଖା ହେବାରୁ ସୁରକ୍ଷିତ ରଖିବେ; ସାମାଜିକ ଦୂରତାର ଅବହେଳା ନ କରି ପାରିବାରିକ ସ୍ତରରେ ସାମାଜିକ ସୌହାର୍ଦ୍ଦ୍ୟର ପରିବେଶ ଗଢ଼ିବେ। ପିଲାଙ୍କ ପାଇଁ ଏହା ଏକ ମହାନ ଶିକ୍ଷା ନୁହେଁ ତ ଆଉ କ’ଣ?

‘ସ୍ପେନିସ୍ ଇନ୍‌ଫ୍ଲୁଏନ୍‌ଜା’ର ମୁଖ୍ୟ ଶିକାର ଥିଲେ ତରୁଣ ବର୍ଗ। କରୋନାର ବଡ଼ ଶିକାର ହେଲେ ପରିପକ୍ବ ବୃଦ୍ଧଜନ। ହୁଏତ ଭାରତ‌େର କରୋନା ସଂକ୍ରମଣ ଖୁବ୍ ଅଧିକ ହୋଇ ନ ପାରେ। ପୁଣି, ଭାରତରେ ବୃଦ୍ଧଜନ ଆଜି ମଧ୍ୟ ପାଶ୍ଚାତ୍ୟ ଦେଶ ତୁଳନାରେ ଅସୁରକ୍ଷା ଏବଂ ଅସହାୟତାର କମ୍ ଶିକାର! ତା’ ସତ୍ତ୍ବେ, କରୋନା ଦ୍ବାରା ଆକ୍ରାନ୍ତ ଏବଂ ମୃତ୍ୟୁର ଶିିକାରମାନଙ୍କ ପ୍ରତିଟି ସମ୍ବାଦ, ତାହା ଇଟାଲିର ହେଉ କି ଯୁକ୍ତରାଷ୍ଟ୍ର ଆମେରିକାର, ସେମାନଙ୍କ (ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ) ମନକୁ କ’ଣ ଭୟାତୁର କରୁ ନ ଥିବ? ଏଭଳି ବିଷମ ପରିସ୍ଥିତିରେ ଚାହିଁଲେ କ’ଣ ଆଗାମୀ ପିଢ଼ି ବା ପିଲାଏ ପରିପକ୍ବ ପିଢ଼ି ଲାଗି ଆଶାବାଡ଼ି ହୋଇପାର‌ିବେ ନାହିଁ? ଏକ ବଡ଼ ଓ ଭୟ ଉଦ୍ରେକକାରୀ ସମସ୍ୟାକୁ ହାଲୁକା କରିବା ପାଇଁ ଏଥିରୁ ଅଧିକ ଉତ୍ତମ ବାଟ ଆଉ କିଛି ନାହିଁ। ଏବଂ ତରୁଣ ପିଢ଼ି ଲାଗି ଏହା ଠାରୁ ଭଲ ନୈତିକ ଶିକ୍ଷା ବା ଆଉ କ’ଣ ହୋଇପାରେ! ଘୋଷା ପାଠର ଊର୍ଦ୍ଧ୍ବରେ ଏହା ହେଉଛି ବି‌ଷୟେତର ଶିକ୍ଷା, ଅନୁଭବର ଶିକ୍ଷା! ଯେତେବେଳେ ସ୍କୁଲ୍ ବନ୍ଦ, ଶିକ୍ଷକଙ୍କ ତତ୍ତ୍ବାବଧାନରେ ପାଠପଢ଼ା ନାହିଁ, ଘର ବାହାରେ ଖେଳକୁଦ ବି ବନ୍ଦ, ସେତେବେଳେ ଏହା କ’ଣ ପିଢ଼ି ପିଢ଼ି ମଧ୍ୟରେ ଆବେଗିକ ସ୍ତରରେ ସମ୍ବାଦ ସ୍ଥାପନ କରିବ ନାହିଁ। ପରସ୍ପରକୁ ହୃଦୟଙ୍ଗମ କରିବା ଲାଗି ସୁଯୋଗ ସୃଷ୍ଟି କରିବା ସହିତ ଏହା କ’ଣ ଏକ ବିକଳ୍ପ ବିଶ୍ବର ସନ୍ଧାନ ଦେବ ନାହିଁ? ‘ସ୍ପେନିସ୍ ଇନ୍‌ଫ୍ଲୁଏନ୍‌ଜା’ ଭଳି ସମୟକ୍ରମେ ଦିନେ କରୋନା ବି ଚାଲିଯିବ! ସେତେବେଳେ ତାକୁ ଲଢ଼ିଥିବା ବ୍ୟକ୍ତି ହିଁ ଜୀବନର ଭରପୂର ସ୍ବାଦ ନେଲେ ବୋଲି ଦମ୍ଭରେ କହିପାରିବେ! ତେଣିକି ସେ ସ୍କୁଲ୍‌ ପିଲା ହୁଅନ୍ତୁ, କି ସ୍ବାସ୍ଥ୍ୟ କର୍ମୀ କିମ୍ବା ପରିପକ୍ବ ବୟସ୍କ ପିଢ଼ି। ଏହି ଅନୁଭବରୁ ଯେଉଁ ଶିକ୍ଷା ମିଳିବ ପାଠ୍ୟ ପୁସ୍ତକରେ ଜ୍ଞାନ ତୁଳନାରେ କି ତାହା କମ୍‌ ମହତ୍ତ୍ବପୂର୍ଣ୍ଣ?

ମୋ: ୯୫୫୬୩୯୦୯୨୩
[email protected]

ସମ୍ବନ୍ଧିତ ଖବର