ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଜଣାଇଲେ ଯେ ଦେଶର ସର୍ବଶ୍ରେଷ୍ଠ ଖେଳ ପୁରସ୍କାରର ନାମକୁ ‘ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର’ ବଦଳରେ ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର’ ରଖାଗଲା। ଏଭଳି କରିବାକୁ ଅସଂଖ୍ୟ ଦେଶବାସୀ ତାଙ୍କ ନିକଟରେ ଦାବି କରୁଥିବାରୁ ଏଭଳି ନିଷ୍ପତ୍ତି ନିଆଗଲା ବୋଲି ସେ ତାଙ୍କ ଟ୍ୱିଟ୍ରେ କହିଛନ୍ତି। ତେବେ, ଏହା ଏକ ବିବାଦକୁ ମଧ୍ୟ ଜନ୍ମ ଦେଇଛି। ଅନେକ ଏଭଳି ନାମ ପରିବର୍ତ୍ତନକୁ ପ୍ରତିଶୋଧପରାୟଣ ରାଜନୀତିର ଏକ ଅଂଶ ବୋଲି ବିଚାର କରୁଛନ୍ତି। ଯଦିଓ, କଂଗ୍ରେସ ଦଳ ଏ ପ୍ରସଙ୍ଗରେ ନିରବ ରହିଛି, ତେବେ ନରେନ୍ଦ୍ର ମୋଦୀ ବା ବିଜେପିର ଅନ୍ୟ ନେତାମାନଙ୍କ ନାମରେ ନାମିତ ଷ୍ଟାଡିୟମ୍ ବା ଅନୁଷ୍ଠାନର ନାମ ବଦଳାଇବାକୁ ଦଳ ପକ୍ଷରୁ ଦାବି କରାଯାଇଛି।
ଅନେକ ପାଠକପାଠିକା ଅବଗତ ଥିବେ ଯେ ମେଜର ଧ୍ୟାନଚାନ୍ଦଙ୍କ ନାମରେ ଆଉ ଏକ ବଡ଼ ଖେଳ ପୁରସ୍କାର ରହିଛି, ଯାହାକୁ କ୍ରୀଡ଼ା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ। ତା’ର ନାମ ହେଉଛି ‘ମେଜର୍ ଧ୍ୟାନଚାନ୍ଦ୍ ଆୱାର୍ଡ୍ ଫର୍ ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ୍ ଇନ୍ ସ୍ପୋର୍ଟସ୍ ଆଣ୍ଡ ଗେମ୍ସ’। ଏହା ୨୦୦୨ ମସିହାରୁ ଆରମ୍ଭ ହୋଇ ଏବେ ସୁଦ୍ଧା ୭୫ ଜଣଙ୍କୁ ସମ୍ମାନିତ କରି ସାରିଲାଣି। ଏଣେ ଧ୍ୟାନଚାନ୍ଦଙ୍କୁ ‘ଭାରତ ରତ୍ନ’ ଦ୍ବାରା ଭୂଷିତ କରାଯାଉ ବୋଲି ମଧ୍ୟ ପ୍ରବଳ ଦାବି ହେଉଛି ଯାହାକୁ ସରକାର ଏ ଯାଏ ଗ୍ରହଣ କରି ନାହାନ୍ତି। ତେଣୁ ଏହି ନାମ ପରିବର୍ତ୍ତନ ପଛରେ ଧ୍ୟାନଚାନ୍ଦଙ୍କୁ ସମ୍ମାନ ପ୍ରଦର୍ଶନ କରିବା ବଦଳରେ ରାଜନୈତିକ ଅଭିସନ୍ଧି ରହିଛି ବୋଲି ସ୍ବାଭାବିକ ଭାବେ ସନ୍ଦେହ ଜାତ ହୋଇଥାଏ।
ଏବେ ନାମ ବଦଳ ବିଷୟରେ ଏକ ସଂକ୍ଷିପ୍ତ ଆଲୋଚନା କରାଯାଉ। ୧୯୮୨ ମସିହାରେ ଗଠିତ ‘ନାସନାଲ୍ ୱେଲଫେୟାର୍ ଫଣ୍ଡ୍ ଫର୍ ସ୍ପୋର୍ଟସ୍ପର୍ସନ୍’ (ଅସୁବିଧାରେ ଥିବା ପୁରୁଣା ଖ୍ୟାତନାମା ଖେଳାଳିଙ୍କ ସହାୟତା ପାଇଁ) ସହିତ ୨୦୧୭ରେ ମୋଦୀ ସରକାରଙ୍କ ଦ୍ବାରା ହଠାତ୍ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ନାମ ଯୋଡ଼ି ଦିଆଗଲା। ଏହାର କାରଣ ରହସ୍ୟମୟ ଯେହେତୁ ପଣ୍ଡିତ ଦୀନଦୟାଲଙ୍କ କ୍ରୀଡ଼ା କ୍ଷେତ୍ର ପ୍ରତି କୌଣସି ଅବଦାନ ନାହିଁ। ସେମିତି ଗତ ଫେବ୍ରୁଆରି ମାସରେ ଅହମଦାବାଦ ଷ୍ଟାଡିୟମ୍କୁ ସ୍ବୟଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ନାମିତ କରାଗଲା। ସେତିକି ବେଳେ ଏହାର ଔଚିତ୍ୟ ବାବଦରେ ପ୍ରଶ୍ନ ମଧ୍ୟ ଉଠିଲା। ପୁଣି ସେହି ଷ୍ଟାଡିୟମ୍ର ଗୋଟିଏ ପଟକୁ ‘ରିଲାଏନ୍ସ ଏଣ୍ଡ୍’ ଓ ଅନ୍ୟ ପଟକୁ ‘ଅଦାନି ଏଣ୍ଡ୍’ ବୋଲି ରଖାଯିବା ମଧ୍ୟ ଅନେକ ଭ୍ରୂକୁଂଚନର କାରଣ ହୋଇଛି। ପ୍ରକାଶ ଥାଉ କି ଦୁଲ୍ଲୀପ ସିଂହ, ସୟଦ ମୁସ୍ତାକ ଅଲ୍ଲୀ, ନରିମାନ କଣ୍ଟ୍ରାକ୍ଟର, ଭିନୋ ମଙ୍କଡ଼, ୟୁସୁଫ ପଠାନ, ଇରଫାନ ପଠାନ, ପାର୍ଥିବ ପଟେଲଙ୍କ ଭଳି ଅନେକ ପୁରୁଣା ଓ ନୂଆ କ୍ରିକେଟ୍ ଖେଳାଳି ଗୁଜରାଟର ମାଟିରେ ଜନ୍ମ ହୋଇ ଦେଶ ଲାଗି ଯଶ ଆଣିଛନ୍ତି। ସେମାନଙ୍କ ମଧ୍ୟରୁ କୌଣସି ପୁରୁଣା ଖେଳାଳିଙ୍କ ସ୍ମୃତିରେ ଏହାର ନାମକରଣ କରାଯାଇପାରିଥାଆନ୍ତା ବୋଲି ମତ ପ୍ରକାଶ ପାଇଥାଏ।
ତେବେ, କେବଳ ଖେଳ ନୁହେଁ, ଅନେକ ଯୋଜନା ଏବଂ ଅନୁଷ୍ଠାନରେ ମଧ୍ୟ ବିଜେପିର ନେତା ବା ଦଳର ଆଦର୍ଶପୁରୁଷମାନଙ୍କ ନାମ ସରକାରଙ୍କ ପକ୍ଷରୁ ଯୋଡ଼ି ଦିଆଯାଉଛି। ଉଦାହରଣ ସ୍ବରୂପ, ଅଟଳ ପେନସନ ଯୋଜନା, ଶ୍ୟାମାପ୍ରସାଦ ମୁଖାର୍ଜୀ ରୁର୍ବାନ୍ ମିସନ, ସୁଷମା ସ୍ବରାଜ୍ ଫରେନ୍ ସର୍ଭିସ୍ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ (ନେତାଜୀ ସୁଭାଷ ବୋଷଙ୍କ ନାମରେ ହେଉ ବୋଲି ଦାବି ହୋଇଥିଲା), ମନୋହର ପାରିକର ଇନ୍ଷ୍ଟିଚ୍ୟୁଟ୍ ଫର୍ ଡିଫେନ୍ସ ଷ୍ଟଡିଜ୍ ଆଣ୍ଡ୍ ଆନାଲିସିସ୍ (ପ୍ରଥମ ଫିଲଡ୍ ମାର୍ସଲ ସାମ୍ ମାନେକ୍ସାଙ୍କ ନାମରେ ରଖାଯାଉ ବୋଲି ଦାବି ହୋଇଥିଲା) ଇତ୍ୟାଦି। ସେହି ପରି ଭାରତର ପ୍ରଥମ ରେଳ ମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଜନ୍ମ ଲାଭ କରିଥିବା ସ୍ଥାନ ମୁଗଲସରାଇର ରେଳ ଷ୍ଟେସନକୁ ଶାସ୍ତ୍ରୀଙ୍କ ନାମରେ ନାମିତ କରାଯାଉ ବୋଲି ପ୍ରବଳ ଦାବି ହୋଇଥିବା ସତ୍ତ୍ବେ ତାକୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ନାମରେ ରଖାଯାଇଛି। ସେହିଭଳି ଫିରୋଜ ଶାହ କୋଟଲା ଷ୍ଟାଡିୟମ୍ର ନାମକୁ ବଦଳାଇ ଅରୁଣ ଜେଟଲୀଙ୍କ ନାମାନୁସାରେ କରାଯିବା ବଦଳରେ କୌଣସି କିଂବଦନ୍ତୀୟ କ୍ରିକେଟ୍ ଖେଳାଳି ବା ସଂଗଠକଙ୍କ ନାମରେ କରାଯିବା ଉଚିତ ବୋଲି ମତାମତ ପ୍ରକାଶ ପାଇଥାଏ।
କହିବା ବାହୁଲ୍ୟ ଯେ ନାମ ପରିବର୍ତ୍ତନର ଏଭଳି ପ୍ରକ୍ରିୟାର ଶେଷ ପରିଣାମ ହେଲା କେନ୍ଦ୍ରରେ ସରକାର ବଦଳିବା ସହିତ ପୁରୁଣା ରାଜନେତାଙ୍କ ନାମ ବଦଳରେ ନୂଆ ରାଜନେତାଙ୍କ ନାମ ମୁହୁର୍ମୁହୁଃ ବଦଳୁଥିବ ଏବଂ ଏହି ଧାରା ଚିରନ୍ତନ କାଳ ଲାଗି ଚାଲୁଥିବ। ଯଦି ‘ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର’କୁ ମେଜର ଧ୍ୟାନଚାନ୍ଦଙ୍କ ନାମରେ ରଖାଯାଇ ତହିଁରୁ ରାଜନୀତିକୁ ଅପସାରଣ କରାଯାଇଛି ବୋଲି ବିଚାର କରାଯାଉଥାଏ, ତେବେ ଏହା ମଧ୍ୟ ଆଶା କରିବା ଉଚିତ ଯେ ସବୁ ପୁରସ୍କାର, ଯୋଜନା ଓ ଅନୁଷ୍ଠାନରୁ ରାଜନେତାଙ୍କ ନାମ ହଟାଇ ଦିଆଯାଉ। ବରଂ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିଥିବା ବ୍ୟକ୍ତିତ୍ବଙ୍କ ନାମକୁ ସେହି କ୍ରୀଡ଼ା ବା ଯୋଜନା ବା ଅନୁଷ୍ଠାନ ସହିତ ଯୋଡ଼ି ସେମାନଙ୍କୁ ଅମର ରଖିବାର ପ୍ରୟାସ କରାଯାଉ।