ଖେଳ ଶେଷ, କିନ୍ତୁ ଯାହା ସରିବ ନାହିଁ!
ଅଭିରାମ ବିଶ୍ବାଳ
ମହାମାରୀ କରୋନା କାରଣରୁ ଗଲା ବର୍ଷ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ କ୍ରୀଡ଼ା ବର୍ଷେ ଘୁଞ୍ଚିଗଲା ପରେ ବି ଚଳିତ ବର୍ଷ ହେବ କି ନାହିଁ ଦ୍ବନ୍ଦ୍ବକୁ ଟପି ଉଦ୍ଯାପିତ ହୋଇସାରିଛି ଏବ˚ ସେଇ ଟୋକିଓ ମହାନଗରୀରେ ଏବେ ପୁଣି ପାରାଲିମ୍ପିକ୍ର ଋତୁ। ଅବଶ୍ୟ ସମୟ ଓ ଆୟୋଜନର ଚିରାଚରିତ ଅର୍ଥକୁ ବେଶ୍ ବଦଳେଇ ଦେଲା ସରିଯାଇଥିବା ଟୋକିଓ ଅଲିମ୍ପିକ୍। ଅନୁଷ୍ଠିତ ହେଲା ଏଇ ୨୦୨୧ରେ; କିନ୍ତୁ ସବୁଆଡ଼େ ଲେଖା ହେଉଥିଲା ଟୋକିଓ ୨୦୨୦। ଆଦର୍ଶ ଆଳସ୍ୟ ଯୋଗୁଁ ବାକି ପଡ଼ିଥିବା ପୁରୁଣା କାମ ପାଇଁ ଅନେକ ହୁଏତ ସେତେଟା ଅନୁଶୋଚନା କରିବେନି; କାରଣ ଟୋକିଓ ୨୦୨୦ ଆଧାରରେ ସେମାନେ କହିପାରିବେ- ପଡ଼ିରହିଥିବା କାମ ଏବେ ମଧୢ କରାଯାଇପାରେ। ଦେଖିବାକୁ ମିଳିଥିଲା ଯେ ଟୋକିଓ ଅଲିମ୍ପିକ୍ ପାଇଁ ସର୍ବାଧୁନିକ ପ୍ରଯୁକ୍ତି କଳା ଓ କୌଶଳ ସହାୟତାରେ ପ୍ରସ୍ତୁତ ତଥା ଉଦ୍ଦିଷ୍ଟ ଗ୍ୟାଲେରୀ ଖାଁ ଖାଁ, ଦର୍ଶକ ଶୂନ୍ୟ। କରୋନା ନିରୋଧକ ନିରାପଦ ଜୈବ-ବଳୟ ଭିତରର ସେ ଦୃଶ୍ୟ ମନୋରମ ହୋଇଥିଲେ ସୁଦ୍ଧା ଅଧିକ କରୁଣ ଜଣାପଡୁଥିଲା। ଅବାସ୍ତବ, ଅବାନ୍ତର ଓ ଉଦ୍ଭଟ ନ ହେଲେ ବି ନିହାତି ଅତିବାସ୍ତବ ବା ହାଇପର-ରିଅଲ୍ ଲାଗୁଥିଲା। ଏ କରୋନା କାଳରେ ଅଲିମ୍ପିକ୍ ସାଙ୍ଗକୁ ୟୁରୋକପ୍ ଫୁଟ୍ବଲ୍, ଉଇମ୍ବିଲଡନ୍ ଟେନିସ୍ ଓ ଭାରତ-ଇ˚ଲଣ୍ତ କ୍ରିକେଟାଦି ସମ୍ଭବ ହୋଇପାରିବା ମହାମାରୀ ସତ୍ତ୍ବେ କ୍ରୀଡ଼ାର ସଫଳ ଜୀବନଯାତ୍ରାର ସହାବସ୍ଥାନ ପ୍ରସଙ୍ଗ ସ˚ପର୍କରେ ସୂଚନା ଦେଇ ଆହୁରି କହିଦିଏ ଯେ- ରୋଗ ରହୁ ବା ଯାଉ, ଜୀବନ ପ୍ରବାହ ଅବ୍ୟାହତ ରହି ଆଗେଇ ଚାଲିବ।
Sambad is now on WhatsApp
Join and get latest news updates delivered to you via WhatsApp
ଆଗରୁ ଅବଶ୍ୟ ଟୋକିଓରେ ୧୯୬୪ ମସିହାରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ ଆୟୋଜିତ ହୋଇଥିଲା ଯାହା ଥିଲା ଏସିଆ ମହାଦେଶରେ ଅନୁଷ୍ଠିତ ହୋଇପାରିଥିବା ପ୍ରଥମ ଅଲିମ୍ପିକ୍। ପୁଣି ଦ୍ବିତୀୟ ଥର ପାଇଁ ନିଜ ଦେଶରେ ଅଲିମ୍ପିକ୍ ଆୟୋଜନ କରିପାରିଥିବା ପ୍ରଥମ ଏସୀୟ ଦେଶ ହେଉଛି ଜାପାନା। ଏପରିକି ଆଗକୁ ପୃଥିବୀର ଏକ ନମ୍ବର ଦେଶ ଭାବେ ଉଭା ହେବାର ଆଣ୍ଟ ଦେଖାଉଥିବା ଓ ସମ୍ଭାବନା ସୃଷ୍ଟି(!) କରୁଥିବା ଚୀନ୍ ଏ ପର୍ଯ୍ୟନ୍ତ ଥରେ ୨୦୦୮ ମସିହାରେ ଅଲିମ୍ପିକ୍ର ଆୟୋଜନ କରିପାରିଛି। ୧୯୬୪ ମସିହାର ଟୋକିଓ ଅଲିମ୍ପିକ୍ରେ ଜାପାନର ଯୋସିନୋରୀ ସାକାଇ ପବିତ୍ର ଅଲିମ୍ପିକ୍ ମଶାଲ୍ରେ ଅଗ୍ନି ସ˚ଯୋଗ କରିବା ପରେ ହିଁ କ୍ରୀଡ଼ା ମହାକୁମ୍ଭଟିର ଶୁଭାରମ୍ଭ ହୋଇଥିଲା। ସାକାଇ ଆଉ କେହି ନୁହଁନ୍ତି, ସିଏ ହେଉଛନ୍ତି ସେଇ ବ୍ୟକ୍ତି ଯାହାଙ୍କର ୧୯୪୫ ମସିହା ଅଗଷ୍ଟ ୬ ତାରିଖରେ ହିରୋସୀମାଠାରେ ଜନ୍ମଲାଭ ଘଟିଥିଲା, ଯେଉଁଦିନ କି ଆମେରିକା ଜାପାନ୍ର ସେଇ ହିରୋସୀମା ଉପରେ ପରମାଣୁ ବୋମା ପକାଇଥିଲା। ଏକାଧିକ ଦୃଷ୍ଟିରୁ ଯୋସିନୋରୀ ସାକାଇ ଥିଲେ ବିଶ୍ବ ଯୁଦ୍ଧୋତ୍ତର ଜାପାନର ପୁନଃ ନିର୍ମାଣ ଓ ଶାନ୍ତି ପ୍ରକ୍ରିୟାର ପ୍ରତୀକ ଆଉ ପ୍ରତିନିଧି। ସାକାଇ ଅବଶ୍ୟ ସେ ଅଲିମ୍ପିକ୍ରେ ପ୍ରତିଯୋଗୀ ଭାବେ ଭାଗ ନେଇ ନ ଥିଲେ। କିନ୍ତୁ ୧୯୬୬ ମସିହାର ଏସୀୟ କ୍ରୀଡ଼ାରେ ଅ˚ଶଗ୍ରହଣ କରି ସ୍ବର୍ଣ୍ଣ ଓ ରୌପ୍ୟ ଜିତିଥିବା ଯୋସିନୋରୀ ଫୁଜି ଟେଲିଭିଜନ୍ ନିମନ୍ତେ ଖେଳ ଓ ଖବର ପତ୍ରକାର ରୂପେ କାମ କରିଥିଲେ। ହଁ, ଜାପାନ ଉପରେ ବୋମା ପକାଇଥିବା ଆମେରିକା ୧୯୬୪ ମସିହାର ଟୋକିଓ ଅଲିମ୍ପିକ୍ରେ ଭାଗ ନେଇ ପ୍ରଥମ ସ୍ଥାନରେ ଥିଲା ବେଳେ ଜାପାନ ଥିଲା ତାଲିକାର ତୃତୀୟ ସ୍ଥାନରେ। ଏଥରକ ସେଇ ଫଳାଫଳର ପୁନରାବୃତ୍ତି ଘଟିଛି। କିନ୍ତୁ ସେଥରକ ଦ୍ବିତୀୟ ସ୍ଥାନରେ ସୋଭିଏତ୍ ଦେଶ ଥିଲା ବେଳେ ଏ ପାଳିରେ ରହିଛି ଚୀନ୍। ୧୯୬୪ରୁ ୨୦୨୧ ମସିହା- ଏ ୫୭ ବର୍ଷ ଭିତରେ ବିଶ୍ବ ବ୍ୟବସ୍ଥାରେ କି ଭଳି ପରିବର୍ତ୍ତନ ଘଟିଛି ଅଲିମ୍ପିକ ତା’ର ଏକ ଦର୍ପଣ ସଦୃଶ। ସୋଭିଏତ୍ ଦେଶ ଭାଙ୍ଗିଗଲା ପରେ ମୁଖ୍ୟତଃ ସେ ଦେଶର ଜାଗା ନେଇଥିବା ରୁଷିଆ ଅବଶ୍ୟ ଟୋକିଓ ୨୦୨୦ରେ ରୁଷୀୟ ଅଲିମ୍ପିକ୍ କମିଟି ବେଶରେ ମିଶିଥିଲା।
କ୍ରୀଡ଼ା, ଯୁଦ୍ଧ ଓ ରାଜନୀତି ଭିତରର ସମୀକରଣ ସର୍ବଜନବିଦିତ। ଯୁଦ୍ଧ ଯଦି ରକ୍ତାକ୍ତ ରାଜନୀତି ତେବେ କ୍ରୀଡ଼ା ହେଉଛି ରକ୍ତପାତ ବିହୀନ ଯୁଦ୍ଧ ଓ ରକ୍ତପାତ ରହିତ ରାଜନୀତି। ୧୯୬୪ ମସିହାର ଟୋକିଓ ଅଲିମ୍ପିକ୍ ପ୍ରକୃତରେ ତା’ର ୨୪ ବର୍ଷ ପୂର୍ବରୁ ୧୯୪୦ ମସିହାରେ ଟୋକିଓ ଠାରେ ହେବାର ଥିଲା। କିନ୍ତୁ ୧୯୩୭ ମସିହାରେ ଚୀନ୍-ଜାପାନ ଯୁଦ୍ଧ ଯୋଗୁଁ ଜାପାନ ଆୟୋଜନର ଦାୟିତ୍ବ ସମ୍ଭାଳିବାରୁ ଓହରିଯିବା ପାଇଁ ଅଲିମ୍ପିକ୍ କମିଟିକୁ ଜଣାଇଦେଲା। ଜାପାନର ଆସକ୍ତ ବକ୍ତବ୍ୟ ଥିଲା ଏଇଆ- ଏବେ କ୍ରୀଡ଼ା ବା ଶାନ୍ତିର ନୁହେଁ, ଯୁଦ୍ଧର ସମୟ। ଆହୁରି କହିଥିଲା- ସାରା ଜାପାନକୁ ଭୌତିକ ଓ ଆଧୢାତ୍ମିକ ସ୍ତରରେ କେବଳ ଯୁଦ୍ଧମନସ୍କ ହେବାକୁ ପଡ଼ିବ; ସେଥି ସକାଶେ ସମଗ୍ର ଦେଶର ଜନ, ଧନ ଓ ମନକୁ ଭେଳେଇବାକୁ ପଡ଼ିବ। ୧୯୧୬ ମସିହା ଭଳି ପରେ ଅବଶ୍ୟ ବିଶ୍ବଯୁଦ୍ଧ କାରଣରୁ ୧୯୪୦ ଓ ୧୯୪୪ ମସିହାରେ ଅଲିମ୍ପିକ୍ କ୍ରୀଡ଼ା ବନ୍ଦ ରହିଥିଲା। ୧୨ ବର୍ଷର ବ୍ୟବଧାନ ପରେ ପୁଣି ଯାଇ ଆୟୋଜିତ ହେଲା ଲଣ୍ତନ ଠାରେ ୧୯୪୮ ମସିହାରେ ଅତି କମ୍ ଖର୍ଚ୍ଚ ଅଟକଳ ଭିତରେ। ଭାଗ ନେଇଥିବା ଖେଳାଳିଙ୍କୁ ରଖାଯାଇଥିଲା ସେନା ବାରାକ୍, ଶିକ୍ଷାନୁଷ୍ଠାନ ପରିସର ଓ ନିର୍ଦ୍ଦିଷ୍ଟ ହଷ୍ଟେଲମାନଙ୍କରେ- ଆଜିକାଲି ଭଳି ବର୍ଣ୍ଣାଢ଼୍ୟ ଅଲିମ୍ପିକ୍ ଭିଲେଜ୍ରେ ନୁହେଁ। ସେ ଅଲିମ୍ପିକରେ ଜାପାନ ଓ ଜର୍ମାନିକୁ ବାଦ ଦିଆଯାଇଥିଲା। କାରଣ ସ୍ବରୂପ କୁହାଯାଇଥିଲା- ସେ ଦେଶ ଦ୍ବୟ ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ଇ˚ଲଣ୍ତର ଘୋର ବିରୋଧ କରିଥିଲେ। ପୁଣି ଜାପାନ ଓ ଜର୍ମାନିର ଯୁଦ୍ଧ ବନ୍ଦୀଙ୍କ ପ୍ରତି ମନୋଭାବ ପୋଷଣ ଭିତ୍ତିକ ରେକର୍ଡ ଆଦୌ ଭଲ ନ ଥିଲା। ଅବଶ୍ୟ ସେ ଲଣ୍ତନ ଅଲିମ୍ପିକରେ ସାମ୍ୟବାଦୀ ଦେଶଙ୍କୁ ଭାଗ ନେବାରୁ ବଞ୍ଚିତ କରାଯାଇନଥିଲା।
ଆଫଗାନିସ୍ତାନ ପରିସ୍ଥିତି ଏବେ ବିଷମ ଓ ଭୟଙ୍କର। ଅନେକ ଦଶନ୍ଧି ଧରି ସେଭଳି ପରିସ୍ଥିତି ସେଠି ଲାଗି ରହିଛି। ତା’ର ପ୍ରଭାବ ବାରମ୍ବାର ବିଭିନ୍ନ କ୍ଷେତ୍ରରେ ଅନୁଭୂତ ହୋଇଛି। ଗଲା ଜୁଲାଇରେ ଆଫଗାନିସ୍ତାନ ତରଫରୁ ଖେଳାଳିମାନେ ଟୋକିଓ ୨୦୨୦ ପାଇଁ ଯାଇଥିଲେ; କିନ୍ତୁ ଏବେ ପାରାଲିମ୍ପିକ୍କୁ ସେଠୁ କୌଣସି ଖେଳାଳି ଯାଇପାରିବେନି। ୧୯୮୦ ମସ୍କୋ ଅଲିମ୍ପିକ୍କୁ ଆମେରିକା ଓ ତା’ର ମିତ୍ରରାଷ୍ଟ୍ରଗଣ ବର୍ଜନ କରିବା ଆଢୁଆଳେ ଥିଲା ଆଫଗାନିସ୍ତାନରେ ସୋଭିଏତ୍ ସେନାବାହିନୀର ଉପସ୍ଥିତି ଓ ଦଖଲ ଏବ˚ ସେ ଦେଶରୁ ଅପସରି ଯିବାରେ ବିଳମ୍ବ। ପ୍ରତ୍ୟୁତ୍ତରରେ ସୋଭିଏତ୍ ଦେଶ ଓ ସାମ୍ୟବାଦୀ ଶିବିରର ଅନେକ ରାଷ୍ଟ୍ର ୧୯୮୪ର ଲସ୍ ଏଞ୍ଜେଲ୍ସ୍ ଅଲିମ୍ପିକ୍ ବର୍ଜନ କରିଥିଲେ। ସେ ପର୍ଯ୍ୟାୟର ବର୍ଷମାନ ଥିଲା ପୃଥିବୀକୁ ତତେଇ ରଖିଥିବା ଶୀତଳ ଯୁଦ୍ଧର ବର୍ଷ। ମସ୍କୋ ଅଲିମ୍ପିକ୍ ପୂର୍ବରୁ ବର୍ଜନ ସମ୍ଭାବନା ଜନିତ ସ˚କଟର