ନିକଟରେ ସମାପ୍ତ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ପଦକ ବିଜେତାମାନଙ୍କୁ ନିଜ ଦେଶରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଉଛି ଓ ମୋଟା ରାଶିର ଅର୍ଥ ପୁରସ୍କାର ଦିଆଯାଉଛି। ସେମିତି ବାଣିଜ୍ୟ ସଂସ୍ଥାମାନେ ମଧ୍ୟ ନୂଆ ନୂଆ ଉପାୟରେ ସଫଳ ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରିବାରେ ଲାଗିଛନ୍ତି। କିଏ ସେମାନଙ୍କୁ ମାଗଣା ବିମାନ ଯାତ୍ରା ସେବା ପ୍ରଦାନ କଲାଣି ତ, ପୁଣି ଆଉ କିଏ ଆଜୀବନ ମାଗଣାରେ ସୁସ୍ୱାଦୁ ଖାଦ୍ୟ ପରଶିବାର ପ୍ରତିଶ୍ରୁତି ଦେଲାଣି।
ପୁରସ୍କୃତ କରିବାର ଏହି ଅଭିନବ ଶୈଳୀଗୁଡ଼ିକ ଭିତରୁ କିନ୍ତୁ ଅଧିକ ଆଖିଦୃଶିଆ ହୋଇଛି ଇଣ୍ଡୋନେସିୟ ସରକାରଙ୍କ ବ୍ୟବସ୍ଥା। ଇଣ୍ଡୋନେସିଆ ଦେଶର ଖେଳାଳିମାନଙ୍କର ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ବିଭାଗରେ ପ୍ରଦର୍ଶନ ଅସାଧାରଣ। ଏହି ବିଭାଗରେ କେବଳ ଗୋଟିଏ ଥରକୁ ଛାଡ଼ି ସବୁ ବେଳେ ଇଣ୍ଡୋନେସିଆ ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତି ଆସିଛି। ତେଣୁ ଏଥରର ସ୍ୱର୍ଣ୍ଣ ପଦକ ହାସଲ ପରେ ବିଜେତା ଖେଳାଳିମାନଙ୍କୁ ସରକାର ବିଭିନ୍ନ ପୁରସ୍କାରରେ ପୋତି ପକାଇଛନ୍ତି। ହେଲେ ପାରିତୋଷିକ ସାମଗ୍ରୀଗୁଡ଼ିକ ଭିତରେ ରହିଛି ଉଭୟ ସ୍ୱର୍ଣ୍ଣ ବିଜୟିନୀଙ୍କ ପାଇଁ ପାଞ୍ଚଟି ଲେଖାଏଁ ଗାଈ। ଅବଶ୍ୟ ଏହି ପଶୁ ସମ୍ପଦକୁ ପଦକ ବିଜୟିନୀମାନଙ୍କୁ ଦୁଗ୍ଧ ବ୍ୟବସାୟରେ ଲଗାଇବା ପାଇଁ କି ଆଉ କେଉଁ ଉପାୟରେ ଉପଯୋଗ କରିବା ପାଇଁ ଦିଆଯାଇଛି, ତାହା ଜାଣିବାର ଅବକାଶ ନାହିଁ, କିନ୍ତୁ ଏହା ଦ୍ବାରା ପଶୁ-ପୁରସ୍କାର ସମ୍ପର୍କିତ ଆମ ଦେଶରେ ପ୍ରଚଳିତ କିଛି ଅନୁରୂପ ପ୍ରଥା ମନେ ପଡ଼ିଗଲା।
କିଛି ବର୍ଷ ତଳେ ରାଉରକେଲାର ଏକ ମୁଖ୍ୟ ରାସ୍ତା ପାର୍ଶ୍ୱସ୍ଥ ପାଚେରିରେ ଲଗାଯାଇଥିବା ଗୋଟିଏ ପ୍ରାଚୀର ପତ୍ର ମୋର ଧ୍ୟାନ ଆକର୍ଷଣ କରିଥିଲା। ପାଖକୁ ଯାଇ ଘୋଷଣାଟିକୁ ଆମୂଳଚୂଳ ପଢ଼ିଗଲି ଓ ଜାଣିବାକୁ ପାଇଲି ଯେ ତାହା ଥିଲା ନିକଟରେ ସହର ଉପକଣ୍ଠରେ ଅନୁଷ୍ଠିତ ହେବାକୁ ଥିବା ଫୁଟ୍ବଲ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆଗ୍ରହୀ ଦଳମାନଙ୍କୁ ଆମନ୍ତ୍ରଣ। ହେଲେ ବିଜ୍ଞାପନଟିରେ ଯାହା ଅଧିକ ଆକର୍ଷଣୀୟ ଥିଲା, ତାହା ହେଉଛି ବିଜେତାମାନଙ୍କୁ ପ୍ରଲୋଭିତ କରିବା ପାଇଁ ପ୍ରସ୍ତାବିତ ପୁରସ୍କାର ଗୁଡ଼ିକର ବର୍ଣ୍ଣନା ଓ ଚିତ୍ର। ପ୍ରଥମ ବିଜେତାଙ୍କ ପାଇଁ ‘ବଡ଼ ଖାସି’ ଓ ରନର୍ସ ଅପ୍ଙ୍କ ପାଇଁ ‘ମଝିଆରୀ ଖାସି’ ସାଙ୍ଗକୁ ତୃତୀୟରୁ ଷଷ୍ଠ ସ୍ଥାନ ଅଧିକାରୀମାନଙ୍କ ପାଇଁ ‘ଛୋଟ ଖାସି’ର ପୁରସ୍କାରର ଘୋଷଣା କରାଯାଇଥିଲା। ଅବଶ୍ୟ ଏହି କିସମ କିସମର ଖାସି ପୁରସ୍କାର ସହିତ ଟୁର୍ନାମେଣ୍ଟରେ ପ୍ରଥମେ ନାମାଙ୍କିତ କରିଥିବା ଦଳ ପାଇଁ ମଧ୍ୟ ଥିଲା ଏକ ରୋଚକ ପ୍ରୋତ୍ସାହନ: ସାଢ଼େ ତିନି କିଲୋ ଓଜନର ଏକ ବ୍ରଏଲର କୁକୁଡ଼ା। ଗୋଟିଏ ହୃଷ୍ଟପୁଷ୍ଟ କୁକୁଡ଼ାର ଚିତ୍ର ସହିତ ବଡ଼, ମଝିଆରୀ ଓ ଛୋଟ ଛାଗଳଙ୍କର ଚିତ୍ର ପୋଷ୍ଟରଟିର ଶୋଭା ବର୍ଦ୍ଧନ କରୁଥିଲା।
ପୁରସ୍କାରଗୁଡ଼ିକ ବିଷୟରେ ପଢ଼ି ପ୍ରଥମେ ଭାବିଥିଲି ବୋଧହୁଏ ଏହି ପ୍ରତିଯୋଗିତାର ଆୟୋଜକମାନେ ମାଂସ ବେପାରୀ ହୋଇଥିବେ। ହେଲେ ପରେ ଜାଣିବାକୁ ପାଇଲି ଯେ ‘ଖାସି ଟୁର୍ନାମେଣ୍ଟ’ ନାମରେ ସୁବିଦିତ ଏମିତି ପ୍ରତିଯୋଗିତା ସୁନ୍ଦରଗଡ଼ ଏବଂ ପଡ଼ୋଶୀ ଜିଲ୍ଲା ଓ ପ୍ରଦେଶ ଗୁଡ଼ିକରେ ଅତି ସାଧାରଣ ଘଟନା। ବିଜୟୀପାଇଁ ଭୁରିଭୋଜନର ବ୍ୟବସ୍ଥାଠାରୁ ଅଧିକ ପରିପାଟୀ ଆଉ କ’ଣ ବା ହୋଇପାରେ? ପ୍ରତିଯୋଗିତା ବିଜୟ ପାଇଁ ନିୟୋଜିତ ଶାରୀରିକ ପରିଶ୍ରମର କ୍ଳାନ୍ତିକୁ ପୁଷ୍ଟିକର ଖାଦ୍ୟ ମାଧ୍ୟମରେ ଉପଶମ କରିବାର ଉଦ୍ୟମ ବେଶ ଯୁକ୍ତିଯୁକ୍ତ ଲାଗିଲା। ତା ଛଡ଼ା ବିଜୟ ହେବା କ୍ଷଣି ବିନା ବିଳମ୍ବରେ ଏକ ଉତ୍ସବ ପାଳନ ଲାଗି ଏହା ଠାରୁ ବଡ଼ ବ୍ୟବସ୍ଥା ଆଉ କ’ଣ ହୋଇପାରେ!
