ଚେକଭଙ୍କ ଗପକୁ ମନେ ପକାଇ

ହିରଣ୍ୟ ମହାନ୍ତି

ଇତିହାସ କହେ ଯେ ଊନବି˚ଶ ଶତକର ଦ୍ବିତୀୟାର୍ଧ ଠାରୁ ରୁଷିଆର ଜନଜୀବନରେ ଆସିଥିଲା ଗୋଟିଏ ବଡ଼ ଦୁଃସମୟ। ସାମାନ୍ୟ କିଛି ମୁକ୍ତ-ଚିନ୍ତନ ବିପକ୍ଷରେ ପ୍ରଚଣ୍ତ-ପ୍ରତିକ୍ରିୟା ପ୍ରକାଶ କରୁଥିଲା ‘ରାଜ’ ବା ଶାସନତନ୍ତ୍ର। ଉପରିସ୍ଥ କର୍ମକର୍ତ୍ତାମାନେ ଜିଉଥିଲେ ଆଡ଼ମ୍ବରପୂର୍ଣ୍ଣ ଜୀବନ। ସେମାନଙ୍କର ଅହ˚କାର ପାଖରେ ଅଧସ୍ତନମାନେ କ୍ରୀତଦାସସୁଲଭ ପଦଲେହନ କରି ଜୀବନ ବଞ୍ଚି ଚାଲିଥିଲେ। ‘ରାଜ’ ବଜ୍ର-ହସ୍ତରେ ଦମନ କରୁଥିଲା ମୁକ୍ତ ଚିନ୍ତନର ସମସ୍ତ ପରିପ୍ରକାଶକୁ। ରୁକ୍ଷତାର ପାଷାଣ ଚାପ ତଳେ ମାନବିକତା ସୁକୁ ସୁକୁ ନିଃଶ୍ବାସ ମାରି ନାମକୁ ମାତ୍ର ଜିଇ ରହିଥିଲା।

ରୁଷ-ଇତିହାସର ଏହି କାଳଖଣ୍ତରେ ଲେଖନୀ ଧରିଥିଲେ ଆନ୍ତନ ଚେକଭ, ଅଦ୍ବିତୀୟ ସାହିତ୍ୟିକ। ତାଙ୍କର ଗପଟିଏ ଥିଲା ଏହିପରି: ‘ମସ୍କୋ’ର ଗୋଟିଏ ଶୀତାର୍ତ୍ତ ସକାଳ। ଏପରି ସକାଳରେ ଏଠାରେ ମଞ୍ଜଥରା ଶୀତ ହୁଏ। ଆକାଶ ଥିଲା ଘନ କୁହୁଡ଼ିରେ ଆଚ୍ଛାଦିତ। ରାଜପଥ, ଗଳି, ଉପଗଳି; ସବୁ ଶୂନଶାନ। ବଜାରର ଗୋଟିଏ ଗଳି ରାସ୍ତାରେ ବୀର ଦର୍ପରେ ଚାଲୁଥିଲେ ଇନ୍‌ସପେକ୍ଟର ଓଚୁମେଲଭ୍‌। ପିନ୍ଧିଥିଲେ ଗୋଟିଏ ନୂଆ ଓଭରକୋଟ୍‌। ନୂଆ ପୋଷାକ ପିନ୍ଧିଥିଲା ବେଳେ ସାଧାରଣତଃ ମିଜାଜ୍‌ଟା ଥାଏ ଟିକେ ମତାଣିଆ। ସେଥିରେ ଥାଏ ନିଜକୁ ଆବଶ୍ୟକତା ଠାରୁ ଅଧିକ ପ୍ରଦର୍ଶିତ କରିବାର ଲୋଭ। ସାଥିରେ ଥିବା ସିପାହି ଧରିଥାଏ ଗୋଟେ ଝୁଡ଼ି। ଝୁଡ଼ିଟିରେ ଥାଏ ପ୍ରଜାଙ୍କ ଠାରୁ ଅନୁଚିତ ଭାବେ ବାଜ୍ୟାପ୍ତ କରାଯାଇଥିବା ଗୁଜ୍‌ବେରି କୋଳି।

