ଜଣେ ପ୍ରାଜ୍ଞ, ସୁସଂସ୍କୃତ ଜନନାୟକ

ମହାପାତ୍ର ଅନୁରାଗ ସାହୁ

ଯଶସ୍ବୀ ଜନନାୟକ ଜାନକୀ ବଲ୍ଲଭ ପଟ୍ଟନାୟକ କେବଳ ଜଣେ ପ୍ରଜ୍ଞା ପୁରୁଷ ଓ ପ୍ରବୀଣ ରାଜନେତା ନଥିଲେ, ସେ ଥିଲେ ସଂସ୍କୃତ, ସଂସ୍କୃତି, ସଂସ୍କାର ଓ ସାହିତ୍ୟର ମୁଗ୍‌ଧ ଉପାସକ। ଓଡ଼ିଶାର ମହାନଦୀ କୂଳରୁ ନେଇ ଆସାମର ବ୍ରହ୍ମପୁତ୍ର ତୀର, ରାମେଶ୍ବର ଜନପଥରୁ ନେଇ ତିରୁପତି ଦେବସ୍ଥାନ, ସାଧାରଣ କୁଟୀରରୁ ନେଇ ଭବ୍ୟ ରାଜଭବନ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା ତାଙ୍କର ଚାରଣଭୂମି। ସେଥି ମଧ୍ୟରେ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ ରାଜ୍ୟପାଳ ଆଦି ବହୁ ଉଚ୍ଚ ପଦପଦବି ଓ ଗୁରୁ ଦାୟିତ୍ୱ। ଭାବିଲେ ଆଶ୍ଚର୍ଯ୍ୟ ଲାଗେ। କାରଣ ସେ ବଡ଼ ଘରେ ଜନ୍ମ ହୋଇ ନଥିଲେ କି ତାଙ୍କ ଉପରେ ହାତୀ ସୁନା କଳସ ଢାଳି ଦେଇ ନଥିଲା ରାତାରାତି। ବରଂ ଜୀବନ ତମାମ ପ୍ରତିକୂଳ ପରିସ୍ଥିତି ସହିତ ଲଢ଼ି ସଫଳତାର ଶୀର୍ଷ ଆରୋହଣ କରିଥିବା ଏହି ନିରଳସ ସାଧକ ଥିଲେ ନିଜେ ନିଜର ଉଦାହରଣ। ତେବେ ସଂସ୍କୃତ ନାଟକ ‘ବେଣୀ ସଂହାରମ୍’ରେ ଉଲ୍ଲେଖ ରହିଛି ମହାଭାରତର ମହାବୀର, ମହାଦାନୀ କର୍ଣ୍ଣଙ୍କ ବାଣୀ-‘ଦୈବାୟତ୍ତଂ କୁଳେ ଜନ୍ମ ମଦାୟତଂ ତୁ ପୌରୁଷମ୍’। ଅର୍ଥାତ୍ ଉଚ୍ଚ କୁଳରେ ଜାତ ହେବା ଦେବର ଅଧୀନ,ମାତ୍ର ପୁରୁଷାକାର ମୋର ଅଧୀନ। ସଂସ୍କୃତ ପଣ୍ଡିତ ଜାନକୀ ବଲ୍ଲଭ ଏହି ଆପ୍ତବାକ୍ୟ ଦ୍ବାରା ପ୍ରଭାବିତ ହୋଇଥିଲେ ଏବଂ ତାଙ୍କ ଜୀବନାଦର୍ଶର ଅନ୍ତରାଳରେ ରହିଛି ତାର ଦୁର୍ବାର ପ୍ରେରଣା।