ସମାଧାନ ନିମନ୍ତେ ପ୍ରୟାସ କରାଯାଇଥିଲା। ଉଦାର, ମାନବବାଦୀ, ପ୍ରଗତିକାମୀ ଓ ବିଶ୍ବ ଶାନ୍ତିପ୍ରେମୀ ବିରଳ ଆମେରିକୀୟ ରାଷ୍ଟ୍ରପତି ଜିମ୍ମି କାଟର୍ ପ୍ରସ୍ତାବ ବାଢ଼ିଥିଲେ ଅଲିମ୍ପିକ୍ର ରାଜନୀତୀକରଣ ଏଡ଼େଇବା ପାଇଁ ଅଲିମ୍ପିକ୍ର ଉତ୍ପତ୍ତି ସ୍ଥଳ ଗ୍ରିସ୍ ଦେଶରେ ସବୁ ଥରକ ଅଲିମ୍ପିକ୍ ହେଉ ବୋଲି। ସେ ପ୍ରସ୍ତାବଟି ଗ୍ରହଣୀୟ ହୋଇ ପାରି ନଥିଲା।
ଅତି କମ୍ରେ ଦୁଇ ଜଣ ଖେଳାଳି ଓ ଗୋଟିଏ ଖେଳ ପାଇଁ ଗଲା ଅଲିମ୍ପିକ୍ ବେଶ୍ ଚର୍ଚ୍ଚାରେ। ସେ ଖେଳାଳି ଦୁଇ ଜଣ ହେଲେ- ନୋଭାକ୍ ଜୋକୋଭିକ୍ ଓ ସିମୋନେ ବାଇଲସ୍। ଆମେରିକୀୟ ମହିଳା ଜିମ୍ନାଷ୍ଟ ସିମୋନେ ବାଇଲସ୍ ମାନସିକ ସ୍ବାସ୍ଥ୍ୟ କାରଣ ଦର୍ଶାଇ ଟୋକିଓ ଅଲିମ୍ପିକ୍ର ଅଧିକା˚ଶ ଜିମ୍ନାଷ୍ଟିକସ୍ ପ୍ରତିଯୋଗିତାରୁ ଓହରିଗଲେ। ବେଳେବେଳେ ଅନେକ ଓହରି ଯାଇ ବର୍ତ୍ତିଯାନ୍ତି, ବ˚ଚିଥାନ୍ତି। କାରଣ ପ୍ରସ୍ଥାନ ନିଷ୍ପତ୍ତି ଏକ ପ୍ରକାରର ଜୀବନ ରକ୍ଷାକାରୀ ବିଜୟ। ଆଶା କରାଯାଉଥିଲା ବିଶ୍ବର ଏକ ନମ୍ବର ଟେନିସ୍ ତାରକା ଜୋକୋଭିକ୍ ଟୋକିଓରେ ସ୍ବର୍ଣ୍ଣ ଜିଣି ସୁବର୍ଣ୍ଣ (ଗ୍ରାଣ୍ତ) ସ୍ଲାମ୍ ପାଇଁ ପଥ ପରିଷ୍କାର କରିଦେବେ। ତାହା ହୋଇପାରିଲାନି। ତାଙ୍କୁ କା˚ସ୍ୟ ମଧୢ ମିଳିପାରିଲାନି। ରାଗରେ ସିଏ ଚିତ୍କାର କରିବା ସାଙ୍ଗକୁ ରାକେଟ୍ ଫୋପାଡ଼ିଦେଲେ। ତାଙ୍କର ଏ ଧରଣର ମିଜାଜ୍ ପାଇଁ କେହି କେହି ରହସ୍ୟ କରି ତାଙ୍କୁ ନୋଭାକ୍ସ ଜୋକୋଭିକ୍ ସମ୍ବୋଧନ କରନ୍ତି। ଏ କଥା ସତ ଯେ ସିଏ ରୋଜର୍ ଫେଡେରର୍, ରାଫେଲ ନାଦାଲ୍ ଓ ପିଟ୍ ସା˚ପ୍ରସଙ୍କ ଭଳି ଜଣେ ଅତି ମହାନ୍ ଖେଳାଳି। ତାଙ୍କ ବ୍ୟକ୍ତିତ୍ବ ଓ ଅସ୍ମିତାର ବହୁଜାତୀୟ ସତ୍ତାର ଅନେକ ଉପାଦାନ ନିହିତ, ପ୍ରତିଫଳିତ। ତାଙ୍କର ଜନ୍ମ ଘଟିଥିଲା ଯୁଗୋସ୍ଲାଭିଆରେ। ଏବେ ସିଏ ସର୍ବିଆର ନାଗରିକ। ଯାହାଙ୍କ ବାପାଙ୍କ ବ˚ଶ ଲତା ସର୍ବିଆ ସ˚ପର୍କିତ ଓ ମା’ଙ୍କର ବ˚ଶ ଲତା କ୍ରୋଏସିଆ ସାଙ୍ଗେ ଯୋଡ଼ା। ବି˚ଶ ଶତାବ୍ଦୀର ନବମ ଦଶକର ରକ୍ତାକ୍ତ ଯୁଗୋସ୍ଲାଭିଆକୁ ସିଏ ସାନ ପିଲାଟିଏ ଭାବେ ଦେଖିଛନ୍ତି, ଭୋଗିଛନ୍ତି। ସେଇ ପ୍ରକ୍ରିୟାରେ ତାଙ୍କ ବ୍ୟକ୍ତିସତ୍ତାର ଢଳେଇ ପଡ଼ିଥିଲା। ତାଙ୍କ ଆଶାବାଦ ହେଲା- ପଛରେ ଥାଇ ଫେରି କରି ଜିଣିବା। କାରଣ ସିଏ ଦେଖିଛନ୍ତି ଅଚେତ ମା’ଙ୍କୁ, ଛାନିଆ ବାପାଙ୍କୁ ଓ ଶୁଣିଛନ୍ତି ଦୁଇ ଭାଇଙ୍କ ବିକଳ ନିବେଦନ- ନାଟୋ ବୋମା ମାଡ଼ ଭିତରେ। ଆଉ ଖେଳ ଗୋଟିକର ନାଁ ହେଲା ହକି ଓ ସେଥିରେ ସଫଳତା ପାଇଁ ପ୍ରମୁଖ ଭୂମିକା ରହିଥିଲା ଓଡ଼ିଶାର ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପ୍ଗ୍ରେସ୍ ଏକ୍କା ଓ ନମିତା ଟପ୍େପାଙ୍କର ଏବ˚ ଭାରତୀୟ ହକି ପାଇଁ ଓଡ଼ିଶାର ପ୍ରୋତ୍ସାହନ ଓ ପୃଷ୍ଠପୋଷକତାର।
ପ୍ରାଚୀନ ଅଲିମ୍ପିକ୍ ଆରମ୍ଭ ହେଲା ବେଳେ ସ୍ବର୍ଣ୍ଣ, ରୌପ୍ୟ ଓ କା˚ସ୍ୟ ପଦକ ବ୍ୟବସ୍ଥା ନ ଥିଲା। ପୁରସ୍କାର ବୋଇଲେ ମୁଣ୍ତରେ ଅଲିଭ୍ ପତ୍ରର ମୁକୁଟ ଓ ବେକରେ ଅଲିଭ୍ ପତ୍ରରେ ମାଳ। ଆଉ ଜୀବନ ସାରା ମାଗଣା ଖାଇବାର ବନ୍ଦୋବସ୍ତ। ଗ୍ରିସ୍ର କୋରେବସ୍ ଥିଲେ ପ୍ରଥମ ଅଲିମ୍ପିକ ବିଜେତା। ସିଏ ଅଲିମ୍ପିକ୍ ଜିଣିବା ପୂର୍ବରୁ ପର ଘରେ ରୋଷେଇଆ ପାଇଟି କରି ପେଟ ପୋଷୁଥିଲେ। କି˚ବଦନ୍ତି କ୍ରୀଡ଼ାବିତ୍ ଜେସ୍ ଓଏନ୍ସ ୧୯୩୦ ବର୍ଲିନ୍ ଅଲିମ୍ପିକରେ ୪ଟି ସ୍ବର୍ଣ୍ଣ ଜିଣି ଚହଳ ପକେଇଥିଲେ। ନିଜ ସଫଳତାର ରହସ୍ୟ ସ˚ପର୍କରେ ସିଏ କହିଥିଲେ ଏଇ ୧୦.୩ ସେକେଣ୍ତ ପାଇଁ ମୁଁ ମୋ ସାରା ଜୀବନ ଉତ୍ସର୍ଗ କରିଛି।
ବେହୁରିଆ ଭବନ, ଗୌରୀ ନଗର, ଭୁବନେଶ୍ବର-୨
ମୋ: ୮୯୧୭୬୮୩୫୩୬