କାଗଜ ସମାଜସେବୀ

ଚିନ୍ମୟ ଚେତନା - ଚିନ୍ମୟ କୁମାର ହୋତା

ତାଙ୍କ ବାପାଙ୍କର ବାର୍ଦ୍ଧକ୍ୟଜନିତ ମୃତ୍ୟୁ ପରେ ସରପଞ୍ଚ ମହାଶୟ ସେ ଅଞ୍ଚଳର ସାମ୍ବାଦିକଙ୍କୁ ଡାକି ଖବରକାଗଜରେ ଶୋକ ସମ୍ବାଦଟିଏ ଦେବା ପାଇଁ କହିଲେ। ପରଲୋକଗତଙ୍କ ପରିଚୟ ବାବଦକୁ କ’ଣ ଲେଖିବେ ବୋଲି ସାମ୍ବାଦିକ ଜଣକ ସରପଞ୍ଚଙ୍କୁ ପଚାରିବାରୁ ସେ ଉତ୍‌କ୍ଷିପ୍ତ ହୋଇ କହିଲେ, ‘ସବୁ କ’ଣ ଶିଖେଇବାକୁ ପଡ଼ିବ? ଯାହା ସମସ୍ତେ ଲେଖନ୍ତି ସେୟା ଲେଖିବେ: ସେ ଜଣେ ସମାଜସେବୀ, ପରୋପକାରୀ ଓ ଧର୍ମନିଷ୍ଠ ବ୍ୟକ୍ତି ଥିଲେ।’
ତହିଁ ପରଦିନ ଖବରକାଗଜରେ ସେଇ କଥା ବାହାରିଲା ଓ ଜଣେ ସାରା ଜୀବନ ଘର ପିଣ୍ଡାରେ ବସି ସମୟ କାଟିଥିବା ବ୍ୟକ୍ତି ବିଶିଷ୍ଟ ସମାଜସେବୀ ହିସାବରେ ଚିତ୍ରିତ ହୋଇଗଲେ।

ବାସ୍ତବିକ ଏହି ସମାଜସେବୀ ଆଖ୍ୟାଟି ଆମ ସମାଜରେ ଗୋଟିଏ କା’ ଭଳି ବ୍ୟବହୃତ ହୁଏ। ଯଦି କାହାର ବୃତ୍ତି ନିର୍ଦ୍ଧାରିତ ହୋଇ ପାରୁନାହିଁ ତେବେ ସେ ତ ନିଶ୍ଚୟ ସମାଜସେବୀ ହୋଇଥିବ! ଯିଏ କିଛି ନୁହେଁ ସେ ଅବଶ୍ୟ ସମାଜସେବୀ। ରାଜନେତାମାନେ ଏ ବୃତ୍ତିଟିକୁ ନିଜର ଅଧିକାର ବୋଲି ଅନେକ ଦିନରୁ ଦାବି କରିଆସିଛନ୍ତି। ମହାତ୍ମା ଗାନ୍ଧୀ ଯେତିକି ସମୟ ଓ ଶକ୍ତି ରାଜନୀତି କ୍ଷେତ୍ରରେ ନିୟୋଜିତ କରୁଥିଲେ, ତା’ ଠୁ ଅଧିକ ଉପଯୋଗ କରୁଥିଲେ ସମାଜସେବା ନିମିତ୍ତ। ଗାନ୍ଧୀଙ୍କ ଢାଞ୍ଚାରେ ନିଜକୁ ସଜାଇଥିବା ପର ପିଢ଼ିର ରାଜନୈତିକ ଦାୟାଦମାନେ ତେଣୁ ଏହି ସମାଜସେବୀ ଅାଖ୍ୟାଟିକୁ ନିଜ ଅକ୍ତିଆରକୁ ନେଇଗଲେ। ଭାରତର ଗଣତନ୍ତ୍ର ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ସାଂସଦ ପର୍ଯ୍ୟନ୍ତ ଲୋକ ପ୍ରତିନିଧି ନିର୍ବାଚନ କରିବାର ସୁଯୋଗ ଦେଇଥାଏ। ନାମାଙ୍କନ ବେଳେ ପ୍ରାର୍ଥୀମାନେ ନିଜର ପେସା ସ୍ଥାନରେ ସାଧାରଣତଃ ‘ସମାଜ ସେବା’ ବୋଲି ହିଁ ଲେଖିଥା’ନ୍ତି। ତେଣୁ ଅଧିକାଂଶ ରାଜନେତାଙ୍କ ଦ୍ବିତୀୟ ପରିଚୟ ରହିଯାଏ ସମାଜସେବୀ ହିସାବରେ। କୌତୂହଳର ବିଷୟ ଯେ ଜଣେ ଚାକିରି କରୁଥିବା ବ୍ୟକ୍ତିକୁ ସମାଜସେବୀର ଆଖ୍ୟାରୁ ବଞ୍ଚିତ କରାଯାଇଥାଏ। ଜଣେ ନିଃସ୍ବାର୍ଥପର ସେବା ପ୍ରଦାନକାରୀ ଡାକ୍ତର ବା ଜଣେ ଆଦର୍ଶ ଶିକ୍ଷକଙ୍କୁ କେହି ସମାଜସେବୀ ବୋଲି କହନ୍ତି ନାହିଁ; ବୋଧହୁଏ ଏଇଥି ପାଇଁ ଯେ ସେମାନେ ଦରମା ପାଇଥା’ନ୍ତି। ବୋଧହୁଏ, ଏକ ଧାରଣା ରହିଯାଇଛି ଯେ ସମାଜସେବା ଅବୈତନିକ ହେବା ଉଚିତ।

