ଅଭିନବ ବଣ୍ଟୁଆରା
ବଜାର ହାଲଚାଲ - ଓମ୍ ପ୍ରକାଶ ଜଗତି
ଭୁବନେଶ୍ବର ବିଏମ୍ସି କାର୍ଯ୍ୟାଳୟରେ ସେବାରତ ଜଣେ ଯୁବ ପାଠକ ବନ୍ଧୁ ଫୋନ୍ କରି ନୂଆ ଗ୍ଲୋବାଲ୍ ମିନିମମ୍ କର୍ପୋରେଟ୍ ଟ୍ୟାକ୍ସ କ’ଣ ବୋଲି ଜାଣିବାକୁ ଚାହିଁଥିଲେ? ପ୍ରାରମ୍ଭିକ ବାର୍ତ୍ତାଳାପରୁ ସୂଚନା ପାଇଥିଲି ଯେ କ୍ରୀଡ଼ା ପ୍ରତି ତାଙ୍କର ବିଶେଷ ଅନୁରାଗ ଅଛି। ତେଣୁ ନିକଟରେ ସମାପ୍ତ ହୋଇଥିବା ଟୋକିଓ ଅଲିମ୍ପିକ୍ସରୁ ଆଲୋଚନା ଆରମ୍ଭ କରିଥିଲି। ଆନ୍ତର୍ଜାତିକ ଅଲିମ୍ପିକ୍ସ କମିଟିର ଘୋଷଣାପତ୍ର ଅନୁସାରେ କ୍ରୀଡ଼ା ଜଗତ୍ର ଏହି ମହାକୁମ୍ଭର ତିନିଟି ମୌଳିକ ସିଦ୍ଧାନ୍ତ ହେଉଛି: ଦ୍ରୁତତମ, ଉଚ୍ଚତମ ଓ ଅଧିକ ଶକ୍ତିଶାଳୀ। ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାର ଅଳ୍ପ କିଛି ଦିନ ପୂର୍ବରୁ ଘୋଷଣାପତ୍ରରେ ଚତୁର୍ଥ ସିଦ୍ଧାନ୍ତକୁ ଅନ୍ତର୍ଭୁକ୍ତ କରାଯାଇଥିଲା, ଯାହା ହେଉଛି ସଦ୍ଭାବନା ସହିତ ମିଳାମିଶା। ଉଦ୍ଦେଶ୍ୟ ହେଉଛି ତୀବ୍ର ପ୍ରତିଦ୍ବନ୍ଦ୍ବିତା ସତ୍ତ୍ବେ ମାନବିକତାକୁ ଉପଯୁକ୍ତ ସମ୍ମାନ ଦେବା। ନୂଆ ସିଦ୍ଧାନ୍ତର ଜ୍ବଳନ୍ତ ଉଦାହରଣ ଟୋକିଓ ଅଲିମ୍ପିକ୍ରେ ହିଁ ଦେଖିବାକୁ ମିଳିଥିଲା। ପୁରୁଷ ବିଭାଗ ହାଇଜମ୍ପ ଫାଇନାଲରେ ଇଟାଲୀର ଜିଆନ୍ ମାର୍କୋ ତାମ୍ବେରି ଓ କାତାର୍ର ମୁତାଜ୍ ବାରସିମ୍ ୨.୩୭ ମିଟର ଉଚ୍ଚତା ଡେଇଁ ଦୁହେଁ ପ୍ରଥମ ସ୍ଥାନରେ ରହିଥିଲେ। ପରବର୍ତ୍ତୀ ଉଚ୍ଚତା ଅର୍ଥାତ୍ ୨.୩୯ ମିଟର ଡେଇଁବାରେ ଉଭୟେ ବିଫଳ ହୋଇଥିଲେ। ସ୍ବର୍ଣ୍ଣ ପଦକ ପାଇଁ ପ୍ରଥମ ସ୍ଥାନ ନିର୍ଦ୍ଧାରଣରେ ‘ଜମ୍ପ ଅଫ୍’ ପ୍ରଣାଳୀ ପ୍ରୟୋଗ କରାଯାଇଥା’ନ୍ତା। ହାଇଜମ୍ପ ବାର୍କୁ ୨.୩୭ ମିଟର ଉଚ୍ଚତା ମଧୢରେ ପର୍ଯ୍ୟାୟକ୍ରମେ ତଳ ଉପର କରାଯାଇ ଉଭୟ ପ୍ରତିଯୋଗୀଙ୍କୁ ପାଳି କରି ଡେଇଁବାକୁ ପଡ଼ିଥା’ନ୍ତା। ଯଦି ଜଣେ ପ୍ରତିଯୋଗୀ କୌଣସି ଏକ ଡିଆଁରେ ବିଫଳ ହୋଇଥା’ନ୍ତେ, ଅନ୍ୟ ପ୍ରତିଯୋଗୀଙ୍କୁ ବିଜୟୀ ବୋଲି ଘୋଷଣା କରାଯାଇଥା’ନ୍ତା।
