ଭଗବାନ୍ ରାମଚନ୍ଦ୍ର ସୀତା ଓ ଲକ୍ଷ୍ମଣଙ୍କ ସହ ବନବାସରେ ଯାଇଥିବା ବେଳେ ଶୋଷ ହେବାରୁ ଏକଦା ଗୌତମ ଋଷିଙ୍କ ଆଶ୍ରମରେ ପହଞ୍ଚିଲେ। ତାଙ୍କ ଶିଷ୍ୟମାନେ ପାଣି ନ ଦେଇ ତର୍କ କରିବା ଆରମ୍ଭ କରିଦେଲେ। ‘ଆପଣ କିଏ? ଯଦି ଆପଣ ରାଜପୁତ୍ର ଏ ଜଙ୍ଗଲରେ କ’ଣ କରୁଛନ୍ତି? ପିତୃସତ୍ୟ ପାଳନ ଲାଗି ଯଦି ବନବାସ କରିବାର ଥିଲା, ତା’ହେଲେ ଅଯୋଧ୍ୟାରେ କ’ଣ ବନ ନାହିଁ? ବନ ହେଲା ଦୁଇ ପ୍ରକାର- ବ୍ୟଷ୍ଟି ବନ ଓ ସମଷ୍ଟି ବନ। ବ୍ୟଷ୍ଟି ବନ ମାନେ ଗୋଟିଏ ଗଛ। ଗୋଟିଏ ଗଛ ତ ନିଶ୍ଚୟ ଅଯୋଧ୍ୟାରେ ଥିବ। ସେଇ ଗଛମୂଳେ କୁଡ଼ିଆ କରି ରହି ଯାଇଥିଲେ କ’ଣ ହୋଇ ନ ଥା’ନ୍ତା?’ ଇତ୍ୟାଦି। ଶ୍ରୀରାମ ସେମାନଙ୍କ କଥାର କିଛି ଉତ୍ତର ଦେଇପାରିଲେ ନାହିଁ। ଶେଷକୁ ରାଗି ଯାଇ ଅଭିଶାପ ଦେଲେ: ‘ଯୋଽଧୀତେ ଗୌତମୀଂ ବିଦ୍ୟାଂ ଶାର୍ଗାଳୀଂ ଯୋନିମାପ୍ନୁତେ।’ ଅର୍ଥାତ୍ ମୁଁ ଅଭିଶାପ ଦେଉଛି, ଯିଏ ଗୌତମଙ୍କ ତର୍କଶାସ୍ତ୍ର ବା ନ୍ୟାୟଦର୍ଶନ ଅଧ୍ୟୟନ କରିବ, ସେ ଶୃଗାଳୀ ଯୋନିରେ ଜନ୍ମଗ୍ରହଣ କରିବ।

