ଜାତିଭିତ୍ତିକ ଜନଗଣନା ଆବଶ୍ୟକ

ସରଳ ବିଚାର - ସରଳ କୁମାର ଦାସ

ବିହାର, ଓଡ଼ିଶା, ମହାରାଷ୍ଟ୍ର ଆଦି ରାଜ୍ୟରୁ ଜାତିଭିତ୍ତିକ ଜନଗଣନା ପାଇଁ ଦାବି ହେବା ପରେ ସଂସଦରେ କେନ୍ଦ୍ର ସରକାରଙ୍କ ତରଫରୁ ସ୍ପଷ୍ଟ କରି ଦିଆଗଲା ଯେ ସରକାରଙ୍କ ନୀତି ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତିଙ୍କ ଗଣନା ବ୍ୟତୀତ ଜାତିଭିତ୍ତିକ ଜନଗଣନା କରାଯିବ ନାହିଁ। ଏହା ପରେ ବିହାରର ଶାସକ ଓ ବିରୋଧୀ ଦଳର ନେତାମାନେ ଜାତିଭିତ୍ତିକ ଜନଗଣନା ସପକ୍ଷରେ ସମ ସ୍ୱରରେ ଦାବି ଜଣାଇବା ଓ ବିହାରର ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ସମୟ ମାଗିବା ବେଶ ଗୁରୁତ୍ୱପୂର୍ଣ୍ଣ। ଆମେରିକୀୟ ଜନଗଣନା ଐତିହାସିକ ମାର୍ଗୋ ଆଣ୍ଡରସନଙ୍କ ଉକ୍ତି, ‘ସବୁ ସମୟରେ ଜନଗଣନା ରାଜନୈତିକ କ୍ଷମତା ଲାଗି ଏକ ଅସ୍ତ୍ର ହୋଇ ଆସିଛି’ ଯେ ଭାରତରେ ଜାତିଭିତ୍ତିକ ଜନଗଣନା ପ୍ରତି କେତେ ପ୍ରଯୁଜ୍ୟ ଉପରୋକ୍ତ ଘଟଣାକ୍ରମରୁ ତା’ର ପୂର୍ବାନୁମାନ କରାଯାଇପାରେ।

ସିପାହୀ ବିଦ୍ରୋହ ପରେ ଭାରତୀୟ ସମାଜର ଜାତି ବ୍ୟବସ୍ଥା, ବିଭିନ୍ନ ଜାତିର ଲୋକସଂଖ୍ୟାକୁ ଆଧାର କରି ସେମାନଙ୍କ ଉପଯୋଗିତା ଆଦିକୁ ବୁଝିବା ପ୍ରାଶାସନିକ ଦୃଷ୍ଟିରୁ ବ୍ରିଟିସ୍‌ ଶାସକଙ୍କ ପାଇଁ ଜରୁରୀ ହୋଇପଡ଼ିଲା। ତେଣୁ ରିଜଲେ, ହଟନଙ୍କ ପରି ଅନେକ ତାଲିମପ୍ରାପ୍ତ ନୃତତ୍ତ୍ୱବିଦଙ୍କୁ ଜନଗଣନା କମିଶନର ଭାବେ ନିଯୁକ୍ତି ଦେଇ ଜନଗଣନା ପ୍ରକ୍ରିୟାରେ ଜାତିୱାରି ଗଣନାକୁ ଗୁରୁତ୍ୱ ଦିଆଗଲା। ୧୮୮୧ରେ ଜନଗଣନା କମିସନର ଡବଲ୍ୟୁ ସି ପ୍ଲାଓଡେନ୍ ଲୋକମାନଙ୍କୁ ବ୍ରାହ୍ମଣ, ରାଜପୁତ, ଉନ୍ନତ ସାମାଜିକ ସ୍ଥିତି ଥିବା ଜାତି, ନୀଚ ଜାତି ଓ ଅଣହିନ୍ଦୁ ବା ‘ଆବଅରିଜିନ୍‌’ ଏହିପରି ୫ଟି ଶ୍ରେଣୀରେ ବିଭକ୍ତ କରିଥିଲେ। ୧୯୦୧ ଜନଗଣନା ବେଳକୁ ଦେଶରେ ୧୬୪୬ଟି ଜାତି ସମ୍ପର୍କରେ ତଥ୍ୟ ଥିଲା ବେଳେ ୧୯୩୧ ବେଳକୁ ତାହା ୪୧୪୭କୁ ବୃଦ୍ଧି ପାଇଥିଲା। ଏହି ଜନଗଣନାଗୁଡ଼ିକରେ କେବଳ ଜାତିର ଚିହ୍ନଟ ଓ ଗଣନା କରାଯାଉ ନ ଥିଲା ବରଂ ବର୍ଣ୍ଣ ବ୍ୟବସ୍ଥା ଓ କୌଳିକ ବୃତ୍ତି ଆଧାରରେ ସେଗୁଡ଼ିକର ବିଭାଗୀକରଣ କରାଯାଉଥିଲା। ଦେଶରେ ୧୯୩୧ରେ ଶେଷ ଥର ଲାଗି ଜାତିଭିତ୍ତିକ ଜନଗଣନା କରାଯାଇ ପ୍ରକାଶ କରାଯାଇଥିଲା। ୧୯୪୧ରେ ଜାତିଭିତ୍ତିକ ଜନଗଣନା ହୋଇଥିଲେ ବି ତାହା ପ୍ରକାଶ ପାଇ ନ ଥିଲା। ଜାତିପ୍ରଥାର ଉନ୍ମୂଳନ ଲକ୍ଷ୍ୟ ରଖି ସ୍ୱାଧୀନତା ପରେ ୧୯୫୧ରେ ହୋଇଥିବା ଜନଗଣନାରେ କେବଳ ଅନୁସୂଚିତ ଜାତି (ଏସ୍‍ସି) ଓ ଜନଜାତିର (ଏସ୍‍ଟି) ଗଣନା ହେବାକୁ ଲାଗିଲା, ଯାହା ଏ ପର୍ଯ୍ୟନ୍ତ ହୋଇ ଆସୁଛି।

ସମ୍ୱିଧାନର ଧାରା ୩୪୦ ଅନୁଯାୟୀ ୧୯୫୩ରେ ଗଠିତ କାକା କାଲେଲକର କମିସନ ଦେଶରେ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ସ୍ଥିତି ସମ୍ପର୍କରେ ୧୯୫୫ରେ ଦେଇଥିବା ରିପୋର୍ଟଟି ସରକାରଙ୍କ ଦ୍ୱାରା ଗ୍ରହଣୀୟ ହୋଇ ନ ଥିଲା। ପୁନର୍ବାର ୧୯୭୯ରେ ଜନତା ପାର୍ଟି ସରକାରଙ୍କ ଦ୍ୱାରା ଗଠିତ ମଣ୍ଡଳ କମିସନ ୧୯୮୦ରେ ରିପୋର୍ଟ ପ୍ରଦାନ କଲେ। ଏହାକୁ ଆଧାର କରି କେନ୍ଦ୍ର ସରକାର ୧୯୯୦ରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଆରକ୍ଷଣ ଘୋଷଣା କଲେ ବି ତାହା ପଛରେ କୌଣସି ବଳିଷ୍ଠ ତଥ୍ୟାଶ୍ରିତ ଯୁକ୍ତି ନ ଥିଲା। ତେବେ ଇନ୍ଦ୍ର ସାହନୀ ମାମଲାରେ ସୁପ୍ରିମକୋର୍ଟ ଆରକ୍ଷଣର ସର୍ବୋଚ୍ଚ ସୀମାକୁ ୫୦ ପ୍ରତିଶତ ବୋଲି ନିର୍ଦ୍ଧାରଣ କଲେ। ୨୦୦୧ ଜନଗଣନା ପୂର୍ବରୁ ଜାତିଭିତ୍ତିକ ଜନଗଣନା ପାଇଁ ଦାବି ଉଠିଥିଲା। କାରଣ ମଣ୍ଡଳ କମିସନ ୨୦ ବର୍ଷ ପରେ ବିଭିନ୍ନ ଜାତିଙ୍କ ସ୍ଥିତିର ସମୀକ୍ଷା କରିବାକୁ ବି ପରାମର୍ଶ ଦେଇଥିଲେ, ଯେଉଁଥିପାଇଁ ଏସ୍‌ସି, ଏସ୍‌ଟିଙ୍କ ପରି ପଛୁଆ ବର୍ଗଙ୍କ ସମ୍ପର୍କରେ ଜାତିଭିତ୍ତିକ ଜନଗଣନା ତଥ୍ୟର ଆବଶ୍ୟକତା ଥିଲା। ୧୯୯୩ରେ ଗଠିତ ଜାତୀୟ ପଛୁଆ ବର୍ଗ କମିସନ ମଧ୍ୟ ତାଙ୍କ ଉପରେ ନ୍ୟସ୍ତ ସମୀକ୍ଷା ଦାୟିତ୍ୱକୁ ନିର୍ବାହ କରିବାକୁ ଜାତିଭିତ୍ତିକ ଜନଗଣନା ତଥ୍ୟ ଆବଶ୍ୟକ କରନ୍ତି। ଏହା ସତ୍ତ୍ୱେ ୨୦୦୧ରେ ତାହା ହୋଇ ପାରିଲା ନାହିଁ ଓ ୨୦୧୧ ଜନଗଣନା ପୂର୍ବରୁ ପୁଣି ଥରେ ସେଥି ନେଇ ଦାବି ଉଠିଲା। ୨୦୧୧ ଜନଗଣନାରେ ତାହା କାର୍ଯ୍ୟକାରୀ ହୋଇ ନ ଥିଲେ ବି ତୁରନ୍ତ ପରେ ପ୍ରାୟ ୪୯୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ସାମାଜିକ ଆର୍ଥିକ ଜାତିଗତ ଜନଗଣନା ଗ୍ରାମ୍ୟ ବିକାଶ ମନ୍ତ୍ରାଳୟ ଓ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା କରାଗଲା। ସଂଗୃହୀତ ଜାତି ସମ୍ପର୍କିତ ତଥ୍ୟ ୨୦୧୬ରେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରାଳୟକୁ ହସ୍ତାନ୍ତରିତ ହୋଇଥିଲେ ବି ତାହା ଆଉ ପ୍ରକାଶ ପାଇଲା ନାହିଁ। କୁହାଯାଏ, ଜନଗଣନାରେ ଉଚ୍ଚ ଜାତିର ଲୋକଙ୍କ ସଂଖ୍ୟା ଅତି କମ୍ ଥିବାରୁ ତାହା ପ୍ରକାଶ କରାଗଲା ନାହିଁ। ଜାତିଭିତ୍ତିକ ଜନଗଣନାରେ ଉଚ୍ଚ ଜାତିର ଜନସଂଖ୍ୟା କମ୍ ହୋଇ ସେମାନେ ଅଧିକ ସୁବିଧା ସୁଯୋଗ ହାସଲ କରୁଥିବା ଜଣା ପଡ଼ିଲେ ସାମାଜିକ ଅସ୍ଥିରତା ଦେଖା ଦେଇପାରେ ଓ ସେ କ୍ଷେତ୍ରରେ ଆରକ୍ଷଣର ପ୍ରତିଶତକୁ ସୀମିତ ରଖିବା ଆଉ ସମ୍ଭବପର ହୋଇ ନ ପାରେ।

୧୯୩୧ ଜନଗଣନାରେ ସନ୍ନିବେଶିତ ଜାତିଭିତ୍ତିକ ତଥ୍ୟକୁ ଆଧାର କରି ମଣ୍ଡଳ କମିସନ ଦେଶରେ ୫୨ ପ୍ରତିଶତ ଓବିସି ଥିବା ଆକଳନ କରିଥିଲେ। ସେହି ଜନଗଣନାର ତଥ୍ୟ ଅନେକ ଭ୍ରାନ୍ତ ଧାରଣାକୁ ଦୂର କରିବାରେ ବି ସାହାଯ୍ୟ କରିଥାଏ; ଯେମିତି ସ୍ୱାଧୀନତା ପୂର୍ବରୁ ବ୍ରାହ୍ମଣମାନେ ଅଧିକ ଶିକ୍ଷିତ ଥିଲେ ବୋଲି କୁହାଯାଉ ଥିଲେ ବି ୧୯୩୧ ଜନଗଣନା ଅନୁଯାୟୀ ସାରା ଦେଶରେ ୭୩ ପ୍ରତିଶତ ବ୍ରାହ୍ମଣ ନିରକ୍ଷର ଥିଲେ। ବିହାର-ଓଡ଼ିଶା ରାଜ୍ୟରେ ତ ବ୍ରାହ୍ମଣଙ୍କ ନିରକ୍ଷରତା ହାର ୮୧ ପ୍ରତିଶତ ଥିଲା। ସ୍ୱାଧୀନତା ପୂର୍ବରୁ ଶିକ୍ଷା ଦୃଷ୍ଟିରୁ ଏତେ ଆଗରେ ନ ଥିବା ଉଚ୍ଚ ଜାତିର ଲୋକେ ସ୍ୱାଧୀନତା ପରେ ପଛୁଆ ବର୍ଗର ଜାତିଙ୍କ ତୁଳନାରେ ଏତେ ଆଗେଇ ଗଲେ ଯେ ତାହା ସେମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଅଧିକ ଲାଭ ପହଞ୍ଚାଇଲା। ଜାତିଭିତ୍ତିକ ଜନଗଣନା ନ ହେବା ଦ୍ୱାରା ତଥ୍ୟ ଅଭାବରେ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗର ଜାତିଙ୍କ ପାଇଁ ସରକାରୀ ସ୍ତରରେ କୌଣସି ସକାରାତ୍ମକ ପଦକ୍ଷେପ ଗ୍ରହଣ କରାଯାଇ ନ ପାରିବା ଏହି ଅସମାନତାର ମୁଖ୍ୟ କାରଣ। ବିଭିନ୍ନ ନୀତି ଓ ଯୋଜନା ମାଧ୍ୟମରେ ବିଶ୍ୱର ସର୍ବବୃହଦ୍ ସକାରାତ୍ମକ ପଦକ୍ଷେପମାନ ଭାରତରେ ଗ୍ରହଣ କରାଯାଉଥିଲେ ବି ତାହା ଅଧିକାଂଶ କ୍ଷେତ୍ରରେ ତଥ୍ୟକୁ ଆଧାର କରି ହୋଇ ନ ଥାଏ। ତେଣୁ ଜାତିଭିତ୍ତିକ ଜନଗଣନା ମାଧ୍ୟମରେ ଅନେକ ତଥ୍ୟ ଉପଲବ୍‌ଧ ହେଲେ ସରକାରଙ୍କ ନୀତି ସାର୍ଥକ ହୋଇ ପାରିବ। ଜାତିଭିତ୍ତିକ ଜନଗଣନାର ତଥ୍ୟ ଉପଲବ୍‌ଧ ହେଲେ ଓବିସି ଆରକ୍ଷଣ ନିୟମ ଅନୁଯାୟୀ ପଛୁଆ ବର୍ଗର ସ୍ୱଚ୍ଛଳ ବର୍ଗ (କ୍ରିମି ଲେୟାର)ର ଲୋକଙ୍କୁ ଆରକ୍ଷଣ ସୁବିଧାରୁ ଅଯୋଗ୍ୟ ଘୋଷଣା କରି ହେବ, ଯାହା ହେଉନାହିଁ।

ସାମାଜିକ ନ୍ୟାୟ ଆଧାରିତ ଜେଡିୟୁ, ଆରଜେଡି, ସମାଜବାଦୀ ପାର୍ଟି ଆଦି ଦଳଗୁଡ଼ିକ ଜାତିଭିତ୍ତିକ ଜନଗଣନା ସପକ୍ଷରେ ଥିଲା ବେଳେ ବିଜେପି ବିରୋଧ କରିବା ପଛରେ ନିର୍ଦ୍ଦିଷ୍ଟ କେତୋଟି କାରଣ ରହିଛି। ବିଜେପି ଦଳର ପ୍ରତିପାଳକ ଆର୍ଏସ୍ଏସ୍ ଭାରତରେ ଜାତିର ବାସ୍ତବତାକୁ ସ୍ୱୀକାର କରୁଥିଲେ ବି ଜାତି ବ୍ୟବସ୍ଥାକୁ ଗ୍ରହଣ କରି ନ ଥାଏ। ହିନ୍ଦୁ ସମାଜରେ ଜାତିଗତ ଭେଦଭାବ ଓ ସଂଘର୍ଷକୁ ସମାପ୍ତ କରିବା ଏହାର ଘୋଷିତ ନୀତି। ୨୦୨୫ ସୁଦ୍ଧା ଭାରତୀୟ ଅର୍ଥନୀତିକୁ ୫ ଟ୍ରିଲିଅନ ଡଲାରରେ ପହଞ୍ଚାଇବା ସହ ଭାରତକୁ ବିଶ୍ୱଗୁରୁ କରିବାର ସ୍ୱପ୍ନ ଜାତି ଭିତ୍ତିକ ଜନଗଣନା ଭଳି ବିମର୍ଶ ଦ୍ୱାରା ପ୍ରତିହତ ହୋଇପାରେ ବୋଲି ଦଳର ବିଶ୍ୱାସ। ସରକାରଙ୍କ ଉଜ୍ଜ୍ୱଳା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆୟୁଷ୍ମାନ ଭାରତ ଭଳି ଯୋଜନାଗୁଡକ କୌଣସି ନିର୍ଦ୍ଦିଷ୍ଟ ଜାତି ପାଇଁ ଉଦ୍ଦିଷ୍ଟ ନ ହୋଇ ଏହାଦ୍ୱାରା ଗରିବ ଶ୍ରେଣୀର ଲୋକମାନେ ଉପକୃତ ହେଉଥିବାରୁ ଭବିଷ୍ୟତରେ ସରକାରୀ ଯୋଜନାର ଲାଭାର୍ଥୀ ଜାତିଭିତ୍ତିରେ ସ୍ଥିର ନ ହୋଇ ଆର୍ଥିକ ସ୍ଥିତି ଆଧାରରେ ଶ୍ରେଣୀଭିତ୍ତିରେ ହେବେ। ଜାତିଭିତ୍ତିକ ଜନଗଣନା ସେଥିରେ ବାଧକ ସାଜିପାରେ। ତେବେ ଜାତିଭିତ୍ତିକ ଜନଗଣନାରେ ପଛୁଆ ବର୍ଗର ଜନସଂଖ୍ୟା ଅପେକ୍ଷାକୃତ ଅଧିକ ହେଲେ ସାମାଜିକ ନ୍ୟାୟ ଆଧାରିତ ଜାତିଭିତ୍ତିକ ଦଳଗୁଡ଼ିକ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ଥିବା ବେଳେ ଏହା ଦ୍ୱାରା ହିନ୍ଦୁ ଐକ୍ୟ ଦୁର୍ବଳ ହୋଇ ବିଜେପି କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖା ଦେଇପାରେ। ଏହା ପଛୁଆ ବର୍ଗର ଜାତିଙ୍କୁ ଜାତିଭିତ୍ତିରେ ସଂଗଠିତ ହେବାର ଅବକାଶ ସୃଷ୍ଟି କରି ପରିଚୟ ରାଜନୀତି (ଆଇଡେଣ୍ଟିଟି ପଲିଟିକ୍ସ)କୁ ପୁଣି ଥରେ ଭାରତୀୟ ରାଜନୀତିର କେନ୍ଦ୍ରୀୟ ମଞ୍ଚରେ ଆଣି ଥୋଇପାରେ। ମଣ୍ଡଳ ରାଜନୀତିର ଅବକ୍ଷୟ ପରେ ହିନ୍ଦୁତ୍ୱ ରାଜନୀତିର ଅଭ୍ୟୁଦୟ ହୋଇଥିଲା ବେଳେ ଜାତିଭିତ୍ତିକ ଜନଗଣନା ସେହି ପ୍ରକ୍ରିୟାକୁ ପୁଣି ବିପରୀତମୁଖୀ କରି ମଣ୍ଡଳ-୨ ଯୁଗର ଅୟମାରମ୍ଭ ହେବାର ଆଶଙ୍କା ହେତୁ ବିଜେପି ଏହାକୁ ବିରୋଧ କରୁଛି ବୋଲି କୁହାଯାଉଛି। ତଥାପି ଦଳର କିଛି ଓବିସି ନେତା ଏହା ସପକ୍ଷରେ ସ୍ୱର ଉଠାଉଛନ୍ତି। “ଜାତିଭିତ୍ତିକ ଜନଗଣନା ଏକ ବିପ୍ଳବାତ୍ମକ ପ୍ରକ୍ରିୟା ବୋଲି ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ରଖି ସାରିଛନ୍ତି।