Sambad is now on WhatsApp
Join and get latest news updates delivered to you via WhatsApp
ଗୁରୁତର ଆଘାତ ଯୋଗୁଁ ତାମ୍ବେରି ରିଓ ଅଲିମ୍ପିକ୍ସରେ ଭାଗ ନେଇ ପାରି ନ ଥିଲେ। ଅପରପକ୍ଷରେ ବାରସିମ୍ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଏକାଧିକବାର ଆଘାତପ୍ରାପ୍ତ ହୋଇଥିଲେ। ସୌଭାଗ୍ୟବଶତଃ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଉଭୟ ଖେଳାଳି ସୁସ୍ଥ ଥିବାରୁ ପ୍ରତିଯୋଗିତାରେ ଭାଗ ନେଇପାରିଥିଲେ ଏବ˚ ନିଜର ପାରଦର୍ଶିତା ପ୍ରଦର୍ଶନ କରିବାକୁ ସମର୍ଥ ହୋଇଥିଲେ। ‘ଜମ୍ପ ଅଫ୍’ ପ୍ରକ୍ରିୟାରେ ଅନିର୍ଦ୍ଦିଷ୍ଟ ଥର ପାଇଁ ଡେଇଁବାକୁ ପଡ଼ିଥା’ନ୍ତା ଏବ˚ ଏହାଦ୍ବାରା ଆଘାତପ୍ରାପ୍ତ ହେବାର ସମ୍ଭାବନା ଥିଲା। ଏହି ଦୁଇ ଖେଳାଳି ଚାହୁଁନଥିଲେ ଯେ ସ୍ବର୍ଣ୍ଣ ପଦକ ଲଢ଼େଇ ଯୋଗୁଁ ସେମାନଙ୍କ ମଧୢରୁ କେହି ଜଣେ ଆଘାତପ୍ରାପ୍ତ ହୁଅନ୍ତୁ। ବାରସିମ୍ ଉପସ୍ଥିତ ଅଲିମ୍ପିକ୍ସ ଅଧିକାରୀଙ୍କୁ ଜିଜ୍ଞାସା କରିଥିଲେ ଯେ ଜମ୍ପ ଅଫ୍ ପରିବର୍ତ୍ତେ ଉଭୟଙ୍କୁ ବିଜୟୀ ଘୋଷଣା କରାଯାଇ ଦୁଇଟି ସ୍ବର୍ଣ୍ଣ ପଦକ ପ୍ରଦାନ ସମ୍ଭବ ହେବ କି? ଅଧିକାରୀ ଜଣଙ୍କ ଏହା ସମ୍ଭବ ବୋଲି କହିବା କ୍ଷଣି ଉଭୟ ବାରସିମ୍ ଓ ତାମ୍ବେରି ଏହାକୁ ସ୍ବୀକାର କରି ନେଇଥିଲେ। ଏହି ଦୁଇ ଖେଳାଳିଙ୍କ ମହନୀୟ ନିଷ୍ପତ୍ତି ଅଗଣିତ କ୍ରୀଡ଼ାପ୍ରେମୀଙ୍କ ହୃଦୟ ଜିଣିପାରିଥିଲା। ଏହା ଶୁଣିଲା ପରେ ପାଠକ ବନ୍ଧୁ ପଚାରିଥିଲେ ଯେ ଏହି ଘଟଣା ସହିତ ଗ୍ଲୋବାଲ୍ ମିନିମମ୍ କର୍ପୋରେଟ୍ ଟ୍ୟାକ୍ସର କ’ଣ ସମ୍ପର୍କ ଅଛି?