୧୯୪୯ ମସିହାରେ ସେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ଶିକ୍ଷା ସମାପ୍ତ କଲା ପରେ ଯୋଗ ଦେଇଥିଲେ ହରେକୃଷ୍ଣ ମହତାବଙ୍କ ଦ୍ବାରା ପ୍ରତିଷ୍ଠିତ ‘ପ୍ରଜାତନ୍ତ୍ର’ ଓ ‘ଇଷ୍ଟର୍ଣ୍ଣ ଟାଇମସ’ର ସହକାରୀ ସଂପାଦକ ଭାବରେ। ଏହି ପ୍ରଜାତନ୍ତ୍ର ପ୍ରଚାର ସମିତି ପରିସର ହେଲା ସ୍ବାଧୀନଚେତା ଜାନକୀ ବଲ୍ଲଭଙ୍କ କର୍ମମୟ ଜୀବନର ପ୍ରାରମ୍ଭିକ ସାଧନା ପୀଠ। ରେଭେନ୍‌ସା କଲେଜ ଓ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କାଳରୁ ସେ ସାମ୍ବାଦିକତା ବୃତ୍ତି ପାଇଁ ପ୍ରସ୍ତୁତ କରି ସାରିଥିଲେ ସାସ୍କୃତିକ ଓ ରାଜନୈତିକ ପୃଷ୍ଠଭୂମି। କ୍ରମେ ସେ ଜଣେ ସଫଳ ସଂପାଦକର ଭୂମିକା ନିର୍ବାହ କଲେ। ତା ସହିତ ନିଜର ନିଷ୍ଠା ଓ ଅସାଧାରଣ ପରିଚାଳନା ଦକ୍ଷତା ବଳରେ ପାଲଟି ଗଲେ ପ୍ରଜାତନ୍ତ୍ର ପ୍ରଚାର ସମିତିର ସର୍ବମୟ ସଂଚାଳକ। ତାଙ୍କୁ ଜଣାଥିଲା ସରଳ ଆଚରଣ ବଳରେ ସମସ୍ତଙ୍କୁ ଆପଣେଇ ନେବାର କଳା। ତେଣୁ ପ୍ରଜାତନ୍ତ୍ର ପରିବାରର ସମସ୍ତଙ୍କୁ ସେ ଅଖଣ୍ଡ ସ୍ବାଧୀନତା ଦେଇଥିଲେ ଏବଂ ସମସ୍ତଙ୍କୁ ବାନ୍ଧି ରଖିଥିଲେ ଏକତା ସୂତ୍ରରେ। ତାଙ୍କ ପ୍ରୟାସ ଫଳରେ ଋଦ୍ଧିମନ୍ତ ହୋଇଛି ଓଡିଆ ସାମ୍ବାଦିକତାର ଶବ୍ଦ ଭଣ୍ଡାର। ବାସ୍ତବରେ ସେ ଥିଲେ ସାମ୍ବାଦିକତାର ମାର୍ଗଦର୍ଶକ ଓ ମଉଡ଼ମଣି।

ତାଙ୍କର କର୍ମମୟ ଜୀବନ ଥିଲା ସାମ୍ବାଦିକତା, ରାଜନୀତି ଓ ସାହିତ୍ୟର ଏକ ତ୍ରିବେଣୀ ସଂଗମ। ୧୯୬୭ରେ ସେ ପ୍ରଜାତନ୍ତ୍ର ପ୍ରଚାର ସମିତିରୁ ସଂପୂର୍ଣ୍ଣ ଅବ୍ୟାହତି ନେଇ ଯୋଗ ଦେଲେ ସକ୍ରିୟ ରାଜନୀତିରେ। ସେତେବେଳେ ରାଜନୀତିରେ ନିଜକୁ ପ୍ରତିଷ୍ଠା କରିବା ପାଇଁ ତାଙ୍କ ପାଖରେ ଆର୍ଥିକ ଦମ୍ଭ ନଥିଲା ସତ, କିନ୍ତୁ ଭରପୂର ହୋଇ ରହିଥିଲା ସାମ୍ବାଦିକ ଭାବରେ ଦୀର୍ଘ ଅଠର ବର୍ଷର ଅଭିଜ୍ଞତା। ତାକୁ ହିଁ ସମ୍ବଳ କରି ସେ ୧୯୭୧ ମସିହା ସାଧାରଣ ନିର୍ବାଚନରେ କଟକ ଲୋକସଭା ଆସନରୁ ଲଢ଼ି ବିଜୟ ଲାଭ କଲେ। କଂଗ୍ରେସ ସାଂସଦ ଭାବରେ କାର୍ଯ୍ୟ କରିବାର ମାତ୍ର ବର୍ଷ ଦୁଇଟା ପରେ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରୀମଣ୍ଡଳରେ ସେ ସାମିଲ ହେଲେ ପ୍ରତିରକ୍ଷା ବିଭାଗର ଉପମନ୍ତ୍ରୀ ଭାବରେ। ତାର ଦୁଇ ବର୍ଷ ପରେ ତାଙ୍କୁ ମିଳିଲା ସେହି ବିଭାଗର ରାଷ୍ଟ୍ରମନ୍ତ୍ରୀ ପଦ। ୧୯୮୦ ମସିହାରେ ଦ୍ବିତୀୟ ଥର ପାଇଁ ସେ କଟକ ଲୋକସଭ‌ା ଆସନରୁ ଜିତିଲେ ଏବଂ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହେଲେ ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ କ୍ୟାବିନେଟ୍‌ ମନ୍ତ୍ରୀ ଭାବରେ। ଏହା ପରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଦଳୀୟ ନିଷ୍ପତ୍ତି ଅନୁସାରେ। ଏହିଠାରୁ ଆରମ୍ଭ ହେଲା ଓଡ଼ିଶା ରାଜନୀତିରେ ସ୍ଥିର ଶାସନର ଯୁଗ। ତା ପରେ ସେ ହେଲେ ଓଡ଼ିଶା ପ୍ରଗତିର ସମର୍ଥ ସାରଥି। ତାଙ୍କ ମୁଖ୍ୟମନ୍ତ୍ରୀତ୍ବ କାଳରେ କୃଷି, ଶିଳ୍ପ, ଶକ୍ତି, କଳା ଓ ସଂସ୍କୃତି ଆଦି ପ୍ରତ୍ୟେକ କ୍ଷେତ୍ରରେ ପଡ଼ିଲା ପ୍ରଗତିର ମୂଳଦୁଆ। ଗ୍ରାମାଞ୍ଚଳର ଦରିଦ୍ର, ଭୂମିହୀନ ଓ ଗରିବ ଚାଷୀଙ୍କ ଲାଗି ସେ ଆରମ୍ଭ କଲେ ଅନେକ ଦୂରଦୃଷ୍ଟି ସଂପନ୍ନ ‌େଯାଜନା। ଓମଫେଡ ଓ ଦୁଗ୍‌ଧ ସମବାୟ ସମିତି ତାଙ୍କ ସମୟର ଏକ ଚମତ୍କାର ଉପଲବ୍‌ଧି। ସେହିପରି ହଜାରେ ଦିନରେ ହଜାରେ କୋଟି ବ୍ୟୟରେ ହଜାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସେ ଯେଉଁ ଆହ୍ବାନ ଦେଇଥିଲେ, ତା’ ଦ୍ବାରା ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ସୃଷ୍ଟି ହୋଇଥିଲା ଏକ ଅନୁକୂଳ ବାତାବରଣ। ଓଡ଼ିଶାର ସରକାରୀ ସ୍ତରରେ ଓଡ଼ିଆ ଭାଷା ପ୍ରଚଳନ ଥିଲା ତାଙ୍କର ଆଉ ଏକ ଅବିସ୍ମରଣୀୟ ପଦକ୍ଷେପ।