ଏବକୁ ସରପଞ୍ଚଙ୍କ ବାପାଙ୍କ ଭଳି ଲୋକେ ଏ ପରିଚୟର ଦାବିଦାର ହେଲେଣି। ଅବଶ୍ୟ ଏଥିରେ ଚିନ୍ତା କରିବାର କିଛି ନାହିଁ। କାରଣ ଏତେ ମାତ୍ରାରେ ସମାଜସେବୀ ହାଉଯାଉ ହେଉଥିବା ସତ୍ତ୍ୱେ ସମାଜ ତା’ ବାଟରେ ଚାଲିଛି; ଯାହା ଜଣାପଡ଼େ ସମାଜସେବୀଙ୍କ ମାତ୍ରାଧିକ ସଂଖ୍ୟା ବୃଦ୍ଧି ସହ ସମାଜର ଯାଏ ଆସେ ନାହିଁ। କାରଣ ଯେଉଁ ସମାଜ ଗୋପବନ୍ଧୁଙ୍କ ଭଳି ସେବକମାନଙ୍କର ନିଷ୍ଠା ଓ ଉତ୍ସର୍ଗ ଉପଲବ୍‌ଧି କରି ଆସିଛି ସେହି ସମାଜ ଆଜିର ‘କାଗଜ ସମାଜସେବୀ’ମାନଙ୍କ ଠାରୁ କ’ଣ ବା ଆଶା ରଖିବ?

ତଥାପି ଆମ ସାମନାରେ ଦଣ୍ଡାୟମାନ ଉନ୍ମୁକ୍ତ ସମାଜ ନାନା ପ୍ରକାରର ସେବା ପ୍ରଦାନ କରିବାକୁ ନେଇ ପରୀକ୍ଷାନିରୀକ୍ଷା ଜାରି ରଖିବାର ଏକ ପ୍ରଶସ୍ତ ପ୍ରୟୋଗଶାଳା। ଏ ପରୀକ୍ଷଣ କ୍ଷେତ୍ର ଯେମିତି ସମାଜ ସେବାରେ ଆଗ୍ରହୀ ସମସ୍ତଙ୍କୁ ନିମନ୍ତ୍ରଣ ଜଣାଉଛି ଯେ ସେମାନେ ସେମାନଙ୍କର ସେବା ପ୍ରଦାନର ଶୈଳୀକୁ ପରୀକ୍ଷା କରି ଦେଖି ନିଅନ୍ତୁ। ତେଣୁ ବେଳେ ବେଳେ କିଛି ମାରାତ୍ମକ ଫଳାଫଳ ମଧ୍ୟ ନିର୍ଗତ ହେଉଛି ଏହି ପରୀକ୍ଷଣ ଗୁଡ଼ିକରୁ। ସମାଜ ସେବା ନାମରେ ଠକେଇ, ଶୋଷଣ ଓ ନିର୍ଯାତନାର ଘଟଣା ସବୁ ଘଟି ଯାଉଛି ଆମରି ଚତୁର୍ପାଶ୍ୱରେ।

ସମାଜ ସେବାକୁ ମାର୍ଜିତ କରିବା ପାଇଁ ଓ ଏହି ସବୁ ସାମୟିକ ସ୍ଖଳନରୁ ମୁକ୍ତ ରଖିବା ପାଇଁ କଲେଜ ପିଲାମାନଙ୍କୁ ରାଷ୍ଟ୍ରୀୟ ସେବା ଯୋଜନା ବା ଏନ୍‌.ଏସ୍‌.ଏସ୍‌ ମାଧ୍ୟମରେ ଉତ୍ସାହିତ କରାଯାଇଥାଏ। ଏମିତିକି ସମାଜ ସେବା ବିଷୟରେ ପାଠ୍ୟକ୍ରମ ମଧ୍ୟ କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଖୋଲା ଯାଇଛି। ହେଲେ ଦେଖାଯାଇଥାଏ ଯେ ସେହି ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ତାଙ୍କର ବିଶ୍ୱବିଦ୍ୟାଳୟ ଡିଗ୍ରିକୁ ଚାକିରି ପାଇବାର ଏକ ମାଧ୍ୟମ ଭାବରେ ବ୍ୟବହାର କରିଥା’ନ୍ତି, ନିଚ୍ଛକ ସମାଜ ସେବା ପାଇଁ ନୁହେଁ।