ଏଠି କହିବାର କଥା ଏହି ଯେ ଯୁଗ ଯୁଗ ଧରି ପଶୁ ପକ୍ଷୀ ମାନେ ଖେଳ ପଡ଼ିଆର ବିଜୟ ସହିତ ସଂଶ୍ଳିଷ୍ଟ। ଆମ ପ୍ରଦେଶର ଅନେକ ଜିଲ୍ଲାରେ କୁକୁଡ଼ା ଲଢ଼େଇ ଏକ ଜନପ୍ରିୟ ପ୍ରତିଯୋଗିତା ଓ ସାମାଜିକ ଉତ୍ସବ। ଅବଶ୍ୟ ଏହି ଖେଳରେ ବିଜୟୀ ପ୍ରତିଯୋଗୀ ଯେଉଁ ପୁରସ୍କାରଟିକୁ ସଗର୍ବେ ଧରି ଘରକୁ ଫେରେ, ତାହା ତାର ଲଢୁଆ ଗଞ୍ଜା ଦ୍ୱାରା ହତ ବା ଆହତ ପ୍ରତିପକ୍ଷ ପକ୍ଷୀଟିଏ। ଏହି ନିରୀହ ପକ୍ଷୀମାନଙ୍କ ମଧ୍ୟରେ କୃତ୍ରିମ ସଂଘର୍ଷ ଭିଆଇ ରକ୍ତ ରଂଜିତ ପଡ଼ିଆ ଚାରିପାଖରେ ଚିତ୍କାର ଓ ନାଚ କୁଦ ମାଧ୍ୟମରେ ମଣିଷ ତାର ଭିତରର ଉତ୍ତେଜନାକୁ ପ୍ରଶମିତ କରେ। ବନ୍ୟ ଜନ୍ତୁ ଶିକାର ମଧ୍ୟ ଏକ ପ୍ରକାର ଖେଳ ଯେଉଁଠି ଗୁଳି ବା ଶରବିଦ୍ଧ ପଶୁ ହୋଇଥାଏ ବିଜୟର ପ୍ରମାଣ, ଯାହାର ଶିଙ୍ଗ, ଦାନ୍ତ ଅବା ଚର୍ମ ଆଦି ହୁଏ ବିଜୟ ସ୍ମାରକୀ। ବିଭିନ୍ନ ସରକାରୀ କଟକଣା ସତ୍ତ୍ୱେ ଏ ମୃଗୟା ଆଜିକାଲି ମଧ୍ୟ ଚାଲିଛି ଓ ଶିକାରୀମାନେ ଅତି ଗୋପନରେ ପୁରସ୍କାର ଲାଭ ଉପଭୋଗ କରିଚାଲିଛନ୍ତି।
ପଶୁ ବିଜୟର ଏହି ପରମ୍ପରା ଅତି ପୁରାତନ। ପୁରାତନ ରୋମ ସାମ୍ରାଜ୍ୟରେ ଆବଦ୍ଧ କ୍ରୀଡ଼ାଙ୍ଗନ ଭିତରେ ମଣିଷ ଓ ସିଂହର ସଂଘର୍ଷ ଥିଲା ଏକ ଅତ୍ୟନ୍ତ ଉପଭୋଗ୍ୟ କାର୍ଯ୍ୟକ୍ରମ। ରୋମର ଅଭିଜାତ ବର୍ଗର ସମ୍ମାନନୀୟ ନାଗରିକମାନେ ମହା ଉତ୍ସାହର ସହିତ ଏହି ଜୀବନ ମୃତ୍ୟୁର ଖେଳ ଉପଭୋଗ କରୁଥିଲେ। ଯଦି କଦବା ମାନବ ଯୋଦ୍ଧା ଜଣକ ହିଂସ୍ର ପଶୁଟିକୁ ହତ୍ୟା ବା ଘାଇଲା କରି ପାରୁଥିଲା, ତା ହେଲେ ତାକୁ ଏକ ଅମୂଲ୍ୟ ପୁରସ୍କାର ଆପଣା ଛାଏଁ ମିଳିଯାଉଥିଲା- ଯାହା ଥିଲା ତା’ର ଜୀବନ।
କସ୍ମୋପୋଲିସ୍ ଆପାର୍ଟମେଣ୍ଟ, ଭୁବନେଶ୍ବର
ମୋବାଇଲ: ୯୪୩୭୦୮୯୬୫୫