Advertisment

ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଆଉ ଜଣେ ତର୍କ ଚୂଡ଼ାମଣି ଥିଲେ, ତାଙ୍କୁ ଚାର୍ବାକ୍ ନାମରେ ସମସ୍ତେ ଜାଣନ୍ତି। ସେ ଈଶ୍ବର କି ପୁନର୍ଜନ୍ମରେ ବିଶ୍ବାସ କରୁ ନ ଥିଲେ। ଖାଇପିଇ ମସ୍ତି କରି ଜୀବନକୁ ଉପଭୋଗ କରିବାକୁ ପରାମର୍ଶ ଦେଉଥିଲେ। ସେ କହୁଥିଲେ: ‘ଯାବତ୍ ଜୀବେତ୍ ସୁଖଂ ଜୀବେତ୍, ଋଣଂ କୃତ୍ବା ଘୃତଂ ପିବେତ୍। ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାଗମନଂ କୁତଃ।।’ ସେ ସର୍ତ୍ତ ରଖିଥିଲେ ଯେ ତାଙ୍କ ସହ ତର୍କରେ ଯିଏ ହାରିବ, ତାଙ୍କୁ ନିଜର ଈଶ୍ବରବିଶ୍ବାସ ଛାଡ଼ିବାକୁ ପଡ଼ିବ, ନତୁବା ଅଗ୍ନି ସମାଧି ନେବାକୁ ହେବ। ଜଣେ ବଡ଼ ପଣ୍ଡିତ ତାଙ୍କ ସହ ତର୍କ କରି ହାରିବା ପରେ ଅଗ୍ନିସମାଧି ନେଲେ। ସେଇ ପଣ୍ଡିତଙ୍କ ପୁଅ ବିଦ୍ୟା ଶିକ୍ଷା ସରିବା ପରେ ମାଆଙ୍କଠାରୁ ଆଶୀର୍ବାଦ ନେଇ ବାହାରିଲେ ଚାର୍ବାକ୍‌ ଋଷିଙ୍କ ପାଖକୁ। ତାଙ୍କୁ ତିନିଟି ପ୍ରଶ୍ନ ପଚାରିଲେ: ଆପଣ ଅମୁକ ଲୋକ (ନିଜେ)କୁ ଜାଣିଛନ୍ତି? ଚାର୍ବାକ୍ ଉତ୍ତର ଦେଲେ, ନା। ଆପଣ ଅମୁକ ଲୋକ (ନିଜ ବାପା)କୁ ଜାଣିଛନ୍ତି? ଚାର୍ବାକ୍ ଉତ୍ତର ଦେଲେ, ନା। ଆପଣ ଅମୁକ ଗାଁ (ନିଜ ଗାଁ) କେଉଁଠି ଜାଣିଛନ୍ତି? ଚାର୍ବାକ୍ ଉତ୍ତର ଦେଲେ, ନା।

ତା’ପରେ ପଣ୍ଡିତଙ୍କ ପୁଅ କହିଲେ, ଆରେ ମୂର୍ଖ। ଆପଣ ଜାଣିନାହାନ୍ତି ବୋଲି ଉକ୍ତ ଦୁଇଜଣ ବ୍ୟକ୍ତି ଓ ଗାଁ କ’ଣ ଏ ଧରାରେ ନାହିଁ? ସେ ପ୍ରଥମ ବ୍ୟକ୍ତି ମୁଁ ନିଜେ, ଦ୍ବିତୀୟ ମୋ ବାପା ଏବଂ ଉକ୍ତ ଗାଁ ହେଉଛି ମୋ ନିଜ ଗାଁ। ତେଣୁ ଆପଣ ଜାଣିନାହାନ୍ତି ବୋଲି ଈଶ୍ବର ନାହାନ୍ତି, ପରଲୋକ ନାହିଁ, ଇଏ କି ପ୍ରକାର କଥା? ବୈଦିକ ଯୁଗରୁ ବହୁ ମୁନିଋଷି ଓ ସାଧକଙ୍କର ଈଶ୍ବର-ସାକ୍ଷାତ୍‌କାର ହୋଇଛି। ବହୁ ଜାତିସ୍ମର ପିଲା ପୂର୍ବଜନ୍ମର କଥା କହିବାର ଶୁଣାଯାଏ। ଆପଣ ତାକୁ ବିଶ୍ବାସ କରନ୍ତୁ ବା ନ କରନ୍ତୁ, କିନ୍ତୁ ଏସବୁ ନାହିଁ ବୋଲି ଆପଣ କହିପାରିବେ ନାହିଁ। ଏଇ ବାଳକ ପାଖରେ ଚାର୍ବାକ୍ ଋଷିଙ୍କ ପରାଜୟ ହେଲା। ଅବଶ୍ୟ ବାଳକର ଦୟାରୁ ତାଙ୍କୁ ଅଗ୍ନିସମାଧି ନେବାକୁ ପଡ଼ିଲା ନାହିଁ, କିନ୍ତୁ ନାସ୍ତିକତାବାଦର ପରାଜୟ ଘଟିଲା।