ଏହି ସମୟରେ ଓଚୁୁମେଲଭ୍‌ଙ୍କ କାନରେ ପଡ଼ିଲା କ୍ୟାଉଁ କ୍ୟାଉଁ ଶବ୍ଦ। ହଠାତ୍‌ ତାଙ୍କ ଭିତରୁ ବାହାରି ପଡ଼ିଲା ଏକ ହାକିମିଆ ପୁରୁଷର ହୁଂକାର। ‘ଲକ୍ଷ୍ମୀଛଡ଼ା, କାମୁଡ଼ିବାକୁ ଆସିଛି! ଛାଡ଼ନା, ଛାଡ଼ନା ତାକୁ। ଆଜିକାଲି ବୁଲି କରି କାମୁଡ଼ିବା ଆଇନ ସରକାର ଉଠାଇ ଦେଇଛନ୍ତି। ଧର, ତାକୁ ଧର’।
ରାଜ ପ୍ରଶସ୍ତିର ନମୁନା।

ଗୋଟିଏ କୁକୁର ଛୁଆ, ତିନି ଗୋଡ଼ରେ ଏଣିକି ତେଣିକି ଅନାଇ ଧାଉଁଥିଲା, ତା’ ପଛରେ ଜଣେ ଲୋକ ଗୋଟିଏ କାଠ ଫାଳିଆ ଧରି ଧାଇଁଥିଲା। ଶବ୍ଦ ଶୁଣି ସେଠାକାର ଦୋକାନମାନଙ୍କ ଭିିତରୁ ବାହାରି ଆସିଥିଲା ଅନେକ ନିଦୁଆ ଆଖିର ମୁହଁ। ଜମିଗଲା ଭିଡ଼। ଓଚୁମେଲଭ୍‌ ବୁଲି ପଡ଼ି ପୁଲିସିଆ ବୁଟ୍‌ ପିନ୍ଧା ପାଦରେ ସିଆଡ଼େ ଦୁମ୍‌ ଦୁମ୍‌ କରି ଧାଇଁଲେ। କାଠଗୋଲାର ଫାଟକ ପାଖରେ ଜମିଥିବା ଲୋକଙ୍କୁ ପଚାରିଲେ ପୁଲିସିଆ ସ୍ବରରେ; ‘କି ପାଲା ଲଗାଇଛ ଏଠି? ଆଉ ତୁ କାହିଁକି ଆଙ୍ଗୁଠିଟାକୁ ସେମିତି ଟେକିଛୁ ବେ? କିଏ ଚିଲାଉଥିଲା ଏମିତି? ଏହିପରି ପ୍ରଶ୍ନ ଉପରେ ପ୍ରଶ୍ନ କରିଚାଲିଲେ ସେ। ସେ ସମୟର ରୁଷିଆ‌ରେ ବାବୁଙ୍କ ସହ କଥା କହିଲା ବେଳେ ସାଧାରଣ ପ୍ରଜାଟିଏ ମୁହଁ ଉପ‌ରେ ହାତ ଦେଇ ତାକୁ ଘୋଡ଼ାଇ ରଖୁଥିଲା। ସେହି ଶୈଳୀ‌େର ଖ୍ରୀଉକିନ୍‌ କହିଥିଲା, ‘ହଜୁର ମୁଁ କାହାର କିଛି କ୍ଷତି ନ କରି ଜାଳେଣି କାଠ ପାଇଁ ଯାଉଥିଲି। ଆପଣ ଜାଣନ୍ତି, ଆମେ ଖଟିଖିଆ ଲୋକ। ଆମ ବେଉସାଟା ସହଜ ନୁହେଁ। ବିନା କାରଣରେ ଏଟା ମୋତେ କାମୁଡ଼ି ଦେଲା। ଏ କାମୁଡ଼ା ଜନ୍ତୁ, ଜାନୁଆରଙ୍କୁ ଆମେ କେତେ ବରଦାସ୍ତ କରିବୁ ହଜୁର? ଏଇଠି ମିତ୍ରି ଓ ମିତ୍ରିଚ (ଦୁଇଜଣଙ୍କ ନାମ) ଅଛନ୍ତି। ସବୁ ଦେଖିଛନ୍ତି’। ସ୍ବରକୁ ଟିକେ ଅଧିକ ପ୍ରଭୁତାରେ ତୀକ୍ଷ୍‌ଣ କରିବା ପାଇଁ, ଗଳା ଖଙ୍କାରି, ଭୁରୁ କୁଞ୍ଚାଇ ଓଚୁୁମେଲଭ୍‌ ଜୋରରେ ପଚାରିଲେ, ‘ଆଚ୍ଛା, ଏ କୁକୁର ଛୁଆଟି କାହାର? ଶଳାକୁ ଛଡ଼ା ଯିବ ନାହିଁ। କୁକୁର ଛାଡ଼ିବା ମଜା ତାକୁ ଚଖାଇ ଦିଆଯିବ। ଶଳା ଉପରେ ଏମିତି ଜରିମାନା ଲଗାଇଦେବି ଯେ କୁକୁର, ଗାଈଗୋରୁ ଛାଡ଼ିବା ମଜା କ’ଣ ସେ ବୁଝିପାରିବ।’ ସିପାହି ଆଡ଼କୁ ମୁହଁ ବୁଲାଇ କୁକୁର ଛୁଆଟିକୁ ଧରିବା ପାଇଁ ଓଚୁୁମେଲଭ୍‌ ନିର୍ଦ୍ଦେଶ ଦେଲା ବେଳେ ଭିଡ଼ ଭିତରୁ କେହି ଜଣେ କହିବାର ଶୁଣାଗଲା, କୁକୁର ଛୁଆଟି ଜେନେରାଲ ଝିଗାଲେଭଙ୍କ କୁତ୍ତୀର। ‘ଏଁ ଜେନେରାଲ ଝିଗାଲେଭ!’ ସେହି ସକାଳର କାଠୁଆ ଜାଡ଼ରେ ମଧ୍ୟ ଓଚୁୁମେଲଭ୍‌ଙ୍କ ଦେହ ଝାଳେଇ ଗଲା। ପିନ୍ଧିଥିବା ନୂଆ ଓଭରକୋଟ୍‌ଟିକୁ ବାହାର କରି ଦେଇ ସିପାହି ହାତକୁ ଧରାଇଲା ବେଳେ ସମବେତ ଲୋକମାନଙ୍କୁ ଶୁଣାଇଲା ଭଳି କହିଥିଲେ ଯେ ସେହି ସକାଳଟି କୁଆଡ଼େ ଅନ୍ୟ ଦିନ ତୁଳନାରେ ଅପେକ୍ଷାକୃତ ଅଧିକ ଗରମ ଥିଲା। ଏହା ପରେ ଇନ୍‌ସପେକ୍ଟର ତତ୍‌କ୍ଷଣାତ୍‌ ଖ୍ରୀଉକିନ୍‌କୁ ଅନାଇ ରୁକ୍ଷ କଣ୍ଠରେ ପଚାରିଲେ, ‘ଛୁଆ କୁକୁରଟା! ତୋ ପରି ଜଣେ ଷଣ୍ଢିଆ ମର୍ଦ୍ଦର ଆଙ୍ଗୁଠିକୁ କେମିତି କାମୁଡ଼ିଲା?’ ପ୍ରଶ୍ନର ଉତ୍ତର ସେ ଦେବା ପୂର୍ବରୁ ସବୁ କାଳର ଓ ସବୁ ସମାଜର କିଛି ପଛ ପେଲା ଲୋକଙ୍କ ମଧୢରୁ କେହି କେହି କହିଲେ ସେ ତା’ର ସିଗାରେଟ୍‌ ନିଆଁ ତା’ ନାକରେ ଲଗାଇ ଦେଇଥିବ। ବଦମାସି କରିବା ତାହାର କାମ।