ରାଜ୍ୟମାନେ ବି ଜାତିଭିତ୍ତିକ ଜନଗଣନା କରିପାରିବେ। ଦେଶରେ କର୍ଣ୍ଣାଟକ ଏକମାତ୍ର ରାଜ୍ୟ ଯିଏ ୨୦୧୮ରେ ରାଜ୍ୟ ସ୍ତରରେ ଜାତିଭିତ୍ତିକ ଜନଗଣନା କରିଥିଲା। ତେବେ ସାଧାରଣ ଜନଗଣନା ସହ ଜାତିଭିତ୍ତିକ ଜନଗଣନାଟିକୁ କରିବା ସହଜ ହୁଅନ୍ତା ଓ ରାଜ୍ୟଗୁଡ଼ିକ ଅଯଥା ଖର୍ଚ୍ଚାନ୍ତ ହୁଅନ୍ତେ ନାହିଁ। କେନ୍ଦ୍ର ସରକାର ନ କଲେ ବିହାର ମଧ୍ୟ ରାଜ୍ୟ ସ୍ତରରେ ଏକ ଜାତିଭିତ୍ତିକ ଜନଗଣନା କରିବାକୁ ଚିନ୍ତା କରୁଛି। ଅନୁରୂପ ଭାବେ ଓଡ଼ିଶା ସରକାର ମଧ୍ୟ ଏ ଦିଗରେ ଆଗଭର ହେବା ଉଚିତ।

ଟୋକିଓଠାରେ ଅନୁଷ୍ଠିତ ଅଲିମ୍ପିକ୍ ଖେଳର କ୍ୱାର୍ଟର ଫାଇନାଲରେ ହାଟ୍ରିକ ଅର୍ଜନ କରି ଭାରତକୁ ଜିତାଇଥିବା ଭାରତୀୟ ମହିଳା ହକି ଦଳର ପ୍ରମୁଖ ଖେଳାଳି ଦଳିତ ବର୍ଗରୁ ଆସିଥିବା ବନିତା କାଟାରିଆଙ୍କ ପରିବାର ସଦସ୍ୟମାନଙ୍କୁ ଦଳ ସେମିଫାଇନାଲରେ ହାରିବା ପରେ ଉଚ୍ଚ ବର୍ଗର ଦୁର୍ବୃତ୍ତଙ୍କ ଅଶ୍ରାବ୍ୟ ଗାଳିଗୁଲଜର ଶିକାର ହେବାକୁ ପଡ଼ିଥିଲା। ଜାତି ବ୍ୟବସ୍ଥା ଏବେ ଅପ୍ରାସଙ୍ଗିକ ବୋଲି ଯେତେ କହିଲେ ବି ବନିତା କାଟାରିଆଙ୍କ ଭଳି ଭାରତର ସୁଯୋଗ୍ୟ ସନ୍ତାନମାନଙ୍କୁ ବାରମ୍ୱାର ସେମାନଙ୍କ ଜାତି ପାଇଁ ଭର୍ତ୍ସିତ ହେବାକୁ ପଡୁଥିବ। ଭାରତରେ ଜାତି ବ୍ୟବସ୍ଥା ଏକ ନିଛକ ବାସ୍ତବତା ଓ ଏହାକୁ ଦୂର କରିବା ସମ୍ଭବ ହୋଇ ନ ପାରେ। ତେବେ ବିଭିନ୍ନ ଜାତି ମଧ୍ୟରେ ଥିବା ଭେଦଭାବ ଓ ଅସମାନତାକୁ ଦୂର କରାଯାଇପାରେ। କ୍ଷମତା ଦଖଲ କରିବାକୁ ଜାତିଗତ ସମୀକରଣକୁ ନିଜ ସପକ୍ଷରେ ଆଣିବା ଲାଗି ସବୁ ରାଜନୈତିକ ଦଳ ପ୍ରୟାସରତ। ତେଣୁ ସିଧାସଳଖ ହେଉ କି ବୁଲେଇ ବଙ୍କେଇ ହେଉ ପ୍ରତିଟି ଦଳ ଓବିସିଙ୍କୁ ଆକୃଷ୍ଟ କରି ନିଜ ନିଜ ଢଙ୍ଗରେ ଜାତି ଆଧାରିତ ରାଜନୀତି କରିବାକୁ ତତ୍ପର। କିଛି ଦଳ ଖୋଲାଖୋଲି ଭାବେ ନିର୍ଦ୍ଦିଷ୍ଟ ଜାତିର ପ୍ରତିନିଧିତ୍ୱ କରୁଥିବା ବେଳେ ଆଉ କିଛି ସେହି ଭଳି ଦଳଙ୍କ ସହ ମେଣ୍ଟ କରି ନିଜ ଭୋଟ ଭାଗକୁ ବଢ଼ାଇବା ଚେଷ୍ଟାରେ ଥାଆନ୍ତି।