ଜଣେ ସଫଳ ରାଜନେତା ଭାବରେ ସେ ଭାରତୀୟ ରାଜନୀତି ଆକାଶରେ ଯେମିତି ଦୀପ୍ତିମନ୍ତ, ଆଧୁନିକ ଭାରତୀୟ ସାହିତ୍ୟ ଜଗତ୍‌ରେ ସେମିତି ଅନୁପମ ଓ ଅତୁଳନୀୟ। ୧୯୫୬ ମସିହା ବୁଦ୍ଧ ଜୟନ୍ତୀ ଅବସରରେ ସେ ଲେଖିଥିଲେ ତାଙ୍କର ପ୍ରଥମ ପୁସ୍ତକ ‘ଗୌତମ ବୁଦ୍ଧ’। ସେ ଗଳ୍ପ ଉପନ୍ୟାସ ଲେଖି ନାହାନ୍ତି ସତ, କିନ୍ତୁ ତାଙ୍କ ଦ୍ବାରା ତିନିଟି ଯାକ ଭର୍ତ୍ତୃହରି ଶତକର କାବ୍ୟାନୁବାଦ ଗଳ୍ପ ଉପନ୍ୟାସ ପରି ଅଧିକ ସୁଖପାଠ୍ୟ। ତାଙ୍କର ଏକମାତ୍ର କବିତା ସଙ୍କଳନ ‘ସିନ୍ଧୁ ଉପତ୍ୟକା’ ମଧ୍ୟ ଖୁବ୍‌ ପ୍ରଭାବଶାଳୀ। ‘ନିର୍ବାଚିତ ପ୍ରବନ୍ଧ ସଂକଳନ’ ଏବଂ ‘ସ୍ବପ୍ନ ଓ ସଙ୍କଳ୍ପ’ ତାଙ୍କ ପ୍ରଚଣ୍ଡ ପ୍ରତିଭାର ଉଦାହରଣ। ତାଙ୍କ ଅନୂଦିତ ବଙ୍କିମ ଉପନ୍ୟାସ ମାଳା ପାଇଁ ତାଙ୍କୁ ମିଳିଛି ଅଜସ୍ର ପାଠକୀୟ ସ୍ବୀକୃତି। ଶ୍ରୀମଦ୍ ଭାଗବତର ପ୍ରାଣବନ୍ତ ଅନୁସୃଜନ ତାଙ୍କର ଏକ ଅନବଦ୍ୟ କୃତି।

ସେହିପରି ସଂସ୍କୃତ ଭାଷା ସାହିତ୍ୟରେ ଅସାଧାରଣ ଜ୍ଞାନ ଯୋଗୁ ସେ ଅଳଙ୍କୃତ କରିଥିଲେ ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ କୁଳାଧିପତି ଆସନ। ବାସ୍ତବରେ ସେ ଥିଲେ ଭାରତୀୟ ସଂସ୍କୃତି, ପରଂପରା, ଐତିହ୍ୟ, କଳା, ସାହିତ୍ୟ, ଧର୍ମ, ଦର୍ଶନ ଓ ସୁଶାସନର ଜଣେ ଅପ୍ରତିମ ଭାଷ୍ୟକାର। ଏହି ପ୍ରଜ୍ଞା ପୁରୁଷଙ୍କ ସାଧନା ଓ ସିଦ୍ଧିର ସ୍ବୀକୃତି ସ୍ବରୂପ କେନ୍ଦ୍ର ସାହିତ୍ୟ ଅକାଦେମି, ଓଡ଼ିଶା ସାହିତ୍ୟ ଏକାଡେମୀ, ଉତ୍କଳ ସାହିତ୍ୟ ସମାଜ, ଗଂଗାଧର ଫାଉଣ୍ଡେସନ ଟ୍ରଷ୍ଟ, ତିରୁପତି ରାଷ୍ଟ୍ରୀୟ ବିଶ୍ବବିଦ୍ୟାଳୟ ଓ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ଭଳି ବହୁ ଅନୁଷ୍ଠାନ ପକ୍ଷରୁ ତାଙ୍କ ଉପରେ ଅଜାଡ଼ି ହୋଇ ପଡ଼ିଛି ଅଜସ୍ର ସମ୍ମାନ।

ସ୍ବର୍ଗାରୋହଣ ପର୍ଯ୍ୟନ୍ତ ସେ ଥିଲେ କର୍ମ ଚଞ୍ଚଳ। କେବେ ସେ ରୋଗରେ ପଡ଼ି ନାହାନ୍ତି କି ଶେଷ ପର୍ଯ୍ୟନ୍ତ ଜାଣି ନାହାନ୍ତି ବୃଦ୍ଧାବସ୍ଥା କ’ଣ। ସମସ୍ତଙ୍କୁ ଚକିତ କରି ସେ ଚାଲୁ ଚାଲୁ ଚାଲିଗଲେ ଅକସ୍ମାତ୍। ମାତ୍ର ନିଜର ନିରଳସ ସାଧନା ଓ ସିଦ୍ଧି ପାଇଁ ଓଡ଼ିଶାବାସୀଙ୍କ ମନ ଭିତରେ ଅମର ହୋଇ ରହିଗଲେ କାଳ କାଳ ପାଇଁ।

(ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ)
ମୋ-୭୦୦୮୬୮୨୨୮୫

ସମ୍ବନ୍ଧିତ ଖବର