ଆଦିଶଙ୍କରାଚାର୍ଯ୍ୟ ତର୍କରେ ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ପରାସ୍ତ କରି ହିନ୍ଦୁ ଧର୍ମର ପୁନଃପ୍ରତିଷ୍ଠା କରିଥିଲେ। ଏହି କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରିବା ପାଇଁ ସେ ଖୋଜିଲେ ଜଣେ ଯୋଗ୍ୟ ବ୍ୟକ୍ତି। ଖବର ନେଇ ବୁଝିଲେ ପଣ୍ଡିତ ମଣ୍ଡନ ମିଶ୍ରଙ୍କ ଠାରୁ ଯୋଗ୍ୟ ବ୍ୟକ୍ତି ଆଉ ମିଳିବେ ନାହିଁ। ତେଣୁ ସେ ଚାଲିଲେ ଶୋଣନଦ ତଟସ୍ଥ ମହିଷ୍ମତୀ ନଗରୀକୁ। ବାଟରେ ଦେଖିଲେ ମଣ୍ଡନ ମିଶ୍ରଙ୍କ ଦାସୀମାନେ ସଂସ୍କୃତରେ କଥା ହୋଇ ନଦୀକୁ ପାଣି ଆଣିବାକୁ ଯାଉଛନ୍ତି। ତାଙ୍କୁ ମଣ୍ଡନ ପଣ୍ଡିତଙ୍କ ଘର କେଉଁଠି ବୋଲି ପଚାରିଲେ। ଜଣେ ଦାସୀ ଉତ୍ତର ଦେଲା: ‘ସ୍ବତଃ ପ୍ରମାଣଂ ପରତଃ ପ୍ରମାଣଂ କୀରାଙ୍ଗନା ଯତ୍ର ଗିରଂ ଗିରନ୍ତି। ଦ୍ବାରସ୍ଥନୀଡ଼ାନ୍ତରସନ୍ନିରୁଦ୍ଧା ଜାନୀହି ତନ୍ମଣ୍ଡନପଣ୍ଡିତୌକଃ।।’ ଅର୍ଥାତ୍ ଯେଉଁ ଗୃହର ଦ୍ବାର ଦେଶରେ ପିଞ୍ଜରାରେ ଥିବା ସାରୀମାନେ ବେଦ ସ୍ବତଃ ପ୍ରମାଣ କି ପରତଃ ପ୍ରମାଣ ବା କର୍ମର ଶୁଭାଶୁଭ ଫଳ କର୍ମ ଦିଏ ନା ଈଶ୍ବର ଦିଅନ୍ତି ବା ଜଗତ୍ ଧ୍ରୁବ ନା ଅଧ୍ରୁବ- ଇତ୍ୟାଦି କଥା ଉପରେ ବିମର୍ଶ କରୁଥିବେ, ତାହା ହେଉଛି ମଣ୍ଡନ ପଣ୍ଡିତଙ୍କ ଘର।

ପଣ୍ଡିତେ କବାଟ ଦେଇ ଭିତରେ ଶ୍ରାଦ୍ଧ କରୁଥା’ନ୍ତି। ଆଚାର୍ଯ୍ୟ ଯୋଗ ବଳରେ ସିଧା ଆକାଶ ମାର୍ଗରୁ ଭିତରେ ପ୍ରବେଶ କଲେ। ଦ୍ବାର ବନ୍ଦ ଥିବା ସତ୍ତ୍ବେ ଜଣେ ସନ୍ନ୍ୟାସୀ ଭିତରକୁ ଆସିବା ଦେଖି ପଣ୍ଡିତେ ପଚାରିଲେ: କୁତୋ ମୁଣ୍ଡୀ? ଅର୍ଥାତ୍ ହେ ମୁଣ୍ଡୀ (ଅନାଦର ଅର୍ଥରେ ସନ୍ନ୍ୟାସୀ) କୋଉଠୁ ଆସିଲ? କିନ୍ତୁ ଏହାର ଦ୍ବିତୀୟ ଅର୍ଥ ହେଲା, କେଉଁଠୁ ମୁଣ୍ଡନ ହେଇଛ? ଶଙ୍କରାଚାର୍ଯ୍ୟ ଦ୍ବିତୀୟ ଅର୍ଥକୁ ଧରି ଉତ୍ତର ଦେଲେ, ଆଗଳାତ୍ ମୁଣ୍ଡୀ। ମୁଁ ଗଳାଠାରୁ ମୁଣ୍ଡନ ହୋଇଛି। ଏହା ପରେ କିଛି ବାର୍ତ୍ତା ବିନିମୟ ଉତ୍ତାରେ ଶଙ୍କର ତାଙ୍କ ଆସିବାର ଉଦ୍ଦେଶ୍ୟ ଜଣାଇଲେ। ସ୍ଥିର ହେଲା ଯେ ତର୍କ ସଭା ହେବ; ଯିଏ ହାରିବ, ସେ ଅପରର ଶିଷ୍ୟତ୍ବ ଗ୍ରହଣ କରିବ। ତର୍କ ସଭାର ବିଚାରକ ରହିଲେ ମଣ୍ଡନ ମିଶ୍ରଙ୍କ ବିଦୂଷୀ ସ୍ତ୍ରୀ ଉଭୟଭାରତୀ (ଶାରଦା)। ସତର ଦିନ ଧରି ତର୍କ ଚାଲିଲା ପରେ ମଣ୍ଡନ ମିଶ୍ର ହାର ସ୍ବୀକାର କଲେ। କିନ୍ତୁ ତାଙ୍କ ସ୍ତ୍ରୀ କହିଲେ, ମୁଁ ଅର୍ଦ୍ଧାଙ୍ଗିନୀ, ମୁଁ ନ ହାରିଲେ ପରାଜୟ ସମ୍ପୂର୍ଣ୍ଣ ହେବ ନାହିଁ। ସୁତରାଂ, ଢେର୍ ସମୟ ପର୍ଯ୍ୟନ୍ତ ବିଦୂଷୀ ଭାରତୀ ତର୍କ ଜାରି ରଖିଲେ। ଯେତେବେଳେ ଦେଖିଲେ ଆଉ ପାରିବେ ନାହିଁ, ସେତେବେଳେ ବାତ୍ସାୟନଙ୍କ କାମସୂତ୍ରରୁ ପ୍ରଶ୍ନ ପଚାରିଲେ ଯେଉଁ ବିଷୟରେ ଆଚାର୍ଯ୍ୟ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିଲେ। ସେଇଠୁ ଆଚାର୍ଯ୍ୟ ମାସେ ସମୟ ନେଇ ପର କାୟା ପ୍ରବେଶ ମାଧ୍ୟମରେ କାମ ସୂତ୍ର ସମ୍ବନ୍ଧରେ ଜାଣି ଭାରତୀଙ୍କୁ ତର୍କରେ ପରାସ୍ତ କଲେ ଏବଂ ମଣ୍ଡନ ମିଶ୍ରଙ୍କୁ ଶିଷ୍ୟ ଭାବରେ ଗ୍ରହଣ କଲେ।

ତେବେ ଏକ ମହତ୍ କାର୍ଯ୍ୟ ସାଧନ ପାଇଁ ଆଚାର୍ଯ୍ୟ ତର୍କର ସାହାଯ୍ୟ ନେଇଥିଲେ। କିନ୍ତୁ ଅଯଥା ତର୍କ(ଈଶ୍ବରଙ୍କ ଅସ୍ତିତ୍ବ ଆଦି ସଂଦର୍ଭରେ)କୁ ନିନ୍ଦା କରାଯାଇଛି। ମହାଭାରତରେ ଯୁଧିଷ୍ଠିର କହିଛନ୍ତି: ତର୍କୋଽପ୍ରତିଷ୍ଠଃ। ଅର୍ଥାତ୍ ତର୍କ ଦ୍ବାରା କେବେ ହେଲେ ‌ସତ୍ୟର ପ୍ରତିଷ୍ଠା ସମ୍ଭବ ନୁହେଁ। ଏହି ପରିପ୍ରେକ୍ଷୀରେ ଆମ ଓଡ଼ିଆରେ ଯେଉଁ କଥାଟି ବରାବର କୁହାଯାଇଥାଏ, ତାହା ହେଲା ‘ବିଶ୍ବାସେ ମିଳଇ ହରି, ତର୍କେ ବହୁ ଦୂର।

ମୋ- ୭୦୦୮୯୬୦୫୦୨