ଏପରିକି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କେଉଁ ଜାତିର ଓ ମନ୍ତ୍ରୀମଣ୍ଡଳରେ ଓବିସିରୁ କେତେ ଜଣଙ୍କୁ ସ୍ଥାନ ମିଳିଲା ଆଦିକୁ ବିଜ୍ଞପିତ କରିବାକୁ ବି କୁଣ୍ଠାବୋଧ କରନ୍ତି ନାହିଁ। ସେହିପରି ଓଡ଼ିଶାରେ ଶାସକ ଦଳ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗରୁ ୨୭ ପ୍ରତିଶତ ପ୍ରାର୍ଥୀ ଦେବାକୁ ଘୋଷଣା କରିବା ସେହି ରାଜନୀତିର ଅନ୍ୟ ଏକ ପ୍ରତିରୂପ ମାତ୍ର। “୨୭ ପ୍ରତିଶତ କାହିଁକି ୫୨ ପ୍ରତିଶତ କାହିଁକି ନୁହେଁ” ପ୍ରଶ୍ନର ହୁଏତ ସନ୍ତୋଷଜନକ ଉତ୍ତର ମିଳି ନ ପାରେ। କାରଣ ଜାତିଭିତ୍ତିକ ଜନଗଣନା ନ ହେବା ଯାଏଁ ରାଜନୈତିକ ଦଳଗୁଡ଼ିକ ଓବିସିଙ୍କ ପାଇଁ ଏମିତି ମନ ଇଚ୍ଛା ଆରକ୍ଷଣ ଘୋଷଣା କରି ସେମାନଙ୍କ ହିତୈଷୀ ଭଳି ଅଭିନୟ କରୁଥିବେ। ଦେଶରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଆରକ୍ଷଣ ଯଥାକ୍ରମେ ୧୫ ଓ ୭.୫ ପ୍ରତିଶତ ହେବାର ଯୌକ୍ତିକତା ହେଉଛି ଜନସଂଖ୍ୟାରେ ମଧ୍ୟ ସେମାନଙ୍କ ପ୍ରତିଶତ ଅନୁରୂପ ଅଟେ। କୌଣସି ବିଧିବଦ୍ଧ ତଥ୍ୟ ଅଭାବରେ ଆରକ୍ଷଣକୁ ୫୦ ପ୍ରତିଶତରୁ ଅଧିକ କରିବାକୁ ହେଉଥିବା ବିଭିନ୍ନ ପ୍ରୟାସକୁ ସୁପ୍ରିମକୋର୍ଟ ବାରମ୍ୱାର ନିରସ୍ତ କରି ଆସିଛନ୍ତି। ସେଥିପାଇଁ ଜାତିଭିତ୍ତିକ ଜନଗଣନା ଅପରିହାର୍ଯ୍ୟ ଅଟେ। ଓବିସିଙ୍କ ପାଇଁ ଆରକ୍ଷଣ ଏକ ବାସ୍ତବତା ବୋଲି ସବୁ ରାଜନୈତିକ ଦଳ ଗ୍ରହଣ କରି ସାରିଥିବାରୁ ସେହି ଆରକ୍ଷଣକୁ ବିଜ୍ଞାନସମ୍ମତ ଭାବେ କରିବାକୁ ହେଲେ ଜାତିଭିତ୍ତିକ ଜନଗଣନା ନିତାନ୍ତ ଆବଶ୍ୟକ। ତା’ଛଡ଼ା ବିଭିନ୍ନ ଜାତିର ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସ୍ପଷ୍ଟ ହେଲେ ଉଚିତ ନୀତି ପ୍ରଣୟନ ପୂର୍ବକ ସରକାରଙ୍କ ପକ୍ଷରେ ସାମାଜିକ ଅସମାନତାକୁ ଦୂର କରିବା ପାଇଁ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିବା ସହଜ ହେବ।

ମୋ: ୯୪୩୭୦୩୮୦୧୫
www.SaralJatil.com

ସମ୍ବନ୍ଧିତ ଖବର