କମ୍ପାନି ଲାଭାଂଶ ଉପରେ ଲାଗୁ ହେଉଥିବା ଆୟକରକୁ କର୍ପୋରେଟ୍ ଟିକସ କୁହାଯାଇଥାଏ। ଆନ୍ତର୍ଜାତିକ ବେପାର କ୍ଷେତ୍ରରେ ଅନେକ ବହୁଦେଶୀୟ କମ୍ପାନି େକ ମ୍ୟାନ ଦ୍ବୀପ, ବରମୁଡ଼ା, ମରିସସ୍, ହଙ୍ଗେରୀ, ଆୟର୍ଲାଣ୍ତ ଭଳି କେତୋଟି ଛୋଟ ଛୋଟ ଦେଶ, ଯେଉଁଠି କର୍ପୋରେଟ୍ ଟିକସ ନାହିଁ କିମ୍ବା ଏହି ଟିକସ ହାର ଅତ୍ୟନ୍ତ କମ୍, କମ୍ପାନି ସ୍ଥାପନ କରିଥା’ନ୍ତି। ଉଦ୍ଦେଶ୍ୟ ହେଉଛି ଅନ୍ୟ ରାଷ୍ଟ୍ରଗୁଡ଼ିକରେ ହେଉଥିବା ବେପାରରୁ ମିଳୁଥିବା ଲାଭା˚ଶ ଉପରେ କର୍ପୋରେଟ୍ ଟିକସକୁ କିଭଳି ହ୍ରାସ କରାଯାଇପାରିବ। ଇ˚ରେଜୀରେ ଏହି ଦେଶଗୁଡ଼ିକୁ ‘ଟ୍ୟାକ୍ସ ହାଭେନ’ ଆଖ୍ୟା ଦିଆଯାଇଛି, ଅର୍ଥାତ୍ ଟିକସ ଏଡ଼ାଇବା ପାଇଁ ସୁରକ୍ଷିତ ସ୍ଥାନ। ପ୍ରଚଳିତ ଆଇନ ଓ ଟିକସ ବ୍ୟବସ୍ଥାକୁ ଅତ୍ୟନ୍ତ ଚତୁର ଭାବରେ ପ୍ରୟୋଗ କରାଯାଇଥାଏ, ଯଦ୍ଦ୍ବାରା ଏପରି ଉଦ୍ୟମକୁ ରୋକିବା ସମ୍ଭବ ହୋଇନଥାଏ। ୧୯୮୫ରୁ ୨୦୧୮ ମସିହା ମଧୢରେ ବିଶ୍ବବ୍ୟାପୀ କର୍ପୋରେଟ୍ ଟିକସର ହାରାହାରି ହାର ୪୯%ରୁ ୨୪%କୁ ହ୍ରାସ ପାଇଥିଲା। ସଫ୍ଟେଵର ଭିତ୍ତିକ ଅନ୍ଲାଇନ୍ ବେପାର ବଢ଼ିବା ସହିତ, ଟ୍ୟାକ୍ସ ହାଭେନ ରାଷ୍ଟ୍ରମାନଙ୍କ ଜରିଆରେ ଟିକସ ଏଡ଼ାଇବା ଆହୁରି ସହଜ ହୋଇପାରୁଛି। ଏହି ପରିପ୍ରେକ୍ଷୀରେ ବିଶ୍ବବ୍ୟାପୀ କର୍ପୋରେଟ୍ ଟିକସ କ୍ଷେତ୍ରରେ ଯୁକ୍ତିଯୁକ୍ତ ପରିବର୍ତ୍ତନ ଆଣିବା ପାଇଁ ୧୩୨ଟି ରାଷ୍ଟ୍ର ଏକ ନୀତିଗତ ନିଷ୍ପତ୍ତି ନେଇଛନ୍ତି, ଯାହାକୁ ‘ଗ୍ଲୋବାଲ୍ ମିନିମମ୍ କର୍ପୋରେଟ୍ ଟ୍ୟାକ୍ସ’ ରାଜିନାମା କୁହାଯାଉଛି। ଅଲିମ୍ପିକ୍ସ କମିଟିର ନୂଆ ସିଦ୍ଧାନ୍ତ ଭଳି ନୂଆ ଟିକସ ରାଜିନାମା ଦ୍ବାରା ଆନ୍ତର୍ଜାତିକ ବାଣିଜ୍ୟ କ୍ଷେତ୍ରରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ସତ୍ତ୍ବେ ବିଭିନ୍ନ ରାଷ୍ଟ୍ରମାନଙ୍କ ମଧୢରେ ଟିକସ ରାଜସ୍ବର ଉପଯୁକ୍ତ ବଣ୍ଟୁଆରା ହୋଇପାରିବ। ଏହାଦ୍ବାରା ସଦ୍ଭାବନା ଓ ସହଯୋଗର ବାତାବରଣ ସୃଷ୍ଟି ହୋଇପାରିବ। ଆଲୋଚନାକୁ ସହଜ ଓ ସାବଲୀଳ କରିବା ପାଇଁ ଗ୍ଲୋବାଲ୍ ମିନିମମ୍ କର୍ପୋରେଟ୍ ଟ୍ୟାକ୍ସର ଶବ୍ଦାନୁବାଦ ନ କରି ମୂଳ ଇ˚ରେଜୀ ଶବ୍ଦାବଳୀକୁ ପ୍ରୟୋଗ କରାଯାଉଛି।
ଆଲୋଚନା ଆରମ୍ଭରେ ଟ୍ୟାକ୍ସ ହାଭେନ ରାଷ୍ଟ୍ର ଜରିଆରେ କିପରି କର୍ପୋରେଟ୍ ଟିକସ ଏଡ଼ାଇ ଦିଆଯାଇପାରେ, ତାହାର ଏକ ସରଳ ଉଦାହରଣ ଦେବା ଉଚିତ ହେବ। ଧରନ୍ତୁ, ଆମେରିକାର ଏକ ବୃହତ୍ ସଫ୍ଟେଵର ସ˚ସ୍ଥା ବିପୁଳ ବ୍ୟାବସାୟିକ ସୁଯୋଗ ଥିବାରୁ ଭାରତରେ କମ୍ପାନି ‘କ’ ସ୍ଥାପନ କଲେ। ଭାରତରେ କର୍ପୋରେଟ୍ ଟିକସ ହାର ହେଉଛି ପ୍ରାୟ ୩୦%। କମ୍ପାନି ‘କ’ର କର୍ପୋରେଟ୍ ଟିକସକୁ ହ୍ରାସ କରିବା ପାଇଁ ଆମେରିକୀୟ ସ˚ସ୍ଥା ବରମୁଡ଼ାରେ ଆଉ ଏକ କମ୍ପାନି ‘ଖ’ ସ୍ଥାପନ କଲେ, ଯଦିଓ ସେଠାରେ ବ୍ୟାବସାୟିକ ସୁଯୋଗ ଅତି ନଗଣ୍ୟ। ବରମୁଡ଼ାରେ କର୍ପୋରେଟ୍ ଟିକସ ଲାଗୁ ହୁଏ ନାହିଁ। ଏହା ପରେ ଆମେରିକୀୟ ସଂସ୍ଥା ଉଦ୍ୟମ କରିବ କିଭଳି କମ୍ପାନି ‘କ’ର ନିଟ୍ ଲାଭ ହ୍ରାସ ପାଇବ ଏବ˚ କମ୍ପାନି ‘ଖ’ର ନିଟ୍ ଲାଭ ବୃଦ୍ଧି ପାଇବ, ଯଦ୍ଦ୍ବାରା ସାମଗ୍ରିକ କର୍ପୋରେଟ୍ ଟିକସକୁ କମ୍ କରି ହେବ। ପ୍ରଥମ ପଦକ୍ଷେପ ସ୍ବରୂପ, କମ୍ପାନି ‘ଖ’କୁ ନିୟନ୍ତ୍ରକ କମ୍ପାନି (ହୋଲ୍ଡିଙ୍ଗ କମ୍ପାନି) ଏବ˚ କମ୍ପାନି ‘କ’କୁ ଏହାର ସହାୟକ କମ୍ପାନି (ସବ୍ସିଡ଼ିଆରି କମ୍ପାନି) କରାଯିବ। ଫଳତଃ କମ୍ପାନି ‘କ’ର ମାଲିକାନା କମ୍ପାନି ‘ଖ’ ପାଖେର ରହିବ। ଦ୍ବିତୀୟରେ ବ୍ୟବସାୟ ପାଇଁ ଆବଶ୍ୟକ ବୌଦ୍ଧିକ ସ୍ବତ୍ବାସ୍ବତ୍ବ କମ୍ପାନି ‘ଖ’ ନାମରେ ରହିବ। ଏହାକୁ ବ୍ୟବହାର କରିବା ପାଇଁ କମ୍ପାନି ‘କ’ କମ୍ପାନି ‘ଖ’କୁ ମୋଟା ରକମର ଟେକ୍ନୋଲୋଜି ଫି ପ୍ରଦାନ କରିବ। ଏହାଛଡ଼ା କମ୍ପାନି ‘କ’ର ବାର୍ଷିକ ବ୍ୟବସାୟ ରାଶି ଉପରେ ନିର୍ଦ୍ଦିଷ୍ଟ ହାରରେ (ପ୍ରାୟ ୫%) ରୟାଲଟି କମ୍ପାନି ‘ଖ’କୁ ମିଳିବ। ତୃତୀୟରେ କମ୍ପାନି ‘କ’ କମ୍ପାନି ‘ଖ’ ଠାରୁ ଆବଶ୍ୟକତାରୁ ଅଧିକ ଋଣ ଦେବାକୁ ଚେଷ୍ଟା କରିବ।
ଫଳତଃ କମ୍ପାନି ‘କ’ର ସୁଧ ବାବଦରେ ଖର୍ଚ୍ଚ କମ୍ପାନି ‘ଖ’ର ଆୟରେ ରୂପାନ୍ତରିତ ହେବ। ବହୁଦେଶୀୟ ଗ୍ରୁପ୍ର କାରବାର ଅନ୍ଲାଇନ୍ ଭିତ୍ତିକ ହୋଇଥିବାରୁ, କମ୍ପାନି ‘କ’ ସ୍ଥଳ ବିଶେଷରେ ଅର୍ଡର କମ୍ପାନି ‘ଖ’ ନାମରେ ଆଣିବାକୁ ଚେଷ୍ଟା କରିପାରେ। ଯଦିଓ ଏଥିପାଇଁ କମ୍ପାନି ‘କ’କୁ କମିସନ ମିଳିବ, ତଥାପି କମ୍ପାନି ‘ଖ’କୁ ଅର୍ଡରରୁ ଉପଲବ୍ଧ ଲାଭ କମିସନ ରାଶି ଠାରୁ ଯଥେଷ୍ଟ ଅଧିକ ହେବ। ଉପରୋକ୍ତ ପ୍ରକ୍ରିୟା ଜରିଆରେ ବହୁଦେଶୀୟ ବୃହତ୍ କମ୍ପାନିମାନେ ଲାଭା˚ଶ ସ୍ଥାନାନ୍ତରଣ ଉଦ୍ୟମ କରିଥା’ନ୍ତି। ଯଦିଓ ସଫ୍ଟେଵର କମ୍ପାନିମାନେ ଏହିଭଳି ପ୍ରୟାସରେ ବେଶି ଲାଭବାନ ହୋଇଥା’ନ୍ତି, ନିର୍ମାଣ କ୍ଷେତ୍ରରେ ସ˚ଶ୍ଳିଷ୍ଟ ବହୁଦେଶୀୟ କମ୍ପାନିମାନଙ୍କୁ ମଧୢ ଏହିଭଳି ପ୍ରୟାସ କରିବା କେତେକା˚ଶରେ ସମ୍ଭବ ହୋଇଥାଏ।
ଭାରତୀୟ ଅର୍ଥନୀତି କିଭଳି ବହୁଦେଶୀୟ କମ୍ପାନିମାନଙ୍କ ଲାଭା˚ଶ ସ୍ଥାନାନ୍ତରଣ ପ୍ରକ୍ରିୟା ଦ୍ବାରା କ୍ଷତିଗ୍ରସ୍ତ ହେଉଛି ତାହା ଦୁଇଟି ଉଦାହରଣ ସାହାଯ୍ୟରେ ବୁଝିହେବ। ମାର୍କ ଜୁକରବର୍ଗଙ୍କ ଫେସ୍ବୁକ କମ୍ପାନିର ବିଶ୍ବବ୍ୟାପୀ ମୋଟ ଉପଭୋକ୍ତାଙ୍କ ସ˚ଖ୍ୟା ପ୍ରାୟ ୨୮୫ କୋଟି ହୋଇଥିଲା ବେଳେ ଭାରତରେ ସର୍ବାଧିକ ୩୪ କୋଟି ଉପଭୋକ୍ତା ଅଛନ୍ତି, ଯାହା ଆମେରିକା ଠାରୁ ମଧୢ ଅଧିକ। ବିଶ୍ବର ମୋଟ ଉପଭୋକ୍ତାଙ୍କ ୧୨% ଭାରତରେ ଅଛନ୍ତି। କିନ୍ତୁ ଫେସ୍ବୁକ୍ର ମୋଟ ବେପାର ପରିମାଣ ଗତ ଆର୍ଥିକ ବର୍ଷରେ ୮୬ ବିଲିୟନ ଡଲାର୍ ହୋଇଥିଲା ବେଳେ ଭାରତରେ ଏହାର ପଞ୍ଜିକୃତ ବେପାର ପରିମାଣ ମାତ୍ର ୧.୨୦ ବିଲିୟନ ଡଲାର (ପ୍ରାୟ ୯ ହଜାର କୋଟି ଟଙ୍କା) ଥିଲା, ଯାହା ବିଶ୍ବବ୍ୟାପୀ ମୋଟ ବେପାରର ମାତ୍ର ୧.୪%। ଏଥିରୁ ସ୍ପଷ୍ଟ ସୂଚନା ମିଳୁଛି ଯେ ଭାରତରେ ସୃଷ୍ଟି ହେଉଥିବା ବେପାର, ଟ୍ୟାକ୍ସ ହାଭେନ୍ ରାଷ୍ଟ୍ରରେ ଥିବା ଗ୍ରୁପ୍ କମ୍ପାନି ମାଧୢମରେ ବୁକି˚ ହେଉଛି। ଫଳତଃ ଭାରତ କର୍ପୋରେଟ୍ ଟିକସ ଅର୍ଜନ କରିବାରୁ ବଞ୍ଚିତ ହେଉଛି। ଏଥର ଦ୍ବିତୀୟ ଉଦାହରଣ ଉପରେ ନଜର ପକାଇବା। ଆର୍ଥିକ ବର୍ଷ ୨୦୧୯-୨୦ରେ ଭାରତରେ କାର୍ଯ୍ୟରତ ଗୁଗୁଲ୍ ଇଣ୍ତିଆ କମ୍ପାନିର ମୋଟ ବେପାର ରାଶି ୫୫୯୪ କୋଟି ଟଙ୍କା ହୋଇଥିଲା ବେଳେ ମୋଟ ଖର୍ଚ୍ଚ ଥିଲା ୪୪୫୬ କୋଟି ଟଙ୍କା। କମ୍ପାନି ୩୦୨ କୋଟି ଟଙ୍କା କାର୍ପୋରେଟ୍ ଟିକସ ଦେଇଥିଲା ଯାହା କି ମୋଟ ବେପାରର ମାତ୍ର ୫%। ଅପେକ୍ଷାକୃତ କମ୍ କର୍ପୋରେଟ୍ ଟିକସର ମୁଖ୍ୟ କାରଣ ହେଉଛି କମ୍ପାନିର ମୋଟ ଖର୍ଚ୍ଚର ପ୍ରାୟ ୯୦% ହୋଲ୍ଡି˚ ତଥା ଅନ୍ୟାନ୍ୟ ଗ୍ରୁପ୍ କମ୍ପାନିମାନଙ୍କୁ ରୟାଲଟି ତଥା ଅନ୍ୟ ଖର୍ଚ୍ଚ ବାବଦରେ ପୈଠ କରାଯାଇଥାଏ।
ଆନ୍ତର୍ଜାତିକ ଆର୍ଥିକ ସହଯୋଗ ଓ ବିକାଶ ସ˚ଗଠନ (ଓଇସିଡି)ର ସଫଳ ପଦକ୍ଷେପ ଏବ˚ ପରବର୍ତ୍ତୀ ସମୟରେ ଜି-୨୦ ଓ ଜି-୭ ଗ୍ରୁପ୍ର ସହଯୋଗ ଦ୍ବାରା ଏଯାବତ୍ ୧୩୨ଟି ରାଷ୍ଟ୍ର ଗ୍ଲୋବାଲ୍ ମିନିମମ୍ କର୍ପୋରେଟ୍ ଟ୍ୟାକ୍ସ ସପକ୍ଷରେ ସମ୍ମତି ଜଣାଇ ସାରିଲେଣି। ଏଥିରେ ସମସ୍ତ ବୃହତ୍ ରାଷ୍ଟ୍ର ଅନ୍ତର୍ଭୁକ୍ତ। ଆୟର୍ଲାଣ୍ତ, ହଙ୍ଗେରୀ, ଇସ୍ତୋନିଆ ଇତ୍ୟାଦି ୭ଟି ରାଷ୍ଟ୍ର ଏଯାବତ୍ ସମ୍ମତି ଦେଇନଥିଲେ ହେଁ, ଏମାନେ ଘୋଷିତ ରାଜିନାମାକୁ ପ୍ରତିହତ କରିବାର ସମ୍ଭାବନା ପ୍ରାୟ ନାହିଁ। ଯଦିଓ ଅଭିନବ ଗ୍ଲୋବାଲ୍ ମିନିମମ୍ ଟ୍ୟାକ୍ସ ସ˚କ୍ରାନ୍ତୀୟ ପୁଙ୍ଖାନୁପୁଙ୍ଖ ନୀତି ନିୟମ ପ୍ରଣୟନ ହେବାକୁ ଆହୁରି କିଛି ମାସ ସମୟ ଲାଗିବ, ତଥାପି ଏହାର କାର୍ଯ୍ୟକାରିତା ମୋଟାମୋଟି ନିଶ୍ଚିତ ବୋଲି ଧରି ନିଆଯାଇପାରେ। ତେଣୁ ଏହି ସମ୍ପର୍କରେ ସ୍ଥୂଳ ଧାରଣା ଜାଣିବା ପ୍ରାସଙ୍ଗିକ ମନେ ହୁଏ।
ମୂଳ ରାଜିନାମା ଅନୁସାରେ ଟିକସ ଏଡ଼ାଇବା ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବା ପାଇଁ ଦୁଇଟି ପନ୍ଥା ନିର୍ଦ୍ଧାରଣ କରାଯାଇଛି, ଯାହାକୁ ସ୍ତମ୍ଭ ଆଖ୍ୟା ଦିଆଯାଇଛି। ପ୍ରଥମ ସ୍ତମ୍ଭ ବୃହତ ବହୁଦେଶୀୟ କମ୍ପାନିମାନଙ୍କ କ୍ଷେତ୍ରରେ ଲାଗୁ ହେବ ଯେଉଁମାନଙ୍କର ବାର୍ଷିକ କାରବାର ୨୦ ବିଲିୟନ୍ ୟୁରୋରୁ ଊର୍ଦ୍ଧ୍ବ ଏବ˚ ଲାଭା˚ଶ ହାର ୧୦ ପ୍ରତିଶତରୁ ବେଶି। ଏହି କମ୍ପାନିମାନଙ୍କର ୧୦ ପ୍ରତିଶତରୁ ଊର୍ଦ୍ଧ୍ବ ଲାଭା˚ଶର ୨୦ରୁ ୩୦ ପ୍ରତିଶତ ଭାଗ ସେହି ଦେଶମାନଙ୍କୁ ଆବଣ୍ଟିତ କରାଯିବ ଯେଉଁଠି ବେପାରର ଉଦ୍ଭୂତ ହୋଇଛି। ବହୁଦେଶୀୟ କମ୍ପାନିମାନେ ଆବଣ୍ଟିତ ଲାଭା˚ଶ ଉପରେ ସେହି ଦେଶର ଟିକସ ହାର ଅନୁସାରେ କର୍ପୋରେଟ୍ ଟିକସ ପୈଠ କରିବେ। ଫେସ୍ବୁକ୍, ଆମାଜନ୍ ଭଳି ବହୁଦେଶୀୟ କମ୍ପାନିମାନଙ୍କର ମୋଟ ଲାଭର ମୋଟା ଅ˚ଶ ଭାରତକୁ ଆବଣ୍ଟିତ ହେବାର ସମ୍ଭାବନା ରହିବ। ଏହି ରାଶି ଉପରେ ଭାରତୀୟ ଆୟକର ଆଇନ ମୁତାବକ କର୍ପୋରେଟ୍ ଟିକସ ଲାଗୁ ହେବ। ଦ୍ବିତୀୟ ସ୍ତମ୍ଭ ନିୟମ ସେହି ବହୁଦେଶୀୟ କମ୍ପାନିମାନଙ୍କ କ୍ଷେତ୍ରରେ ଲାଗୁ ହେବ, ଯାହାର ବାର୍ଷିକ ବେପାର ୭୫୦ ମିଲିୟନ ୟୁରୋରୁ ଅଧିକ। ଏହି କମ୍ପାନିମାନେ ଅନ୍ୟୂନ ୧୫ ପ୍ରତିଶତ ହାରରେ କର୍ପୋରେଟ୍ ଟିକସ ପୈଠ କରିବେ। ଗ୍ରୁପ୍ କମ୍ପାନିମାନଙ୍କ ମଧୢରେ ନିଷ୍ପାଦିତ ହେଉଥିବା ଆଭ୍ୟନ୍ତରୀଣ କାରବାର ଉପରେ ନିଧାର୍ଯ୍ୟ ହାରରେ ଅତିରିକ୍ତ ଟିକସ ଲାଗୁ ହେବ। ସ୍ଥୂଳ ଭାବରେ ଏକ ବିଲିୟନ୍ ୟୁରୋକୁ ନଅ ହଜାର କୋଟି ଟଙ୍କା ଓ ଏକ ମିଲିୟନ୍ ୟୁରୋକୁ ନଅ କୋଟି ଟଙ୍କା ହିସାବରେ ଗ୍ରହଣ କରାଯାଇପାରେ।
ପରିଶେଷରେ କୁହାଯାଇପାରେ ଯେ ଗ୍ଲୋବାଲ୍ ମିନିମମ୍ କର୍ପୋରେଟ୍ ଟ୍ୟାକ୍ସ ବିଧିବଦ୍ଧ ଭାବରେ ଲାଗୁ ହେଲେ ଟ୍ୟାକ୍ସ ହାଭେନ ରାଷ୍ଟ୍ରଗୁଡ଼ିକର ଆକର୍ଷଣ ହ୍ରାସ ପାଇବ। ଡିଜିଟାଲ କାରବାର କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ସଫଳତା ହାସଲ କରିଥିବା ଭାରତୀୟ ଅର୍ଥନୀତି ବିଶେଷ ଭାବରେ ଲାଭବାନ୍ ହେବାର ସମ୍ଭାବନା ଅଛି। ଏହାଦ୍ବାରା ଟିକସ ରାଜସ୍ବ ବଢ଼ିବା ସହିତ ଜିଡିପି ହାର ବଢ଼ିବ। ବିଶେଷ କରି କୋଭିଡ୍ ମହାମାରୀ ଜନିତ କ୍ଷତିଗ୍ରସ୍ତ ଅର୍ଥନୀତି ଉପକୃତ ହେବ। ସ୍ବାଗତଯୋଗ୍ୟ ଆନ୍ତର୍ଜାତିକ ପରିବର୍ତ୍ତନ ସହିତ ଭାରତକୁ ନିଜ କେର୍ପାରେଟ୍ ଟିକସରେ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ପଡ଼ିବ। ସର୍ବୋଚ୍ଚ କର୍ପୋରେଟ୍ ଟିକସ ହାରକୁ ପଚିଶ ପ୍ରତିଶତ ମଧ୍ୟରେ ସୀମିତ ରଖିବା ଉଚିତ ମନେହୁଏ। ଡେରିରେ ହେଉ ପଛକେ, ପିଛିଲା ଦିନରୁ ଲାଗୁ ହେଉଥିବା ରେଟ୍ରୋ ଟ୍ୟାକ୍ସକୁ ଉଠାଇ ଦେବା ନିଷ୍ପତ୍ତି ଦ୍ବାରା କେନ୍ଦ୍ର ସରକାର ବିଜ୍ଞତାର ପରିଚୟ ଦେଇ ଅପଦସ୍ତରୁ ବର୍ତ୍ତି ଯାଇଛନ୍ତି। ଭବିଷ୍ୟତ୍ରେ ଟିକସ ଆଇନରେ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ବିବେଚନା କରି ଲାଗୁ କରିବା ଉଚିତ ହେବ।
ମୋ-୯୮୮୬୨୧୧୭୭୨
[email protected]