ଏହା ପରେ ଓଚୁୁମେଲଭ୍‌ କୁକୁର ଛୁଆଟିକୁ ଚୁ…ଚୁ କରି ଡାକି ଆଉଁସି ଗେଲ କରିବା ବେଳେ କହିଲେ, ‘ଆଉ ଡରନା, ଚଗଲାଟା ରାଗି ଯାଇଛି।’
ଦାସସୁଲଭ ଆଚରଣର ନିଦର୍ଶନ।

ଗଳ୍ପଟିରେ ଅଙ୍କିତ ହୋଇଛି, ତତ୍‌କାଳୀନ ସମାଜ-ଶାସନ ବ୍ୟବସ୍ଥାରେ କର୍ମଚାରୀମାନଙ୍କ ଦ୍ବୈତ ଆଚରଣ ସ˚ପର୍କରେ ଆନ୍ତନ ଚେକଭଙ୍କ ହାସ୍ୟ ଉଦ୍ଦୀପକ କଟାକ୍ଷ। ଏହା ଥିଲା ସେଦିନର ରୁଷୀୟ ଜୀବନର ଜଳଛବି। ଜାର‌୍‌ତନ୍ତ୍ରରୁ ସମାଜବାଦୀ ପ୍ରଜାତନ୍ତ୍ରର ସ୍ବର୍ଣ୍ଣାଭ ସକାଳରେ ପହଞ୍ଚିବା ପାଇଁ ସୂଚୀଭେଦ୍ୟ ଅନ୍ଧକାର ରାତ୍ରିକୁ ଚିରିବାର ଲଢେ଼ଇ ଆରମ୍ଭ ମାତ୍ର ହୋଇଥାଏ ଏହିପରି ଗପମାନଙ୍କ ପ୍ରଭାବରେ। ଇତିହାସ କହେ ଯେ କ୍ରୂର ଜାର୍‌ତନ୍ତ୍ରରୁ ପ୍ରଜାତନ୍ତ୍ର ପାଇବା ପାଇଁ ରାସ୍ତା କାଟିବାର ନକ୍‌ସା ଚେକଭଙ୍କ ଏହିପରି ଗଳ୍ପମାନଙ୍କ ଦ୍ବାରା ଅଙ୍କିତ ହୋଇଥିଲା। ଆଜି ବି ଆନ୍ତନ ଚେକଭ ଅପ୍ରାସଙ୍ଗିକ ହୋଇ ନାହାନ୍ତି। ଆଜି ବି ଚେକଭଙ୍କର ଚରିତ୍ରମାନେ ଆମ ରାଷ୍ଟ୍ର ସମେତ ବିଭିନ୍ନ ରାଷ୍ଟ୍ରର ଶାସନ ଓ ପ୍ରଶାସନର ବ୍ୟବସ୍ଥାରେ ପରିଦୃଷ୍ଟ ହୁଅନ୍ତି। ଅନେକ ଓଚୁୁମେଲଭ୍‌ ଆମ ପ୍ରଶାସନିକ ନିଶୁଣିର ଉପର ଓ ତଳ ଫଳିମାନଙ୍କରେ ଆତଯାତ ହୁଅନ୍ତି। ବ୍ୟବସ୍ଥା ଭିତରେ ଉପର ବାଲାଏ ଅଧସ୍ତନମାନଙ୍କ ଠାରୁ କାର୍ଯ୍ୟ-ଦକ୍ଷତା ଅପେକ୍ଷା ଅଧିକ ଖୋଜନ୍ତି ବିନୀତ ଭାବ ଓ ଦାସସୁଲଭ ବ୍ୟବହାର। ତୋଷାମଦର ଆବ୍ରୁ ତଳେ ସତ୍ୟ ଓ ସ୍ପଷ୍ଟବାଦିତା ମ୍ଳାନ ଓ ନିଷ୍ପ୍ରଭ ହୋଇଯାଏ।

ଆନ୍ତନ ଚେକଭଙ୍କ ପ୍ରୟାଣ ଘଟିଥିଲା ୧୯୦୪ ମସିହାରେ। ଯିବା ପୂର୍ବରୁ ସେ କହିଯାଇଥିଲେ, ‘ଜୀବନର ସର୍ବଶ୍ରେଷ୍ଠ ଲକ୍ଷ୍ୟ ସତ୍ୟକୁ ପ୍ରକାଶ କରିବା। ତା’ ହେଲେ ତମେ କେବେ ବି ପଛରେ ପଡ଼ିବ ନାହିଁ। ମାନବ ଜାତିର ଯାତ୍ରା ପଥରେ ସତ୍ୟ ସଦୈବ ଗୋଟିଏ ପାହୁଣ୍ତ ଆଗରେ ରହିବ। ମନୁଷ୍ୟ ସମାଜ, ସେତିକିବେଳେ ଉନ୍ନତ ହୋଇଛି ବୋଲି ଗର୍ବ କରିବ, ଯେତେବେଳେ ସମାଜ, ସତ୍ୟର ପ୍ରତିନିଧିତ୍ବ କରିବ।’ ଏହି ବକ୍ତବ୍ୟଟି ମଧ୍ୟ ଥିଲା ଆମ ବାପୁଜୀଙ୍କ ଜୀବନର ଚର୍ଯ୍ୟାପଦ। ଆମ୍ଭେମାନେ ଆଜି ସତ୍ୟ ଆଚରଣ କରୁଛନ୍ତି କି? ଏ ପ୍ରଶ୍ନର ନିର୍ଭରଯୋଗ୍ୟ ଉତ୍ତର ରଖିପାରିବ କେବଳ ଆମର ବିବେକ, ସଂବିତ।

ଗଜପୀଠ, ପୁନ୍ଦାଳୋ, ପାଟକୁରା, କେନ୍ଦ୍ରାପଡ଼ା
ମୋ- ୯୭୭୭୨୦୫୬୮୪

ସମ୍ବନ୍ଧିତ ଖବର