ଅବଶ୍ୟ ସମାଜ ସେବା ପାଇଁ ଯେ ଉଚ୍ଚ ଶିକ୍ଷା ବା ଡିଗ୍ରିର ଆବଶ୍ୟକତା ନ ଥାଏ, ଏ କଥା ସଚ୍ଚା ସମାଜସେବୀମାନଙ୍କୁ ଦେଖିଲେ ଅନୁମାନ କରି ହୁଏ। ଗଣମାଧ୍ୟମରେ ପ୍ରଶସ୍ତି ଗାନ କିମ୍ବା ପୁରସ୍କାର ପ୍ରତି ବୀତସ୍ପୃହ ଏହି କେତେ ଜଣ ଅସଲି ସେବକ, ସର୍ବସାଧାରଣଙ୍କ ଦୃଷ୍ଟିର ଆଢୁଆଳରେ ରହି ନିଜେ ବାଛି ନେଇଥିବା ସୀମିତ କ୍ଷେତ୍ର ଭିତରେ ଆନ୍ତରିକତାର ସହ ନିଜର କାର୍ଯ୍ୟ ଚଳାଇ ରଖିଥା’ନ୍ତି। ଏମାନଙ୍କର ପ୍ରେରଣାର ଉତ୍ସ ସେମାନଙ୍କ ଭିତରୁ ଆସିଥାଏ, ବାହାରର ଯଦି କିଛି ଏମାନଙ୍କୁ ପ୍ରେରିତ କରୁଥାଏ, ତେବେ ତାହା ହେଲା ଲୋକଙ୍କ ଦୁଃଖ ଓ ତା’ର ଅପନୋଦନ ଲାଗି ଇଚ୍ଛା। ଏହି ସେବକମାନେ ତାଙ୍କର ଲକ୍ଷ୍ୟ ହାସଲ କରିବା ପାଇଁ କୌଣସି ସଂସ୍ଥା ବା ବ୍ୟକ୍ତିବିଶେଷଙ୍କର ଅର୍ଥ ବା ଲୋକ ବଳକୁ ଅପେକ୍ଷା କରନ୍ତି ନାହିଁ। ସେମାନେ ସମସ୍ତେ ‘ଏକଲା ଚଲୋ’ ମନ୍ତ୍ରରେ ବିଶ୍ୱାସ କରନ୍ତି।

ସେଇଥି ପାଇଁ ତ ବେଳେ ବେଳେ ଶୁଣିବାକୁ ମିଳେ କିଏ ଜଣେ ବ୍ୟକ୍ତି ନିଜର ଦିନସାରାର ଖଟଣି ପରେ ସନ୍ଧ୍ୟା ବେଳେ ହାଡ଼ଭଙ୍ଗା ଶୀତରେ ଡାକ୍ତରଖାନା ପରିସରରେ ପାଣି ଗରମ କରି ଚିକିତ୍ସାଧୀନମାନଙ୍କୁ ମାଗଣାରେ ପରିବେଷଣ କରୁଥିବା କଥା ବା ଆଉ କିଏ ପୁଣି ବସ୍ତିଗୁଡ଼ିକର ଛୋଟ ପିଲାମାନଙ୍କୁ ଏକାଠି କରି ସେମାନଙ୍କୁ ଅକ୍ଷର ଶିଖାଉଥିବା ବିଷୟ। ଏହି ମହାନ ସେବକମାନଙ୍କର ପରିଚୟ ସମାଜ ରଖେନାହିଁ, କିନ୍ତୁ ସେମାନେ ତାଙ୍କର ସାଧନାରେ ଅଟଳ ଥାଆନ୍ତି। ସେମାନେ ପ୍ରବଞ୍ଚକ ସମାଜସେବୀମାନଙ୍କ ଭଳି ତଥାକଥିତ ସେବା ପ୍ରଦାନ କରୁଥିବା ବେଳର ଚିତ୍ର ଉତ୍ତୋଳନ ଓ ବହୁଳ ପ୍ରସାରଣରେ ବିଶ୍ବାସ ରଖନ୍ତି ନାହିଁ।

ଅବସୋସର ବିଷୟ ଏହି ଯେ ‘କାଗଜ ସମାଜସେବୀ’ମାନଙ୍କର ବହୁଳତା ଭିତରେ ନିଃସ୍ବାର୍ଥପର ଓ ସଚ୍ଚା ସେବକମାନେ କେଉଁଠି ଲୁଚି ଯାଉଛନ୍ତି!

ମୋ- ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର